ଅସଲି ବନ୍ଧୁ

୨୦୧୭ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଇସ୍ରାଏଲ୍‌ ଗସ୍ତ ଏବଂ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କର ଚଳିତ ଭାରତ ଗସ୍ତ ଯଦି ସେମାନଙ୍କର ଉଷ୍ମତା, ନିବିଡ଼ତା ଓ ଆଡ଼ମ୍ବରରେ ଅନ୍ୟ ଏଭଳି କୂଟନୈତିକ ଗସ୍ତମାନଙ୍କୁ ବହୁ ପଛରେ ପକାଇ ଦେବା ଭଳି ମନେ ହେଉଥାଏ, ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ଇସ୍ରାଏଲ୍‌ ୧୯୪୮ରେ ଏକ ସ୍ୱାଧୀନ ଦେଶ ରୂପେ ପ୍ରତିଷ୍ଠିତ ହେବା ସମୟରୁ ଭାରତ ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ ପାଇଁ ସର୍ବଦା ଆଗ୍ରହ ପ୍ରକାଶ କରି ଆସିଥିଲେ ହେଁ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ଶାସନ କ୍ଷମତାକୁ ଆସିବା ପରେ ଯାଇ ଭାରତ ଏ ଦିଗରେ ପ୍ରଥମ ପଦକ୍ଷେପ ନେବାକୁ ସାହସ କରିଥିଲା। ଇସ୍ରାଏଲ୍‌ ସହିତ ଘନିଷ୍ଠତା ମୁସଲମାନ ଆରବ ଦେଶମାନଙ୍କୁ ତଥା ଭାରତୀୟ ମୁସଲମାନ ଜନସମୁଦାୟଙ୍କୁ ବିମୁଖ କରିବ ବୋଲି ଭାରତର ସମସ୍ତ ସରକାରମାନେ ସର୍ବଦା ବିଚାର କରି ଆସୁଥିଲେ। ଭାଜପାର ଲାଲକୃଷ୍ଣ ଆଡ଼ଭାନୀ ଯେତେବେଳେ ୨୦୦୦ ସାଲରେ ଇସ୍ରାଏଲ୍‌ ଗସ୍ତରେ ଗଲେ, ଏପରି କରିବାରେ ସେ ଥିଲେ ଭାରତର ପ୍ରଥମ ଗୃହମନ୍ତ୍ରୀ। ରାଜନାଥ ସିଂହ ଗୃହମନ୍ତ୍ରୀ ହେବା ପରେ ଯେତେବେଳେ ପ୍ରଥମ ଥର ପାଇଁ ବିଦେଶ ଗସ୍ତରେ ଗଲେ, ସେତେବେଳେ ଇସ୍ରାଏଲ୍‌କୁ ହିଁ ତାଙ୍କର ଗନ୍ତବ୍ୟ ସ୍ଥଳ ରୂପେ ବାଛିଥିଲେ। ଏଣୁ ମୋଦୀ-ନେତାନ୍ୟାହୁ ଘନିଷ୍ଠତା ନେଇ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ।

ଭାରତର ଚିରଶତ୍ରୁ ପାକିସ୍ତାନ ଏପରି ଭାରତ-ଇସ୍ରାଏଲ୍‌ ଘନିଷ୍ଠତାକୁ ଅବଶ୍ୟ ସନ୍ଦେହ ଚକ୍ଷୁରେ ଦେଖୁଛି। ସେ ଦେଶରେ ଆଡ୍‌ଡା ଜମାଇଥିବା ଇସ୍‌ଲାମୀୟ ଆତଙ୍କବାଦୀ ଗୋଷ୍ଠୀମାନେ ଏହାକୁ ମୁସଲମାନ ଦେଶ ପାକିସ୍ତାନ ବିରୁଦ୍ଧରେ ଏକ ହିନ୍ଦୁ-ଇହୁଦୀ ଚକ୍ରାନ୍ତ ରୂପେ ବିଚାର କରୁଛନ୍ତି। ଏହାର ପ୍ରମାଣ ସ୍ୱରୂପ ସେମାନେ ୨୦୦୮ରେ ରଚନା କରିଥିବା ମୁମ୍ବାଇ ଗଣହତ୍ୟାକାରୀ ଆକ୍ରମଣରେ ନରିମନ୍‌ ଚାବାଦ୍‌ ହାଉସ୍‌ ଇହୁଦୀ କେନ୍ଦ୍ରକୁ ଅନ୍ୟତମ ନିଶାଣ ରୂପେ ବାଛିଥିଲେ। ପାକିସ୍ତାନର ସାମରିକ ବିଶାରଦମାନେ ସେଠାକାର ସରକାର ଓ ସାମରିକ ବାହିନୀକୁ ସାବଧାନ କରି ଚାଲିଛନ୍ତି ଯେ ଇସ୍ରାଏଲ୍‌ର ଅତ୍ୟାଧୁନିକ ସାମରିକ ଜ୍ଞାନକୌଶଳ ଓ ସରଞ୍ଜାମ ବ୍ୟବହାର କରି ଭାରତ କୌଣସି ଯୁଦ୍ଧ ସମୟରେ ପାକିସ୍ତାନର ଅଭ୍ୟନ୍ତରରେ ରହିଥିବା ଆଣବିକ ଅସ୍ତ୍ରଭଣ୍ଡାର ଓ କ୍ଷେପଣାସ୍ତ୍ର ଘାଟି ଆଦି ଉପରେ ଲକ୍ଷ୍ୟଭେଦୀ ଆକ୍ରମଣ କରି ସେସବୁକୁ ଧ୍ୱଂସ କରି ଦେଇପାରେ। ଏହା ପାକିସ୍ତାନ ଭାରତ ସହିତ ମୁକାବିଲାରେ ନିୟମିତ ବ୍ୟବହାର କରି ଆସୁଥିବା ଆଣବିକ ଆକ୍ରମଣ ଧମକକୁ ଏକ ଫମ୍ପା ଧମକରେ ପରିଣତ କରିଦେବ।

ନିକଟ ଅତୀତରେ ପ୍ରତିରକ୍ଷା କ୍ଷେତ୍ରରେ ସର୍ବାଧୁନିକ ଜ୍ଞାନକୌଶଳ ଯୋଗାଇବାରେ ଭାରତ ପାଇଁ ଇସ୍ରାଏଲ୍‌ ଏକ ଅତ୍ୟନ୍ତ ନିର୍ଭରଶୀଳ ଯୋଗାଣକାରୀ ଦେଶ ରୂପେ ଆବିର୍ଭୂତ ହୋଇଛି। ସୀମା ସୁରକ୍ଷାଠାରୁ ଆରମ୍ଭ କରି ଶତ୍ରୁ ଦେଶ ଅଭ୍ୟନ୍ତରରେ ଆକ୍ରମଣ ପର୍ଯ୍ୟନ୍ତରେ ଏସବୁ ଭାରତୀୟ ସେନାର ଦକ୍ଷତା ବୃଦ୍ଧିରେ ସହାୟକ ହୋଇଛି। ଚାଳକ ବିହୀନ ବ୍ୟେମଯାନ, ଉତ୍ତାପ ଆଧାରିତ ଛବି ସୃଷ୍ଟି (ଥର୍ମାଲ୍‌ ଇମେଜିଂ), ରାତି ଅନ୍ଧାରରେ ଦେଖିବା ପାଇଁ ନାଇଟ୍‌ ଭିଜନ୍‌ ଉପକରଣ ଏବଂ ମାନବ ବିହୀନ ଗ୍ରାଉଣ୍ଡ ସେନସର୍‌ (ଯାହା ଭୂଇଁରେ ଶତ୍ରୁପକ୍ଷର କାର୍ଯ୍ୟକଳାପ ଧରିପକାଏ) ଆଦି ଏଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ ସାମରିକ ଉପକରଣମାନ ମଧ୍ୟରେ ଅନ୍ତର୍ଭୁକ୍ତ। ଅତ୍ୟାଧୁନିକ ସାମରିକ ଜ୍ଞାନକୌଶଳ ଉଦ୍ଭାବନରେ ଇସ୍ରାଏଲ୍‌ ହେଉଛି ପୃଥିବୀର ଅଗ୍ରଣୀ ଦେଶ। ଚତୁର୍ଦ୍ଦିଗରେ ଶତ୍ରୁ ପରିବେଷ୍ଟିତ ଏହି କ୍ଷୁଦ୍ର ଦେଶଟି ଏହା ସାହାଯ୍ୟରେ ହିଁ ଶତ୍ରୁମାନଙ୍କୁ ପ୍ରତିହତ କରି ତିଷ୍ଠି