ସୁରକ୍ଷା ସାନ୍‌ଜୁ

ସ˚ପ୍ରତି ଯେଉଁ କରୋନା ଭ୍ୟାକ୍‌ସିନକୁ ଭାରତ ଅତ୍ୟନ୍ତ ଉତ୍କଣ୍ଠାର ସହିତ ଅପେକ୍ଷା କରିଛି, ତା’ର ପ୍ରସ୍ତୁତିରେ ପୃଥିବୀର ବୃହତ୍ତମ ଭ୍ୟାକ୍‌ସିନ ନିର୍ମାଣକାରୀ ସ˚ସ୍ଥା ‘ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ତିଆ’ ଅବିରତ କାର୍ଯ୍ୟ କରି ଚାଲିଛି। ଏହି ପରିପ୍ରେକ୍ଷୀରେ ଖୁବ୍‌ ଶୀଘ୍ର ଯେ ଏକ ଭ୍ୟାକ୍‌ସିନର ଆବିର୍ଭାବ ଘଟିବ ସେ ନେଇ ଧାରଣା ସୃଷ୍ଟି ହେଲାଣି; କାରଣ ‘ସେରମ ଇନ୍‌ଷ୍ଟିଚ୍ୟୁଟ୍‌’ର ମୁଖ୍ୟ ପରିଚାଳକ ଅଦର ପୁୁନାଵାଲା ଏକ ଟ୍ବିଟ୍‌ରେ ଭାରତ ସରକାରଙ୍କୁ ଗୋଟିଏ ଧାଡ଼ିକିଆ ପ୍ରଶ୍ନ ପଚାରିଛନ୍ତି ଯେ ସାର୍ବଜନୀନ କୋଭିଡ୍‌ ଟିକାକରଣ ଲାଗି ଏକ ବର୍ଷ ସମୟ କାଳ ମଧ୍ୟରେ ସରକାର ୮୦,୦୦୦ କୋଟି ଟଙ୍କା ବ୍ୟୟ କରିବାକୁ ପ୍ରସ୍ତୁତ ଅଛନ୍ତି ତ? ଉଲ୍ଲେଖନୀୟ ଯେ ଅକ୍‌ସଫୋର୍ଡ ବିଶ୍ବବିଦ୍ୟାଳୟ ସହିତ ମିଶି ‘ସେରମ ଇଣ୍ତିଆ’ ଯେଉଁ ଭ୍ୟାକ୍‌ସିନ ପ୍ରସ୍ତୁତ କରୁଛି, ସମ୍ଭବତଃ ତାହା ହୋଇପାରେ ଏହି ଗ୍ରହର ସର୍ବ ପ୍ରଥମ ଯୁକ୍ତିଯୁକ୍ତ କୋଭିଡ୍‌ ଭ୍ୟାକ୍‌ସିନ। ଏଭଳି କହିବାର ତାତ୍ପର୍ଯ୍ୟ ହେଲା, ଗଲା ଅଗଷ୍ଟ ମାସରେ ରୁଷିଆ ସର୍ବ ପ୍ରଥମେ କରୋନା ପ୍ରତିେ‌ଷଧକ ଟିକା ପ୍ରସ୍ତୁତ କରିଥିବା ବିଷୟ ଘୋଷଣା କରି ମାନବ ଶରୀରରେ ପ୍ରୟୋଗ ହେବା ଲାଗି ତାହା ପ୍ରସ୍ତୁତ ବୋଲି ଏକ ଧାରଣା ସୃଷ୍ଟି କରିଥିବା ସତ୍ତ୍ବେ ଏକ ଭ୍ୟାକସିନ ପ୍ରସ୍ତୁତି ଲାଗି ଆବଶ୍ୟକ ବିଭିନ୍ନ ନିରାପତ୍ତାମୂଳକ କଠିନ ପରୀକ୍ଷାଗୁଡ଼ିକୁ ଏହା ଏଡ଼ାଇ ଯାଇଥିବାରୁ ଏକ ସନ୍ଦେହ ସୃଷ୍ଟି ହୋଇଛି ଯେ କେବଳ ଟିକା ପ୍ରସ୍ତୁତି ମାରାଥନ ଦୌଡ଼ରେ ପ୍ରଥମ ହେବା ଲାଗି ରୁଷିଆ ଗଳା ବାଟର ବ୍ୟବହାର କରିଛି। ଏହି କାରଣରୁ ରୁଷତିଆ ଭ୍ୟାକ୍‌ସିନ ନେଇ ସମସ୍ତ ଆଗ୍ରହ ମଉଳି ଯାଇଛି। ସେଇ ଦୃଷ୍ଟିରୁ ନିୟମ ଅନୁମୋଦିତ ମାର୍ଗ ଦେଇ ଯାଇ ‘ଅକ୍‌ସଫୋର୍ଡ ଟିକା’ ଆତ୍ମପ୍ରକାଶ କଲେ, ତାହା ଯେ ମାନବ ବ୍ୟବହାର ଲାଗି ଅଧିକ ଗ୍ରହଣୀୟ ହେବ, ଏଥିରେ ସନ୍ଦେହ ନାହିଁ। ତେବେ କଥା ହେଲା, ଅଦର ପୁନାଵାଲାଙ୍କ ଟ୍ବିଟ୍‌-ପ୍ରଶ୍ନର ଉତ୍ତରରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ବିବୃତି ପ୍ରଦାନ କରାଯାଇଛି ତାହା ଅନେକଙ୍କ ମନରେ ଶଙ୍କା ଜାତ କରିଥାଏ ଯେ ବୋଧହୁଏ ସରକାର ଏତେ ଅଧିକ ବ୍ୟୟରେ ସାର୍ବଜନୀନ କୋଭିଡ୍‌ ଟିକାକରଣ ଲାଗି ଆଗ୍ରହୀ ନୁହନ୍ତି। ଏହି ସ˚ଦର୍ଭ ଏକ ସ˚କ୍ଷିପ୍ତ ଆଲୋଚନା ଆବଶ୍ୟକ କରିଥାଏ।

ଏଠାରେ ପ୍ରକାଶ ଥାଉ କି ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ ବିବୃତିରେ ୮୦,୦୦୦ କୋଟି ଟଙ୍କାର ହିସାବ ଉପରେ ସନ୍ଦେହ ପ୍ରକଟ କରାଯାଇଛି। ତେବେ ବର୍ତ୍ତମାନ ଯେତେବେଳେ କୋଭିଡ୍‌ ସ˚କ୍ରମଣ ବୃଦ୍ଧିର ହାର ଊର୍ଦ୍ଧ୍ବମୁଖୀ ହୋଇ ଚାଲିଛି ଏବ˚ ନିକଟ ଭବିଷ୍ୟତ୍‌ରେ ଭାରତୀୟମାନଙ୍କ ଠାରେ ‘ଗୋଷ୍ଠୀ ପ୍ରତିରୋଧକ’ ଶକ୍ତି ବା ‘ହର୍ଡ ଇମ୍ୟୁନିଟି’ ସୃଷ୍ଟି ହୋଇ କୋଭିଡ୍‌ ଭୂତାଣୁକୁ ପ୍ରଭାବଶୂନ୍ୟ କରିବାର କୌଣସି ସମ୍ଭାବନା ଦୃଷ୍ଟିଗୋଚର ହେଉନାହିଁ, ସେତିକି ବେଳେ ସାର୍ବଜନୀନ ଟିକାକରଣ ଅତ୍ୟନ୍ତ ଆବଶ୍ୟକ ବୋଲି ମନେ ହୋଇଥାଏ। କିନ୍ତୁ ସଂପ୍ରତି ଭାରତର ଅର୍ଥନୈତିକ ପରିସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇ ପଡ଼ିଥିବା ବେଳେ ସରକାର ଏତେ ପରିମାଣର ବିତ୍ତ ବ୍ୟୟ କରିବାକୁ ପ୍ରସ୍ତୁତ ହେବେ କି ନାହିଁ, ତାହା ହେଉଛି ସନ୍ଦେହର ମୂଳ କାରଣ, ଯାହାର ଆଭାସ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ ବିବୃତିରୁ ମିଳିଥାଏ।

ଅର୍ଥନୀତିରେ ରୁଚି ରଖୁଥିବା ଅନେକ ପାଠକପାଠିକାମାନଙ୍କ ଲାଗି ଏକ ଇ˚ରେଜୀ ଅଭିବ୍ୟକ୍ତି ହୁଏ’ତ ପରିଚିତ ଥିବ, ଯାହା ହେଲା ‘ପଜିଟିଭ୍‌ ଏକ୍‌ସଟର୍ନାଲିଟିଜ୍‌’। ଏହାର ଅର୍ଥ ଏଭଳି ଏକ ସ୍ଥିତି ଯହିଁରେ କୌଣସି ଗୋଟିଏ ଦ୍ରବ୍ୟ ଓ ସେବାକୁ କ୍ରୟ କରିଥିବା ବ୍ୟକ୍ତି ତ ତାହାର ଲାଭ ପାଇଥାନ୍ତି; ସେହି ଲାଭର ପ୍ରଭାବ ବିସ୍ତାରିତ ହୋଇ ଏଭଳି ଅନେକଙ୍କ ଲାଗି ଲାଭଦାୟକ ହୋଇଥାଏ ଯେଉଁମାନେ ତାହାକୁ କ୍ରୟ କରି ନ ଥାଆନ୍ତି ବା ହାସଲ କରି ନ ଥାଆନ୍ତି। ଧରିନିଆଯାଉ ଜଣେ ଶିକ୍ଷା ବ୍ୟବସ୍ଥା ଦ୍ବାରା ଉପକୃତ ହୋଇ ଉଚ୍ଚ ଶିକ୍ଷିତ ହେଲେ। ତା’ ପରେ ବିଭିନ୍ନ ଦାୟିତ୍ବପୂର୍ଣ୍ଣ ପଦରେ ସେ ନିଜ କର୍ତ୍ତବ୍ୟ ସ˚ପାଦନ କଲା ବେଳେ ତାହା ରାଷ୍ଟ୍ରର ବିକାଶରେ ସାହାଯ୍ୟ କଲା। ସେତିକି ବେଳେ କୁହାଯିବ ଯେ ସେ ପାଇଥିବା ଶିକ୍ଷାର ଲାଭ ଏକ ବୃହତ୍ତର ମାନବ ସମାଜରେ ପରିବ୍ୟାପ୍ତ ହୋଇ ‘ପଜିଟିଭ୍‌ ଏକ୍‌ସଟର୍ନାଲିଟିଜ୍‌’ର ଏକ ଉଦାହରଣ ସୃଷ୍ଟି କରିଛି। ସ˚ପ୍ରତି କରୋନା ସ˚କ୍ରମଣ ହେତୁ ସୃଷ୍ଟ ପରିସ୍ଥିତିରେ ବିଭିନ୍ନ ବାଣିଜ୍ୟ, ବ୍ୟବସାୟ ଓ ଉ‌େଦ୍ୟାଗ ଆଦି ଗଭୀର ଭାବେ ଆକ୍ରାନ୍ତ ହେବା ସହିତ ଏହି କାରଣରୁ ରାଷ୍ଟ୍ର ଅକଳ୍ପନୀୟ କ୍ଷତି ସହିବାରେ ଲାଗିଛି। ଏଭଳି ଏକ କ୍ଷତିର ଗର୍ତ୍ତରୁ ଉଦ୍ଧାର ପାଇବା ଲାଗି ଯାହା ଆବଶ୍ୟକ, ତାହା ହେଉଛି