‘ମହାଭାରତ’ର ବନପର୍ବରେ ଅଜ୍ଞାତବାସରେ ରହିଥିବା ପାଣ୍ତବମାନଙ୍କର ଦୁର୍ଦଶା କଥା ବିଶଦ ଭାବେ ଉଲ୍ଲେଖ ରହିଛି। ଥରେ ତୃଷାର୍ତ୍ତ ପାଣ୍ତବ ଭ୍ରାତାଗଣ ପାଣି ଆଣିବା ଲାଗି ଜଣ ଜଣ ହୋଇ ଅରଣ୍ୟ ଭିତରେ ଥିବା ଯକ୍ଷ ପୁଷ୍କରିଣୀକୁ ଯାଇ କିଭଳି ପ୍ରାଣ ହରେଇଥିଲେ ଏବ˚ ଶେଷକୁ ଅଗ୍ରଜ ଯୁଧିଷ୍ଠିର ଯାଇ ଯକ୍ଷଙ୍କ ପ୍ରଶ୍ନର ସମୁଚିତ ଉତ୍ତର ଦେଇ ସେମାନଙ୍କୁ ଜୀବନ୍ୟାସ ଦେବାର ବ୍ୟବସ୍ଥା କରିଥିଲେ, ତାହା ପ୍ରତ୍ୟେକ ଭାରତୀୟଙ୍କ ଲାଗି ଏକ ପରିଚିତ ପ୍ରସଙ୍ଗ। ବକରୂପୀ ଯକ୍ଷ ଯୁଧିଷ୍ଠିରଙ୍କୁ ପଚାରିଥିବା ପ୍ରଶ୍ନ ଭିତରୁ ଗୋଟିଏ ତାତ୍ପର୍ଯ୍ୟପୂର୍ଣ ପ୍ରଶ୍ନ ଥିଲା- ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ଯ୍ୟକର କଥା କ’ଣ? ତାହାର ଉତ୍ତରରେ ଧର୍ମରାଜ ଯୁଧିଷ୍ଠିର କହିଥିଲେ, ‘ଅହନ୍ୟହନି ଭୂତାନି ଗଚ୍ଛନ୍ତି ୟମମନ୍ଦିରମ୍, ଶେଷ ଜୀବିତୁମିଚ୍ଛନ୍ତି କିମାଶ୍ଚର୍ଯ୍ୟମତପରମ୍’ ଅର୍ଥାତ୍ ପ୍ରତିଦିନ ଲୋକମାନଙ୍କୁ ମରିବାର ଦେଖୁଥିଲେ ସୁଦ୍ଧା ବଞ୍ଚିଥିବା ଲୋକ ଭାବନ୍ତି ଯେ ସେମାନେ ଅମର। ଏହାଠାରୁ ଆଶ୍ଚର୍ଯ୍ୟକର କଥା ଆଉ କ’ଣ ହୋଇପାରେ? ତେବେ ଆଜି ଯଦି ସେହି ବକରୂପୀ ଯକ୍ଷ ସ୍ବାଧୀନ ଭାରତବର୍ଷର କୌଣସି ଯୁଧିଷ୍ଠିରଙ୍କୁ ସେହି ଏକା ପ୍ରଶ୍ନ ଉତ୍ଥାପନ କରି ପଚାରନ୍ତେ ଯେ, ସବୁଠାରୁ ଏଠି ଆଶ୍ଚର୍ଯ୍ୟକର କଥା କ’ଣ?, ତାହାହେଲେ ସେ ପ୍ରଶ୍ନର ନିର୍ଭୁଲ ଉତ୍ତର ହୁଅନ୍ତା ପ୍ରତିଦିନ ସାମନ୍ତବାଦୀ ଜଣତନ୍ତ୍ରର ବିଜୟ ପତାକା ଫର୍ ଫର୍ ହୋଇ ଉଡ଼ାଉଥିବା
