‘ଗ୍ରେସ୍‌ ଅଣ୍ତର ଷ୍ଟ୍ରେସ୍‌?’

ଇ˚ରେଜୀରେ ଗୋଟିଏ ଅଭିବ୍ୟକ୍ତି ଅଛି, ‘ଗ୍ରେସ୍‌ ଅଣ୍ତର ଷ୍ଟ୍ରେସ୍‌’, ଯାହାର ଅର୍ଥ ଚାପ ମଧୢରେ ରହି ସୁଦ୍ଧା ଆଚରଣରେ ମାଧୁର୍ଯ୍ୟ ପ୍ରଦର୍ଶନ। କହିବା ବାହୁଲ୍ୟ ଯେ କ୍ବଚିତ୍‌ କୌଣସି ମନୁଷ୍ୟ ସ˚କଟକାଳୀନ ଚାପରେ ରହି ମଧୁର ବ୍ୟବହାର ପ୍ରଦର୍ଶନ କରିଥାଆନ୍ତି; ଏବ˚ ବିପତ୍ତି ସମୟରେ ପ୍ରଦର୍ଶିତ ଆଚରଣରୁ ହିଁ ଜଣେ ବ୍ୟକ୍ତିଙ୍କ ପ୍ରକୃତ ସ୍ବରୂପ ସମ୍ବନ୍ଧରେ ମଧୢ ଏକ ଧାରଣା କରାଯାଇପାରେ। ଏହି ସ˚ଦର୍ଭରେ ବ୍ୟକ୍ତି ଓ ରାଷ୍ଟ୍ର ମଧୢରେ ବିଶେଷ ପ୍ରଭେଦ ନ ଥାଏ। ସୁତରା˚, ନିକଟ ଭବିଷ୍ୟତ୍‌ରେ କରୋନା ପ୍ରତିହତକାରୀ ଭ୍ୟାକ୍‌ସିନମାନ ଉପଲବ୍‌ଧ ହେବାର ସମ୍ଭାବନା ଉଜ୍ଜ୍ବଳ ହୋଇଥିବା ପରିପ୍ରେକ୍ଷୀରେ ବିଭିନ୍ନ ଧନୀ ରାଷ୍ଟ୍ର ଦ୍ବାରା ପ୍ରଦର୍ଶିତ ଆଭିମୁଖ୍ୟରେ ଏକ ଉଦାର ବିଚାରର ମାଧୁର୍ଯ୍ୟ ପରିବର୍ତ୍ତେ ସ˚କୀର୍ଣ୍ଣ ରାଷ୍ଟ୍ରବାଦୀ ଚିନ୍ତାଧାରା ଦୃଶ୍ୟମାନ ହେବାରେ ବିସ୍ମିତ ହେବାର ବିଶେଷ କାରଣ ନାହିଁ।

ଏଠାରେ ଉଲ୍ଲେଖଯୋଗ୍ୟ ଅନେକ ଭ୍ୟାକ୍‌ସିନ ସେମାନଙ୍କ ମାନବ ଶରୀର ଉପରେ ପରୀକ୍ଷଣ ଶୃଙ୍ଖଳାର ଅନ୍ତିମ ପର୍ଯ୍ୟାୟରେ ଉପନୀତ। କିନ୍ତୁ ଏହାର ଯଥେଷ୍ଟ ପୂର୍ବରୁ ହିଁ ଯୁକ୍ତରାଷ୍ଟ୍ର ଆମେରିକା, ଇ˚ଲାଣ୍ତ, କାନାଡ଼ା, ଜାପାନ, ୟୁରୋପୀୟ ରାଷ୍ଟ୍ରସ˚ଘ ଏପରିକି ରୁଷିଆ ଭଳି ଦେଶ ବିପୁଳ ଅର୍ଥ ପ୍ରଦାନ କରି ନିଜ ନିଜ ରାଷ୍ଟ୍ର ସକାଶେ ଅତ୍ୟନ୍ତ ବିପୁଳ ସ˚ଖ୍ୟକ ଭ୍ୟାକ୍‌ସିନର ଅଗ୍ରୀମ ‘ବୁକି˚’ କରି ସାରିଛନ୍ତି। ଜଣାପଡ଼ିଛି ଯେ ଏହି ରାଷ୍ଟ୍ରଗୁଡ଼ିକ ଇତିମଧୢରେ ପ୍ରାୟ ୩୭୦ କୋଟି ଭ୍ୟାକ୍‌ସିନ ‘ଡୋଜ୍‌’ କିଣିବା ସକାଶେ ବିଭିନ୍ନ ଅଗ୍ରଣୀ ଭ୍ୟାକ୍‌ସିନ ନିର୍ମାଣକାରୀ ସ˚ସ୍ଥା ସହିତ ଚୁକ୍ତି କରି ସାରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେବଳ ‘ୟୁନାଇଟେଡ୍‌ କି˚ଡମ୍‌’ ବା ସ˚ଯୁକ୍ତ ରାଷ୍ଟ୍ର ଯେତିକି ‘ଡୋଜ୍‌’ କିଣିବା ଲାଗି ଅର୍ଥ ପ୍ରଦାନ କରିଛି ତାହା ହେଉଛି ସେଠାକାର ପ୍ରତି ନାଗରିକ ପିଛା ପାଞ୍ଚଟି ଟିକା। ସେହି ଭଳି କାନାଡା ୮୮ ନିୟୁତ ଭ୍ୟାକ୍‌ସିନ ‘ଡୋଜ୍‌’ ପାଇବା ନିଶ୍ଚିତ କରି ସାରିଛି, ଯାହା ସେହି ରାଷ୍ଟ୍ରର ପ୍ରତ୍ୟେକ ନାଗରିକଙ୍କ ଲାଗି ଅନ୍ତତଃ ଦୁଇ ଥର ଟିକାଦାନ ସମ୍ଭବ କରାଇପାରିବ। ଯୁକ୍ତରାଷ୍ଟ୍ର ଆମେରିକା ମଧୢ ପ୍ରତି ନାଗରିକ ଲାଗି ଯଥେଷ୍ଟ ସ˚ଖ୍ୟକ ଟିକା ମହଜୁଦ କରି ରଖିବା ଲାଗି ସର୍ବାଧିକ ପରିମାଣର ଅର୍ଥ ବ୍ୟୟ କରିଛି। ତେବେ ଏହି ଧନୀ ରାଷ୍ଟ୍ରଗୁଡ଼ିକର ଏଭଳି ପଦକ୍ଷେପ ଦ୍ବାରା ଯେଉଁ ସମସ୍ୟାଟି ସୃଷ୍ଟି ହେବାକୁ ଯାଉଛି, ତାହା ହେଲା ଅବଶିଷ୍ଟ ବିଶ୍ବ ସକାଶେ ଟିକାର ଅଭାବ ଏବ˚ ସେ ସବୁର ଅହେତୁକ ମୂଲ୍ୟ ବୃଦ୍ଧିର ଆଶଙ୍କା। ଧନୀ ରାଷ୍ଟ୍ରଗୁଡ଼ିକର ଏଭଳି ଆଭିମୁଖ୍ୟକୁ ‘ଭ୍ୟାକ୍‌ସିନ ନେସନାଲିଜମ’ ବା ‘ପ୍ରତିଷେଧକ ରାଷ୍ଟ୍ରବାଦ’ ବୋଲି ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ବା ‘ହୁ’ ପକ୍ଷରୁ ଅଭିହିତ କରାଯିବା ସହିତ ଏଭଳି ଏକ ଆଶଙ୍କା ପ୍ରକଟ କରାଯାଇଛି ଯେ ଏହା ଦ୍ବାରା ‘ପାନ୍‌ଡେମିକ୍‌’ ମୁକ୍ତ ପୃଥିବୀର ସ୍ବପ୍ନ ଧୂଳିସାତ୍‌ ହୋଇଯାଇପାରେ।

ବିଶେଷଜ୍ଞମାନଙ୍କ ମତରେ ଏକ ଭ୍ୟାକ୍‌ସିନ ଦ୍ବାରା ସାରା ବିଶ୍ବରେ ‘ଗୋଷ୍ଠୀ ପ୍ରତିରୋଧକ ଶକ୍ତି’ ବା ‘ହର୍ଡ ଇମ୍ୟୁନିଟି’ ସୃଷ୍ଟି କରାଯାଇପାରିଲେ, କରୋନା ସ˚କ୍ରମଣ କବଳରୁ ପୃଥିବୀକୁ ରକ୍ଷା କରିବା ସମ୍ଭବ। ଏଥି ଲାଗି ପୃଥିବୀର