ଏକ ଭ୍ୟାକସିନର ପ୍ରସ୍ତୁତି ଓ ସାମୂହିକ ଟିକାକରଣରେ ଅକୁଣ୍ଠ ସରକାରୀ ବ୍ୟୟ, ଯାହା ଜନସାଧାରଣଙ୍କ ମନରେ ଆଶାର ସ˚ଚାର କରିବା ସହିତ ଏହା ସଫଳ ହେଲେ ଏହା ଦ୍ବାରା ସୃଷ୍ଟ ‘ହର୍ଡ ଇମ୍ୟୁନିଟି’ ରାଷ୍ଟ୍ରକୁ ସୁସ୍ଥ କରିବ। ଫଳରେ ଅତ୍ୟନ୍ତ ସ୍ବାଭାବିକ ଭାବେ ରାଷ୍ଟ୍ରର ଅତ୍ୟନ୍ତ ମନ୍ଥର ଅଗ୍ରଗତି ସହସା ତ୍ବରାନ୍ବିତ ହେବ।

ଏକ ହିସାବରୁ ଜଣାପଡ଼ିଛି ଯେ ୮୦,୦୦୦ କୋଟି ଟଙ୍କା ହେଉଛି ବର୍ତ୍ତମାନ ଭାରତର ଜାତୀୟ ଆୟର ମାତ୍ର .୪ ପ୍ରତିଶତ। ଚଳିତ ବର୍ଷ କେନ୍ଦ୍ର ସରକାର ମନରେଗା କାର୍ଯ୍ୟକ୍ରମ ଲାଗି ଏକ ରେକର୍ଡ ପରିମାଣ ଅର୍ଥାତ୍‌ ୧ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଏକ ଅଆକଳନ କହେ ଯେ ଜାତୀୟ ଆୟ ବା ଜିଡିପିରେ ୧ ପ୍ରତିଶତ ଅଭିବୃଦ୍ଧି ହେଲେ ସରକାର ଟିକସ ରାଜସ୍ବରେ ୩୦,୦୦୦ କୋଟି ଟଙ୍କା ଅଧିକ ଆୟ କରିଥାଆନ୍ତି। ସେହି ପରିପ୍ରେକ୍ଷୀରେ ବିଚାର କଲେ କୁହାଯାଇପାରିବ ଯେ ଯଥାଶୀଘ୍ର ଏକ କରୋନାମୁକ୍ତ ପରିବେଶ ସୃଷ୍ଟି କରି ରାଷ୍ଟ୍ରର ଅର୍ଥନୈତିକ କାରବାରରେ ଚଞ୍ଚଳତା ଓ ବେଗ ଅଣାଗଲେ ଜିଡିପିରେ ଯେଉଁ ଅଭିବୃଦ୍ଧି ଘଟିବ, ତାହା ଖୁବ୍‌ ଶୀଘ୍ର ଏ ବ୍ୟୟର ଭରଣା କରିପାରିବ। ସେହି ଦୃଷ୍ଟିରୁ ୮୦,୦୦୦ କୋଟି ଟଙ୍କାର ବ୍ୟୟକୁ ଏକ ବିବେଚନାପୂର୍ଣ୍ଣ ବିନିଯୋଗ ଭାବେ ଗ୍ରହଣ କରି ନିଆଯିବା ଉଚିତ। ମନେ ରଖିବା ଉଚିତ ଯେ ବିଭିନ୍ନ ସମୟରେ କେନ୍ଦ୍ର ବା ରାଜ୍ୟ ସରକାରମାନଙ୍କ ଦ୍ବାରା ଛାଡ଼ କରାଯାଉଥିବା କୃଷି ଋଣର ପରିମାଣ ଠାରୁ ଏହା ଅଧିକ ନୁହେଁ।

