କେବଳ ବୟସ ନୁହେଁ

ଯେଉଁମାନେ ପ୍ରସିଦ୍ଧ ବଙ୍ଗଳା ଔପନ୍ୟାସିକ ବିଭୂତି ଭୂଷଣ ବନ୍ଦୋପାଧୢାୟଙ୍କର କାଳଜୟୀ କୀର୍ତ୍ତି ‘ପଥେର ପାଁଚାଳୀ’ ପଢ଼ିଥିବେ ସେମାନେ କଦାପି ନିଶ୍ଚିନ୍ଦିପୁର ଗ୍ରାମର ଇନ୍ଦିର ଠାକୁରାଣୀର କରୁଣ ମୃତ୍ୟୁର ମର୍ମସ୍ପର୍ଶୀ ଚିତ୍ରକୁ ନିଜର ମାନସ ପଟରୁ ଲିଭେଇପାରିନଥିବେ। ଊନବି˚ଶ ଶତାବ୍ଦୀର ଲକ୍ଷ ଲକ୍ଷ ବାଲ୍ୟ ବିଧବାଙ୍କ ଭିତରୁ ଇନ୍ଦିର ଠାକୁରାଣୀ ଜଣେ, ଯିଏ ନାରୀ ନୁହେଁ ତ ପୁଳାଏ ତତଲା ଦୀର୍ଘଶ୍ବାସ। ସୁପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ସତ୍ୟଜିତ ରାୟଙ୍କ ଦ୍ବାରା ନିିର୍ମିତ ସମାନ ନାଆଁର ଚଳଚ୍ଚିତ୍ରରେ ଏହି ଦୃଶ୍ୟ ପ୍ରଦର୍ଶିତ ହେଲାବେଳେ ଦର୍ଶକ ତା ଆଖିର ଲୁହକୁ ରୋକିପାରେନାହିଁ। ଗୋଟିଏ ସମୟ ଥିଲା, ଯେତେବେଳେ ଖେଳଣା ଧରିବାର ବୟସରେ ଭାରତର କୁନି କୁନି ଝିଅମାନଙ୍କୁ ବାହା କରାଇ ଦିଆଯାଉଥିଲା। ଏ ବାହାଘର ଜିନିଷଟି କ’ଣ, ତା’ ପାଇଁ ମାନସିକ ପ୍ରସ୍ତୁତି ଓ ଶାରୀରିକ ଗଠନ ସେ କୁନି ଝିଅଟିର ଅଛି କି ନାହିଁ ସେସବୁ କଥା ସମାଜ ଲାଗି ଆଦୌ ଗୁରୁତ୍ବପୂର୍ଣ୍ଣ ନଥିଲା। ଏହି ପ୍ରକାର ବାଲ୍ୟବିବାହ କରିଥିବା ଅଧିକା˚ଶ ଝିଅ ଯୌବନପ୍ରାପ୍ତ ହେବାଆଗରୁ ବିଧବା ହୋଇଯାଉଥିଲେ ଏବ˚ ସେମାନେ ସାରା ଜୀବନ ‘ପଥେର ପାଁଚାଳୀ’ର ଇନ୍ଦିର ଠାକୁରାଣୀ ପରି ପରିଚିତ ଓ ଦୂର ସ˚ପର୍କୀୟଙ୍କ ଉପେକ୍ଷା, ଅନାଦର, ଘୃଣା ଓ ଅପମାନର ଶିକାର ହୋଇ ତିଳେ ତିଳେ ଜିଅନ୍ତା ମରଣ ମରୁଥିଲେ। ଏହି ସମସ୍ୟା ପୁଣି ଆହୁରି ଅଧିକ ଜଟିଳ ହେଉଥିଲା ଯେତେବେଳେ ଜଣେ ଜଣେ କୁଳୀନ ବ୍ରାହ୍ମଣ-ସ୍ବାମୀଙ୍କ ମୃତ୍ୟୁରେ ତାଙ୍କର କୋଡ଼ିଏ, ପଚିଶ କିମ୍ବା ତାହାଠାରୁ ଅଧିକ ପତ୍ନୀ ଏକାସମୟରେ ବିଧବା ହୋଇଯାଉଥିଲେ। ପ୍ରଥା ଅନୁଯାୟୀ ଜଣେ ସତ୍‌ବ˚ଶୀୟ ଖ୍ୟାତନାମା ବ୍ୟକ୍ତି ଅନେକ ଏପରିକି ଶତାଧିକ ସ୍ତ୍ରୀଙ୍କର ପାଣିଗ୍ରହଣ କରିପାରୁଥିଲେ। ଆଲୋଚ୍ୟ ଉପନ୍ୟାସର ସମର୍ଥ ଓଡ଼ିଆ ଅନୁବାଦକ ଗୋବିନ୍ଦ ଚନ୍ଦ୍ର ସାହୁ ତାଙ୍କର ମୁଖବନ୍ଧରେ ଏ ସ˚ପର୍କରେ ଅନେକ ତଥ୍ୟ ଉପସ୍ଥାପନ କରିଛନ୍ତି।