ରହିପାରିଛି। ଇହୁଦୀମାନେ ପୃଥିବୀର ସର୍ବାଧିକ ବୁଦ୍ଧିମାନ ଜାତି ରୂପେ ସ୍ୱୀକୃତ। ଏହି ବୁଦ୍ଧି ହିଁ ହେଉଛି ସେଠାରେ ଆଧୁନିକ ଜ୍ଞାନକୌଶଳ ସୃଷ୍ଟିର ଆଧାର। ଭାରତୀୟ ସେନାବାହିନୀ ପାଇଁ ଉପରୋକ୍ତ ଅତ୍ୟାଧୁନିକ ଉପକରଣମାନ କିପରି ଉପଯୋଗୀ ଓ ଫଳପ୍ରଦ ହୋଇଛି ତାହା ନିକଟ ଅତୀତରେ ପାକିସ୍ତାନ ସୀମାରେ ଇସଲାମୀୟ ଆତଙ୍କବାଦୀ ଅନୁପ୍ରବେଶ ପ୍ରତିରୋଧରେ ହାସଲ ହୋଇଥିବା ସଫଳତାରୁ ଜଣାପଡ଼ିଥାଏ। କିନ୍ତୁ ଆତଙ୍କବାଦର ମୁକାବିଲା ଉଭୟ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ହେଁ, ଏବଂ ଉଭୟ ଦେଶ ମଧ୍ୟରେ ସହଯୋଗ ଏହି ମୁକାବିଲାକୁ ଶକ୍ତିଶାଳୀ କରୁଥିଲେ ହେଁ, କୂଟନୈତିକ ଦୃଷ୍ଟିରୁ ଉଭୟ ଦେଶର ଆଭିମୁଖ୍ୟରେ କିଛିଟା ଫରକ୍‌ ରହିବାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଇସ୍ରାଏଲ ଯେଉଁ ଦେଶକୁ ତା’ର ସ୍ଥିତି ଓ ନିରାପତ୍ତା ପ୍ରତି ସର୍ବାଧିକ ବିପଦ ସୃଷ୍ଟି କରୁଛି ବୋଲି ବିଚାର କରିଥାଏ, ତାହା ହେଉଛି ଇରାନ। ଇରାନ ସହିତ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ୍‌ ଓବାମା ଯେତେବେଳେ ଆଣବିକ ଚୁକ୍ତି କଲେ, ଇସ୍ରାଏଲ ତାହାର ପ୍ରବଳ ବିରୋଧ କରିଥିଲା। ଇରାନ ଦ୍ୱାରା ପରିପୁଷ୍ଟ ହେଜ୍‌ବୋଲା ଆତଙ୍କବାଦୀ ସଂଗଠନ ଇସ୍ରାଏଲର ବିଲୋପ ପାଇଁ ପ୍ରତିଶ୍ରୁତିବଦ୍ଧ। ଅପରପକ୍ଷେ ଇରାନ ହେଉଛି ଭାରତର ଏକ ପାରମ୍ପରିକ ବନ୍ଧୁରାଷ୍ଟ୍ର। ପାକିସ୍ତାନକୁ ତା’ର ପଶ୍ଚିମ ପଟରୁ ଘେରିବା ପାଇଁ ଭାରତ ଆଫଗାନିସ୍ତାନକୁ ସାହାଯ୍ୟ ସହଯୋଗ ଦେବାକୁ ଯେଉଁ ଉଦ୍ୟମ ଚଳାଇଛି, ଇରାନ ସେଥିରେ ସହାୟକ ହେଉଛି। ଭୂମି-ଆବଦ୍ଧ ଆଫଗାନିସ୍ତାନକୁ ଯିବା ପାଇଁ ଇରାନ ଭାରତକୁ ବାଟ ଯୋଗାଇ ଦେଉଛି। ଭାରତ ସହଯୋଗରେ ନିର୍ମିତ ଚବାହର ବନ୍ଦର ଏହାର ଏକ ପ୍ରକୃଷ୍ଟ ଉଦାହରଣ।

