ଶେଷ ଶଠତା
ଦେଶରେ ବର୍ତ୍ତମାନ ‘ଟେଲିଭିଜନ୍ ରେଟିଙ୍ଗ୍ ପଏଣ୍ଟସ୍’ ବା ‘ଟିଆର୍ପି’କୁ କେନ୍ଦ୍ର କରି ଚାଲିଥିବା ଲଢ଼େଇର ଗର୍ଜନ ତର୍ଜନ, ଧୂଳି, ଧୂଆଁକୁ ଭେଦ କରି ତା’ର ଅନ୍ତର୍ନିହିତ ମୌଳିକ ସତ୍ୟ ଉପରେ ନଜର ପକାଇଲେ ଯାହା ଦେଖିବାକୁ ମିଳିଥାଏ, ତାହା ହେଲା: ଶଠମାନେ ଶଠତାର ଶିକାର ହୋଇଛନ୍ତି। ଯେଉଁ ପ୍ରସଙ୍ଗକୁ ନେଇ ବର୍ତ୍ତମାନର ବିବାଦ ମୁଣ୍ତ ଟେକିଛି, ତାହା ହେଲା- କେତେକ ଟେଲିଭିଜନ୍ ଚାନେଲ୍ ଅସାଧୁ ଉପାୟ ଅବଲମ୍ବନ କରି ସେମାନଙ୍କର ଦର୍ଶକ ସ˚ଖ୍ୟା ବାସ୍ତବତାଠାରୁ ବହୁଗୁଣ ଅଧିକ ବୋଲି ପ୍ରଦର୍ଶିତ କରିବାରେ ଲାଗିଛନ୍ତି। ସେମାନଙ୍କର ଏଭଳି ମିଥ୍ୟାଚାର ଦ୍ବାରା ଯେଉଁମାନେ କ୍ଷତିଗ୍ରସ୍ତ ହୋଇଥାନ୍ତି, ସେମାନେ ଦର୍ଶକ ନୁହଁନ୍ତି, ସେମାନେ ହେଲେ ଦର୍ଶକମାନଙ୍କୁ ଭୁଆଁ ବୁଲାଉଥିବା ବିଜ୍ଞାପନଦାତାମାନେ ଏବ˚ ସମ୍ପୃକ୍ତ ଚାନେଲ୍ ସବୁର ପ୍ରତିଦ୍ବନ୍ଦ୍ବୀ ଚାନେଲ୍ ମାନ, ଯେଉଁମାନେ ଏହାଦ୍ବାରା ବିଜ୍ଞାପନ ଆୟ ହରାଇ ପାରିଥାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିଥ୍ୟାଚାରୀ ଚାନେଲ୍ର ଯେଉଁ ଦର୍ଶକ ସ˚ଖ୍ୟା ସୂଚନା ଦ୍ବାରା ଆକର୍ଷିତ ହୋଇ ଏକ କମ୍ପାନି ସେ ଚାନେଲ୍ରେ ପ୍ରସାରିତ ହେବା ପାଇଁ ତାକୁ ବିଜ୍ଞାପନ ପ୍ରଦାନ କରିବାକୁ ପସନ୍ଦ କରିଥାଏ, ବାସ୍ତବରେ ଚାନେଲ୍ଟିର ଦର୍ଶକ ସ˚ଖ୍ୟା ଯଦି ତା’ଠାରୁ ବହୁ କମ୍ ହୋଇଥାଏ, ତା’ହେଲେ କମ୍ପାନିଟି ଠକାମିରେ ପଡ଼ିଲା, ଏଥିରେ ସନ୍ଦେହ ନାହିଁ। ଏ ଠକାମିର ମୌଳିକ ଚରିତ୍ର ଅନୁଧୢାନ କଲେ କିନ୍ତୁ ଯେଉଁ ଏକ ତିକ୍ତ ବିଡ଼ମ୍ବନାର ଆବିର୍ଭାବ ଘଟିଥାଏ, ତାହା ହେଲା- ଚାନେଲ୍ର ମିଥ୍ୟାଚାର ଯୋଗୁଁ ବିଜ୍ଞାପନଦାତା କମ୍ପାନିଟି ତା’ର ବିଜ୍ଞାପନ ମାଧ୍ୟମରେ ଯେତେ ସ˚ଖ୍ୟକ ଦର୍ଶକଙ୍କୁ ବିଭ୍ରାନ୍ତ କରିପାରିବ ବୋଲି ଅର୍ଥାତ୍ ଠକି ପାରିବ ବୋଲି ବିଶ୍ବାସ କରୁଥିଲା, ପ୍ରକୃତରେ ସେମାନଙ୍କର ସ˚ଖ୍ୟା ତା’ଠାରୁ ବହୁତ କମ୍ ହୋଇଥାଏ।
ସତ କଥା ହେଲା, ଯେଉଁ ବିଜ୍ଞାପନ ବ୍ୟବସାୟକୁ କେନ୍ଦ୍ର କରି ‘ଟିଆର୍ପି’ ଯୁଦ୍ଧର ସୂତ୍ରପାତ ହୋଇଛି, ସେ ବ୍ୟବସାୟ ଦ୍ବାରା ଯେଉଁମାନେ ଅସଲରେ କ୍ଷତିଗ୍ରସ୍ତ ହୋଇଥାନ୍ତି, ସେମାନେ କୌଣସି ଟେଲିଭିଜନ୍ ଚାନେଲ୍ ନୁହଁନ୍ତି, କିମ୍ବା ବିଜ୍ଞାପନଦାତା କମ୍ପାନି ନୁହଁନ୍ତି, ସେମାନେ ହେଉଛନ୍ତି ବିଚରା ଦର୍ଶକ- ଉପଭୋକ୍ତାମାନେ। ଏହାର କାରଣ ବିଜ୍ଞାପନ ଶିଳ୍ପର ମୌଳିକ ଚରିତ୍ରରେ ନିହିତ ଥାଏ। ଅର୍ଥଶାସ୍ତ୍ର ସହିତ ସାମାନ୍ୟ ପରିଚିତି ଥିବା ପ୍ରତ୍ୟେକଙ୍କୁ ଜଣା ଯେ ବିଜ୍ଞାପନ ପ୍ରସାର ହେଉଛି ଏକ ପ୍ରାକୃତିକ ସମ୍ବଳ ଶୋଷଣ ଶିଳ୍ପ। ଏଠାରେ ପ୍ରାକୃତିକ ସମ୍ବଳ ହେଉଛି ଦର୍ଶକର ଧୢାନ ବା ମାନବୀୟ ଧୢାନ। ଆମର ବିନା ଅନୁମତିରେ ଆମ ଧୢାନକୁ ଅମଳ କରାଯାଇ ବିଜ୍ଞାପନଦାତା କମ୍ପାନିକୁ ବିକ୍ରି କରାଯାଇଥାଏ।
ଏଥିରୁ ଯେଉଁ ବିଭିନ୍ନ ମନ୍ଦ ପରିଣାମର ଉତ୍ପତ୍ତି ହୋଇଥାଏ, ସେଥିରୁ ଗୋଟିଏ ହେଉଛି ବିଜ୍ଞାପନ ମାଧୢମରେ ଦର୍ଶକର ଧୢାନକୁ ଦିଗଭ୍ରଷ୍ଟ କରିବା। ଆଜିର ସମାଜରେ ଏପରି କୌଣସି ଉପଭୋକ୍ତା ନଥିବେ ଯିଏ ଏଭଳି ବିଜ୍ଞାପନ ଦ୍ବାରା କେବେ ନା କେବେ ପ୍ରଭାବିତ ହୋଇ ନଥିବେ। ଚନ୍ଦା ମୁଣ୍ତରେ ଗହଳ ଘନ କେଶର ଆବିର୍ଭାବ କରିପାରୁଥିବା କୌଣସି ତୈଳ ବା