ବର୍ତ୍ତମାନ ଏହା ସ୍ପଷ୍ଟ ହେଲାଣି ଯେ ସହଜରେ କିମ୍ବା ଶୀଘ୍ର ଅବସାନ ଘଟାଇବା ପାଇଁ ଚୀନ୍‌ ଭାରତ ସହିତ ବର୍ତ୍ତମାନର କନ୍ଦଳ ଆରମ୍ଭ କରିନାହିଁ। ଦୁଇ ପକ୍ଷ ମଧ୍ୟରେ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନର କୌଣସି ଲକ୍ଷଣ ଦେଖା ଯାଉ ନଥିବା ବେଳେ ଭାରତ ବୁଝି ଯିବା ଭଳି ମନେ ହେଉଛି ‘ଲାତୋଁକେ ଭୂତ୍‌ ବାତୋଁସେ ନେହିଁ ମାନ୍‌ତେ।’ ଏହାର ଏକ ପ୍ରମାଣ ଦେଖିବାକୁ ମିଳିଛି ଗତ ସପ୍ତାହରେ ଯେତେବେଳେ ଭାରତ ଚୀନ୍‌ର ଏପରି ଏକ ସ୍ଥାନକୁ ଲକ୍ଷ୍ୟ କରି ଲାତ ମାରିଛି ଯାହା ତାର ସର୍ବାଧିକ ସ୍ପର୍ଶକାତର ଅଞ୍ଚଳ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଅଞ୍ଚଳଟି ଜଣାଶୁଣା ଭାବେ ହେଉଛି ତିବ୍ବତ।

Advertisment

୧୯୫୦ ଦଶକରେ ତିବ୍ବତକୁ ବଳପୂର୍ବକ ଦଖଲ କରିବା ପରଠାରୁ କେହି ବି କେଉଁଠି ଯଦି ତିବ୍ବତ ବା ତିବ୍ବତୀୟଙ୍କୁ ସ୍ବତନ୍ତ୍ର ମର୍ଯ୍ୟାଦା ପ୍ରଦାନ କଲା ଭଳି କିଛି କାର୍ଯ୍ୟ କରେ, ଚୀନ୍‌ ତା ବିରୋଧରେ ତତ୍‌କ୍ଷଣାତ୍‌ ଭୀଷଣ ପ୍ରତିକ୍ରିୟା ପ୍ରକାଶ କରି ଆସିଛି। ଚୀନ୍‌ର ଦଖଲ ପରେ ନିଜର ବହୁସ˚ଖ୍ୟକ ଅନୁଗାମୀମାନଙ୍କ ସହିତ ପଳାଇ ଆସି ଭାରତରେ ଆଶ୍ରୟ ନେଇଥିବା ତିବ୍ବତୀୟମାନଙ୍କର ସର୍ବମାନ୍ୟ ଆଧୢାତ୍ମିକ ତଥା ଜାଗତିକ ନେତା ଦଲାଇ ଲାମାଙ୍କ ସହିତ ଯେତେବେଳେ କୌଣସି ରାଷ୍ଟ୍ର ବା ଅନୁଷ୍ଠାନ ବିଧିବଦ୍ଧ ସମ୍ପର୍କ ସ୍ଥାପନ କରେ କିମ୍ବା ତାଙ୍କୁ ସମ୍ମାନିତ କରେ, ଚୀନ୍‌ ସେତେବେଳେ ତା’ ବିରୋଧରେ ବିଷୋଦ୍‌ଗାର କରିବାରେ ଆଦୌ ହେଳା କରିନଥାଏ। ଏହି ପରିପ୍ରେକ୍ଷୀରେ ଗତ ସପ୍ତାହ ସୋମବାର ଭାରତ ଯେଉଁ ଏକ ପଦକ୍ଷେପ ନେବା ଦେଖାଯାଇଛି, ତାହା ଭାରତ ପାଇଁ ଯେଉଁଭଳି ଅଭୂତପୂର୍ବ, ଚୀନ୍‌ ପାଇଁ ସେଇଭଳି ଯନ୍ତ୍ରଣାଦାୟକ ହୋଇଥିବା ନିଶ୍ଚିତ।

ଏହି ସମଗ୍ର ଘଟଣାର କେନ୍ଦ୍ରବିନ୍ଦୁରେ ଅଛନ୍ତି ଜଣେ ପରଲୋକଗତ ତିବ୍ବତୀୟ, ଯାହାଙ୍କର ନାମ ହେଲା- ନିମା ତେନ୍‌ଜିନ୍‌। ସେ ଥିଲେ ଏକଦା ଗୋପନୀୟ ଥିବା ଭାରତର ‘ସ୍ପେସାଲ୍‌ ଫ୍ରଣ୍ଟିଅର‌୍‌ ଫୋର୍ସ’ ଲଢ଼ୁଆ ବାହିନୀର ଜଣେ ସୈନିକ। ବର୍ତ୍ତମାନ ଯାହା ସୁବିଦିତ, ଅଗଷ୍ଟ ୨୯ରେ ଚୀନା ସେନା ଲାଦାଖ୍‌ର ପାଙ୍ଗଙ୍ଗ୍‌ ସୋ ହ୍ରଦ ଅଞ୍ଚଳରେ ଅନୁପ୍ରବେଶ କଲା ପରେ ଭାରତୀୟ ସେନା ଆଗୁଆ ପଦକ୍ଷେପ ନେଇ ସେଠାରେ ପାଞ୍ଚଟି ପାହାଡ଼ ଶିଖର ନିଜ ଦଖଲକୁ ନେଇ ଆସ୍ଥାନ ଜମାଇ ବସି ଚୀନା ସେନାକୁ ଅଡ଼ୁଆରେ ପକାଇ ଦେଇଛି। ଏହି କାର୍ଯ୍ୟାନୁଷ୍ଠାନରେ ସକ୍ରିୟ ଭୂମିକା ଗ୍ରହଣ କରିବା ସମୟରେ ଏକ ପୁରୁଣା ଲ୍ୟାଣ୍ତ୍‌ମାଇନ୍‌ ଉପରେ ପାଦ ପଡ଼ିଯିବାରୁ ବିସ୍ଫୋରଣ ଘଟି ନିମା ତେନ୍‌ଜିନ୍‌ଙ୍କର ମୃତ୍ୟୁ ଘଟିଥିଲା। ସୋମବାର ଦିନ ଲେହ୍‌ଠାରେ ନିମା ତେନ୍‌ଜିନ୍‌ଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବା ସମୟରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଥିଲା ତାହା ଚୀନ୍‌ ଶରୀରରେ କଣ୍ଟା ଭଳି ଗଳି ଯାଇଥିବ।

ନିମାଙ୍କ କଫିନ୍‌ ଆବୃତ ହୋଇଥିଲା ଯେଉଁ ଦୁଇ ପତାକା ଦ୍ବାରା, ତାହା ହେଲା ଭାରତର ଜାତୀୟ ପତାକା ଓ ତିବ୍ବତର ପତାକା। ସେ ଶେଷକୃତ୍ୟ ଉତ୍ସବରେ ଯେଉଁମାନେ ଉପସ୍ଥିତ ଥିଲେ, ସେମାନଙ୍କ ମଧୢରେ ଥିଲେ ଖୋଦ୍‌ ଦଲାଇ ଲାମା, ଭାରତରେ ବସବାସ କରୁଥିବା ତିବ୍ବତୀୟ ସମ୍ପ୍ରଦାୟର ସଦସ୍ୟମାନେ ଏବ˚ ଭାରତୀୟ ସେନାବାହିନୀର ପ୍ରତିନିଧିମାନେ। ଚୀନ୍‌କୁ ଆଘାତ ଦେବା ପାଇଁ ଏତିକି ଯେମିତି ଯଥେଷ୍ଟ ନଥିଲା, ସେ ଉତ୍ସବରେ ଉପସ୍ଥିତ ଥିବା ଦେଖା ଯାଇଥିଲା ଭାରତରେ ଶାସନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ ତଥା ଛାମୁହାଁ ନେତା ରାମ ମାଧବ। ଶାସକ ଦଳର ଏଭଳି ଜଣେ ତୁଙ୍ଗ ନେତାଙ୍କ ଉପସ୍ଥିତିରେ ସେଠାରେ ଉଭୟ ଭାରତମାତା ଓ ତିବ୍ବତର ଜୟ ଜୟକାର କରି ଗଗନ ପବନକୁ ପ୍ରକମ୍ପିତ କରିଥିବା ସ୍ଲୋଗାନ୍‌ ଚୀନାମାନଙ୍କ ପାଇଁ କେବଳ ଯେ ଦୃଷ୍ଟିକଟୁ ଓ ଶ୍ରୁତିକଟୁ ହୋଇଥିବ, ତାହା ନୁହେଁ, ଏହା ଏକ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଆଘାତ ସଦୃଶ ହୋଇଥିବ। ତିବ୍ବତ ପ୍ରତି ଚୀନ୍‌ ପାରମ୍ପରିକ ଭାବରେ ଯେଉଁଭଳି ଆଭିମୁଖ୍ୟ ଗ୍ରହଣ କରିଆସିଛି ଏହି ଘଟଣା ଦ୍ବାରା ଭାରତ ଖୋଲାଖୋଲି ଭାବରେ ତାହାକୁ ଆହ୍ବାନ ଦେଇଛି ବୋଲି କହିଲେ କିଛି ଭୁଲ୍‌ ହେବ ନାହିଁ।

ତିବ୍ବତ ପ୍ରଶ୍ନର ସମାଧାନ ପାଇଁ ୧୯୧୪ରେ ବ୍ରିଟେନ୍‌, ଚୀନ୍‌ ଓ ତିବ୍ବତ ମଧୢରେ ସିମଳାଠାରେ ଆଲୋଚନା ହୋଇ ଯେଉଁ ରାଜିନାମା ପ୍ରସ୍ତୁତ ହୋଇଥିଲା ସେତେବେଳେ ମଧୢ ଚୀନ୍‌ ତିବ୍ବତ ଉପରୁ ତା’ର ଲୋଲୁପ ଦୃଷ୍ଟି ହଟାଇବା ପରିବର୍ତ୍ତେ ରାଜିନାମାରେ ଅନ୍ତିମ ସ୍ବୀକୃତି ପ୍ରଦାନ କରି ନ ଥିଲା। ହେନ୍‌ରି ମାକ୍‌ମୋହନ୍‌ (ଚୀନ୍‌-ଭାରତ ସୀମାରେଖା ଯାହାଙ୍କ ନାମରେ ନାମିତ)ଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ଏହି ତ୍ରିପାକ୍ଷିକ ସମ୍ମିଳନୀରେ ପ୍ରସ୍ତୁତ ହୋଇଥିବା ରାଜିନାମା ଖସଡ଼ାରେ କୁହାଯାଇଥିଲା ଯେ ଚୀନ୍‌ ସରକାର କେବେହେଲେ ତିବ୍ବତକୁ ଚୀନ୍‌ର ଏକ ପ୍ରଦେଶରେ ପରିଣତ କରିବାକୁ ଚେଷ୍ଟା କରିବ ନାହିଁ କିମ୍ବା ବ୍ରିଟେନ୍‌ ମଧୢ (ସେତେବେଳେ ଭାରତ ବ୍ରିଟିସ୍‌ ସାମ୍ରାଜ୍ୟର ଅ˚ଶ ଥିଲା) ତିବ୍ବତ କିମ୍ବା ତିବ୍ବତର କୌଣସି ଅ˚ଶକୁ ନିଜ ସାମ୍ରାଜ୍ୟରେ ମିଶାଇବାକୁ ଉଦ୍ୟମ କରିବ ନାହିଁ। ସେଥିରେ ମଧୢ କୁହାଯାଇଥିଲା ଯେ ତିବ୍ବତରେ ସର୍ବୋଚ୍ଚ ଧର୍ମଗୁରୁ ଦଲାଇ ଲାମାଙ୍କ ଚୟନରେ ଚୀନ୍‌ କୌଣସି ପ୍ରକାର ହସ୍ତକ୍ଷେପ କରିବ ନାହିଁ।

