‘ତୁଷ୍ଟୀକରଣ ବିନା ସମ୍ମାନଜନକ ସଶକ୍ତୀକରଣ’ ହେଉଛି ଦେଶର ସଂଖ୍ୟାଲଘୁ ସମୁଦାୟଙ୍କ ପ୍ରତି କେନ୍ଦ୍ର ସରକାରଙ୍କର ଘୋଷିତ ଲକ୍ଷ୍ୟ। ମଙ୍ଗଳବାର ଦିନ କେନ୍ଦ୍ର ସରକାରଙ୍କର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖ୍ତାର୍ ଆବ୍ବାସ ନାକ୍ଭି ଘୋଷଣା କରିଥିବା ଦେଶର ମୁସଲମାନ ତୀର୍ଥ ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ହଜ୍ ସବ୍ସିଡିର ଉଚ୍ଛେଦ ଏହି ଲକ୍ଷ୍ୟ ପୂରଣ ଦିଗରେ ନିଆଯାଇଥିବା ଏକ ପଦକ୍ଷେପ ରୂପେ ପ୍ରଦର୍ଶିତ ହେଉଛି। ପ୍ରତିବର୍ଷ ହଜ୍ ସବ୍ସିଡି ବାବଦରେ ସରକାରୀ ତହବିଲରୁ ଖର୍ଚ୍ଚ ହେଉଥିବା ୬୦୦ କୋଟି ଟଙ୍କାରୁ ଅଧିକ ରାଶି ଏଣିକି ମୁସଲମାନ ବାଳିକା ଓ ମହିଳା ମାନଙ୍କ ଶିକ୍ଷାରେ ବିନିଯୋଗ ହେବ। ଯେହେତୁ ଶିକ୍ଷା ହେଉଛି ସଶକ୍ତୀକରଣର ନିଶ୍ଚିତ ଉପାୟ ଏବଂ ଶିକ୍ଷା କ୍ଷେତ୍ରରେ ମୁସଲମାନ ମହିଳାମାନେ ବହୁ ପଛରେ ପଡ଼ିଛନ୍ତି, ସରକାରଙ୍କର ଏହି ପଦକ୍ଷେପ ସମ୍ପୂର୍ଣ୍ଣ ସ୍ୱାଗତଯୋଗ୍ୟ। ଏହା ମଧ୍ୟ ସନ୍ତୋଷର କଥା ଯେ ଦେଶର ମୁସଲମାନ ସମାଜରେ ସରକାରଙ୍କର ଏହି ନିଷ୍ପତ୍ତି ପ୍ରତି ପ୍ରାୟ ବିରୋଧ ପ୍ରକାଶ ପାଇନାହିଁ।
ଯଦିବା ସରକାର ଏହି ପଦକ୍ଷେପ ନେଇଥିବାରୁ ପ୍ରଶଂସାର ହକ୍ଦାର, କିନ୍ତୁ ଏଭଳି ପ୍ରଶଂସାର ମୁଖ୍ୟ ହକ୍ଦାର ହେଉଛନ୍ତି ବର୍ତ୍ତମାନ ଭିନ୍ନ କାରଣରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଦେଶର ସର୍ବୋଚ୍ଚ ନ୍ୟାୟାଳୟ- ସୁପ୍ରିମ୍ କୋର୍ଟ। ବର୍ତ୍ତମାନ କେନ୍ଦ୍ରରେ ମୋଦୀ ସରକାର ହଜ୍ ସବ୍ସିଡି ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ୨୦୧୨ରେ ସୁପ୍ରିମ୍ କୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶର ପାଳନ ମାତ୍ର। ୨୦୧୨ ମଇ ୮ ତାରିଖରେ ସୁପ୍ରିମ୍ କୋର୍ଟର ଏକ ଦୁଇଜଣିଆ ବେଞ୍ଚ୍ (ନ୍ୟାୟମୂର୍ତ୍ତି ରଞ୍ଜନା ଦେଶାଇ ଓ ନ୍ୟାୟମୂର୍ତ୍ତି ଆଫ୍ତାବ୍ ଆଲାମ୍- ଜଣେ ହିନ୍ଦୁ, ଜଣେ ମୁସଲମାନ) ଘରୋଇ ପର୍ଯ୍ୟଟନ ବ୍ୟବସାୟୀଙ୍କର ହଜ୍ ଯାତ୍ରୀମାନଙ୍କୁ ମକ୍କା ନେଇ ଯିବା ପାଇଁ ଯୋଗ୍ୟତା ସମ୍ପର୍କିତ ଏକ ମାମଲାର ବିଚାର କରି ନିର୍ଦ୍ଦେଶ ଦେବା ଅବସରରେ ଆସନ୍ତା ୧୦ ବର୍ଷ ମଧ୍ୟରେ ହଜ୍ ସବ୍ସିଡିର ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବା ପାଇଁ ଆଦେଶ ଦେଇଥିଲେ। ଉଲ୍ଲେଖନୀୟ ଯେ ମାନ୍ୟବର ନ୍ୟାୟମୂର୍ତ୍ତିମାନେ ମୁସଲମାନ ମାନଙ୍କର ପବିତ୍ର ଧର୍ମଗ୍ରନ୍ଥ କୋରାନ୍ରୁ ଉଦ୍ଧାର କରି ଏହି ସବ୍ସିଡି ଉଚ୍ଛେଦର ଯଥାର୍ଥତା ପ୍ରତିପାଦନ କରିଥିଲେ। ସେମାନେ ପବିତ୍ର କୋରାନ୍ର ସୁରା-୩, ପଙ୍କ୍ତି-୯୭ ପ୍ରତି ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ କେବଳ ଯେଉଁମାନେ ହଜ୍ ଯାତ୍ରାର ସମସ୍ତ ଖର୍ଚ୍ଚ ନିଜେ ବହନ କରିପାରିବେ, ସେଇମାନେ ହିଁ ହଜ୍ ଯାତ୍ରା କରିବା ଉଚିତ। ଅର୍ଥାତ୍, ସବ୍ସିଡି-ଆଶ୍ରିତ ହଜ୍ ବିଶୁଦ୍ଧ ହଜ୍ ନୁହେଁ।
ଏହି ପ୍ରସଙ୍ଗରେ ମାନ୍ୟବର ବିଚାରପତି ଦ୍ୱୟ ତାଙ୍କର ନିର୍ଦ୍ଦେଶନାମାରେ ମଧ୍ୟ ସନ୍ଦେହ ପ୍ରକାଶ କରିଥିଲେ ଯେ ହଜ୍ରେ ଯିବା ପାଇଁ ହଜ୍ କମିଟିକୁ ଆବେଦନ କରୁଥିବା ମୁସଲମାନମାନଙ୍କ ମଧ୍ୟରୁ ଅଧିକାଂଶ ବୋଧହୁଏ ସେମାନଙ୍କ ଯାତ୍ରାର ଅର୍ଥନୀତି ସମ୍ବନ୍ଧରେ ସଚେତନ ନଥିବେ। ସେଇ ନିର୍ଦ୍ଦେଶନାମାରେ ନ୍ୟାୟମୂର୍ତ୍ତି ମାନେ ମଧ୍ୟ ଉଲ୍ଲେଖ କରିଥିଲେ ଯେ ଯଦି ଏହି ଆବେଦନକାରୀ ମାନଙ୍କୁ ଏ କଥା ଜଣାଥାନ୍ତା ଯେ ସେମାନଙ୍କ ଯାତ୍ରାର ଖର୍ଚ୍ଚର ଏକ ବିଶେଷ ଅଂଶ ସରକାର ବହନ କରିଥାନ୍ତି, ସେମାନେ ନିଶ୍ଚିତ ଭାବରେ ଘୋର ଅସ୍ୱସ୍ତି ଅନୁଭବ କରନ୍ତେ। ଏହା ପରେ ସେମାନେ କେନ୍ଦ୍ର ସରକାରଙ୍କୁ ସେହି ଦିନ ଠାରୁ ଆଗାମୀ ୧୦ ବର୍ଷ ମଧ୍ୟରେ ହଜ୍ ସବ୍ସିଡିକୁ କ୍ରମେ କ୍ରମେ ହ୍ରାସ କରି ଶେଷରେ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ଅଦାଲତ ମଧ୍ୟ ଉଚ୍ଛେଦ ହୋଇଥିବା ସବ୍ସିଡି ରାଶିକୁ ମୁସଲମାନ ସମ୍ପ୍ରଦାୟର ଉନ୍ନତି ପାଇଁ ଶିକ୍ଷା ଏବଂ ଅନ୍ୟାନ୍ୟ ସାମାଜିକ ଉନ୍ନତି କାର୍ଯ୍ୟରେ ବିନିଯୋଗ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେଇ ନିର୍ଦ୍ଦେଶନାମାରେ ମାନ୍ୟବର ନ୍ୟାୟମୂର୍ତ୍ତି ମାନେ ୨୦୨୨ ମଇ ୮ ତାରିଖକୁ ହଜ୍ ସବ୍ସିଡି ଉଚ୍ଛେଦର ଶେଷ ତାରିଖ ରୂପେ ଲିପିବଦ୍ଧ କରିଥିଲେ। ମୋଦୀ ସରକାର ଆଉ ଅଧିକ କାଳକ୍ଷେପଣ ନକରି ଏବେ ଧାର୍ଯ୍ୟ ସମୟସୀମା ପୂର୍ବରୁ ଲକ୍ଷ୍ୟ ହାସଲ କରିପାରିଛନ୍ତି।
ଏହା ଜଣାଶୁଣା ଯେ ହଜ୍ ସବ୍ସିଡିକୁ ସର୍ବଦା କଂଗ୍ରେସର ସଂଖ୍ୟାଲଘୁ ତୁଷ୍ଟୀକରଣ ରାଜନୀତିର ଏକ ପ୍ରମୁଖ ଉଦାହରଣ ରୂପେ ବିବେଚନା କରା ହୋଇ ଆସିଛି। ତେବେ କଂଗ୍ରେସ ଦଳ ଯଦି ଏଥିରୁ କିଛି ରାଜନୈତିକ ଲାଭ ଉପଭୋଗ କରିଥାଏ, ଯେଉଁ ସଂସ୍ଥା ଏଥିରୁ ଅର୍ଥନୈତିକ ଲାଭ ଉଠାଇଛି, ତାହା ହେଉଛି ଦେଶର ନିୟମିତ କ୍ଷତିଗ୍ରସ୍ତ ଜାତୀୟ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏଆର୍ ଇଣ୍ଡିଆ। ଅଭିଯୋଗ ହୋଇଆସିଛି ଯେ ସରକାର ଦେଉଥିବା ସବ୍ସିଡିରୁ ସର୍ବାଧିକ ସମ୍ଭବ ଲାଭ ଉଠାଇବା ଉଦ୍ଦେଶ୍ୟରେ ଏଆର୍ ଇଣ୍ଡିଆ/ଇଣ୍ଡିଆନ୍ ଏଆର୍ଲାଇନ୍ସ ହଜ୍ ସମୟରେ ଭାରତ-ଜେଦ୍ଦା ଟିକେଟ୍ର ଦାମ୍ରେ ବେଶ୍ ବୃଦ୍ଧି ଘଟାଇ ଦେଇଥାଏ। ୨୦୧୨ରେ କେନ୍ଦ୍ରରେ କ୍ଷମତାରେ ଥିବା ୟୁପିଏ ସରକାର କିନ୍ତୁ ଏହାର ଯଥାର୍ଥତା ପ୍ରତିପାଦନ କରି ଅଦାଲତରେ ଯୁକ୍ତି ବାଢ଼ିଥିଲେ ଯେ ସାଉଦୀ ଆରବ କର୍ତ୍ତୃପକ୍ଷ ଏହି ସମୟରେ ଲାଗୁ କରୁଥିବା କେତେକ କଟକଣା ଯୋଗୁଁ ଏଆର୍ ଇଣ୍ଡିଆ ଏପରି ଟିକେଟ୍ ଦାମ୍ରେ ବୃଦ୍ଧି ଘଟାଇବାକୁ ବାଧ୍ୟ ହେଉଛି। ସାଉଦୀ କଟକଣା ଅନୁସାରେ ଯେଉଁ ବିମାନ ହଜ୍ ଯାତ୍ରୀ ନେଇ ଜେଦ୍ଦାକୁ ଯିବ, ଫେରିବା ବେଳେ ସେ ବିମାନ ଆଉ ଯାତ୍ରୀ ନ ଉଠାଇ ଖାଲି ଫେରିବାକୁ ପଡ଼ିବ। ଏହାର ଅର୍ଥ ଗୋଟିଏ ପଟର ଯାତ୍ରା ପାଇଁ ଦୁଇ ପଟର ଖର୍ଚ୍ଚ ଏଆର୍ ଇଣ୍ଡିଆ ଉପରେ ପଡ଼ିଥାଏ। ସରକାର କହିଥିଲେ ଯେ ହଜ୍ ଯାତ୍ରୀମାନଙ୍କୁ ଏ ତଣ୍ଡରୁ ସୁରକ୍ଷା ଦେବା ପାଇଁ ସେମାନଙ୍କୁ, ଅର୍ଥାତ୍, ଏଆର୍ ଇଣ୍ଡିଆକୁ ସବ୍ସିଡି ଦିଆଯାଉଥିଲା। ଟିକେଟ୍ ଖର୍ଚ୍ଚ ବ୍ୟତୀତ ଏଆର୍ ଇଣ୍ଡିଆ ହଜ୍ ଯାତ୍ରୀମାନଙ୍କ ଠାରୁ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ମଧ୍ୟ ଆଦାୟ କରିଥାଏ। ସରକାର ଏ ସମସ୍ତ ଆନୁଷଙ୍ଗିକ ଖର୍ଚ୍ଚକୁ ମଧ୍ୟ ସବ୍ସିଡିର ଅନ୍ତର୍ଭୁକ୍ତ କରିଥାନ୍ତି। ସଂଯୋଗ କ୍ରମେ ଯେଉଁ ସମୟରେ ହଜ୍ ସବ୍ସିଡିର ଉଚ୍ଛେଦ ଘଟିବାକୁ ଯାଉଛି, ସେଇ ସମୟରେ ସରକାର ମଧ୍ୟ ଏଆର୍ ଇଣ୍ଡିଆ ରୂପକ ଧଳାହାତୀଟିକୁ ଘରୋଇ କ୍ଷେତ୍ରକୁ ହସ୍ତାନ୍ତର କରିବାକୁ ଯାଉଛନ୍ତି। ଏଣିକି ଏ ଘରୋଇ ଧଳାହାତୀଟିକୁ ସରକାର ଆଉ ହଜ୍ ସବ୍ସିଡି ଦାନା ଖୁଆଇବା ଦରକାର ହେବ ନାହିଁ।
ହଜ୍ ସବ୍ସିଡିର ଉପସ୍ଥିତି ମଧ୍ୟ ହଜ୍ କମିଟିକୁ ଏକ ଶକ୍ତିଶାଳୀ ସଂସ୍ଥାରେ ପରିଣତ କରିଥିଲା। ଏହାର କାର୍ଯ୍ୟ ସ୍ୱାଭାବିକ ଭାବରେ ଅନେକ ବାଦବିବାଦ ସୃଷ୍ଟି କରିଆସୁଥିଲା। ଭାରତରୁ ବର୍ତ୍ତମାନ ସର୍ବାଧିକ ୧,୭୫,୦୦୦ ହଜ୍ ଯାତ୍ରୀ ମକ୍କାକୁ ଯାଇ ପାରିବେ ବୋଲି ସାଉଦୀ ସରକାର ସୀମା ନିର୍ଦ୍ଧାରଣ କରିଛନ୍ତି। ସବ୍ସିଡି ଉପଲବ୍ଧ ଥିବା ବେଳେ ହଜ୍ ଯାତ୍ରା ପାଇଁ ଅନୁମତି ପାଇବା ଯାତ୍ରୀଙ୍କ ପାଇଁ ଏକ ଆର୍ଥିକ ପୁରସ୍କାର ଭଳି ଥିଲା। ତେଣୁ ହଜ୍ କମିଟି ନିକଟରେ ଆବେଦନକାରୀଙ୍କର ଭିଡ଼ ଜମୁଥିଲା। ଏବେ ସବ୍ସିଡିର ଉଚ୍ଛେଦ ଘଟିବା ପରେ ସେ ଭିଡ଼ ନିଶ୍ଚିତ ଭାବରେ ପତଳା ପଡ଼ିଯିବ ଓ ହଜ୍ ରାଜନୀତିର ଅନ୍ତ ଘଟିବ। ଏଣିକି ନିଜ ପକେଟ୍ରୁ ପଇସା ଖର୍ଚ୍ଚ କରୁଥିବା ହଜ୍ ଯାତ୍ରୀମାନଙ୍କ ଆର୍ଥିକ ବୋଝ ଲାଘବ କରିବା ପାଇଁ ଜଳପଥରେ ଜାହାଜରେ ସେମାନଙ୍କୁ ନେବା ଆଣିବା କରାଯିବା ପାଇଁ ଉଦ୍ୟମ ହେବା ଆବଶ୍ୟକ, ଯେମିତି ୧୯୯୫ ପୂର୍ବରୁ କରାଯାଉଥିଲା। ସେହିପରି କମ୍ ବ୍ୟୟସାପେକ୍ଷ ଭଡ଼ା ଉଡ଼ାଜାହାଜର ବ୍ୟବହାର ମଧ୍ୟ ପରୀକ୍ଷା କରାଯାଇପାରେ। ସବ୍ସିଡି ଉଚ୍ଛେଦ ପରେ ହଜ୍ ଯାତ୍ରୀମାନେ ଏଭଳି ମିତବ୍ୟୟିତା ଅନୁସନ୍ଧାନ କରୁଥିବା ବେଳେ, ସାଧାରଣତଃ ହଜ୍ରୁ ବଞ୍ଚିତା ମୁସଲମାନ ମହିଳାମାନେ ହଜ୍ ସବ୍ସିଡି ଉଚ୍ଛେଦରୁ ଉପଲବ୍ଧ ସମ୍ବଳର ବିନିଯୋଗ ଦ୍ୱାରା ସଶକ୍ତୀକରଣର ନୂତନ ସ୍ୱାଦ ଆସ୍ୱାଦନ କରିପାରିବେ।