ଇତିହାସରୁ ଜଣାଯାଏ ଯେ ମାତ୍ର କେଇ କ୍ଷଣର ଅସତର୍କତା ହେତୁ ଦ୍ବାଦଶ ଶତାବ୍ଦୀରେ ଭାରତ ଭୂମି ଉପରେ ଯବନମାନେ ପାଦ ପକାଇବା ସହିତ ସେମାନଙ୍କ ଶାସନକୁ ଏଠାରେ ଦୃଢ଼ମୂଳ କରିବାର ସୁଯୋଗ ଲାଭ କରିଥିଲେ। ଏହା ଥିଲା ଦ୍ବିତୀୟ ତରାଇ ଯୁଦ୍ଧ। କିଂବଦନ୍ତି କହିଥାଏ ଯେ ରାଜପୁତ ବୀର ପୃଥ୍ବୀରାଜ ଚୌହାଣଙ୍କ ଦ୍ବାରା ପରାଜିତ ହୋଇ ପ୍ରଥମ ତରାଇ ଯୁଦ୍ଧରେ ପଳାୟନ କରିଥିବା ଭଳି ସେ ଥର ମଧୢ ମହମ୍ମଦ ଘୋରୀ ପଳାୟନ କଲେ। ସ୍ବାଭାବିକ ଭାବେ ପ୍ରଥମ ତରାଇ ଯୁଦ୍ଧ ଭଳି ଏଥର ମଧୢ ରାଜପୁତ ସୈନିକମାନେ ସେହି ଯୁଦ୍ଧ ଭୂମିରେ ବିଜୟୋଲ୍ଲାସରେ ଲୀନ ହେଲେ। କିନ୍ତୁ ଏହି ଦୁଇଟି ଯୁଦ୍ଧ ମଧ୍ୟରେ ରହିଥିବା ପ୍ରାଣଘାତୀ ପ୍ରଭେଦଟି ହେଲା ଏଥର ମହମ୍ମଦ ଘୋରୀ ପ୍ରକୃତରେ ପଳାୟନ ନ କରି ତାର ଛଳନା କରୁଥିଲେ ମାତ୍ର। କହିବା ନିଷ୍ପ୍ରୟୋଜନ ଯେ ଘୋରୀ ସହସା ସସୈନ୍ୟ ପ୍ରତ୍ୟାବର୍ତ୍ତନ କରି ଅସତର୍କ ରାଜପୁତ ସୈନିକମାନଙ୍କୁ ପରାଜିତ କଲେ। ପୃଥ୍ବୀରାଜ ଚୌହାଣଙ୍କୁ ସେଠାରେ ହତ୍ୟା କରାଗଲା ଏବ˚ ସା˚ପ୍ରତିକ ଆଫଗାନିସ୍ତାନ ଅଞ୍ଚଳରେ ସେତେବେଳେ ମୁଣ୍ତ ଟେକିଥିବା ଏକ କ୍ଷୁଦ୍ର ରାଜ୍ୟ ଘୋରର ଏହି ଯବନ ଅନୁପ୍ରବେଶକାରୀ ଭାରତ ପ୍ରବେଶ କରିଥିଲେ। ତେବେ, ଆଜି ଏଠାରେ ଏଭଳି ଏକ ପ୍ରସଙ୍ଗ ଉତ୍ଥାପନ କରାଯିବାର କାରଣ କ’ଣ ହୋଇପାରେ? କାରଣଟି ହେଉଛି ଗଲା ମଙ୍ଗଳବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ଏକ ସରଳ ଏବ˚ ସ˚କ୍ଷିପ୍ତ ଉଦ୍ବୋଧନ ଯହିଁରେ ସେ କରୋନା ସ˚କ୍ରମଣ ପରିପ୍ରେକ୍ଷୀରେ ରାଷ୍ଟ୍ରବାସୀଙ୍କୁ ସତର୍କ କରାଇ ଦେଇ କହିଛନ୍ତି ଯେ କୋଭିଡ୍ ସ˚କ୍ରମଣ ତଥା ମୃତକଙ୍କ ସ˚ଖ୍ୟା ଗଲା ଛଅ ସପ୍ତାହ ଧରି କ୍ରମାଗତ ନିମ୍ନମୁଖୀ ହୋଇ ଚାଲିଥିବା ପରିପ୍ରେକ୍ଷୀରେ ଏହାକୁ କୋଭିଡ୍ ଭୂତାଣୁ ଉପରେ ଆମ ଦେଶର ଏକ ଆସନ୍ନ ବିଜୟ ବୋଲି ବିଚାର ନ କରି କି˚ବା ସେହି କାରଣରୁ ଆତ୍ମତୃପ୍ତିସୁଲଭ ଅସତର୍କତାରେ ମଗ୍ନ ନ ହୋଇ ବିବେଚନାପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରିବା ଜରୁରୀ। କାରଣ ଦୀର୍ଘ ଆଠ ମାସର କରୋନା ସ˚କ୍ରମଣ ଏହା ପ୍ରମାଣ କରି ସାରିଲାଣି ଯେ ମୁହୂର୍ତ୍ତକର ଅସତର୍କତା ଏହି ଭୂତାଣୁର ମହମ୍ମଦ ଘୋରୀ ସୁଲଭ ପ୍ରତ୍ୟାବର୍ତ୍ତନ ସମ୍ଭବ କରିପାରେ ଏବ˚ ଆମ ବିଜୟର ଆଭାସକୁ ସ˚ପୂର୍ଣ୍ଣ ନିଷ୍ପ୍ରଭ କରି ଦେଇପାରେ।
ଉଲ୍ଲେଖଯୋଗ୍ୟ ଯେ ୧୯୧୮ ମସିହାର ସ୍ପେନିସ୍ ଫ୍ଲୁ ପାନ୍ଡେମିକ୍ କାଳରେ ମଧୢ ଏକ ଅତ୍ୟନ୍ତ ପ୍ରାଣଘାତକ ଦ୍ବିତୀୟ ତରଙ୍ଗ ସର୍ବତ୍ର ମୃତ୍ୟୁର ଅକଥନୀୟ ହାହାକାର ରଚନା କରିଥିଲା। ଏହାର କାରଣ ମଧୢ ଥିଲା ସ˚କ୍ରମଣ ହ୍ରାସ କାରଣରୁ ଆଶ୍ବସ୍ତ ଜନସମାଜ ପାନ୍ଡେମିକ୍ ପୂର୍ବବର୍ତ୍ତୀ ଆଚାର-ବ୍ୟବହାର ମଧୢକୁ ଫେରିବା ଲାଗି ଉଦ୍ଗ୍ରୀବ ହୋଇ ଉଠିବା। ସେହି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ଏହି ବକ୍ତବ୍ୟ ରଖିବାର ସମୟ ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ। ଦଶହରାରୁ ଆରମ୍ଭ କରି ଦୀପାବଳି ପର୍ଯ୍ୟନ୍ତ ପ୍ରାୟ ଏକ ମାସର ସମୟ ଖଣ୍ତରେ ଅଧିକା˚ଶ ଭାରତ ଉତ୍ସବାୟିତ ହୋଇଉଠେ। ଏବ˚ ଭାରତରେ ଏଭଳି ପାର୍ବଣ ଉତ୍ସବ ବିପୁଳ ଜନ ସମାଗମ ସୃଷ୍ଟି କରିବା ସହିତ ସମସ୍ତଙ୍କୁ ଆନନ୍ଦରେ ଆତ୍ମହରା କରାଇ ଦେଇଥାଏ। ସେହିଭଳି ଭାରତରେ ନିର୍ବାଚନ ମଧୢ ଗଣତନ୍ତ୍ରର ଏକ ଉତ୍ସବ ଭାବେ ସାରା ବିଶ୍ବରେ ପରିଚିତ, ଯାହା ନାଗରିକମାନଙ୍କ ମଧୢରେ ଉତ୍ସାହର ଏଭଳି ପ୍ଳାବନ ଜାତ କରିଥାଏ ଯେ ସେମାନେ ଆତ୍ମବିସ୍ମୃତ ହୋଇ ଉଠନ୍ତି। ସେହି ପରିପ୍ରେକ୍ଷୀରେ ଶାରଦୀୟ ପୂଜା ସହିତ ଅନୁଷ୍ଠିତ ହେବାକୁ ଯାଉଥିବା ବିହାର ନିର୍ବାଚନ ତଥା କିଛି ଉପନିର୍ବାଚନ ଏଭଳି ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି, ଯହିଁରେ ନୋଭେଲ କରୋନା ଭାଇରସ୍ ଭାରତରେ ନିଜର ନିମ୍ନଗାମୀ ଆଧିପତ୍ୟକୁ ପୁନଃ ଊର୍ଦ୍ଧ୍ବମୁଖୀ କରିବା ଲାଗି ଏକ ସୁଯୋଗ ପାଇ ଯାଇପାରେ। ଯୁକ୍ତରାଷ୍ଟ୍ର ଆମେରିକାରେ ଆଗାମୀ ନଭେମ୍ବର ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଟ୍ରମ୍ପ୍ ଏବ˚ ତାଙ୍କ ସମର୍ଥକମାନଙ୍କ ଅପରିଣାମଦର୍ଶୀ ଅସତର୍କତା କାରଣରୁ ସେଠାରେ ପୁଣି ଥରେ କରୋନା ସ˚କ୍ରମଣର ଦ୍ବିତୀୟ ତରଙ୍ଗ ସୃଷ୍ଟି ହୋଇଛି। ହିଭଳି କୋଭିଡ୍ ସ˚କ୍ରମଣ ଉପରେ ବିଜୟ ହାସଲ କରିବାର ଦ୍ବାରଦେଶରେ ଉପନୀତ ବୋଲି ଅହେତୁକ ଆତ୍ମତୃପ୍ତି ଦ୍ବାରା ଆତ୍ମବିସ୍ମୃତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ମଧୢ ପୁନର୍ବାର ସ˚କ୍ରମଣର ଏକ ଅତ୍ୟନ୍ତ ଭୟାବହ ଜୁଆରର ସମ୍ମୁଖୀନ ହେଉଛନ୍ତି। ସ˚ପ୍ରତି ପୃଥିବୀରେ ପ୍ରତି ଦିନ ହେଉଥିବା କୋଭିଡ ସ˚କ୍ରମଣର ଏକ ତୃତୀୟା˚ଶ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ହିଁ ଦୃଶମାନ ହେଉଛି। କିଛି ମାସ ପୂର୍ବରୁ କରୋନା ପରିଚାଳନା କ୍ଷେତ୍ରରେ ଏକ ଦୃଷ୍ଟାନ୍ତରେ ପରିଣତ ହୋଇଥିବା ଚେକୋସ୍ଲୋଭାକିଆ ସ˚ପ୍ରତି ଭୂଲୁଣ୍ଠିତ। ଇ˚ଲାଣ୍ତ, ଫ୍ରାନ୍ସ, ସ୍ପେନ୍ ଏବ˚ ସ୍ବିଜରଲାଣ୍ତ ପୁଣି ଥରେ ଲକ୍ଡାଉନ କରିବା କଥା ଚିନ୍ତା କଲେଣି।
ଏହା ଲେଖା ହେଲା ବେଳକୁ ଗତ କାଲି ଭାରତରେ ସ˚କ୍ରମିତଙ୍କ ସ˚ଖ୍ୟା ଥିଲା ୫୫,୮୩୯ (ଅଗଷ୍ଟ ମାସ ସହିତ ତୁଳନୀୟ)। ସ˚ପ୍ରତି ‘ଟେଷ୍ଟ ପଜିଟିଭିଟି’ ହାର ପହଞ୍ଚିଛି ୪.୫%ରେ, ଯାହା ଜୁଲାଇ ମାସର ରେକର୍ଡ ସହିତ ତୁଳନୀୟ। ଯଦିଓ ଗୋଟିଏ ଗୋଷ୍ଠୀ ଏହି ମତ ପୋଷଣ କରନ୍ତି ଯେ ହୁଏ’ତ ଭାରତ ତାର ପରୀକ୍ଷା ସ˚ଖ୍ୟାରେ ହ୍ରାସ ଘଟାଇଥିବାରୁ ସ˚କ୍ରମିତ ବା ମୃତକଙ୍କ ସ˚ଖ୍ୟାରେ ମଧ୍ୟ ହ୍ରାସ ଘଟୁଛି। କିନ୍ତୁ, ସତ କହିଲେ ଭାରତ ବର୍ତ୍ତମାନ ସୁଦ୍ଧା ୧୦ କୋଟିରୁ ଅଧିକ ପରୀକ୍ଷା କରି ସାରିଲାଣି ଏବ˚ ଗଲା ଛଅ ସପ୍ତାହ ଧରି ପ୍ରତ୍ୟହ ଦଶ ଲକ୍ଷ ନମୁନା ପରୀକ୍ଷା କରାଯାଉଛି, ଯାହା ସଂଖ୍ୟାତ୍ମକ ଦୃଷ୍ଟିରୁ ଆଦୌ କମ୍ ନୁହେଁ। ଏବେ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଯେଉଁ ଆକଳନର ଆଧାରରେ ଉପସ୍ଥାପନ କରିଛନ୍ତି ତାକୁ ପ୍ରସ୍ତୁତ କରିଛି ‘ଡିପାର୍ଟମେଣ୍ଟ ଅଫ୍ ସାଇନ୍ସ ଏଣ୍ତ ଟେକ୍ନୋଲୋଜି’ର ଏକ କମିଟି ଯହିଁରେ ଅତ୍ୟନ୍ତ ଉଚ୍ଚକୋଟୀର ବିଦ୍ବାନ ଓ ଗବେଷକ ସ୍ଥାନ ପାଇଛନ୍ତି। ଏହି ପରିପ୍ରେକ୍ଷୀରେ ସେମାନେ ପ୍ରଦାନ କରିଥିବା ଏକ ସତର୍କତାମୂଳକ ମନ୍ତବ୍ୟ ବିଶେଷ ଗୁରୁତ୍ବ ବହନ କରିଥାଏ। ତାହା ହେଲା ସ˚କ୍ରମଣ ହ୍ରାସ ଘଟୁଥିବା କାରଣରୁ ଯଦି ଆଗାମୀ କିଛି ମାସ ସତର୍କତା ରକ୍ଷା ଦିଗରେ ହାଲୁକା ମନୋଭାବ ପୋଷଣ କରାଯାଏ, ତେବେ ସଂକ୍ରମିତଙ୍କ ସଂଖ୍ୟା ଯାହା ଆସନ୍ତା ଫେବ୍ରୁଆରିରେ ଯାହା (ବର୍ତ୍ତମାନର ସ˚କ୍ରମଣ ହାର ଅନୁସାରେ) ଦୈନିକ ମାତ୍ର ୨୦,୦୦୦ ହୁଅନ୍ତା, ଅଗତ୍ୟା ବୃଦ୍ଧି ପାଇ ତିନି ଗୁଣ ହେବ। ଫଳରେ ବର୍ତ୍ତମାନ ସୁଦ୍ଧା ସ˚କ୍ରମଣର ବିପର୍ଯ୍ୟୟ ସହିତ ମୁକାବିଲା କରି କୌଣସିମତେ ତିଷ୍ଠି ରହି ପାରିଥିବା ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ସେହି ସମୟେର ପ୍ରାୟ ୨୫ ଲକ୍ଷ ସ˚କ୍ରମିତଙ୍କୁ ସେବା ପ୍ରଦାନରେ ସ˚ପୂର୍ଣ୍ଣ ବିଫଳ ହୋଇ ଭୁଶୁଡ଼ି ପଡ଼ିବ। ତେଣୁ କହିବା ବାହୁଲ୍ୟ ଯେ ଏହି ସମୟ ହିଁ ହେଉଛି ନିର୍ଣ୍ଣାୟକ ତଥା ସର୍ବାଧିକ ସତର୍କତା ଅବଲମ୍ବନ କରାଯିବାର ବେଳ, ଯେଉଁ କାରଣରୁ ସମ୍ମିଳିତ ଭାବେ ନୁହେଁ ବର˚ ଏକାନ୍ତରେ ପୂଜା କରାଯିବା ଆବଶ୍ୟକ ଏବଂ ନିର୍ବାଚନ ବେଳେ କୋଭିଡ୍ ସତର୍କତାର ସ˚ପୂର୍ଣ୍ଣ ଅନୁପାଳନ ପୂର୍ବକ ନାଗରିକମାନେ ଆପଣା ସାମାଜିକ ଦାୟିତ୍ବବୋଧର ପରିଚୟ ଦେବା ଜରୁରୀ।
ଆତ୍ମତୃପ୍ତି କିଭଳି ସହସା ବିଫଳତା ଆଣି ଦେଇପାରେ, ସେ ସମ୍ବନ୍ଧରେ ଆଉ ଏକ ଦୃଷ୍ଟାନ୍ତ ମିଳିଥିଲା ୧୯୬୦ ମସିହା ଅଲି˚ପିକ୍ସରେ। ସେହି ଅଲି˚ପିକ୍ସରେ ଚାରିଶହ ମିଟର ଦୌଡ଼ ପ୍ରତିଯୋଗିତାରେ ଗୋଟିଏ ସେେକଣ୍ତର ମାତ୍ର କେଇ ଅ˚ଶର ବ୍ୟବଧାନ ଲାଗି ବ୍ରୋ˚ଜ୍ ପଦକଟିଏ ଜିଣିବାରେ ବିଫଳ ହୋଇଥିଲେ ମିଲଖା ସି˚ହ। ତା’ ପରେ ସେ କରିଥିବା ଭୁଲ ବାବଦରେ ସ୍ବୀକାର କରି କହିଥିଲେ ଯେ ପ୍ରଥମ ଦୁଇ ଶହ ପଚାଶ ମିଟର ଅତ୍ୟନ୍ତ ଦ୍ରୁତ ଗତିରେ ଦୌଡ଼ି ଆଗରେ ରହିଥିବା କାରଣରୁ ଆତ୍ମତୃପ୍ତିର ବଶବର୍ତ୍ତୀ ହୋଇ ବେଗରେ କିଞ୍ଚିତ ହ୍ରାସ କରିବା ଘାତକ ସାବ୍ୟସ୍ତ ହୋଇଥିଲା। ତାଙ୍କ ଭାଷାରେ ତାହା ହିଁ ଥିଲା ତାଙ୍କ ‘କିସମତ୍’(ଭାଗ୍ୟ)ର ତାରା ଅସ୍ତମିତ ହେବାର ଚୂଡ଼ାନ୍ତ କ୍ଷଣ। ସତ କହିଲେ ଭାଗ୍ୟର ତାରା ଡୁବି ଯିବାକୁ ବେଳେ ବେଳେ କ୍ଷଣଟିଏ ବି ସମୟ ଲାଗେ ନାହିଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ଏହା କହିଲେ ଭୁଲ ହେବ ନାହିଁ ଯେ ଦୀର୍ଘକାଳୀନ କରୋନା ସ˚କ୍ରମଣର ଘନଘଟାର ଅନ୍ଧକାର ଭିତରେ ଟିକିଏ ଚମକି ଉଠୁଥିବା ଆମ ଭାଗ୍ୟର ତାରା ଆତ୍ମତୃପ୍ତିଜନିତ କୌଣସି ଅସତର୍କତାର କ୍ଷଣରେ ଅସ୍ତ ହୋଇ ନ ଯାଉ।