ଭାରତରେ ବର୍ତ୍ତମାନ ସଦ୍ୟ ପ୍ରଣୀତ କୃଷି ସ˚ସ୍କାର ଆଇନ ମାନ ବିରୋଧରେ ଯେଉଁ ପ୍ରା‌େୟାଜିତ ଆନ୍ଦୋଳନ ମୁଣ୍ତ ଟେକିବାକୁ ଉଦ୍ୟମ କରୁଛି, ତାହା ପଛରେ ଯେ ଏକ ଶକ୍ତିଶାଳୀ ଅର୍ଥନୈତିକ ନିୟମ କାର୍ଯ୍ୟ କରୁଛି, ନିମ୍ନ ବର୍ଣ୍ଣିତ ଘଟଣା ଉପରେ ଦୃଷ୍ଟିପାତ କଲେ ତାହା ସ୍ପଷ୍ଟ ରୂପେ ବୁଝି ହୁଏ। ୧୯୩୦ ଦଶକରେ ଆମେରିକାରେ ଦେଖା ଦେଇଥିବା ଗଭୀର ଅର୍ଥନୈତିକ ଅବପାତ ସେଠାକାର କୃଷକମାନଙ୍କୁ ବିଶେଷ ଭାବରେ କ୍ଷତିଗ୍ରସ୍ତ କରିଥିଲା। ବଜାରରେ ସେମାନଙ୍କର ଉତ୍ପାଦିତ ଫସଲ ସବୁର ଦାମ୍‌ ଯାଇ ରସାତଳେ ପଡ଼ିଥିଲା। ଏହି ସମୟରେ କୃଷକମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ସରକାର ନେଇଥିବା ବିଭିନ୍ନ ପଦକ୍ଷେପମାନ ମଧୢରୁ ଗୋଟିଏ ଥିଲା ଲେମ୍ବୁ ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ଉତ୍ପାଦନ ନିୟନ୍ତ୍ରଣକାରୀ ଆଇନ ପ୍ରଣୟନ, ଯାହା ବଳରେ ‘ମାର୍କେଟିଙ୍ଗ୍‌ ବୋର୍ଡ’ ନାମକ ଏକ ଲେମ୍ବୁ ଉତ୍ପାଦନକାରୀ ଏକଚାଟିଆ ଗୋଷ୍ଠୀ (‘କାର୍ଟେଲ୍‌’) ସୃଷ୍ଟି କରାଗଲା।

Advertisment

ପ୍ରତିବର୍ଷ ବଜାରକୁ କେଉଁ ପରିମାଣର ଲେମ୍ବୁ ଯୋଗାଣ କରାଯାଇ ପାରିବ, ଏହି ମାର୍କେଟିଙ୍ଗ୍‌ ବୋର୍ଡ ତା’ର ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ କରୁଥିଲା। ଏହାଦ୍ବାରା ବଜାରରେ ଲେମ୍ବର ଯୋଗାଣକୁ ସ˚କୁଚିତ କରି ଲେମ୍ବୁ ଦରକୁ ଉଚ୍ଚା ରଖାଯାଇ ପାରିଲା। ଯେଉଁ ଲେମ୍ବୁଚାଷୀମାନେ ସେ ସମୟରେ ବଜାରରେ ସକ୍ରିୟ ଥିଲେ, ଏହି ଆଇନ ସମ୍ମତ ଏକଚାଟିଆ କାରବାରର ଆବିର୍ଭାବ ଫଳରେ ସେମାନଙ୍କ ଆୟ ବେଶ୍‌ ଉଚ୍ଚା ରହିପାରିଲା। ସ୍ବାଭାବିକ ଭାବେ ଏଥିଯୋଗୁଁ ସେ ଏକଚାଟିଆ ଗୋଷ୍ଠୀର ସଦସ୍ୟ କୃଷକମାନଙ୍କର ଲେମ୍ବୁଚାଷ ପାଇଁ ଉଦ୍ଦିଷ୍ଟ ଜମିର ବଜାର ମୂଲ୍ୟରେ ବହୁଗୁଣ ବୃଦ୍ଧି ଘଟିଲା। ଭୂମି ମୂଲ୍ୟରେ ଏଭଳି ବୃଦ୍ଧିକୁ ଅର୍ଥଶାସ୍ତ୍ରର ଭାଷାରେ କୁହାଯାଇଥାଏ ଭବିଷ୍ୟତର ଆୟ ସ୍ରୋତର ‘ପୁଞ୍ଜୀକରଣ’ (‘କ୍ୟାପିଟାଲାଇଜେସନ୍‌’)। ଯେହେତୁ ଏକଚାଟିଆ କାରବାର ଯୋଗୁଁ ସେ ଜମି ମାନଙ୍କରେ ହେଉଥିବା ଲେମ୍ବୁଚାଷରୁ ଭବିଷ୍ୟତରେ ଉପୁଜିବାକୁ ଥିବା ଆୟସ୍ରୋତରେ ବୃଦ୍ଧି ଘଟିବାକୁ ଯାଉଛି, ସେ ଜମିର ବର୍ତ୍ତମାନର କ୍ରେତାମାନେ ଏବେ ଅଧିକ ମୂଲ୍ୟ ଦେଇ ତାକୁ କ୍ରୟ କରିବା ପାଇଁ ଆଗେଇ ଆସୁଛନ୍ତି।

ଏଠାରେ ପ୍ରଣିଧାନ କରିବା ଉଚିତ, ମାର୍କେଟିଙ୍ଗ୍‌ ବୋର୍ଡର ଆବିର୍ଭାବ ପୂର୍ବରୁ ଯେଉଁମାନେ ଜମି ମାଲିକ ଥିଲେ, ସେଇମାନେ ହିଁ ଏହା ଦ୍ବାରା ବିଶେଷ ଲାଭବାନ୍‌ ହେଲେ, ଏହା ପରେ ଯେଉଁମାନେ ଉଚ୍ଚା ଦାମ୍‌ ଦେଇ ଜମି କ୍ରୟ କରି ଲେମ୍ବୁଚାଷରେ ପ୍ରବେଶ କଲେ ସେମାନେ ଏଥିରୁ ସେପରି ବିଶେଷ ଲାଭ କରି ପାରିଲେ ନାହିଁ, କେବଳ ସାଧାରଣ ଆୟ ଅର୍ଜନ କରି ପାରିଲେ। ଅନ୍ୟ ଭାବରେ କହିଲେ ଜମିର ଭବିଷ୍ୟତ କ୍ରେତାମାନେ ହିଁ ପୂର୍ବ ମାଲିକମାନଙ୍କୁ ‘କାର୍ଟେଲ୍‌’ ଆବିର୍ଭାବଜନିତ ଲେମ୍ବୁଚାଷର ଭବିଷ୍ୟତ ଲାଭକୁ ଏକାଠି କରି ହସ୍ତାନ୍ତରିତ କରିଥାନ୍ତି। ‘କାର୍ଟେଲ୍‌’ ସୃଷ୍ଟିର ଅସଲ ଲାଭ ତେଣୁ ଉପଭୋଗ କଲେ ‘କାର୍ଟେଲ୍‌’ ସୃଷ୍ଟି ସମୟରେ ଯେଉଁମାନେ ଜମି ମାଲିକ ଥିଲେ।

