ଶକ୍ତିକାନ୍ତଙ୍କ ଶକ୍ତି
କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ତାଙ୍କର ବହୁ ଅପେକ୍ଷିତ ଦ୍ବିତୀୟ କିସ୍ତି ଅର୍ଥନୈତିକ ପ୍ରୋତ୍ସାହନ ବା ‘ଷ୍ଟିମୁଲସ୍’ ଗଣ୍ଠିଲି ଫିଟାଇବାର ନାମଗନ୍ଧ ଦେଖାଯାଉନାହିଁ। ସରକାର ବଜେଟ୍ ନିଅଣ୍ଟ ଅପବାଦକୁ ଡରି ବଡ଼ ଆକାରର ଋଣ କରିବାକୁ ମଧୢ ପଛଘୁଞ୍ଚା ଦେଇ ଚାଲିଛନ୍ତି। ଏହି ସମୟରେ ଦେଶରେ ମୁଦ୍ରା ଯୋଗାଣ, ଋଣନୀତି ନିର୍ଦ୍ଧାରଣ ଆଦି କ୍ଷେତ୍ରରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ତିଆ ଗତ ସପ୍ତାହରେ ତା’ର ଦ୍ବିମାସିକ ନୀତି ନିର୍ଣ୍ଣୟ କରି ଘୋଷଣା କରିଛି। ଏହି ସୁଯୋଗର ସଦ୍ବ୍ୟବହାର କରି ରିଜର୍ଭ ବ୍ୟାଙ୍କ୍ର ‘ମନିଟାରି ପଲିସି କମିଟି’ (ନିକଟରେ ପୁନର୍ଗଠିତ ହୋଇଛି) ଏବ˚ ବିଶେଷ କରି ବ୍ୟାଙ୍କ୍ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନାଗ୍ରସ୍ତ ଭାରତୀୟ ଅର୍ଥନୀତିକୁ ଉଦ୍ଧାର କରିବାପାଇଁ ଯେଉଁ ଭଳି ବୁଦ୍ଧିମାନ ଏବ˚ ସମ୍ବେଦନଶୀଳ ଭାବରେ ସହାୟତାର ହାତ ବଢ଼ାଇଛନ୍ତି, ତାହା ପ୍ରାୟ ଚତୁର୍ଦ୍ଦିଗରୁ ପ୍ରଶ˚ସା ଲାଭ କରି ଚାଲିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶକ୍ତିକାନ୍ତ ଦାସ ଏହି ଅବସରରେ ଏକ ବିରଳ ସାହସିକତାର ପରିଚୟ ଦେଇଛନ୍ତି ଯେ ମୁଦ୍ରାସ୍ଫୀତି ରାକ୍ଷସ ପ୍ରତି ବର୍ତ୍ତମାନ ସମୟରେ ତାଙ୍କ ମନରେ ଏକ ଅହେତୁକ ଭୟ ବସାବାନ୍ଧି ରହିନାହିଁ। ଏହା ସତ ଯେ ଅନୁସୃତ ନୀତି ଅନୁସାରେ ଦେଶରେ ମୁଦ୍ରାସ୍ଫୀତି ହାରକୁ ବାର୍ଷିକ ୪% (+-୨%) ମଧୢରେ ସୀମିତ ରଖିବାର ଦାୟିତ୍ବ ସମ୍ପୂର୍ଣ୍ଣ ରୂପେ ରିଜର୍ଭ ବ୍ୟାଙ୍କ୍ ଉପରେ ନ୍ୟସ୍ତ କରାଯାଇଛି। ଏହାର ଅର୍ଥ ମୁଦ୍ରାସ୍ଫୀତି ହାର ୬% ଅତିକ୍ରମ କଲେ, ତାହାକୁ କାବୁ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ ଅର୍ଥାତ୍ ମୌଳିକ ସୁଧ ହାରରେ ବୃଦ୍ଧି ଘଟାଇ ଦେଶରେ ଋଣକୁ ମହଙ୍ଗା କରିବା ଆବଶ୍ୟକ। ସେହିପରି ମୁଦ୍ରାସ୍ଫୀତି ହାର ୨% ତଳକୁ ଖସିଲେ ରେପୋ ରେଟ୍ରେ ହ୍ରାସ ଘଟାଇ ଦରଦାମରେ ବୃଦ୍ଧି ଘଟାଇବା ପାଇଁ ଋଣ ଶସ୍ତା କରିବା ଉଚିତ।
