୧୮୮୧ ଅଗଷ୍ଟ ମାସରେ ସ୍ବିଜର୍ଲାଣ୍ତର ଏକ ନିକାଞ୍ଚନ ସ୍ଥାନରେ ଏକାନ୍ତ ବାସରେ ଦିନ କାଟୁଥିବା ସମୟରେ ମହାନ୍ ଜର୍ମାନ୍ ଦାର୍ଶନିକ ଫ୍ରେଡ୍ରିକ୍ ନିଚାଙ୍କର ହଠାତ୍ ଏକ ଚେତନା ଉଦୟ ହୋଇଥିଲା ଯାହା ତାଙ୍କର ଅନ୍ୟତମ ସର୍ବଶ୍ରେଷ୍ଠ ଚିନ୍ତାଧାରାକୁ ଜନ୍ମ ଦେଇଥିଲା: ‘ଇଟର୍ନାଲ୍ ରେକରେନ୍ସ ଅଫ୍ ଦି ସେମ୍’ (‘ଏକା କଥାର ଚିରନ୍ତନ ପୁନରାବୃତ୍ତି’)। ନିଚା ବ୍ୟବହାର କରିଥିବା ରୂପକଳ୍ପ ଅନୁସାରେ ‘‘ଅସ୍ତିତ୍ବର ଚିରନ୍ତନ ବାଲୁକା ଭର୍ତ୍ତି ସମୟ ଘଡ଼ିକୁ ବାରମ୍ବାର ଓଲଟାଇ ଦିଆଯାଇଥାଏ’’ ମାତ୍ର। ଦ୍ବାଦଶ ଶତାବ୍ଦୀର ଶେଷ ଭାଗରେ ଉତ୍ତର ଭାରତର କୌଣସି ଅଧିବାସୀ ଯଦି ଅକ୍ଷୁଣ୍ଣ ସ୍ମୃତି ଶକ୍ତି ସହିତ ବର୍ତ୍ତମାନ ଏଠାରେ ଜନ୍ମଗ୍ରହଣ କରିଥାଏ, କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ଲୋକସଭା ସା˚ସଦ ଫାରୁକ୍ ଅବଦୁଲ୍ଲାଙ୍କ କାର୍ଯ୍ୟକଳାପ ଦେଖିଲେ ଏହାକୁ ନିଚାଙ୍କର ଉପରୋକ୍ତ ‘ଚିରନ୍ତନ ପୁନରାବୃତ୍ତି’ ତତ୍ତ୍ବର ଏକ ସଦ୍ୟତମ ପରିପ୍ରକାଶ ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି କହିବ।
ସେ ସମୟରେ ସେ ଦେଖିଥିଲା ଜଣେ ଭାରତୀୟ ଶାସକ, ରାଜା ଜୟଚନ୍ଦ୍ର ଅନ୍ୟ ଜଣେ ନୃପତି ପୃଥ୍ବୀରାଜଙ୍କ ପ୍ରତି ଥିବା ନିଜର ବିଦ୍ବେଷ ଦ୍ବାରା ଅନ୍ଧ ହୋଇ ତାଙ୍କୁ ପରାହତ କରିବା ପାଇଁ ଯବନ ମହମ୍ମଦ୍ ଘୋରୀକୁ ଭାରତ ଆକ୍ରମଣ କରିବାକୁ ନିମନ୍ତ୍ରଣ କରିଥିଲେ, ଯାହା ଏଠାରେ ସୁଦୀର୍ଘ ବୈଦେଶିକ ଶାସନର ମୂଳଦୁଆ ପକାଇଥିଲା। ୧୯୪୭ରେ ଭାରତ ଶେଷରେ ସ୍ବାଧୀନ ହୋଇ ନିଜର ସାର୍ବଭୌମତ୍ବ ହାସଲ କଲା ପରେ ସେଇ ଦୀର୍ଘ ଧାରାର ଅନ୍ତ ଘଟିଥିଲା। ଏବେ ଦେଖାଯାଇଛି ନିଚାଙ୍କର ସମୟର ବାଲିଘଡ଼ି ପୁଣି ଥରେ ଓଲଟି ଯିବା ଭଳି କାଶ୍ମୀରର ଅନ୍ୟତମ ପ୍ରମୁଖ ଶାସକ ବ˚ଶର ଦାୟାଦ ଫାରୁକ୍ ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଦଳ ଭାରତୀୟ ଜନତା ପାର୍ଟି ପ୍ରତି ନିଜର ଗଭୀର ବିଦ୍ବେଷ ଦ୍ବାରା ଅନ୍ଧ ହୋଇ ବସ୍ତୁତଃ ଭାରତ ଆକ୍ରମଣ କରିବା ପାଇଁ ଦେଶର ଚିରଶତ୍ରୁ ଚୀନ୍କୁ ନିମନ୍ତ୍ରଣ କରିଛନ୍ତି। କେବଳ ସେତିକି ନୁହେଁ, ଏହାର ଅଳ୍ପ ଦିନ ପୂର୍ବରୁ ସେ ଜଣେ ତଥାକଥିତ ଉଦାରପନ୍ଥୀ ସାମ୍ବାଦିକଙ୍କୁ ସାକ୍ଷାତ୍କାର ଦେବା ଅବସରରେ ଘୋଷଣା କରିଥିଲେ ଯେ କାଶ୍ମୀରବାସୀ ଚୀନ୍ର ଶାସନରେ ରହିବା ପାଇଁ ପସନ୍ଦ କରିବେ। ଏଠାରେ ଜୟଚନ୍ଦ୍ରଙ୍କ ସ୍ଥାନ ଫାରୁକ୍ ଅବଦୁଲ୍ଲା ନେଇଥିବା ବେଳେ, ଯବନ ଆକ୍ରମଣକାରୀ ମହମ୍ମଦ ଘୋରୀର ସ୍ଥାନ ନେଇଛନ୍ତି ଚୀନ୍ର ଏକଛତ୍ର ଶାସକ ସି ଜିନ୍ ପିଙ୍ଗ୍।
ନିଜେ ଭାରତୀୟ ସ˚ସଦର ଜଣେ ନିର୍ବାଚିତ ସଦସ୍ୟ ହୋଇଥିଲେ ହେଁ, ଫାରୁକ୍ ଅବଦୁଲ୍ଲାଙ୍କୁ ଏ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପସନ୍ଦ ନୁହେଁ, ଚୀନ୍ର ଏକଛତ୍ରବାଦୀ ବ୍ୟବସ୍ଥା ଅଧିକ ପସନ୍ଦ। ତାଙ୍କର ପସନ୍ଦ ବୋଧହୁଏ ଆହୁରି ଟିକିଏ ଦୃଢ଼ୀଭୂତ ହୋଇଯାଇଥିବ ସୋମବାର ଦିନ ଯେତେବେଳେ ଜାତିସ˚ଘର ମାନବାଧିକାର ପରିଷଦର ସଦସ୍ୟ ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ବିଜୟ ଲାଭ କରି ଚୀନ୍ ଏହି ୪୭ ସଦସ୍ୟ ବିଶିଷ୍ଟ ଆନ୍ତର୍ଜାତିକ ମାନବାଧିକାର ଜଗୁଆଳି ସ˚ସ୍ଥାର ଅନ୍ୟତମ ସଦସ୍ୟରେ ପରିଣତ ହୋଇଛି। ଅବଦୁଲ୍ଲା ବୋଧହୁଏ ଏଥର ନିଶ୍ଚିତ ହୋଇ ଯାଇଥିବେ ଯେ ସେମାନେ ଚୀନା ଶାସନ ଅଧୀନକୁ ଚାଲିଗଲେ ସେ ଓ ତାଙ୍କର ରାଜ୍ୟବାସୀମାନେ ଭାରତରେ ଯେଉଁଭଳି ମାନବାଧିକାର ଉପଭୋଗ କରୁଛନ୍ତି, ତା’ଠାରୁ ବହୁଗୁଣ ଅଧିକ ଓ ସମ୍ପୂର୍ଣ୍ଣ ଅଧିକାର ଉପଭୋଗ କରିବାକୁ ପାଇବେ।
ପୃଥିବୀର ଏହି ନବନିଯୁକ୍ତ ମାନବାଧିକାର ଜଗୁଆଳି ଦେଶର ମାନବାଧିକାର ପ୍ରତି ଆଭିମୁଖ୍ୟ ଚିରାଚରିତ ଭାବରେ କିଭଳି ରହି ଆସିଛି, ଫାରୁକ୍ ଅବଦୁଲ୍ଲା ସେ ସମ୍ବନ୍ଧରେ ଯେ ଜାଣି ନଥିବେ, ତାହା ଆମେ ବିଶ୍ବାସ କରୁନା; ତଥାପି ଚୀନ୍ର ମାନବାଧିକାର ସହିତ ସମ୍ପର୍କ ଉପରେ ଏକ କ୍ଷିପ୍ର ଦୃଷ୍ଟି ପକାଇବା ତାଙ୍କ ପକ୍ଷରେ ଏତେ ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଯେ ଉଚିତ ହୁଅନ୍ତା, ଏଥିରେ ବିଜ୍ଞ, ଚୀନ୍-ପ୍ରେମୀ ଖୋଦ୍ ଫାରୁକ୍ ଅବଦୁଲ୍ଲା ମଧୢ ନିଶ୍ଚିତ ରୂପେ ଏକମତ ହେବେ!
