ସିସିଫସର ଦର୍ଶନ

ବିଶ୍ବ ବିଖ୍ୟାତ ଆଲଜେରୀୟ ଲେଖକ ଆଲବେର କାମ୍ୟୁଙ୍କ ଦ୍ବାରା ରଚିତ (୧୯୪୨ରେ ପ୍ରକାଶିତ) କୃଶକାୟ ଅଥଚ ଗଭୀର ଦାର୍ଶନିକ ତତ୍ତ୍ବ ସମ୍ବଳିତ ପ୍ରସିଦ୍ଧ ପୁସ୍ତକ ‘ଲା ଡି ମିଥ ସିସିଫେ’ (ଇ˚ରେଜୀରେ ‘ଦ ମିଥ୍‌ ଅଫ୍‌ ସିସିଫସ୍‌’)ରେ ସ୍ଥାନିତ ଏକ ବାକ୍ୟ କହିଥାଏ ଯେ ମନୁଷ୍ୟ କାହିଁକି ଆତ୍ମହତ୍ୟା କରେ?; ତାହା ହେଉଛି ପୃଥିବୀର ଅନ୍ୟତମ ସର୍ବାଧିକ ଗୂଢ଼ ଦାର୍ଶନିକ ପ୍ରଶ୍ନ (ପ୍ରୋଫାଉଣ୍ତ ଫିଲୋସୋଫିକାଲ କୋଶ୍ଚିନ୍‌)। ଅସ୍ତିତ୍ବବାଦୀ ଚେତନାଧାରୀ କାମ୍ୟୁ ଉପରୋକ୍ତ ପୁସ୍ତକରେ ମନୁଷ୍ୟର ଅସ୍ତିତ୍ବ ସ˚କଟକୁ ନେଇ ଆଲୋଚନା କରିବା ବେଳେ ଗ୍ରୀକ୍‌ ପୌରାଣିକ ଚରିତ୍ର ସିସିଫସ୍‌ଙ୍କ ଉଦାହରଣର ଅବତାରଣା କରିଛନ୍ତି, ଯିଏ ଗ୍ରୀକ୍‌ ଦେବରାଜ ଜିଅସଙ୍କ ଅଭିଶାପ ସ୍ବରୂପ ‘ହେଡସ’ (ଗ୍ରୀକ୍‌ ପୁରାଣର ପାତାଳ)ର ଅତଳ ଗର୍ଭରେ ଏକ ବିଶାଳ ପଥରକୁ ଠେଲି ଗଡ଼େଇ ଏକ ପର୍ବତ ଉପରକୁ ଉଠାଇବାରେ ଗଳଦ୍‌ଘର୍ମ ପରିଶ୍ରମ ଅନନ୍ତ କାଳ ଯାଏ ଜାରି ରଖିଛନ୍ତି, କାରଣ ଜିଅସଙ୍କ ଶାପ ହେତୁ ପ୍ରତି ଥର ପଥରଟିକୁ ସେ ଉପରେ ପହଞ୍ଚାଇବା ପରେ ତାହା ପୁଣି ତଳକୁ ଗଡ଼ିଯାଇ ସିସିଫସ୍‌ଙ୍କୁ ପୁନର୍ବାର ସେହି କାମକୁ ମୂଳରୁ ପ୍ରାରମ୍ଭ କରିବାକୁ ବାଧୢ କରି ଚାଲିଛି। ସିସିଫସ୍‌ର ଭାଗ୍ୟ ଭୋଗକୁ ଏକ ରୂପକଳ୍ପ ଭାବେ ବ୍ୟବହାର କରି କାମ୍ୟୁ କହିବାକୁ ଚାହିଁଥିଲେ ଯେ ଅସ˚ଖ୍ୟ ମନୁଷ୍ୟ ସେମାନଙ୍କ ଜୀବନ ଓ କାର୍ଯ୍ୟର ଅର୍ଥହୀନତା ନେଇ ସଚେତନ ଥିବା ସତ୍ତ୍ବେ ସିସିଫସତୁଲ୍ୟ ତାହାକୁ ବିନା ପ୍ରଶ୍ନରେ ନିର୍ବାହ କରି ଚାଲିବା ହିଁ ଅସ୍ତିତ୍ବ ସ˚କଟରୁ ମୁକ୍ତି ଲାଭ କରିବାର ଏକମାତ୍ର ମାର୍ଗ, ଅନ୍ୟଥା ଏକ ନିଷ୍ଫଳତାର ଅବବୋଧ ଜୀବନକୁ ଦୁର୍ବିଷହ କରି ଦେଇପାରେ ଏବ˚ ଆତ୍ମହତ୍ୟା କରିବା ଲାଗି କ୍ଷେତ୍ର ପ୍ରଶସ୍ତ କରିପାରେ। ଏହି