କଥାର ଭରସା!

ଅକ୍ଷୟ ମହାନ୍ତିଙ୍କ ଏକ ଅତ୍ୟନ୍ତ ଲୋକପ୍ରିୟ ଗୀତର ଯେଉଁ ଧାଡ଼ିଟି ପ୍ରତିଶ୍ରୁତି ଉଲ୍ଲ˚ଘନକାରୀମାନଙ୍କ ଲାଗି ଏକ ରକ୍ଷା କବଚ ରୂପେ କାମ ଦେଇପାରେ, ତାହା ହେଲା ‘କଥାର ଭରସା କିଛି ନାହିଁ, ଯେଣୁ କଥା ତ ପବନ, ମିଶିଗଲା ପବନରେ!’ କିନ୍ତୁ କହିବା ବାହୁଲ୍ୟ ଯେ ‘କଥା’ର ଏହି ବାୟବୀୟ ଗୁଣ ସତ୍ତ୍ବେ ଆମ ଦେଶ ଓ ସମାଜରେ ‘ବଚନ ରକ୍ଷା’କୁ ପ୍ରାଣ ଠାରୁ ମଧୢ ଅଧିକ ମୂଲ୍ୟବାନ ବୋଲି ଗ୍ରହଣ କରାଯାଇ ଆସିଛି। ପୌରାଣିକ ଯୁଗରୁ ଆରମ୍ଭ କରି ବର୍ତ୍ତମାନ କାଳ ପର୍ଯ୍ୟନ୍ତ ଏଭଳି ଅନେକ ଦୃଷ୍ଟାନ୍ତ ବିଦ୍ୟମାନ ରହି ପ୍ରତିଶ୍ରୁତି ହନନକୁ ଏକ ଅତ୍ୟନ୍ତ ଅସମ୍ମାନଜନକ କାର୍ଯ୍ୟ ରୂପେ ଦର୍ଶାଇ ଆସିଛି। ସେହି କାରଣରୁ ଆଣବିକ ସାମର୍ଥ୍ୟର ଶାନ୍ତିପୂର୍ଣ୍ଣ ଉପଯୋଗ ହେଉ କିମ୍ବା ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହିତ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ହେଉ ଅଥବା କୌଣସି ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପରୁ ବିରତ ରହିବାରେ ହେଉ; ଏକ ରାଷ୍ଟ୍ର ଭାବେ ଭାରତ ବିଭିନ୍ନ ପ୍ରତିଶ୍ରୁତି ପାଳନ କରି ତାର ବଚନବଦ୍ଧତାକୁ ପ୍ରମାଣିତ କରି ବିଶ୍ବର ବିଶ୍ବାସଭାଜନ ହୋଇପାରିଛି। କିନ୍ତୁ ଏହାର ବିପରୀତରେ ଚୀନ ବିଭିନ୍ନ ସ˚ଦର୍ଭରେ ବାରମ୍ବାର ପ୍ରତିଶ୍ରୁତି ଉଲ୍ଲ˚ଘନ କରି ‘କଥା’କୁ ପବନରେ ମିଳାଇ ଦେଉଥିବା ରାଷ୍ଟ୍ର ରୂପେ ନିଜ ଲାଗି ଏକ ସନ୍ଦିଗ୍‌ଧ ପରିଚୟ ମଧୢ ହାସଲ କରିଛି। ସୁତରା˚, ଏହି ପରିପ୍ରେକ୍ଷୀରେ ଗଲା ଶୁକ୍ରବାର ଦିନ ରୁଷିଆର ମସ୍କୋ ଠାରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଏବ˚ ଚୀନର ବିଦେଶ ମନ୍ତ୍ରୀ ଵାଙ୍ଗ ୟିଙ୍କ ମଧୢରେ ସ˚ପାଦିତ ହୋଇଥିବା ଏକ ରାଜିନାମା ଯଦିଓ ଲଦାଖ ଠାରେ ଦୁଇ ଦେଶ ମଧୢରେ ସୃଷ୍ଟି ହୋଇଥିବା ଏକ ଅତ୍ୟନ୍ତ ବିସ୍ଫୋରକ ସ୍ଥିତିକୁ କିଛି ମାତ୍ରାରେ ପ୍ରଶମନ କରିବାର ଆଶା ଜାଗ୍ରତ କରିଛି, ତଥାପି ଉପରେ ବର୍ଣ୍ଣିତ ଚୀନୀୟ ଚରିତ୍ର କାରଣରୁ ଏ ନେଇ ବିଶେଷ ଆଶ୍ବସ୍ତି ମଧୢ ଲାଭ କରାଯାଇ ପାରିନାହିଁ।

ଏହି ରାଜିନାମାରେ କୁହାଯାଇଛି ଯେ ଉଭୟ ଦେଶ ହୃଦ୍‌ବୋଧ କରିଛନ୍ତି ଯେ ଏଭଳି ସ˚ଘାତମୂଳକ ପରିସ୍ଥିତି ଉଭୟ ଦେଶର ସ୍ବାର୍ଥର ପରିପନ୍ଥୀ। ସୁତରା˚, ଉଭୟ ଦେଶ ସେନା ପ୍ରତ୍ୟାହାର କରି ନେବା ଉଚିତ। କେବଳ ସେତିକି ନୁହେଁ ଉଭୟ ରାଷ୍ଟ୍ର ପୂର୍ବର ସବୁ ରାଜିନାମା ଓ ‘ପ୍ରୋଟୋକଲ’କୁ ପାଳନ କରିବେ, ଯାହା ଦ୍ବାରା ସ୍ଥିତି ଆଉ ଉତ୍ତେଜନାପୂର୍ଣ୍ଣ ନ ରହି ସହଜ ହେବ। ଉଲ୍ଲେଖନୀୟ ଯେ ଗଲଵାନ ଉପତ୍ୟକା ଠାରେ ଭାରତ ଏବ˚ ଚୀନ ସେନାଙ୍କ ମଧୢରେ ସ˚ଘଟିତ ହୋଇଥିବା ଏକ ପ୍ରାଣଘାତୀ ସ˚ଘର୍ଷ ଉପରାନ୍ତ ମାସାଧିକ କାଳ ପୂର୍ବ ଲଦାଖର ‘ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଉଭୟ ଦେଶ ବିପୁଳ ସୈନ୍ୟ ବଳ ସହିତ ଭାରୀ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ସରଞ୍ଜାମ ଠୁଳ ପରିପ୍ରେକ୍ଷୀରେ ବିଶ୍ବବ୍ୟାପୀ ଏକ ଧାରଣା ସୃଷ୍ଟି ହୋଇଥିଲା ଯେ ଏକ ଯୁଦ୍ଧ ହୁଏ’ତ ଅବଶ୍ୟମ୍ଭାବୀ। ଏହି ମିଳିତ ରାଜିନାମାର ଦୁଇ ଦିନ ପୂର୍ବରୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ମନ୍ତବ୍ୟ ଏଭଳି ହତାଶା ବ୍ୟ˚ଜକ ଥିଲା ଯେ ତହିଁରୁ ଏକ ନିଶ୍ଚିତ ଯୁଦ୍ଧର ଆଭାସ ମଧ୍ୟ ମିଳୁଥିଲା। ଏଭଳି ଏକ ଘଡ଼ିସନ୍ଧି କ୍ଷଣରେ ଏହି ରାଜିନାମାର ଆବିର୍ଭାବ ଏକ ଆଶାର କିରଣକୁ ଜନ୍ମ ଦେଇଛି ସିନା, କିନ୍ତୁ ଅତୀତରେ ଚୀନ ଦ୍ବାରା ପ୍ରଦର୍ଶିତ ପ୍ରତିଶ୍ରୁତି ଉଲ୍ଲ˚ଘନର ଉଦାହରଣମାନ ଉଜ୍ଜୀବିତ ହୋଇ ଅନେକ ସମୟରେ ତାକୁ ସ˚ଶୟର ବାଦଲ ପଛରେ ନିଷ୍ପ୍ରଭ କରି ପକାଉଛି।

