‘ଅଫତାବ’ଙ୍କ ଆଲୋକ

ସୂର୍ଯ୍ୟଙ୍କ କିରଣ କୌଣସି ଏକ ଅନ୍ଧକାରପୂର୍ଣ୍ଣ ପ୍ରକୋଷ୍ଠର ଝରକା ଫାଙ୍କ ଦେଇ ପ୍ରବେଶ କଲେ ଯେମିତି କିଛି ଅ˚ଶ ଉଦ୍‌ଭାସିତ ହୋଇ ଉଠେ, ସେହିଭଳି କରୋନା ସ˚କ୍ରମଣକାଳୀନ ତମସାଚ୍ଛନ୍ନ ଭାରତବର୍ଷର ଓଡ଼ିଶା ନାମକ ଅ˚ଶଟି ଉଜ୍ଜ୍ବଳ ହୋଇ ଉଠିଛି, ଯେତେବେଳେ ଗଲା ଅକ୍‌ଟୋବର ୧୪ ତାରିଖ ‘ନିଟ୍‌’ ଫଳାଫଳ ପ୍ରକାଶ ପାଇ ଜଣାଇ ଦେଇଛି ଯେ ଏହି ରାଜ୍ୟର ସୋଏବ ଅଫତାବ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ଲାଗି ଏକ ଅଦ୍ବିତୀୟ କୀର୍ତ୍ତିମାନ ସ୍ଥାପନ କରିବାରେ ସଫଳ ହୋଇଛନ୍ତି। ପୁଣି ଯେଉଁ କାରଣରୁ ସୋଏବ ଅଫତାବଙ୍କ ଉପଲବ୍‌ଧି ଆହୁରି ଚମକପ୍ରଦ, ତାହା ହେଲା ସେ ହାସଲ କରିଥିବା ଶତ ପ୍ରତିଶତ ନମ୍ବର, ଯାହା ହେଉଛି ଏକ ସର୍ବକାଳୀନ ରେକର୍ଡ‌୍‌। କହିବା ନିଷ୍ପ୍ରୟୋଜନ ଯେ ‘ନେସନାଲ ଏଲିଜିବିଲିଟି କମ୍‌ ଏନ୍‌ଟ୍ରାନ୍‌ସ ଟେଷ୍ଟ୍’ ବା ‘ନିଟ୍‌’ ଏକ ଅତ୍ୟନ୍ତ ପ୍ରତିଦ୍ବନ୍ଦ୍ବିତାମୂଳକ ପରୀକ୍ଷା; ସୁତରାଂ ଏଥିରେ ସଫଳତା ଲାଭ କରିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ଅଭିନନ୍ଦନର ପାତ୍ର। ତେବେ, ସୋଏବ ଅଫତାବଙ୍କ ପ୍ରଦର୍ଶନ ଏଥିଲାଗି ଅତ୍ୟନ୍ତ ଅଧିକ ଗୁରୁତ୍ବପୂର୍ଣ୍ଣ ଯେ ସେ ଏଭଳି ଏକ ‘ନିଶାଣ’ ସ୍ଥାପନ କରିଛନ୍ତି, ଯାହା ଆଗାମୀ ବର୍ଷଗୁଡ଼ିକରେ ପ୍ରତିଭାସ˚ପନ୍ନ ଛାତ୍ରଛାତ୍ରୀମାନଙ୍କୁ ସେହି ଲକ୍ଷ୍ୟ ଭେଦ କରିବା ସକାଶେ ପ୍ରେରଣା ଯୋଗାଇବ। ଗଲା ୧୯୭୯ ମସିହାରେ ଓଡ଼ିଶା ପ୍ରାୟ ଏହି ଭଳି ଝଲସି ଉଠିଥିଲା, ଯେତେବେଳେ ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ହୃଷୀକେଶ ପଣ୍ତା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେ ମଧୢ ଏକ ନିଶାଣ ରଖିଯାଇଥିଲେ। ତା’ ପରେ ଆମ ରାଜ୍ୟର ଆହୁରି ଦୁଇ ଜଣ ସିଭିଲ ସର୍ଭିସ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ‘ଟପ୍ପର’ ହୋଇସାରିଛନ୍ତି। ସୁତରା˚, ଏଭଳି ନିଶାଣଟିଏ ରଖି ଯିବାରେ ଯେଉଁ ତାତ୍ପର୍ଯ୍ୟ ନିହିତ, ତାହା ହେଲା ଏକ ଆଶା ବା ସମ୍ଭାବନାର ସ˚ଚାର ଯେ ଅସାଧୢ ବୋଲି ଯାହା ଏକଦା ପ୍ରତୀତ ହେଉଥିଲା, ତାହା ଅତିକ୍ରମଣୀୟ। ସେହି ସୂତ୍ରରେ କୁହାଯାଇ ପାରେ କି ଭବିଷ୍ୟତ୍‌ରେ ଆମ ରାଜ୍ୟର ପ୍ରତିଭାସ˚ପନ୍ନ ଛାତ୍ରଛାତ୍ରୀମାନେ ଅଧିକ ସ˚ଖ୍ୟାରେ ଅଫତାବସୁଲଭ ସଫଳତାର ପୁନରାବୃତ୍ତି ଘଟାଇ ପାରନ୍ତି।

ଯେହେତୁ ସୋଏବ ଅଫତାବଙ୍କ ବାସ ସ୍ଥାନ ରାଉରକେଲା, ତାଙ୍କ ସଫଳତା ଏହି ଇସ୍ପାତ ନଗରୀକୁ ଚର୍ଚ୍ଚାର କେନ୍ଦ୍ରକୁ ଆଣି ପାରିଛି। ଗଲା ଅକ୍‌ଟୋବର ୫ ତାରିଖ ଦିନ ପ୍ରକାଶ ପାଇଥିବା ‘ଜେ.ଇ.ଇ. ଆଡ୍‌ଭାନ୍‌ସଡ୍‌’ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ବଲାଙ୍ଗୀର ଜିଲ୍ଲାର କ୍ଷୁଦ୍ର ସହର କଣ୍ଟାବାଞ୍ଜି ମଧୢ ଚର୍ଚ୍ଚାର ସରହଦ ମଧ୍ୟକୁ ଆସିଥିଲା, କାରଣ ଏହି ସହରରେ ବାସ କରୁଥିବା ରୌନକ ଏବ˚ ମନ୍ଥନ ନାମକ ଭ୍ରାତୃ ଦ୍ବୟ ସର୍ବଭାରତୀୟ ସ୍ତରରେ ୫୨(ଓଡ଼ିଶାରେ ପ୍ରଥମ) ଏବ˚ ଏକଶତତମ ସ୍ଥାନ ଅଧିକାର କରିବାରେ ସଫଳ ହୋଇଥିଲେ। ସୁତରା˚, ରାଜଧାନୀ ଭୁବନେଶ୍ବର ଆପାତତଃ ଚଳିତ ବର୍ଷ ଲାଗି ଆଲୋଚନାର କେନ୍ଦ୍ରରୁ ଅପସାରିତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ବର, ସେଠାରେ ଥିବା ଅତ୍ୟନ୍ତ ଆକର୍ଷଣୀୟ ଘରୋଇ ସ୍କୁଲଗୁଡ଼ିକର ସଘନ ଉପସ୍ଥିତି ହେତୁ ଅତ୍ୟନ୍ତ ସଫଳ ଛାତ୍ରଛାତ୍ରୀମାନଙ୍କୁ ସୃଷ୍ଟି କରିଥାଏ ବୋଲି ଧାରଣା ରହି ଆସିଛି। ସେହି ଦୃଷ୍ଟିରୁ ଚଳିତ ବର୍ଷର ଶୀର୍ଷ ସ୍ତରୀୟ ସଫଳତା ଅନ୍ୟ ସହରକୁ ଯିବା ବିଶେଷ ଉତ୍ସାହପ୍ରଦ, କାରଣ ଏହା ପ୍ରତିଭା ପ୍ରଦର୍ଶନ କ୍ଷେତ୍ରରେ ଏକ ପ୍ରକାର ବିକେନ୍ଦ୍ରୀକରଣର ସୂଚନା ବହନ କରିଥାଏ। ସତ କଥା ହେଲା, ରାଜ୍ୟର ବିଭିନ୍ନ ସହରରୁ ସଫଳତାର ଏଭଳି ଉଦାହରଣ ଉପଲବ୍‌ଧ ହେଲେ କ୍ରମେ ଆମ ରାଜ୍ୟ ପ୍ରତିଭା ସ୍ଫୂରଣର ଏକ ସମତଳ ଭୂମିରେ ପରିଣତ ହୋଇପାରେ।

ଏହି ପ୍ରସଙ୍ଗରେ ଆଲୋଚନା କଲା ବେଳେ ରାଜସ୍ଥାନର ସେହି ଅନୁକରଣୀୟ କ୍ଷୁଦ୍ର ସହର ‘କୋଟା’ ମଧୢ ଚର୍ଚ୍ଚାର ପରିସର ମଧୢକୁ ପଶି ଆସିଥାଏ। ଆମ ରାଜ୍ୟର କେବଳ ଏହି ସଫଳତମ ଛାତ୍ର ତ୍ରୟ ନୁହନ୍ତି; ଇ˚ଜିନିଅରି˚ ଓ ମେଡିକାଲ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଥିବା ଅଧିକା˚ଶ ଛାତ୍ରଛାତ୍ରୀଙ୍କୁ ଏଥି ଲାଗି ସାମର୍ଥ୍ୟ ପ୍ରଦାନ କରିଛି ଏହି ସହର ‘କୋଟା’। ଗଲା ଶତାବ୍ଦୀର ନବମ ଦଶକ ପୂର୍ବରୁ ‘କୋଟା’ ମଧୢ ଥିଲା ଏକ ଅପା˚କ୍ତେୟ ସହର। ଯେଉଁ ଦୁଇଟି ଉଦ୍ୟୋଗ (ଜେ.କେ. ସିନ୍ଥେଟିକ୍‌ସ ଏବ˚ ଇନ୍‌ଷ୍ଟ୍ରୁମେ‌େଣ୍ଟସନ ଲିମିଟେଡ୍‌) ଏହି ସହରର ଜୀବନ ରେଖା ଥିଲେ, ସେ ଦ୍ବୟ ମୁମୂର୍ଷୁ ହୋଇଯାଇଥିଲେ। ଏଭଳି ଏକ ସମୟରେ ୧୯୮୬ ମସିହାରେ ‘ଜେ.କେ. ସିନ୍ଥେଟିକ୍‌ସ’ରେ ଇଂଜିନିଅର ଭାବେ କାର୍ଯ୍ୟରତ ତଥା ଆଇଆଇଟି ସ୍ନାତକ ଭି.କେ. ବନସାଲ ତାଙ୍କ ଶାରୀରିକ ଅସୁସ୍ଥତା କାରଣରୁ ଚାକିରିରୁ ଅବ୍ୟାହତି ନେଇ ବିକଳ୍ପ ଜୀବିକା ଭାବେ ନିଜ କ୍ବାଟରର ଡାଇନି˚ ଟେବୁଲରେ ଦୁଇ ଜଣ ଛାତ୍ରୀଙ୍କୁ ଟୁଇସନ କରି ଯେଉଁ ନଗଣ୍ୟ ଉଦ୍ୟମଟିଏ ଆରମ୍ଭ କରିଥିଲେ, ତାହା ଦେଢ଼ ଦଶକ ମଧୢରେ ‘କୋଟା’କୁ ଏଭଳି ଏକ କାରଖାନାରେ ପରିଣତ କରିଦେଲା, ଯହିଁରୁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ (ସାରା ଭାରତ ବର୍ଷରୁ ଆସୁଥିବା) ‘ଆଇଆଇଟି’ ଓ ଉଚ୍ଚକୋଟୀର ମେଡିକାଲ କଲେଜରେ ପ୍ରବେଶ କରିବା ଲାଗି ସେମାନଙ୍କ ସ୍ବପ୍ନକୁ ଚରିତାର୍ଥ କରିବା ଲାଗି ବାହାରିବାକୁ ଲାଗିଲେ। ଏବେ କୋଟା ସହରର ଅର୍ଥନୀତି ଭାବୀ ଇ˚ଜିନିଅର ଏବ˚ ଡାକ୍ତର ତିଆରି କାରଖାନା (‘କୋଚି˚ ସେଣ୍ଟର’)ଗୁଡ଼ିକ ଦ୍ବାରା ପରିଚାଳିତ ଓ ପରିପୁଷ୍ଟ। କହିବାରେ ଦ୍ବିଧା ନାହିଁ ଯେ ରାଷ୍ଟ୍ରର ସର୍ବୋତ୍ତମ ଶିକ୍ଷକଗଣ ଏବେ ସେହି ସହରଟିରେ ହିଁ ବିଦ୍ୟମାନ, ଯେଉଁମାନଙ୍କ ଚାହିଦା ଏବ˚ ଆୟ କୌଣସି ବହୁଦେଶୀୟ କ˚ପାନିର ସିଇଓଙ୍କ ଠାରୁ ଊଣା ନୁହେଁ।

ଭାରତର ଏହି ଅନବଦ୍ୟ ‘କୋଚି˚ ଫ୍ୟାକ୍ଟ୍ରି’(‘କୋଟା ଫ୍ୟାକ୍ଟ୍ରି’ ନାମକ ଏକ ଲୋକପ୍ରିୟ ଧାରାବାହିକ ମଧୢ ରହିଛି)ର ପ୍ରଭାବ ସଂପର୍କରେ କେବଳ ଏଥିରୁ ଅନୁମାନ କରାଯାଇ ପାରେ ଯେ ଏବେ ଭାରତର ପ୍ରତି ରାଜ୍ୟର ରାଜଧାନୀରୁ କୋଟା ଅଭିମୁଖେ ସ୍ବତନ୍ତ୍ର ରେଳଗାଡ଼ି ଚଳାଚଳ କରୁଛି। ଏଠାରେ କୋଚି˚ ନେବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ସ˚ଖ୍ୟା ବାବଦରେ ଧାରଣା ଲାଭ କରିବା ଲାଗି ଏଠାରେ ଥିବା ଏକ ଆଗ ଧାଡ଼ିର କୋଚି˚ ସେଣ୍ଟର ‘ଆଲେନ୍‌’ର ଛାତ୍ରଛାତ୍ରୀଙ୍କ ସ˚ଖ୍ୟାକୁ ବିଚାରକୁ ନିଆଯାଇ ପାରେ, ଯାହା ହେଉଛି ପ୍ରାୟ ଏକ ଲକ୍ଷ। ଗଲା ମାର୍ଚ୍ଚ ମାସରେ ଜାରି କରାଯାଇଥିବା କରୋନା-କାଳୀନ ‘ଲକ୍‌ଡାଉନ୍‌’ ସମୟରେ କୋଟାର କୋଚି˚ ସେଣ୍ଟର ସବୁ ବନ୍ଦ ହୋଇଯିବାରୁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଘରକୁ ବାହୁଡ଼ିଥିଲେ। କୋଟାର ଆକର୍ଷଣ ଯେ କେତେ ତୀବ୍ର ସେ ନେଇ ଏକ ଧାରଣା ସେହି ସମୟରେ ମଧ୍ୟ ମିଳିଥିଲା। ତାହା ବ୍ୟତୀତ ଏହା ମଧୢ ପ୍ରମାଣିତ ହୋଇଥିଲା ଯେ ଅନେକ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ଦିଗ୍‌ଦର୍ଶନ ଲାଗି ଦିଲ୍ଲୀ ଯେଉଁ ସ୍ଥାନ ଅଧିକାର କରିଥିଲା, ଏବେ ତାହା ଅଧିକାର କରିଛି ‘କୋଟା’। କୋଟା ହେଉଛି ବିକେନ୍ଦ୍ରୀକରଣର ଆଉ ଏକ ଦୃଷ୍ଟାନ୍ତ। ଠିକ ସେହିଭଳି ‘ନିଟ୍‌’ ପରୀକ୍ଷାରେ ଶୀର୍ଷତମ ସ୍ଥାନଟି ଦିଲ୍ଲୀ ବା ମୁମ୍ବାଇ (ମହାରାଷ୍ଟ୍ର) ବା ବେଙ୍ଗାଲୁରୁ (କର୍ଣ୍ଣାଟକ)କୁ ନ ଯାଇ ଓଡ଼ିଶାକୁ ଆସିଥିବା ଅନେକଙ୍କୁ ଚକିତ କରିଥିଲେ ହେଁ କହିବାରେ ଦ୍ବିଧା ନାହିଁ ଯେ ଧୢାନକୁ ‘କେନ୍ଦ୍ର’ରୁ ଅପସାରଣ କରି ‘ମାର୍ଜିନ୍‌’ ଉପରେ ପକାଇବାରେ ଚଳିତ ବର୍ଷ ଓଡ଼ିଶା ସମର୍ଥ ହୋଇଛି। ଆଶା କରିବା ଯେ ଏହା ଆମ ରାଜ୍ୟର ପ୍ରତିଭାସଂପନ୍ନ ଛାତ୍ରଛାତ୍ରୀଙ୍କ ଲାଗି ଏକ ଦୀର୍ଘ ଯାତ୍ରାର ପ୍ରଥମ ପଦପାତ ହେବ।

‘ଅଫତାବ’ ଶବ୍ଦଟିର ମୂଳ ରହିଛି ପାର୍ସୀ ଭାଷାରେ, ଯାହାର ଅର୍ଥ ହେଉଛି ସୂର୍ଯ୍ୟ। ଏହି ସ୍ତମ୍ଭର ପ୍ରାରମ୍ଭରେ କୁହାଯାଇଥିଲା ଭଳି ସୋଏବ ‘ଅଫତାବ’ ପ୍ରକୃତରେ ସୂର୍ଯ୍ୟ ସମ ଆଲୋକରେ ଓଡ଼ିଶାକୁ ଉଦ୍‌ଭାସିତ କରିବାରେ ସଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର