‘ବାଳୁଙ୍ଗା’ ବିଚାର

ଇ˚ରେଜୀରେ ପାର˚ପରିକ ଜ୍ଞାନ ରଖିଥିବା ଅସ˚ଖ୍ୟ ଓଡ଼ିଆ ଯେଉଁମାନେ ରିୟା ଚକ୍ରବର୍ତ୍ତୀଙ୍କ ମାମଲାର ଅନୁସରଣ କରୁଛନ୍ତି, ଇତିମଧ୍ୟରେ ଇ˚ରେଜୀ ଶବ୍ଦ ‘ଵିଡ୍‌’ର ଆଉ ଏକ ସମାର୍ଥବୋଧକ ଓଡ଼ିଆ ଶବ୍ଦକୁ ଭେଟିଛନ୍ତି, ଯାହା ହେଉଛି ଗଞ୍ଜେଇ। ପୂର୍ବରୁ ସେମାନେ ‘ଵିଡ୍‌’ର ଯେଉଁ ବହୁଳ ଭାବେ ବ୍ୟବହୃତ ଓଡ଼ିଆ ଅର୍ଥ ସହିତ ପରିଚିତ ଥିଲେ, ତାହା ହେଉଛି ‘ବାଳୁଙ୍ଗା’। ସତ କହିଲେ ଜଙ୍ଗଲୀ ଭାବେ ଏଣେତେଣେ ବଢୁଥିବା ଗଞ୍ଜେଇ ଗଛକୁ ଅନେକ ଚାଷୀ ନିଶ୍ଚିତ ରୂପେ ସେମାନଙ୍କ ଜମିରୁ ସଫା କରି ଦେଉଥିବେ, କିନ୍ତୁ ଗଞ୍ଜେଇକୁ ଏକ ସାଧାରଣ ବାଳୁଙ୍ଗା ଗୁଳ୍ମ ତୁଲ୍ୟ ସ˚ପୂର୍ଣ୍ଣ ବର୍ଜନୀୟ ବୋଲି ମଧୢ କହି ହେଉନାହିଁ। ବହୁଳ ଭାବେ ଜନାଦୃତ ଅଥଚ ଏକ ନିଷିଦ୍ଧ(ବେଆଇନ) ନିଶା ଦ୍ରବ୍ୟ ରୂପେ ଗଞ୍ଜେଇ ଆକର୍ଷଣ ଓ ବିକର୍ଷଣର ଯେଉଁ ବିଚିତ୍ର ଇଲାକାରେ ବିଦ୍ୟମାନ, ସେହି ପରିପ୍ରେକ୍ଷୀରେ ଏହା ଏକ ନୂତନ ପରିଭାଷାର ଆବଶ୍ୟକତା ଲୋଡ଼ିଲାଣି। ପୁଣି ସ˚ପ୍ରତି ଯେତେବେଳେ ଏହାକୁ କେନ୍ଦ୍ର କରି ସୃଷ୍ଟ ଏକ ମାମଲାରେ ଜଣେ ବଲିଉଡ୍‌ ଅଭିନେତ୍ରୀ ଜେଲରେ କାଳ କାଟୁଥିବା ବେଳେ କିଛି ଆଗ ଧାଡ଼ିର ବଲିଉଡ୍‌ ନାୟିକାଙ୍କୁ ‘ନାର୍କୋଟିକ୍‌ସ କ˚ଟ୍ରୋଲ ବ୍ୟୁରୋ’ ବା ‘ଏନ୍‌ସିବି’ ପକ୍ଷରୁ ସମନ ଜାରି କରାଯାଇଛି, ଏ ସ˚କ୍ରାନ୍ତ ଏକ ଆଲୋଚନା ଆହୁରି ଅଧିକ ଆବଶ୍ୟକ ବୋଲି ମନେ ହୋଇଥାଏ।

ଉଲ୍ଲେଖଯୋଗ୍ୟ ଯେ ନିଶା ଦ୍ରବ୍ୟ ସେବନ ଉପରେ ଗଲା ୨୦୧୯ ମସିହାରେ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣ କହିଥାଏ ଯେ ଆମ ଦେଶରେ ନିୟମିତ ଗଞ୍ଜେଇ ସେବନ କରୁଥିବା ଲୋକଙ୍କ ଭାଗ ହେଉଛି ୨.୮%; ଅର୍ଥାତ୍‌ ପ୍ରାୟ ତିନି କୋଟି। ଏହା ତୁଳନାରେ ଅଫିମ ଓ ତଜ୍ଜାତୀୟ ନିଶା ସେବନ କରୁଥିବା ଲୋକଙ୍କ ସ˚ଖ୍ୟା ହେଉଛି ୬୦ ଲକ୍ଷ ଏବ˚ ‘କୋକେନ୍’ ବା ‘ଏଲ୍‌ଏସ୍‌ଡି’ ଭଳି ନିଶା ଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିଙ୍କ ସ˚ଖ୍ୟା ପ୍ରାୟ ୮ ଲକ୍ଷ। ୧୯୮୫ ମସିହାରେ ଭାରତରେ ପ୍ରବର୍ତ୍ତିତ ହୋଇଥିବା ‘ନାର୍କୋଟିକ୍‌ ଡ୍ରଗ୍‌ସ ଏଣ୍ତ ସାଇକୋଟ୍ରପିକ୍‌ ସବ୍‌ଷ୍ଟାନ୍‌ସେସ୍‌’ ବା ସ˚କ୍ଷେପରେ ‘ଏନ୍‌ଡିପିଏସ୍‌’ (ନିରୋଧକ) ଆଇନରେ ରହିଥିବା ପ୍ରାବଧାନ ଅନୁଯାୟୀ ଏ ସମସ୍ତ ଦ୍ରବ୍ୟ ନିଷିଦ୍ଧ ଏବ˚ କେବଳ ଏହାର ବେପାର କରୁଥିବା ଲୋକେ ନୁହନ୍ତି ଏହାର ସେବନକାରୀମାନେ ମଧ୍ୟ ଅପରାଧୀ ରୂପେ ବିବେଚିତ ହୋଇ ଗିରଫଦାରିର ସମ୍ମୁଖୀନ ହେବେ। ତେବେ, ସ˚ପ୍ରତି ଏହି ପରିପ୍ରେକ୍ଷୀରେ ଆମ ଦେଶରେ ନିଶା ସେବନକାରୀଙ୍କ ପୁନର୍ବାସ କ୍ଷେତ୍ରରେ କାର୍ଯ୍ୟରତ କିଛି ଅନୁଷ୍ଠାନ ଦ୍ବାରା ବିତର୍କର ସୂତ୍ରପାତ କରାଯାଇଛି, ଯାହା ଗଞ୍ଜେଇକୁ ମାରାତ୍ମକ ନିଶା ଦ୍ରବ୍ୟର ତାଲିକାରୁ ଅପସାରଣ କରିବା ସହିତ ଏହାର ସେବନକାରୀଙ୍କୁ ଅପରାଧୀ ରୂପେ ବିଚାର କରାଯିବାର ଯୌକ୍ତିକତା ବିରୋଧରେ ପ୍ରଶ୍ନ କରିଥାଏ।

କହିବା ବାହୁଲ୍ୟ ଯେ ଇତି ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ଏବ˚ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ଏ ସ˚କ୍ରାନ୍ତ ବିତର୍କ ଓ ପୁନର୍ଚିନ୍ତନ ବେଶ୍‌ ଜୋରଦାର ହୋଇସାରିଲାଣି। ଗଞ୍ଜେଇକୁ ଏକ କୋମଳ ନିଶା ରୂପେ ଅଭିହିତ କରୁଥିବା ଏହି ଅନୁଷ୍ଠାନଗୁଡ଼ିକ ଯେଉଁ ଯୁକ୍ତି ପ୍ରଦାନ କରିଥାଆନ୍ତି ତାହା ହେଲା ପ୍ରଚଳିତ ଆଇନ ଅନୁଯାୟୀ ଗଞ୍ଜେଇ ସେବନକାରୀଙ୍କ ବିରୋଧରେ ଆପରାଧିକ ମାମଲା ଦାଖଲ କରାଯାଉଥିବା କାରଣରୁ ଅସ˚ଖ୍ୟ ନିଶାଗ୍ରସ୍ତ ପରବର୍ତ୍ତୀ ସମୟରେ ସେମାନଙ୍କ ଆସକ୍ତିରୁ ସ˚ପୂର୍ଣ୍ଣ ରୂପେ ମୁକ୍ତ ହୋଇ ଏକ ସ୍ବାଭାବିକ ଜୀବନ ଅତିବାହିତ କରିବାକୁ ଚାହିଲେ ମଧୢ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି। କାରଣ ଏହି ଆପରାଧିକ ମାମଲାର ରେକର୍ଡ ସେମାନଙ୍କ ଲାଗି ଚାକିରି ବା ପାସପୋର୍ଟ ଇତ୍ୟାଦି ହାସଲ କରିବାରେ ବାଧକ ସୃଷ୍ଟି କରିଥାଏ ଏବ˚ ଜେଲ ଫେରନ୍ତା ଭାବେ ସେମାନେ ସାମାଜିକ ଅପବାଦର ଶରବ୍ୟ ମଧ୍ୟ ହୋଇଥାଆନ୍ତି। କେବଳ ସେତିକି ନୁହେଁ, ଏଭଳି ମାମଲାର ଆଧିକ୍ୟ ନ୍ୟାୟପାଳିକା ଉପରେ ଏକ ଅତିରିକ୍ତ ବୋଝରେ ପରିଣତ ହେଲାଣି। ଏହି କ୍ଷେତ୍ରରେ କାର୍ଯ୍ୟରତ ଏକ ବିଶିଷ୍ଟ ଏନ୍‌ଜିଓ ‘ବିଧି’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ କହିଥାଏ ଯେ କେବଳ ୨୦୧୮ରେ ୮୧,୭୭୪ଜଣଙ୍କୁ ‘ଏନ୍‌ଡିପିଏସ୍‌’ ଆଇନ ବଳରେ ଗିରଫ କରାଯାଇ ମାମଲା ରୁଜୁ କରାଯାଇଥିଲା, ଯହିଁରୁ ୫୯%ଙ୍କ ଠାରେ କେବଳ ଆପଣା ବ୍ୟବହାର ସକାଶେ ସ୍ବଳ୍ପ ପରିମାଣର ନିଶା ଦ୍ରବ୍ୟ ମିଳିଥିଲା। କହିବା ବାହୁଲ୍ୟ ଯେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଗଞ୍ଜେଇ ସେବନକାରୀ। ସେହିଭଳି ଭାରତରେ ସର୍ବାଧିକ ସ˚ଖ୍ୟକ ନିଶାଗ୍ରସ୍ତଙ୍କ ସହର ଭାବେ କୁଖ୍ୟାତି ଅର୍ଜନ କରିଥିବା ମୁମ୍ବାଇରେ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରୁ ଉପଲବ୍‌ଧ ତଥ୍ୟାନୁସାରେ ‘ଏନ୍‌ଡିପିଏସ୍‌’ ଆଇନ ବଳରେ ଗିରଫ ହୋଇଥିବା ୧୦,୬୬୯ ଜଣଙ୍କ ମଧୢରୁ ୯୯.୯% ଥିଲେ କେବଳ ନିଶା ସେବନକାରୀ; ଅର୍ଥାତ୍‌ ସେମାନେ କୌଣସି ରୂପେ ଚୋରା ନିଶା ବେପାରୀ ନ ଥିଲେ। ଏହି ଅନୁଧୢାନରୁ ଆହୁରି ଜଣାପଡ଼ିଛି ଯେ ଏହି ସବୁ ବ୍ୟକ୍ତିମାନେ ହେଉଛନ୍ତି ପ୍ରାୟତଃ ଦିନ ମଜୁରିଆ ବର୍ଗର ବା ଦରିଦ୍ର ବସ୍ତିବାସିନ୍ଦା, ଯାହା ପ୍ରମାଣିତ କରିଥାଏ ଯେ ‘ଏନ୍‌ଡିପିଏସ୍‌’ ଆଇନ ପ୍ରାୟତଃ ବିତ୍ତଶାଳୀ ନିଶା ସେବନକାରୀମାନଙ୍କ ପାଖରେ ପହଞ୍ଚି ପାରି ନଥାଏ।