ପରିପ୍ରେକ୍ଷୀରେ ଗଲା ୧୦ ତାରିଖରେ ‘ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ’ ପାଳନର ତାତ୍ପର୍ଯ୍ୟ ଗୁରୁତ୍ବପୂର୍ଣ୍ଣ ମନେ ହୁଏ, କାରଣ ସ˚ପ୍ରତି ଯାହା ଦେଖିବାକୁ ମିଳୁଛି ତାହା ହେଲା ପୃଥିବୀର ସର୍ବତ୍ର ଆତ୍ମହତ୍ୟାର ହାର ଦ୍ରୁତ ଗତିରେ ଊର୍ଦ୍ଧ୍ବମୁଖୀ ହେବାରେ ଲାଗିଛି। ପୁନଶ୍ଚ ବର୍ତ୍ତମାନ ଏକ ଅଭୂତପୂର୍ବ ‘ପାନ୍‌ଡେମିକ୍‌’ର ଆବିର୍ଭାବ ଘଟିବା ପଶ୍ଚାତ୍‌ ସାରା ବିଶ୍ବ ଯେଉଁଭଳି ଭାବେ ଘୋର ବିଷାଦର ଗର୍ତ୍ତ ଭିତରକୁ ନିକ୍ଷେପିତ ହୋଇଛି ଏବ˚ ପୃଥିବୀବାସୀ ଏହି ‘ପାନ୍‌ଡେମିକ୍‌’ ଦ୍ବାରା ସୃଷ୍ଟ ଘୋର ମାନସିକ ଚାପ ଏବ˚ ଅବସାଦ ମଧୢ ଦେଇ ଗତି କରୁଛନ୍ତି, ସେତିକି ବେଳେ ଆତ୍ମହତ୍ୟା ନିବାରଣ ଲାଗି ଯେ କୌଣସି ଉଦ୍ୟମ ଅର୍ଥପୂର୍ଣ୍ଣ ମନେ ହୁଏ।

କାମ୍ୟୁ ତାଙ୍କ ବକ୍ତବ୍ୟରେ ଆତ୍ମହତ୍ୟାର କାରଣକୁ ମାନସିକ ଅବସାଦରେ ନ ଦେଖି ଆହୁରି ଗଭୀରକୁ ଯାଇ ଏକ ‘ଦାର୍ଶନିକ’ ପ୍ରଶ୍ନ ବୋଲି ଅଭିହିତ କରିଥିଲେ। ସିସିଫସ ତାଙ୍କ ଜୀବନର ଅନନ୍ତ ଅର୍ଥହୀନତା ସମ୍ବନ୍ଧରେ ଅବଗତ ଥିବା ସତ୍ତ୍ବେ ଆତ୍ମହତ୍ୟା ନ କରିବା ମୂଳରେ ସମ୍ଭବତଃ ଥିଲା ‌ସେ ‘ଅର୍ଥହୀନତା’କୁ ବିନା ପ୍ରଶ୍ନରେ ଓ ନିରବରେ ଗ୍ରହଣ କରି ନେବାର ଦୃଷ୍ଟିଭଙ୍ଗୀ ବା ଜୀବନ ଦର୍ଶନ; ଯାହା ହୋଇ ନ ଥିଲେ ସିସିଫସ୍‌ ମଧ୍ୟ ଦିନେ ଆତ୍ମହତ୍ୟାକୁ ଏକ ମୁକ୍ତିର ମାର୍ଗ ରୂପେ ବାଛି ନେଇଥାଆନ୍ତେ। କହିବା ବାହୁଲ୍ୟ ଯେ ସ˚ପ୍ରତି ଆତ୍ମହତ୍ୟା କରୁଥିବା ପ୍ରାୟ ସମସ୍ତେ ବିଭିନ୍ନ କାରଣରୁ ଜୀବନର ଅର୍ଥହୀନତା ଦ୍ବାରା ଜର୍ଜରିତ ହୋଇ ଏବ˚ ତାକୁ ଗ୍ରହଣ କରି ନ ପାରି ହତାଶାରେ ଆତ୍ମହତ୍ୟା କରୁଛନ୍ତି।