ସାମ୍ପୁ ହେଉ; କିମ୍ବା ମୁଣ୍ତକୁ ଥଣ୍ତା ରଖି ଧୀଶକ୍ତିରେ ତୀକ୍ଷ୍ଣ ବୃଦ୍ଧି ଘଟାଉଥିବା କେତେ ରତ୍ନ ଭୂଷିତ କୌଣସି କେଶ ତୈଳ ହେଉ; କିମ୍ବା ମୁହଁର କଳା ରଙ୍ଗକୁ ଦୁଧ ଭଳି ଧଳା କରି ଦେଇ ପାରୁଥିବା କୌଣସି ଲୋସନ୍ ହେଉ; କିମ୍ବା ସାଧାରଣ ମେଧା ବିଶିଷ୍ଟ ଛାତ୍ରଛାତ୍ରୀମାନଙ୍କୁ ଚରମ ମେଧାବୀରେ ପରିଣତ କରି ଦେଉଥିବା କୌଣସି କୋଚି˚ ସେଣ୍ଟର୍ ହେଉ; କିମ୍ବା ସବୁଠାରୁ କମ୍ ସମୟରେ ନିବେଶକୁ ଦୁଇଗୁଣ କରିଦେଉଥିବା କୌଣସି ଫଣ୍ତ୍ ହେଉ; କିମ୍ବା ଅତିମାନବୀୟ ଶକ୍ତି ପ୍ରଦାନକାରୀ କୌଣସି ବଟିକା ବା ତୈଳ ହେଉ- ଏ ଅସରନ୍ତି ତାଲିକାର କୌଣସି ଗୋଟିଏ ବି ଶଠତାପୂର୍ଣ୍ଣ ବିଜ୍ଞାପନ ଦ୍ବାରା ଆକର୍ଷିତ ହୋଇନଥିବା ଭଳି ଜଣେ ବି କେହି ନଥିବେ।
ବିଜ୍ଞାପନ ଶିଳ୍ପ ଅର୍ଥଶାସ୍ତ୍ରର ଦୃଷ୍ଟିରେ ଏକ ଟ୍ରାଜେଡିକୁ ଜନ୍ମ ଦେଇଥାଏ, ଯାହା ଅନ୍ୟ ଏକ ଅର୍ଥନୈତିକ ଟ୍ରାଜେଡି ସହିତ ତୁଳନୀୟ- ‘ଟ୍ରାଜେଡି ଅଫ୍ ଦି କମନ୍ସ’ (ସାର୍ବଜନୀନ ସମ୍ପଦ ବୋଲାଇବାର ବିପଦ)। ଯଦି ଏକ ଜଙ୍ଗଲ ସାର୍ବଜନୀନ ହୋଇଥାଏ ଏବ˚ ସମ୍ପୂର୍ଣ୍ଣ ନିୟନ୍ତ୍ରଣମୁକ୍ତ ହୋଇଥାଏ, ତା’ହେଲେ ଏହା ଏପରି ଅତି ଶୋଷଣର ଶିକାର ହେବ ଯେ ଅଚିରେ ଏହା ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବ ଏବ˚ ସମାଜ ଏହି ଅମୂଲ୍ୟ ସମ୍ବଳକୁ ପୂରାପୂରି ହରାଇ ବସିବ। ଜଙ୍ଗଲରୁ ସମ୍ବଳ ସ˚ଗ୍ରହ କରୁଥିବା ପ୍ରତ୍ୟେକ ବ୍ୟକ୍ତି (ଯେମିତି କାଠ କାଟୁଥିବା କାଠୁରିଆ କିମ୍ବା କାଠ ବେପାରୀ) ନିଜର ସର୍ବାଧିକ ସମ୍ଭବ ଲାଭ କରିବା ପାଇଁ ସର୍ବାଧିକ ସମ୍ଭବ ପରିମାଣର ସମ୍ବଳ ସ˚ଗ୍ରହ କରିବାରେ ଲାଗିବ (ସର୍ବାଧିକ ସ˚ଖ୍ୟକ ଗଛ କାଟି ଚାଲିବ)। କିଛିଦିନ ମଧୢରେ ଜଙ୍ଗଲ ଲୋପ ପାଇଯିବ। ସମୁଦ୍ରରେ ଥିବା ସାର୍ବଜନୀନ ସମ୍ବଳ ମାଛ ଅବାଧରେ ଧରା ହୋଇ ଚାଲିଲେ ମାଛ ସରିଯିବେ- ଅନେକ ଜାତିର ମାଛ ଏହି ଅବସ୍ଥାର ସମ୍ମୁଖୀନ ହେବା ଦେଖାଯାଇଥାଏ, ଯେଉଁଥିପାଇଁ ମାଛ ଧରୁଥିବା ଦେଶମାନଙ୍କ ମଧୢରେ ରାଜିନାମା ସ୍ବାକ୍ଷରିତ ହୋଇ ମାଛ ଧରାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଇଥାଏ।
ଏପରି ସାର୍ବଜନୀନ ସମ୍ବଳ କ୍ଷେତ୍ରରେ ଗଛକୁ କାଟିବା ପାଇଁ କେହି ଗଛର ଅନୁମତି ଲୋଡ଼ିନଥାଏ- ସେ ଗଛର କାଠ ଯେତେ ମୂଲ୍ୟବାନ୍ ହୋଇଥାଉ ନା କାହିଁକି; ମାଛକୁ ଧରିବା ପୂର୍ବରୁ କେହି ମାଛର ଅନୁମତି ଲୋଡ଼ିନଥାଏ- ସେ ମାଛ ଯେତେ ମୂଲ୍ୟବାନ୍ ହୋଇଥାଉ ନା କାହିଁକି। ଏହା ହିଁ ‘ଟ୍ରାଜେଡି ଅଫ୍ ଦି କମନ୍ସ’ର କାରଣ। ବିଜ୍ଞାପନ ଶିଳ୍ପରେ ଦର୍ଶକ- ଉପଭୋକ୍ତା ହେଉଛି ସେଇ ସାର୍ବଜନୀନ କ୍ଷେତ୍ରର ଗଛ ବା ମାଛ ଭଳି- ତା’ର ଧୢାନକୁ ହଡ଼ପ କରି ସେଥିରେ ବେପାର କରିବା ପାଇଁ କେହି ତା’ର ଅନୁମତି ଭିକ୍ଷା କରି ନ ଥାଏ। ଲକ୍ଷ୍ୟ କରିବା କଥା ଜଙ୍ଗଲର ମୂଲ୍ୟବାନ ଗଛ ଭଳି କିମ୍ବା ସମୁଦ୍ରର ମୂଲ୍ୟବାନ ମାଛ ଭଳି (ଯେମିତି ଶାଗୁଆନ୍, ବ୍ଲୁଫିନ୍ ଟୁନା) ଅଧିକ ଆୟ ସମ୍ପନ୍ନ ବା କ୍ରୟ ଶକ୍ତି ସମ୍ପନ୍ନ ଉପଭୋକ୍ତାମାନେ ବିଜ୍ଞାପନ ବ୍ୟବସାୟୀମାନଙ୍କ ପାଇଁ ଅଧିକ ଆକର୍ଷଣୀୟ ହୋଇଥାନ୍ତି; ସେମାନଙ୍କୁ ଲକ୍ଷ୍ୟ କରି ଅଧିକରୁ ଅଧିକ ବିଜ୍ଞାପନ ନିର୍ମିତ ଓ ପ୍ରସାରିତ ହୋଇଥାଏ। ଏଭଳି ବିଜ୍ଞାପନମାନଙ୍କର ସ˚ଖ୍ୟା ଏତେ ଅଧିକ ହୋଇଥାଏ ଏବ˚ ସେସବୁ ଏପରି ସର୍ବବିଦ୍ୟମାନ ହୋଇଥାନ୍ତି ଯେ କ୍ରମେ ସେମାନଙ୍କର ନିଶାଣ ବନିଥିବା ସମାଜର ଏହି ଗୁରୁତ୍ବପୂର୍ଣ୍ଣ ସଦସ୍ୟମାନଙ୍କର ସ୍ବାଧୀନ ନିଷ୍ପତ୍ତି ନେବା କ୍ଷମତା ବ୍ୟାହତ ହୋଇଥାଏ। ଏହା ମୂଲ୍ୟବାନ ସାର୍ବଜନୀନ ସମ୍ବଳର କ୍ଷୟ ସାଧନ ଭଳି।
ସମାଜର ଯେଉଁ ସଦସ୍ୟମାନେ ଏପରି ଅଧିକ ଆୟ କରିବା ତଥା ଖର୍ଚ୍ଚ କରିବାର ଯୋଗ୍ୟତା ହାସଲ କରିଥାନ୍ତି, ତାହା ପଛରେ ସେମାନଙ୍କର ଶିକ୍ଷାଦୀକ୍ଷା, ତାଲିମ ବାବଦରେ ବିପୁଳ ସମ୍ବଳ ନିବେଶ ହୋଇଥିବା ଦେଖାଯାଇଥାଏ। ଏହା ଅନୁସାରେ ଯଦି ସେମାନଙ୍କର ଧୢାନର ମୂଲ୍ୟାୟନ କରାଯାଏ, ତାହା ନିଶ୍ଚିତ ରୂପେ ବେଶ୍ ମୂଲ୍ୟବାନ୍ ସାବ୍ୟସ୍ତ ହେବ। କିନ୍ତୁ ବିଡ଼ମ୍ବନାର କଥା, ଏଭଳି ଉପଭୋକ୍ତାମାନଙ୍କର ଧୢାନ ଭଳି ଏକ ମୂଲ୍ୟବାନ୍ ସମ୍ବଳ ବିଜ୍ଞାପନ ବଜାରରେ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ, ଯାହାକୁ ସ˚ଗ୍ରହ କରି ଟେଲିଭିଜନ୍ ଚାନେଲ୍ ଓ ବିଜ୍ଞାପନଦାତା କ˚ପାନିମାନେ ବେପାର କରିବାରେ ଲାଗିଛନ୍ତି। ଏବ˚ ଏ ଦୁଇ ଗୋଷ୍ଠୀ ମଧୢରେ ଚାଲିଥିବା ବ୍ୟବସାୟରେ ଠକେଇ ହୋଇଥିବା ଅଭିଯୋଗକୁ ପୁଲିସରୁ ଗଣମାଧୢମ ପର୍ଯ୍ୟନ୍ତ ଏକ ଅତି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରୂପେ ନିଜର ସମସ୍ତ ଧୢାନ କେନ୍ଦ୍ରୀଭୂତ କରୁଥିବା ଦେଖାଯାଉଥିବା ବେଳେ, ଯାହା ପ୍ରକୃତ ଟ୍ରାଜେଡି କିନ୍ତୁ ‘ଟ୍ରାଜେଡି ଅଫ୍ ଦି କମନ୍ସ’ ଭଳି ସମ୍ପୂର୍ଣ୍ଣ ଅବହେଳିତ, ତାହା ହେଉଛି ଅହରହ ଠକାମିର ଶିକାର ବିଶାଳ ଉପଭୋକ୍ତା ଗୋଷ୍ଠୀ। ତାହା ହେଉଛି ଆଉ ଏକ ଶଠତା- ଶେଷ ଶଠତା।