ଉଲ୍ଲେଖଯୋଗ୍ୟ ଯେ ‘ଏନ୍‌ଡିପିଏସ୍‌’ ଆଇନରେ ନିହିତ ମୂଳ ବିଚାରଟି ନ୍ୟାୟ ବିଚାରର ମୂଳ ଆଦର୍ଶର ସ˚ପୂର୍ଣ୍ଣ ବିପରୀତ, ଯାହା କହିଥାଏ ଯେ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ ନ କରିବା ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଦିଗ୍‌ଧ ଦୋଷୀ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ରିୟା ଚକ୍ରବର୍ତ୍ତୀଙ୍କ କ୍ଷେତ୍ରରେ ଯେଉଁଠାରେ ପାଖରେ ଗଞ୍ଜେଇ ନ ଥିଲେ ମଧୢ ତାଙ୍କୁ ଗିରଫ କରାଯାଇଛି ଏବ˚ ତାଙ୍କ ଗିରଫଦାରିର ଆଧାର ହେଉଛି କୌଣସି ଏକ ପୁରୁଣା ‘ହ୍ବାଟ୍‌ସ ଆପ୍‌’ ବାର୍ତ୍ତାଳାପ ଯହିଁରେ ଅତୀତରେ ସେ ଗଞ୍ଜେଇ ସେବନ କରିଥିବା ବିଷୟ ରହିଛି। ‘ଏନ୍‌ଡିପିଏସ୍‌’ ଆଇନର କଠୋର ସ୍ବରୂପ ସମ୍ବନ୍ଧରେ ଏଥିରୁ ଏକ ଅବଧାରଣା ସୃଷ୍ଟି ହୋଇପାରେ। ଗଞ୍ଜେଇ ସେବନକୁ ଏକ ନିରପରାଧ ନିଶା ଅଭ୍ୟାସ ରୂପେ ବିଚାର କରିବା ସକାଶେ ଆଇନରେ ସ˚ଶୋଧନ କରାଯିବା ସହିତ ମଦ ବା ଧୂଆଁପତ୍ର ଭଳି ଗଞ୍ଜେଇ ଉତ୍ପାଦନ ଓ କାରବାରକୁ ନିୟନ୍ତ୍ରଣାଧୀନ ଉପାୟରେ କରିବା ସପକ୍ଷରେ ଏକ ତର୍କ ସ˚ପ୍ରତି ମୁଣ୍ତ ଟେକିବାରେ ଲାଗିଛି। ଏହି ତର୍କ କହିଥାଏ ଯେ ବିଭିନ୍ନ ଔଷଧୀୟ ଦ୍ରବ୍ୟ ପ୍ରସ୍ତୁତିରେ ଗଞ୍ଜେଇର ଆବଶ୍ୟକତା ଦୃଷ୍ଟିରୁ ଏଥିରୁ ବିପୁଳ ରାଜସ୍ବ ଅର୍ଜନର ସୁଯୋଗ ରହିଛି। ଏକ ଆକଳନ କହିଥାଏ ଯେ ଗଞ୍ଜେଇରୁ ପ୍ରସ୍ତୁତ ‘ଇଣ୍ତଷ୍ଟ୍ରିଆଲ୍‌ ହେ˚ପ୍‌’ର ବିଶ୍ବ ସ୍ତରୀୟ କାରବାରର ପରିମାଣ ହେଉଛି ବାର୍ଷିକ ୪.୭ ବିଲିଅନ୍‌ ଡଲାର, ଯହିଁରେ ଭାରତର ଭାଗ ହେଉଛି ମାତ୍ର .୦୦୦୦୧ ପ୍ରତିଶତ। ସେହି ଦୃଷ୍ଟିରୁ ନିୟନ୍ତ୍ରିତ ଗଞ୍ଜେଇ ଚାଷ ଭାରତ ଲାଗି ବିପୁଳ ଅର୍ଥ ଉପାର୍ଜନର ମାର୍ଗ ସୁଗମ କରାଇ ପାରନ୍ତା ବୋଲି ସେମାନେ ମତ ଦେଇଥାଆନ୍ତି।