ଏହି ସ˚ଦର୍ଭରେ ୨୦୦୩ରେ ‘ନ୍ୟୁୟର୍କର‌୍‌’ ପତ୍ରିକାରେ ପ୍ରକାଶିତ ‘ଜ˚ପର୍ସ’ ଶୀର୍ଷକ ଏକ ଅତ୍ୟନ୍ତ କୌତୂହଳୋଦ୍ଦୀପକ ପ୍ରବନ୍ଧ ପ୍ରଣିଧାନଯୋଗ୍ୟ। ତହିଁରେ ଏହାର ଲେଖକ ଟାଡ୍‌ ଫ୍ରେଣ୍ତ୍‌ ଏଭଳି କିଛି ଲୋକଙ୍କ ସାକ୍ଷାତ୍‌କାର ନେଇଥିଲେ ଯେଉଁମାନେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ ‘ଗୋଲ୍‌ଡେନ୍‌ ଗେଟ୍‌’ ସେତୁ ଉପରୁ ଆତ୍ମହତ୍ୟା ଉଦ୍ଦେଶ୍ୟରେ କୁଦା ମାରିଥିବା ସତ୍ତ୍ବେ କୌଣସି କାରଣରୁ ବଞ୍ଚି ଯାଇଥିଲେ। ତହିଁରେ ଯେଉଁ ମତାମତ ଦେଖିବାକୁ ମିଳିଥିଲା ତାର ସାରା˚ଶ କହିଥାଏ ଯେ ସେତୁ ଉପରୁ ଡିଆଁ ମାରିବାର କ୍ଷଣିକ ପୂର୍ବରୁ ଯେଉଁ ଜୀବନ ସକାଶେ ମୃତ୍ୟୁ ହିଁ ମୁକ୍ତିର ଏକମାତ୍ର ଉନ୍ମୁକ୍ତ ପଥ ଭଳି ମନେ ହେଉଥିଲା; ପାଣିକୁ ଛୁଇଁବା ପୂର୍ବରୁ ଅଚାନକ ସ˚ବିତ ଉଦୟ ହୋଇ ସ୍ପଷ୍ଟ ହୋଇ ଯାଉଥିଲା ଯେ ଜୀବନଟି ଆଦୌ ଅସାର ନୁହେଁ, ବରଂ ବିନା କାରଣରେ ପାଣିରେ ବୁଡ଼ି ମରିବା ହେଉଛି ଏକ ଚରମ ନିର୍ବୋଧତା। ଏଥିରୁ ଯେଉଁ ଏକ ଅନ୍ତର୍ଦୃଷ୍ଟି ମିଳିଥାଏ ତାହା ହେଲା ହୁଏ’ତ ଏକ ପ୍ରଶସ୍ତ ବିବେଚନା ବୋଧର ଉପସ୍ଥିତିରେ ଏଭଳି ଏକ ସ˚କୀର୍ଣ୍ଣ ଦୃଷ୍ଟିଭଙ୍ଗୀ ଉତ୍ପନ୍ନ ହୁଅନ୍ତା ନାହିଁ, ଯାହା ସମସ୍ୟାକୁ ଜୀବନ ଠାରୁ ବୃହଦାକାର ରୂପେ ପ୍ରତିଭାତ କରାଇଥାଏ ଏବ˚ ମୃତ୍ୟୁ ସହିତ ସାମ୍ନାସାମ୍ନି ହେବାର କ୍ରୂର ଅନ୍ତିମ କ୍ଷଣରେ ଦ୍ରବୀଭୂତ ହୋଇଯାଇ ଚରମ ନିଷ୍ପତ୍ତିର ଅଯଥାର୍ଥତାକୁ ସ୍ପଷ୍ଟ କରିଥାଏ। କିନ୍ତୁ ବିଡ଼ମ୍ବନା, ଏହି ଅନ୍ତିମ ଚୈତନ୍ୟ ଆବିଷ୍କାର ପରେ ବହୁତ କମ୍‌ ସ˚ଖ୍ୟକ ବ୍ୟକ୍ତି ତାହା ବୟାନ କରିବାକୁ ଜୀବିତ ରହନ୍ତି।

ସ˚ପ୍ରତି ପୃଥିବୀର ସର୍ବାଧିକ ଆତ୍ମହତ୍ୟାପ୍ରବଣ ରାଷ୍ଟ୍ର ରୂପେ ଭାରତ ଅନ୍ୟତମ ବୋଲି ବିବେଚିତ ହେବାରେ ଲାଗିଲାଣି। ‘ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ’ ପକ୍ଷରୁ ଉପଲବ୍‌ଧ ସଦ୍ୟତମ ସୂଚନାନୁସାରେ ୨୦୧୯ରେ ସର୍ବମୋଟ ୧.