‘‘ଚାଷ ଅଛି ଯାହାର, କି ଆନନ୍ଦ ତାହାର/ଚାଷୀ ଭାଇ ଦେଇଥାଏ ଜଗତକୁ ଆହାର।’’ ପୂର୍ବେ ପ୍ରାଥମିକ ବିଦ୍ୟାଳୟ ପିଲାମାନଙ୍କୁ ଶିଖା ଯାଉଥିବା ଏହି ଗୀତର ବିଡ଼ମ୍ବନା ଏପରି ଜଳଜଳ ହୋଇ ଦେଖାଯାଇଥାଏ ଯେ ଯଦି କାର୍ଲମାର୍କ‌୍‌ସଙ୍କ ସମୟରେ ଏହା ଲେଖା ହୋଇଥାନ୍ତା ଓ ଏହା ଉପରେ ତାଙ୍କର ନଜର ପଡ଼ିଥାନ୍ତା (ଏହା କପୋଳକଳ୍ପିତ ନୁହେଁ, କାରଣ ମାର୍କ‌୍‌ସ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଦାସ୍‌ କ୍ୟାପିଟାଲ୍‌’ର ପ୍ରଥମ ଭାଗରେ ଓଡ଼ିଶା ପ୍ରଦେଶରେ ଦେଖାଦେଇଥିବା ୧୮୬୬ର ନଅଙ୍କ ଦୁର୍ଭିକ୍ଷ ଓ ସେଥିରେ ଏକ ନିୟୁତରୁ ଅଧିକ ଦରିଦ୍ର କୃଷକ ପ୍ରାଣ ହରାଇଥିବା କଥା ଉଲ୍ଲେଖ କରିଛନ୍ତି), ତେବେ ସେ ନିଶ୍ଚିତ ରୂପେ ଶ୍ରେଣୀ ସ˚ଘର୍ଷ ପାଇଁ ଆହ୍ବାନ ଦେବାକୁ ଏହାକୁ ଏକ ଆୟୁଧ ରୂପେ ବ୍ୟବହାର କରିଥାନ୍ତେ।

Advertisment

ବିଡ଼ମ୍ବନାଟି ହେଲା- ଚାଷୀ କେବଳ ଚାଷ କାର୍ଯ୍ୟରୁ ମିଳୁଥିବା ଅପାର୍ଥିବ ରୋମାଣ୍ଟିକ୍‌ ଆନନ୍ଦ ଉପଭୋଗ କରିବ, ଜଗତ୍‌ର ଅନ୍ୟ ସମସ୍ତେ ସେ ମୁଣ୍ତ ଝାଳ ତୁଣ୍ତରେ ମାରି କରୁଥିବା ଉତ୍ପାଦନକୁ ଆହାର ରୂପେ ଗ୍ରହଣ କରି ନିଜର ପୁଷ୍ଟି ସାଧନ କରିବେ। ଆଉ ରାଜନେତାମାନେ ସର୍ବଦା ଅସହାୟ ଅବସ୍ଥାରେ ପଡ଼ିରହିଥିବା ଚାଷୀମାନଙ୍କୁ ସହାୟତାର ହାତ ବଢ଼ାଇବାର ଅଭିନୟ କରି ସେମାନଙ୍କ ଭୋଟ ପାଇବାକୁ ଉଦ୍ୟମ କରି ଚାଲିଥିବେ। ଯେମିତି ୧୯୫୦-୬୦ ଦଶକମାନଙ୍କରେ ଯୋଡ଼ି ବଳଦ ନିର୍ବାଚନୀ ଚିହ୍ନ ଥିବା କ˚ଗ୍ରେସ ପାର୍ଟିର ସ୍ଲୋଗାନ୍‌ ଥିଲା: ‘‘ଯୋଡ଼ି ବଳଦକୁ ଭୁଲନାରେ ଚାଷୀ ମୂଲିଆ/ଭୁଲି ଗଲେ ପଛେ ହେବ ବଡ଼ ହାଲିଆ।’ ଅର୍ଥାତ୍‌ ଚାଷୀ ମୂଲିଆ ସବୁ ଦିନେ ଚାଷୀ ମୂଲିଆ ହୋଇ ରହିଥାନ୍ତୁ ଏବ˚ ନିର୍ବାଚନ ପରେ ନିର୍ବାଚନରେ ସେମାନଙ୍କୁ ଭୋଟ ଦେଇ ଚାଲିଥାନ୍ତୁ।

ଏବେ କୃଷି କ୍ଷେତ୍ରରେ କେତେକ ଅତ୍ୟାବଶ୍ୟକ ସ˚ସ୍କାର ଆଣି ଦେଶର କୃଷକମାନଙ୍କ ଅର୍ଥନୈତିକ ଅବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ଆଣିବା ପାଇଁ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଆଣିଥିବା ତିନିଗୋଟି ବିଲ୍‌କୁ ପାରିତ ହେବାକୁ ନଦେବା ପାଇଁ ସେଇ କ˚ଗ୍ରେସ ଓ ଅନ୍ୟ କେତେକ ସମଭାବାପନ୍ନ ରାଜନୈତିକ ଦଳମାନେ ସ˚ସଦରେ ଓ ସ˚ସଦ ବାହାରେ ଯେଉଁଭଳି ପ୍ରାଣମୂର୍ଚ୍ଛା ଉଦ୍ୟମ କରିବା ଦେଖା ଯାଇଛି, ତାହା ସେଇ ପୁରାତନ ନ୍ୟସ୍ତସ୍ବାର୍ଥ ମାନସିକତାର ଯେ ଏକ ସାମ୍ପ୍ରତିକ ପ୍ରତିଫଳନ ମାତ୍ର, ଏଥିରେ କୌଣସି ସନ୍ଦେହ ନାହିଁ। ଚାଷୀମାନଙ୍କର ଅର୍ଥନୈତିକ ଅବସ୍ଥାରେ ବାସ୍ତବ ଉନ୍ନତି ଆଣିବାର ଏକମାତ୍ର ଉପାୟ ହେଉଛି ଯେ କୃଷିର ବଜାରୀକରଣ, ଏଥିରେ ସମସ୍ତ ଅର୍ଥନୀତିଜ୍ଞ ତଥା କୃଷି ବିଶେଷଜ୍ଞମାନେ ଏକମତ। ବଜାର ଓ କୃଷକ ମଧୢରେ ସିଧାସଳଖ ଓ ସ୍ବଚ୍ଛ ସମ୍ପର୍କ ସ୍ଥାପିତ ହେଲେ ଯାଇ କୃଷିର ପ୍ରକୃତ ବଜାରୀକରଣ ସାଧିତ ହୋଇ ପାରିବ। କିନ୍ତୁ ଆମ ଦେଶରେ ଓ ବିଭିନ୍ନ ରାଜ୍ୟରେ ଦୀର୍ଘକାଳ ଧରି ବଳବତ୍ତର ଥିବା ଆଇନମାନ ଫସଲ ଅମଳରୁ ଆରମ୍ଭ କରି ମହଜୁଦ ଓ ବିକ୍ରୟ ଆଦିକୁ ଶ୍ବାସରୁଦ୍ଧକାରୀ ବନ୍ଧନରେ ବାନ୍ଧି ରଖି ଆସିଛି।

ଏଥିରେ ଅନ୍ତ ଘଟାଇବା ପାଇଁ ସରକାର ମଇ ମାସରେ ଯେଉଁ ଅଧୢାଦେଶମାନ ଜାରି କରିଥିଲେ, ତାହାକୁ ଯେତେବେଳେ ବିଧିବଦ୍ଧ ଆଇନରେ ପରିଣତ କରିବାକୁ ପଦକ୍ଷେପ ନେଲେ, ତାହା ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀମାନଙ୍କୁ ଏପରି ବିବ୍ରତ ଓ ବିଚଳିତ କରି ଦେଇଛି ଯେ କେନ୍ଦ୍ର ସରକାରରେ ଥିବା ସହଯୋଗୀ ଅକାଳୀ ଦଳର ମନ୍ତ୍ରୀ ମଧୢ ଏହାର ପ୍ରତିବାଦ ସ୍ବରୂପ ମନ୍ତ୍ରୀମଣ୍ତଳରୁ ଓହରି ଯିବା ଦେଖାଯାଇଛି। ତେଣେ ତାଙ୍କ ରାଜ୍ୟ ପଞ୍ଜାବରେ କ୍ଷମତାରେ ଥିବା କ˚ଗ୍ରେସ ସରକାରର ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସି˚ହ ମଧୢ ସରକାରଙ୍କ ପଦକ୍ଷେପ ବିରୋଧରେ ତାଙ୍କ ରାଜ୍ୟରେ ଆନ୍ଦୋଳନ ଆରମ୍ଭ କରି ଦେଇଛନ୍ତି। କୃଷକମାନଙ୍କ ପାଇଁ ଉପଲବ୍‌ଧ ବର୍ତ୍ତମାନର ଫସଲ ବିକ୍ରୟ ବ୍ୟବସ୍ଥା କେତେକ ଶକ୍ତିଶାଳୀ ଗୋଷ୍ଠୀଙ୍କର ନିୟନ୍ତ୍ରଣରେ ଥିଲା ଯାହା ବର୍ତ୍ତମାନ ଏକ ଅବାଧ ବଜାର ଭିତ୍ତିକ ବ୍ୟବସ୍ଥାରେ ପରିଣତ ହେବାକୁ ଯାଉଛି। କହିବା ଅନାବଶ୍ୟକ, ଏହି ଗୋଷ୍ଠୀର ପାଟିରୁ ଏହାର ଆହାର ଛଡ଼ାଇ ନେବା ଭଳି; ତେଣୁ ସେମାନେ ଏହାର ତୀବ୍ର ବିରୋଧ କରୁଛନ୍ତି।

ପ୍ରଚଳିତ ବ୍ୟବସ୍ଥା ଅନୁସାରେ କୃଷକମାନେ ନିୟନ୍ତ୍ରିତ ‘ଏପିଏମ୍‌ସି’ ମଣ୍ତି ମାଧୢମରେ ନିଜର ଅମଳ ହୋଇଥିବା ଫସଲ ବିକ୍ରୟ କରିବା ବାଧୢତାମୂଳକ ଥିଲା। ଏ ବ୍ୟବସ୍ଥା ଯୋଗୁଁ ଦେଖା ଦେଇଥିବା କେତେକ ସମସ୍ୟା ସହିତ ସମସ୍ତେ ଅବଗତ। ଫସଲ ଚାଷ ଓ ଅମଳ ଜଣେ ଚାଷୀଙ୍କ ପାଇଁ ଏକମାତ୍ର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହୋଇନଥାଏ। ଅମଳ ପରେ ଫସଲକୁ ପରିବହନ କରି ମଣ୍ତିରେ ପହଞ୍ଚାଇବା ଏବ˚ ସେଠାରେ ତାହା ବିକ୍ରି କରିବାରେ ସଫଳ ହେବା ଚାଷୀଙ୍କ ପାଇଁ ସେଇଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ରୂପେ ପରିଗଣିତ ହୋଇଥାଏ, ଯେଉଁଭଳି ଶସ୍ୟ ଉତ୍ପାଦନ କିମ୍ବା ଅମଳ ହୋଇଥାଏ। ଟ୍ରକ୍‌, ଟ୍ରାକ୍ଟର ଆଦିର ଭଡ଼ା ବହନ କରି କୃଷକ ଯାଇ ମଣ୍ତିରେ ପହଞ୍ଚିବା ମାତ୍ରେ ଯେ ତାଙ୍କର ଶସ୍ୟ ତତ୍‌କ୍ଷଣାତ୍‌ ବିକ୍ରି ହୋଇଯାଏ, ଏପରି ନୁହେଁ। ଏଥିରେ ବିଳମ୍ବ ଘଟିଲେ ଶସ୍ୟର ସମ୍ଭାବ୍ୟ କ୍ଷତି ଓ ଗାଡ଼ିଭଡ଼ାରେ ବୃଦ୍ଧିଜନିତ ଖର୍ଚ୍ଚ ଚାଷୀଙ୍କୁ ହିଁ ବହନ କରିବାକୁ ପଡ଼ିଥାଏ। ବର୍ତ୍ତମାନ ନୂତନ ଆଇନ ବଳବତ୍ତର ହେବା ପରେ ଚାଷୀ ଇଚ୍ଛା କଲେ ‘ଏପିଏମ୍‌ସି’ ମଣ୍ତିକୁ ଯାଇପାରନ୍ତି କିମ୍ବା ଖୋଲା ବଜାରରେ ନିଜର ଫସଲ ବିକ୍ରି କରିପାରନ୍ତି- ମନେରଖିବା କଥା ଆଇନରେ ‘ଏପିଏମ୍‌ସି’କୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇନାହିଁ। ଚାଷୀ ଯଦି ବଜାରରେ ନିଜର ଫସଲ ବିକ୍ରି କରିବାକୁ ପସନ୍ଦ କରିବେ, ତା’ହେଲେ ତାଙ୍କୁ ମାଲ୍‌ ନେଇ ବଜାରକୁ ଧାଇଁବାକୁ ପଡ଼ିବ ନାହିଁ, ସ˚ଗ୍ରହକାରୀମାନେ ଅର୍ଥାତ୍‌ ବଜାର ଆସି ଚାଷୀଙ୍କ ଦୁଆର ମୁହଁରେ ପହଞ୍ଚିଯିବ। ଏହାଦ୍ବାରା ଚାଷୀ ଉଭୟ ଆର୍ଥିକ ବୋଝ ଓ ଅଯଥା ହରକତରୁ ରକ୍ଷା ପାଇବେ।

‘ଏପିଏମ୍‌ସି’ ବ୍ୟବସ୍ଥାରେ ଚାଷୀ ସିଧାସଳଖ କର୍ତ୍ତୃପକ୍ଷମାନଙ୍କ ସହିତ କାରବାର କରିବା ବିରଳ ହୋଇଥାଏ। ସେମାନଙ୍କୁ ସାହାଯ୍ୟ କରିବାକୁ ମଝିରେ କାର୍ଯ୍ୟ କରିଥାନ୍ତି ଜଣେ କମିସନ ଏଜେଣ୍ଟ୍‌। ଏମାନେ ଚାଷୀଙ୍କ ନ୍ୟାଯ୍ୟ ପ୍ରାପ୍ୟରୁ ଏକ ଅ˚ଶ ଛଡ଼ାଇ ନେଇଥାନ୍ତି। ବଜାର ସହ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପିତ ହେଲେ ଚାଷୀମାନଙ୍କୁ ଆଉ ଏହି କ୍ଷତି ସହିବାକୁ ପଡ଼ିବ ନାହିଁ। ଚାଷୀ ଯେଉଁ କ୍ରେତାଙ୍କଠାରୁ ସର୍ବୋଚ୍ଚ ମୂଲ୍ୟ ପାଇବେ, ତାକୁ ହିଁ ନିଜର ଫସଲ ବିକ୍ରି କରିପାରିବେ, କେବଳ ଏକଚାଟିଆ ଅଧିକାର ଜାହିର କରୁଥିବା ‘ଏପିଏମ୍‌ସି’କୁ ନୁହେଁ।

ଦ୍ବିତୀୟ ବିଲ୍‌ଟି ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସ˚ଶୋଧନ ଆଣିବା ଦ୍ବାରା ଏଣିକି ଖାଦ୍ୟଶସ୍ୟ ଆଦିକୁ ମହଜୁଦ ରଖିବା ଏକ ଅପରାଧ ରୂପେ ପରିଗଣିତ ହେବ ନାହିଁ। ଏହାଦ୍ବାରା ତତ୍‌କ୍ଷଣାତ୍‌ ମିଳୁଥିବା