ଚୀନର ପ୍ରତିଶ୍ରୁତି ହନନର ଦୁଇଟି ସଦ୍ୟତମ ଦୃଷ୍ଟାନ୍ତ ଉପରେ ଦୃଷ୍ଟି ନିକ୍ଷେପ କରାଯାଉ। ଗଲଵାନ ଉପତ୍ୟକା ଠାରେ ‘ପ୍ରକୃତ ନିୟନ୍ତ୍ରଣ ରେଖା’କୁ ଅତିକ୍ରମଣ କରିବା ପରେ ସୃଷ୍ଟି ହୋଇଥିବା ମୁହାଁମୁହିଁ ପରିସ୍ଥିତିରେ ଅନ୍ତ ଘଟାଇବା ଲାଗି ଉଭୟ ପକ୍ଷ ମଧୢରେ ହୋଇଥିବା ଆଲୋଚନା ପରେ ଚୀନ ପକ୍ଷ ହଟିଯିବା ଲାଗି ପ୍ରତିଶ୍ରୁତି ଦେଇଥିଲେ ମଧୢ ତାର ପାଳନ କରି ନଥିଲେ। ଓଲଟି ଏହାର ପ୍ରତିବାଦ କରିବାକୁ ଯାଇଥିବା ଭାରତୀୟ ସୈନିକଙ୍କ ଏକ ଦଳ ଉପରେ ପୂର୍ବରୁ ପ୍ରସ୍ତୁତ ଚୀନା ସୈନିକମାନେ ଅତର୍କିତ ଆକ୍ରମଣ କରିଥିଲେ, ଯହିଁରେ ଜଣେ ଭାରତୀୟ କମାଣ୍ତି˚ ଅଫିସରଙ୍କ ସମେତ ୨୦ ଜଣ ସୈନିକ ସହିଦ ହୋଇଥିଲେ। ଯଦିଓ ଭାରତୀୟ ସୈନିକମାନଙ୍କ ଦୃଢ଼ ଓ ସାହସିକ ପ୍ରତିରୋଧ ଓ ପାଲଟା ଜବାବରେ ଚୀନ ସେନା ବାହିନୀ ମଧୢ ଅନୁରୂପ ଜୀବନହାନିର ଶିକାର ହୋଇଥିଲେ, ଏହି ଘଟଣାରୁ ଯାହା ସାବ୍ୟସ୍ତ ହୋଇଥିଲା ତାହା ହେଲା ୧୯୬୨ରେ ଚୀନ ଯେଉଁଭଳି ପ୍ରତିଶ୍ରୁତି ଉଲ୍ଲ˚ଘନ କରି ଭାରତ ଉପରେ ତାର ପ୍ରଥମ ପ୍ରାଣଘାତୀ ଆକ୍ରମଣ କରିଥିଲା, ତାର ଅଠାବନ ବର୍ଷ ପରେ ଏହା ଥିଲା ତାର ପୁନରାବୃତ୍ତି ମାତ୍ର। ସ୍ମରଣଯୋଗ୍ୟ ଯେ ଗଲା ପଞ୍ଚମ ଦଶକର ଆଦ୍ୟ ଭାଗରେ ଶ୍ରୀଲଙ୍କାର କଲୋମ୍ବୋ ଠାରେ ଅନୁଷ୍ଠିତ ଏସୀୟ ରାଷ୍ଟ୍ରଗୁଡ଼ିକର ପ୍ରଧାନମନ୍ତ୍ରୀଙ୍କ ଶିଖର ସମ୍ମିଳନୀରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଵହରଲାଲ ନେହରୁ ଏବ˚ ଚୀନର ରାଷ୍ଟ୍ରମୁଖ୍ୟ ଚାଉ ଏନ ଲାଇଙ୍କ ଦ୍ବାରା ମିଳିତ ଭାବେ ପଞ୍ଚଶୀଳ (ଏହାର ପ୍ରସ୍ତୁତକର୍ତ୍ତା ଥିଲେ ପଣ୍ତିତ ନେହରୁ) ନୀତି ସମ୍ବନ୍ଧରେ ଉଦ୍‌ଘୋଷଣା କରାଯାଇଥିଲା। ପରସ୍ପରର ସାର୍ବଭୌମତ୍ବକୁ ସମ୍ମାନ ପ୍ରଦାନ ପୂର୍ବକ ଶାନ୍ତିପୁର୍ଣ୍ଣ ସହାବସ୍ଥାନର ବାତାବରଣ ସୃଷ୍ଟି ସକାଶେ ଅଭିପ୍ରେତ ଏହି ପାଞ୍ଚଟି ନୀତି ସମ୍ବଳିତ ଏକ ରାଜିନାମା ୧୯୫୪ ମସିହା ଏପ୍ରିଲ ୨୮ରେ ପେକି˚ ଠାରେ ଉଭୟ ଭାରତ ଏବ˚ ଚୀନ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା। କିନ୍ତୁ ଯାହା ଦେଖିବାକୁ ମିଳିଥିଲା, ତାହା ହେଲା ଏହାର ଆଠ ବର୍ଷ ପରେ ସ୍ବଭାବସୁଲଭ ଢଙ୍ଗରେ ଚୀନ ଦ୍ବାରା ପ୍ରତିଶ୍ରୁତିର ଉଲ୍ଲ˚ଘନ ଏବ˚ ଭାରତ ଉପରେ ଆକ୍ରମଣ।

କେବଳ ସେତିକି ନୁହେଁ, ଚୀନ ଦ୍ବାରା ସକାଳେ ଦିଆଯାଇଥିବା ପ୍ରତିଶ୍ରୁତି କିଭଳି ସ˚ଧୢାରେ ମଉଳି ଯାଇଥାଏ, ତାର ସଦ୍ୟତମ ପ୍ରମାଣ ମିଳିଛି ଏଇ ଗଲା ଅଗଷ୍ଟ ୨୮ ତାରିଖରେ। ସେହି ଦିନ ସକାଳେ ଚିନସୁଲ ଠାରେ ଚୀନ ସେନା ପକ୍ଷରୁ ଭାରତୀୟ ସେନା କମାଣ୍ଡରଙ୍କ ନିକଟକୁ କରାଯାଇଥିବା ଏକ ‘ହଟ୍‌ ଲାଇନ୍‌’ ଫୋନ୍‌ କଲ୍‌ ଜରିଆରେ ଏହି ଅଭିପ୍ରାୟ ପ୍ରକାଶ କରାଯାଇଥିଲା ଯେ ଉତ୍ତେଜନା ହ୍ରାସ କରିବା ସକାଶେ ଉଭୟ ଦେଶ ସେହି ସ୍ଥାନରୁ ଆପଣା ସୈନ୍ୟ ପ୍ରତ୍ୟାହାର କରି ନେବା ସହିତ ଅନାବଶ୍ୟକ ରାତ୍ରି ପହରା ବ୍ୟବସ୍ଥାକୁ ଉଠାଇ ଦେବା ଉଚିତ। ଅଥଚ, ସେହି ରାତିରେ ପ୍ରାୟ ଏଗାରଟା ସମୟରେ ଯୁଦ୍ଧ ସରଞ୍ଜାମ ସହିତ ବିପୁଳ ସ˚ଖ୍ୟକ ଚୀନା ସୈନ୍ୟଙ୍କ ଗତିବିଧି ଦେଖିବାକୁ ମିଳିଥିଲା, ଯାହାର ଆଭାସ ମିଳିବା ମାତ୍ରକେ ଭାରତୀୟ ସେନା ତତ୍‌କ୍ଷଣାତ୍‌ କାର୍ଯ୍ୟାନୁଷ୍ଠାନ କରି ଚିନସୁଲ ସେକ୍ଟରର ରେକିନ ଗିରିପଥ ଏବ˚ ସ୍ପାଙ୍ଗୁର ଖାଇ ଅଞ୍ଚଳରେ ଆସ୍ଥାନ ଜମାଇ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ସହିତ ସ୍ଥିତିକୁ ଚୀନ ଠାରୁ ନିଜ ପକ୍ଷକୁ ଛଡ଼ାଇ ଆଣିବାରେ ସକ୍ଷମ ହୋଇଥିଲେ।

କହିବା ନିଷ୍ପ୍ରୟୋଜନ ଯେ ଚୀନ ଦ୍ବାରା ବାରମ୍ବାର ଏଭଳି ଆଚରଣମାନ ପ୍ରଦର୍ଶନ କରାଯାଇ ଆସିଛି, ଯାହା ଏକ ସଭ୍ୟ ଓ ପରିପକ୍ବ ରାଷ୍ଟ୍ରସୁଲଭ ନୁହେଁ। ଟିଏନନମାନ ଛକରେ ଗଣତନ୍ତ୍ରକାମୀ ବିଶାଳ ଛାତ୍ର ସମାବେଶ ଉପରେ ଟ୍ୟାଙ୍କ୍‌ ଚଢ଼ାଇ ଦେଇ ହେଉ ବା ଶାନ୍ତି ଲାଗି ନୋବେଲ ପୁରସ୍କାର ଲାଭ କରିଥିବା ଲିଉ ଜିଆବୋଙ୍କୁ ଯାବଜ୍ଜୀବନ କାରାରୁଦ୍ଧ ଅବସ୍ଥାରେ ରଖି ହେଉ ଅଥବା ସେଠାକାର ସ˚ଖ୍ୟାଲଘୁ ଉଇଘୁର ସ˚ପ୍ରଦାୟର ସଦସ୍ୟମାନଙ୍କ ନିର୍ଯାତନା ଓ ଗଣହତ୍ୟା ସ˚ଘଟିତ କରାଇ ହେଉ; ଚୀନ ବାରମ୍ବାର ପ୍ରମାଣ କରି ଚାଲିଛି ଯେ ସର୍ବନିମ୍ନ ମାନବାଧିକାର ପ୍ରସଙ୍ଗରେ ଉଲ୍ଲିଖିତ ପ୍ରତିଶ୍ରୁତିଗୁଡ଼ିକ ପାଳନ କରିବା ଲାଗି ସେ ଆଗ୍ରହୀ ନୁହେଁ। ତେବେ ଏ ସ˚ଦର୍ଭରେ ଚୀନର ଭରସା-ଅଯୋଗ୍ୟତାର ଅନ୍ତିମ ଉଦାହରଣ ରୂପେ ଯାହା ଦେଖିବାକୁ ମିଳିଛି, ତାହା ହେଲା ‘କୋଭିଡ-୧୯’ ସ˚କ୍ରମଣକୁ ଏକ ପାନ୍‌ଡେମିକ୍‌ରେ ପରିଣତ କରିବାରେ ତାର ଭୂମିକା। କହିବା ଅନାବଶ୍ୟକ ଯେ ଏହି କାରଣରୁ ଚୀନ ଏବେ ଅବଶିଷ୍ଟ ବିଶ୍ବର ବିଶ୍ବାସ ହରାଇ ସାରିଛି। ଆମ ଦେଶରେ ପ୍ରତିଶ୍ରୁତିକୁ ‘ପଥରରେ ଗାର’ ବୋଲି ଅଭିହିତ କରାଯାଇଥାଏ। କିନ୍ତୁ ଚୀନର ଆଚରଣ ବାରମ୍ବାର ଦର୍ଶାଇବାରେ ଲାଗିଛି ଯେ ସେହି ଦେଶ ଲାଗି ଏହା ପବନରେ ଗାର ତୁଲ୍ୟ। ଏହି ପୃଷ୍ଠଭୂମିରେ ଚୀନର ପ୍ରତିଟି ପଦକ୍ଷେପ ଉପରେ ସଜାଗ ଦୃଷ୍ଟି ରଖାଯିବା ଅତ୍ୟନ୍ତ ଜରୁରୀ।

ସମ୍ବନ୍ଧିତ ଖବର