ଫାରୁକ୍ ଅବଦୁଲ୍ଲା ହେଉଛନ୍ତି ତାଙ୍କର ମୌଳିକ ତାଲିମ ଅନୁସାରେ ଜଣେ ଏମ୍ବିବିଏସ୍ ପାସ୍ କରିଥିବା ଡାକ୍ତର। ସେ ତେଣୁ ଦାର୍ଶନିକ ବଟ୍ରାଣ୍ତ୍ ରସେଲ୍ ୧୯୪୩ରେ ପ୍ରକାଶିତ ତାଙ୍କର ଏକ ପ୍ରସିଦ୍ଧ ପ୍ରବନ୍ଧରେ ଏ ସମ୍ପର୍କରେ ବର୍ଣ୍ଣନା କରିଥିବା ଏହି ଉଦାହରଣଟିର ମର୍ମ ହୃଦୟଙ୍ଗମ କରିବା ପାଇଁ ବିଶେଷ ଭାବରେ ସମର୍ଥ ହେବେ। ପାଶ୍ଚାତ୍ୟ ଚିକିତ୍ସା ପଦ୍ଧତି ବିଷୟରେ ଶିକ୍ଷାଦାନ କରିବା ପାଇଁ ଚୀନ୍ରେ ଜଣେ ଫରାସୀ ସର୍ଜନ୍ଙ୍କୁ ନିଯୁକ୍ତ କରାଯାଇଥିଲା। ସେ ତାଙ୍କର ଛାତ୍ରମାନଙ୍କୁ ଅସ୍ତ୍ରୋପଚାର ଶିଖାଇବା ପାଇଁ ମୃତ ଶରୀର ଆବଶ୍ୟକ କଲେ, ଯେମିତି ପାଶ୍ଚାତ୍ୟ ମେଡିକାଲ୍ କଲେଜ୍ମାନଙ୍କରେ ହୋଇଥାଏ। ତାଙ୍କ କଲେଜର କର୍ତ୍ତୃପକ୍ଷ ଫରାସୀ ଡାକ୍ତର ଜଣଙ୍କର ଏଭଳି ଆବଶ୍ୟକତା ବିଷୟରେ ଶୁଣି ହତଭମ୍ଭ ହୋଇଗଲେ, କାରଣ ଶବ ପ୍ରତି ସେମାନଙ୍କର ବିଭିନ୍ନ ପ୍ରକାର ପାରମ୍ପରିକ ଅନ୍ଧବିଶ୍ବାସ ବସା ବାନ୍ଧିଥାଏ। ତାଙ୍କୁ କିନ୍ତୁ ଦୃଢ଼ ପ୍ରତିଶ୍ରୁତି ଦିଆଗଲା ଯେ, ସେ ଯେତେ ସ˚ଖ୍ୟାରେ ଚାହିଁବେ ସେତେ ସ˚ଖ୍ୟାରେ ଜୀବନ୍ତ ଅପରାଧୀ ତାଙ୍କୁ ଯୋଗାଇ ଦିଆଯିବ, ଯେଉଁମାନଙ୍କୁ ବ୍ୟବଚ୍ଛେଦ କରି ସେ ତାଙ୍କର ଛାତ୍ରଛାତ୍ରୀମାନଙ୍କୁ ଅସ୍ତ୍ରୋପଚାର କୌଶଳ ଶିଖାଇବେ। ସବୁଠାରୁ ଯାହା ତାତ୍ପର୍ଯ୍ୟପୂର୍ଣ୍ଣ ଏବ˚ ଯାହା ଫାରୁକ୍ ଅବଦୁଲ୍ଲା ବେଶ୍ ଭଲ ରୂପେ ବୁଝି ମନେ ରଖିବା ଉଚିତ, ତାହା ହେଲା: ଫରାସୀ ଡାକ୍ତର ଜଣକ ଯେତେବେଳେ ଏ ବର୍ବର ପ୍ରସ୍ତାବକୁ ବିରୋଧ କଲେ, ତାଙ୍କର ଚୀନା ନିଯୁକ୍ତିଦାତାମାନେ ତାଙ୍କ ବିରୋଧର କାରଣ ବୁଝିବା ପାଇଁ ଆଦୌ ସମର୍ଥ ହୋଇପାରିନଥିଲେ।
ଏହା ଯଦି ଥିଲା ୧୯୪୯ରେ ଚୀନ୍ରେ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠା ପୂର୍ବବର୍ତ୍ତୀ ଆଭିମୁଖ୍ୟ, ତା’ପର ସମୟରେ ଚୀନ୍ରେ ମାନବାଧିକାର ପ୍ରତି ଆଭିମୁଖ୍ୟରେ କୌଣସି ଉନ୍ନତି ଘଟିବା ପରିବର୍ତ୍ତେ ତାହା ଯେ ଆହୁରି ଅଧିକ କଠୋର ହେବାରେ ଲାଗିଛି, ତାହା ସାରା ଦୁନିଆ ଜାଣେ। କମ୍ୟୁନିଷ୍ଟ ଚୀନ୍ରେ ଗୁରୁତର ମାନବାଧିକାର ଉଲ୍ଲ˚ଘନ ଘଟଣାମାନଙ୍କର ତାଲିକା ଅସରନ୍ତି। ଏ ତାଲିକାରେ ଏକ ବିଶେଷ ସ୍ଥାନ ଅଧିକାର କରିଥାଏ ୧୯୮୯ରେ ଘଟିଥିବା ଟିଆନାନ୍ମେନ୍ ସ୍କୋଆର୍ ଗଣହତ୍ୟା, ଯେଉଁଥିରେ ଅନ୍ତତଃ ୧୦,୦୦୦ ପ୍ରଦର୍ଶନକାରୀଙ୍କ ପ୍ରାଣହାନି ଘଟିଥିଲା। ଫାରୁକ୍ ବୋଧହୁଏ ଭୁଲିନଥିବେ,ଏହି ପ୍ରଦର୍ଶନକାରୀମାନେ ଚୀନ୍ରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଦାବି କରିବା ଭଳି ଭୁଲ୍ କରିବାରୁ ଚୀନା ସରକାରଙ୍କ ନିର୍ଦ୍ଦେଶରେ ଚୀନ୍ ସେନା ସେମାନଙ୍କ ଉପରେ ଟ୍ୟାଙ୍କ୍ ଦ୍ବାରା ଆକ୍ରମଣ କରିଥିଲା। ଫାରୁକ୍ ଜଣେ ଗଣତନ୍ତ୍ରର ପୂଜାରୀ ହୋଇଥିବାରୁ, ସେ ଏ ଘଟଣା ଆଦୌ ଭୁଲିବା ଉଚିତ ନୁହେଁ।
ଯଦି ଏଭଳି ଘଟଣା ଏବ˚ ଅନ୍ୟାନ୍ୟ ଅନେକ ଏପରି ଘଟଣା ସବୁକୁ ଫାରୁକ୍ କେଉଁ ଦୂର ଅତୀତର ଘଟଣା କିମ୍ବା ‘ପର ପୁଅ ମଲା, ରୋଗ ବାହାରେ ବାହାରେ ଗଲା’ ନିୟମ ପ୍ରୟୋଗ କରି ଏଡ଼ାଇ ଦେବାକୁ ଚାହାଁନ୍ତି, ତେବେ ଏଇ ବର୍ତ୍ତମାନ ଚୀନ୍ର