ଜନସ˚ଖ୍ୟାର ୭୦ ପ୍ରତିଶତଙ୍କ ଶରୀରରେ ଟିକା ଜରିଆରେ ‘ଆଣ୍ଟି ବଡ଼ି’ ସୃଷ୍ଟି କରିବାକୁ ହେବ। ସେହି ହିସାବରେ ୭୦ ପ୍ରତିଶତ ଲୋକଙ୍କୁ ଅନ୍ତତଃ ଥରଟିଏ ଟିକା ନେବା ଲାଗି ଆବଶ୍ୟକ ପ୍ରାୟ ୫୭୦ କୋଟି ଟିକାର ‘ଡୋଜ୍‌’। ପୁଣି ମନୁଷ୍ୟ ଶରୀର ଉପରେ ଏହାର ପ୍ରଭାବର ସ୍ଥାୟିତ୍ବ ଉପରେ ମଧୢ ‘ଗୋଷ୍ଠୀ ପ୍ରତିରୋଧକ ଶକ୍ତି’ ସୃଷ୍ଟିର ସଫଳତା ନିର୍ଭର କରିବ। ଏଭଳି ଏକ ସ୍ଥିତିରେ ଧନୀ ରାଷ୍ଟ୍ରଗୁଡ଼ିକ ଆପଣା ସମ୍ବଳ ଓ ଶକ୍ତି ବଳରେ ନିଜ ନିଜ ଦେଶକୁ ଯଥାଶୀଘ୍ର କରୋନାମୁକ୍ତ କରିବାକୁ ଇଚ୍ଛୁକ। କିନ୍ତୁ ସେମାନେ ଏଥିରେ ସଫଳ ହେଲେ ସୁଦ୍ଧା ଯେ ପର୍ଯ୍ୟନ୍ତ ଅବଶିଷ୍ଟ ପୃଥିବୀ କରୋନା-ମୁକ୍ତ ହୋଇନାହିଁ, ସେ ପର୍ଯ୍ୟନ୍ତ ସେହି ସବୁ ରାଷ୍ଟ୍ର ସ˚କ୍ରମଣର ଦ୍ବିତୀୟ ତରଙ୍ଗ ଦ୍ବାରା ପ୍ଳାବିତ ହେବାର ଭୟ ରହିଛି। କାରଣ ଏକ ଭ୍ୟାକସିନର ଅନୁପସ୍ଥିତିରେ କରୋନା ଯେ କେତେ ଦୀର୍ଘ କାଳ ଧରି ପୃଥିବୀରେ ରହିବ ସେ ସମ୍ବନ୍ଧରେ ବୈଜ୍ଞାନିକମାନେ କୌଣସି ଅନୁମାନ ଲଗାଇବାରେ ଏବେ ସୂଦ୍ଧା ଅସମର୍ଥ। ତେବେ, ଏହା କହିବା ବାହୁଲ୍ୟ ଯେ ଏଭଳି ଏକ ଅଭୂତପୂର୍ବ ପାନ୍‌ଡେମିକ୍‌ କାଳରେ ନିଜ ଆବଶ୍ୟକତା ଠାରୁ ଅଧିକ ଭ୍ୟାକ୍‌ସିନ ହାସଲ କରି ଗଚ୍ଛିତ କରି ରଖିବା ମାନବ ଜାତି ବିରୋଧରେ ଏକ ଅତ୍ୟନ୍ତ ଗୁରୁତର ଦ୍ରୋହ ରୂପେ ଇତିହାସରେ ରହିଯିବ।

ଅବଶ୍ୟ, ଇତିମଧ୍ୟରେ ‘ହୁ’ ଦ୍ବାରା ଏକ ସମନ୍ବିତ ଟିକାକରଣ ଯୋଜନା ବା ‘କୋଭାକ୍‌ସ’ର ପରିକଳ୍ପନା କରାଯାଇଛି, ଯହିଁରେ ୧୭୨ଟି ରାଷ୍ଟ୍ର ସ୍ବାକ୍ଷର କରିସାରିଛନ୍ତି। ଏହି ଯୋଜନାରେ ୨୦୨୧ର ଅନ୍ତିମ ଚରଣ ସୁଦ୍ଧା ପ୍ରାୟ ୨୦୦ କୋଟି ଟିକାର ଡୋଜ୍‌ ନିମ୍ନ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରଗୁଡ଼ିକ ଲାଗି ଉପଲବ୍‌ଧ କରାଇବ। ତେବେ, ‘ହୁ’ ସହିତ ସ˚ପର୍କ ଛିନ୍ନ କରି ସାରିଥିବା ଯୁକ୍ତରାଷ୍ଟ୍ର ଆମେରିକା ସ୍ବାଭାବିକ ଭାବେ ‘କୋଭାକ୍‌ସ’ ପରିକଳ୍ପନାରେ ସାମିଲ ହୋଇନାହିଁ ଏବ˚ ଉପର ବର୍ଣ୍ଣିତ ଧନୀ ରାଷ୍ଟ୍ରଗୁଡ଼ିକ ମଧୢ ଏଥି ଲାଗି ବିଶେଷ ଆଗ୍ରହ ପ୍ରକାଶ କରି ନାହାନ୍ତି। ଏହା ମଧୢ ଏକ ବାସ୍ତବତା ଯେ ଏହି ପରିକଳ୍ପନା ସାକାର ହେବା ନିର୍ଭର କରିବ ଏଥି ଲାଗି ଆବଶ୍ୟକ ହେଉଥିବା ବିପୁଳ ପାଣ୍ଠିର ବ୍ୟବସ୍ଥା ଉପରେ। କେବଳ ସେତିକି ନୁହେଁ, ଅନେକ ବିଶେଷଜ୍ଞଙ୍କ ମତରେ ୨୦୨୧ ଶେଷ ସୁଦ୍ଧା ମାତ୍ର ୨୦୦ କୋଟି ଟିକାର ଉପଲବ୍‌ଧତା ଆଦୌ ଉତ୍ସାହଜନକ ନୁହେଁ ଏବ˚ ଏହା ପାନ୍‌ଡେମିକ୍‌ର ମୁକାବିଲାରେ ବିଶେଷ ସହାୟକ ହୋଇ ନ ପାରେ।

ଏହି ସ˚ଦର୍ଭରେ ମୋହନା ବସୁଙ୍କ ଦ୍ବାରା ଲିଖିତ ଏକ ଚମତ୍କାର ଆଲେଖ୍ୟ କହିଥାଏ ଯେ କରୋନା ‘ପାନ୍‌ଡେମିକ୍‌’ର ସୃଷ୍ଟି ପଛରେ ‘ଜଗତ୍‌କରଣ’ର ସବୁଠାରୁ ବଡ଼ ଭୂମିକା ଥିବା ବେଳେ ଏହାର ନିରାକରଣ ଲାଗି ମଧୢ ‘ଜଗତ୍‌କରଣଧର୍ମୀ’ ଚିନ୍ତନ ଓ ଉଦ୍ୟମର ଆବଶ୍ୟକତା ରହିଛି। କରୋନା ଭାଇରସ ଲାଗି ରାଷ୍ଟ୍ରଗୁଡ଼ିକର ସୀମାନ୍ତ ମୂଲ୍ୟହୀନ ହୋଇ ପଡ଼ିଥିବା ବେଳେ ପ୍ରତିଷେଧକଗୁଡ଼ିକ ଅତ୍ୟନ୍ତ ମୁଷ୍ଟିମେୟ ରାଷ୍ଟ୍ରର ସୀମା ମଧୢରେ ବନ୍ଦୀ ହୋଇ ରହିଯିବା ନିଶ୍ଚିତ ପକ୍ଷେ ଏକ ଚରମ ଦୁର୍ଭାଗ୍ୟର ବିଷୟ। ବର୍ତ୍ତମାନ ସୁଦ୍ଧା ପୃଥିବୀର ବିଭିନ୍ନ ରାଷ୍ଟ୍ର ମଧୢରେ କରୋନା ଭୂତାଣୁ ସ˚ପର୍କିତ ନୂତନ ଜ୍ଞାନ, ତଥ୍ୟ ଓ ସୂଚନା ଆଦିର ଆଦାନପ୍ରଦାନ ଚାଲୁ ରହିଛି। ଏଭଳି ଏକ ସ୍ଥିତିରେ ‘ପ୍ରତିଷେଧକ ରାଷ୍ଟ୍ରବାଦ’ ଯେ ଏକ ପଶ୍ଚାତ୍‌ମୁଖୀ ଦୃଷ୍ଟିକୋଣ ତହିଁରେ ଦ୍ବିରୁକ୍ତି ନାହିଁ।

