ଜୀବନର ଚିହ୍ନ

ଯେଉଁମାନେ ପୃଥିବୀ ଗ୍ରହରେ ଜୀବନକୁ ଚିରସ୍ଥାୟୀ ବୋଲି ବିଶ୍ବାସ କରିଥାନ୍ତି, ସେମାନଙ୍କର ସେଇ ଭ୍ରମ ଧାରଣା ଦୂର କରିବା ପାଇଁ ଜ୍ୟୋତିର୍ବିଜ୍ଞାନୀମାନେ ସେମାନଙ୍କୁ ଚେତାଇ ଦେଇଥାନ୍ତି ଯେ ଏଠାରେ ଜୀବନର ମୂଳାଧାର ଖୋଦ୍‌ ସୂର୍ଯ୍ୟ ନାମକ ତାରାର ଜୀବନ କାଳ ମଧୢ ସୀମିତ ଏବ˚ ସେଥିରୁ ଅଧା ସମୟ ବିତିଯାଇ ସାରିଲାଣି। ଆଉ ମାତ୍ର ୫୦୦ କୋଟି ବର୍ଷ ମଧ୍ୟରେ ସୂର୍ଯ୍ୟର ମୁଖ୍ୟ ଇନ୍ଧନ ଉଦ୍‌ଯାନ ସରି ଯାଇ ତାହା ଏକ କେବଳ ହିଲିଅମ୍‌ପୂର୍ଣ୍ଣ ‘ଲାଲ୍‌ ବାମନ’ରେ ପରିଣତ ହୋଇଯିବ। ତା’ର ବହୁ ପୂର୍ବରୁ ପୃଥିବୀ ପୃଷ୍ଠରେ ସମସ୍ତ ପ୍ରକାର ଜୀବନ ଲୋପ ପାଇ ଯାଇ ସାରିଥିବ। ଏହାର କାରଣ ହେଲା ଆଉ ୨୦୦ କୋଟି ବର୍ଷ ପରେ ସୂର୍ଯ୍ୟ ତାର ଶେଷ ନିଃଶ୍ବାସ ନେବା ଆରମ୍ଭ କରିବା ପୂର୍ବରୁ ଲିଭିବା ପୂର୍ବର ଦୀପ ଜୋର‌୍‌ରେ ଜଳି ଉଠିବା ପରି ତା’ର ଉଜ୍ଜ୍ବଳତାରେ ପ୍ରାୟ ୧୫ ଶତା˚ଶ ବୃଦ୍ଧି ଘଟିବ।

ଏହି ଉଜ୍ଜ୍ବଳତା ବୃଦ୍ଧିର ପୃଥିବୀ ପାଇଁ ତତ୍ପର୍ଯ୍ୟ ସମ୍ବନ୍ଧରେ ଏକ ଧାରଣା ଦେବା ସକାଶେ କୁହାଯାଏ ଯେ ପୃଥିବୀ ଯଦି ବର୍ତ୍ତମାନର ସୂର୍ଯ୍ୟର ନିକଟତର ହୋଇ ଶୁକ୍ର ଗ୍ରହର କକ୍ଷପଥକୁ ଚାଲି ଯାଆନ୍ତା, ଏଠାରେ ଯେଉଁ ଅବସ୍ଥା ହୁଅନ୍ତା, ସେତେବେଳେ ସୂର୍ଯ୍ୟର ଉଜ୍ଜ୍ବଳତା ବୃଦ୍ଧିର ପ୍ରଭାବ ଆମ ପାଇଁ ସେହିପରି ହେବ। ଶୁକ୍ର ଗ୍ରହ ପୃଷ୍ଠରେ ଉତ୍ତାପ ହେଉଛି ୪୦୦ ଡିଗ୍ରି ସେଲ୍‌ସିଅସ୍‌ରୁ ଅଧିକ, ଯେଉଁ କାରଣରୁ ଆକାର ଓ ଗଠନରେ ପ୍ରାୟ ପୃଥିବୀ ପରି ହୋଇଥିଲେ ହେଁ ସୂର୍ଯ୍ୟଙ୍କର ଏହି ଦ୍ବିତୀୟ ନିକଟତମ ଗ୍ରହରେ କୌଣସି ଜୀବନ ତିଷ୍ଠିବା ସମ୍ଭବ ହୋଇ ନଥାଏ।

ବର୍ତ୍ତମାନ ଯାହା ମନେହେଲାଣି ପୃଥିବୀ ପୃଷ୍ଠରେ ଜୀବନର ସମସ୍ତ ଚିହ୍ନ ଲୋପ ପାଇବାର ଏହି ସମ୍ଭାବନା ସମ୍ବନ୍ଧରେ ସାଧାରଣ ଲୋକଙ୍କ ଠାରେ ବିଶ୍ବାସ ଜନ୍ମାଇବା ପାଇଁ ବୈଜ୍ଞାନିକମାନଙ୍କୁ ଅନ୍ୟ କିଛି ତୁଳନାର ବ୍ୟବହାର କରିବାକୁ ପଡ଼ିବ- ଶୁକ୍ରର ନୁହେଁ। କାରଣ ସଦ୍ୟ ପ୍ରକାଶିତ ଏକ ଖବର ଅନୁସାରେ (ଏହି ସମ୍ବାଦପତ୍ରର ବୁଧବାର ସ˚ସ୍କରଣ ଦ୍ରଷ୍ଟବ୍ୟ) ବର୍ତ୍ତମାନ କେତେକ ଅନୁସନ୍ଧାନକାରୀ ବୈଜ୍ଞାନିକ ବର୍ତ୍ତମାନର ଶୁକ୍ର ଗ୍ରହରେ ମୌଳିକ ଜୀବନର ଉପସ୍ଥିତିର ସନ୍ଧାନ ପାଇଛନ୍ତି। ଆମକୁ ଏହି ଖବର ଅବିଶ୍ବାସ୍ୟ ମନେ ହେବା ପରି ସମ୍ପୃକ୍ତ ବୈଜ୍ଞାନିକମାନଙ୍କୁ ମଧୢ ପ୍ରଥମେ ଏହା ଅବିଶ୍ବାସ୍ୟ ମନେ ହୋଇଥିଲା, କିନ୍ତୁ ଏକାଧିକ ସ୍ଥାନରୁ ଏହି ସୁପରିଚିତ ପାହାନ୍ତିଆ ତାରା ରୂପେ ଆକାଶରେ ଏକ ହୀରା ଭଳି ଝଟକୁଥିବା ଗ୍ରହକୁ ନିରୀକ୍ଷଣ କରି ଅନୁଶୀଳନ କଲା ପରେ ସେମାନେ ପ୍ରାୟ ଏକ ନିଶ୍ଚିତ ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ ସେ ଗ୍ରହର ବାଦଲ ଆସ୍ତରଣରେ ବା ବାୟୁମଣ୍ତଳରେ ଦେଖାଯାଉଥିବା ଏକ ବାଷ୍ପ କେବଳ ଏକ ଜୈବିକ ସୂତ୍ରରୁ ହିଁ ନିର୍ଗତ ହେଉଥିବ।

