ବର୍ତ୍ତମାନ ଏଭଳି କ୍ବଚିତ ଶିକ୍ଷିତ ଭାରତୀୟ ଥିବେ, ଯେଉଁମାନେ ଚୀନର ବିସ୍ତାରବାଦୀ ଆଭିମୁଖ୍ୟ ସମ୍ବନ୍ଧରେ ଅବଗତ ନ ଥିବେ। ସେମାନେ ଏହାର ଅନେକ ଉଦାହରଣର ଅବତାରଣା ମଧୢ କରିପାରିବେ। ହିମାଳୟରୁ ଆରମ୍ଭ କରି ତାଇଵାନ ପ୍ରଣାଳୀ ବା ସୁଦୂର ଦକ୍ଷିଣ ଚୀନ ସାଗର ଇତ୍ୟାଦି ପର୍ଯ୍ୟନ୍ତରେ ଚୀନର ଭୌଗୋଳିକ ବିସ୍ତାରବାଦୀ ଉଦ୍ୟମର ଦୃଷ୍ଟାନ୍ତ ବର୍ତ୍ତମାନ ସର୍ବଜନବିଦିତ। ତେବେ ଯେଉଁମାନେ ଏ ସ˚ଦର୍ଭରେ ଆଉ ଟିକିଏ ଗଭୀର ଦୃଷ୍ଟି ନିକ୍ଷେପ କରିଥିବେ, ସେମାନେ ଚୀନର ଅର୍ଥନୈତିକ ବିସ୍ତାରବାଦର ଉଦାହରଣ ମଧୢ ପ୍ରଦାନ କରିପାରିବେ, ଯେଉଁଠି ଦେଖିବାକୁ ମିଳିବ ବିଭିନ୍ନ ରାଷ୍ଟ୍ରର ବ୍ୟାଙ୍କ, ବିତ୍ତୀୟ ସ˚ସ୍ଥା ଓ ଉଦ୍ୟୋଗକୁ ଆପଣା ନିୟନ୍ତ୍ରଣକୁ ଆଣିବାରେ ଚୀନର ପ୍ରଚେଷ୍ଟା ଏବ˚ ଅନେକ ସଫଳତା। ତେବେ ଯେଉଁମାନେ ଏ ପରିପ୍ରେକ୍ଷୀରେ ଟିକିଏ ସୂକ୍ଷ୍ମ ବିଚାର କରିଥିବେ, ସେମାନେ ଏଭଳି ଏକ ଚୀନୀୟ ବିସ୍ତାରବାଦୀ ଉଦ୍ୟମ ସ˚ପର୍କରେ ଇଙ୍ଗିତ କରିପାରିବେ, ଯାହାକୁ ‘ଚୈନ୍ତିକ ବିସ୍ତାରବାଦ’ (ଚିନ୍ତା ରାଜ୍ୟରେ ଅନୁପ୍ରବେଶ ଓ ଅଧିକାର) ରୂପେ ଅଭିହିତ କରାଯାଇପାରେ। କହିବା ବାହୁଲ୍ୟ ଯେ ବିଶ୍ବ ନେତୃତ୍ବ ନେବା ଲାଗି ଉତ୍ସୁକ ଚୀନର ଏହା ଯେ ଏକ ଘାତକ ଗୁପ୍ତି, ତାହା ଏବେ ଅନେକ ରାଷ୍ଟ୍ରଙ୍କ ହୃଦ୍ବୋଧ ହେଲାଣି।
ଗଲା ମାର୍ଚ୍ଚ ମାସରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାଁଙ୍କୁ ଏକ ଟେଲିଭିଜନ ସାକ୍ଷାତକାର ବେଳେ ଯେତେବେଳେ ପ୍ରଶ୍ନକର୍ତ୍ତା ଚୀନରେ ଉଇଘୁର ମୁସଲମାନଙ୍କ ପ୍ରତି ରାଷ୍ଟ୍ର ପ୍ରାୟୋଜିତ ଦାରୁଣ ନିର୍ଯାତନା ସ˚ପର୍କରେ ପ୍ରଶ୍ନ କରିଥିଲେ, ସେତିକି ବେଳେ ଅତ୍ୟନ୍ତ ଅବିଶ୍ବାସ୍ୟ ଭାବେ ଇମରାନ କହିଥିଲେ ଯେ ସେ ଏହି ବ୍ୟାପାରରେ ବିଶେଷ କିଛି ଜାଣନ୍ତି ନାହିଁ। ପ୍ରାୟ ଏକ ନିୟୁତ ସ˚ଖ୍ୟକ ଉଇଘୁର ମୁସଲମାନଙ୍କ କଷଣ ସ˚ପର୍କରେ ସାରା ବିଶ୍ବ ଅବଗତ ଥିବା ବେଳେ ଇମରାନଙ୍କ ଅଜ୍ଞତା ପ୍ରକାଶକୁ ଚୀନ ଦ୍ବାରା କରାଯାଉଥିବା ‘ଚିନ୍ତା ନିୟନ୍ତ୍ରଣ’ର ଏକ ଦୃଷ୍ଟାନ୍ତ ରୂପେ ଦେଖାଯାଇପାରେ। ବିଶ୍ବ ସମକ୍ଷରେ ନିଜ ଭାବମୂର୍ତ୍ତିକୁ ଉଜ୍ଜ୍ବଳ କରି ରଖିବା ସକାଶେ ଚୀନ ଏକ ସୁପରିକଳ୍ପିତ ପ୍ରଚାର ତନ୍ତ୍ର ମାଧୢମରେ ଚୈନ୍ତିକ ନିୟନ୍ତ୍ରଣର ଉପାୟମାନ ଆବିଷ୍କାର କରିଛି। ପାକିସ୍ତାନ ଭଳି ବଶମ୍ବଦ ରାଷ୍ଟ୍ରଗୁଡ଼ିକ ତ ସ୍ବାଭାବିକ ଭାବେ ଆଜ୍ଞାବହ ହୋଇସାରିଛନ୍ତି, କିନ୍ତୁ ଏ ପରିପ୍ରେକ୍ଷୀରେ ଅନେକ ଶକ୍ତିଶାଳୀ ଓ ବିତ୍ତଶାଳୀ ପାଶ୍ଚାତ୍ୟ ରାଷ୍ଟ୍ର ଏହାର ଶିକାର ହୋଇଥିବା ବିସ୍ମୟ ଉଦ୍ରେକ କରିଥାଏ।
ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଏକ ବହୁଳ ଭାବେ ଉଦ୍ଧୃତ ବକ୍ତବ୍ୟ କହିଥାଏ ଯେ ମୁକ୍ତ ଚିନ୍ତନର ଅର୍ଥ ହେଲା ବିଭିନ୍ନ ପ୍ରକାର ଚିନ୍ତନ ମଧୢରେ ରହିଥିବା ବିଭେଦକୁ ଦୂର କରି ଏକ ମାନକ ଚିନ୍ତନଟିଏ ସୃଷ୍ଟି କରିବା। ସି ଜିନପିଙ୍ଗଙ୍କ ଏଭଳି ଚିନ୍ତାଧାରାର ଏକ ସାମଞ୍ଜସ୍ୟ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ଚୀନୀୟ ଦାର୍ଶନିକ ସୁନ ଜିଙ୍କ ଧାରଣା ସହିତ ରହିଥିବା ଦେଖିବାକୁ ମିଳେ। ସେ କହିଥିଲେ ଯେ ମନୁଷ୍ୟ ଏକ ତେଢ଼ା କାଠର ଗଣ୍ତି, ଯାହାକୁ ରନ୍ଦା ମାରି ସିଧା କରିବାକୁ ପଡ଼େ। ୧୯୭୮ରୁ ୧୯୮୯ ମସିହା ମଧ୍ୟରେ ଡେଙ୍ଗ ଜିଆଓପିଙ୍ଗଙ୍କ ସମୟରେ ଚୀନ କମ୍ୟୁନିଷ୍ଟ ଶାସନାଧୀନ ଥିବା ସତ୍ତ୍ବେ ଲୌହ ପରଦାର ଅନ୍ତରାଳରୁ ବାହାରକୁ ଆସିବାର ଉପକ୍ରମ କରିଥିଲା। ଏବ˚ ସ୍ବୀକାର କରିବାକୁ ହେବ ଯେ ରାଷ୍ଟ୍ରର ଜାନ୍ତବ ନିୟନ୍ତ୍ରଣ ସହିତ ମୁକ୍ତ ଓ ଉଦାର ଅର୍ଥନୀତିର ଏକ ବିରଳ ମିଶ୍ରଣକୁ ସମ୍ଭବ କରି ଚୀନ ଯେଉଁଭଳି ଅକଳ୍ପନୀୟ ଅର୍ଥନୈତିକ ସାଫଲ୍ୟ ଓ ସମୃଦ୍ଧି ହାସଲ କଲା, ତାହା ‘ଚାଇନା ମଡେଲ’କୁ ତାର କେତେକ ଅତ୍ୟନ୍ତ ଦୁର୍ବଳ ଦିଗ ସତ୍ତ୍ବେ ଏକ ଯୌକ୍ତିକତା ପ୍ରଦାନ କଲା। ଏହି ଚମକପ୍ରଦ ପ୍ରଦର୍ଶନ ଦ୍ବାରା ପ୍ରଭାବିତ ହୋଇ ମୁକ୍ତ ବିଚାର ତଥା ଗଣତନ୍ତ୍ରର ପୃଷ୍ଠପୋଷକ ରୂପେ ଅଗ୍ରଗଣ୍ୟ ଯୁକ୍ତରାଷ୍ଟ୍ର ଆମେରିକା ସମେତ ଇଉରୋପୀୟ ରାଷ୍ଟ୍ରଗୁଡ଼ିକ ମଧୢ ଚୀନରେ ସ˚ଘଟିତ ହେଉଥିବା ଗଣତାନ୍ତ୍ରିକ ମୂଲ୍ୟବୋଧର ହନନକୁ ନଜରଅନ୍ଦାଜ କରିଥିଲେ। ଏହାର ସୁଯୋଗ ନେଇ ଚୀନ ଯାହା କରିବାକୁ ପ୍ରାରମ୍ଭ କରିଥିଲା, ତାହା ହେଉଛି ବିଦେଶର ଅର୍ଥନୀତି ଓ ଚିନ୍ତାକୁ କବ୍ଜା କରିବାର ସୁପରିକଳ୍ପିତ ପ୍ରୟାସ। ଉଦାହରଣ ସ୍ବରୂପ ଘୋର ଆର୍ଥିକ ସ˚କଟ ମଧୢ ଦେଇ ଗତି କରୁଥିବା ରାଷ୍ଟ୍ର ଗ୍ରୀସ୍ ବା ଇଟାଲି ବା ସର୍ବିୟା ଆଦି ସକାଶେ ଜଣେ ‘ଉତ୍ତମ ସାମାରୀୟ’ ଭାବେ ଆବିର୍ଭୂତ ହୋଇ ଚୀନ ବିପୁଳ ଅର୍ଥ ବିନିଯୋଗ ସୂତ୍ରରେ ସେହି ସବୁ ରାଷ୍ଟ୍ରରେ ସଡ଼କ, ବନ୍ଦର, ବିମାନ ବନ୍ଦର ଇତ୍ୟାଦି ଭଳି ଭିତ୍ତିଭୂମିଗତ ବିକାଶ ଘଟାଇ ଚାଲିବା ସହିତ ସେହି ସବୁ ରାଷ୍ଟ୍ରର ବ୍ୟାଙ୍କ, ବିତ୍ତୀୟ ଅନୁଷ୍ଠାନ ଏବ˚ ଉଦ୍ୟୋଗରେ ଅର୍ଥ ପ୍ରବେଶ କରାଇ ସେ ସବୁକୁ କରାୟତ୍ତ କରିବାରେ ସମର୍ଥ ହୋଇଥିଲା। କିନ୍ତୁ ଏହା ବଦଳରେ ଚୀନ ଦ୍ବାରା ରଖାଯାଇଥିବା ଅନେକ ସର୍ତ୍ତ, ଯାହା କେବଳ ଚୀନ ଓ ଚୀନୀୟମାନଙ୍କୁ ହିଁ ଉପକୃତ କରୁଥିଲା; ଚୀନ ପ୍ରଦତ୍ତ ଅର୍ଥର ଚମକରେ ଜଳକା ପଡ଼ିଯାଇଥିବା ରାଷ୍ଟ୍ରଗୁଡ଼ିକର ଦୃଷ୍ଟିଗୋଚର ହୋଇ ପାରି ନ ଥିଲା। ବର˚ ବିପରୀତରେ ଏକ ପ୍ରଭାବଶାଳୀ ଉତ୍ପାଦନକାରୀ ତଥା ଯୋଗାଣକାରୀ ରାଷ୍ଟ୍ର ଭାବେ ତାହା ଗ୍ରାହକ ବହୁଳ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଅତ୍ୟନ୍ତ ପ୍ରିୟଭାଜନ ହୋଇଥିଲା।
ଏଭଳି ପରିସ୍ଥିତିରେ ଯଦି କୌଣସି ଦିଗରୁ ଚୀନର ପ୍ରଚ୍ଛନ୍ନ ଅଭିସନ୍ଧିକୁ ଉଜାଗର କଲା ଭଳି କୌଣସି ପ୍ରଶ୍ନ ଉେଠ, ସେତିକି ବେଳେ ତାକୁ ନିରବ କରିବା ଲାଗି ଚୀନ ଦ୍ବାରା ଯେଉଁ ଉପାୟଗୁଡ଼ିକର ଆବିଷ୍କାର କରାଯାଇଛି, ତାହା ହେଉଛି ‘ଚିନ୍ତନ ନିୟନ୍ତ୍ରଣ’ର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ। ‘ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶିତ ଏକ ପ୍ରବନ୍ଧ କହିଥାଏ ଯେ ସେହି ସବୁ ରାଷ୍ଟ୍ରର ବିଶ୍ବବିଦ୍ୟାଳୟରେ ଶିକ୍ଷା ଲାଭ କରୁଥିବା ଚୀନୀୟ ବା ଚୀନ ମୂଳୋଦ୍ଭବ ଅନ୍ୟାନ୍ୟ ରାଷ୍ଟ୍ରର ଛାତ୍ର ସ˚ଗଠନ ଜରିଆରେ ଏହାର ଦୃଢ଼ ବିରୋଧ କରାଯାଇଥାଏ। ସେହି ସବୁ ରାଷ୍ଟ୍ରରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତଗଣ ଏ ନେଇ ଅତ୍ୟନ୍ତ ସକ୍ରିୟ ଥିବା ଦେଖାଯାଏ। ତା’ ପରେ ଏହି ବିରୋଧର ପଟୁଆରରେ ଯୋଗ ଦିଅନ୍ତି େସ ସବୁ ଦେଶରେ ଗଢ଼ି ଉଠିଥିବା ‘କନଫୁସିଅସ ଇନ୍ଷ୍ଟିଚ୍ୟୁଟ୍’ ଏବ˚ ‘କନଫୁସିଅସ୍ ସେଣ୍ଟର’ ଗୁଡ଼ିକ, ଯେଉଁଗୁଡ଼ିକୁ ଚୀନ ଭାଷା ଓ ସ˚ସ୍କୃତିର ପ୍ରଚାର ପ୍ରସାର ଲାଗି ଅଭିପ୍ରେତ ନିରୀହ ଅନୁଷ୍ଠାନ ରୂପେ ପରିଚିତି ଦିଆଯାଇଥାଏ। ପ୍ରକାଶ ଥାଉ କି ସ˚ପ୍ରତି ପୃଥିବୀରେ ୫୫୦ଟି ‘କନଫୁସିଅସ ଇନଷ୍ଟିଚ୍ୟୁଟ୍’ ଏବ˚ ୧୦୦୦ରୁ ଅଧିକ ‘କନଫୁସିଅସ ସେଣ୍ଟର’ମାନ ରହିଛି। ତା’ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଉଦ୍ୟମକୁ ସର୍ବାଧିକ ଶକ୍ତି ପ୍ରଦାନ କରିଥାଏ ‘ସିଜିଟିଏନ୍’ ବା ‘ଚାଇନା ଗ୍ଲୋବାଲ୍ ଟେଲିଭିଜନ ନେଟ୍ଵାର୍କ୍’। ଏହା ଏକ ଚୀନା ନିରପେକ୍ଷ ଗଣମାଧୢମ ଭଳି ବ୍ୟବହାର କରୁଥିଲେ ମଧୢ ବାସ୍ତବରେ ଏହା ବିଦେଶରେ ଚୀନ ସରକାରଙ୍କ ଏକ ଛଦ୍ମବେଶୀ ମୁଖପାତ୍ର। ସେଥିରେ କାର୍ଯ୍ୟରତ ନ୍ୟୁଜ ଆ˚କୋର ବା ବ୍ୟାଖ୍ୟାକାରମାନଙ୍କୁ ଅତ୍ୟନ୍ତ ସତର୍କତାର ସହିତ ଚୟନ କରାଯାଇଥାଏ, ଯେଉଁମାନେ ପ୍ରମୁଖ ଭାବେ ଚୀନ ସପକ୍ଷବାଦୀ ପାଶ୍ଚାତ୍ୟ ବିଦ୍ବାନ। ଏହା ପଛରେ ନିହିତ ଉଦ୍ଦେଶ୍ୟଟି ହେଉଛି ‘ସିଜିଟିଏନ୍’ ଯେ ଚୀନ ଦ୍ବାରା ନିୟନ୍ତ୍ରିତ, ଏହାର ଆଭାସ ମିଳିବ ନାହିଁ। ଏହାଦ୍ବାରା କେବଳ ଗ୍ରୀସ ବା ଇଟାଲି ଭଳି କ୍ଷୁଦ୍ର ପୂର୍ବ ୟୁରୋପୀୟ ରାଷ୍ଟ୍ର ନୁହନ୍ତି, ଜର୍ମାନି, କାନାଡା ଏବ˚ ଅଷ୍ଟ୍ରେଲିଆ ଭଳି ବୃହତ୍, ଶକ୍ତିଶାଳୀ ତଥା ଆନ୍ତର୍ଜାତିକ ସ୍ତରରେ ପ୍ରଭାବଶାଳୀ ରାଷ୍ଟ୍ର ଗୁଡ଼ିକ ମଧୢ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି।
କହିବା ବାହୁଲ୍ୟ ଯେ କରୋନା ପାନ୍ଡେମିକ୍ ସ˚ଦର୍ଭରେ ଚୀନର ଭୂମିକା ଏଭଳି ସନ୍ଦିଗ୍ଧ ହୋଇ ନ ଥିଲେ ବୋଧହୁଏ ପୃଥିବୀର ଅନେକ ରାଷ୍ଟ୍ରର ଚୈତନ୍ୟ ସେମାନଙ୍କ ଅଗୋଚରରେ ଚୀନ ଦ୍ବାରା ନିୟନ୍ତ୍ରିତ ହୋଇ ଚାଲିଥାଆନ୍ତା। ଚୀନର ବିସ୍ତାରବାଦୀ ଚକ୍ରାନ୍ତର ଏହା ହିଁ ହେଉଛି ସବୁଠାରୁ ସା˚ଘାତିକ ଦିଗ, ଯାହା ତାନ୍ତ୍ରିକ ମାଲୁଣୀ ଭଳି ବିଶ୍ବକୁ ମେଣ୍ଢାରେ ପରିଣତ କରିବା ଲାଗି ଉଦ୍ୟମ ଚଳାଇଥିଲା। କରୋନା ପାନ୍ଡେମିକ୍ ପରେ ଅତ୍ୟନ୍ତ ନିଷ୍ଠୁର ଭାବେ ହେଉ ପଛକେ ମେଣ୍ଢାମାନଙ୍କ ତନ୍ତ୍ର ନିଦ୍ରା ଭଗ୍ନ ହୋଇଥିବା ଗଭୀର ଆଶ୍ବାସନାର ବିଷୟ।