ଫିଙ୍ଗିଦେବା ଭଳି ଦରରେ ନିଜର ଅମଳ ହୋଇଥିବା ଫସଲକୁ ବିକ୍ରି କରିବାକୁ ଚାଷୀ ବାଧୢ ହେବେ ନାହିଁ। ବ୍ୟବସାୟୀମାନେ ଯେହେତୁ ବିଳମ୍ବରେ ଉଚ୍ଚ ଦାମ୍‌ରେ ବିକ୍ରି କରିବା ପର୍ଯ୍ୟନ୍ତ କୃଷିଜାତ ଦ୍ରବ୍ୟକୁ ମହଜୁଦ କରି ରଖି ପାରିବେ, ସେମାନେ ତେଣୁ ଉଚ୍ଚ ଦାମ୍‌ ଦେଇ ଚାଷୀଙ୍କଠାରୁ ଫସଲ କ୍ରୟ କରିବା ପାଇଁ କୁଣ୍ଠିତ ହେବେ ନାହିଁ।

ତୃତୀୟ ବିଲ୍‌ଟି ଅନୁସାରେ ଉତ୍ପାଦନକାରୀ କୃଷକ ଫସଲ ଉତ୍ପାଦନ ପୂର୍ବରୁ ଏ କ୍ଷେତ୍ରରେ ବ୍ୟବସାୟ କରୁଥିବା କମ୍ପାନିମାନଙ୍କ ସହିତ ବୁଝାମଣା ବା ‘କଣ୍ଟ୍ରାକ୍ଟ’ ସମ୍ପନ୍ନ କରିପାରିବେ, ଯାହାକୁ ‘କଣ୍ଟ୍ରାକ୍ଟ ଫାର୍ମିଙ୍ଗ୍‌’ ବୋଲି କୁହାଯାଇଥାଏ। ବୃହତ୍ତର ବଜାରରେ ଯେଉଁ ପଦାର୍ଥର ଚାହିଦା ରହିଛି ତାହା ଆକଳନ କରି ସମ୍ପୃକ୍ତ କମ୍ପାନି କୃଷକମାନଙ୍କ ସହିତ ଏକ ଆଗତୁରା ଚୁକ୍ତି ସମ୍ପାଦିତ କରିଥାଏ। ଏ ବ୍ୟବସ୍ଥାରେ ଚାଷୀ ଫସଲ ନିର୍ବାଚନରେ ଅତ୍ୟନ୍ତ ଉପଯୋଗୀ ସୂଚନା ପାଇଥାନ୍ତି, ଫସଲ ପାଇଁ ଉପଯୁକ୍ତ ମୂଲ୍ୟ ପାଇବାର ଗ୍ୟାରେଣ୍ଟି ପାଇଥାନ୍ତି, କମ୍ପାନି ତରଫରୁ ଆବଶ୍ୟକ ଉପାଦାନ ତଥା ଜ୍ଞାନକୌଶଳ ମଧୢ ଚାଷୀଙ୍କ ନିକଟରେ ପହଞ୍ଚିଥାଏ ଏବ˚ ସର୍ବୋପରି ଆଗତୁରା ଚୁକ୍ତି ଯୋଗୁଁ ଚାଷର ଅର୍ଥନୈତିକ ଅନିଶ୍ଚିତତା ଅ‌େନକା˚ଶରେ ଦୂର ହୋଇଥାଏ। ଯେହେତୁ ଦେଶର ଅଧିକା˚ଶ (୮୬%) କୃଷକ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଶ୍ରେଣୀର, ସେମାନଙ୍କ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ଉଦ୍ଦିଷ୍ଟ ସରକାରଙ୍କର ଏହି ଉଦ୍ୟମକୁ ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀଙ୍କୁ ସାହାଯ୍ୟ କରିବା ପାଇଁ ହେଉଥିବା ବିରୋଧ ଭାରତୀୟ କୃଷକମାନଙ୍କ ପ୍ରତି ଏକ ଦ୍ରୋହ ଭଳି।