ସତ୍ୟ ଉଦ୍‌ଘାଟନ

ଏକଦା ମୁଲ୍ଲା ନସିରୁଦ୍ଦିନ ଏକ ଅଦାଲତରେ ବିଚାରପତି ଥିବା ସମୟରେ ଗୋଟିଏ ପକ୍ଷର ଓକିଲଙ୍କ କଥା ଶୁଣି ‘ତୁମେ ଯାହା କହୁଛ, ସବୁ ସତ’ ବୋଲି କହନ୍ତେ ପ୍ରତିପକ୍ଷର ଓକିଲ ତା’ର ପ୍ରତିବାଦ କରି ଆପଣା ପକ୍ଷ ରଖିଲେ। ଏହା ଶୁଣି ମୁଲ୍ଲା ସମ ପରିମାଣ ଆଗ୍ରହର ସହିତ କହି ପକାଇଥିଲେ- ‘ଆରେ, ତୁମେ ଯାହା କହୁଛ, ତାହା ମଧ୍ୟ ସତ! କିନ୍ତୁ , ପରସ୍ପର ବିରୋଧୀ ଓକିଲ ଉପସ୍ଥାପନ କରିଥିବା ଦୁଇଟି ଯାକ କଥା କିଭଳି ସତ ହେବ ବୋଲି ଜଣେ କେହି ମୁଲ୍ଲାଙ୍କୁ ଚେତାଇ ଦିଅନ୍ତେ, ମୁଲ୍ଲା କୁଆଡ଼େ ସ୍ୱଭାବସୁଲଭ ଢଙ୍ଗରେ କହି ଉଠିଥିଲେ- ତୁମେ ଯାହା କହୁଛ, ତାହା ମଧ୍ୟ ସତ। ଏହି ଚଟୁଳ ଉଦାହରଣ ଆଧାରରେ ଯଦି କୁହାଯାଏ ଯେ ଅଧିକାଂଶ ସମୟରେ ଆମ ସମ୍ମୁଖରେ ସତ୍ୟ ରୂପେ ଅତ୍ୟନ୍ତ ହୃଦ୍‌ବୋଧ ହେଲା ଭଳି ଯାହା ପରିବେଷଣ କରାଯାଇଥାଏ, ତାହା ହୁଏ’ତ ସର୍ବଦା ସତ୍ୟ ହୋଇ ନ ପାରେ, ତେବେ ତାହା ଅତିଶୟୋକ୍ତି ହେବ ନାହିଁ। ସେହି ଦୃଷ୍ଟିରୁ ନିଜକୁ ଜାତୀୟ ଟେଲିଭିଜନ ଚ୍ୟାନେଲ ଭାବେ ଅଭିହିତ କରୁଥିବା କେତେକ ଅତ୍ୟନ୍ତ ଲୋକପ୍ରିୟ ହିନ୍ଦୀ ଓ ଇଂରେଜୀ ନ୍ୟୁଜ୍ ଚ୍ୟା‌େନଲ ଗଲା ଛଅ ମାସରୁ ଅଧିକ କାଳ ଧରି ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ୱାଭାବିକ ମୃତ୍ୟୁ ପଛରେ ଥିବା ‘ପ୍ରକୃତ ସତ୍ୟ’ଟିକୁ ଉଦ୍‌ଘାଟନ କରିବା ଲାଗି କରିଚାଲିଥିବା ଗଳଦ୍‌ଘର୍ମ ଉଦ୍ୟମର ପ୍ରକ୍ରିୟାରେ ଯାହା ସୃଷ୍ଟି ହୋଇଛି, ତାହା ହେଲା ଉପରେ ବର୍ଣ୍ଣିତ ହୋଇଥିବା ଭଳି ଅନେକ ‘ତଥାକଥିତ ସତ୍ୟ’ର ଏକ ନିଘଞ୍ଚ ଜଙ୍ଗଲ, ଯହିଁରେ ହୁଏ’ତ ପ୍ରକୃତ ସତ୍ୟର ପତ୍ତା ମିଳିବା କଷ୍ଟକର ହୋଇପାରେ। ସର୍ବପ୍ରଥମେ ଏକ ଆତ୍ମହତ୍ୟା ଭଳି ପ୍ରତୀତ ହେଉଥିବା ଏହି ଘଟଣା ଯାହା ପଛରେ ଏକ କାରଣ ଭାବେ ସୁଶାନ୍ତ ସିଂହଙ୍କ ଭଳି ପ୍ରତିଭାସଂପନ୍ନ ବହିରାଗତଙ୍କ ପ୍ରତି ବଲିଉଡ୍‌ରେ ପ୍ରଦର୍ଶନ କରାଯାଇଥିବା ବିଦ୍ବେଷମୂଳକ ଆଭିମୁଖ୍ୟ ଓ ତଜ୍ଜନିତ ସେ ଭୋଗ କରୁଥିବା ଗଭୀର ମାନସିକ ଅବସାଦ ରହିଛି ବୋଲି ଏହି ଟିଭି ଚ୍ୟାନେଲଗୁଡ଼ିକ ଅକ୍ଳାନ୍ତ ପ୍ରଚାର କରିବା ପରେ ହଠାତ୍‌ ତହିଁରେ ଏକ ମୋଡ଼ର ଆବିର୍ଭାବ ଘଟି ଘଟଣାଟି ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଏବଂ ତା’ ପଛରେ ପ୍ରେମ, ଲୋଭ, ପ୍ରତାରଣା ଇତ୍ୟାଦି ଭଳି କାରଣ ରହିଥିବା ସଂପର୍କିତ ସମ୍ବାଦମାନ ଆସି ଏହି ଘଟଣାକୁ ଏଭଳି ଏକ ଧୂମ ପଟଳ ଦ୍ୱାରା ଆଚ୍ଛାଦନ କରି ଦେଲାଣି ଯେ ଏ ସମଗ୍ର ଘଟଣାକ୍ରମକୁ ମନଯୋଗ ସହିତ ଅନୁସରଣ କରୁଥିବା ଅସଂଖ୍ୟ ଦର୍ଶକ ମଧ୍ୟ ଏବେ ମୁଲ୍ଲା ନସିରୁଦ୍ଦିନଙ୍କ ସ୍ଥିତିରେ; ଯେଉଁଠି ଏକାଧିକ ଓ ପରସ୍ପରକୁ ବିରୋଧ କରୁଥିବା ସତ୍ୟ ମଧ୍ୟ ପ୍ରକୃତ ସତ୍ୟ ଭଳି ବୋଧ ହେଉଛି।

ବର୍ତ୍ତମାନ ଏହି ଘଟଣାର ଅନୁସନ୍ଧାନ ପ୍ରକରଣରେ ପୁଲିସ, ଅଦାଲତ, ଇ.ଡି., ଏନ୍‌ସିବି, ସିବିଆଇ ଭଳି ଅଗ୍ରଣୀ ରାଷ୍ଟ୍ରୀୟ ଅନୁଷ୍ଠାନଗୁଡ଼ିକ ସଂପୃକ୍ତ ହୋଇପଡ଼ିଛନ୍ତି। ଗଲା କିଛି ମାସ ଧରି ଏହି ମାମଲାକୁ ପ୍ରମୁଖ ଉପଜୀବ୍ୟ କରି ଆସିଥିବା ଟିଭି ଚ୍ୟାନେଲଗୁଡ଼ିକ ଘଟଣାଟିର ପ୍ରତିଟି ଖିଅରୁ ନୂଆ ନୂଆ ଧଡ଼ି ବୁଣିବାର ପ୍ରୟାସ କରିଛନ୍ତି ଏବଂ ଅନେକାଂଶରେ ସେ ସବୁକୁ ଗ୍ରହଣଯୋଗ୍ୟ କରାଇବାରେ ସଫଳ ମଧ୍ୟ ହୋଇଛନ୍ତି। କେବଳ ସେତିକି ନୁହେଁ, ଏଭଳି ଆଗ୍ରହାତିଶଯ୍ୟରେ କିଛି ଟିଭି ଚ୍ୟାନେଲ ପରସ୍ପର ବିରୋଧୀ ହୋଇ ଏକ ସଂଘାତମୂଳକ ସ୍ଥିତିରେ ମଧ୍ୟ ପହଞ୍ଚିଲେଣି। ତେବେ, ଚ୍ୟାନେଲଗୁଡ଼ିକ ପ୍ରଦର୍ଶନ କରୁଥିବା ଏଭଳି ମାତ୍ରାଧିକ ଆଗ୍ରହାତିଶଯ୍ୟର କାରଣ କ’ଣ?

ଏହି ପରିପ୍ରେକ୍ଷୀରେ ବିଚାର କଲେ ଆଉ ଯେଉଁ ଏକ ସତ୍ୟ ଉନ୍ମୋଚିତ ହୋଇଥାଏ, ତାହା ହେଲା କୌଣସିମତେ ଏକ ଚୁମ୍ବକୀୟ ଆକର୍ଷଣ ସୃଷ୍ଟି କରି ଦର୍ଶକମାନଙ୍କୁ ଏହି ଘଟଣା ସହିତ ବାନ୍ଧି ରଖିବା; ଯେଉଁଥି ଲାଗି ଏତେ ପ୍ରକାର ଚକ୍ରାନ୍ତ ‘ଥିଓରି’ର ଆବିଷ୍କାର କରିବା ହୁଏ’ତ ଜରୁରୀ ହୋଇପଡ଼ିଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଦର୍ଶକଙ୍କ ପସନ୍ଦ ଆଧାରିତ ‘ଟିଆର୍‌ପି’ ତାଲିକାରେ ଚ୍ୟାନେଲର ସ୍ଥାନକୁ ଉପରକୁ ନେବା, ଯାହା ସେହି ଚ୍ୟାନେଲ ଲାଗି ବିଜ୍ଞାପନର ସ୍ରୋତ ପ୍ରବାହିତ କରିବ। କାରଣ ଆମ ଦେଶରେ କୌଣସି ଟିଭି ଚ୍ୟାନେଲ ଲାଗି ଉପାର୍ଜନର ପ୍ରମୁଖ ମାଧ୍ୟମ ହେଉଛି ବିଜ୍ଞାପନରୁ ସଂଗୃହୀତ ରାଜସ୍ୱ। ତେଣୁ କହିବା ବାହୁଲ୍ୟ ଯେ ଅନେକ ସମୟରେ ଆମ ଟିଭି ଚ୍ୟାନେଲଗୁଡ଼ିକ ‘ଟିଆର୍‌ପି’ ତାଲିକାରେ ଉଚ୍ଚରେ ରହିବା ଲାଗି ସେଠାରେ କାର୍ଯ୍ୟରତ ବିଶ୍ୱସ୍ତରୀୟ ପ୍ରତିଭା-ସଂପନ୍ନ ମାନବ ସମ୍ବଳ ସତ୍ତ୍ବେ ଆପଣା ‘ବୁଦ୍ଧିମାନୀକୁ ଅପମାନ’ କଲା ଭଳି ‘ଚାଲୁ’ କାର୍ଯ୍ୟକ୍ରମମାନ ପ୍ରସ୍ତୁତ ଓ ପ୍ରସାରଣ କରିବାକୁ ବାଧ୍ୟ ହୋଇଥାଆନ୍ତି। ‘କୋଆନ୍‌ ଆଡଭାଇଜରି’ ନାମକ ଏକ ଅନୁଧ୍ୟାନକାରୀ ସଂସ୍ଥା ଦ୍ୱାରା କରାଯାଇଥିବା ଏକ ସବେର୍କ୍ଷଣ କହିଥାଏ ଯେ ଭାରତରେ ଟେଲିଭିଜନ ଚ୍ୟାନେଲଗୁଡ଼ିକର ଉପାର୍ଜନର ୭୦% ଆସିଥାଏ ବିଜ୍ଞାପନ ସୂତ୍ରରୁ। ଏଥିରୁ ଏକ ଧାରଣା କରାଯାଇପାରେ ଯେ ଟିଭି ଚ୍ୟାନେଲଗୁଡ଼ିକ ବିଜ୍ଞାପନ ଉପରେ କିଭଳି ନିର୍ଭରଶୀଳ।

