ସୀମା ବିବାଦ ତୁଟାଇବା ପାଇଁ ଚୀନ୍ ଓ ଭାରତ ମଧୢରେ ଚାଲିଥିବା କୂଟନୈତିକ ସ୍ତରରେ କଥାବାର୍ତ୍ତାକୁ ଚୀନ୍ ଯେ କେବଳ ଭୂଇଁରେ ସନ୍ତର୍ପଣରେ ଅନୁପ୍ରବେଶକୁ ଆଗେଇ ନେବା ପାଇଁ ଏକ ଧୂମ ପଟଳ ଭାବରେ ବ୍ୟବହାର କରୁଛି, ଅଗଷ୍ଟ ଶେଷ ଆଡ଼କୁ ଲାଦାଖ ସୀମାନ୍ତରେ ଚୀନା ସୈନ୍ୟମାନେ କରିଥିବା ଅନୁପ୍ରବେଶ ଉଦ୍ୟମରୁ ତାହା ସ୍ପଷ୍ଟ ହୋଇଥାଏ। ସଜାଗ ଭାରତୀୟ ସେନା ଏହି ଉଦ୍ୟମକୁ ପ୍ରତିହତ କରିବା ପରେ ସେ ଅଞ୍ଚଳରେ ଉଭୟ ଦେଶ ବ୍ୟାପକ ସମର ସଜ୍ଜା ଆରମ୍ଭ କରି ଦେଇଛନ୍ତି। ପୂର୍ବ ଲାଦାଖର ପାଙ୍ଗଙ୍ଗ୍ ହ୍ରଦର ଦକ୍ଷିଣ ଉପକୂଳ ଅଞ୍ଚଳରେ ଅନୁପ୍ରବେଶ କରି ଉଭୟ ଦେଶ ମଧୢରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)କୁ ବଦଳାଇ ଦେବାକୁ ଚୀନା ସେନା ଉଦ୍ୟମ କରିଥିଲା ବୋଲି ଭାରତ ସରକାରଙ୍କ ଦ୍ବାରା ବିଧିବଦ୍ଧ ଭାବରେ ଘୋଷଣା କରାଯାଇଛି ଏବ˚ କୁହାଯାଇଛି ଯେ ଭାରତୀୟ ସେନା ଚୀନ୍ର ଏହି ଉଦ୍ୟମକୁ ପଣ୍ତ କରି ଦେଇଛି। ଆଶା କରାଯାଉଥିବା ଭଳି ଚୀନ୍ ଅବଶ୍ୟ ଏହାକୁ ଖଣ୍ତନ କରି କହିଛି ଯେ ତା’ର ସୈନ୍ୟମାନେ ଆଦୌ ‘ଏଲ୍ଏସି’ ଅତିକ୍ରମ କରି ନାହାନ୍ତି।
କେତେକ ପର୍ଯ୍ୟବେକ୍ଷକମାନଙ୍କ ମତରେ ବର୍ତ୍ତମାନ ଚୀନ୍ରେ ସୋସିଆଲ୍ ମିଡିଆରେ ପ୍ରସାରିତ ହେଉଥିବା ପୂର୍ବର ଗଲ୍ଵାନ୍ ଲଢ଼େଇ ସମ୍ବନ୍ଧିତ ଏକ ଅସ୍ବସ୍ତିକର ସୂଚନାରୁ ଦେଶବାସୀଙ୍କ ଦୃଷ୍ଟି ହଟାଇବା ଉଦ୍ଦେଶ୍ୟରେ ସି ଜିନ୍ପିଙ୍ଗ୍ ସରକାର ଭାରତ ସୀମାନ୍ତରେ ଏକ ନୂତନ ଉତ୍ତେଜନା ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛି। ସୋସିଆଲ୍ ମିଡିଆରେ ପ୍ରସାରିତ ସୂଚନା ଅନୁସାରେ ଗଲ୍ଵାନ୍ ଗଣ୍ତଗୋଳରେ ଭାରତର ୨୦ ଜଣ ସୈନ୍ୟ ପ୍ରାଣ ହରାଇଥିବା ବେଳେ, ଚୀନ୍ ସୀମା ସେପଟେ କବର ଗଣତିରୁ ଜଣାପଡୁଛି ଯେ ଅତି କମ୍ରେ ୧୦୦ରୁ ଅଧିକ ଚୀନା ସୈନ୍ୟ ସେ ଲଢ଼େଇରେ ପ୍ରାଣ ହରାଇଥିଲେ। ଯେହେତୁ ଏ ସମ୍ବନ୍ଧରେ ନିଜ ଦେଶବାସୀଙ୍କୁ ଚୀନା ସରକାର କୌଣସି ସୂଚନା ପ୍ରଦାନ କରିନାହାନ୍ତି, ବର୍ତ୍ତମାନ ଏକ ନୂତନ ଆକ୍ରମଣ ରଚନା କରି ଦେଶବାସୀଙ୍କ ମଧୢରେ ଏକ ଦେଶାତ୍ମବୋଧ ଜାଗ୍ରତ କରି ସେମାନଙ୍କୁ ବହଲାଇବା ପାଇଁ ଏହି ନୂତନ ଉଦ୍ୟମ ଆରମ୍ଭ ହୋଇଛି।
ଚୀନ୍ର ଏହି ନୂତନ ଚକ୍ରାନ୍ତର କେତେକ ଗୁରୁତ୍ବପୂର୍ଣ୍ଣ ଦିଗ ସ୍ପଷ୍ଟ ରୂପେ ଦୃଷ୍ଟିଗୋଚର ହୋଇଥାଏ। ଏ ପର୍ଯ୍ୟନ୍ତ ପାଙ୍ଗଙ୍ଗ୍ ହ୍ରଦର ଉତ୍ତର ଉପକୂଳବର୍ତ୍ତୀ ଇଲାକା ଉଭୟ ପକ୍ଷର ରଣଭୂମିରେ ସୀମିତ ଥିଲା; ଦକ୍ଷିଣ ଉପକୂଳ ବିବାଦମୁକ୍ତ ଥିଲା। ନୂତନ କରି ଦକ୍ଷିଣ ଉପକୂଳରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରି ଚୀନ୍ ଯେଉଁ ନିଶ୍ଚିତ ସନ୍ଦେଶ ଦେବାକୁ ଚେଷ୍ଟା କରୁଥିବା ଭଳି ମନେହୁଏ, ତାହା ହେଲା, ଚଳିତ ସମସ୍ୟାର ଆପୋସ ସମାଧାନ କରିବା ପରିବର୍ତ୍ତେ, ଚୀନ୍ ଆହୁରି ଅଧିକ ଏକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାକୁ ପସନ୍ଦ କରୁଛି।
ଯଦି ତାହା ହୋଇଥାଏ, ଭାରତକୁ ଦୁର୍ବଳ ଦେଖାଇବା ହିଁ ହେଉଛି ଚୀନ୍ର ଅସଲ ଉଦ୍ଦେଶ୍ୟ। ପୂର୍ବାବସ୍ଥାକୁ ପ୍ରତ୍ୟାବର୍ତ୍ତନ କରିବା ପରିବର୍ତ୍ତେ ଭାରତୀୟ ଇଲାକା ଭିତରକୁ ମାଡ଼ି ଆସିବା ଦ୍ବାରା ଚୀନ୍ ନିଜକୁ ଭାରତଠାରୁ ଅଧିକ ଶକ୍ତିଶାଳୀ ବୋଲି ପ୍ରଦର୍ଶନ କରିବାକୁ ଚେଷ୍ଟା କରିବା ସହିତ ଭାରତର କ୍ଷମତାସୀନ ସରକାରକୁ ଦୁର୍ବଳ ଦେଖାଇବାକୁ ଚାହୁଁଛି। କିଛିଦିନ ତଳେ ଭାରତର ସମ୍ମିଳିତ ସେନା ମୁଖ୍ୟ ଜେନେରାଲ୍ ବିପିନ୍ ରାଵତ୍ କରିଥିବା ଘୋଷଣା ପରିପ୍ରେକ୍ଷୀରେ ଚୀନ୍ର ଏ ଭଳି ଉଦ୍ୟମର ପରିଣାମ କ’ଣ ହୋଇପାରେ ତାହା ହୃଦୟଙ୍ଗମ କରିବା କଷ୍ଟକର ନୁହେଁ। ଜେନେରାଲ୍ ରାଵତ୍ କହିଥିଲେ ଯେ ଚୀନ୍ ସୀମାନ୍ତରେ ସମସ୍ୟାର ସମାଧାନ ପାଇଁ ଯଦି ଆବଶ୍ୟକ ହୁଏ ଭାରତ ଉପଯୁକ୍ତ ସାମରିକ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଅର୍ଥାତ୍ ଚୀନ୍ ଯଦି ଏକ ଦାୟିତ୍ବବାନ୍ ଦେଶ ଭଳି ପଡ଼ୋଶୀ ଦେଶ ଭାରତ ସହିତ ଶାନ୍ତିପୂର୍ଣ୍ଣ ସହବାସ୍ଥାନ ନକରି କଣ୍ଟାବାଡ଼ରେ ଲୁଗା ପକାଇ ଝଗଡ଼ା କରିବାକୁ ଚାହେଁ, ଭାରତ ମଧୢ ଯୁଦ୍ଧ ଆରମ୍ଭ କରିବାକୁ ପସନ୍ଦ କରିବ।
ଚୀନ୍ ଯେ ଆଦୌ ଏକ ଭରସାଯୋଗ୍ୟ ପକ୍ଷ ନୁହେଁ, ତା’ର ଏକ ପ୍ରମାଣ ସ୍ବରୂପ ଲାଦାଖରେ ଏହି ନୂତନ ଅନୁପ୍ରବେଶର ଠିକ୍ ପୂର୍ବ ଦିନ ଅଗଷ୍ଟ ୨୮ରେ ଭାରତ ସ୍ଥିତ ଚୀନ୍ର ରାଷ୍ଟ୍ରଦୂତ ସନ୍ େଵଇଡଙ୍ଗ୍ ଏକ ବିବୃତି ଦେବା ଦେଖାଯାଇଥିଲା ଯେ ଭାରତ ଓ ଚୀନ୍ ସେମାନଙ୍କର ସୀମା ପ୍ରଶ୍ନକୁ ସେମାନଙ୍କର ଦ୍ବିପାକ୍ଷିକ ସମ୍ପର୍କ ମଧୢରେ ଏକ ଉପଯୁକ୍ତ ସ୍ଥାନରେ ରଖିବା ଉଚିତ। ଅର୍ଥାତ୍ ସନ୍ଙ୍କ ମତରେ ଉଭୟ ଦେଶ ମଧୢରେ ବୃହତ୍ତର ସମ୍ପର୍କ କେବଳ ସୀମା ବିବାଦ ଦ୍ବାରା ପ୍ରଭାବିତ ହେବା ଉଚିତ ନୁହେଁ- ସୀମା ପ୍ରସଙ୍ଗ ସତ୍ତ୍ବେ ଅନ୍ୟାନ୍ୟ ପ୍ରସଙ୍ଗମାନଙ୍କରେ ଦୁଇ ଦେଶର ସମ୍ପର୍କରେ ଉନ୍ନତି ଘଟି ଚାଲିବା ଉଚିତ। ବୋଧହୁଏ ଏହି ଚିନ୍ତାଧାରାକୁ ଆଗେଇ ନେବା ଭଳି ତା’ ପର ଦିନ ହିଁ ଚୀନ୍ ସୀମାରେ ଏକ ନୂତନ ବିବାଦ ଛିଡ଼ା କରାଇଦେଲା।
ଭାରତ କିନ୍ତୁ ଚୀନ୍ର ଏଭଳି ଉଦ୍ଦେଶ୍ୟ ପ୍ରଣୋଦିତ ଯୁକ୍ତିରେ ଯେ ଭଳିଯିବାର କୌଣସି ସମ୍ଭାବନା ନାହିଁ, ତାହା ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସମ୍ପୂର୍ଣ୍ଣ ସ୍ପଷ୍ଟ କରି ଦେଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶ ଯେ ପର୍ଯ୍ୟନ୍ତ ପ୍ରକୃତ ନିୟନ୍ତ୍ରଣରେଖା ସମ୍ବନ୍ଧିତ ଚୁକ୍ତିମାନ ପାଳନ କରି ଚାଲିଥିଲେ, ଅନ୍ୟ କ୍ଷେତ୍ର ମାନଙ୍କରେ ସେମାନଙ୍କର ଦ୍ବିପାକ୍ଷିକ ସମ୍ପର୍କରେ ଅଗ୍ରଗତି ଘଟି ଚାଲିଥିଲା। ଏହାର ଅର୍ଥ ଉଭୟ ଦେଶ ମଧୢରେ ଦ୍ବିପାକ୍ଷିକ ସମ୍ପର୍କ ଏଲ୍ଏସିରେ ସ୍ଥିରତା ଓ ଶାନ୍ତି ଉପରେ ପର୍ଯ୍ୟବସିତ। ସୀମାରେ ଲଢ଼େଇ ଚାଲିଥିବା ବେଳେ ଅର୍ଥନୈତିକ କିମ୍ବା ସା˚ସ୍କୃତିକ ସମ୍ପର୍କ ସ୍ବାଭାବିକ ରହିବା ସମ୍ଭବ ନୁହେଁ। ଭାରତ ନିକଟ ଅତୀତରେ ଚୀନ୍ ସହିତ ଯେଉଁଭଳି କୂଟନୈତିକ ସୁସମ୍ପର୍କ ପ୍ରତିଷ୍ଠା କରିବାକୁ ଉଦ୍ୟମ କରି ଆସିଥିଲା (ମୋଦୀଙ୍କ ଚୀନ୍ ଗସ୍ତ, ଜିନ୍ ପିଙ୍ଗ୍ଙ୍କର ଭାରତ ଗସ୍ତ ଇତ୍ୟାଦି), ଚୀନ୍ର ବର୍ତ୍ତମାନର ଧୋକାବାଜି ପରେ ତାହା ଯେ ଅନ୍ତତଃ ନିକଟ ଭବିଷ୍ୟତରେ ଆଉ ସମ୍ଭବ ନୁହେଁ, ଜୟଶଙ୍କରଙ୍କର ଉକ୍ତିରୁ ତାହା ସ୍ପଷ୍ଟ ହୋଇଥାଏ।
ଗଲ୍ଵାନ୍ଠାରେ ମଇ ୫ ତାରିଖ ଦିନ ଘଟିଥିବା ପ୍ରଥମ ଲଢ଼େଇ ପରେ ଭାରତର ପ୍ରତିକ୍ରିୟାରେ ଯେଉଁ ଅନିଶ୍ଚିତତାର ଛାପ ଦେଖିବାକୁ ମିଳିଥିଲା, ବର୍ତ୍ତମାନର ସାମରିକ ଓ କୂଟନୈତିକ ପ୍ରତିକ୍ରିୟାରେ ତାହା ଯେ ଆଉ ଦେଖିବାକୁ ମିଳିନାହିଁ, ଏହା ପର୍ଯ୍ୟବେକ୍ଷକମାନଙ୍କ ଦୃଷ୍ଟି ଏଡ଼ାଇ ନାହିଁ। ଉଭୟ ଦେଶ ମଧୢରେ ଦେଖାଦେଇଥିବା ବିବାଦର ସମାଧାନ ଆଲୋଚନା ମାଧୢମରେ କେତେଦୂର ସମ୍ଭବ ହୋଇପାରିବ, ତାହା ଏକ ବିରାଟ ପ୍ରଶ୍ନବାଚୀରେ ପରିଣତ ହୋଇଛି। ଯଦି ଏକ ସାମରିକ ସମାଧାନ ଏହି ବିବାଦର ଏକମାତ୍ର ସମାଧାନ ରୂପେ ଆବିର୍ଭୂତ ହୁଏ, ତେବେ ଭାରତ ସେଥିପାଇଁ ନିଜ ସପକ୍ଷରେ ଆନ୍ତର୍ଜାତିକ ସହଯୋଗ ସମର୍ଥନ ନିଶ୍ଚିତ କରିବା ଆବଶ୍ୟକ।
ଅବଶ୍ୟ ସ˚ଯୋଗକ୍ରମେ କରୋନା ରପ୍ତାନିକାରୀ ରୂପେ ଚୀନ୍ ବର୍ତ୍ତମାନ ବ୍ୟାପକ ଆନ୍ତର୍ଜାତିକ ରୋଷର ସମ୍ମୁଖୀନ ହୋଇଛି। ସଦ୍ୟ ଆମେରିକାର ପରରାଷ୍ଟ୍ର ବିଭାଗର ଜଣେ ଉଚ୍ଚ ପଦାଧିକାରୀ ମନ୍ତବ୍ୟ ପ୍ରଦାନ କରିଛନ୍ତି ଯେ ଚୀନ୍ ଯେ କୌଣସି କ୍ଷେତ୍ରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କଲେ, ଆମେରିକା ତାହାକୁ ପ୍ରତିହତ କରିବାକୁ ଉଦ୍ୟମ କରିବ- ତାହା ବାଣିଜ୍ୟ ହେଉ କି ଜ୍ଞାନକୌଶଳ ଚୋରି ହେଉ କି ସୀମା ଅତିକ୍ରମ କରି ଅନ୍ୟ ଦେଶର ଅଞ୍ଚଳ ଦଖଲ ହେଉ କି ଅନ୍ୟ ଦେଶର ଜଳ ସୀମା ଉଲ୍ଲ˚ଘନ ହେଉ। ଏହି ମନ୍ତବ୍ୟ ପ୍ରଦାନ ସମୟରେ ସେ ନିର୍ଦ୍ଦିଷ୍ଟ ଭାବେ ଗଲଵାନ୍ ଘଟଣାର ଉଲ୍ଲେଖ କରିଥିଲେ। ଏହି ଉଦ୍ୟମକୁ ବଳିଷ୍ଠ କରିବା ପାଇଁ ସେ ବର୍ତ୍ତମାନର ଅନୌପଚାରିକ ଚତୁର୍ଦ୍ଦେଶୀୟ ସହଯୋଗ ଉଦ୍ୟମ ‘କ୍ବାଡ୍ରିଲାଟରାଲ୍ ସିକ୍ୟୁରିଟି ଡାଇଲଗ୍’ ବା ‘କ୍ବାଡ୍’କୁ ଏକ ଦୃଢ଼ ଔପଚାରିକ ସ˚ଗଠନରେ ପରିଣତ କରିବା ପାଇଁ ଯେଉଁ ଆହ୍ବାନ ଦେଇଛନ୍ତି ଭାରତ ତାକୁ ଗ୍ରହଣ କରି ସେ ଦିଗରେ ଅଗ୍ରଗତି ହାସଲ ପାଇଁ କାଳ ବିଳମ୍ବ ନକରି ଉଦ୍ୟମ କରିବା ଜରୁରୀ। ଏ ଚାରି ଦେଶ ହେଉଛନ୍ତି ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆ। ଏହି ନୂତନ ସ˚ଗଠନ ଉଭୟ ସ୍ଥଳଭାଗରେ ଓ ଜଳଭାଗରେ ଚୀନ୍ର ବିସ୍ତାରବାଦୀ ଆଚରଣରେ ଲଗାମ ଦେବାରେ ନିଶ୍ଚିତ ରୂପେ ସଫଳ ହେବ।