ବିଚାର ବିଭ୍ରାଟ

‘‘ଆଇନ ଅଦାଲତରେ ଯେଉଁଭଳି ବିଚାର କରାଯାଇଥାଏ, ଜନତା ସେଭଳି ବିଚାର କରିନଥାଏ; ସେମାନେ ଦଣ୍ଡାଦେଶ ପ୍ରଦାନ କରନ୍ତି ନାହିଁ, ସେମାନେ ବଜ୍ରପାତ କରନ୍ତି…।’’ ଜନତା ଦରବାରରେ କେଉଁଭଳି ବିଚାର କରାଯାଏ ତାହାର ଏପରି ଲୋମହର୍ଷଣକାରୀ ବର୍ଣ୍ଣନା ଯିଏ ପ୍ରଦାନ କରିଛନ୍ତି ସେ ହେଉଛନ୍ତି ଅଷ୍ଟାଦଶ ଶତାବ୍ଦୀର ଇତିହାସ ପ୍ରସିଦ୍ଧ ଫରାସୀ ଆଇନଜୀବୀ ମାକ୍ସିମିଲିଏନ୍‌ ରୋବ୍‌ସପିଏର୍‌। ଫରାସୀ ବିପ୍ଳବ ସମୟରେ ଦେଖାଦେଇଥିବା ‘ରେନ୍‌ ଅଫ୍‌ ଟେରର୍‌’ ନାମରେ ସୁବିଦିତ ନିଷ୍ଠୁର ହିଂସାର ରାଜତ୍ୱ ଥିଲା ଜନତା ଦରବାର ଦ୍ୱାରା କରାଯାଇଥିବା ଏହି ବଜ୍ରପାତ, ଯାହାର ଅନ୍ୟତମ ପ୍ରମୁଖ ସୂତ୍ରଧର ଥିଲେ ରୋବ୍‌ସପିଏର୍‌। ଗିଲୋଟିନ୍‌ରେ କାଟି ଅସୁମାରି ନାଗରିକଙ୍କର ମୁଣ୍ଡ ନେଇଥିବା ଏହି ‘ରେନ୍‌ ଅଫ୍‌ ଟେରର୍‌’ ନାମକ ଅରାଜକତା ଶେଷରେ ରୋବ୍‌ସପିଏର୍‌ଙ୍କୁ ମଧ୍ୟ କବଳିତ କରିଥିଲା, ଯେତେବେଳେ ବିନା ବିଚାରରେ ୧୭୯୪ ଜୁଲାଇରେ ସେଇ ଗିଲୋଟିନ୍‌ ଦ୍ୱାରା ତାଙ୍କର ମୁଣ୍ଡକାଟ କରାଗଲା।

ଦେଶର ଶୀର୍ଷତମ ଅଦାଲତର ଚାରିଜଣ ବରିଷ୍ଠତମ ବିଚାରପତି ଗତ ୧୨ ତାରିଖ ଦିନ ଯେଉଁଭଳି ଆଇନ ଅଦାଲତର ପରିସର ବାହାରକୁ ଯାଇ ଜନତା ଅଦାଲତରେ ମୁଖ୍ୟ ବିଚାରପତିଙ୍କ ବିରୁଦ୍ଧରେ ନିଜର ପୁଞ୍ଜିଭୂତ ଅଭିଯୋଗମାନ ପେସ୍‌ କଲେ ତାହା ଭାରତର ପ୍ରତ୍ୟେକ ଚିନ୍ତାଶୀଳ ନାଗରିକର ମନରେ ରୋବ୍‌ସପିଏର୍‌ଙ୍କର ଉପରୋକ୍ତ କାଳତୁଣ୍ଡିଆ ସତର୍କବାଣୀକୁ ପୁନରାୟ ଝଙ୍କୃତ କରିବା ପାଇଁ ଯଥେଷ୍ଟ। ମାନ୍ୟବର ବିଦ୍ରୋହୀ ବିଚାରପତି ମାନଙ୍କର ଅଭିଯୋଗରେ ଯେତେ ବି ଯଥାର୍ଥତା ଥାଉ ନା କାହିଁକି, ସେମାନେ ନିଜ କୋର୍ଟ ବାହାରକୁ ଯାଇ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସେସବୁକୁ ଉଦ୍‌ଗୀରଣ କରିବା ପ୍ରଜା କୋର୍ଟରେ ଆବେଦନ କଲା ଭଳି। ଅତୀତରେ ଲାଲୁ ଯାଦବଙ୍କ ଭଳି ରାଜନୈତିକ ନେତାମାନେ ଏପରି କୌଶଳ ଅବଲମ୍ବନ କରିବା ଦେଖାଯାଇଛି ଯେତେବେଳେ ସେ ଆଇନ ଅଦାଲତରେ ଦୋଷୀ ସାବ୍ୟସ୍ତ ହେବା ପରେ କହନ୍ତି ଯେ ଜନତା ଦରବାର ତାଙ୍କୁ ନିର୍ଦୋଷ ଘୋଷଣା କରିଛି, କାରଣ ସେ ନିର୍ବାଚନ ଜିତିଛନ୍ତି। ସେହିପରି ମାଓବାଦୀ ମାନଙ୍କ ଦ୍ୱାରା ପ୍ରଜା କୋର୍ଟରେ କିଭଳି ନ୍ୟାୟ ପ୍ରଦାନ କରାଯାଏ, ତାହା ସମସ୍ତଙ୍କୁ ଜଣା। ମାନ୍ୟବର ବିଚାରପତିମାନେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସମସ୍ୟାର କିପରି ସମାଧାନ କରାଯାଇପାରିବ ବୋଲି ଆଶା କରୁଥିଲେ ତାହା ଆଦୌ ବୁଝାପଡୁ ନାହିଁ, କିନ୍ତୁ ଯାହା ସ୍ପଷ୍ଟ ରୂପେ ବୁଝାପଡୁଛି ତାହା ହେଲା ସେମାନଙ୍କ କାର୍ଯ୍ୟ ଭାରତୀୟ ନ୍ୟାୟ ବ୍ୟବସ୍ଥାର ସର୍ବୋଚ୍ଚ ଅନୁଷ୍ଠାନର ଗାମ୍ଭୀର୍ଯ୍ୟ, ଗରିମା ଏବଂ ବିଶ୍ୱସନୀୟତାକୁ ଏପରି ଭୂଲୁଣ୍ଠିତ କରିଛି, ଯୁକ୍ତି ଛଳରେ କୁହାଯାଇପାରେ ଯାହାର ଚରମ ପରିଣତି ହେବ ଅରାଜକତା।

ସୁପ୍ରିମ୍‌ କୋର୍ଟର ଚାରିଜଣ ମାନ୍ୟବର କାର୍ଯ୍ୟରତ ବିଚାରପତି ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଅନ୍ୟ ଜଣେ ସାଥୀ ବିଚାରପତିଙ୍କ ବିରୁଦ୍ଧରେ ଏପରି ବିଷୋଦ୍‌ଗାର କରିବା ହେଉଛି ବୋଧହୁଏ ଭାରତୀୟ ନ୍ୟାୟପାଳିକା ଇତିହାସରେ ମାତ୍ର ଦ୍ୱିତୀୟ ଏଭଳି ଘଟଣା। ଏଭଳି ପ୍ରଥମ ଘଟଣା ଘଟିଥିଲା ୨୦୧୧ରେ ଯେତେବେଳେ ମାଡ୍ରାସ୍‌ ହାଇକୋର୍ଟର ବହୁଚର୍ଚ୍ଚିତ ତତ୍କାଳୀନ ବିଚାରପତି ସି.ଏସ୍‌.