ତେବେ ଏହି ସ୍ଥିତିକୁ ଅନୁଧ୍ୟାନ କଲେ ଆଉ ଯେଉଁ ଗୋଟିଏ ପ୍ରସ୍ଥ ସତ୍ୟ ଉଦ୍‌ଘାଟିତ ହୋଇଥାଏ, ତାହା ହେଲା ‘ଟେଲିକମ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ ବା ‘ଟ୍ରାଇ’ର ବିଭିନ୍ନ ପ୍ରକାର କଟକଣା, ଆଭିମୁଖ୍ୟ ଏବଂ ଅଯଥା ହସ୍ତକ୍ଷେପ ଏଥିଲାଗି ଦାୟୀ। ୨୦୧୭ରେ ‘ନିଉ ରେଗୁଲେଟରି ଫ୍ରେମ୍‌ୱାର୍କ‌୍’ ବା ‘ଏନ୍‌ଆରଏଫ୍‌’ ନାମରେ ‘ଟ୍ରାଇ’ ଦ୍ୱାରା ଅଣାଯାଇଥିବା ନିୟମ ଓ ନିୟନ୍ତ୍ରଣ ବ୍ୟବସ୍ଥା ବିଭିନ୍ନ ସମୟରେ ‘ଡିଟିଏଚ୍‌’ ସଂସ୍ଥା ଏବଂ ଟେଲିଭିଜନ ଚ୍ୟାନେଲଗୁଡ଼ିକର ବିକାଶରେ ପ୍ରତିବନ୍ଧ ସାବ୍ୟସ୍ତ ହୋଇଛି। ଅନ୍ୟାନ୍ୟ ଅନେକ ବ୍ୟବସ୍ଥା ମଧ୍ୟରୁ ‘ଟ୍ରାଇ’ର ଯେଉଁ ଗୋଟିଏ ବ୍ୟବସ୍ଥା ‘ଡିଟିଏଚ୍‌’ କଂପାନି ଏବଂ ଚ୍ୟାନେଲଗୁଡ଼ିକୁ ସର୍ବାଧିକ ପ୍ରଭାବିତ କରିଛି ତାହା ହେଲା ‘ଚ୍ୟାନେଲ ପ୍ରାଇସିଂ ସିଷ୍ଟମ’ ବା ଚ୍ୟାନେଲର ଦର ନିର୍ଦ୍ଧାରଣ ବ୍ୟବସ୍ଥା’। ଉଦାହରଣ ସ୍ୱରୂପ ୨୦୨୦ ଜାନୁଆରିରେ ‘ଏନ୍‌ଆର୍‌ଏଫ୍‌’ରେ ସଦ୍ୟତମ ସଂଶୋଧନ ଅଣାଯାଇ ‘ଚ୍ୟାନେଲ ପ୍ରାଇସିଂ ସିଷ୍ଟମ୍‌’ରେ ପ୍ରତି ଚ୍ୟାନେଲ ପିଛା ଦର ମାତ୍ର ୧୨ ଟଙ୍କା ରଖାଯାଇଛି, ଯାହା ଅତ୍ୟନ୍ତ ସ୍ୱଳ୍ପ। ସେହିଭଳି ‘ଚ୍ୟାନେଲ ଗୁଚ୍ଛ’ ବା ‘ବୁକେ’ ଲାଗି ଯେଉଁ ରିହାତିମୂଳକ ଦର ଧାର୍ଯ୍ୟ କରାଯାଇଛି, ତାହା ମଧ୍ୟ ଶ୍ୱାସରୁଦ୍ଧକାରୀ ବୋଲି ଅଧିକାଂଶ ‘ଡିଟିଏଚ୍‌’ ସଂସ୍ଥା ଏକମତ ହୁଅନ୍ତି। କହିବା ବାହୁଲ୍ୟ ଯେ ଏହି କାରଣରୁ ଚ୍ୟାନେଲଗୁଡ଼ିକ ଏହି ସୂତ୍ରରୁ ଆସିବାକୁ ଥିବା ଆୟର ସମ୍ଭାବନା ଅତ୍ୟନ୍ତ କ୍ଷୀଣ ଦେଖି ଅଧିକରୁ ଅଧିକ ବିଜ୍ଞାପନ ନିର୍ଭର ହେବାକୁ ବାଧ୍ୟ ହେଉଛନ୍ତି। ‘ଇଣ୍ଡିଆନ୍‌ କାଉନସିଲ ଫର ରିସର୍ଚ୍ଚ ଅନ ଇଣ୍ଟରନ୍ୟାସନାଲ ଇକୋନୋମିକ ରିଲେସନ୍‌ସ’ ସୂତ୍ରରୁ ପ୍ରକାଶିତ ଏକ ତଥ୍ୟ କହିଥାଏ ଯେ ପୃଥିବୀରେ କେବଳ ଦୁଇଟି ଦେଶ ଭାରତ ଏବଂ ଚୀନ‌୍ରେ ଏଭଳି ନିୟନ୍ତ୍ରକ କର୍ତ୍ତୃପକ୍ଷ ବା ‘ରେଗୁଲେଟୋରି ଅଥରିଟି’ ଦ୍ୱାରା ‘ଚ୍ୟାନେଲ ପ୍ରାଇସିଂ’ କରାଯାଇଥାଏ। ଏହି କାରଣରୁ ‘ଟ୍ରାଇ’ ବିରୋଧରେ କିଛି ଡିଟିଏଚ୍‌ ସଂସ୍ଥା ଏବଂ ଟିଭି ଚ୍ୟାନେଲଙ୍କ ଦ୍ୱାରା ଆଗତ ମକଦ୍ଦମା ମୁମ୍ବାଇ ଏବଂ ‌େଚନ୍ନାଇ ଅଦାଲତରେ ବିଚାରାଧୀନ ରହିଛି। ଏହା କ୍ରମେ ହୃଦ୍‌ବୋଧ ହେଲାଣି ଯେ ଦେଶରେ ୯୦୦ଟି ଟେଲିଭିଜନ ଚ୍ୟାନେଲର ଉପସ୍ଥିତି ଦ୍ୱାରା ସୃଷ୍ଟ ପ୍ରତିଦ୍ୱନ୍ଦ୍ୱିତାମୂଳକ ବାତାବରଣରେ ‘ଟ୍ରାଇ’ର ଅନେକ ଅଯଥା ହସ୍ତକ୍ଷେପ ଚ୍ୟାନେଲଗୁଡ଼ିକର ଗୁଣବତ୍ତାର ବିକାଶରେ ବାଧକ ସୃଷ୍ଟି କରୁଛି ଏବଂ ସେମାନଙ୍କୁ ଅଧିକ ‘ଟିଆର୍‌ପି’ ସର୍ବସ୍ୱ ଓ ବିଜ୍ଞାପନ ନିର୍ଭର କରି ପକାଉଛି।

ତେଣୁ କହିଲେ ଭୁଲ ହେବ ନାହିଁ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ଅପମୃତ୍ୟୁକୁ ନେଇ ସତ୍ୟ ଉଦ୍‌ଘାଟନର ଘମାଘୋଟ ପ୍ରୟାସ ପଛରେ ଲୁଚି ରହିଥିବା ଆଉ ଯେଉଁ ସତ୍ୟ ଏବେ ଉଦ୍‌ଘାଟିତ ହେଉଛି; ତାହା ହେଲା ‘ଟ୍ରାଇ’ ଦ୍ୱାରା ସୃଷ୍ଟ ଏକ ବାତାବରଣରେ ‘ଟିଆର୍‌ପି’ ନିଶୁଣୀରେ ଉପରକୁ ଚଢ଼ିବାର ବୈକଲ୍ୟ ଅନେକ ଟିଭି ଚ୍ୟାନେଲକୁ ସେମାନଙ୍କ ଠାରେ ଥିବା ସମସ୍ତ ସମ୍ଭାବନା ସତ୍ତ୍ବେ ବିଶ୍ୱ ସ୍ତରୀୟ ହେବାରୁ ଅଟକାଇ ଦେଇଛି।

ସମ୍ବନ୍ଧିତ ଖବର