ଉଲ୍ଲେଖନୀୟ ଯେ ୮୦ ପ୍ରତିଶତ ଭାରତୀୟ ଯଦି ଏହି ଟିକା ନିଅନ୍ତି, ତେବେ ‘ହର୍ଡ ଇମ୍ୟୁନିଟି’ ସୃଷ୍ଟି ହୋଇ ତାହା ଭାରତକୁ କରୋନାମୁକ୍ତ କରିପାରିବ। ଭାରତରେ ସାର୍ବଜନୀନ ଟିକାକରଣ ବାବଦରେ ଏକ ସ୍ଥୂଳ ବିଶେଷଜ୍ଞ ଆକଳନ କହିଥାଏ ଯେ ଟିକା ପ୍ରସ୍ତୁତି, ପରିବହନ, ଟିକା ପ୍ରଦାନ ଓ ପରବର୍ତ୍ତୀ କାଳରେ ତାର ପାର୍ଶ୍ବ ପ୍ରତିକ୍ରିୟା ଆଦି ଉପରେ ଦୃଷ୍ଟି ରଖାଯିବା ଭଳି ବିଭିନ୍ନ କାର୍ଯ୍ୟ ଲାଗି ହେବାକୁ ଥିବା ଖର୍ଚ୍ଚକୁ ହିସାବ କଲେ ତାହା ସର୍ବୋଚ୍ଚ ୨ ଲକ୍ଷ ୫୦ ହଜାର କୋଟି ପର୍ଯ୍ୟନ୍ତ ହୋଇପାରେ। ପୁନଶ୍ଚ ଭାରତର ବିଶାଳ ଜନସ˚ଖ୍ୟା ଦୃଷ୍ଟିରୁ ଏହା ସ˚ପୂର୍ଣ୍ଣ ହେବା ଲାଗି ପ୍ରାୟ ଏକ ବର୍ଷ ସମୟ ଲାଗିଯାଇପାରେ। କିନ୍ତୁ ଯାହା ହେଲେ ମଧ୍ୟ ଏ ବ୍ୟୟ ଆଦୌ ଅନାବଶ୍ୟକ ନୁହେଁ। ଭାରତରେ ପ୍ରଚଳିତ ଥିବା ବିଭିନ୍ନ ଟିକାକରଣ କାର୍ଯ୍ୟକ୍ରମ ତଥା ତୃଣମୂଳ ସ୍ତରରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀଙ୍କ ଏକ ବିଶାଳ ନେଟ୍‌ଵାର୍କର ଉପସ୍ଥିତି ହେତୁ ସାର୍ବଜନୀନ ଟିକାକରଣ ନେଇ ବିଶେଷ ସମସ୍ୟା ଦେଖାଯିବାର କାରଣ ନାହିଁ। ଏହା ମଧୢ ସତ ଯେ ସାର୍ବଜନୀନ ଟିକାକରଣକୁ ଗୁରୁତ୍ବ ଦେବା ସହିତ ସରକାର ଘରୋଇ ହସ୍‌ପିଟାଲରେ ଏହାକୁ ଉପଲବ୍‌ଧ କରାଇ ସ୍ବଚ୍ଛଳ ବର୍ଗଙ୍କ ଲାଗି ଏହା ଦେୟଯୁକ୍ତ କରିବା ଆବଶ୍ୟକ। ତାହା ହେଲେ ସରକାରୀ ଟିକାକରଣ ବ୍ୟବସ୍ଥା ଅନେକ ପରିମାଣ‌େର ଚାପମୁକ୍ତ ହେବ। କିନ୍ତୁ ଏ ସବୁର ଊର୍ଦ୍ଧ୍ବରେ ମୂଳ କଥାଟି ହେଲା ଏକ ବିପୁଳ ବ୍ୟୟର ଭୟ କାରଣରୁ ସରକାର ସାରା ଭାରତକୁ ପ୍ରତିଷେଧକ ସାନ୍‌ଜୁ ଦ୍ବାରା ସୁରକ୍ଷା ଦେବାର ଆଭିମୁଖ୍ୟରେ କୁଣ୍ଠା ପ୍ରଦର୍ଶନ ନ କରନ୍ତୁ।

ସମ୍ବନ୍ଧିତ ଖବର