ବିଭୂତି ଭୂଷଣ ବନ୍ଦୋପାଧୢାୟଙ୍କ ଏହି କାଳଜୟୀ ଉପନ୍ୟାସ ରଚନା ହେବାର ପ୍ରାୟ ନବେ ବର୍ଷ ବିତିଗଲାଣି। ଆଉ କିଛି ମାସ ପରେ ସତ୍ୟଜିତ ରାୟଙ୍କ ଶତବାର୍ଷିକୀ ପାଳିତ ହେବ ଏବ˚ ତାଙ୍କ ନିର୍ମିତ ସିନେମାଟି ମଧୢ ଚଳିତବର୍ଷ ପଞ୍ଚଷଠି ବର୍ଷ ପୂରଣ କରିଛି। ସେଥିପାଇଁ, ଏ ବର୍ଷ ଅଗଷ୍ଟ ପନ୍ଦର ପାଳନ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଝିଅମାନଙ୍କର ବିବାହ ବୟସ ଅଠର ବର୍ଷରୁ ଏକୋଇଶ ବର୍ଷକୁ ବଢ଼ାଇବା କଥା ଚିନ୍ତା କରାଯାଉଥିବା କଥା ଘୋଷଣା କରିଥିଲେ, ସେତେବେଳେ ଉଭୟ ବିଭୂତି ଭୂଷଣ ଏବ˚ ସତ୍ୟଜିତ ରାୟଙ୍କର ଆତ୍ମା ଏ ଘୋଷଣାରେ ପ୍ରସନ୍ନ ହୋଇଥିବେ ବୋଲି ବିଶ୍ବାସ କରାଯାଇପାରେ। ବିବାହ ବୟସ ବଢ଼ାଇବା ଫଳରେ ଯେ ମାତୃ ମୃତ୍ୟୁହାର କମିବା ସହ ସୁସ୍ଥ ସନ୍ତାନ ଜନ୍ମର ସମ୍ଭାବନା ବଢ଼ିବ, ତାହା ସହଜରେ ଅନୁମେୟ। ସବୁଠାରୁ ବଡ଼କଥା, ବାହା ହେବା ଆଗରୁ ଝିଅଟିଏ ଅନ୍ତତଃ ତାର କଲେଜ ଶିକ୍ଷା ସମାପ୍ତ କରିବା ସହ ନିଜ କ୍ୟାରିୟର ସ˚ପର୍କରେ ନିଷ୍ପତ୍ତି ନେବାର ସୁଯୋଗ ପାଇବ। ତେବେ ଭାରତୀୟ ନାରୀମାନଙ୍କର ସମସ୍ୟା ସମାଧାନ କ୍ଷେତ୍ରରେ ଏହି ବୟସ ପ୍ରସଙ୍ଗଟି କ’ଣ ଏକମାତ୍ର ଅନ୍ତରାୟ? ବର୍ତ୍ତମାନ ସରକାରୀ ହିସାବରେ କନ୍ୟାର ବାହାଯୋଗ୍ୟ ବୟସ ଅଠର ରହିଛି, ୧୯୭୮ ପର୍ଯ୍ୟନ୍ତ ଏହି ବୟସ ପନ୍ଦର ଥିଲା। ୧୯୨୯ର ସାରଦା ଆଇନ ସ˚ଶୋଧନ କରାଯାଇ ପନ୍ଦରକୁ ଅଠରରେ ବୃଦ୍ଧି କରାଗଲା ପରେ ସୁଦ୍ଧା ଏହି ସମସ୍ୟାରେ ବିଶେଷ ପରିବର୍ତ୍ତନ ହୋଇନଥିବା ବହୁ ସମାଜଶାସ୍ତ୍ରୀ ଅଭିଯୋଗ କରିଛନ୍ତି।

