ଚକ୍ର ଭଙ୍ଗ

ଭାରତର କେନ୍ଦ୍ରୀୟ ବ୍ୟାଙ୍କ୍‌ ଯେତେବେଳେ ‘ରେପୋ ରେଟ୍‌’ରେ ପରିବର୍ତ୍ତନ ଘଟାଏ, ତାହା ଏକ ବହୁ ପ୍ରସାରିତ ଖବରରେ ପରିଣତ ହୋଇଥାଏ। ଏହି ଖବର ସହିତ ସର୍ବଦା ଏକ ପାଦଟୀକା ଭଳି ଯୋଡ଼ି ହୋଇ ରହିଥିବା ଆଉ ଏକ ଖବର କିନ୍ତୁ ସର୍ବସାଧାରଣଙ୍କର ସେଭଳି ଦୃଷ୍ଟି ଆକର୍ଷଣ କରିନଥାଏ, ଯେମିତି ‘ରେପୋ ରେଟ୍‌’ କରିଥାଏ। ତାହା ହେଉଛି- ‘ରିଭର୍ସ ରେପୋ ରେଟ୍‌’ ବା ‘ଓଲଟ ରେପୋ ରେଟ୍‌’। କହିବା ଅନାବଶ୍ୟକ, ‘ରେପୋ ରେଟ୍‌’ ହେଉଛି ଏକ ସୁଧ ହାର, ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ୍‌ ଅନ୍ୟ ବ୍ୟାଙ୍କ୍‌ମାନଙ୍କୁ ଦେଉଥିବା ତତ୍‌କାଳୀନ ଋଣ ଉପରେ ସୁଧ ଆଦାୟ କରିଥାଏ। ବର୍ତ୍ତମାନ ଏହି ସୁଧ ହାର ହେଉଛି ୪%। ରିଭର୍ସ ରେପୋ ରେଟ୍‌ ହେଉଛି ସେହି ହାର ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ୍‌ ବ୍ୟାଙ୍କ୍‌ମାନଙ୍କୁ ସେମାନେ ରିଜର୍ଭ ବ୍ୟାଙ୍କ୍‌ରେ ରଖୁଥିବା ରାଶି ଉପରେ ସୁଧ ଦେଇଥାଏ। ବର୍ତ୍ତମାନ ‘ରିଭର୍ସ ରେପୋ ରେଟ୍‌’ ହେଉଛି ୩.୩୫%।

ବ୍ୟାଙ୍କ୍‌ମାନେ ବଜାରରେ ଦେଉଥିବା ବିଭିନ୍ନ କିସମର ଋଣ ଉପରେ ଆଦାୟ କରୁଥିବା ସୁଧର ହାର ବର୍ତ୍ତମାନ ରହିଛି ପ୍ରାୟ ୧୦%ରୁ ୨୦% ମଧୢରେ। ତଥାପି ଦେଖାଯାଉଛି ସମ୍ପ୍ରତି ଦେଶର ବ୍ୟାଙ୍କ୍‌ମାନେ ଉପରୋକ୍ତ ନାମମାତ୍ର ସୁଧ ପାଇବା ପାଇଁ ହିଁ ରିଜର୍ଭ ବ୍ୟାଙ୍କ୍‌ରେ ଅର୍ଥ ଜମା କରିବାକୁ ପସନ୍ଦ କରୁଛନ୍ତି, ବଜାରରେ ଋଣ ଦେବାକୁ ନୁହେଁ। ଏହାର ଏକ ନିଶ୍ଚିତ ପ୍ରମାଣ ସ୍ବରୂପ ରିଜର୍ଭ ବ୍ୟାଙ୍କ୍‌ର ଏହି ‘ରିଭର୍ସ ରେପୋ’ ଝରକା ଦେଇ ବ୍ୟାଙ୍କ୍‌ମାନେ ସେଠାରେ ଠୁଳ କରିଥିବା ରାଶିର ପରିମାଣ ପହଞ୍ଚିଲାଣି ପ୍ରାୟ ୭ ଲକ୍ଷ କୋଟି ଟଙ୍କାରେ। ଏହା ଯଦି କାହାକୁ ସାମାନ୍ୟ ଉଦ୍ଭଟ ବା ଆଶ୍ଚର୍ଯ୍ୟଜନକ ମନେ ହେଉଥିବ, ଏଭଳି ଅବସ୍ଥାର ତାତ୍ପର୍ଯ୍ୟ କିନ୍ତୁ କେବଳ ସେତିକିରେ ସୀମିତ ନୁହେଁ। ଦେଶର କରୋନାଗ୍ରସ୍ତ ଅର୍ଥନୀତି ପାଇଁ ଏହାର ତାତ୍ପର୍ଯ୍ୟ ହେଉଛି ବହୁ ଅଧିକ ଗୁରୁତର ଓ ଚିନ୍ତାଜନକ।

ଅର୍ଥନୀତିରେ ପ୍ରାଣ ସଞ୍ଚାର ପାଇଁ ଖାଉଟି, ବ୍ୟବସାୟ ଓ ନିବେଶକମାନଙ୍କ ନିକଟରେ ଋଣ ଆକାରରେ ଅଧିକ ପୁଞ୍ଜି ଉପଲବ୍‌ଧ କରାଇବା ପାଇଁ ରିଜର୍ଭ ବ୍ୟାଙ୍କ୍‌ ବିଭିନ୍ନ ପଦକ୍ଷେପମାନ ନେବାରେ ଲାଗିଛି। ରିଜର୍ଭ ବ୍ୟାଙ୍କ୍‌ କିନ୍ତୁ ଲୋକମାନଙ୍କୁ ସିଧାସଳଖ ଋଣ ପ୍ରଦାନ କରେ ନାହିଁ; ସେ କାର୍ଯ୍ୟ କରିଥାନ୍ତି ବ୍ୟାଙ୍କ୍‌ମାନେ। ବ୍ୟାଙ୍କ୍‌ମାନେ ତାହା ନ କରି ଯଦି ଉଜାଣି ପ୍ରବାହିତ ହୋଇ ସେ ଅର୍ଥକୁ ନେଇ ପୁଣି ରିଜର୍ଭ ବ୍ୟାଙ୍କ୍‌ରେ ଭର୍ତ୍ତିକରି ବନ୍ଦ କରି ରଖନ୍ତି, ତେବେ ସାଧାରଣ ଖାଉଟିଙ୍କ ଠାରୁ ଆରମ୍ଭ କରି ନିବେଶକମାନଙ୍କ ପକେଟ୍‌କୁ ପଇସା ଯିବ କିପରି? ଅର୍ଥନୀତିରେ ଚାହିଦାର ମରୁଡ଼ି ପଡ଼ିଥିବା ବେଳେ ଏବ˚ ଲୋକଙ୍କର କ୍ରୟ ଶକ୍ତିରେ ବୃଦ୍ଧି ଘଟାଇବା ଜରୁରୀ ବୋଲି ସମସ୍ତେ ହୃଦୟଙ୍ଗମ କରୁଥିବା ବେଳେ, ଏତେ ବିପୁଳ ପରିମାଣର ଅର୍ଥ ନିଷ୍କ୍ରିୟ ହୋଇ ରିଜର୍ଭ ବ୍ୟାଙ୍କ୍‌ରେ ପଡ଼ି ରହିବା ନିଶ୍ଚିତ ରୂପେ ଏକ ବାଞ୍ଛନୀୟ କିମ୍ବା ଆଦର୍ଶ ପରିସ୍ଥିତି ନୁହେଁ।

ତେବେ ଏଥିପାଇଁ ବ୍ୟାଙ୍କ୍‌ମାନଙ୍କୁ ଦୋଷ ଦେବା ମଧୢ କଷ୍ଟକର। ସେମାନଙ୍କର କହିବା କଥା ଅର୍ଥନୀତିରେ ଋଣର ଚାହିଦା ନାହିଁ ଏବ˚ ଯେଉଁମାନେ ଋଣ କରିବା ପାଇଁ ଆଗେଇ ଆସୁଛନ୍ତି, ସେମାନଙ୍କର ପରିଶୋଧ କ୍ଷମତା ସନ୍ତୋଷ ଜନକ ନୁହେଁ। ଶିଳ୍ପାନୁଷ୍ଠାନ ଓ ଅନ୍ୟାନ୍ୟ ଉଦ୍ୟୋଗୀମାନେ ଋଣ କରି ନିବେଶ କରିବାକୁ କୁଣ୍ଠିତ ହେବାର କାରଣ ହେଲା ବଜାରରେ ଚାହିଦାର ଅନ୍ତର୍ଦ୍ଧାନ। ସେମାନଙ୍କର ଉତ୍ପାଦିତ ଦ୍ରବ୍ୟ ଓ ସେବା ଯଦି ବିକ୍ରି ନ ହୁଏ, ସେମାନେ କ୍ଷତିରେ ପଡ଼ିବେ ଏବ˚ ଋଣ ପରିଶୋଧ କରିପାରିବେ ନାହିଁ। ଅପରପକ୍ଷେ ସେମାନେ ଯଦି ନିବେଶ ଓ ନିଯୁକ୍ତିରେ ବୃଦ୍ଧି ନଘଟାନ୍ତି, ତେବେ ଲୋକମାନଙ୍କର ଆୟ ସୃଷ୍ଟି ହେବ ନାହିଁ, ତେଣୁ ସେମାନଙ୍କର ଚାହିଦା ଅତ୍ୟନ୍ତ ନୀଚା ହୋଇ ରହିବ। ଏଥିରୁ ସ୍ପଷ୍ଟ ଯେ ଏହା ହେଉଛି ଏକ ପାପଚକ୍ର: ଗୋଟିଏ କାରଣ ଏକ କାର୍ଯ୍ୟକୁ ଜନ୍ମ ଦେଇଥାଏ ଏବ˚ ପରବର୍ତ୍ତୀ ସମୟରେ ସେଇ କାର୍ଯ୍ୟଟି ପୁଣି କାରଣରେ ପରିଣତ ହୋଇଥାଏ- ହିନ୍ଦୁମାନେ ବିଶ୍ବାସ କରୁଥିବା ଜନ୍ମ-ମୃତ୍ୟୁ-ପୁନର୍ଜନ୍ମ ଚକ୍ର ଭଳି।

୧୯୩୦ ଦଶକରେ ବିଶ୍ବ ଅର୍ଥନୀତି ଯେତେବେଳେ ଭିନ୍ନ କାରଣରୁ ଏଇଭଳି ଏକ ପାପାଚକ୍ର ଦ୍ବାରା କବଳିତ ହୋଇଥିଲା, ‘ମାକ୍ରୋଇକୋନମିକ୍‌ସ’ (ସାମଗ୍ରିକ ଅର୍ଥନୀତି ତତ୍ତ୍ବ)ର ପିତା ରୂପେ ବିବେଚିତ ମହାନ୍‌ ବ୍ରିଟିସ୍‌ ଅର୍ଥନୀତିଜ୍ଞ ଜନ୍‌ ମେନାର୍ଡ କିନ୍‌ସ ସେହି ସମୟରେ ତାଙ୍କର ଶ୍ରେଷ୍ଠତମ ପୁସ୍ତକ ‘ଜେନେରାଲ୍‌ ଥିଓରି ଅଫ୍‌ ଏମ୍ଲଏମେଣ୍ଟ୍‌, ଇଣ୍ଟେରେଷ୍ଟ ଆଣ୍ତ୍‌ ମନି’ (‘ନିଯୁକ୍ତି, ସୁଧ ଏବ˚ ଅର୍ଥର ସାଧାରଣ ତତ୍ତ୍ବ’) ରଚନା କରିଥିଲେ। ଏହାର ପ୍ରାୟ ଦୁଇ ଦଶନ୍ଧି ପୂର୍ବେ ପ୍ରକାଶିତ ହୋଇଥିବା ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କ ‘ଜେନେରାଲ୍‌ ଥିଓରି ଅଫ ରିଲେଟିଭିଟି’ (‘ସାଧାରଣ ଆପେକ୍ଷିକ ତତ୍ତ୍ବ’) ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ପ୍ରଚଳିତ ନିଉଟନୀୟ କ୍ଲାସିକାଲ୍‌ ଦୃଷ୍ଟିଭଙ୍ଗୀକୁ ଯେମିତି ଓଲଟ ପାଲଟ କରିଦେଇଥିଲା (ମାଧୢାକର୍ଷଣ ଆଉ ଏକ ଶକ୍ତି ନହୋଇ ଏକ ଜ୍ୟାମିତିରେ ପରିଣତ ହୋଇଗଲା), କିନ୍‌ସଙ୍କ ‘ଜେନେରାଲ୍‌ ଥିଓରି’ ସେଇ ଭଳି ପ୍ରଚଳିତ ଜେ.ବି. ସେ’ ସୁଲଭ କ୍ଲାସିକାଲ୍‌ ଅର୍ଥନୈତିକ ଚିନ୍ତାଧାରାରେ ଅଭାବିତ ପରିବର୍ତ୍ତନ ଘଟାଇ ଦେଲା (ଯୋଗାଣ ଆଉ ପୂର୍ବ ପରି ନିଜର ଚାହିଦା ସୃଷ୍ଟି କରେ ବୋଲି ବିଶ୍ବାସ କରାଗଲା ନାହିଁ, ଏକ ପାପଚକ୍ର ଜନିତ ଅର୍ଥନୈତିକ ଅଧୋଗତିରୁ ଉଦ୍ଧାର ପାଇବାକୁ ହେଲେ, ସରକାର ଆଉ ପୂର୍ବ ପରି ଆଡ଼େଇ ହୋଇ ନରହି ବଜାରରେ ହସ୍ତକ୍ଷେପ କରି ବିପୁଳ ଖର୍ଚ୍ଚ କରି ଚାହିଦାରେ ଉନ୍ନତି ଘଟାଇବାକୁ ପଡ଼ିବ)।

ସରକାର ଋଣ କରି ଖର୍ଚ୍ଚ କରିବେ। ସରକାର ଋଣ କରିବା ବେଳେ ଘରୋଇ ଉଦ୍ୟୋଗ ଭଳି ଲାଭକ୍ଷତିର ଆଶା ଆଶଙ୍କା ଦ୍ବାରା ପ୍ରଭାବିତ ହେବେ ନାହିଁ, ଏକ ସ୍ବାଧୀନ ନିଷ୍ପତ୍ତି ବଳରେ ସରକାର ଆବଶ୍ୟକ ପରିମାଣର ସମ୍ବଳ ଋଣ କରି ପାରିବେ। ଏହା ଦ୍ବାରା ସରକାରୀ ନିଅଣ୍ଟ ପରିମାଣ ଓ ଅନୁପାତରେ ବୃଦ୍ଧି ଘଟିବ, କାରଣ ସେ ସମୟରେ ସରକାରଙ୍କ ଆୟ ଅପେକ୍ଷା ବ୍ୟୟ ବହୁ ଅଧିକ ହେବ। କିନ୍‌ସ ଓ ତାଙ୍କର ଅନୁଗାମୀମାନେ କିନ୍ତୁ ବିଶ୍ବାସ କରନ୍ତି ଯେ ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ବଜାରରେ ଚାହିଦା ସ୍ତରରେ ବୃଦ୍ଧି ଘଟିଲେ ତା’ର ଉତ୍ତରରେ ପରେ ପରେ ଉତ୍ପାଦନ, ନିଯୁକ୍ତି ଓ ଆୟରେ ବୃଦ୍ଧି ଘଟିବ ଏବ˚ ସେଥିରୁ ଅଧିକ ଚାହିଦାର ସୃଷ୍ଟି ହେବ। ଏହା ମଧୢ ଏକ ଚକ୍ରାକାର ପ୍ରକ୍ରିୟାକୁ ଜନ୍ମ ଦେବ- ଏକ ପୁଣ୍ୟ ଚକ୍ର। ଏହାର ପ୍ରଭାବରେ ଯେତେବେଳେ ଦେଶରେ ଜାତୀୟ ଆୟରେ ବୃଦ୍ଧି ଘଟିବ, ସରକାର ସେଥିରୁ ଆଦାୟ କରୁଥିବା ଟିକସ ରାଜସ୍ବରେ ସ୍ବାଭାବିକ ଭାବରେ ବୃଦ୍ଧି ଘଟିବ। ତେଣୁ କ୍ରମେ ନିଅଣ୍ଟ ଭରଣା ହୋଇଯିବ।

ତେଣୁ ବର୍ତ୍ତମାନର କରୋନା ଜନିତ ଅଧୋଗତିରୁ ଉଦ୍ଧାର ପାଇବାକୁ ହେଲେ ସରକାରଙ୍କୁ ଋଣ କରି ଖର୍ଚ୍ଚ କରିବାକୁ ହେବ। ବ୍ୟାଙ୍କ୍‌ମାନେ ସରକାରଙ୍କୁ ଋଣ ଦେବା ପାଇଁ ସର୍ବଦା ଆଗ୍ରହୀ ଥା’ନ୍ତି, କାରଣ ନୋଟ୍‌ ଛାପିବା ଏବ˚ ଟିକସ ଆଦାୟ କରିବାର ଅଧିକାର ଥିବା ଏହି ଅନୁଷ୍ଠାନର ଋଣ ଗ୍ରହଣ ମର୍ଯ୍ୟାଦା( କ୍ରେଡିଟ୍‌ ରେଟିଙ୍ଗ୍‌) ହେଉଛି ସର୍ବୋଚ୍ଚ। ରବର୍ଟ ବାରୋଙ୍କ ପରି ଅର୍ଥନୀତିଜ୍ଞମାନେ ଯେଉଁ ଆଶଙ୍କା ପ୍ରକାଶ କରନ୍ତି ଯେ ସରକାରୀ ଖର୍ଚ୍ଚ ଯେଉଁ ଅନୁପାତରେ ବୃଦ୍ଧି ପାଇବ, ଆଗକୁ ଟିକସ ବୃଦ୍ଧି ଆଶଙ୍କାରେ ଲୋକମାନେ ସେମାନଙ୍କର ଘରୋଇ ଖର୍ଚ୍ଚ ସେଇ ଅନୁପାତରେ ହ୍ରାସ କରି ଅଧିକ ସଞ୍ଚୟ କରିବାରେ ଲାଗି ସରକାରଙ୍କ ଉଦ୍ୟମକୁ ନିଷ୍ଫଳ କରିଦେବେ, ତାହା ଏକ ଅବାସ୍ତବ ପରିକଳ୍ପନା ପରି ମନେହୁଏ- ବିଶେଷତଃ ଭାରତୀୟ ପରିପ୍ରେକ୍ଷୀରେ। ପ୍ରତ୍ୟେକ ଭାରତୀୟ ଜଣେ ଜଣେ ଅର୍ଥଶାସ୍ତ୍ର ଗବେଷଣା ଛାତ୍ର ନୁହଁନ୍ତି ଯେ ସେମାନେ ଏପରି ଭବିଷ୍ୟତ ଟିକସ ବୃଦ୍ଧି ସମ୍ଭାବନାର ଅନୁଶୀଳନ କରି ବର୍ତ୍ତମାନ ନିଜର ବ୍ୟୟ ସ˚କୋଚନ କରିବାକୁ ଲାଗିବେ।

ସରକାର ତେଣୁ ନିଅଣ୍ଟକୁ ନଡରି ଋଣ ମାଧୢମରେ ଉପରୋକ୍ତ ୭ ଲକ୍ଷ କୋଟି ଟଙ୍କାର ସମ୍ଭାବ୍ୟ କ୍ରୟ ଶକ୍ତିକୁ ନିଜ ତହବିଲକୁ ଆଣି ସରକାରୀ ନିବେଶ ଓ ଖର୍ଚ୍ଚ ମାଧୢମରେ ତାକୁ ଲୋକମାନଙ୍କ ବାସ୍ତବ କ୍ରୟ ଶକ୍ତିରେ ପରିଣତ କରିବା ଉଚିତ। ଯେହେତୁ ଘରୋଇ କ୍ଷେତ୍ର ଋଣ କରିବାକୁ ଅନିଚ୍ଛୁକ, ସରକାର ଏହା ଦ୍ବାରା ଘରୋଇ କ୍ଷେତ୍ରକୁ ପୁଞ୍ଜିରୁ ବଞ୍ଚିତ କରିବାର ସମ୍ଭାବନା ନାହିଁ। ବର˚ ସରକାରଙ୍କ ଏଭଳି ପଦକ୍ଷେପ ଘରୋଇ କ୍ଷେତ୍ରରେ ପ୍ରାଣ ସଞ୍ଚାର କରିବ। ସରକାର ହିଁ କେବଳ ଏ ପାପଚକ୍ର ଭଙ୍ଗ କରିପାରିବେ।

ସମ୍ବନ୍ଧିତ ଖବର