ତନ୍ଦ୍ରା ଭଙ୍ଗ

ହଲିଉଡ୍‌ ଦ୍ବାରା ନିର୍ମାଣ କରାଯାଉଥିବା ‘ଆପୋକାଲିପ୍‌ସ’ (ପୃଥିବୀ ବିନଷ୍ଟକାରୀ ଅନ୍ତିମ ମହାପ୍ରଳୟ) ଧର୍ମୀ ଚଳଚ୍ଚିତ୍ରରେ ଯାହା ସର୍ବଦା ଦୃଷ୍ଟିଗୋଚର ହୋଇଥାଏ, ତାହା ହେଲା ଏଭଳି ଚରମ ସ˚କଟ କାଳରେ ଆମେରିକାର କତିପୟ ବୀର ପୁଙ୍ଗବ ଅବତୀର୍ଣ୍ଣ ହୋଇ ଆମର ଏହି ଗ୍ରହଟିକୁ ତହିଁରୁ ରକ୍ଷା କରିଥାଆନ୍ତି। ଏହା ଦ୍ବାରା ଆମେରିକୀୟ ପ୍ରାଧାନ୍ୟବାଦର ଯେଉଁ ପ୍ରଚାର କରାଯାଇଥାଏ, ତାହା ଦ୍ବାରା ଅବଶିଷ୍ଟ ବିଶ୍ବର କୋଟି କୋଟି ନାଗରିକ ତ ପ୍ରଭାବିତ ହୋଇଥାଆନ୍ତି; କିନ୍ତୁ ବିଡ଼ମ୍ବନା ହେଲା ଏହାକୁ ବିଶ୍ବାସ କରି ନେଇ ଖୋଦ ଯୁକ୍ତରାଷ୍ଟ୍ର ଆମେରିକା ମଧୢ ଅହମିକାଭରା ଭ୍ରାନ୍ତିିର ଶିକାର ହୋଇଥାଏ; ଯାହା ସେହି ରାଷ୍ଟ୍ରକୁ ଅନେକ ସମୟରେ ଅସ୍ବସ୍ତିରେ ପକାଇଥାଏ। ଭିଏତ୍‌ନାମ ଯୁଦ୍ଧ ତାର ଏକ ଉଦାହରଣ। ଏବ˚ ତାର ସଦ୍ୟତମ ଦୃଷ୍ଟାନ୍ତଟି ଏବେ ମିଳିଛି, ଯେତେବେଳେ ପରିଦୃଷ୍ଟ ହେଉଛି ଯେ ବିଜ୍ଞାନ-ପ୍ରଯୁକ୍ତି ଓ ଗବେଷଣାର ଉଚ୍ଚତମ ଉତ୍କର୍ଷ, ଶିକ୍ଷା ଓ ସାମାଜିକ ସଚେତନତାର ଉଦାହରଣୀୟ ଉପଲବ୍‌ଧି ତଥା ଚିକିତ୍ସା ଓ ସ୍ବାସ୍ଥ୍ୟ ସେବାରେ ଅଦ୍ବିତୀୟତା ସତ୍ତ୍ବେ ଏକ ଅଦୃଶ୍ୟ ଭାଇରସ୍‌ ଦ୍ବାରା ଯୁକ୍ତରାଷ୍ଟ୍ର ଆମେରିକା ମାନବ ଜୀବନ ହାନିରେ ବିଶ୍ବର ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ର ରୂପେ ପରିଗଣିତ ହୋଇଛି। ଏହି ପରିପ୍ରେକ୍ଷୀରେ ଗଲା ଶୁକ୍ରବାର ଦିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଏବ˚ ତାଙ୍କ ପତ୍ନୀ ମିସେଲ ଟ୍ରମ୍ପ୍‌ କରୋନା ସ˚କ୍ରମିତ ବୋଲି ଜଣାପଡ଼ିବା ପରେ ଏ ନେଇ ଏକ ସଦ୍ୟ ଆଲୋଚନା ପ୍ରାସଙ୍ଗିକ ମନେ ହୋଇଥାଏ। କେବଳ ସେତିକି ନୁହେଁ, ଟ୍ରମ୍ପ୍‌ଙ୍କ ଭଳି ‘ଆଲ୍‌ଫା ମେଲ୍‌’ ବା ‘ଟାଣୁଆ ପୁରୁଷ’ମାନଙ୍କ (ଇ˚ଲାଣ୍ତର ବୋରିସ ଜନ୍‌ସନ୍‌ ଓ ବ୍ରାଜିଲର ବୋଲ୍‌ସାନାରୋ ମଧ୍ୟ ସେହି ‌େଶ୍ରଣୀଭୁକ୍ତ) ଦ୍ବାରା