ଏଥିପାଇଁ ଯେଉଁ ଖାଉଟି ମୁଦ୍ରାସ୍ଫୀତି ହାରକୁ ମାନକ ରୂପେ ଧାର୍ଯ୍ୟ କରାଯାଇଛି, ତାହା ବର୍ତ୍ତମାନ ୬% ସୀମା ଅତିକ୍ରମ କରି ୬.୫-୭.୦% ଅଞ୍ଚଳରେ ପ୍ରବେଶ କରି ସାରିଲାଣି। ଏପରି ଅବସ୍ଥାରେ ମୁଦ୍ରାସ୍ଫୀତିକୁ ତଳକୁ ଖସାଇବା ପାଇଁ ରେପୋ ରେଟ୍ରେ ବୃଦ୍ଧି କରିବା ଆଶା କରାଯିବା କଥା। ଶକ୍ତିକାନ୍ତ ଦାସ କିନ୍ତୁ ଅର୍ଥନୀତିର ଛାତ୍ର ହୋଇ ନଥିଲେ ମଧୢ (କିମ୍ବା ସେଥିଯୋଗୁଁ ଅର୍ଥନୈତିକ ଅନ୍ଧବିଶ୍ବାସମୁକ୍ତ ହୋଇଥିବାରୁ) ସାମ୍ପ୍ରତିକ ଖାଉଟି ମୁଦ୍ରାସ୍ଫୀତିର ଅସଲ ସ୍ବରୂପକୁ ଠିକ୍ ରୂପେ ଚିହ୍ନି ପାରିଥିବା ଭଳି ମନେ ହୁଏ। ମୁଦ୍ରାସ୍ଫୀତି ଦୁଇଟି ପ୍ରଶସ୍ତ କାରଣରୁ ସୃଷ୍ଟି ହୋଇପାରେ: ଚାହିଦାର ଚାପ ଯୋଗୁଁ କିମ୍ବା ଯୋଗାଣର କୁଣ୍ଠା ଯୋଗୁଁ।
ବର୍ତ୍ତମାନ ଯେ ଦେଶରେ ନିଯୁକ୍ତି ଓ ଆୟରେ ସ˚କୋଚନ ଘଟି ଚାହିଦାରେ ଏକ ମରୁଡ଼ି ଦେଖା ଦେଇଛି, ତାହା ହୃଦୟଙ୍ଗମ କରିବା ପାଇଁ ଅର୍ଥଶାସ୍ତ୍ରରେ କୌଣସି ବିଶେଷ ଜ୍ଞାନର ଆବଶ୍ୟକତା ନାହିଁ। ତେଣୁ ବର୍ତ୍ତମାନର ମୁଦ୍ରାସ୍ଫୀତି ପଛରେ ରହିଥିବା କାରଣ ହେଉଛି- କୁଣ୍ଠିତ ଯୋଗାଣ। ଦେଶରେ କଳକାରଖାନା ବନ୍ଦ, ପରିବହନ ସ୍ଥାଣୁ ପ୍ରାୟ ହୋଇ ଯୋଗାଣର ସ୍ରୋତ ଶୁଷ୍କ ହୋଇ ବଜାରରେ ଉପଲବ୍ଧ ସୀମିତ ଚାହିଦା ପୂରଣ କରିବାକୁ ମଧୢ ଅସମର୍ଥ ହେବାରୁ ଦର ଦାମ୍ରେ ଯେ ବୃଦ୍ଧି ଘଟୁଛି, ସେଥିରେ କୌଣସି ସନ୍ଦେହ ନାହିଁ। ଏଣୁ ଋଣ ପ୍ରଦାନ ସୁଗମ କରି ଉତ୍ପାଦନକୁ ସହାୟକ ହେବା ସହିତ ବଜାରରେ ଚାହିଦାରେ ବୃଦ୍ଧି ଘଟାଇଲେ, ଦେଶରେ ମୁଦ୍ରାସ୍ଫୀତି ପରିସ୍ଥିତି ଗୁରୁତର ହେବା ପରିବର୍ତ୍ତେ ସେଥିରେ ଯେ ଉନ୍ନତି ଘଟିବ, ଶକ୍ତିକାନ୍ତ ତାହା ଭଲ ରୂପେ ବୁଝିଛନ୍ତି।