ସମ୍ମିଳନୀରେ ଯୋଗ ଦେଇଥିବା ଚୀନ୍‌ର ପ୍ରତିନିଧି ପ୍ରଥମେ ଏହି ରାଜିନାମା ଖସଡ଼ାରେ ସ୍ବାକ୍ଷର କରିଥିଲେ, କିନ୍ତୁ ଶେଷରେ ଏହାକୁ ବିଧିବଦ୍ଧ ସ୍ବୀକୃତି ପ୍ରଦାନ କରି ନ ଥିଲେ। ଏଥିରେ ଅବଶ୍ୟ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କାରଣ ଚୀନା ପରମ୍ପରା ଅନୁସାରେ ଯେଉଁସବୁ ଅଞ୍ଚଳକୁ ସେମାନେ ଚୀନ୍‌ର ‘ନୈସର୍ଗିକ’ ଇଲାକାର ଅ˚ଶ ରୂପେ ବିଚାର କରନ୍ତି, ତା’ଉପରୁ ନିଜର ଦାବି ପ୍ରତ୍ୟାହାର କରିବାକୁ ସେମାନେ କେବେହେଲେ ପ୍ରସ୍ତୁତ ହୁଅନ୍ତି ନାହିଁ। ଏହି ନିୟମ ଅନୁଯାୟୀ ଚୀନ୍‌ ତାର ପ୍ରାୟ ପ୍ରତ୍ୟେକ ପଡେ଼ାଶୀ ଦେଶର ଖଣ୍ତେ ଖଣ୍ତେ ଅଞ୍ଚଳ ଉପରେ ନିଜର ଦାବି ଜାହିର କରିବା ଦେଖାଯାଇଥାଏ। ଏହାକୁ ହିଁ ଅନୁସରଣ କରି ଚୀନ୍‌ ଶେଷରେ କିପରି ୧୯୫୦ରେ ତିବ୍ବତ ଆକ୍ରମଣ କରି ଦଖଲ କରିନେଲା ଓ ନେହରୁଙ୍କ ଭାରତ ସମେତ ବାକି ବିଶ୍ବ କିପରି କେବଳ ଏକ ନିରବ ଦର୍ଶକ ହୋଇ ରହିଗଲା, ତାହା ଏଇମାତ୍ର ନିକଟ ଅତୀତର ଇତିହାସର ଅ˚ଶ।

ଏହି ନଗ୍ନ ଆକ୍ରମଣ ଓ ତିବ୍ବତୀୟମାନଙ୍କ ଦମନ ପାଇଁ ବିଶ୍ବ ସମୁଦାୟ ଚୀନ୍‌କୁ ଦାୟୀ କରି ଶାସ୍ତି ଦେବା ପରିବର୍ତ୍ତେ ତାହା ଏକ ଏକଛତ୍ରବାଦୀ ମାନବାଧିକାର ଉଲ୍ଲ˚ଘନକାରୀ କମ୍ୟୁନିଷ୍ଟ ଦେଶ ହୋଇଥିଲେ ହେଁ, ସ˚କୀର୍ଣ୍ଣ ଅର୍ଥନୈତିକ ଲାଭ ଆଶାରେ ଚୀନ୍‌ ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରିବା ଦେଖା ଯାଇଛି। ଅପର ପକ୍ଷେ ଭାରତ ଦଲାଇ ଲାମା ଓ ତାଙ୍କର ଅନୁଗାମୀମାନଙ୍କୁ ଏ ଦେଶରେ ଆଶ୍ରୟ ପ୍ରଦାନ କରି ଓ ସକ୍ରିୟ ରହିବାକୁ ଅନୁମତି ପ୍ରଦାନ କରି ତିବ୍ବତୀୟ ସ୍ବାଧୀନତା ଓ ସ˚ସ୍କୃତିକୁ ରକ୍ଷା କରିବା ପାଇଁ ସର୍ବାଧିକ ଆନ୍ତରିକତା ଓ ନୈତିକ ସହାୟତା ପ୍ରଦର୍ଶନ କରିଛି।