କର୍ଣ୍ଣନ୍‌ ଚେନ୍ନାଇ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ସେଠାରେ ତାଙ୍କର ଜଣେ ସାଥୀ ବିଚାରପତିଙ୍କ ବିରୁଦ୍ଧରେ ଜାତିଆଣବାଦ ଅଭିଯୋଗ ଉପସ୍ଥାପନ କରିଥିଲେ। ଜନମାନସରେ ଯାହା ଏଯାଏଁ ସତେଜ ଅଛି ତାହା ହେଲା ନ୍ୟାୟମୂର୍ତ୍ତି କର୍ଣ୍ଣନ୍‌ଙ୍କର ଏଇଭଳି ବିଭିନ୍ନ କାର୍ଯ୍ୟ ଶେଷରେ ସୁପ୍ରିମ୍‌ କୋର୍ଟରେ ଏକ ଅଦାଲତ ଅବମାନନା ମାମଲାର ରୂପ ନେଇଥିଲା ଏବଂ ଅବଶେଷରେ ନ୍ୟାୟମୂର୍ତ୍ତି କର୍ଣ୍ଣନ୍‌ଙ୍କୁ ଏଥିପାଇଁ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଆମୋଦଦାୟକ ଭାବରେ ସୁପ୍ରିମ୍‌କୋର୍ଟର ଯେଉଁ ଅଭୂତପୂର୍ବ ସାତଜଣିଆ ବେଞ୍ଚ୍‌ କର୍ଣ୍ଣନ୍‌ଙ୍କର ବିଚାର କରି ଥିଲା ତାହାର ସଦସ୍ୟ ଥିଲେ ତତ୍କାଳୀନ ମୁଖ୍ୟ ବିଚାରପତି ଜେଏନ୍‌ ଖେହାର୍‌ ଏବଂ ବିଚାରପତି ବୃନ୍ଦ ଦୀପକ ମିଶ୍ର, ପିସି ଘୋଷ, ଜେ.ଚେଲମେଶ୍ୱର, ରଞ୍ଜନ ଗୋଗୋଇ, ଏମ୍‌ବି ଲୋକୁର୍‌ ଏବଂ କୁରିଆନ୍‌ ଜୋସେଫ୍‌। ଏକ ଉଦ୍ଭଟ ନାଟକର ଦୃଶ୍ୟ ଭଳି ବର୍ତ୍ତମାନ ଶେଷୋକ୍ତ ଚାରିଜଣ ନ୍ୟାୟମୂର୍ତ୍ତି ବେଞ୍ଚର ଅନ୍ୟତମ ସଦସ୍ୟ ବର୍ତ୍ତମାନର ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ବିରୁଦ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ହିଁ ଗୁରୁତର ଅଭିଯୋଗମାନ ଆଣିଛନ୍ତି। ଏହା ଦେଖି ଅଳ୍ପ ଦିନ ତଳେ ଜେଲ୍‌ରୁ ମୁକୁଳିଥିବା କର୍ଣ୍ଣନ୍‌ ନିଶ୍ଚୟ ଆମୋଦିତ ହେଉଥିବେ।

ମାନ୍ୟବର ବିଚାରପତି ଚାରିଜଣଙ୍କ ଦ୍ୱାରା ଆହୂତ ସାମ୍ବାଦିକ ସମ୍ମିଳନୀର ସ୍ଥାନ ଓ କାଳ ମଧ୍ୟ ବିବାଦମୁକ୍ତ ନୁହେଁ। ସେଦିନ ଥିଲା ଏକ କାର୍ଯ୍ୟ ଦିବସ ଏବଂ ଯେଉଁ ସମୟରେ ସେମାନେ ସାମ୍ବାଦିକମାନଙ୍କ ସମ୍ମୁଖରେ ନିଜର ଅଭିଯୋଗ ଦାଖଲ କରୁଥିଲେ, ସେଇ ସମୟରେ ସେମାନେ କୋର୍ଟ ପରିସରରେ ଉପସ୍ଥିତ ରହି ମାମଲା ଶୁଣାଣି କରୁଥିବା କଥା। ଭାରତର ବିଚରାଧୀନ ମାମଲାମାନଙ୍କର ସଂଖ୍ୟା ପାହାଡ଼ ପ୍ରମାଣ ହୋଇଥିବା ବେଳେ ଏବଂ ବିଚାରପତି ମାନଙ୍କର କାର୍ଯ୍ୟ ଦିବସ ସଂଖ୍ୟା ନଗଣ୍ୟ ହୋଇଥିବା ବେଳେ ପ୍ରତ୍ୟେକ କାର୍ଯ୍ୟ ଦିବସର ପ୍ରତ୍ୟେକ ମିନିଟ୍‌ ହେଉଛି ଅତ୍ୟନ୍ତ ଦୁର୍ମୂଲ୍ୟ। ଏହାକୁ ସାମ୍ବାଦିକ ସମ୍ମିଳନୀରେ ନଷ୍ଟ କରିବା ଗ୍ରହଣୀୟ ନୁହେଁ। ପୁଣି ଜଣେ ବିଚାରପତିଙ୍କର ସରକାରୀ ବାସଗୃହ ପରିସରରେ ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ କେତେଦୂର ଉଚିତ, ତାହା ବିଚାର ଯୋଗ୍ୟ। ଯଦି ଦେଶର ସମସ୍ତ ଅଦାଲତର ବିଚାରପତିମାନେ ସୁପ୍ରିମ୍‌କୋର୍ଟର ମାନ୍ୟବର ବିଚାରପତିମାନେ ବର୍ତ୍ତମାନ ସୃଷ୍ଟି କରିଥିବା ଏହି ନଜିର୍‌କୁ ଅନୁସରଣ କରିବେ, ତାହା ଗ୍ରହଣୀୟ ହେବ କି? ଯଦି ଜଣେ ସରକାରୀ କର୍ମଚାରୀ ଏଭଳି ଆଚରଣ ପ୍ରଦର୍ଶନ କରନ୍ତେ, ସର୍ଭିସ୍‌ କୋଡ୍‌ ଉଲ୍ଲଂଘନ ଅଭିଯୋଗରେ ତାଙ୍କର ଚାକିରି ଚାଲି ଯାଆନ୍ତା।

ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ବିଚାରପତିମାନେ ମନ୍ତବ୍ୟ ପ୍ରଦାନ କରିଥିଲେ ଯେ ମୁଖ୍ୟ ବିଚାରପତି ହେଉଛନ୍ତି ‘ସମାସ୍କନ୍ଧ ମାନଙ୍କ ମଧ୍ୟରେ ପ୍ରଥମ ମାତ୍ର’ (ଫାଷ୍ଟ୍‍ ଆମଙ୍ଗ୍‌ ଇକ୍ୱାଲ୍‌ସ); ତେଣୁ ତାଙ୍କର ମନଇଚ୍ଛା ବିଚାରପତି ମାନଙ୍କ ମଧ୍ୟରେ ମାମଲା ଆବଣ୍ଟନ କରିବାର ଅଧିକାର ନାହିଁ। (ଏହା ଅବଶ୍ୟ ଠିକ୍‌ ନୁହେଁ, କାରଣ ମୁଖ୍ୟ ବିଚାରପତି ଏକ ଭିନ୍ନ ଶପଥ ପାଠ କରିଥାନ୍ତି ଏବଂ ଅଧିକ ବେତନ ପାଇଥାନ୍ତି)। କିନ୍ତୁ ବିଚାରପତିମାନେ ଏଥିସହିତ ମଧ୍ୟ ଅଭିଯୋଗ କରିଛନ୍ତି ଯେ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଅପେକ୍ଷାକୃତ କନିଷ୍ଠ ବିଚାରପତି ମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ମାମଲାମାନ ବିଚାର ପାଇଁ ଦେଉଥିବା ବେଳେ ବରିଷ୍ଠ ବିଚାରପତିମାନଙ୍କୁ ଗୁରୁତ୍ୱହୀନ ମାମଲାମାନ ଦେଉଛନ୍ତି। ଯଦି ସମସ୍ତେ ସମାନ, ତେବେ ବରିଷ୍ଠ-କନିଷ୍ଠ ଭେଦଭାବ କାହିଁକି? ଏକ ପରବର୍ତ୍ତୀ ଘଟଣାରେ ଯେଉଁ ସିବିଆଇ ବିଚାରପତି ବ୍ରିଜ୍‌ମୋହନ ଲୋୟାରଙ୍କ ଅକାଳମୃତ୍ୟୁ ମାମଲାକୁ ମୁଖ୍ୟତଃ ଆଧାର କରି ଉପରୋକ୍ତ ବିଚାରପତିମାନେ ମୁଖ୍ୟ ବିଚାରପତିଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିଲେ ବର୍ତ୍ତମାନ ସେଇ ସ୍ୱର୍ଗତ ଲୋୟାରଙ୍କ ପୁତ୍ର ଏକ ବିସ୍ଫୋରକ ବକ୍ତବ୍ୟ ଦେଇ କହିଲେଣି ଯେ ତାଙ୍କ ପିତାଙ୍କ ମୃତ୍ୟୁ ସ୍ୱାଭାବିକ ଥିଲା ଏବଂ ଏହାକୁ ଅନ୍ୟ ରଙ୍ଗ ଦେବା ପାଇଁ ତାଙ୍କ ପରିବାର ଉପରେ ରାଜନୈତିକ ତଥା ଏନ୍‌ଜିଓ ଚାପ ପଡୁଥିଲା। ଏହା ବିଦ୍ରୋହରେ ଏକ ରାଜନୈତିକ ସନ୍ଦେହର ରଙ୍ଗ ଲଗାଇଥାଏ।

ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ନ ଲୋଡ଼ି କିମ୍ବା ପୂର୍ଣ୍ଣ-ଅଦାଲତ ଆଲୋଚନାର ସାହାଯ୍ୟ ନ ନେଇ ବିଚାରପତିମାନେ ଘର କଳି ବାହାରେ ପକାଇବାର ଆତ୍ମଘାତୀ ପରିଣାମ ସ୍ୱରୂପ ସୂଚନା ପ୍ରକାଶ ପାଇଲାଣି ଯେ କେନ୍ଦ୍ର ସରକାର ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମ୍‌କୋର୍ଟ କଲେଜିଅମ୍‌ର ସୁପାରିସ ଆଉ ଗ୍ରହଣ ନ କରିବା କଥା ଚିନ୍ତା କଲେଣି। ଅବଶ୍ୟ ସୋମବାର ଦିନ ବିଦ୍ରୋହୀ ବିଚାରପତିମାନେ ସେମାନଙ୍କର ସ୍ୱାଭାବିକ କାର୍ଯ୍ୟ କରିଛନ୍ତି ଏବଂ ଜଣାପଡୁଛି ଯେ ଅନତିବିଳମ୍ବେ ଉଭୟ ପକ୍ଷ ମଧ୍ୟରେ ଏକ ବୁଝାମଣା ହୋଇ ସୁପ୍ରିମ୍‌କୋର୍ଟ ତା’ର ନିତ୍ୟନୈମିତ୍ତିକ କାର୍ଯ୍ୟ କରି ଚାଲିବ। କିନ୍ତୁ ବିଦ୍ରୋହୀ ବିଚାରପତି ମାନଙ୍କର ଏହି ବିଚାର ବିଭ୍ରାଟ ଉଭୟ ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ଭାବମୂର୍ତ୍ତିରେ ଯେଉଁ କ୍ଷତ ସୃଷ୍ଟି କରିଛି ସେଥିରୁ କେତେକାଳ ଧରି ରକ୍ତ ଝରି ଚାଲିବ, କିଏ ଜାଣେ?

ସମ୍ବନ୍ଧିତ ଖବର