ସେ ତେଣୁ ରେପୋ ରେଟ୍ରେ ବୃଦ୍ଧି ଘଟାଇବା ପରିବର୍ତ୍ତେ ତାହା ସ୍ଥିର ରଖିବା ସହିତ ଋଣ ପ୍ରସାର ପାଇଁ ଅନିଚ୍ଛା ପ୍ରଦର୍ଶନ କରି ଚାଲିଥିବା ବ୍ୟାଙ୍କ୍ମାନଙ୍କୁ ସେଥିପାଇଁ ଆଗ୍ରହୀ ହେବା ଉଦ୍ଦେଶ୍ୟରେ ଗତ ସପ୍ତାହରେ କେତେକ ଚତୁର ପଦକ୍ଷେପ ନେଇଛନ୍ତି। ସେ ବୁଝିଛନ୍ତି ଯେ ବର୍ତ୍ତମାନ ଯଦି ଛୋଟବଡ଼ ଋଣ ଗ୍ରହୀତାମାନଙ୍କୁ ସେମାନଙ୍କର ଅନାକର୍ଷଣୀୟ ପରିଶୋଧ କ୍ଷମତା ସତ୍ତ୍ବେ ଋଣ ପ୍ରଦାନ କରାନଯାଏ, ତେବେ ସେମାନେ ହଜାର ହଜାର ସ˚ଖ୍ୟାରେ ନିଜର ଉଦ୍ୟୋଗରେ ତାଲା ପକାଇବାକୁ ବାଧୢ ହେବେ। ଯେଉଁ ମଧୢମ ଓ କ୍ଷୁଦ୍ର ଉଦ୍ୟୋଗମାନଙ୍କର ବ୍ୟବସାୟ ୫୦ କୋଟି ଟଙ୍କା ହୋଇଥାଏ, ସେମାନଙ୍କୁ ଋଣ ଦେବା ସୀମାକୁ ୫ କୋଟି ଟଙ୍କାରୁ ବୃଦ୍ଧି କରି ୭.୫ କୋଟି ଟଙ୍କା କରି ଦେଇ ରିଜର୍ଭ ବ୍ୟାଙ୍କ୍ ଏବେ ବ୍ୟାଙ୍କ୍ମାନେ ଏଥିପାଇଁ ସମ୍ମୁଖୀନ ହେଉଥିବା କଟକଣା କୋହଳ କରି ଦେଇଛି। ବ୍ୟାଙ୍କ୍ମାନେ ଏଥର ଏଭଳି କ୍ଷୁଦ୍ର ଓ ମଧୢମ ଉଦ୍ୟୋଗମାନଙ୍କରେ ଅଧିକ ପରିମାଣ ଋଣ ପୁଞ୍ଜି ଭର୍ତ୍ତି କରି ସେମାନଙ୍କୁ ସକ୍ରିୟ ରହିବାରେ ସହାୟକ ହେବେ। ସେହିପରି ନିୟମରେ କେତେକ ପରିବର୍ତ୍ତନ କରି ଗଭର୍ଣ୍ଣର୍ ଶକ୍ତିକାନ୍ତ ବ୍ୟାଙ୍କ୍ମାନଙ୍କୁ ଅଧିକ ଗୃହ ଋଣ ପ୍ରଦାନ କରିବା ପାଇଁ ପ୍ରୋତ୍ସାହନ ଯୋଗାଇଛନ୍ତି।
କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ଅଧିକ ଋଣ ପ୍ରଦାନ କରିବା ପାଇଁ ତଥା କର୍ପୋରେଟ୍ ବଣ୍ତ୍ କ୍ରୟ ମାଧୢମରେ ଋଣ ପ୍ରଦାନ କରିବା ପାଇଁ ବ୍ୟାଙ୍କ୍ମାନଙ୍କୁ ସାହାଯ୍ୟ କରିବା ସକାଶେ ରିଜର୍ଭ ବ୍ୟାଙ୍କ୍ ଏକ ଲକ୍ଷ କୋଟି ଟଙ୍କାର ‘ଟିଏଲ୍ଟିଆର୍ଓ’ (ଟାର୍ଗେଟେଡ୍ ଲଙ୍ଗ୍ ଟର୍ମ ରିଫାଇନାନ୍ସିଙ୍ଗ୍ ଅପରେସନ୍ସ) ସ୍ଥାପନ କରିଛି। ବ୍ୟାଙ୍କ୍ମାନେ ଏହି ସୂତ୍ରରୁ ରିଜର୍ଭ ବ୍ୟାଙ୍କ୍ ଠାରୁ ପାଉଥିବା ପାଣ୍ଠିକୁ ନୂତନ ଋଣ ପତ୍ର ବା ସିକ୍ୟୁରିଟି କ୍ରୟ କରିବାରେ ବିନିଯୋଗ କରନ୍ତି। ରେପୋ ରେଟ୍ ହାରରେ ଏହାର