କଙ୍ଗନା ରଣାଵତ୍‌ ଫ୍ରାସ୍ବାଁ ମାରୀ ଆରୁଏ (ଭଲ୍‌ଟେଆର‌୍‌) ନୁହଁନ୍ତି କିମ୍ବା ଉଦ୍ଧବ ଠାକ୍‌ରେ ମଧୢ ନୁହଁନ୍ତି ସେଭାଲିଅର‌୍‌ ଡି ରୋହନ୍‌, କିନ୍ତୁ ଏହି ବଲିଉଡ୍‌ ଅଭିନେତ୍ରୀ ଓ ବଲିଉଡ୍‌ ସିନେମା ଶିଳ୍ପ ଅବସ୍ଥିତ ଥିବା ରାଜ୍ୟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ମଧୢରେ ଚାଲିଥିବା ଦ୍ବନ୍ଦ୍ବ ଯୁଦ୍ଧ ଯେତେବେଳେ ସାରା ଦେଶରେ ଆଲୋଚନାର ପ୍ରଧାନ ବିଷୟବସ୍ତୁରେ ପରିଣତ ହୋଇଛି, ସେତେବେଳେ ଅଷ୍ଟାଦଶ ଶତାବ୍ଦୀର ବିଶ୍ବବିଖ୍ୟାତ ଫରାସୀ ଦାର୍ଶନିକ ଭଲଟେଆର‌୍‌ ଏବ˚ ତାଙ୍କର ରାଜବ˚ଶୀୟ ପ୍ରତିଦ୍ବନ୍ଦ୍ବୀ ସେଭାଲିଅର‌୍‌ଙ୍କ ମଧୢରେ ଘଟିଥିବା ଏକ ଐତିହାସିକ ଦ୍ବନ୍ଦ୍ବ ଓ ତା’ର ଅନ୍ତିିମ ପରିଣାମର ଏଥି ସହିତ ରହିଥିବା ସାଦୃଶ୍ୟ ପ୍ରତି ସ୍ବାଭାବିକ ଭାବରେ ଦୃଷ୍ଟି ଆକର୍ଷିତ ହୋଇଯାଏ।

Advertisment

ଏକ ସାଧାରଣ ସ୍ବଚ୍ଛଳ ମଧୢବିତ୍ତ ପରିବାରରେ ଜନ୍ମିତ ଭଲ୍‌ଟେଆର‌୍‌ ବୃତ୍ତି ଓ ଖ୍ୟାତି ସନ୍ଧାନରେ ୨୧ ବର୍ଷ ବୟସରେ ନିଜର ଜନ୍ମସ୍ଥାନ ପ୍ୟାରିସ୍‌କୁ ଫେରି ଆସିବା ପରେ ପରେ ପ୍ରଥମେ ତାଙ୍କର କାବ୍ୟ ‘ଲା ହେନ୍‌ରିଆଡ୍‌’ ଓ ତା’ପରେ ତାଙ୍କର ନାଟକ ‘ଏଡିପ୍‌’ ହାସଲ କରିଥିବା ଚମକପ୍ରଦ ସଫଳତା ତାଙ୍କୁ ସେ ଯୁବାବୟସରେ ତତ୍କାଳୀନ ପ୍ୟାରିସ୍‌ର ସାମାଜିକ ପରିସରରେ ଏକ ସେଲିବ୍ରିଟିରେ ପରିଣତ କରି ଦେଇଥିଲା। ତାଙ୍କର ବାକ୍‌ପଟୁତା ଓ ଅସାଧାରଣ ପ୍ରତ୍ୟୁତ୍ପନ୍ନମତିତାର ଆକର୍ଷଣରେ ବିଭିନ୍ନ ଆସରର ଆୟୋଜକମାନେ ସେମାନଙ୍କ ଗହଣରେ ଭଲ୍‌ଟେଆର‌୍‌ଙ୍କୁ ପାଇବା ପାଇଁ ପରସ୍ପର ମଧୢରେ ପ୍ରତିଯୋଗିତା କରୁଥିଲେ। ପ୍ରାୟ ଏକ ଦଶନ୍ଧି କାଳ ଭଲ୍‌ଟେଆର‌୍‌ଙ୍କ ପ୍ରଭାବ ଓ ଲୋକପ୍ରିୟତା ଅବ୍ୟାହତ ରହିବା ମଧୢରେ କ୍ରମେ କେତେକ ସମ୍ଭ୍ରାନ୍ତ ବ˚ଶୀୟ କ୍ଷମତାଶାଳୀ ବ୍ୟକ୍ତି ତାଙ୍କ ପ୍ରତି ଅସହିଷ୍ଣୁ ହେବାକୁ ଆରମ୍ଭ କଲେ। ଅସହିଷ୍ଣୁତାର କାରଣ ଥିଲା ଅବଶ୍ୟ ଭଲ୍‌ଟେଆର‌୍‌ଙ୍କ ବ˚ଶ ପରିଚୟହୀନତା। ଯୁବକ ଭଲ୍‌ଟେଆର‌୍‌ ନିଜ ପାଇଁ ଯେଉଁ ସୁଖ୍ୟାତି ହାସଲ କରିଥିଲେ, ତାହା ସମ୍ପୂର୍ଣ୍ଣ ରୂପେ ସ୍ବଅର୍ଜିତ ଥିଲା- ନିଜର ପ୍ରଚଣ୍ତ ବୁଦ୍ଧମତ୍ତା ବଳରେ ସେ ତାହା ହାସଲ କରିଥିଲେ, ନିଜର ବ˚ଶ ପରିଚୟ ବଳରେ ନୁହେଁ। ବ˚ଶବାଦୀମାନଙ୍କ ପାଇଁ ଏହା ଗାତ୍ରଦାହ ସୃଷ୍ଟି କରୁଥିଲା। କେବଳ ସମ୍ଭ୍ରାନ୍ତ ବ˚ଶଜମାନେ ହିଁ ସମାଜରେ ଉଚ୍ଚସ୍ଥାନ ପାଇବାକୁ ହକ୍‌ଦାର ବୋଲି ସେମାନେ ବିଶ୍ବାସ କରୁଥିଲେ।

ଏଇଭଳି ଜଣେ କ୍ଷମତାଶାଳୀ ବ୍ୟକ୍ତି ଥିଲେ ସେଭାଲିଅର‌୍‌ ଡି ରୋହନ୍‌ (ବ୍ରିଟେନ୍‌ର ‘ନାଇଟ୍‌’ ପରି ଫ୍ରାନ୍‌ସରେ ‘ସେଭାଲିଅର‌୍‌’ ଏକ ଉଚ୍ଚ ରାଜଦତ୍ତ ପଦବି ଥିଲା)। ଅନ୍ୟ ଜଣେ ଡିଉକ୍‌ଙ୍କ ପ୍ରସାଦରେ ଆୟୋଜିତ ଏକ ରାତ୍ରିଭୋଜନ ସଭାରେ ନିମନ୍ତ୍ରିତ ହୋଇ ଉପସ୍ଥିତ ଥିବା ଅବସ୍ଥାରେ ରୋହନ୍‌ଙ୍କ ସହିତ ଭଲ୍‌ଟେଆର‌୍‌ଙ୍କର ଏକ ବାକ୍‌ଯୁଦ୍ଧର ସୂତ୍ରପାତ ହୁଏ। ଭଲ୍‌ଟେଆର‌୍‌ ତାଙ୍କର ସ୍ବଭାବସୁଲଭ ଢଙ୍ଗରେ ନିଜର ତୀକ୍ଷ୍‌ଣ ବାଗ୍ମିତା ଓ ଚଟୁଳ ମନ୍ତବ୍ୟମାନ ମାଧୢମରେ ସମସ୍ତଙ୍କୁ ମନ୍ତ୍ରମୁଗ୍‌ଧ କରିବାରେ ଲାଗିଥାନ୍ତି। ଏହି ସମୟରେ ସେଭାଲିଅର‌୍‌ ଭଲ୍‌ଟେଆର‌୍‌ଙ୍କୁ ଶୁଣାଇ ଶୁଣାଇ ପଚାରିଲେ ଯେ ଏତେ ବଡ଼ ପାଟି କରି କଥା କହୁଥିବା ଲୋକଟି କିଏ? ଭଲ୍‌ଟେଆର‌୍‌ ତତ୍‌କ୍ଷଣାତ୍‌ ସେଭାଲିଅର‌୍‌ଙ୍କୁ ସିଧାସଳଖ ଦେଇଥିବା ଉତ୍ତର ଥିଲା: ‘‘ହଜୁର‌୍‌, ସିଏ ହେଉଛି ଏମିତି ଜଣେ ଯିଏ ଏକ ମହାନ୍‌ ନାମ ବହନ କରେ ନାହିଁ, କିନ୍ତୁ ତା’ର ଯେଉଁ ନାମ ଅଛି ସେଥିପାଇଁ ସମ୍ମାନ ଲାଭ କରିଥାଏ।’’

ଭାରତର ଆଜିର ରାଜନୈତିକ ଭାଷାରେ କହିଲେ ଭଲ୍‌ଟେଆର‌୍‌ ସେଠାରେ ‘ନାମ୍‌ଦାର‌୍‌’ ଓ ‘କାମ୍‌ଦାର‌୍‌’ ମଧୢରେ ଏ ଯେଉଁ ସ୍ପଷ୍ଟ ପାର୍ଥକ୍ୟ ସେଭାଲିଅର‌୍‌ଙ୍କ ସମ୍ମୁଖରେ ଦର୍ଶାଇଲେ ତାହାର ମର୍ମ ବୁଝିବା ସେଭାଲିଅର‌୍‌ଙ୍କ ପକ୍ଷରେ କଷ୍ଟକର ନଥିଲା: ସେ ଥିଲେ ଅକର୍ମା ନାମ୍‌ଦାର‌୍‌ ଓ ଭଲ୍‌ଟେଆର‌୍‌ ଥିଲେ ଉତ୍ପାଦନଶୀଳ କାମ୍‌ଦାର‌୍‌। ସେଭାଲିଅର‌୍‌ ଚୁପ୍‌ ରହିବା ବ୍ୟତୀତ ଅନ୍ୟ ଉପାୟ ନଥିଲା। ଯଦି ସେଭାଲିଅର‌୍‌ଙ୍କୁ ଜବାବ ଦେବାର ଧୃଷ୍ଟତା ଭଲ୍‌ଟେଆର‌୍‌ଙ୍କ ପାଇଁ ଏକ ଅପରାଧ ମାତ୍ର ଥିଲା, ତାଙ୍କୁ ଏପରି ଚୁପ୍‌ କରାଇଦେବା ଥିଲା ଅକ୍ଷମଣୀୟ ଅପରାଧ- ଦେଶଦ୍ରୋହ ସଦୃଶ। ପ୍ରତିଶୋଧ ନେବା ପାଇଁ ସେଭାଲିଅର‌୍‌ ଦଳେ ଗୁଣ୍ତାଙ୍କୁ ଲଗାଇ ଭଲ୍‌ଟେଆର‌୍‌ଙ୍କୁ ମାଡ଼ ମାରି ଆହତ କରିଦେଲେ। ରାସ୍ତାରେ ଭଲ୍‌ଟେଆର‌୍‌ ମାଡ଼ ଖାଉଥିବା ବେଳେ ରୋହନ୍‌ ଖଣ୍ତେ ଦୂରରେ ଏକ ଘୋଡ଼ାଗାଡ଼ି ଭିତରେ ବସି ସେ ଦୃଶ୍ୟ ଉପଭୋଗ କରୁଥିଲେ। ପରଦିନ ରୋହନ୍‌ ମନ ଆନନ୍ଦରେ ଏକ ବିଶେଷ ଆସନରେ ବସି ଥିଏଟର‌୍‌ ଦେଖୁଥିବା ବେଳେ ଆହତ ଭଲ୍‌ଟେଆର‌୍‌ ବ୍ୟାଣ୍ତେଜ୍‌ ଗୁଡ଼ା ହୋଇଥିବା ଅବସ୍ଥାରେ ଛୋଟେଇ ଛୋଟେଇ କରି ଆସି ତାଙ୍କ ସମ୍ମୁଖରେ ହାଜର ହୋଇ ସେ ସମୟର ପ୍ରଥା ଅନୁସାରେ ରୋହନ୍‌ଙ୍କୁ ତାଙ୍କ ସହିତ ଏକ ସଶସ୍ତ୍ର ଦ୍ବନ୍ଦ୍ବଯୁଦ୍ଧ ପାଇଁ ଆହ୍ବାନ ଦେଲେ।

