ପିଛିଲା ପାହାର
ଅର୍ଥଶାସ୍ତ୍ରର ଜନକ ରୂପେ ପରିଚିତ ଆଡାମ୍ ସ୍ମିଥ୍ଙ୍କ ରଚିତ ‘ୱେଲ୍ଥ ଅଫ୍ ନେସନ୍ସ’ (ରାଷ୍ଟ୍ରମାନଙ୍କର ସମ୍ପଦ’)କୁ ଅର୍ଥଶାସ୍ତ୍ରର ପ୍ରଥମ ବିଧିବଦ୍ଧ ପୁସ୍ତକ ରୂପେ ବିବେଚନା କରାଯାଇଥାଏ। ଏହି ଅଷ୍ଟାଦଶ ଶତାବ୍ଦୀର ସ୍କଟ୍ଲାଣ୍ତୀୟ ମନୀଷୀ କିନ୍ତୁ ମୂଳତଃ ଥିଲେ ଗ୍ଲାସ୍ଗୋ ବିଶ୍ବବିଦ୍ୟାଳୟରେ ନୈତିକ ଦର୍ଶନ ବିଭାଗରେ ଅଧୢାପନା କରୁଥିବା ଜଣେ ପ୍ରସିଦ୍ଧ ପ୍ରଫେସର। ଏହି ସମୟରେ ସେ ରଚନା କରିଥିବା ୧୭୫୯ରେ ପ୍ରକାଶିତ ତାଙ୍କର ନୈତିକ ମୂଲ୍ୟବୋଧ ସମ୍ପର୍କିତ ପ୍ରସିଦ୍ଧ ପୁସ୍ତକ ‘ଦି ଥିଓରି ଅଫ୍ ମୋରାଲ୍ ସେଣ୍ଟିମେଣ୍ଟ୍ସ’ (‘ନୈତିକ ମୂଲ୍ୟବୋଧ ତତ୍ତ୍ବ’) ଏବେବି ବିଶ୍ବବିଦ୍ୟାଳୟ ଭିତରେ ଓ ବାହାରେ ଏକ ବହୁଳ ପଠିତ ଏବ˚ ଚର୍ଚ୍ଚିତ ପୁସ୍ତକ।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ମିଥ୍ ପରବର୍ତ୍ତୀ ସମୟରେ ରଚନା କରିଥିବା ପୁସ୍ତକରେ ଥିବା ବିଷୟବସ୍ତୁ ଓ ତତ୍ତ୍ବମାନ ସ୍ବାଭାବିକ ଭାବରେ ତାଙ୍କର ମୌଳିକ ନୈତିକ ମୂଲ୍ୟବୋଧ ମାନ ଦ୍ବାରା ପ୍ରଭାବିତ ହୋଇଥିଲା। ୧୭୭୬ରେ ପ୍ରକାଶିତ ‘ୱେଲ୍ଥ ଅଫ୍ ନେସନ୍ସ’ ମଧ୍ୟ ଏହି ନୈତିକ ସ୍ବାକ୍ଷର ବହନ କରିଥାଏ। ନାଗରିକମାନଙ୍କ ଠାରୁ କର ଆଦାୟ କରିବା ହେଉଛି ଏକ ରାଷ୍ଟ୍ରର ମୌଳିକ ତଥା ଏକଚାଟିଆ ଅଧିକାର। ରାଷ୍ଟ୍ର ତରଫରୁ ସରକାର ଏହି କର ବସାଇଥାନ୍ତି ଓ ଆଦାୟ କରିଥାନ୍ତି। ନାଗରିକମାନଙ୍କ ପ୍ରତି ଥିବା ନିଜର ଦାୟିତ୍ବ ନିର୍ବାହ କରିବା ପାଇଁ ଆବଶ୍ୟକ ଖର୍ଚ୍ଚ ଭରଣା କରିବାକୁ ସରକାରଙ୍କୁ କର ଆଦାୟ ଅଧିକାର ନାଗରିକମାନେ ହିଁ ପ୍ରଦାନ କରିଥାନ୍ତି। ଏହା କିନ୍ତୁ ଏକ ଉଚ୍ଛୃଙ୍ଖଳ ବ୍ୟାପାରରେ ପରିଣତ ନହୋଇ ଉଭୟ ସରକାରଙ୍କ ପ୍ରତି ପ୍ରଯୁଜ୍ୟ ଏବ˚ ନାଗରିକ-କରଦାତାମାନଙ୍କ ପାଇଁ ପ୍ରଯୁଜ୍ୟ କେତେକ ନିୟମ ଅନୁସରଣ କରିବା ଉଚିତ ବୋଲି ଅର୍ଥଶାସ୍ତ୍ରର ଏହି ପ୍ରତିଷ୍ଠାତା ନୀତିଶାସ୍ତ୍ରୀ ବିଶ୍ବାସ କରୁଥିଲେ।
‘ୱେଲ୍ଥ ଅଫ୍ ନେସନ୍ସ’ରେ ସେ ତେଣୁ ଟିକସ ବ୍ୟବସ୍ଥା ପ୍ରତି ଲାଗୁ ହେବା ପାଇଁ ଉଦ୍ଦିଷ୍ଟ କେତେକ ମାର୍ଗଦର୍ଶିକା ନୀତି ସ୍ଥାନିତ କରିଥିଲେ। ଏଥିମଧୢରୁ ଗୋଟିଏ ନୀତି ହେଉଛି- ‘ନିଶ୍ଚିତତା ନୀତି’। ସ୍ମିଥ୍ ପ୍ରଦର୍ଶିତ ଏହି ନୀତିର କିୟଦ˚ଶ ଏଠାରେ ଉଦ୍ଧାରଯୋଗ୍ୟ। ସେ କହିଥିଲେ: ‘‘ପ୍ରତ୍ୟେକ ବ୍ୟକ୍ତି ଯେଉଁ ଟିକସ ଦେବାକୁ ବାଧୢ, ତାହା ନିଶ୍ଚିତ ହେବା ଉଚିତ ଏବ˚ ମନମୁଖୀ ହେବା ଉଚିତ ନୁହେଁ। ଟିକସ ପୈଠ କରିବାର ସମୟ, ପୈଠ କରିବାର ବିଧି, ପୈଠ ହେବାର ପରିମାଣ ଆଦି କରଦାତା ତଥା ଅନ୍ୟାନ୍ୟ ସମସ୍ତଙ୍କ ପାଇଁ ସ୍ପଷ୍ଟ ଓ ପରିଷ୍କାର ହେବା ଉଚିତ।’’ ଏହା କାହାକୁ ବୁଝିବାକୁ ବାକି ନଥିବ ଯେ ସ୍ମିଥ୍ ଏପରି ଏକ ନୀତି ପ୍ରଣୟନ କରିବାର କାରଣ ହେଲା ଏକ ମନମୁଖୀ କର ବ୍ୟବସ୍ଥା କରଦାତାଙ୍କ ପାଇଁ କେବଳ ଅସୁବିଧାଜନକ ହେବ, ତାହା ନୁହେଁ, ନୀତିଶାସ୍ତ୍ରୀ ସ୍ମିଥ୍ଙ୍କ ବିଚାରରେ ଏହା ଘୋର ଅନୈତିକ ମଧୢ। ଏକ ଖେଳ ପ୍ରତିଯୋଗିତା ଚାଲିଥିବା ବେଳେ ଖେଳର ପରିଚାଳକ ଖେଳର ନିୟମ ବଦଳାଇବା ଯେଉଁଭଳି ଅବାଞ୍ଛନୀୟ ତଥା ଅନୈତିକ, ଟିକସ ନୀତିକୁ ଅସ୍ଥିର ଓ ଅନିଶ୍ଚିତ କରି ରଖିବା ହେଉଛି ସେଇଭଳି ଅସଭ୍ୟ ଆଚରଣ।