୧୯୩୦ ଦଶକର ଶେଷ ଆଡ଼କୁ ଆମେରିକାରେ ମହା ଅବପାତର ଅନ୍ତ ଘଟି ଅର୍ଥନୈତିକ ପରିସ୍ଥିତିରେ ସୁଧାର ଆସିଗଲା। ତେଣୁ ଲେମ୍ବୁ ଚାଷରେ ଏକଚାଟିଆ କାରବାରରେ ଅନ୍ତ ଘଟାଇବାର ସମୟ ଉପସ୍ଥିତ ହେଲା। ଅର୍ଥାତ୍‌ ମାର୍କେଟିଙ୍ଗ୍‌ ବୋର୍ଡର ଉଚ୍ଛେଦ ସାଧନ ଆବଶ୍ୟକ ହେଲା। କିନ୍ତୁ ସରକାର ଏହି ଏକଚାଟିଆ କାରବାର ସ˚ଗଠନକୁ ଉଠାଇବାରେ ବିଫଳ ହେଲେ। ଏହାର କାରଣ ‘ମାର୍କେଟିଙ୍ଗ୍‌ ବୋର୍ଡ’ର ଉଚ୍ଛେଦ ଘଟିଲେ ଲେମ୍ବୁଚାଷ ଜମିର ମୂଲ୍ୟରେ ସ୍ଖଳନ ଘଟି ଜମି ମାଲିକମାନଙ୍କୁ କ୍ଷତିଗ୍ରସ୍ତ କରିବ। ଆଉ, ଯେଉଁ କୃଷକମାନେ ‘ମାର୍କେଟିଙ୍ଗ୍‌ ବୋର୍ଡ’ ଗଠନ ପରେ ବହୁ ଅଧିକ ମୂଲ୍ୟ ଦେଇ ଲେମ୍ବୁଚାଷ ଜମି କ୍ରୟ କରିଥିଲେ, ସେମାନେ ଏଥିଯୋଗୁଁ ଲେମ୍ବୁ ଚାଷରୁ ବିଶେଷ ଲାଭ ଅର୍ଜନ କରିପାରୁ ନଥିଲେ ମଧୢ, ବୋର୍ଡର ଉଚ୍ଛେଦ ସେମାନଙ୍କ ପାଇଁ ବିଶାଳ କ୍ଷତି ସୃଷ୍ଟି କରନ୍ତା। ଏଣୁ ମହଜୁଦ ଲେମ୍ବୁ ଚାଷୀମାନେ ଏକଜୁଟ ହୋଇ ଯେ କୌଣସି ଉପାୟରେ ରାଜନେତାମାନଙ୍କୁ ପ୍ରଭାବିତ କରି ମାର୍କେଟିଙ୍ଗ୍‌ ବୋର୍ଡ କାର୍ଟେଲ୍‌ର ଉଚ୍ଛେଦକୁ ପ୍ରତିହତ କରିବା ପାଇଁ ଚେଷ୍ଟା କରିଥାନ୍ତି। ଏଥିପାଇଁ ରାଜନେତାମାନଙ୍କୁ ଉତ୍କୋଚ ପ୍ରଦାନ ହେଉଛି ଅନ୍ୟତମ ଏକ ଉପାୟ।

ଏହି ପ୍ରକାର ଅଖଣ୍ଡ ଅବସ୍ଥାକୁ ପ୍ରସିଦ୍ଧ ଅର୍ଥନୀତିଜ୍ଞ ସ୍ବର୍ଗତ ଗର୍ଡ‌୍‌ନ୍‌ ଟଲକ୍‌ ଏକ ଯନ୍ତା ସହିତ ତୁଳନା କରି ତାହାର ନାମକରଣ କରିଥିଲେ ‘ଅବସ୍ଥାନ୍ତର ଲାଭ ଯନ୍ତା’ (‘ଟ୍ରାନ୍‌ଜିସନାଲ୍‌ ଗେନ୍‌ସ ଟ୍ରାପ୍‌’)। ପ୍ରଥମ ଅବସ୍ଥାରେ ଜମି ମାଲିକମାନେ ଲେମ୍ବୁ ଚାଷର ସମସ୍ତ ଭବିଷ୍ୟତ ଲାଭକୁ ଜମିର ବର୍ଦ୍ଧିତ ମୂଲ୍ୟ ଆକାରରେ ଶୋଷି ନେବା ପରେ, ପରବର୍ତ୍ତୀ ସମୟରେ ଜମି କିଣି ଲେମ୍ବୁଚାଷ କରୁଥିବା କୃଷକମାନେ ଏଥିରୁ ଆଉ ସେଭଳି ଅତିରିକ୍ତ ଲାଭ କରିପାରନ୍ତି ନାହିଁ; କିନ୍ତୁ ଯେହେତୁ ଆଇନର ଉଚ୍ଛେଦ ଭୂମି ମୂଲ୍ୟରେ ସ୍ଖଳନ ଘଟାଇ ସେମାନଙ୍କୁ କ୍ଷତିଗ୍ରସ୍ତ କରାଇବ, ସେମାନେ ଏହାର ପ୍ରାଣମୂର୍ଚ୍ଛା ବିରୋଧ କରନ୍ତି। ମୋଦୀ ସରକାର ପ୍ରଣୟନ କରିଥିବା ଆଇନ ‘ଏପିଏମ୍‌ସି’ ମଣ୍ତିର ଏକଚାଟିଆ କାରବାରର ଉଚ୍ଛେଦ କରି ଏହିପରି ଏକ ‘ଟଲକ୍‌ ଟ୍ରାପ୍‌’ର ସମ୍ମୁଖୀନ ହୋଇଛି।

‘ଏପିଏମ୍‌ସି’ ନିୟନ୍ତ୍ରିତ ମଣ୍ତିର ଏକଚାଟିଆ କ୍ରୟ ଅଧିକାରର ଅନ୍ତ ଘଟିବା ପରେ କୃଷକମାନେ ସିଧାସଳଖ ସେମାନଙ୍କର ଉତ୍ପନ୍ନ ଦ୍ରବ୍ୟକୁ ସେମାନଙ୍କର ପସନ୍ଦର ଗ୍ରାହକଙ୍କୁ (କୋଲ୍‌ଡ୍‌ ଷ୍ଟୋର‌୍‌, ହୋଟେଲ୍‌, ପ୍ରକ୍ରିୟାକରଣ କାରଖାନା, ଘରୋଇ ଉପଭୋକ୍ତା ଇତ୍ୟାଦି) ବିକ୍ରି କରିପାରିବେ। ଏଭଳି କାରବାର ଉପରେ ରାଜ୍ୟ ସରକାରମାନେ ମଣ୍ତି ବ୍ୟବସ୍ଥାରେ ଥିବା ଭଳି କୌଣସି ମାହାସୁଲ୍‌ ଆଦାୟ କରିପାରିବେ ନାହିଁ। ଅନେକ ରାଜ୍ୟରେ ମଣ୍ତି ପରିଚାଳକମାନେ ଏଥିପାଇଁ ସରକାରଙ୍କଠାରୁ ଲାଇସେନ୍‌ସ ପାଇଥାନ୍ତି। ଅଧିକା˚ଶ ମଣ୍ତି ପରିଚାଳକମାନେ ଶକ୍ତିଶାଳୀ ରାଜନୈତିକ ସମ୍ପର୍କ ସ୍ଥାପନ କରି ଏଭଳି ଲାଇସେନ୍‌ସ ହସ୍ତଗତ କରିଥାନ୍ତି, ଯଦିବା ସେମାନେ କୃଷକ ରୂପେ ନିଜର ପରିଚୟ ଦେଇଥାନ୍ତି। ସମୟ କ୍ରମେ ଏପରି ଲାଇସେନ୍‌ସ ହସ୍ତଗତ କରିବା ପାଇଁ ମଣ୍ତି ମଧୢସ୍ଥିମାନଙ୍କ ମଧୢରେ ପ୍ରତିଯୋଗିତା ଦେଖାଦେବାକୁ ଲାଗେ, ଏବ˚ ଲାଇସେନ୍‌ସ ପାଇବା ପାଇଁ ସେମାନେ ଦେଉଥିବା ଲାଞ୍ଚର ପରିମାଣ ବୃଦ୍ଧି ପାଇବାକୁ ଲାଗେ, ଠିକ୍‌ ଯେମିତି କାର୍ଟେଲ୍‌ର ଆବିର୍ଭାବ ପରେ ଜମିର ଦାମ୍‌ରେ ବୃଦ୍ଧି ଘଟିଥାଏ। ମଣ୍ତି ବ୍ୟିବସ୍ଥାର ଏକାଧିପତ୍ୟର ଉଚ୍ଛେଦ ଏମାନଙ୍କ ପାଇଁ ସେଇଭଳି କ୍ଷତି କରିବ କାର୍ଟେଲ୍‌ର ଉଚ୍ଛେଦ ଯେଉଁଭଳି ଉଚ୍ଚ ଦାମ୍‌ ଦେଇ ଜମି କିଣିଥିବା ଲେମ୍ବୁ ଚାଷୀମାନଙ୍କର କରିଥାଏ।