ଜିନ୍ଜିଆଙ୍ଗ୍ ପ୍ରଦେଶରେ ତାଙ୍କର ନିଜର ମୁସଲମାନ ଭାଇଭଉଣୀ ଉଇଘୁର୍ମାନେ ଚୀନା ଶାସନ ଅଧୀନରେ କିଭଳି ମହାସୁଖରେ କାଳାତିପାତ କରୁଛନ୍ତି, ସେ ବିଷୟରେ ସେ ନିଶ୍ଚିତ ରୂପେ ଅଜ୍ଞ ନ ଥିବେ। ଉଇଘୁର୍ମାନେ ସମ୍ମୁଖୀନ ହେଉଥିବା ଅତ୍ୟାଚାରର ତାଲିକା ଏତେ ଲମ୍ବା ଯେ, ଏଠାରେ କେବଳ ଅତି ଚୁମ୍ବକରେ ତାହାର ଉଲ୍ଲେଖ କରାଯାଇପାରିବ। ୨୦୧୭ ଠାରୁ ସେଠାରେ ପ୍ରାୟ ୨୦ ଲକ୍ଷ ଉଇଘୁର୍, କାଜାଖ୍ ଏବ˚ ଉଜ୍ବେକ୍ ମୁସଲମାନଙ୍କୁ ବନ୍ଦୀ ଅବସ୍ଥାରେ ରଖାଯାଇଛି। ସେମାନଙ୍କ ଅପରାଧ ହେଲା: ମସ୍ଜିଦ୍ରେ ପ୍ରାର୍ଥନା କରିବା, କୋରାନ୍ର ବାଣୀ ମେସେଜ୍ ଆକାରରେ ପ୍ରେରଣ କରିବା, ତିନିରୁ ଅଧିକ ସନ୍ତାନ ଉତ୍ପାଦନ କରିବା, କୌଣସି ନିଷିଦ୍ଧ ଦେଶ ଗସ୍ତ କରିବା ଇତ୍ୟାଦି। ଏହି ବନ୍ଦୀଶାଳକୁ ଚୀନ୍ ପ୍ରଶିକ୍ଷଣ ଶିବିର ରୂପେ ନାମିତ କରି ସେମାନଙ୍କୁ ଉପଯୁକ୍ତ ଆଚରଣ ଓ ଜ୍ଞାନକୌଶଳ ଆହରଣରେ ତାଲିମ ଦିଆଯାଉଛି ବୋଲି ବିଶ୍ବବାସୀଙ୍କୁ କହି ଚାଲିଛି।
ଫାରୁକ୍ ଅବଦୁଲ୍ଲା ଯଦି ଭାରତର ମହାନତା ଅନୁଭବ କରିବାକୁ ଚାହାଁନ୍ତି, ତେବେ ସେ କଳ୍ପନା କରନ୍ତୁ ସେ ହେଉଛନ୍ତି ଜିନ୍ଜିଆଙ୍ଗବାସୀ ଜଣେ ଉଇଘୁର୍ ନେତା ଏବ˚ ନିଜ ରାଜ୍ୟକୁ ସ୍ବାଧୀନ କରିବା ପାଇଁ ଭାରତର ସାମରିକ ସହାୟତା ଲୋଡ଼ିଛନ୍ତି। ତା’ପରେ ସେ ଯଦି ‘ପ୍ରଶିକ୍ଷଣ ଶିବିର’ରେ ନିଜକୁ ଆବିଷ୍କାର କରିବେ, ସେ ଭାଗ୍ୟବାନ୍। କାରଣ ସେ ହଠାତ୍ ଚିର ଅଦୃଶ୍ୟ ହୋଇଯିବା ସମ୍ଭାବନା ବହୁ ଅଧିକ- ତାଙ୍କର ପ୍ରିୟ ଚୀନା ସରକାରଙ୍କ ସୌଜନ୍ୟରୁ।