‘ଫିସ୍‌ଫିନ୍‌’ ନାମକ ଏହି ବାଷ୍ପ ସେଠାରେ କେଉଁଠୁ ଆସିଲା ସେ ସମ୍ବନ୍ଧରେ ବୈଜ୍ଞାନିକମାନେ ବିଭିନ୍ନ ବିକଳ୍ପ ସମ୍ଭାବନାକୁ ବିଚାରକୁ ନେଇ ଶେଷରେ ପୃଥିବୀ ପୃଷ୍ଠରେ ହିଁ ଏହି ବିଷାକ୍ତ ବାଷ୍ପର ଉତ୍ପତ୍ତିକୁ ମାର୍ଗଦର୍ଶିକା ରୂପେ ଗ୍ରହଣ କରିଛନ୍ତି। ପୃଥିବୀ ପୃଷ୍ଠରେ ଯେଉଁ ‘ଫିସ୍‌ପିନ୍‌’ ବାଷ୍ପ ଦେଖାଯାଏ, ତାହା କେବଳ କେତେକ ଅଣୁ-ଜୀବ ବା ‘ମାଇକ୍ରୋବ୍‌’ ମାନଙ୍କ ଦ୍ବାରା ଉତ୍ପନ୍ନ ହୋଇଥାଏ। ଅର୍ଥାତ୍‌ କୌଣସି ସ୍ଥାନରେ ‘ଫିସ୍‌ପିନ୍‌’ର ଉପସ୍ଥିତି ସେଠାରେ ଜୀବନର ଉପସ୍ଥିତିକୁ ନିଶ୍ଚିତ ଓ ନିର୍ଦ୍ଦିଷ୍ଟ ଭାବରେ ସୂଚାଇଥାଏ। ଶୁକ୍ରର ବାୟୁମଣ୍ତଳରେ ‘ଫିସ୍‌ପିନ୍‌’ର ଉପସ୍ଥିତି ତେଣୁ ଦୁଇଟି ସମ୍ଭାବନା ସୂଚାଇ ଥାଏ ବୋଲି ବୈଜ୍ଞାନିକମାନେ କହନ୍ତି: ସେଠାରେ ସମ୍ପୃକ୍ତ ‘ମାଇକ୍ରୋବ୍‌’ ଉପସ୍ଥିତ ଅଛନ୍ତି କିମ୍ବା କୌଣସି ଏକ ଅଜଣା ରାସାୟନିକ ପ୍ରକ୍ରିୟାରେ ସେଠାରେ ଏହା ଉତ୍ପନ୍ନ ହେଉଛି ଯାହା ବିଷୟରେ ପୃଥିବୀସ୍ଥିତ ବୈଜ୍ଞାନିକମାନଙ୍କୁ ଜଣାନାହିଁ।

ପୃଥିବୀ ବାହାରେ ଜୀବନର ସନ୍ଧାନ ଦୀର୍ଘକାଳ ଧରି ଉଭୟ ବୈଜ୍ଞାନିକ ତଥା ଅଣବୈଜ୍ଞାନିକ ସୌଖୀନ ଅନୁସନ୍ଧାନକାରୀମାନଙ୍କ ପାଇଁ ଏକ ନିଶାରେ ପରିଣତ ହୋଇଛି। କେତେକ ବୈଜ୍ଞାନିକ ଏଥିପାଇଁ କେଉଁ ପଦ୍ଧତି ଅନୁସରଣ କରିବା ଠିକ୍‌ ହେବ, ତାହା ସ୍ଥିର କରିବା ପାଇଁ ସମସ୍ୟାଟିକୁ ଓଲଟାଇ ଦେଇ ଦେଖିଥାନ୍ତି। ଯଦି ପୃଥିବୀ ବାହାରେ ଥିବା କୌଣସି ଗ୍ରହର ବୁଦ୍ଧିମାନ ଜୀବମାନେ ମଧୢ ଆମ ଭଳି ସେମାନଙ୍କ ଗ୍ରହ ବାହାରେ ଜୀବନର ସନ୍ଧାନ କରୁଥାନ୍ତି, ତେବେ ପୃଥିବୀ ନାମକ ଗ୍ରହ ଉପରେ ଦୃଷ୍ଟି ନିବଦ୍ଧ କଲେ ସେମାନେ ପ୍ରଥମେ ଏଠାରେ ଜୀବନ ଥିବାର ଯେଉଁ ମୌଳିକ ସ˚କେତକୁ ଠାବ କରିବାକୁ ଚାହାଁନ୍ତେ, ତାହା ‘ଫସ୍‌ଫିନ୍‌’ର ଉପସ୍ଥିତି ବୋଲି ଏହି ବୈଜ୍ଞାନିକମାନେ ବିଶ୍ବାସ କରନ୍ତି।