୩୯ ଲକ୍ଷ ଭାରତୀୟ ଆତ୍ମହତ୍ୟା କରିଥିଲେ। ଏମାନଙ୍କ ମଧୢରୁ ୬୭% ଅର୍ଥାତ୍‌ ୯୩,୦୬୧ ଥିଲେ ୧୮ରୁ ୪୫ ବର୍ଷ ବୟସ ବର୍ଗର ତରୁଣ-ସାବାଳକ। ତା’ ପୂର୍ବ ବର୍ଷ ଅର୍ଥାତ୍‌ ୨୦୧୮ରେ ଏହି ବୟସ ବର୍ଗରୁ ଆତ୍ମହତ୍ୟା କରିଥିଲେ ୮୯,୪୦୭ ଜଣ। ପ୍ରତି ବର୍ଷ ଭାରତରେ ଆତ୍ମହତ୍ୟାକାରୀଙ୍କ ସ˚ଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୦୧୯ର ‘ଏନ୍‌ସିଆରବି’ ତଥ୍ୟ କହେ ଯେ ୨୦୧୮ରେ ଆମ ଦେଶରେ କେବଳ ୧୦,୧୫୯ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ। ୨୦୧୭ରେ ଏହି ସ˚ଖ୍ୟା ଥିଲା ୯୯୦୫ ଏବ˚ ୨୦୧୬ରେ ଥିଲା ୯୪୭୮; ଯାହା ସାବ୍ୟସ୍ତ କରିଥାଏ ଯେ ପ୍ରତି ବର୍ଷ ଏହି ସ˚ଖ୍ୟା ମଧୢ ବୃଦ୍ଧି ପାଇବାରେ ଲାଗିଛି। ଏକ ଅନୁଶୀଳନ ଏହା ମଧୢ କହିଥାଏ ଯେ ପାଶ୍ଚାତ୍ୟ ରାଷ୍ଟ୍ରରେ ଦୀର୍ଘ କାଳୀନ ମାନସିକ ଅବସାଦ ଆତ୍ମହତ୍ୟାର ଏକ ପ୍ରମୁଖ କାରଣ ହୋଇଥିବା ବେଳେ ଭାରତରେ ଆତ୍ମହତ୍ୟାର କାରଣ ଏ ଯାବତ୍‌ କ୍ଷଣିକ ଉତ୍ତେଜନା ହିଁ ରହି ଆସିଛି। ତେବେ ଦୀର୍ଘକାଳୀନ ମାନସିକ ଅବସାଦଜନିତ ଆତ୍ମହତ୍ୟାର ଉଦାହରଣ ଆମ ଦେଶରେ ମଧୢ ଅଧିକରୁ ଅଧିକ ସ˚ଖ୍ୟାରେ ଦେଖିବାକୁ ମିଳିଲାଣି। ଏହା ମଧୢ ସତ ଯେ ଭାରତରେ ମହିଳାମାନେ ସର୍ବାଧିକ ସ˚ଖ୍ୟାରେ ଆତ୍ମହତ୍ୟା କରୁଥିଲେ ମଧୢ ଲିଙ୍ଗଗତ ବିଚାରରେ ଏହି ଉତ୍କଟ ସାମାଜିକ ସମସ୍ୟାର ଆଲୋଚନା କରାଯାଇ ନ ଥାଏ। ଏ ସବୁ ପ୍ରସଙ୍ଗରେ ବିସ୍ତୃତ ଆଲୋଚନାର ନିତାନ୍ତ ଆବଶ୍ୟକତା ରହିଛି।

ସାଧାରଣତଃ ଦେଖିବାକୁ ମିଳିଥାଏ ଯେ ଭାରତୀୟ ପରିବାରରେ ମାନସିକ ଅବସାଦ ଭଳି ଉପସର୍ଗକୁ ଗୋପନୀୟ ରଖାଯାଏ। ଅଜ୍ଞତା କାରଣରୁ ମାନସିକ ଅବସାଦଗ୍ରସ୍ତ ବ୍ୟକ୍ତିଙ୍କୁ ଅନେକ ସମୟରେ ‘ପାଗଳ’ ବୋଲି ଆକ୍ଷେପ କରାଯିବା ହେଉଛି ଏହା ପଛରେ ରହିଥିବା ଏକ ବଡ଼ କାରଣ। ଚିକିତ୍ସା ବା ମନୋଚିକିତ୍ସକଙ୍କ ପରାମର୍ଶ ଦ୍ବାରା ଏଭଳି ଉପସର୍ଗ ଦୂରୀଭୂତ ହେବାର ସମସ୍ତ ସମ୍ଭାବନା ଥିବା ସତ୍ତ୍ବେ, ଏହି ଗୋପନୀୟତା କାରଣରୁ ଅନେକ ବ୍ୟକ୍ତି ତାହା ଲାଭ କରିବାରୁ ବଞ୍ଚିତ ହୁଅନ୍ତି ଏବ˚ ପରିଶେଷରେ ଆତ୍ମହତ୍ୟାକାରୀଙ୍କ ତାଲିକାରେ ଯୋଡ଼ି ହୁଅନ୍ତି। ସ˚ପ୍ରତି ଦ୍ରୁତ ଓ ପରିବର୍ତ୍ତିତ ଜୀବନଶୈଳୀ ତଥା ଅନ୍ୟାନ୍ୟ କାରଣରୁ ଆମ ଦେଶରେ ମାନସିକ ଅବସାଦଗ୍ରସ୍ତଙ୍କ ସ˚ଖ୍ୟାରେ ବୃଦ୍ଧି ଘଟି ଚାଲିଥିବାରୁ ମାନସିକ ଚିକିତ୍ସାର ବ୍ୟାପକ ଉପଲବ୍‌ଧତା ତଥା ସଚେତନତାର ପ୍ରସାର ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଭଳି ମନେ ହୋଇଥାଏ।

ନୋବେଲ ପୁରସ୍କାର ପ୍ରାପ୍ତ ଲେଖକ ଭି.ଏସ. ନାଇପଲ ତାଙ୍କ ତାରୁଣ୍ୟରେ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଥିଲେ ବୋଲି ଆମେ ଅନେକ କାଳଜୟୀ ରଚନା ପଢ଼ିବାକୁ ପାଇଥାଉଁ। ଶୁଣାଯାଏ ଯେ ରବର୍ଟ କ୍ଲାଇବ୍‌ ଆତ୍ମହତ୍ୟାର ଉଦ୍ୟମ କରି ବିଫଳ ହେବା ପରେ ଭାବି ନେଇଥିଲେ ଯେ ବୋଧହୁଏ ଈଶ୍ବର ତାଙ୍କ ଦ୍ବାରା କୌଣସି ମହତ୍ତର କାର୍ଯ୍ୟ ସ˚ପାଦନର ଉଦ୍ଦେଶ୍ୟ ରଖିଛନ୍ତି। ଏହି ସ୍ତମ୍ଭର ପାଠକପାଠିକାମାନଙ୍କୁ ବୁଝାଇ କହିବାର ଆବଶ୍ୟକତା ନାହିଁ ଯେ ପରବର୍ତ୍ତୀ କାଳରେ କ୍ଲାଇବ୍‌ଙ୍କ ଦ୍ବାରା ସେ ଈଶ୍ବରୀୟ ଉଦ୍ଦେଶ୍ୟ କିଭଳି ସାଧିତ ହୋଇଥିଲା। ଏହି ମର୍ମରେ କୁହାଯାଇପାରେ ଯେ ଜୀବନର ଏକ ମହତ୍ତର ଉଦ୍ଦେଶ୍ୟ ରହିଛି ବୋଲି ଏକ ଉପଲବ୍‌ଧି ଜଣକୁ ସାମୟିକ ହତାଶାର ଅନ୍ଧକୂପରୁ ଉଦ୍ଧାର କରି କୌଣସି ଚରମ ନିଷ୍ପତ୍ତି ନେବାରୁ ବିରତ କରିପାରେ। ଅଥବା ସିସିଫସସୁଲଭ ପ୍ରଶସ୍ତ ଦୃଷ୍ଟିଭଙ୍ଗୀ ଦ୍ବାରା ହୃଦ୍‌ବୋଧ ହୋଇପାରେ ଯେ ସମସ୍ତ ଅର୍ଥହୀନତା ସତ୍ତ୍ବେ ଜୀବନଟା ଅସାର ନୁହେଁ। ଆତ୍ମହତ୍ୟାର ନିବାରଣରେ ଏ ଦୁଇ ଦୃଷ୍ଟିଭଙ୍ଗୀ ସହାୟକ ହେବ।

ସମ୍ବନ୍ଧିତ ଖବର