ଏହି ସ୍ତମ୍ଭର ପାଠକପାଠିକାମାନଙ୍କୁ ସ୍ପଷ୍ଟ କରିଦିଆଯିବା ଉଚିତ ଯେ ଗଞ୍ଜେଇ ନିଶାକୁ ସମର୍ଥନ କରିବା କୌଣସି ମତେ ଏହି ଲେଖାର ଉଦ୍ଦେଶ୍ୟ ନୁହେଁ। ସବୁ ପ୍ରକାର ନିଶା ଦ୍ରବ୍ୟ ଭଳି ଗଞ୍ଜେଇ ମଧୢ ବର୍ଜନୀୟ। କିନ୍ତୁ ଯେହେତୁ ଆମ ରାଷ୍ଟ୍ରକୁ ଗଞ୍ଜେଇ ନିଶାରୁ ସ˚ପୂର୍ଣ୍ଣ ରୂପେ ମୁକ୍ତ କରିବାର ପ୍ରଚେ‌ଷ୍ଟା ଆଦୌ ବାସ୍ତବଧର୍ମୀ ନୁହେଁ, ଏହି ନିଶା ଅଭ୍ୟାସର ଶିକାର ହୋଇଥିବା ବ୍ୟକ୍ତିବିଶେଷଙ୍କୁ ଅପରାଧୀ ରୂପେ ବିବେଚନା କରିବା ମଧୢ ଲାଭପ୍ରଦ ସାବ୍ୟସ୍ତ ହୋଇପାରିନାହିଁ। ବର˚, ଏଭଳି ନିଶାଗ୍ରସ୍ତ ଜେଲ୍‌ ଯାଇ ସେଠାରେ ନିଷିଦ୍ଧ ନିଶା କାରବାରର ନେଟ୍‌ଵାର୍କ ସ୍ଥାପନ କରିଥାଆନ୍ତି। ବିଶିଷ୍ଟ ଓକିଲ ନାନି ପାଲକିଵାଲା କହିଥିବା ଭଳି କୌଣସି ସମସ୍ୟାର ତୁରନ୍ତ ସମାଧାନ ଉଦ୍ଦେଶ୍ୟରେ ଆଇନଟିଏ ତିଆରି କରାଯାଏ ସିନା, କିନ୍ତୁ ତାହା କଦାପି ଓ କେଉଁଠାରେ ହେଲେ ଲକ୍ଷ୍ୟ ସାଧନ କରିବାରେ ସଫଳ ହୋଇ ନ ଥାଏ। ସେହି ଦୃଷ୍ଟିରୁ ବିଚାର କଲେ ଗଞ୍ଜେଇ ଭଳି ବର୍ଜନୀୟ ବାଳୁଙ୍ଗାର ମୋହରେ ପଡ଼ିଥିବା ବ୍ୟକ୍ତିବିଶେଷଙ୍କ ଉପକାର ଲାଗି ସିକିମ ରାଜ୍ୟ ସରକାରଙ୍କ ଦ୍ବାରା ୨୦୦୬ ମସିହାରେ ପ୍ରବର୍ତ୍ତିତ ‘ସିକିମ ଆଣ୍ଟି ଡ୍ରଗ୍‌ସ ଆକ୍‌ଟ’ ଏକ ନୂଆ ବିକଳ୍ପ ରୂପେ ଦୃଶ୍ୟମାନ ହୋଇପାରେ। କାରଣ ସିକିମର ଏହି ଆଇନ ନିଶା ସେବନକୁ ଏକ ଅପରାଧ ରୂପେ ବିବେଚନା ନ କରି ଏକ ଜନସ୍ବାସ୍ଥ୍ୟ ସମସ୍ୟା ରୂପେ ଦେଖିଥାଏ ତଥା ସେବନକାରୀଙ୍କୁ ଏଥିରୁ ମୁକ୍ତ କରି ସେମାନଙ୍କ ପୁନର୍ବାସ ଉପରେ ଗୁରୁତ୍ବ ପ୍ରଦାନ କରିଥାଏ।

ସମ୍ବନ୍ଧିତ ଖବର

Comments are closed.