ଟେଲିକମ୍ କମ୍ପାନି ‘ଭୋଡାଫୋନ୍’ ପ୍ରତି କେନ୍ଦ୍ରରେ କ୍ଷମତାରେ ଥିବା ଲାଗ୍ ଲାଗ୍ ଦୁଇଟି ଭିନ୍ନ ରାଜନୈତିକ ମତବାଦର ଦୁଇଟି ସରକାର ଯେଉଁଭଳି ଆଭିମୁଖ୍ୟ ଓ ଆଚରଣ ପ୍ରଦର୍ଶନ କରିଛନ୍ତି ତାହା ହେଉଛି ସ୍ପଷ୍ଟ ରୂପେ ଏହି ପରି ନିନ୍ଦନୀୟ ଶ୍ରେଣୀର ଯାହା ଆଡାମ୍ ସ୍ମିଥ୍ଙ୍କ ଠାରୁ ବିଶୁଦ୍ଧ ଭର୍ତ୍ସନା ବ୍ୟତୀତ ଆଉ କୌଣସି ମନ୍ତବ୍ୟ ଲାଭ କରନ୍ତା ନାହିଁ। ପ୍ରଥମ ସରକାରର ମୁଖ୍ୟ ଥିଲେ ନିଜକୁ ଆଡାମ୍ ସ୍ମିଥ୍ ପ୍ରତିଷ୍ଠିତ ଶାସ୍ତ୍ର ଅର୍ଥନୀତିର ଜଣେ ବିଶିଷ୍ଟ ବିଶାରଦ ବୋଲି ଦାବି କରୁଥିବା ମନମୋହନ ସି˚ହ, ଏବ˚ ଦ୍ବିତୀୟ ସରକାରର ଏବେ ବି ନେତୃତ୍ବ ନେଉଥିବା ଏବଂ ‘ଅଧିକ ସୁଶାସନ ଓ କମ୍ ସରକାର’ ତଥା କଟକଣାମୁକ୍ତ ବ୍ୟବସାୟରେ ବିଶ୍ବାସ କରନ୍ତି ବୋଲି ଦାବି କରିଆସୁଥିବା ନରେନ୍ଦ୍ର ମୋଦୀ।
୨୦୦୭ରେ ବ୍ରିଟିସ୍ ଟେଲିକମ୍ କମ୍ପାନି ‘ଭୋଡାଫୋନ୍’ ଭାରତରେ ବ୍ୟବସାୟ କରୁଥିବା ହ˚କ˚ର ‘ହଚିସନ୍ ହ୍ବାମ୍ପୋଆ’ ମୋବାଇଲ୍ ଟେଲିଫୋନ୍ ସେବା ପ୍ରଦାନକାରୀ (‘ହଚ୍’, ‘ଅରେଞ୍ଜ୍’ ବ୍ରାଣ୍ତ୍) କମ୍ପାନିର ୬୭% ଅ˚ଶଧନ ୧୧ ବିଲିଅନ୍ ଡଲାର୍ ମୂଲ୍ୟ ଦେଇ କ୍ରୟ କରି ନେଇ ଭାରତୀୟ ମୋବାଇଲ୍ ଟେଲିଫୋନ୍ ବଜାରରେ ନିଜର ଉପସ୍ଥିତି ଜମାଇଲା। ଭାରତୀୟ ଆୟକର ବିଭାଗ ଏହା ପରେ ଭୋଡ଼ାଫୋନ୍ ଉପରେ ୭,୯୯୦ କୋଟି ଟଙ୍କାର ଦେୟ ଦାବି କରି ଏକ ନୋଟିସ୍ ପଠାଇଲା। ଆୟକର ବିଭାଗ କହିବା କଥା ଏହି କାରବାରରେ ‘ହଚିସନ୍’ କରିଥିବା ଆୟ ଉପରେ ଭାରତ ସରକାରଙ୍କୁ ଏତିକି ପରିମାଣର ‘କ୍ୟାପିଟାଲ୍ ଗେନ୍ସ’ ଟିକସ ଦେବା କଥା ଏବ˚ ଭୋଡାଫୋନ୍ ସେ କମ୍ପାନିଠାରୁ ଏହି ଅର୍ଥ ଅଟକାଇ ରଖିବା ଉଚିତ ଥିଲା। ଭୋଡ଼ାଫୋନ୍ ଏହାକୁ ଭାରତରେ ପ୍ରଚଳିତ ଆଇନ ବିରୁଦ୍ଧ ବୋଲି କହିି ଅଦାଲତର ଦ୍ବାରସ୍ଥ ହେଲା ଏବ˚ ୨୦୧୨ରେ ସୁପ୍ରିମ୍ କୋର୍ଟ ଭୋଡ଼ାଫୋନ୍ ସପକ୍ଷରେ ରାୟ ଦେଲେ।
ଯେ କୌଣସି ସଭ୍ୟ ଦେଶରେ ଏହା ପରେ ସରକାର ସର୍ବୋଚ୍ଚ ଅଦାଲତଙ୍କ ଆଜ୍ଞା ପାଳନ କରି ‘ଭୋଡ଼ାଫୋନ୍’ର ପିଛା ଛାଡ଼ି ଦେଇଥାନ୍ତେ। କିନ୍ତୁ ମନମୋହନ ସି˚ହ ସରକାର ତା ନ କରି ସିଧାସଳଖ ନଗ୍ନ ଭାବରେ ପିଛିଲା ତାରିଖରୁ ଆୟକର ଆଇନରେ ସ˚ଶୋଧନ କରି ଆଡାମ୍ ସ୍ମିଥ୍ଙ୍କ ‘ନିଶ୍ଚିତତା ନିୟମ’ ଉଲ୍ଲ˚ଘନ କରି ୨୦୧୩ରେ ଭୋଡ଼ାଫୋନ୍ ଉପରେ କର ଓ ସୁଧ ମିଶି ୧୪,୨୦୦ କୋଟି ଟଙ୍କାର ଦେୟ ଦାବି କରି ନୋଟିସ୍ ପଠାଇ ଦେଲା। ସେତେବେଳେ ଅର୍ଥମନ୍ତ୍ରୀ ଥିଲେ ସ୍ବର୍ଗତ ପ୍ରଣବ ମୁଖାର୍ଜୀ। ୨୦୧୪ରେ ମୋଦୀ ସରକାର ଆସିଲା କ୍ଷମତାକୁ ଏବ˚ ଆଶା କରାଯାଉଥିଲା ସେ ସରକାର ଏପରି ଅନୈତିକ ଓ ବ୍ୟବସାୟ ବିରୋଧୀ କାର୍ଯ୍ୟରୁ ନିବୃତ୍ତ ରହି ଆଇନରେ ଅନ୍ୟାୟ ଭାବରେ ପିଛିଲା ତାରିଖରୁ ହୋଇଥିବା ସ˚ଶୋଧନକୁ ରଦ୍ଦ କରିବାକୁ ପଦକ୍ଷେପ ନେବ। କିନ୍ତୁ ଦେଖାଗଲା ଯେ ତାହା କରିବା ପରିବର୍ତ୍ତେ ମୋଦୀ ସରକାର ୨୦୧୬ରେ ଆହୁରି ସୁଧ ମିଶାଇ ୨୨,୧୦୦ କୋଟି ଟଙ୍କାର ଏକ ଦେୟ ନୋଟିସ୍ ଭୋଡ଼ାଫୋନ୍କୁ ପଠାଇଲା ଏବ˚ ତାହା ଆଦାୟ ନହେଲେ ଭାରତରେ ଥିବା କମ୍ପାନିର ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି ଧମକ ଦେଲା। ଏଥର ମୋଦୀ ସରକାରରେ ବିତ୍ତ ମନ୍ତ୍ରୀ ଥିଲେ ସ୍ବର୍ଗତ ଅରୁଣ ଜେଟ୍ଲି।
ଦୁଇଜଣ ଯାକ ଅର୍ଥମନ୍ତ୍ରୀ ବର୍ତ୍ତମାନ ସ୍ବର୍ଗରେ; କିନ୍ତୁ ସେମାନଙ୍କର କୃତକର୍ମ ଯୋଗୁଁ ଭାରତ ବର୍ତ୍ତମାନ ଆନ୍ତର୍ଜାତିକ ବ୍ୟବସାୟ ପରିସରରେ ନିନ୍ଦିତ ଓ ଲଜ୍ଜିତ ହୋଇ ମଥାନତ କରି ଛିଡ଼ା ହୋଇଛି। ଭୋଡ଼ାଫୋନ୍ ଓ ଭାରତ ସରକାରଙ୍କ ମଧୢରେ ଏହି ନୈତିକ ଓ ଆଇନଗତ ଯୁଦ୍ଧ ଶେଷରେ ଯାଇ ପହଞ୍ଚିଥିଲା ଆନ୍ତର୍ଜାତିକ ଅଦାଲତ ହଲାଣ୍ତ୍ରେ ‘ଦି ହେଗ୍’ଠାରେ ଥିବା ‘ଦି ପର୍ମାନେଣ୍ଟ କୋର୍ଟ ଅଫ୍ ଆର୍ବିଟ୍ରେସନ୍’ରେ। ଗତ ଶୁକ୍ରବାର ଦିନ ଏହି ଅଦାଲତ ରାୟ ଶୁଣାଇଛି ଯେ ପିଛିଲା ତାରିଖରୁ ଆଇନରେ ସ˚ଶୋଧନ କରି ଭାରତ ସରକାର ଭୋଡ଼ାଫୋନ୍ଠାରୁ ଏପରି ଅର୍ଥ ଆଦାୟ କରିବାକୁ ଉଦ୍ୟମ କରି ଭାରତର ଆନ୍ତର୍ଜାତିକ ଆଇନ ପ୍ରତି ରହିଥିବା ଅନୁପାଳନ କରିବା ପ୍ରତିଶ୍ରୁତିର ଖୋଲାଖୋଲି ଉଲ୍ଲ˚ଘନ କରିଛନ୍ତି। ‘ଭୋଡ଼ାଫୋନ୍’ ତ ସରକାରଙ୍କୁ ଆଉ ସେ ଅନ୍ୟାୟ କର ଦେବ ନାହିଁ, ଅପରପକ୍ଷେ ଭାରତ ସରକାର ‘ଭୋଡ଼ାଫୋନ୍’କୁ ୪ ନିୟୁତ ଡଲାର ମକଦ୍ଦମା ଖର୍ଚ୍ଚ ଜନିତ କ୍ଷତିପୂରଣ ପ୍ରଦାନ କରିବାକୁ ଆନ୍ତର୍ଜାତିକ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଏହା ପରେ ସେଆର ବଜାରରେ ‘ଭୋଡ଼ାଫୋନ୍’ ସେଆର୍ ମୂଲ୍ୟରେ ବୃଦ୍ଧି ଘଟିବା ଦେଖା ଯାଇଛି, କିନ୍ତୁ ଭାରତ ଭଳି ଏକ ଅନିଶ୍ଚିତ ବଜାରରେ ‘ଭୋଡ଼ାଫୋନ୍’ କମ୍ପାନି ଆଉ ଅଧିକ ପୁଞ୍ଜି ବିନିଯୋଗ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି। ବିଶ୍ବାସଭଙ୍ଗର ଏ ପରିଣତି କେବଳ ଲଜ୍ଜା ନୁହେଁ, ଦେଶର ଅର୍ଥନୈତିକ କ୍ଷତି ମଧୢ ଘଟାଇଥାଏ, ମୋଦୀ ସରକାର ଏଥିରୁ ଶିକ୍ଷାଲାଭ କରିଥିବ ବୋଲି ଆଶା।