ଯଦିବା ଭଲ୍‌ଟେଆର‌୍‌ଙ୍କୁ ଅସି ଚାଳନା ଜଣା ନଥିଲା, ତଥାପି ସେଭାଲିଅର‌୍‌ ଜଣେ ସମ୍ଭ୍ରାନ୍ତ ଯୋଦ୍ଧାଙ୍କ ଭଳି ତାଙ୍କ ଆହ୍ବାନକୁ ଗ୍ରହଣ କରିବା ପରିବର୍ତ୍ତେ ନିଜର କ୍ଷମତାର ଦୁରୁପଯୋଗ କରିବାକୁ ପସନ୍ଦ କଲେ। ସେଭାଲିଅର‌୍‌ଙ୍କ ସମ୍ପର୍କୀୟ ଭ୍ରାତା ଥିଲେ ପୁଲିସ୍‌ ବିଭାଗର ମନ୍ତ୍ରୀ। ତାଙ୍କ ଦ୍ବାରା ସେ ଭଲ୍‌ଟେଆର‌୍‌ଙ୍କୁ ଗିରଫ କରି ଜେଲ୍‌ରେ ଭର୍ତ୍ତି କରାଇ ନେଲେ। ପରେ ସର୍ତ୍ତମୂଳକ ଭାବରେ ସେ ଜେଲ୍‌ରୁ ମୁକୁଳିଲେ। ସର୍ତ୍ତ ହେଲା- ଭଲ୍‌ଟେଆର‌୍‌ ଫ୍ରାନ୍‌ସ ତ୍ୟାଗ କରି ଇ˚ଲାଣ୍ତ୍‌ରେ ଯାଇ ନିର୍ବାସନ ଭୋଗ କରିବେ। ଅତଏବ ୩୨ ବର୍ଷୀୟ ଭଲ୍‌ଟେଆର‌୍‌ ୧୭୨୬ରୁ ୨୯ ପର୍ଯ୍ୟନ୍ତ ତିନି ବର୍ଷ ପାଇଁ ଇ˚ଲାଣ୍ତ୍‌ରେ ଯାଇ ନିର୍ବାସିତ ଜୀବନ ବିତାଇଥିଲେ।

ଏ ଘଟଣାର ପ୍ରାୟ ତିନି ଶତାବ୍ଦୀ ପରେ ନିଜ ପାଇଁ ବୃତ୍ତି ଓ ଖ୍ୟାତି ସନ୍ଧାନରେ ମୁମ୍ବାଇରେ ପହଞ୍ଚି ପ୍ରାୟ ଏକ ଦଶନ୍ଧି ଧରି ସମସ୍ତଙ୍କୁ ଚମତ୍କୃତ କରିଥିବା ସାଧାରଣ ମଧୢବିତ୍ତ ପରିବାରରୁ ଆସିଥିବା ଜଣେ ୩୨ ବର୍ଷୀୟା ଅଭିନେତ୍ରୀଙ୍କୁ ଯେଉଁଭଳି ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡ଼ିଛି, ତାହା ସେଇ ପୂର୍ବ ଘଟଣାର ଏପରି ଏକ ନିଚ୍ଛକ ପ୍ରତିଛବି ଭଳି ମନେହୁଏ, ଯାହା ପ୍ରମାଣିତ କରିଥାଏ ଭଲ୍‌ଟେଆର‌୍‌ଙ୍କ ଅଗ୍ନି ସ˚ଯୋଗ ଦ୍ବାରା ସୃଷ୍ଟ ଫରାସୀ ବିପ୍ଳବର ନିଆଁ କେବଳ ଫ୍ରାନ୍‌ସ ନୁହେଁ, ପ୍ରାୟ ପୃଥିବୀ ସାରା ରାଜତନ୍ତ୍ରକୁ ଭସ୍ମୀଭୂତ କରି ଦେଇଥିଲେ ହେଁ, ଏବେ ବି ନାମ୍‌ଦାର‌୍‌ ଓ କାମ୍‌ଦାର ମାନଙ୍କ ମଧୢରେ ଲଢ଼େଇ ସେଇ ଭଳି ଅବ୍ୟାହତ ରହିଛି, ଯେଉଁଭଳି ସେଭାଲିଅର‌୍‌ ଡି ରୋହନ୍‌ ଓ ଭଲ୍‌ଟେଆର‌୍‌ଙ୍କ ମଧୢରେ ଦେଖିବାକୁ ମିଳିଥିଲା।

କଙ୍ଗନା ରଣାଵତ୍‌ ଭଲ୍‌ଟେଆର‌୍‌ଙ୍କର ଅଲୌକିକ ଧୀଶକ୍ତିର ଅଧିକାରୀ ହୋଇନଥିଲେ ମଧୢ, ତାଙ୍କର ବିଭିନ୍ନ ପ୍ରସଙ୍ଗରେ ପ୍ରଦତ୍ତ ମନ୍ତବ୍ୟମାନ ଯେ ଅନୁରୂପ ଭାବରେ ଶାଣିତ, ତାହା ତାଙ୍କର ଚରମ ବିରୋଧୀମାନେ ମଧୢ ସ୍ବୀକାର କରିବେ; ସେମାନେ ମୁହଁରେ ସ୍ବୀକାର ନକଲେ ମଧୢ ସେମାନଙ୍କର ମାତ୍ରାଧିକ ପ୍ରତିକ୍ରିୟା ତାହା ସାବ୍ୟସ୍ତ କରିଥାଏ। ଏଇଭଳି ଏକ ପ୍ରତିକ୍ରିୟା ଏବେ ଦେଖିବାକୁ ମିଳିଥିଲା ଉଦ୍ଧବ ଠାକ୍‌ରେଙ୍କ ଘନିଷ୍ଠତମ ସହଯୋଗୀ ଓ ମୁଖପାତ୍ର ରାଜ୍ୟସଭା ସା˚ସଦ ସଞ୍ଜୟ ରାଉତଙ୍କ ଠାରୁ, ଯେତେବେଳେ ସେ ହିତାହିତ ଜ୍ଞାନ ହରାଇ କ୍ରୋଧାନ୍ଧ ହୋଇ କଙ୍ଗନାଙ୍କୁ ଗାଳି ଦେଇ କହି ପକାଇଲେ: ‘‘ହାରାମ୍‌ଖୋର‌୍‌ ଲଡକୀ!’’ ହିନ୍ଦୀରେ ଏହା ହେଉଛି ଏକ ଅଶ୍ଳୀଳ ଗାଳି, ଯାହା ଉଦ୍ଧବଙ୍କ ପ୍ରତିନିଧିଙ୍କୁ ଭଲ ରୂପେ ଜଣା। ବର୍ତ୍ତମାନ ବିସ୍ଫୋରକ ରୂପ ନେଇଥିବା ସୁଶାନ୍ତ ସି˚ହ ରାଜପୁତ ଅପମୃତ୍ୟୁ ମାମଲାରେ ମୁମ୍ବାଇ ପୁଲିସ୍‌ର ସନ୍ଦେହଜନକ ଭୂମିକାର ସମାଲୋଚନା କରିବାରୁ କଙ୍ଗନା ଏପରି ଶିବସେନା ମୁଖପାତ୍ରଙ୍କର ଅସଭ୍ୟ ଗାଳିର ନିଶାଣ ହୋଇଥିଲେ। ଏହା ପଛରେ ଯେ ଉଦ୍ଧବଙ୍କ ସମର୍ଥନ ଥିଲା, ତାଙ୍କର ନିରବତା ହେଉଛି ତାହାର ପ୍ରମାଣ।

ଉଦ୍ଧବଙ୍କୁ କଙ୍ଗନାଙ୍କର ଜବାବ ଥିଲା ସେଦିନ ରାତି ଭୋଜି ସଭାରେ ରୋହନ୍‌ଙ୍କୁ ଭଲ୍‌ଟେଆର‌୍‌ ଦେଇଥିବା ଜବାବ ଭଳି। କଙ୍ଗନା କହିଥିଲେ: ‘‘ତୁମର ପିତାଙ୍କ ସୁକୃତ ତୁମକୁ ସମ୍ପଦ ଦେଇପାରେ, କିନ୍ତୁ ନିଜ ପାଇଁ ସମ୍ମାନ ତୁମକୁ ନିଜେ ଅର୍ଜନ କରିବାକୁ ପଡ଼ିଥାଏ। ତୁମେ ମୋର ସ୍ବର ବନ୍ଦ କରି ଦେଇ ପାର, କିନ୍ତୁ ମୋ ପରେ ନିୟୁତ ନିୟୁତ ସ୍ବରରେ ତାର ପ୍ରତିଧ୍ବନି ଶୁଭିବ। କେତେ ସ˚ଖ୍ୟକ ମୁହଁ ତୁମେ ବନ୍ଦ କରି ଦେଇ ପାରିବ? ... ତୁମେ ହେଉଛ କେବଳ ଏକ ବ˚ଶର ନମୁନା ମାତ୍ର।’’ ସେଭାଲିଅର‌୍‌ ରୋହନ୍‌ ଗୁଣ୍ତା ଲଗାଇ ଭଲ୍‌ଟେଆର‌୍‌ଙ୍କ ଗୋଡ଼ହାତ ଭାଙ୍ଗି ଦେଇଥିଲେ ଓ ପୁଲିସ୍‌ ଲଗାଇ ତାଙ୍କୁ ଜେଲ୍‌ରେ ଭର୍ତ୍ତି କରି ଦେଇଥିଲେ; ଉଦ୍ଧବ ଠାକ୍‌ରେଙ୍କ ସରକାର ମୁମ୍ବାଇ ନଗର ପାଳିକାକୁ ଲଗାଇ କଙ୍ଗନାଙ୍କ ଘର ଭାଙ୍ଗି ଦେଇଛନ୍ତି ଓ ତାଙ୍କ ପୁଲିସ୍‌ କଙ୍ଗନାଙ୍କ ନାମରେ ଆପରାଧିକ ମାମଲା ରୁଜୁ କରି ଦେଇଛି।

ଭଲ୍‌ଟେଆର‌୍‌ଙ୍କ କଲମ ଓ ଜିହ୍ବା ଶେଷରେ ବୋର୍ବୋନ୍‌ ରାଜତ୍ବର ଅନ୍ତ ଘଟାଇଥିଲା। କଙ୍ଗନାଙ୍କ ସହିତ ଲଢ଼େଇର ବର୍ତ୍ତମାନ ପର୍ଯ୍ୟନ୍ତର ପରିଣାମ ସ୍ବରୂପ ଅଯୋଧୢାର ସନ୍ଥ ସମାଜ, ଆଖଡ଼ା ପରିଷଦ ଉଦ୍ଧବ ଠାକ୍‌ରେଙ୍କ ଅଯୋଧୢା ପ୍ରବେଶ ଉପରେ ନିଷେଧାଦେଶ ଲଗାଇଛନ୍ତି। ଉଦ୍ଧବଙ୍କ ସମର୍ଥକମାନେ ଜଣେ ଅବସରପ୍ରାପ୍ତ ନୌବାହିନୀ ଅଫିସରଙ୍କ ଉପରେ ଆକ୍ରମଣ କରି ଉଦ୍ଧବଙ୍କ ଦେଶାତ୍ମବୋଧ ଉପରେ ପ୍ରଶ୍ନବାଚୀ ଲଗାଇଛନ୍ତି। ଶିବସେନାର ଦୁଇ ମୁଖ୍ୟ ଆଧାର- ହିନ୍ଦୁତ୍ବ ଓ ଦେଶଭକ୍ତି ଏପରି ଦୁର୍ବଳ ହେବା ପରେ ଉଦ୍ଧବ ଠାକ୍‌ରେ ଏବେ ପ୍ରାଣ ବିକଳରେ ଏକମାତ୍ର ବାକି ରହିଥିବା ଆଧାର- ସ˚କୀର୍ଣ୍ଣ ଆଞ୍ଚଳିକତାର ଶରଣାପନ୍ନ ହୋଇ ମରାଠା ସ˚ରକ୍ଷଣ ପ୍ରସଙ୍ଗ ଉଠାଇଛନ୍ତି। କିଏ ଜାଣେ ଏହି ନାମ୍‌ଦାର-କାମ୍‌ଦାର ଯୁଦ୍ଧରେ ଶେଷରେ ତାଙ୍କୁ ବୋର୍ବୋନ୍‌ ରାଜବ˚ଶର ଦଶା ଭୋଗ କରିବାକୁ ନପଡ଼ିବ?