ବ୍ରିଟେନ୍‌ର ଓେଲ୍‌ସସ୍ଥିତ କାର୍ଡିଫ୍‌ ବିଶ୍ବବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀ ଜେନ୍‌ ଗ୍ରିଭ୍‌ସ ଶୁକ୍ର ଗ୍ରହ ଉପରେ ଏହି ନିୟମ ପ୍ରୟୋଗ କରିବାକୁ ସ୍ଥିର କଲେ। ଶୁକ୍ରରେ ଜୀବନର ସନ୍ଧାନ ଏକ ଉଦ୍ଭଟ ପରିକଳ୍ପନା ପରି ମନେ ହେଉଥିଲେ ହେଁ, କି˚ବଦନ୍ତି ପାଲଟିଥିବା ବିଚକ୍ଷଣ ମହାକାଶ ଜୈବବିଜ୍ଞାନୀ ତଥା ଲୋକପ୍ରିୟ ବିଜ୍ଞାନ ଲେଖକ ସ୍ବର୍ଗତ କାର୍ଲ ସେଗାନ୍‌ ୧୯୬୭ରେ ଏଭଳି ସମ୍ଭାବନା ସମ୍ବନ୍ଧରେ ଏକ ସନ୍ଦର୍ଭ ପ୍ରକାଶ କରି ଏ କ୍ଷେତ୍ରରେ ସମ୍ପୃକ୍ତ ଥିବା ବୈଜ୍ଞାନିକ ତଥା ଅନୁସନ୍ଧିତ୍ସୁ ମହଲରେ ଏକ ଆଗ୍ରହ ଓ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ। ବୈଜ୍ଞାନିକା ଜେନ୍‌ ଗ୍ରିଭ୍‌ସ ସେଗାନ୍‌ଙ୍କୁ ଅନୁସରଣ କଲା ଭଳି ଶୁକ୍ରର ଏକ ସ୍ପଷ୍ଟ ଚିତ୍ର ଦେଖିପାରିବା ପାଇଁ ପ୍ରଶାନ୍ତ ମହାସାଗରର ହାଵାଇ ଦ୍ବୀପ ପୁଞ୍ଜରେ ଖଞ୍ଜା ଯାଇଥିବା ଏକ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ଦେଇ ଶୁକ୍ର ଗ୍ରହ ଉପରେ ନିଜର ଶ୍ୟେନ ଦୃଷ୍ଟି ନିବଦ୍ଧ କଲେ।

ଗ୍ରିଭ୍‌ସ କହିଛନ୍ତି ଯେ ସେ ଏ ଉଦ୍ୟମ ଆରମ୍ଭ କଲାବେଳେ ପ୍ରକୃତରେ ଶୁକ୍ରରେ ‘ଫିସ୍‌ଫିନ୍‌’ର ସନ୍ଧାନ ପାଇବେ ବୋଲି ଆଦୌ ଆଶା ରଖିନଥିଲେ। ସେ ତେଣୁ ଯେତେବେଳେ ନିଜର ଦୂରବୀକ୍ଷଣ ଦେଇ ଶୁକ୍ରର ବାୟୁମଣ୍ତଳରେ ସତରେ ‘ଫିସ୍‌ଫିନ୍‌’ ବାଷ୍ପର ସ୍ବାକ୍ଷର ଦେଖିବାକୁ ପାଇଲେ, ପ୍ରଥମେ ବିଶ୍ବାସ କରିପାରିଲେ ନାହିଁ। ‘ଫିସ୍‌ଫିନ୍‌’ରୁ ଏକ ଆଲୋକର ଛଟା ନିର୍ଗତ ହୋଇଥାଏ; ଜେନ୍‌ ଗ୍ରିଭ୍‌ସ ଶୁକ୍ରକୁ ଢାଙ୍କି ରହିଥିବା ବାଦଲରେ ସେଇ ଭଳି ଏକ ଆଲୋକ ଛଟା ଦେଖିବାକୁ ପାଇଥିଲେ। ଦକ୍ଷିଣ ଆମେରିକାର ଅଗ୍ର ଭାଗ ଚିଲିରେ ସ୍ଥାପିତ ଅନ୍ୟ ଏକ ଦୂରବୀକ୍ଷଣ ଯନ୍ତ୍ରରେ ମଧୢ ସେଇ ଆଲୋକର ଛଟା ଦେଖିବାକୁ ମିଳିଲା। ଜେନ୍‌ ଗ୍ରିଭ୍‌ସ ଏଥର ଅଧିକ ନିଶ୍ଚିତ ହୋଇ ଏ କ୍ଷେତ୍ରରେ ଜଣେ ଜଣାଶୁଣା ବିଶେଷଜ୍ଞ ଆମେରିକାର ପ୍ରସିଦ୍ଧ ‘ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି’ (‘ଏମ୍‌ଆଇଟି’)ର ଗବେଷିକା କ୍ଲାରା ସୋସା-ସିଲ୍‌ଭାଙ୍କ ସହିତ ସମ୍ପର୍କ ସ୍ଥାପନ କଲେ। ସୋସା-ସିଲ୍‌ଭା ହେଉଛନ୍ତି ‘ଫିସ୍‌ଫିନ୍‌’କୁ ନେଇ ଗବେଷଣା କରିଥିବା ପୃଥିବୀର ଜଣେ ଅଗ୍ରଣୀ ବୈଜ୍ଞନିକ। ସେ ମଧୢ ଗ୍ରିଭ୍‌ସଙ୍କ ଆବିଷ୍କାରକୁ ସମର୍ଥନ କଲେ।

