ଶୁଭ ସେପ୍ଟେମ୍ବର‌୍‌

ଏକ ଦେଶରେ ଶିଳ୍ପ ଉତ୍ପାଦନ (ମାନୁଫାକ୍‌ଚରିଙ୍ଗ୍‌) କ୍ଷେତ୍ର କେତେ ଦୂର ଚଳଚଞ୍ଚଳ ଅଛି, ତାହାର ଏକ ସର୍ବାଧିକ ଭରସାଯୋଗ୍ୟ ସୂଚନା ମିଳିଥାଏ ଉତ୍ପାଦନକାରୀ ସ˚ସ୍ଥାମାନେ କ୍ରୟ କରୁଥିବା ଉତ୍ପାଦନ ପାଇଁ ଆବଶ୍ୟକ ସାମଗ୍ରୀ ବାବଦରେ କରୁଥିବା ଖର୍ଚ୍ଚର ଗତିପଥରୁ। ‘ପର୍ଚେଜିଙ୍ଗ୍‌ ମ୍ୟାନେଜର୍ସ ଇଣ୍ତେକ୍‌ସ’ (‘ପିଏମ୍‌ଆଇ’) ରୂପେ ପରିଚିତ ଏହି ସୂଚକାଙ୍କର ମୂଲ୍ୟ ଯଦି ୫୦ ଉପରେ ରହେ, ତା’ହେଲେ ଦେଶର ଶିଳ୍ପ ଉତ୍ପାଦନ କ୍ଷେତ୍ରର ସ୍ବାସ୍ଥ୍ୟ ଭଲ ଅଛି ବୋଲି ଧରା ଯାଇଥାଏ। ‘ପିଏମ୍‌ଆଇ’ର ମୂଲ୍ୟ ୫୦ ତଳକୁ ଖସିବା ହେଉଛି ଅର୍ଥନୀତି ପାଇଁ ଏକ ଦୁଃସମ୍ବାଦ। ସେ ଦୃଷ୍ଟିରୁ ଦେଖିଲେ ଭାରତୀୟ ଅର୍ଥନୀତି ବିଗତ ଛ’ମାସ ଧରି ଚୀନା କରୋନା ଜର୍ଜରିତ ହୋଇ ରହିଥିଲେ ହେଁ ଗତ ମାସରେ ଆମର ଉତ୍ପାଦନ ଶିଳ୍ପ ଯେଉଁଭଳି ଲକ୍ଷଣ ପ୍ରଦର୍ଶନ କରିଛି, ତାହା ସାମୟିକ ଭାବରେ ଚତୁର୍ଦ୍ଦିଗରେ ଆମକୁ ଘେରି ରହିଥିବା ବିଷାଦର ଧୂମପଟଳକୁ ସଫା କରିବାର କ୍ଷମତା ବହନ କରିଥାଏ।

ଏ କ୍ଷେତ୍ରରେ ସର୍ବାଧିକ ବିଶ୍ବାସଯୋଗ୍ୟ ସର୍ବେକ୍ଷଣ କରୁଥିବା ‘ଆଇଏଚ୍‌ଏସ୍‌ ମାର୍କିଟ୍‌’ ସ˚ସ୍ଥା ସେପ୍‌ଟେମ୍ବର ମାସ ପାଇଁ ପ୍ରକାଶ କରିଥିବା ସୂଚନା ଅନୁସାରେ ଭାରତ ପାଇଁ ‘ପିଏମ୍‌ଆଇ’ ଥିଲା ୫୬.୮। ଅଗଷ୍ଟରେ ଏହି ସୂଚକାଙ୍କ ଥିଲା ୫୨; ତେଣୁ ଲଗାତର ଦ୍ବିତୀୟ ମାସ ପାଇଁ ‘ପିଏମ୍‌ଆଇ’ରେ ଉତ୍‌ଥାନ ଯେତିକି ସନ୍ତୋଷଜନକ, ତାହାଠାରୁ ଯାହା ଆହୁରି ଅଧିକ ସନ୍ତୋଷଜନକ, ତାହା ହେଲା ସେପ୍‌ଟେମ୍ବରର ଏହି ସୂଚକାଙ୍କ ହେଉଛି ଜାନୁଆରି ୨୦୧୨ ପର ଠାରୁ ଏହା ପହଞ୍ଚିଥିବା ସର୍ବୋଚ୍ଚ ସ୍ତର। କେବଳ ଛ’ମାସର କୋଭିଡ୍‌ ସମୟ ନୁହେଁ, ବିଗତ ପ୍ରାୟ ଆଠ ବର୍ଷର ଅଣକୋଭିଡ୍‌ ସାଧାରଣ ସମୟ ମଧୢରେ ‘ପିଏମ୍‌ଆଇ’ର ଏପରି ରେକର୍ଡ ଆରୋହଣ ଦେଶବାସୀଙ୍କ ମନରେ ଭାରତୀୟ ଅର୍ଥନୀତିର ଅନ୍ତର୍ନିହିତ ଶକ୍ତି ସମ୍ବନ୍ଧରେ ଏଭଳି ସ˚କଟ ସମୟରେ ଏକ ବହୁ ଅପେକ୍ଷିତ ବିଶ୍ବାସ ଜନ୍ମାଇଥାଏ।

କେବଳ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ନୁହେଁ, ଏହା ସହିତ ତାଳ ଦେବା ଭଳି, ବେଶ୍‌ କିଛି ଦିନ ହେବ ପଛରେ ପଡ଼ି ରହିଥିବା ରପ୍ତାନି କ୍ଷେତ୍ରରେ ମଧୢ ଏକ ସକାରାତ୍ମକ ବୃଦ୍ଧି ଘଟିବା ଦେଖା ଦେଇଛି। ଦେଶ ଭିତରେ ଆଭ୍ୟନ୍ତରୀଣ ବାଣିଜ୍ୟ କାରବାରର ଏକ ନିଶ୍ଚିତ ସୂଚନା ମିଳିଥାଏ ଦ୍ରବ୍ୟ ପରିବହନ ପାଇଁ ଦିଆଯାଉଥିବା ଇଲେକ୍ଟ୍ରୋନିକ୍‌ ପର‌୍‌ମିଟ୍‌ ବା ଇ-େଵବିଲ୍‌ମାନଙ୍କରୁ। ସତେ ଯେମିତି ଏହି ଆନନ୍ଦ ଉତ୍ସବରୁ ବାଦ୍‌ ନପଡ଼ିବା ପାଇଁ ଏହି ସମୟରେ ସେଥିରେ ମଧୢ ଏକ ରେକର୍ଡ ବୃଦ୍ଧି ଘଟିବା ଦେଖାଯାଇଛି। ରେଳ ଯୋଗେ ହେଉଥିବା ମାଲ୍‌ ପରିବହନ ବା ସେଥିରୁ ବାଦ୍‌ ପଡ଼ନ୍ତା କାହିଁକି? ସେଇ ସେପ୍‌ଟେମ୍ବର‌୍‌ରେ ଗତ ବର୍ଷ ତୁଳନାରେ ରେଳ ପରିବହନରେ ତେଣୁ ଏକ ବେଶ୍‌ ଉଚ୍ଚା ୧୫ ଶତା˚ଶ ବୃଦ୍ଧି ଘଟିବା ଦେଖା ଯାଇଛି।

ଏଥିରୁ ଯାହା ଜଣାପଡ଼ିଥାଏ, ତାହା ହେଲା ଅର୍ଥନୀତିର ଆଚରଣ ସମ୍ବନ୍ଧରେ ଭବିଷ୍ୟବାଣୀ କରିବା ସେଇଭଳି ବିପଦପୂର୍ଣ୍ଣ, ଯେଉଁଭଳି ଜ୍ୟୋତିଷମାନେ ମନୁଷ୍ୟର ଭାଗ୍ୟ ସମ୍ବନ୍ଧରେ ଭବିଷ୍ୟବାଣୀ କରିବା ବିପଦପୂର୍ଣ୍ଣ ହୋଇ ଥାଏ। ଅର୍ଥନୀତି ଓ ତା’ର କାର୍ଯ୍ୟରେ ଅ˚ଶଗ୍ରହଣ କରୁଥିବା ମନୁଷ୍ୟମାନେ ଯେଉଁ ଯେଉଁ କାରଣରୁ ସକ୍ରିୟ ବା ନିଷ୍କ୍ରିୟ ହୋଇଥାନ୍ତି, ସେ ସବୁ ସମ୍ବନ୍ଧରେ ସମ୍ପୂର୍ଣ୍ଣ ସଠିକ୍‌ ପୂର୍ବାନୁମାନ କରିବା ଯେଉଁ ଭଳି କୌଣସି କମ୍ପ୍ୟୁଟର‌୍‌ରେ ବ୍ୟବହୃତ ଆଲ୍‌ଗୋରିଦ୍‌ମ ପକ୍ଷରେ ସମ୍ଭବ ନୁହେଁ, ଗବେଷଣା କ୍ଷେତ୍ରରେ ସୁଖ୍ୟାତି ଲାଭ କରି ନାନା ସମ୍ମାନରେ ଭୂଷିତ ହୋଇଥିବା ଅର୍ଥନୀତିଜ୍ଞମାନଙ୍କ ପକ୍ଷରେ ମଧୢ ସେଇଭଳି ସମ୍ଭବ ହୋଇ ନଥାଏ। ବିତ୍ତବର୍ଷର ପ୍ରଥମ ଚଉଠରେ ଭାରତୀୟ ଅର୍ଥନୀତିକୁ ଦୋହଲାଇ ଦେବା ଭଳି ସେଥିରେ ଯେଉଁ ବିଶାଳ ୨୪ ଶତା˚ଶ ସ˚କୋଚନ ଘଟିଥିଲା, ତାହାଦ୍ବାରା ଉତ୍ସାହିତ ହୋଇ ଯେଉଁ କେତେକ ନାମୀ ଦାମୀ ଅର୍ଥନୀତିଜ୍ଞ ଭାରତୀୟ ଅର୍ଥନୀତିର ଶ୍ରାଦ୍ଧ ପକାଇବାରେ ମାତି ଯାଇଥିଲେ, ଅର୍ଥନୀତିରେ ଏପରି ଦୃଢ଼ ପ୍ରାଣ ସଞ୍ଚାର ଘଟିବା ଦେଖି ନିଶ୍ଚିତ ରୂପେ ଏବେ ହତାଶ ହୋଇ ଯାଇଥିବେ।

ସେମାନଙ୍କୁ ଆହୁରି ହତାଶ କଲା ଭଳି ଯେଉଁ ଅନ୍ୟ ଏକ କିସମର ସୂଚନା ପ୍ରକାଶ ପାଇଛି, ତାହା ହେଲା ଭାରତୀୟ କମ୍ପାନିମାନଙ୍କ ପାଇଁ ଉପଲବ୍‌ଧ ହେବା ଦେଖା ଦେଇଥିବା ଏକ ଅଭାବିତ ପୁଞ୍ଜି ଯୋଗାଣ ଉତ୍ସ। ଖିଲାପି ଋଣ ଭାରରେ ବୁଡ଼ି ରହିଥିବା ଦେଶର ବ୍ୟାଙ୍କ୍‌ମାନେ ବସ୍ତୁତଃ ପୁଞ୍ଜିଯୋଗାଣ ବନ୍ଦ କରି ଦେଇଥିବା ବେଳେ ଭାରତୀୟ ଅର୍ଥନୀତିର ଇଞ୍ଜିନ୍‌ ରୂପେ ପରିଗଣିତ କେତେକ ଛାମୁହାଁ କମ୍ପାନିମାନଙ୍କୁ ପୁଞ୍ଜି ଯୋଗାଇବାକୁ ଆଗେଇ ଆସିବା ଦେଖା ଦେଇଛନ୍ତି ଅନେକ ବିଦେଶୀ କମ୍ପାନି ଓ ବିତ୍ତୀୟ ସ˚ସ୍ଥାମାନ। ରିଲାଏନ୍‌ସ କମ୍ପାନି ଆକର୍ଷିତ କରି ଚାଲିଥିବା ବିପୁଳ ବୈଦେଶିକ ପୁଞ୍ଜି ବର୍ତ୍ତମାନ ଏକ ଚମକପ୍ରଦ ଉଦାହରଣରେ ପରିଣତ ହୋଇଥିବା ବେଳେ, ପୃଥିବୀର ଅନେକ ବୃହତ୍‌ ବୀମା କମ୍ପାନି, ପେନ୍‌ସନ୍‌ ଫଣ୍ତ୍‌, ସୋଭରେନ୍‌ େଵଲ୍‌ଥ ଫଣ୍ତ୍‌ (ସରକାରୀ ସଞ୍ଚିତ ପାଣ୍ଠି), ପ୍ରାଇଭେଟ୍‌ ଇକ୍ବିଟି ସ˚ସ୍ଥାମାନ ବିଦେଶରେ ଉପଲବ୍‌ଧ ହାର ଠାରୁ ଅଧିକ ହାରରେ ଲାଭ ସ˚ଗ୍ରହ କରିବା ଉଦ୍ଦେଶ୍ୟରେ ଆହୁରି ଅନେକ ଛୋଟ ବଡ଼ ଭାରତୀୟ କମ୍ପାନିମାନଙ୍କରେ ପୁଞ୍ଜିନିବେଶ କରିବା ପାଇଁ ଧାଡ଼ି ଲଗାଇଛନ୍ତି।

କେତେକ ଭାରତୀୟ ଘରୋଇ ବ୍ୟାଙ୍କ୍‌ ଓ ଅଣବ୍ୟାଙ୍କ୍‌ ବିତ୍ତୀୟ ସ˚ସ୍ଥାମାନେ ମଧୢ ପ୍ରଭୂତ ପରିମାଣର ବିଦେଶୀ ପୁଞ୍ଜି ଆକର୍ଷିତ କରିବା ଦେଖାଯାଉଛି। ଏଭଳି ଭାରତୀୟ ଋଣ ପ୍ରଦାନକାରୀ ଅନୁଷ୍ଠାନମାନଙ୍କରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଥିବା ସ˚ସ୍ଥାମାନଙ୍କ ମଧୢରେ ଅଛନ୍ତି ‘କାନାଡା ପେନ୍‌ସନ୍‌ ପ୍ଲାନ୍‌ ଇନ୍‌ଭେଷ୍ଟମେଣ୍ଟ୍‌ ବୋର୍ଡ’, ‘ଟେମାସେକ୍‌’ ଓ ‘ଜିଆଇସି’ ପରି ଦୁଇଟି ସିଙ୍ଗାପୁରସ୍ଥିତ ନିବେଶ ସ˚ସ୍ଥା, ଏବ˚ ‘ମୋର୍ଗାନ୍‌ ଷ୍ଟାନ୍‌ଲୀ’ ଓ ‘ସୋସିଏଟ୍‌ ଜେନେରାଲ୍‌’ ଭଳି ପ୍ରତିଷ୍ଠିତ ଆନ୍ତର୍ଜାତିକ ବ୍ୟାଙ୍କ୍‌ମାନ। ଏମାନେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଥିବା ଭାରତୀୟ ଋଣ ପ୍ରଦାନକାରୀ ସ˚ସ୍ଥାମାନଙ୍କ ମଧୢରେ ଅନ୍ତର୍ଭୁକ୍ତ ଅଛନ୍ତି କୋଟାକ୍‌ ମହିନ୍ଦ୍ରା, ଆଇସିଆଇସିଆଇ, ଆକ୍ସିସ୍‌ ଭଳି ଘରୋଇ ବ୍ୟାଙ୍କ୍‌ମାନ ତଥା ଏଚ୍‌ଡିଏଫ୍‌ସି ପରି ଅଣବ୍ୟାଙ୍କ୍‌ ଋଣଦାତା ସ˚ସ୍ଥାମାନ। ଯେଉଁ ଭାରତୀୟ ଉଦ୍ୟୋଗମାନ ନିଶ୍ଚିତ ବାର୍ଷିକ ଲାଭା˚ଶ (ଡିଭିଡେଣ୍ତ୍‌) ବଣ୍ଟନ କରିବାରେ ସୁଖ୍ୟାତି ଅର୍ଜନ କରିଛନ୍ତି, ବୈଦେଶିକ ପୁଞ୍ଜିନିବେଶମାନେ ସେମାନଙ୍କ ପ୍ରତି ମଧୢ ଆକର୍ଷିତ ହେବା ଦେଖାଯାଉଛି। ଉଦାହରଣ ସ୍ବରୂପ ଗତ ଜୁଲାଇରେ ଏକ ଫରାସୀ ସ˚ସ୍ଥା ଏହି ଡିଭିଡେଣ୍ତ୍‌ ଦ୍ବାରା ଆକର୍ଷିତ ହୋଇ ଦିଲ୍ଲୀ ଓ ହାଇଦରାବାଦ ବିମାନବନ୍ଦର ନିୟନ୍ତ୍ରଣ କରୁଥିବା ‘ଜିଏମ୍‌ଆର‌୍‌ ଏଆର‌୍‌ପୋର୍ଟ‌୍‌ସ’ କମ୍ପାନିର ୪୯ ପ୍ରତିଶତ ଅ˚ଶଧନ କ୍ରୟ କରିବା ପରିଦୃଷ୍ଟ ହୋଇଥିଲା।

ବିଦେଶରେ ସୁଧରୁ ଆୟ ପ୍ରାୟ ଶୂନ୍ୟରେ ପହଞ୍ଚିଥିବା ବେଳେ ଭାରତରେ ସକ୍ରିୟ ଥିବା ଲାଭଜନକ କମ୍ପାନିମାନଙ୍କରେ ପୁଞ୍ଜିନିବେଶ କରି ପ୍ରାୟ ଦୁଇଅଙ୍କ ବିଶିଷ୍ଟ ବାର୍ଷିକ ହାରରେ ଆୟ କରିବା ପାଇଁ ଆଗେଇ ଆସୁଥିବା ବିଦେଶୀ ନିବେଶକଙ୍କ ତାଲିକା ବେଶ୍‌ ଲମ୍ବା। ଏହା ସତ ଯେ ଏ ସବୁ ବିଦେଶୀ ପୁଞ୍ଜି ପ୍ରବେଶ ନୂତନ ପୁଞ୍ଜି ନିବେଶ ଶ୍ରେଣୀର ନୁହଁନ୍ତି; ତେଣୁ ଅର୍ଥନୈତିକ ଅଭିବୃଦ୍ଧିରେ ଏହାର ବିଶେଷ ଅବଦାନ ରହିବ ନାହିଁ। କିନ୍ତୁ ସ୍ଥିତାବସ୍ଥା ବଜାୟ ରହିବାରେ ଏମାନଙ୍କର ଭୂମିକା ବର୍ତ୍ତମାନ ସମୟରେ କିଛି କମ୍‌ ଗୁରୁତ୍ବପୂର୍ଣ୍ଣ ନୁହେଁ। କୃଷି କ୍ଷେତ୍ରରେ ସୃଷ୍ଟି ହୋଇଥିବା ରେକର୍ଡ ଉତ୍ପାଦନ ସମ୍ଭାବନା, ଶିଳ୍ପ ଉତ୍ପାଦନରେ ଦେଖା ଦେଇଥିବା ଉପରଲିଖିତ ଜାଗରଣ ସହ ମିଶି ଏହି ବୈଦେଶିକ ପୁଞ୍ଜି ସ୍ରୋତ ଭାରତୀୟ ଅର୍ଥନୀତିକୁ କରୋନା କବଳରୁ ମୁକୁଳାଇବାର ଯେଉଁ ସମ୍ଭାବନା ସୃଷ୍ଟି କରିଛି, ଉପଯୁକ୍ତ ବିତ୍ତୀୟ ପ୍ରୋତ୍ସାହନ ପ୍ରଦାନ କାର୍ଯ୍ୟକ୍ରମ ମାଧୢମରେ ସରକାର ତାହାକୁ ସାକାର ଓ ସ୍ଥାୟୀ କରିବା ଆବଶ୍ୟକ।

ସମ୍ବନ୍ଧିତ ଖବର