ଶାସିତ ରାଷ୍ଟ୍ରଗୁଡ଼ିକ ସେମାନଙ୍କର ନେତାମାନଙ୍କ ଆଭିମୁଖ୍ୟ ହେତୁ କିଭଳି କରୋନା ପାନ୍‌ଡେମିକ୍‌ ଦ୍ବାରା ତୁଳନାତ୍ମକ ଭାବେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି, ତାହା ମଧୢ ଏକ ଚର୍ଚ୍ଚାର ବିଷୟ ହେବା ଉଚିତ।

ଚଳିତ ବର୍ଷ ପ୍ରାରମ୍ଭରେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ପକ୍ଷରୁ ଏକ ସମ୍ଭାବ୍ୟ ପାନ୍‌ଡେମିକ୍‌ ନେଇ ସତର୍କ ସୂଚନା ପ୍ରଦାନ କରାଯାଇଥିବା ସତ୍ତ୍ବେ ଏବ˚ ଚୀନ୍‌ର ଉହାନ ନଗରୀରେ କୋଭିଡ୍‌ ଭୂତାଣୁ ତାର ସ˚କ୍ରମଣ ଓ ମାରକ କ୍ଷମତା ଦେଖାଇ ସାରିଥିବା ସ୍ଥଳେ ଏହି ‘ଆଲ୍‌ଫା ପୁରୁଷ’ମାନେ କ୍ଷୁଦ୍ରାତିକ୍ଷୁଦ୍ର ଅଦୃଶ୍ୟ ଭୂତାଣୁକୁ ଅତ୍ୟନ୍ତ ହାଲୁକା ଭାବେ ନେଇଥିଲେ। କହିବା ବାହୁଲ୍ୟ ଯେ ଏହି ପାନ୍‌ଡେମିକ୍‌ର ପ୍ରାରମ୍ଭ କାଳରେ ଉଭୟ ବୋଲ୍‌ସାନାରୋ ଏବ˚ ବୋରିସ ଜନ୍‌ସନ୍‌ କୋଭିଡ୍‌ ସ˚କ୍ରମିତ ହେବା ପରେ (ବୋରିସ ଜନ୍‌ସନ୍‌ଙ୍କୁ ଭେଣ୍ଟିଲେଟରରେ ରହି ମୃତ୍ୟୁ ସହିତ ସ˚ଗ୍ରାମ କରିବାକୁ ପଡ଼ିଥିଲା) ସେମାନଙ୍କ ଚୈତନ୍ୟ ଉଦୟ ହୋଇଥିଲା ଏବ˚ ସେମାନେ କୋଭିଡ୍‌ ସତର୍କତା ପାଳନ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ବୋରିସ ଜନ୍‌ସନ୍‌ ଏହା ସ୍ବୀକାର ମଧୢ କରିଥିଲେ ଯେ କୋଭିଡ୍‌ ସ˚କ୍ରମିତ ବୋଲି ଜାଣିଥିବା ସତ୍ତ୍ବେ ଜଣେ ବ୍ୟକ୍ତିଙ୍କ ସହିତ କରମର୍ଦ୍ଦନ କରିବା ବାସ୍ତବରେ ଏକ ଭୁଲ ଥିଲା। କିନ୍ତୁ କୌଣସିମତେ ଏ ପର୍ଯ୍ୟନ୍ତ ନିଜକୁ କରୋନା ସ˚କ୍ରମଣରୁ ମୁକ୍ତ ରଖି ପାରିଥିବା ଡୋନାଲ୍‌ଡ ଟ୍ରମ୍ପ୍‌ ତାଙ୍କ ଆଚରଣ ଓ ଉଚ୍ଚାରଣରେ ଯାହା ପ୍ରଦର୍ଶିତ କରି ଆସିଛନ୍ତି, ତହିଁରେ ଦେଖିବାକୁ ମିଳିଥାଏ ଭାଇରସ୍‌ ପ୍ରତି ହେୟ ବୋଧ, ସତର୍କତାଧର୍ମୀ ମାର୍ଗଦର୍ଶିକା ପ୍ରତିି ପରିହାସମୂଳକ ମନୋଭାବ ଏବ˚ ଗବେଷକ ଓ ଚିକିତ୍ସକମାନଙ୍କ ପରାମର୍ଶ ପ୍ରତି ସନ୍ଦେହ। କେବଳ ସେତିକି ନୁହେଁ, ସ˚କଟ ଘନେଇବା