ଏଣୁ ଇସ୍ରାଏଲ ସହିତ ଘନିଷ୍ଠତା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଭାରତକୁ ଏକ ସୂକ୍ଷ୍ମ ସନ୍ତୁଳନ ରକ୍ଷା କରିବାକୁ ପଡ଼ିବ। ଇସ୍ରାଏଲ ପ୍ରତି ମଧ୍ୟ ଏହା ପ୍ରଯୁଜ୍ୟ। ସନ୍ତୋଷର କଥା ଉଭୟ ଦେଶ ଯେ ଏ ସମ୍ବନ୍ଧରେ ସଚେତନ ଅଛନ୍ତି ତାହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ଜେରୁସେଲମ୍‌କୁ ଆମେରିକା ଇସ୍ରାଏଲର ସ୍ଥାୟୀ ରାଜଧାନୀ ରୂପେ ସ୍ୱୀକୃତି ଘୋଷଣା କରିବା ପରେ ମିଳିତ ଜାତିଂସଘରେ ଏହାକୁ ନିନ୍ଦା କରି ଅଣା ଯାଇଥିବା ପ୍ରସ୍ତାବ ସପକ୍ଷରେ ଭାରତ ମତଦାନ କରିଥିଲା। ପାଲେଷ୍ଟାଇନ୍‌ ସମ୍ପର୍କରେ ଭାରତ ପାରମ୍ପରିକ ଭାବରେ ପୋଷଣ କରିଆସିଥିବା ଆଭିମୁଖ୍ୟର ଏହା ଅଂଶବିଶେଷ ଥିଲା। ଭାରତର ଏହି ଆଚରଣର ସୁଫଳ ଖୁବ୍‌ ଶୀଘ୍ର ଦେଖିବାକୁ ମିଳିଲା ଯେତେବେଳେ ପାକିସ୍ତାନରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ରଚୟିତା ଲସ୍କର ଏ ତୋଇବା ମୁଖ୍ୟ ହାଫିଜ୍‌ ସଇଦ୍‌ ସହିତ ଗୋଟିଏ ମଞ୍ଚରେ ଉପସ୍ଥିତ ହୋଇଥିବା କାରଣରୁ ପାଲେଷ୍ଟାଇନ୍‌ କର୍ତ୍ତୃପକ୍ଷ ପାକିସ୍ତାନରେ ଅବସ୍ଥିତ ତାଙ୍କର ରାଷ୍ଟ୍ରଦୂତଙ୍କୁ ତୁରନ୍ତ ପ୍ରତ୍ୟାହାର କରିନେଲେ। ସୁଖର କଥା ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମଧ୍ୟ ପ୍ରଶଂସନୀୟ ପରିପକ୍ୱତାର ପରିଚୟ ଦେଇ ଭାରତର ବାଧ୍ୟବାଧକତାକୁ ହୃଦୟଙ୍ଗମ କରି ଜାତିସଂଘରେ ଭାରତର ମତଦାନକୁ ଏକ ଛୋଟିଆ ଘଟଣା ରୂପେ ଗ୍ରହଣ କରିଛନ୍ତି। ଉଭୟ ଦେଶର ବନ୍ଧୁତାକୁ ଏହା ପ୍ରଭାବିତ କରିବ ନାହିଁ ବୋଲି ସେ ଘୋଷଣା କରିଛନ୍ତି। ଯେତେବେଳେ ସାଉଦୀଆରବ, ଜୋର୍ଡାନ୍‌, ଇଜିପ୍ଟ ଭଳି ଆରବ ଦେଶ ମାନେ ମଧ୍ୟ ଜାତିସଂଘରେ ଇସ୍ରାଏଲ-ବିରୋଧୀ ଆଭିମୁଖ୍ୟ ପ୍ରଦର୍ଶନ କରୁଥିବା ବେଳେ ଚୋରାରେ ଇସ୍ରାଏଲ ସହିତ ସୁସମ୍ପର୍କ ରକ୍ଷା କରି ଚାଲିଛନ୍ତି। ଭାରତ ଭଳି ଏକ ମିତ୍ର ରାଷ୍ଟ୍ର ସହିତ ଭୁଲ ବୁଝାମଣାର ଯେ ପ୍ରଶ୍ନ ଉଠୁନାହିଁ, ନେତାନ୍ୟାହୁଙ୍କ ଗସ୍ତ ତାହା ହିଁ ଘୋଷଣା କରୁଛି। ଏହା ହିଁ ଅସଲି ବନ୍ଧୁର ପରିଚୟ।

ସମ୍ବନ୍ଧିତ ଖବର