ଭାରତ ନିଜକୁ ଗଣତନ୍ତ୍ର ବୋଲି ଦାବି କରିବା ଠାରୁ ବଳି ଅଧିକ ଆଶ୍ଚର୍ଯ୍ୟକର କଥା ଆଉ କ’ଣ ହୋଇପାରେ? ସ୍ବାଧୀନ ଭାରତବର୍ଷ ଯେ କେବଳ ଜଣତନ୍ତ୍ରକୁ ଧନମଣି ଭାବେ ଆଜି ଆଲିଙ୍ଗନ କରିଛି ତାହା ନୁହେଁ, ସବୁବେଳେ ଏଇ ପ୍ରବଣତା ଏହି ଭୂମିରେ ରହିଥିଲା। ରାଜାରାଜୁଡ଼ା ଅମଳରେ ଏ କଥାକୁ ସାଧାରଣ ଲୋକେ ଗ୍ରହଣ କରି ନେଇଥିଲେ ଯେ ଶାସନ କ୍ଷମତାର ଅଧିକାର ସ୍ବର୍ଗରେ ଯେପରି ଇନ୍ଦ୍ରଙ୍କର, ମର୍ତ୍ତ୍ୟରେ ସେହିପରି ନରେନ୍ଦ୍ରଙ୍କର ବା ରାଜାଙ୍କର। କିନ୍ତୁ ଭାରତବର୍ଷ ସ୍ବାଧୀନ ହୋଇ ସମ୍ବିଧାନ ପ୍ରଣୟନ କରି ନିଜକୁ ଏକ ଗଣତନ୍ତ୍ର ଭାବରେ ପରିଚିତ କରାଇବା ପରେ ସୁଦ୍ଧା ସେହି ବ˚ଶବାଦକୁ ଯେଉଁଭଳି ଜଡ଼େଇ ଧରିଅଛି, ତାହା ବାସ୍ତବିକ ଗବେଷଣାର ବିଷୟ। କେହି କେହି ସମାଜଶାସ୍ତ୍ରୀ ବ୍ୟଙ୍ଗ କରି କହିଛନ୍ତି ଯେ, ଦୁର୍ନୀତି ପରି ବ˚ଶବାଦ କଥାଟାର ଆଦିସୂତ୍ର ମଧୢ ଭାରତୀୟଙ୍କ ପୁରାଣ ପରମ୍ପରାର ଅବଦାନ। ଅନୁଚିତ ମାର୍ଗରେ ଉପାର୍ଜିତ ଅର୍ଥରୁ କିଛି ଠାକୁରଙ୍କ ପାଖେ ଭୋଗ ଲଗାଇଲେ ସେ ଅପରାଧ କ୍ଷମଣୀୟ ହୋଇଯିବ ଏକଥା ଶହେରୁ ନବେ ଭାଗ ସାଧାରଣଲୋକ ବିଶ୍ବାସ କରନ୍ତି। ଏଭଳି ଭାବରେ ଦାନ-ଧର୍ମ, ଭୋଗ-ବଳି, ପୂଜାଉପଚାର ସବୁ ସତେ ଯେମିତି କରିଥିବା ପାପ, ଦୁର୍ନୀତି ଓ ଅନାଚାରର ବୈଧୀକରଣ ଲାଗି ଅନୁମୋଦିତ ଗୋଟିଏ ଗୋଟିଏ କର୍ମକାଣ୍ତ। ଠିକ୍ ସେହିପରି ଏହି ବ˚ଶବାଦ ବା ରାଜାଙ୍କ ପୁଅ ରାଜା କଥାଟି ମଧ୍ୟ ଦେବଦେବୀ ପୂଜା ପର˚ପରାର ଆଉ ଏକ ଉପସର୍ଗ।
ନିଜର ପୁରାଣରୁ ଏକଥା ଭାରତୀୟମାନେ ଲକ୍ଷ୍ୟ କରିଛନ୍ତି ଯେ ଦେବତାଙ୍କ ପୁତ୍ର ଦେବତା, ପ୍ରଭୁଙ୍କ ପୁତ୍ର ପ୍ରଭୁ, ଶିବଙ୍କ ପୁତ୍ରମାନେ ପୂଜନୀୟ ଏପରିକି ତାଙ୍କର ବାହକ ବୃଷଭ ମଧ୍ୟ ପରମ ବନ୍ଦନୀୟ। ଯଦି ଠାକୁରଙ୍କ ପୁଅ ଠାକୁର ଓ ରାଜାଙ୍କ ପୁଅ ରାଜା ହେବାରେ କୌଣସି ସମସ୍ୟା ନାହିଁ; ତାହାହେଲେ ନେତାଙ୍କ ପୁଅ ନେତା ହେବାରେ ସମସ୍ୟା କେଉଁଠି? ସୁତରା˚ ରାମବିଳାସ ପାଶ୍ବାନଙ୍କ ପରଲୋକ ପରେ ତାଙ୍କର ବିଫଳ-ଅଭିନେତା ପୁତ୍ର ଚିରାଗ ପାଶଵାନ ଲୋକ ଜନଶକ୍ତି ପାର୍ଟିର ସଭାପତି ହେବା ମଧୢ ଉଚିତ ପଦକ୍ଷେପ ଏବ˚ ଓଡ଼ିଶାର ଆଗାମୀ ଉପନିର୍ବାଚନରେ ତିର୍ତ୍ତୋଲ ନିର୍ବାଚନମଣ୍ତଳୀରୁ ବିଜେଡି ଦଳ ପୂର୍ବତନ ବିଧାୟକ ଶ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟଶଙ୍କର ଦାସଙ୍କୁ ଏବ˚ ବାଲେଶ୍ବର ଆସନରୁ ‘ପାର୍ଟି ଉଇଥ ଏ ଡିଫରେନ୍ସ’ ଦାବି କରି ଅସଲରେ ଅନ୍ୟ ପାର୍ଟି ପରି ହେବାଲାଗି ଆବଶ୍ୟକ କୌଣସି ଉଦାହରଣ ଛାଡ଼ୁନଥିବା ଭାରତୀୟ ଜନତା ପାର୍ଟି ସ୍ବର୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁତ୍ର ମାନସ ଦତ୍ତଙ୍କୁ ବିଧାୟକ ପ୍ରାର୍ଥୀ କରିବା କୌଣସି ପ୍ରକାରେ ଅନୁଚିତ ନୁହେଁ। ଜାତୀୟ ଦଳ ବିଜେପି ଏବ˚ ଆଞ୍ଚଳିକ ଦଳ ବିଜେଡି ଉଭୟ ଜାଣନ୍ତି ଯେ ଏ ଦୁଇ ନିର୍ବାଚନମଣ୍ତଳୀର ମତଦାତା ପରଲୋକଗତ ନେତାଙ୍କ ଉତ୍ତରାଧିକାରୀ ଭାବେ ସେମାନଙ୍କ ପୁତ୍ର ଦୁହିଁଙ୍କୁ ନିଶ୍ଚୟ ସମର୍ଥନ ଦେବେ ଏବ˚ ଏ ବ୍ୟବସ୍ଥା ଅଧିକା˚ଶ କ୍ଷେତ୍ରରେ ସଫଳ ହୋଇଥାଏ।
ଭାରତ ସ୍ବାଧୀନ ହେବା ପରେ ମୁକ୍ତି ଆନ୍ଦୋଳନରେ ଝାସ ଦେଇଥିବା ସ˚ଗ୍ରାମୀମାନେ ଅନେକ ସ୍ବପ୍ନ ଦେଖିଥିଲେ। ସାଧାରଣ ଦେଶବାସୀ ମଧୢ ସ୍ବାଧୀନ ଦେଶର ଭବିଷ୍ୟତକୁ ନେଇ ବହୁ କଳ୍ପନା କରିଥିଲେ। ମାତ୍ର ଧୀରେ ଧୀରେ ଯେତିକି ଯେତିକି ସମୟ ଗଡ଼ି ଗଡ଼ି ଯାଉଛି ସେହିସବୁ ସ୍ବପ୍ନ ସେତିକି ସେତିକି କରୁଣ ଭାବେ ମିଥ୍ୟା ପ୍ରମାଣିତ ହୋଇଚାଲିଛି। ଆଜି ଭାରତର କୌଣସି ଅନୁଷ୍ଠାନ ସନ୍ଦେହର ଊର୍ଦ୍ଧ୍ବରେ ନାହାନ୍ତି, କୌଣସିଟି ଅନୁଷ୍ଠାନ ଉପରେ ସାଧାରଣ ଜନତାଙ୍କର ନିର୍ମଳ ବିଶ୍ବାସ ନାହିଁ। ଏସବୁ ଅନୁଷ୍ଠାନର ଅବମୂଲ୍ୟାୟନ ପଛରେ ଅନ୍ୟାନ୍ୟ କାରଣ ସହ ଏହି ‘ଜଣତନ୍ତ୍ର’ ବା ‘ବ˚ଶବାଦ’ର ଯେ ବହୁତ ଅବଦାନ ଅଛି, ତାହା ଉଲ୍ଲେଖ କରିବା ନିଷ୍ପ୍ରୟୋଜନ। ଭାରତର ପାର୍ଲାମେଣ୍ଟରେ ଆଜି ଶତକଡ଼ା ତିରିଶ ଭାଗ ସା˚ସଦ ହେଉଛନ୍ତି କୋଉ ବଡ଼ ନେତାଙ୍କର ପୁଅ ନହେଲେ ଝିଅ। ସବୁଠୁ ପୁରୁଣା ଦଳ କ˚ଗ୍ରେସରେ ଉତ୍ତରାଧିକାରୀ ସା˚ସଦଙ୍କ ସ˚ଖ୍ୟା ପୁଣି ଶହେରେ ଚାଳିଶ। ଏହି ବ୍ୟାଧି ପ୍ରତି ନିର୍ବାଚନରେ ପୂର୍ବ ନିର୍ବାଚନଠାରୁ ବଢ଼ି ବଢ଼ି ଚାଲିଛି। ଏହାଦ୍ବାରା କେବଳ ଯେ ବ୍ୟକ୍ତିବାଦ, ବ˚ଶବାଦ ଓ ଜଣତନ୍ତ୍ରର ଜୟଗାନ କରାଯାଉଅଛି ତାହା ନୁହେଁ, ସେହି ନିର୍ବାଚନ ମଣ୍ତଳୀର ଅନ୍ୟ ମେଧାବୀ, ନିଷ୍ଠାପର ସମ୍ଭାବ୍ୟ ଜନନେତାଙ୍କର ଉତ୍ଥାନ ପଥକୁ ସବୁଦିନ ଲାଗି ରୁଦ୍ଧ କରି ଦିଆଯାଉଛି।
ପୂର୍ବରୁ କେବଳ ନେହରୁ ଗାନ୍ଧୀ ପରିବାର କଥା ଆଲୋଚନାକୁ ଆସୁଥିଲା। ତାହା ପରେ ତାମିଲନାଡୁରେ କରୁଣାନିଧି, ମହାରାଷ୍ଟ୍ରରେ ପାଵାର, ହରିଆଣାରେ ଚୌତାଲା, ବିହାରରେ ଯାଦବ, ପଞ୍ଜାବରେ ବାଦଲ, ଓଡ଼ିଶାରେ ପଟ୍ଟନାୟକଙ୍କ କଥା ଉଲ୍ଲେଖ କରାଯାଉଥିଲା। ମାତ୍ର ଆଜି ଏହା ସର୍ବବ୍ୟାପୀ। କୌଣସି ସ୍ଥାନରେ ଖାଲି ସ୍ଥାନଟିଏ ସୃଷ୍ଟି ହେବା କ୍ଷଣି ଅନ୍ୟ ସବୁ ଯୋଗ୍ୟତାକୁ ଭୁଲି ପ୍ରଥମେ ପରିବାର କଥାଟିକୁ ହିଁ ଗୁରୁତ୍ବ ଦିଆଯାଉଅଛି। ରାମବିଳାସ ପାଶଵାନ ତ ଏହାର ସଦ୍ୟତମ ଉଦାହରଣ ଯିଏ ନିଜ ଦଳର ତିନିଟି ଯାକ ସା˚ସଦ ଟିକେଟ ନିଜ ପରିବାର ସଦସ୍ୟଙ୍କୁ ଅର୍ପଣ କରିଥିଲେ। ଆଗରୁ ଏଭଳି ‘ଉଜ୍ଜ୍ବଳ’ ଉଦାହରଣ କେବଳ ଦୁଇ ସମାଜବାଦୀ ରାଜନେତା ମୁଲାୟମ ସି˚ହ ଯାଦବ ଏବ˚ ଲାଲୁପ୍ରସାଦ ଯାଦବ ସୃଷ୍ଟି କରିପାରିଥିଲେ; ମାତ୍ର ଏବେ ତାଙ୍କ ପ୍ରଦର୍ଶିତ ପଥରେ ଦଉଡ଼ିବା ପାଇଁ ସଭିଏଁ ଆଗ୍ରହ ପ୍ରକାଶ କଲେଣି ଏବ˚ ଭାରତର ସବୁ ରାଜ୍ୟକୁ ଏହି ଉପସର୍ଗ ବ୍ୟାପି ସାରିଲାଣି।
ଦୁଃଖର କଥା ହେଲା ଜଣତନ୍ତ୍ରର ଜୟଗାନ ବା ପରିବାରବାଦ ଆଜି ଭାରତବର୍ଷର ରାଜନୀତି କ୍ଷେତ୍ରରେ କେବଳ ସୀମିତ ରହିନାହିଁ। ଏହା ନ୍ୟାୟିକ ବ୍ୟବସ୍ଥା ଏବ˚ ପ୍ରଶାସନକୁ ମଧୢ ବହୁ ଦିନୁ ବ୍ୟାପିସାରିଛି। ଗୋଟିଏ ସମୟରେ କକା-ପୁତୁରାମାନେ କିପରି ଆମର ବିଚାର ବ୍ୟବସ୍ଥାକୁ କବଳିତ କରିଥିଲେ ସେ ନେଇ ବିଶଦ ଆଲୋଚନାମାନ ବିଭିନ୍ନ ଜାତୀୟ ପତ୍ରିକାର କଳେବର ମଣ୍ତନ କରିଥିଲା। ଆଜି ଯେ ଆମର ନ୍ୟାୟିକ ବ୍ୟବସ୍ଥା ସେ ଦିଗରୁ ସ˚ପୂର୍ଣ୍ଣ ନିର୍ମଳ ହୋଇସାରିଲାଣି, ତାହା କହିବା ସତ୍ୟର ଅପଳାପ ହେବ। ଏହା ପରେ ଥିଲା ପ୍ରଶାସନିକ ବ୍ୟବସ୍ଥା। ନିକଟରେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଵଲାଙ୍କର ଏକ ପ୍ରବନ୍ଧ ପ୍ରକାଶ ପାଇଛି ଯେଉଁଥିରେ ଚାଵଲା ଉଲ୍ଲେଖ କରିଛନ୍ତି ଯେ ଗୋଟିଏ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସି˚ହରାଓଙ୍କ ପ୍ରିନ୍ସିପାଲ ସେକ୍ରେଟାରି ଅମରନାଥ ବର୍ମାଙ୍କୁ ନେଇ ଏକ ଲଘୁକଥା ଦିଲ୍ଲୀର କ୍ଷମତା ଅଳିନ୍ଦରେ ଖୁବ୍ ଶୁଣାଯାଉଥିଲା। କାରଣ ବର୍ମାଙ୍କ ପରିବାରର ଅନ୍ତତଃ କୋଡ଼ିଏ ଜଣ ସଦସ୍ୟ, ଯାହାଙ୍କ ଭିତରେ ତାଙ୍କ କନ୍ୟା ମଧୢ ଅନ୍ତର୍ଭୁକ୍ତ ଥିଲେ, ଦେଶର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଗାଦିନସୀନ ହୋଇଥିଲେ। ସେମାନଙ୍କ ମଧୢରୁ କିଛି ରାଜ୍ୟ ସରକାରରେ ଥିବା ବେଳେ ଅବଶିଷ୍ଟ କେନ୍ଦ୍ର ସରକାରରେ କାର୍ଯ୍ୟ କରୁଥିଲେ। ଚାଵଲା ମହାଶୟ ଏହି ପ୍ରବନ୍ଧରେ ଦର୍ଶାଇଛନ୍ତି ଯେ କେବଳ ଆଇଏଏସ୍ ନୁହେଁ ଆଇଏଫ୍ଏସ୍ ଏବ˚ ଆଇପିଏସ୍ ଅଫିସରଙ୍କ କ୍ଷେତ୍ରରେ ମଧୢ ସମାନ କଥା ଦେଖାଦେଉଛି। ସବୁଠାରୁ ଦୁର୍ଭାଗ୍ୟର କଥା, ଯେଉଁ ଦଳିତ ବର୍ଗର ଯୁବକମାନେ ଯୁଗ ଯୁଗର ନିର୍ଯାତନା ଓ ପକ୍ଷପାତ ନୀତିର ପ୍ରତିବାଦ କରିଥାଆନ୍ତି ସେଇମାନେ କ୍ଷମତାସୀନ ହେବା ପରେ ପ୍ରଥମେ ନିଜ ନିଜ ପୁତ୍ରକନ୍ୟାଙ୍କୁ ଯେକୌଣସି ଉପାୟରେ କ୍ଷମତାର ବଳୟ ମଧୢକୁ ଆଣିବା ଲାଗି ଉଦ୍ୟମ କରିଥାନ୍ତି। ସେତେବେଳେ, ସୁଯୋଗର ରାଜଧାନୀ ଠାରୁ ଦୂରରେ ଥିବା ସେମାନଙ୍କ ବର୍ଗର ଅନ୍ୟ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କ କଥା ସେମାନଙ୍କର ସ୍ମରଣକୁ ଆସେ ନାହିଁ।
ଏହି ପୃଷ୍ଠଭୂମିରେ ଏ କଥାର ଉତ୍ତର ଦେବା ଲାଗି ଧର୍ମରାଜ ଯୁଧିଷ୍ଠିରଙ୍କ ପରି ମେଧାର ପ୍ରୟୋଜନ ନାହିଁ ଯେ, ଆମ ଦେଶ କାହିଁକି ଈପ୍ସିତ ଲକ୍ଷ୍ୟ ହାସଲରେ ବିଫଳ ହୋଇ ଚାଲିଛି। ଆଜି ତରୁଣ ପିଢ଼ି ପାଇଁ ଚମତ୍କାର ଭାଷାରେ ଲିଖିତ ଭାରତୀୟ ସମ୍ବିଧାନର ପ୍ରସ୍ତାବନା କେବଳ ଏକ ପରିହାସ ଏବ˚ ଆମର ଜନନେତାମାନେ ମଧୢ ଦାନାର ତୋବଡ଼ା ବନ୍ଧାଥିବା ଏକ ଏକ ମୂଲ୍ୟବାନ ଅଶ୍ବ ଯେଉଁମାନେ ସମ୍ବୃଦ୍ଧିର ଗାଡ଼ି ଟାଣିବା ଲାଗି ଅସମର୍ଥ। ତେବେ ପ୍ରଶ୍ନ ହେଉଛି, ଏହି ବିଡ଼ମ୍ବନା ଓ ବିରୋଧାଭାସରୁ ସ୍ବାଧୀନତା ମିଳିବ କେବେ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/editorial-final.jpg)