ସେମାନଙ୍କର ତଥ୍ୟ ଅନୁସାରେ ୧୯୯୨-୯୩ରେ ୧୮ରୁ କମ୍‌ ବୟସର ଶତକଡ଼ା ୫୪ ଭାଗ ଝିଅଙ୍କୁ ବାହା କରାଇ ଦିଆଯାଇଥିବା ବେଳେ ୧୯୯୮-୯୯ରେ ତାହା ୫୦ ଭାଗ ଥିଲା ଓ ୨୦୧୫-୧୬ ବେଳକୁ ସେଥିରେ କିଛି ହ୍ରାସ ଲକ୍ଷ୍ୟ କରାଯାଇଥିଲା। ତାହା ହେଲେ ମୂଳ ସମସ୍ୟାଟି ଅନ୍ୟତ୍ର ରହିଥିବା ସହଜେ ଅନୁମେୟ। ଭାରତରେ ଗୋଟିଏ ଧାରଣା ଅଛି ଯେ ବୟଃପ୍ରାପ୍ତି ପରେ ଝିଅକୁ ଘରେ ବସାଇ ରଖିବା ଅର୍ଥ ବିପଦକୁ ବରଣ କରିବା। ସେହି ସମୟଠାରୁ ବନ୍ଧୁ ଓ ପଡ଼ୋଶୀଙ୍କର ଏକମାତ୍ର କଥାହୁଏ, ଝିଅଟିର ବାପାମାଆଙ୍କୁ ତାର ବାହାଘର ବିଷୟରେ ନିୟମିତ ବ୍ୟବଧାନରେ ପ୍ରଶ୍ନ କରିବା ଓ ‘ଝିଅ ହେଉଛି ଘିଅ’- ଏ କଥାଟିକୁ ମନେ ପକାଇ ଦେବା। ଏ କଥା ମଧୢ ପ୍ରସ୍ତାବ ଦିଆଯାଏ ଯେ, କମ୍‌ ବୟସ‌େର ଝିଅ ବାହାଦେଲେ କମ୍‌ ଯୌତୁକ ଖର୍ଚ୍ଚ ଲାଗିବ ଏବ˚ ଝିଅର ବୟସ ବଢ଼ିଲେ ସେ ବାବଦରେ ପିତାମାତାଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଏହା ସାଙ୍ଗକୁ ବଢ଼ିଲା ଝିଅଟି ଅନ୍ୟ କୌଣସି ଯୁବକକୁ ଭଲ ପାଇ ଘରୁ ପଳେଇଯିବାର କିମ୍ବା ଅବା˚ଛିତ ମାତୃତ୍ବ ବରଣ କରିବାର ଲଜ୍ଜାଜନକ ଆଶଙ୍କା ମଧୢ ରହିଛି। ଏହି ସବୁ କାରଣରୁ ଅଠର ବର୍ଷ ହେବାର ବହୁ ଆଗରୁ ଲକ୍ଷ ଲକ୍ଷ ଝିଅଙ୍କୁ ବାହା କରାଇ ଦିଆଯାଇଥାଏ। ବିସ୍ମିତ ହେବାରେ କିଛି ନାହିଁ ଯେ, ବାହା ହୋଇ ଆସିବାର ବର୍ଷକ ପରଠାରୁ ପିଲାପିଲି ହେବା ନେଇ ନୂଆ ପ୍ରଶ୍ନ ଆରମ୍ଭ ହୋଇଯାଏ ଏବ˚ ଏ କ୍ଷେତ୍ରରେ ଦୁଇତିନିବର୍ଷ ବିଳମ୍ବ ସୁଦ୍ଧା କୌତୂହଳୀ ପ୍ରତିବେଶୀ ଓ ସ˚ପର୍କୀୟଙ୍କ ଲାଗି ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହୋଇପଡ଼େ। ଯେଉଁ ପରିବାରର ଆର୍ଥିକ ପରିସ୍ଥିତି ଯେତିକି ଖରାପ, ସେ ପରିବାରରେ ଏଭଳି କମ୍‌ ବୟସ ଝିଅର ବିବାହ ସମ୍ଭାବନା ସେତିକି ଅଧିକ। ତେଣୁ ଆଇନଗତ ବୟସ ବୃଦ୍ଧି ଏ ପ୍ରକାର ସମସ୍ୟାର ସଂପୂର୍ଣ୍ଣ ସମାଧାନ କରିପାରିବ ନାହିଁ। ଅନ୍ୟପକ୍ଷରେ, କମ୍‌ ବୟସର ବିବାହକୁ ରୋକିବା ଲାଗି ସରକାରଙ୍କ ନିକଟରେ ଆବଶ୍ୟକ ଭିତ୍ତିଭୂମି ଅବା ଏ ଖବର ଜାଣିବା ପାଇଁ ତଥ୍ୟ ହାସଲର ବ୍ୟବସ୍ଥା ନାହିଁ। ସେଥିପାଇଁ କେବଳ ପିତାମାତାଙ୍କ ଅନିଚ୍ଛାରେ ବାହା ହୋଇଯାଉଥିବା ଝିଅର ବାହାଘର ରୋକିବା ପାଇଁ ଏଇ ଆଇନର ଉପଯୋଗ ହେବା ଖବର ଆମେ ପାଉ, ଯାହା ଘଟୁଥିବା ବେଆଇନ ଘଟଣାର ଏକ ଅତ୍ୟନ୍ତ କ୍ଷୁଦ୍ର ଅ˚ଶ।

ଉଦାହରଣ ସ୍ବରୂପ ୨୦୧୯ରେ ଏ ପ୍ରକାର ମାତ୍ର ୭୫୩ଟି ମାମଲା ରୁଜୁ ହୋଇଥିଲା ଯେଉଁଠି ୧୮ ବର୍ଷରୁ କମ୍‌ ବୟସର ଝିଅଙ୍କୁ ବାହା କରାଇ ଦିଆଯାଉଥିଲା। ଏ ସବୁ କହିବାର ଉଦ୍ଦେଶ୍ୟ ଅବଶ୍ୟ ଏହା ନୁହେଁ ଯେ ଅଠରରୁ ୨୧ ବର୍ଷକୁ ବିବାହ ବୟସ ବଢ଼ାଇବା ନିଷ୍ପତ୍ତି କୌଣସି ସୁଫଳ ଆଣିବ ନାହିଁ। ବାସ୍ତବିକ ପୂର୍ବରୁ ଯେତେବେଳେ ଝିଅମାନଙ୍କର ବିବାହ ବୟସ ଅଠର ଥିଲା, ସେତେବେଳେ ପୁଅମାନଙ୍କର ଏକୋଇଶ ଥିଲା ଏବଂ ଏ ପ୍ରକାର ତାରତମ୍ୟର ହେତୁ ଆଦୌ ବୁଝାପଡୁ ନଥିଲା। କେହି କେହି କହିଥାଆନ୍ତି ଯେ ପୁଅମାନଙ୍କ ଅପେକ୍ଷା ଝିଅମାନେ କମ୍‌ ବୟସରେ ପରିପକ୍ବତା ଲାଭ କରିଥାଆନ୍ତି, ମାତ୍ର ଏହା ତଥ୍ୟ ଆଧାରିତ ନୁହେଁ। ବାସ୍ତବ କଥା ହେଉଛି, ଭାରତରେ ବିବାହ ପାଇଁ ପୁଅଟିଏ ନିମନ୍ତେ ଯେମିତି ଉପାର୍ଜନକ୍ଷମ ହେବାର ବାଧୢବାଧକତା ଥାଏ, ଝିଅଟିଏ କ୍ଷେତ୍ରରେ ସେପରି ସର୍ତ୍ତ ନଥାଏ। ଧରି ନିଆଯାଏ ଯେ ପତ୍ନୀର ଭରଣପୋଷଣ ପତିର ଦାୟିତ୍ବ। ଏ କଥାଟି ଝିଅ ପାଇଁ ଉଭୟ ଲାଭଦାୟକ ଏବ˚ ହାନିକାରକ। ନିଜେ ଉପାର୍ଜନକ୍ଷମ, ଶିକ୍ଷିତ ଏବ˚ ଆତ୍ମନିର୍ଭରଶୀଳ ହେବା କେତେ ଜରୁରୀ ତାହା ଏକବି˚ଶ ଶତାବ୍ଦୀର ଭାରତୀୟ ନାରୀ ଭଲ ଭାବେ ବୁଝିଲେଣି। ସେହି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କର ଏହି ଘୋଷଣା ଅଭିନନ୍ଦନୀୟ। ଏହାଦ୍ବାରା ଝିଅଟିଏ ନିଜର ସ୍ବାସ୍ଥ୍ୟ, ପାଠପଢ଼ା, କ୍ୟାରିୟର ଏବ˚ ଭବିଷ୍ୟତ କଥା ଚିନ୍ତା କରିବା ନିମନ୍ତେ ଅଧିକ ସମୟ ପାଇବ। ବାଳିକା ବଧୂର