ସେଠାରେ ସେମାନେ ରାଜନେତାମାନଙ୍କୁ ଲାଞ୍ଚ ଦେଇ ଏଭଳି ଉଦ୍ୟମକୁ ପ୍ରତିହତ କରିପାରିଥିଲେ, ଏଠାରେ କିନ୍ତୁ ବିରୋଧୀ ଦଳମାନଙ୍କୁ ହାତ କରି ସେମାନେ ଆନ୍ଦୋଳନ କରିବାକୁ ଚେଷ୍ଟା ଚଳାଇଛନ୍ତି। ଭାରତରେ ସମସ୍ୟାର ଅନ୍ୟ ଏକ ଦିଗ ମଧୢ ରହିଛି। ପଞ୍ଜାବ, ହରିଆନା ପରି ରାଜ୍ୟର ବଡ଼ ବଡ଼ ଚାଷୀମାନେ ସରକାରଙ୍କ ଉପରେ ଅସୀମ ପ୍ରଭାବ ବିସ୍ତାର କରି ସରକାରୀ ଖାଦ୍ୟ ଶସ୍ୟ ସ˚ଗ୍ରହ ଓ ଏମ୍‌ଏସ୍‌ପି ମାଧୢମରେ ପ୍ରଭୂତ ଲାଭ କରିଥାନ୍ତି। ଏକ ପ୍ରକାଶିତ ସୂଚନା ଅନୁସାରେ ଦେଶର ମାତ୍ର ୬ ଶତା˚ଶ କୃଷକ ଏମ୍‌ଏସ୍‌ପିରୁ ଲାଭବାନ୍‌ ହୋଇଥାନ୍ତି; ସେମାନେ ମୁଖ୍ୟତଃ ହେଉଛନ୍ତି ଉପରୋକ୍ତ ରାଜ୍ୟମାନଙ୍କର। ବାସ୍ତବରେ ସେ ରାଜ୍ୟମାନଙ୍କରେ ରାଜନେତା ଓ ବୃହତ୍‌ କୃଷକ ମଧୢରେ ବିଭାଜକ ରେଖା ନିଶ୍ଚିହ୍ନ ହୋଇ ଯାଇଛି। ଉଭୟ ମଣ୍ତି ବ୍ୟବସ୍ଥାରୁ ଉତ୍ପନ୍ନ ଅସାଧୁ ଆୟ ତଥା ସରକାରୀ ସ˚ଗ୍ରହ ଓ ଏମ୍‌ଏସ୍‌ପିରୁ ଅନ୍ତିମ ଲାଭବାନ୍‌ ହୋଇଥାନ୍ତି ରାଜନେତାମାନେ। ଏଣୁ ଉଭୟ ଅମରିନ୍ଦର ସି˚ହ ଓ ପ୍ରକାଶ ସି˚ହ ବାଦଲ କୃଷି ସ˚ସ୍କାରର ବିରୋଧ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ଏଭଳି ପରିସ୍ଥିତିରେ ଯନ୍ତାରୁ ସ˚ସ୍କାରକୁ ମୁକୁଳାଇବା ପାଇଁ ଟଲକ୍‌ କହିଛନ୍ତି ବିରୋଧୀମାନଙ୍କୁ କ୍ଷତିପୂରଣ ଦେଇ ତୁଷ୍ଟ କରି ବୃହତ୍ତର ଜନସ୍ବାର୍ଥ ସାଧନ ପାଇଁ ସ˚ସ୍କାରକୁ ଆଗେଇ ନେବା ଦରକାର। ଏମ୍‌ଏସ୍‌ପି ବଳବତ୍ତର ରହିବ ବୋଲି ମୋଦୀ ଦେଇଥିବା ଆଶ୍ବାସନା ସେଇ ଟଲକ୍‌ ପ୍ରଦର୍ଶିତ ମାର୍ଗ ଅନୁସରଣ କରିବା ଭଳି ମନେ ହୁଏ।