ଦୀର୍ଘ ଅର୍ଧଶତାବ୍ଦୀରୁ ଅଧିକ କାଳ ଧରି ଭାରତର ଆତିଥେୟତା ଉପଭୋଗ କରି ଆସୁଥିବା ତିବ୍ବତୀୟମାନେ ଯେ ଅକୃତଜ୍ଞ ନୁହନ୍ତି ଏବ˚ ଭାରତକୁ ଏହାର ପ୍ରତିଦାନ ଦେବା ପାଇଁ ତତ୍ପର, ତାହାର ଏକ ବଳିଷ୍ଠ ପ୍ରମାଣ ହେଉଛି ନିମା ତେନ୍‌ଜିନ୍‌ଙ୍କ ଉପରୋକ୍ତ ‘ସ୍ପେସାଲ୍‌ ଫ୍ରଣ୍ଟିଅର‌୍‌ ଫୋର୍ସ’ ବା ‘ଏସ୍‌ଏଫ୍‌ଏଫ୍‌’। ମୁଖ୍ୟତଃ ତିବ୍ବତୀୟ ଶରଣାର୍ଥୀମାନଙ୍କୁ ନେଇ ଗଠିତ ଏହି ସାମରିକ ବାହିନୀ ଜନ୍ମଲାଭ କରିଥିଲା ୧୯୬୦ ଦଶକରେ ଏବ˚ ଏହାର ଦୁର୍ଦ୍ଧର୍ଷ ତିବ୍ବତୀୟ ସୈନ୍ୟମାନେ ଭାରତ ପାଇଁ ୧୯୭୧ ଯୁଦ୍ଧରେ ପାକିସ୍ତାନ ବିରୋଧରେ ମଧୢ ଲଢ଼ିଥିଲେ। ଏକ ସୂତ୍ରରୁ ପ୍ରକାଶ ପ୍ରାୟ ୫,୦୦୦ ସରିକି ସଦସ୍ୟ ବିଶିଷ୍ଟ ଏହି ବିଶେଷ ସୈନିକ ଗୋଷ୍ଠୀର ପରିକଳ୍ପନା ପଛରେ ଆମେରିକାର ସୁପରିଚିତ ଗୁଇନ୍ଦା ସ˚ସ୍ଥା ‘ସିଆଇଏ’ର ସାହାଯ୍ୟ ଓ ସହଯୋଗ ନିହିତ ଥିଲା। ଏହି ସୈନ୍ୟମାନେ ତିବ୍ବତୀୟ ମୂଳର ହୋଇଥିବାରୁ ହିମାଳୟର ପାହାଡ଼ିଆ ଉଚ୍ଚଭୂମିରେ ସେମାନେ ଯୁଦ୍ଧ କରିବା ପାଇଁ ଆବଶ୍ୟକ ଶାରୀରିକ କ୍ଷମତା ସ୍ବାଭାବିକ ଭାବରେ ବହନ କରିଥାନ୍ତି। ସେମାନଙ୍କର ଏହି ସାମରିକ ଦକ୍ଷତାର ପରାଭବ ଏବେ ଚୀନ୍‌କୁ ଅନୁଭବ କରିବାକୁ ପଡ଼ିଛି। ସେତିକି ନୁହେଁ, ସେମାନେ ମଧୢ ମଙ୍ଗୋଲୀୟ ଚେହେରା ସମ୍ପନ୍ନ ହୋଇଥିବାରୁ, ସୀମା ଅତିକ୍ରମ କରି ଗୋପନୀୟ ତଥ୍ୟ ସ˚ଗ୍ରହ କରି ସେମାନେ ଭାରତୀୟ ସେନାବାହିନୀ ପାଇଁ ଅମୂଲ୍ୟ ସାବ୍ୟସ୍ତ ହୋଇଛନ୍ତି। ଭାରତ ବର୍ତ୍ତମାନ ଏହା ପରେ ତିବ୍ବତୀୟମାନଙ୍କ ଋଣ ପରିଶୋଧ ପାଇଁ ତିବ୍ବତ ପ୍ରଶ୍ନକୁ ପୁନରୁଜ୍ଜୀବିତ କରି ସେମାନଙ୍କର ସ୍ବାଧୀନତା ସ୍ବପ୍ନକୁ ସାକାର କରିବାକୁ ଉଦ୍ୟମ କରିବା ଉଚିତ।