ନିର୍ଯାତନା କିମ୍ବା କିଶୋରୀ ମାଆର ଅସହାୟତା, ନବଜାତର ଅକାଳ ମରଣ ଆଦି ସମସ୍ୟା ଭିତରେ ନାରୀଟିର ଜୀବନ-ଯୌବନ ନଷ୍ଟ ହେବ ନାହିଁ। ମାତ୍ର ଏହି ଆଇନଗତ ବ୍ୟବସ୍ଥା ଯଥେଷ୍ଟ ନୁହେଁ। ଏଥି ନିମନ୍ତେ ନାରୀର ଆର୍ଥିକ ଉନ୍ନତି ସର୍ବାଦୌ ଲୋଡ଼ା। ଏକ ହିସାବ ଅନୁଯାୟୀ ସ୍ବଚ୍ଛଳ ପରିବାରର ଶତକଡ଼ା ଦଶ ଭାଗ ଝିଅ କମ୍‌ ବୟସରେ ବାହାହେଉଥିବାବେଳେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଝିଅମାନଙ୍କ କ୍ଷେତ୍ରରେ ଏହା ଶତକଡ଼ା ପଞ୍ଚଚାଳିଶ। ଭାରତରେ ଯେ ମାତୃ ମୃତ୍ୟୁହାର ଆଜି ମଧୢ ଏକଲକ୍ଷରେ ୧୨୨ଟି ରହିଛି, ଏ ପ୍ରକାର ଦୁର୍ଭାଗ୍ୟ ଲାଗି କମ୍‌ ବୟସ୍କ, ପୁଷ୍ଟିହୀନତା ଓ ଗରିବ ଝିଅଙ୍କର ସମୟ ପୂର୍ବରୁ ମାତୃତ୍ବ ଦାୟୀ। ଏ ସବୁ ପାଇଁ ଏକ ବୃହତ୍ତର ଯୋଜନା ଆବଶ୍ୟକ ଯାହାର ପ୍ରଥମ ଲକ୍ଷ୍ୟ ଦାରିଦ୍ର୍ୟ ଦୂରୀକରଣ, ନାରୀ ଶିକ୍ଷା, ମାତୃତ୍ବ ନେଇ ସଚେତନତା ସୃଷ୍ଟି ସହ ନାରୀର ଶିକ୍ଷା, ନିଯୁକ୍ତି ଓ ବିକାଶ ନିମନ୍ତେ ଦୃଢ଼ ଭିତ୍ତିଭୂମି ନିର୍ମାଣ ହେବା ଆବଶ୍ୟକ। ଏହାଠାରୁ ବଡ଼ ଜରୁରୀ ସାମୂହିକ ମାନସିକତାର ପରିବର୍ତ୍ତନ। ଆଜି ମଧୢ ଝିଅଟିଏକୁ ପରିବାରରେ ଏକ ବୋଝ ବୋଲି ମନେ କରାଯାଉଛି ଏବ˚ ଏହି କାରଣରୁ ଭ୍ରୂଣରୁ ନେଇ ମରଣ ପର୍ଯ୍ୟନ୍ତ ପ୍ରତି କ୍ଷେତ୍ରରେ ନାରୀକୁ ପାତରଅନ୍ତରର ଶିକାର ହେବାକୁ ପଡୁଛି।

ନିର୍ମଳା ସୀତାରମଣଙ୍କ ଆଗ୍ରହ ଏବ˚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଉଦ୍ୟମକୁ ଅଭିନନ୍ଦନ ଜଣାଇବାବେଳେ ଭାରତବାସୀମାନେ ସେହି ଦିନଟିକୁ ଅବଶ୍ୟ ଅପେକ୍ଷା କରନ୍ତି, ଯେଉଁଦିନ ଅସହାୟା ନାରୀର- ସେ କନ୍ୟା ହେଉ କି ପତ୍ନୀ କିମ୍ବା ଜନନୀ, କରୁଣ ଚିତ୍କାର ଆମ୍ଭମାନଙ୍କୁ ବିଚଳିତ କରିବ ନାହିଁ ଏବ˚ ସୁଖର କଥା, ଏ ଦିଗରେ ସରକାର ଆନ୍ତରିକତା ପ୍ରଦର୍ଶନ କରିବା ଅନୁଭୂତ ହେଉଅଛି।

ସମ୍ବନ୍ଧିତ ଖବର