ସହିତ ତାଙ୍କ ମନୋଭାବରେ ସ˚ଶୟ, କି˚କର୍ତ୍ତବ୍ୟବିମୂଢ଼ତା, ଫୁଟାଣି, ଆଡ଼ବାୟାପଣ ଓ ବିବେଚନାହୀନତାର ଏକ ଅଭାବନୀୟ ମିଶ୍ରଣ ମଧୢ ପ୍ରଦର୍ଶିତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରପତି ଟ୍ରମ୍ପ୍‌ ତାଙ୍କର ବିଶ୍ବ ପ୍ରସିଦ୍ଧ ତଥା ବିଦ୍ବାନ ସ୍ବାସ୍ଥ୍ୟ ପରାମର୍ଶଦାତାମାନଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ଅନେକ ମାସ ପର୍ଯ୍ୟନ୍ତ ମାସ୍କ୍‌ ବ୍ୟବହାର କରି ନ ଥିଲେ। ଉଲ୍ଲେଖଯୋଗ୍ୟ ସ˚କ୍ରମଣର ପ୍ରାରମ୍ଭିକ କାଳରେ ଟ୍ରମ୍ପ୍‌ଙ୍କ ବକ୍ତବ୍ୟ ଓ ଆଚରଣ ଦ୍ବାରା ପ୍ରଭାବିତ ହଜାର ହଜାର ଆମେରିକୀୟ ଯୁବକଯୁବତୀ ‘ସାମାଜିକ ଦୂରତା’ ବା ‘ମାସ୍କ୍‌ ପରିଧାନ’ ବା ‘ଏକାନ୍ତ ବାସ’ ଭଳି ପାନ୍‌ଡେମିକ୍‌ ସତର୍କତାକୁ ଭ୍ରୂକ୍ଷେପ ନ କରି ‘କୋଭିଡ୍‌ ପାର୍ଟି’ ଭଳି ଗଣ ଗମାତରେ ମାତି ସ˚କ୍ରମଣକୁ ଭୟାବହ କରିଦେଇଥିଲେ। ଏବେ ମଧୢ ତାଙ୍କୁ ସମର୍ଥନ କରୁଥିବା ଅସ˚ଖ୍ୟ ଆମେରିକୀୟ ‘ମାସ୍କ୍‌ ପରିଧାନ’କୁ ବ୍ୟକ୍ତି ସ୍ବାଧୀନତା ଉପରେ ଅଙ୍କୁଶ ବୋଲି ବିଚାର କରିବା ସହିତ ଏହା ଏକ ନଗଣ୍ୟ ଚୀନା-ଭାଇରସ୍‌ ପ୍ରତି ଅହେତୁକ ଭୟର ନିଦର୍ଶନ ବୋଲି ଅଭିହିତ କରି ଚାଲିଛନ୍ତି।

ପ୍ରଣିଧାନଯୋଗ୍ୟ ଯେ ଗଲା ମଙ୍ଗଳବାର ଦିନ କ୍ଲିଭଲ୍ୟାଣ୍ତ ଠାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନ ବିତର୍କରେ ଏକ ମାସ୍କ୍‌ ବିହୀନ ଡୋନାଲଡ୍‌ ଟ୍ରମ୍ପ୍‌ ଓ ତାଙ୍କ ଦଳକୁ ମଞ୍ଚ ଉପରେ ଦେଖିବାକୁ ମିଳିଥିଲା, ଯହିଁରେ ‘ସାମାଜିକ ଦୂରତା’ ଭଳି ସର୍ବନିମ୍ନ ସତର୍କତା ମଧୢ ଅଦୃଶ୍ୟ ଥିଲା। କେବଳ ସେତିକି ନୁହେଁ ସେହି ବିତର୍କରେ ବିପକ୍ଷ ଡେମୋକ୍ରାଟ୍‌ ଦଳର ପ୍ରାର୍ଥୀ ଜୋ ବାଇଡେନଙ୍କୁ କଟାକ୍ଷ କରି ଟ୍ରମ୍ପ୍‌ କହିଥିଲେ ଯେ ବାଇଡେନ୍‌ ପିନ୍ଧିଥିବା ମୁଖାଟି ହେଉଛି ସେ ତାଙ୍କ ଜୀବଦ୍ଦଶାରେ ଦେଖିଥିବା ସବୁଠାରୁ ବଡ଼ ମୁଖା! ଅନୁମାନ କରାଯାଉଛି ଯେ ଟ୍ରମ୍ପ୍‌ ଯାହାଙ୍କ ଠାରୁ ଏହି ଭୂତାଣୁ ସ˚କ୍ରମଣ ଲାଭ କରିଥିବା ସମ୍ଭବ, ସେ ହେଉଛନ୍ତି ତାଙ୍କର ବ୍ୟକ୍ତିଗତ ସହାୟକ ଦଳର ଅନ୍ୟତମ ପ୍ରଭାବଶାଳୀ ସଦସ୍ୟା ସୁନ୍ଦରୀ ହୋପ୍‌ ହିକ୍‌ସ। ଉଲ୍ଲେଖ‌େଯାଗ୍ୟ ଯେ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର କାଳରେ ସ˚କ୍ରମିତ ଅଥଚ ସେ ବିଷୟରେ ଅଜ୍ଞ ଥିବା ହୋପ୍‌ ହିକ୍‌ସ ବିନା ମାସ୍କ୍‌ରେ ଟ୍ରମ୍ପ୍‌ ଦ˚ପତି ଏବ˚ ତାଙ୍କ ଦଳ ସହିତ ଅତ୍ୟନ୍ତ ଅନ୍ତରଙ୍ଗ ଭାବେ ଚଳପ୍ରଚଳ କରୁଥିଲେ। ତେବେ ହୋପ୍‌ ହିକ୍‌ସ ସ˚କ୍ରମିତ ହେବା ପ୍ରସଙ୍ଗରେ ଟ୍ରମ୍ପ୍‌ ପ୍ରଦାନ କରିଥିବା ମନ୍ତବ୍ୟ ମଧୢ ଏକ ବିବାଦର ସୂତ୍ରପାତ କରିଛି, ଯାହା କହିଥାଏ ଯେ ‘ହିିକ୍‌ସକୁ ଆଲିଙ୍ଗନ କରି ତାଙ୍କୁ ଚୁମ୍ବନ କରିବା ଲାଗି ସୁରକ୍ଷା ବାହିନୀ (‘ମିଲିଟାରି ଏଣ୍ତ ଲ’ ଏନ୍‌ଫୋର୍ସମେଣ୍ଟ)ର କିଛି ସଦସ୍ୟଙ୍କ ଆଗ୍ରହାତିଶଯ୍ୟ ଏହାର କାରଣ। ତେବେ ଏ ସ˚ଦର୍ଭରେ ‘ବ୍ଲୁମବର୍ଗ’ରେ ପ୍ରକାଶିତ ଏକ ଆଲେଖ୍ୟରେ ଟିମୋଥି ଏଲ୍‌ ଓବ୍ରିଏନ୍‌ ନାମକ ଜଣେ ନିବନ୍ଧକାର କହିଛନ୍ତି ଯେ ଟ୍ରଂପ୍‌ଙ୍କର ଏଭଳି ମନ୍ତବ୍ୟରେ ବିସ୍ମିତ ହେବାର କାରଣ ନାହିଁ। କାରଣ କ˚ଗ୍ରେସ ଠାରୁ ଆରମ୍ଭ କରି ‘ସେଣ୍ଟର ଫର୍‌ ଡିଜିଜ୍‌ କ˚ଟ୍ରୋଲ ଏଣ୍ତ ପ୍ରିଭେନ୍‌ସନ୍‌’ ବା ‘ନେସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ’ ବା ‘ଦ ଫୁଡ୍‌ ଏଣ୍ତ ଡ୍ରଗ୍‌ସ ଆଡ୍‌ମିନିଷ୍ଟ୍ରେସନ୍‌’ ଇତ୍ୟାଦିଙ୍କ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଅନୁଷ୍ଠାନ ପ୍ରତି ଟ୍ରମ୍ପ୍‌ ଅନେକ ସମୟରେ ଅସମ୍ମାନ ପ୍ରଦର୍ଶନ କରି ଆସିଛନ୍ତି। ଏହି କାରଣରୁ ଦ୍ବନ୍ଦ୍ବରେ ପଡୁଥିବା ପ୍ରତିଷ୍ଠିତ ଡାକ୍ତର ଓ ଗବେଷକମାନେ କରୋନା ସ˚କ୍ରମଣ ନେଇ ରାଷ୍ଟ୍ରକୁ ଦିଗ୍‌ଦର୍ଶନ ଦେଉଥିବା ବେଳେ ବାରମ୍ବାର ସେମାନଙ୍କ ମତ ପରିବର୍ତ୍ତନ କରିଥିବା ଦେଖାଯାଇଛି।

ଏହା ସତ ଯେ ଡୋନାଲ୍‌ଡ ଟ୍ରମ୍ପ୍‌ ଯେଉଁ ସମୟରେ କରୋନାର ଶିକାର ହୋଇ ରାଜନୈତିକ ଦୃଶ୍ୟପଟରୁ ଅନିର୍ଦ୍ଦିଷ୍ଟ କାଳ ଲାଗି ଅନ୍ତର୍ଦ୍ଧାନ ହେବାକୁ ଯାଉଛନ୍ତି, ତାହା ‘ରିପବ୍ଲିକାନ’ ଦଳ ଲାଗି ବି‌େଶଷ ସୁଖପ୍ରଦ ନୁହେଁ। ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ଏହା ଦଳର ଭାଗ୍ୟକୁ ଆକ୍ରାନ୍ତ କରିବାର ସମ୍ଭାବନା ଅଧିକ। ଟ୍ରମ୍ପ୍‌ ନିଜେ ସ˚କ୍ରମିତ ହୋଇଯିବା ପରେ କୋଭିଡ୍‌ ପରିଚାଳନାରେ ତାଙ୍କ ଅଦକ୍ଷତାକୁ ନେଇ ‘ଡେମୋକ୍ରାଟିକ’ ଦଳର ଅଭିଯୋଗ ଅଧିକ ବଳ ପାଇବ। ତା’ ସହିତ ରାଷ୍ଟ୍ରପତି ସ୍ବୟ˚ କୋଭିଡ୍‌ ସ˚କ୍ରମିତ ହେବା ଦ୍ବାରା ବିଶ୍ବ ସମକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକାର ଚିତ୍ର ମଳିନ ହୋଇଛି ବୋଲି ଧାରଣାର ବଶବର୍ତ୍ତୀ ଅନେକ ଆମେରିକୀୟ ଆତ୍ମଶ୍ଳାଘା ଦ୍ବାରା ମୁହ୍ୟମାନ ହୋଇ ଟ୍ରମ୍ପ୍‌ଙ୍କ ଦଳ ବିପକ୍ଷରେ ମତ ଦାନ ମଧୢ କରିପାରନ୍ତି। ତାହା ହେଲେ ‘ଆମେରିକା ପ୍ରଥମ’ ବୋଲି ସର୍ବଦା କହୁଥିବା ଟ୍ରମ୍ପ୍‌ଙ୍କ ଲାଗି ଏହା ଏକ ରାଜନୈତିକ ଧକ୍କା ବୋଲି ପ୍ରମାଣିତ ହେବ।

ସାମୁରାଇ ଯୁଦ୍ଧ କଳାରେ ନିଦ୍ରିତ ଅବସ୍ଥାରେ ମଧୢ କିଭଳି ଜାଗ୍ରତ ରହି ଶତ୍ରୁ ବିପକ୍ଷରେ ସତର୍କତା ଅବଲମ୍ବନ କରିବାକୁ ପଡ଼େ, ତା’ର କଠୋର ପ୍ରଶିକ୍ଷଣ ଦିଆଯାଇଥାଏ। ସେଥିଲାଗି ସାମୁରାଇ ଯୋଦ୍ଧାମାନେ କଠୋର ଶୃଙ୍ଖଳା, ସ˚ଯମ ଓ ନିୟମାନୁବର୍ତ୍ତିତା ଦ୍ବାରା ନିଜ ମଧ୍ୟରେ ପରିବର୍ତ୍ତନ ଆଣିଥାଆନ୍ତି। ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ଅହମିକାରୂପକ ତନ୍ଦ୍ରା ଦ୍ବାରା ଆଚ୍ଛନ୍ନ ସମସ୍ତେ ହୃଦୟଙ୍ଗମ କରିବା ଉଚିତ ଯେ ଅଦୃଶ୍ୟ ଭୂତାଣୁ ସହିତ ଲଢ଼ିବାକୁ ହେଲେ ସାମୁରାଇ ଯୋଦ୍ଧାସୁଲଭ ସତର୍କତା ଅବଲମ୍ବନ କରିବାକୁ ହେବ। ଆମେରିକା ଅହ˚କାରର ପ୍ରତୀକ ଟ୍ରମ୍ପ୍‌ ସ˚କ୍ରମିତ ହୋଇଯିବା ପରେ ଏବେ ଆମେରିକୀୟମାନଙ୍କ ତନ୍ଦ୍ରା ଭଙ୍ଗ ହୋଇଯିବା ଉଚିତ।

ସମ୍ବନ୍ଧିତ ଖବର