ଦାଦାମୁକ୍ତ ଦୁନିଆ

‘‘ମୁଁ ତାକୁ ଏମିତି ଏକ ଅଫର‌୍‌ ଦେବାକୁ ଯାଉଛି, ଯାହାକୁ ସେ ପ୍ରତ୍ୟାଖାନ କରି ପାରିବ ନାହିଁ।’’ ସିନେମାରେ କୌଣସି ଗ୍ୟାଙ୍ଗଷ୍ଟର‌୍‌ ଚରିତ୍ର ମୁହଁରୁ ବାହାରିଥିବା ସବୁଠାରୁ ପ୍ରସିଦ୍ଧ ସ˚ଳାପ ରୂପେ ସ୍ବୀକୃତ ଏହି ଧାଡ଼ିକୁ ସିନେମା ପ୍ରେମୀମାନେ ଚଟାପଟ୍‌ ଚିହ୍ନି ସାରିବେଣି। ଅନ୍ୟମାନଙ୍କ ଗୋଚରାର୍ଥେ- ‘ଦି ଗଡ୍‌ ଫାଦର‌୍‌’ ଫିଲ୍‌ମରେ ଡନ୍‌ ଭିଟୋ କର୍ଲିଅନ୍‌ ଭୂମିକାରେ ଅଭିନୟ କରିଥିବା ପ୍ରଖ୍ୟାତ ଅଭିନେତା ମାର୍ଲନ୍‌ ବ୍ରାଣ୍ତୋ କିମ୍ବଦନ୍ତିରେ ପରିଣତ କରିଥିବା ଏହି ପ୍ରଚ୍ଛନ୍ନ ଧମକ ବାଣୀ ଅବଶ୍ୟ ଆସିଥିଲା ସିନେମାଟି ଆଧାରିତ ହୋଇଥିବା ପୁସ୍ତକ ଔପନ୍ୟାସିକ ମାରିଓ ପୁଜୋଙ୍କର ପ୍ରସିଦ୍ଧ ଲୋକପ୍ରିୟ ଉପନ୍ୟାସ ସେଇ ସମାନ ନାମଧାରୀ- ‘ଦି ଗଡ୍‌ ଫାଦର‌୍‌’ରୁ। ସେ ସିନେମା କିମ୍ବା ଉପନ୍ୟାସ ସହିତ ପରିଚିତ ସମସ୍ତଙ୍କୁ ଜଣା- ତାହା ହେଉଛି କର୍ଲିଓନି ଅପରାଧ ପରିବାରର କାହାଣୀ, ଯେଉଁ ପରିବାରର ସଦସ୍ୟମାନଙ୍କର ପେସା ହେଉଛି- ଅପରାଧ।