ଶୁକ୍ର ପୃଷ୍ଠର ଉତ୍ତାପ ଏକ ଅସହନୀୟ ୪୬୦ ଡିଗ୍ରି ସେଲ୍‌ସିଅସ୍‌ ହୋଇଥିଲେ ହେଁ, ତା’ର ବାୟୁମଣ୍ତଳର ଉପରି ଭାଗରେ ଅଧିକ ସହନୀୟ ଶୀତଳ ପରିବେଶ ଉପଲବ୍‌ଧ ହୋଇଥାଏ, ପାଖାପାଖି ପୃଥିବୀ ଭଳି। ଏହି ଅଞ୍ଚଳରେ ହିଁ ଦୂରବୀକ୍ଷଣରେ ‘ଫିସ୍‌ଫିନ୍‌’ର ସ୍ବାକ୍ଷର ଦେଖିବାକୁ ମିଳିଥାଏ। କିନ୍ତୁ ଶୁକ୍ରର ବାଦଲରେ ଏତେ ପରିମାଣରେ ଗନ୍ଧକାମ୍ଳ (ସଲଫୁରିକ୍‌ ଏସିଡ୍‌) କଣିକା ଭରି ହୋଇ ରହିଥାଏ ଯେ ତାହାର ସ˚ସ୍ପର୍ଶରେ ଆସି ‘ଫିସ୍‌ଫିନ୍‌’ ବେଶି ସମୟ ତିଷ୍ଠି ରହିପାରିବ ନାହିଁ। ଏଣୁ ପ୍ରଶ୍ନ ଉଠେ ‘ଫିସ୍‌ଫିନ୍‌’ର ସ୍ବାକ୍ଷର ତେବେ ସର୍ବଦା କିପରି ଦେଖିବାକୁ ମିଳୁଛି? ଏ ପ୍ରଶ୍ନର ଏକ ସମ୍ଭାବ୍ୟ ଉତ୍ତର ହେଲା- ସେଠାରେ ନିୟମିତ ଭାବରେ ‘ଫିସ୍‌ଫିନ୍‌’ ଉତ୍ପନ୍ନ ହୋଇ ଚାଲିଛି। ଏହା ଉତ୍ପନ୍ନ ହୁଏ କେବଳ ଅଣୁଜୀବମାନଙ୍କ ଦ୍ବାରା। ଅନୁସନ୍ଧିତ୍ସୁମାନେ ଏଥର ସିଦ୍ଧାନ୍ତ ବାହାର କରନ୍ତୁ- ଶୁକ୍ରରେ ଜୀବନ ଅଛି ନା ନାହିଁ?

ସମ୍ବନ୍ଧିତ ଖବର