ସୁଧ ସ୍ଥିରୀକୃତ ହୋଇଥିବାରୁ ବ୍ୟାଙ୍କ୍ମାନେ ଋଣ ପ୍ରଦାନ କରିବା ପାଇଁ ସମ୍ବଳ ଯୋଗାଡ଼ କରିବା ଲାଗି ଏହା ଏକ ଉପଯୋଗୀ ସୂତ୍ର ହୋଇଥାଏ। ଅବଶ୍ୟ ଏଥି ପୂର୍ବରୁ ‘ଏଲ୍ଟିଆର୍ଓ’ରେ ଉପଲବ୍ଧ ୫୦,୦୦୦ କୋଟି ଟଙ୍କାରୁ ବ୍ୟାଙ୍କ୍ମାନେ ମାତ୍ର ୧୨,୫୦୦ କୋଟି ଟଙ୍କା ଉପଯୋଗ କରିବା ଦେଖା ଯାଇଥିଲା। କିନ୍ତୁ ବ୍ୟାଙ୍କ୍ମାନଙ୍କ ପାଇଁ ଶସ୍ତାରେ ସମ୍ବଳ ଉପଲବ୍ଧ କରାଇ, ମଧୢମ ଶ୍ରେଣୀୟ ବ୍ୟବସାୟମାନଙ୍କ ପାଇଁ ବ୍ୟାଙ୍କ୍ରୁ ଋଣ ପାଇବା ସମ୍ଭାବନାରେ ରିଜର୍ଭ ବ୍ୟାଙ୍କ୍ ଏବେ ଉନ୍ନତି ଘଟାଇଛି।
ବର୍ତ୍ତମାନ କରୋନା ଆହତ ଅର୍ଥନୀତିରେ ଅସ˚ଗଠିତ କ୍ଷେତ୍ରର ବ୍ୟବସାୟ ଉଦ୍ୟୋଗମାନ ଅଧିକ କ୍ଷତିଗ୍ରସ୍ତ ହେବା ଦେଖାଯାଇଛି। ସ୍ବାଭାବିକ ଭାବରେ ସେ କ୍ଷେତ୍ରର ବ୍ୟବସାୟର କିଛି ଅ˚ଶ ସ˚ଗଠିତ କ୍ଷେତ୍ରକୁ ସ୍ଥାନାନ୍ତରିତ ହେବା ମଧୢ ଲକ୍ଷ୍ୟ କରାଯାଉଛି। ସ˚ଗଠିତ କ୍ଷେତ୍ରରେ ଦରଦାମ ସର୍ବଦା ଅସ˚ଗଠିତ କ୍ଷେତ୍ରଠାରୁ ଉଚ୍ଚା ହୋଇଥାଏ- ଯେମିତି ଫୁଟ୍ପାଥ୍ରେ ବିକ୍ରି ହେଉଥିବା ଜୋତା ଅପେକ୍ଷା ବ୍ରାଣ୍ତ୍ ଲାଗିଥିବା ସ˚ଗଠିତ କ୍ଷେତ୍ରର ଜୋତା ଦାମ୍ ବହୁ ଅଧିକ ହୋଇଥାଏ। ଏହା ମୁଦ୍ରାସ୍ଫୀତି ଅର୍ଥାତ୍ ଦରଦାମରେ ବୃଦ୍ଧି ଘଟାଇଥାଏ। ଏଣୁ ଅସ˚ଗଠିତ କ୍ଷେତ୍ରରେ ବ୍ୟବସାୟର ପୁନରୁଦ୍ଧାର ବିନା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ସହଜ ହେବ ନାହିଁ। ସେଥିପାଇଁ ସେ କ୍ଷେତ୍ରରେ ବ୍ୟବସାୟ ନିକଟରେ ସୁଲଭ ସୁଧ ହାରରେ ଅଧିକ ପୁଞ୍ଜି ଉପଲବ୍ଧ କରାଯିବା ଆବଶ୍ୟକ। ରିଜର୍ଭ ବ୍ୟାଙ୍କ୍ ଏହି ଉଦ୍ୟମ ଚାଲୁ ରଖିଥିବା ସମୟରେ ଦେଶରେ ମୁଦ୍ରାସ୍ଫୀତି ହାର ସ୍ବାଭାବିକ ସମୟ ଅପେକ୍ଷା ଉଚ୍ଚତର ସ୍ତରରେ ରହିବା ପାଇଁ ବାଧୢ। ପରିସ୍ଥିତିର ମୁକାବିଲା କରିବା ପାଇଁ ରିଜର୍ଭ ବ୍ୟାଙ୍କ୍କୁ ଅଧିକ ସ୍ବାଧୀନତା ଦେବା ଲାଗି ମୁଦ୍ରାସ୍ଫୀତିର ଧାର୍ଯ୍ୟ ସୀମାକୁ ସାମୟିକ ଭାବରେ କୋହଳ କରାଯିବା ଉଚିତ୍।