କର୍ଲିଓନିଙ୍କ ଧରମ ପୁଅ ଜନୀ ଫଣ୍ଟେନ୍‌ ହେଉଛି ଏକ ପେସାଦାର ଗାୟକ, ଯାହାର କ୍ୟାରିଅର‌୍‌ ବିଶେଷ ସଫଳତା ପାଇ ପାରୁନାହିଁ। ଫଣ୍ଟେନ୍‌ର ଦୃଢ଼ ବିଶ୍ବାସ ଯେ ଏକ ନିର୍ମାଣାଧୀନ ହଲିଉଡ୍ ଫିଲ୍‌ମରେ ତାକୁ ଯଦି ଏକ ନିର୍ଦ୍ଦିଷ୍ଟ ରୋଲ୍‌ ମିଳି ଯାଆନ୍ତା, ତେବେ ତା’ର କ୍ୟାରିଅର‌୍‌ ଉପରମୁହାଁ ହେବାକୁ କେହି ଆଉ ଅଟକାଇ ପାରନ୍ତା ନାହିଁ। କିନ୍ତୁ ଫଣ୍ଟେନ୍‌ର ଚେହେରା ଓ ବ୍ୟକ୍ତିତ୍ବ ସେ ଚାହୁଁଥିବା ଭୂମିକା ପାଇଁ ଉପଯୁକ୍ତ ନୁହେଁ ବୋଲି କହି ଫିଲ୍‌ମର ନିର୍ମାତା ଜ୍ୟାକ୍‌ ଓଲ୍‌ଜ ତାଙ୍କୁ ସିଧା ସଳଖ ସେଥିପାଇଁ ଅଯୋଗ୍ୟ ଘୋଷଣା କରି ବିଦା କରି ଦେଇଛନ୍ତି। ଭଗ୍ନ ହୃଦୟ ଫଣ୍ଟେନ୍‌ଙ୍କୁ କିନ୍ତୁ ତା’ର ଧରମ ପିତା କର୍ଲିଓନି ଆଶ୍ବାସନା ତଥା ନିର୍ଭର ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ସେ ହଲିଉଡ୍‌ ମାଲିକ ଜଣକ ଫଣ୍ଟେନ୍‌ ଚାହୁଁଥିବା ଭୂମିକା ହିଁ ତାକୁ ପ୍ରଦାନ କରିବେ। ତା’ପରେ ଫ‌େଣ୍ଟନ୍‌ ମନରେ ବିଶ୍ବାସ ଜନ୍ମାଇବା ପାଇଁ କର୍ଲିଓନି ଭୂମିକାରେ ମାର୍ଲନ୍‌ ବ୍ରାଣ୍ତୋ ତାଙ୍କର ଅନନୁକରଣୀୟ ଢଙ୍ଗରେ ଧୀର ସ୍ଥିର ଭାବରେ କୌଣସି ଉତ୍ତେଜନାର ଚିହ୍ନବର୍ଣ୍ଣ ନଥାଇ ତାକୁ କହିଛନ୍ତି: ‘‘ମୁଁ ତାକୁ ଏମିତି ଏକ ଅଫର‌୍‌…।’’

କାହାଣୀ ସହିତ ପରିଚିତ ନ ଥିବା କେହି ନିରୀହ ପାଠକ ହୁଏତ ଭାବି ପାରନ୍ତି କର୍ଲିଓନିଙ୍କ ଅଫର‌୍‌ ହୁଏତ ଏପରି କିଛି ଲୋଭନୀୟ ଉପହାର ହୋଇଥିବ, ଯାହା ବଦଳରେ ଜ୍ୟାକ୍‌ ଓଲ୍‌ଜ ସେଇ ଆକା˚କ୍ଷିତ ଭୂମିକାଟି ଜନୀ ଫଣ୍ଟେନ୍‌କୁ ଦେଇ ଦେବେ। ଡନ୍‌ ବା ଗଡ୍‌ ଫାଦର‌୍‌ମାନେ କିନ୍ତୁ ସେମାନଙ୍କ କାରବାରରେ ଦେଉଥିବା ଅଫର‌୍‌ ସେଭଳି ଉପହାର ହୋଇନଥାଏ। କର୍ଲିଓନିଙ୍କ ଦୂତ ଟମ୍‌ ହାଗେନ୍‌ ଜ୍ୟାକ୍‌ ଓଲ୍‌ଜଙ୍କ ନିବାସକୁ ଯାଇ ସମ୍ପୃକ୍ତ ଭୂମିକାଟି ଫଣ୍ଟେନ୍‌ଙ୍କୁ ଦିଆଯାଉ ବୋଲି ତାଙ୍କୁ ତା’ର ମାଲିକଙ୍କ ଅନୁରୋଧ ଜଣାଇଛି। ଓଲ୍‌ଜ କିନ୍ତୁ ସିଧାସଳଖ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ସେମାନଙ୍କର କଥାବାର୍ତ୍ତା ସମୟରେ ଓଲ୍‌ଜ ତାଙ୍କର ଏକ ଅତିପ୍ରିୟ ୬,୦୦,୦୦୦ ଡଲାର‌୍‌ ମୂଲ୍ୟର ଉଚ୍ଚଜାତିର ଘୋଡ଼ା ସଗର୍ବରେ ଟମ୍‌ ହାଗେନ୍‌ଙ୍କୁ ଦେଖାଇଛନ୍ତି।

ଫିଲ୍‌ମର ପରବର୍ତ୍ତୀ ଦୃଶ୍ୟରେ ଦେଖିବାକୁ ମିଳିଛି- ଓଲ୍‌ଜ ନିଦରୁ ଉଠି ତାଙ୍କ ଶେଯ ଉପରେ ଯେଉଁ ଏକ ବସ୍ତୁ ଥୁଆ ହୋଇଥିବା ଆବିଷ୍କାର କରୁଛନ୍ତି, ତାହା ହେଉଛି ତାଙ୍କର ଅତିପ୍ରିୟ ସେଇ ଅତି ମୂଲ୍ୟବାନ୍‌ ଘୋଡ଼ାର କଟା ହୋଇଥିବା ମୁଣ୍ତ। କର୍ଲିଓନିଙ୍କ ଅଫର‌୍‌ର ଏହା ଥିଲା କେବଳ ଏକ ଆଭାସ ମାତ୍ର। ଫିଲ୍‌ମ ନିର୍ମାତା ଓଲ୍‌ଜଙ୍କ ପାଇଁ ଏଭଳି ନିର୍ମମ ଢଙ୍ଗରେ ନିଜର ପ୍ରିୟ ଘୋଡ଼ାଟିକୁ ହରାଇବା ଥିଲା ଏକ ଅପୂରଣୀୟ କ୍ଷତି। ଫଣ୍ଟେନ୍‌ଙ୍କୁ ତାଙ୍କ ଫିଲ୍‌ମରେ ସେ ଚାହୁଁଥିବା ରୋଲ୍‌ଟି ନ ଦେଲେ ଗ୍ୟାଙ୍ଗଷ୍ଟର‌୍‌ ଡନ୍‌ କର୍ଲିଓନି ତାଙ୍କର କିଭଳି କ୍ଷତି ଘଟାଇବେ, ଘୋଡ଼ାର କଟାମୁଣ୍ତଟି ଥିଲା ତା’ର ଏକ ପ୍ରାକ୍‌ ସୂଚନା ମାତ୍ର। ଆଗକୁ ଏଇଭଳି ଓ ଆହୁରି ଗୁରୁତର କ୍ଷତିରୁ ରକ୍ଷା ପାଇବାକୁ ଚାହୁଁଥିଲେ ଓଲ୍‌ଜ ଚୁପ୍‌ଚାପ ଜନୀ ଫଣ୍ଟେନ୍‌କୁ ସେ ଚାହୁଁଥିବା ରୋଲ୍‌ଟି ଦେଇଦେବା ଭଲ। (କୁହାଯାଇଥାଏ ଏବ˚ ବିଶ୍ବାସ କରାଯାଇଥାଏ ଯେ ମାରିଓ ପୁଜୋ ତାଙ୍କ କାହାଣୀର ଜନୀ ଫଣ୍ଟେନ୍‌ ଚରିତ୍ରକୁ ବାସ୍ତବ ଜୀବନର ଯେଉଁ ଚରିତ୍ର ଉପରେ ଆଧାରିତ କରିଥିଲେ, ସେ ହେଉଛନ୍ତି ପ୍ରସିଦ୍ଧ ହଲିଉଡ୍‌ ଗାୟକ- ଅଭିନେତା ଫ୍ରାଙ୍କ୍‌ ସିନାତ୍ରା।)

ଏହି ଘଟଣାକୁ ଅନୁଶୀଳନ କଲେ ଯେଉଁ ମୌଳିକ ଗୁରୁତ୍ବପୂର୍ଣ୍ଣ ଦିଗଗୁଡ଼ିକ ଦୃଷ୍ଟିଗୋଚର ହୋଇଥାଏ, ତାହା ଏହିପରି। ଫିଲ୍‌ମ ନିର୍ମାତା ଜ୍ୟାକ୍‌ ଓଲ୍‌ଜ ଏକ ଆଇନର ଶାସନ ବଳବତ୍ତର ଥିବା ମୁକ୍ତ ଅର୍ଥନୀତିରେ ଏକ ଉଦ୍ୟୋଗ ପରିଚାଳନା କରିବାରେ ପ୍ରବୃତ୍ତ ଅଛନ୍ତି। ତାଙ୍କର ଉଦ୍ୟୋଗ ହେଉଛି ଫିଲ୍‌ମ ନିର୍ମାଣ। ଏହି ଉଦ୍ୟୋଗରେ ସେ ନିଜର ସମୟ, ଶକ୍ତି, ସମ୍ବଳ ନିୟୋଜିତ କରିଥାନ୍ତି। ଏହା ବଦଳରେ ସେ ସର୍ବାଧିକ ସମ୍ଭବ ଆୟ ବା ଲାଭ ଅର୍ଜନ କରିବାକୁ ଚାହାନ୍ତି ଓ ସେଥିପାଇଁ ହକ୍‌ଦାର। ଫିଲ୍‌ମଟି ଦର୍ଶକମାନଙ୍କ ପାଖରେ ଗ୍ରହଣୀୟ ହୋଇ ସଫଳତା ଅର୍ଜନ କଲେ ହିଁ ନିର୍ମାତା ତାଙ୍କ ଉଦ୍ୟମରୁ ଆଶା କରାଯାଉଥିବା ଭଳି ଆୟ କରିପାରିବେ। ଏଇ ଗ୍ରହଣୀୟତାକୁ ଦୃଷ୍ଟିରେ ରଖି ସେ ନିର୍ମାଣ ସମୟରେ ଫିଲ୍‌ମଟିର ପ୍ରତ୍ୟେକ ଦିଗ ଉପରେ ଧୢାନ ଦେଇଥାନ୍ତି। ସେଇ ଅନୁଯାୟୀ ଯେଉଁ କଳାକାର ଯେଉଁ ଭୂମିକା ପାଇଁ ଉପଯୁକ୍ତ ହେବେ ବୋଲି ସେ ବିଚାର କରନ୍ତି, ତାଙ୍କୁ ସେଇ ଭୂମିକା ପ୍ରଦାନ କରନ୍ତି। ଯଦି ଅନ୍ୟ କୌଣସି କାରଣ ଯୋଗୁଁ ସେ ଅନୁପଯୁକ୍ତ ବିଚାର କରୁଥିବା କୌଣସି କଳାକାରଙ୍କୁ କୌଣସି ଭୂମିକାରେ ଅବତୀର୍ଣ୍ଣ କରାନ୍ତି, ତା’ହେଲେ ସେ ଅଦକ୍ଷ ଭାବରେ ଉଦ୍ୟୋଗଟିକୁ ପରିଚାଳନା କଲେ ବୋଲି କୁହାଯିବ।

ଦ୍ବିତୀୟରେ ନିର୍ମାତା ଜଣକ ପ୍ରଚଳିତ ଆଇନକାନୁନ ପାଳନ କରି ଫିଲ୍‌ମଟିକୁ ନିର୍ମାଣ କରୁଥିଲେ। ଡନ୍‌ କର୍ଲିଓନି କିନ୍ତୁ ନିଜର ଧରମ ପୁଅ ପାଇଁ ରୋଲ୍‌ଟି ଆଣିବା ପାଇଁ ଯେଉଁ ଉପାୟ ଅବଲମ୍ବନ କଲେ, ତାହା ଥିଲା ସମ୍ପୂର୍ଣ୍ଣ ରୂପେ ଆଇନ ଉଲ୍ଲ˚ଘନକାରୀ ଏକ ଅପରାଧ। ଏ ପ୍ରକାର ଘଟଣାର ସାରମର୍ମ ହେଲା- ଜଣେ ଆଇନ ଭଙ୍ଗକାରୀ ଜଣେ ଆଇନ ପାଳନକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରି ତାଙ୍କୁ ସ୍ବାଭାବିକ ଭାବରେ କାର୍ଯ୍ୟ କରିବାକୁ ଦେଇ ନଥାଏ। ଯୁକ୍ତି ଛଳରେ କୁହାଯାଇପାରେ ଯେ ଯଦି କୌଣସି ସିନେମା ଶିଳ୍ପରେ ନିର୍ମିତ ପ୍ରତ୍ୟେକ ଫିଲ୍‌ମର ପ୍ରତ୍ୟେକ ରୋଲ୍‌ ଏଇ ପଦ୍ଧତିରେ ପ୍ରଦାନ କରାଯାଏ, ତେବେ ସେ ଶିଳ୍ପ ରୁଗ୍‌ଣ ହୋଇଯିବାର ସମ୍ଭାବନା ଦୃଢ଼।

ହଲିଉଡ୍‌ ପାଇଁ ଡନ୍‌ କର୍ଲିଓନିଙ୍କ କାର୍ଯ୍ୟ ଯେଉଁ ଭଳି ଘୋର ହାନିକାରକ ସାବ୍ୟସ୍ତ ହୋଇଥାଏ, ଯେ କୌଣସି ଦେଶରେ ବ୍ୟବସାୟ ବାଣିଜ୍ୟ ତଥା ଯେ କୌଣସି ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ତାହା ସେଇଭଳି ହାନିକାରକ ହୋଇଥାଏ। କର୍ଲିଓନିଙ୍କ ଏହି କାର୍ଯ୍ୟର ସୁପରିଚିତ ନାମ ହେଉଛି- ଦାଦା ବଟି ଆଦାୟ। ଜ୍ୟାକ୍‌ ଓଲ୍‌ଜଙ୍କ ଭଳି ଜଣେ ଶକ୍ତିଶାଳୀ ଫିଲ୍‌ମ ନିର୍ମାତା ଯଦି ଜଣେ ଦାଦାଙ୍କ ପାଖରେ ଏଭଳି ଅସହାୟ ହୋଇପାରନ୍ତି, ବେପାର ବଣିଜ କରି ଜୀବିକା ନିର୍ବାହ କରୁଥିବା ଅଗଣିତ ସାଧାରଣ ନାଗରିକମାନଙ୍କ ପାଇଁ ଏହି ଅପରାଧ ଚକ୍ର କିଭଳି ଘାତକ ସାବ୍ୟସ୍ତ ହେଉଥିବ, ତାହା ସହଜେ ଅନୁମେୟ। ବସ୍‌ ବ୍ୟବସାୟୀଙ୍କ ଠାରୁ ଉଠାଦୋକାନୀଙ୍କ ପର୍ଯ୍ୟନ୍ତ ଏହି ଦାଦାମାନଙ୍କ ଦୈରାତ୍ମ୍ୟରେ କିଭଳି ଅତିଷ୍ଠ ହୋଇଥାନ୍ତି, ତାହା ଊଣା ଅଧିକେ ସମସ୍ତଙ୍କୁ ଜଣା।

ଏକ ସ୍ବାଧୀନ ଦେଶରେ ଅବାଧରେ ବ୍ୟବସାୟ କରିବା ହେଉଛି ଅର୍ଥନୈତିକ ପ୍ରଗତିର ସର୍ବପ୍ରଥମ ଆବଶ୍ୟକତା। କ୍ଷୋଭର କଥା କିନ୍ତୁ ଆଇନ ଶୃଙ୍ଖଳା ରକ୍ଷା ଦାୟିତ୍ବରେ ଥିବା ପୁଲିସ ଦୃଷ୍ଟିରେ ଏହା ଏ ପର୍ଯ୍ୟନ୍ତ ଏକ ଗୁରୁତର ଅପରାଧ ରୂପେ ବିବେଚିତ ହୋଇନଥିଲା। ଅତୀବ ସୁଖର କଥା ଭୁବନେଶ୍ବର ପୁଲିସ ବର୍ତ୍ତମାନ ଏଥିପ୍ରତି ସଚେତନ ହୋଇ ଏକ ଦାଦାବଟି ନିର୍ମୂଳ ଅଭିଯାନ ଆରମ୍ଭ କରିଛି, ଯାହାକୁ ଯୁଗାନ୍ତକାରୀ କୁହାଯିବ। ଯଦି ପୁଲିସ ଦାଦାବଟି ଆଦାୟକୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରି ଦେଇପାରିବ, ତେବେ ଆଇନ ମାନି ଚଳୁଥିବା ନାଗରିକମାନଙ୍କ ପାଇଁ ଶେଷରେ ପ୍ରକୃତ ଅର୍ଥନୈତିକ ସ୍ବାଧୀନତା ପ୍ରତିଷ୍ଠିତ ହେବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେଥିପାଇଁ ପୁଲିସର ଏହି ପଦକ୍ଷେପକୁ ଯେତେ ପ୍ରଶ˚ସା କଲେ ମଧୢ ଯଥେଷ୍ଟ ହେବ ନାହିଁ।

ସମ୍ବନ୍ଧିତ ଖବର