ଏହି ସ˚ଦର୍ଭରେ ଭାରତର ସ୍ଥିତି ସ˚ପର୍କରେ ଏକ ଆଲୋଚନା ପ୍ରଣିଧାନଯୋଗ୍ୟ। ଭାରତ ପକ୍ଷରୁ ‘ଭାରତ ବାୟୋଟେକ୍‌’ ଏକ ଭ୍ୟାକ୍‌ସିନ ପ୍ରସ୍ତୁତି ଉଦ୍ୟମରେ ମଗ୍ନ ରହିଛି। ସେହିଭଳି ଅକ୍‌ସଫୋର୍ଡ ଭ୍ୟାକ୍‌ସିନର ନିର୍ମାତା ‘ସେରମ ଇନ୍‌ଷ୍ଟିଚ୍ୟୁଟ୍‌’ ଏକ ଭାରତୀୟ କ˚ପାନି ହୋଇଥିବାରୁ ସେହି ସୂତ୍ରରେ ଭାରତୀୟମାନଙ୍କ ଲାଗି ପ୍ରତିଷେଧକ ଉପଲବ୍‌ଧ ହେବାର ଆଶା ଉଜ୍ଜ୍ବଳ। କିନ୍ତୁ ଏହି ପରିପ୍ରେକ୍ଷୀରେ ଏକ ସମ୍ଭାବ୍ୟ ଦୃଶ୍ୟପଟ ମଧୢ ମନକୁ ଆସିଥାଏ। ଯଦି ଭାରତୀୟ ଭ୍ୟାକ୍‌ସିନଟି ପୃଥିବୀର ଅନ୍ୟାନ୍ୟ ଭ୍ୟାକ୍‌ସିନ ତୁଳନାରେ ଅଧିକ ଭଲ ଫଳ ଦେଖାଏ, ତେବେ ଭାରତ ଠାରୁ ତାହା ହାସଲ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ହୁଏ’ତ ଏକ ଗୁଣ୍ତାସୁଲଭ ଆଚରଣ ପ୍ରଦର୍ଶନ କରିପାରେ; ଯାହାର ପ୍ରମାଣ କରୋନା ପାନ୍‌ଡେମିକ୍‌ର ପ୍ରାରମ୍ଭ କାଳରେ ‘ହାଇଡ୍ରୋକ୍‌ସି କ୍ଲୋରୋକୁଇନ୍‌’ ବା ‘ଏଚ୍‌ସିକ୍ୟୁ’ ବଟିକା ପାଇବା ଲାଗି ଭାରତ (‘ଏଚ୍‌ସିକ୍ୟୁ’ର ସର୍ବ ବୃହତ୍‌ ନିର୍ମାଣକାରୀ ରାଷ୍ଟ୍ର) ସହିତ ନିଜ ବ୍ୟବହାରରେ ଆମେରିକା ଦେଇ ସାରିଛି। କହିବା ନିଷ୍ପ୍ରୟୋଜନ ଯେ ସେତିକିବେଳେ ନରେନ୍ଦ୍ର ମୋଦୀ ବା ଭାରତର ମିତ୍ର ରୂପେ ପରିଗଣିତ ହେଉଥିବା ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଏକ କୁତ୍ସିତ ସ୍ବରୂପ ପଦାକୁ ଆସିଥିଲା। ତାହା ଥିଲା ‘ଷ୍ଟ୍ରେସ୍‌’ ବା ଚାପ ମଧୢରେ ‘ଗ୍ରେସ୍‌’ ବା ମାଧୁର୍ଯ୍ୟ ହରାଇବାର ଏକ ଉଦାହରଣ। ଏବେ ‘ଭ୍ୟାକ୍‌ସିନ ରାଷ୍ଟ୍ରବାଦ’ ସ˚ଦର୍ଭରେ ମଧ୍ୟ ଧନୀ ରାଷ୍ଟ୍ରଙ୍କ ମଧ୍ୟରେ ତାହା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର