ଭୂତାଣୁ ଜ୍ଞାନ

ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଗ୍ରୀସ୍‌ର ଏଥେନ୍‌ସ ନଗରୀରେ ଜଣେ ପ୍ରଚଣ୍ତ ଜ୍ଞାନୀଙ୍କ ଆବିର୍ଭାବ ଘଟିଛି ବୋଲି ଶୁଣି ମଫସଲର ଜଣେ ଯୁବକ ଯେତେବେଳେ ସକ୍ରେଟିସଙ୍କୁ ଭେଟି ତାଙ୍କୁ ପଚାରିଥିଲା- ଆପଣ ସେହି ଜ୍ଞାନୀ ପ୍ରବର କି?, ସେତିକି ବେଳେ ସକ୍ରେଟିସ କୁଆଡ଼େ ସଲ୍ଲଜ ଭାବେ ହସି କହିଥିଲେ- ‘କିଏ କହିଲା? ମୋତେ କିଛି ଜଣା ନାହିଁ।’ ଏଭଳି ଉତ୍ତର ଶୁଣି ନିରାଶ ଯୁବକ ଘରକୁ ବାହୁଡ଼ି ତା’ ବୃଦ୍ଧ ପିତାଙ୍କୁ ସମସ୍ତ ବୃତ୍ତାନ୍ତ ଶୁଣାନ୍ତେ ପିତା କହିଥିଲେ- ‘ସେଇ ତ! ତାଙ୍କର ଉତ୍ତର ହିଁ ପ୍ରମାଣ କରୁଛି ସେ ହେଉଛନ୍ତି ସର୍ବଶ୍ରେଷ୍ଠ ଜ୍ଞାନୀ!’ ବିଶ୍ବ ବିଖ୍ୟାତ ଦାର୍ଶନିକ ସକ୍ରେଟିସଙ୍କୁ ଘେରି ରହିଥିବା ଅସ˚ଖ୍ୟ କି˚ବଦନ୍ତିଙ୍କ ମଧୢରୁ ଏହା ଅନ୍ୟତମ, ଯହିଁରେ ଜ୍ଞାନର ଅପରିସୀମ ସାଗରରେ ସନ୍ତରଣ କରୁଥିବା ପ୍ରବୁଦ୍ଧମାନେ ଉପଲବ୍‌ଧି କରୁଥିବା ଆପଣା କ୍ଷୁଦ୍ରତାଜନିତ ଅସହାୟବୋଧକୁ ଦେଖିବାକୁ ମିଳିଥାଏ। ଆଜି ଏହି ସ୍ତମ୍ଭରେ ଏହି ବିଷୟଟି ପ୍ରାସଙ୍ଗିକ ଏଥି ଲାଗି ଯେ ‘କରୋନା ପାନ୍‌ଡେମିକ୍‌’ର ବର୍ଷ ପୂର୍ତ୍ତି ଲାଗି ଆଉ ମାତ୍ର ଚାରି ମାସ ବାକି ଥିବା ବେଳେ ଏବ˚ ଏହି ଭୂତାଣୁ ସ˚କ୍ରମଣର ଦ୍ବିତୀୟ ତରଙ୍ଗ ପୁନର୍ବାର ୟୁରୋପୀୟ ରାଷ୍ଟ୍ର ଏବ˚ ଯୁକ୍ତରାଷ୍ଟ୍ର ଆମେରିକାକୁୁ ମଗ୍ନ କରିବାକୁ ବସିଥିବା ସମୟରେ ବିଶ୍ବ ପ୍ରସିଦ୍ଧ ଗବେଷକ, ବୈଜ୍ଞାନିକ ଓ ବିଦ୍ବାନମାନଙ୍କ ଜ୍ଞାନ ଯେ ଭୂତାଣୁର ଚରିତ୍ରକୁ ବୁଝିବାରେ ଅତ୍ୟନ୍ତ ସୀମିତ ସାବ୍ୟସ୍ତ ହୋଇଛି ତାହା କହିବା ବାହୁଲ୍ୟ ମାତ୍ର ଏବ˚ ସେମାନଙ୍କ ଗବେଷଣାଗତ ମତାମତ ଏବ˚ ନିଷ୍କର୍ଷ ଦ୍ବାରା ସ˚ଶୟର କୁହୁଡ଼ି ହଟିଛି କମ୍‌; ବର˚ ଏହା ଅଧିକ ଘନ ହୋଇଛି ବୋଲି କୁହାଯାଇପାରେ। ସୁତରା˚, ବିଗତ ପ୍ରାୟ ଆଠ ମାସର ଅତ୍ୟନ୍ତ ଉଚ୍ଚକୋଟୀର ଗବେଷଣା ଓ ବିଶିଷ୍ଟ ପତ୍ରପତ୍ରିକାରେ କିଲୋମିଟର ବ୍ୟାପି ଏହାର ସିଦ୍ଧାନ୍ତ ସବୁର ପ୍ରକାଶନ ସତ୍ତ୍ବେ ଦୃଢ଼ତାର ସହିତ ଏହା କହିବା ସମ୍ଭବ ହେଉନାହିଁ ଯେ ଏ ସ˚କ୍ରମଣର ଅନ୍ତ କେବେ ଓ କିଭଳି ଘଟିବ? ବା ପ୍ରତିଷେଧକ ଦ୍ବାରା ସ˚କ୍ରମଣକୁ ପ୍ରତିହତ କରାଯାଇ ପାରିବ ନା ନାହିଁ? କେବଳ ସେତିକି ନୁହେଁ, ଏଥିରୁ ରକ୍ଷା ପାଇବା ଲାଗି ଯେଉଁ ସବୁ ଔଷଧର ତାଲିକା ଏବେ ବିଦ୍ୟମାନ, ତହିଁରୁ କୌଣସି ଗୋଟିଏ ହେଲେ ମଧୢ ଏକ ନିଶ୍ଚିତ ଉପଚାର ନୁହେଁ, ସବୁ ସମ୍ଭାବ୍ୟ ପର୍ଯ୍ୟାୟର, ଯହିଁରେ ମ୍ୟାଲେରିଆ ନିବାରକ ଠାରୁ ଆରମ୍ଭ କରି କୃମି ନାଶକ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ; ଏହା ବ୍ୟତୀତ ଏ ଯାବତ୍‌ କରୋନାର ଲକ୍ଷଣ ଏବ˚ ଶରୀର ଉପରେ ଏହାର ସ˚କ୍ରମଣଜନିତ ପ୍ରଭାବ ସ˚ଦର୍ଭରେ ମଧୢ ଅନେକ କିଛି ଅଜ୍ଞାତ। ଏଭଳି ଏକ ସ୍ଥିତିରେ ନିକଟରେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ଏବ˚ ‘ଇଣ୍ତିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ’ ପକ୍ଷରୁ ଜାରି କରାଯାଇଥିବା ବକ୍ତବ୍ୟ ଏଭଳି ସ˚ଶୟକୁ ଅଧିକ ଘନୀଭୂତ କରିଛି ଯାହା।

‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ପକ୍ଷରୁ କୁହାଯାଇଛି ଯେ ଏହି ସ˚କ୍ରମଣରେ ଏକ ପ୍ରଭାବୀ ଚିକିତ୍ସା ଭାବେ ପ୍ରସ୍ତୁତ ‘ରାମଡେଜିଭିର’ର ପ୍ରୟୋଗ ନିଷ୍ପ୍ରଭ ସାବ୍ୟସ୍ତ ହେବାରେ ଲାଗିଛି, କାରଣ ତାହା ମୃତ୍ୟୁ ସ˚ଖ୍ୟାକୁ ହ୍ରାସ କରିବାରେ ସହାୟକ ହେଉନାହିଁ। ସୁତରା˚, ଏଥିରୁ ଏକ ଧାରଣା ସୃଷ୍ଟି ହେବା ସ୍ବାଭାବିକ ଯେ ‘ରାମଡେଜିଭିର’ ବସ୍ତୁତଃ ଅକାମି ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଯେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ଦ୍ବାରା ପରିଚାଳିତ ‘ମଲ୍‌ଟି କଣ୍ଟ୍ରି ସଲିଡାରିଟି ଟ୍ରାଏଲ୍‌’ ସୂତ୍ରରୁ ଏହିି ନିଷ୍କର୍ଷ ଉପଲବ୍‌ଧ ହୋଇଛି। କିନ୍ତୁ ‘ରାମଡେଜିଭିର’ ଚିକିତ୍ସାର ଫଳପ୍ରଦତାରେ ବିଶ୍ବାସ ରଖୁଥିବା ଅନେକ ବିଶିଷ୍ଟ ଚିକିତ୍ସକ ବା ବୈଜ୍ଞାନିକମାନଙ୍କ ମତ ଯେ କୋଭିଡ୍‌ ସ˚କ୍ରମଣର ପ୍ରାରମ୍ଭ ସମୟରୁ ଯଦି ଏହି ଆଣ୍ଟି-ଭାଇରାଲ ଔଷଧର ପ୍ରୟୋଗ କରାଯାଏ, ତେବେ ତାହା ରୋଗୀକୁ ସୁସ୍ଥ କରିବାରେ ପ୍ରଭାବଶାଳୀ ହୋଇଥାଏ। କିନ୍ତୁ କୋଭିଡ୍‌ ଭାଇରସ୍‌ ଶରୀରରୁ ସ˚ପୂର୍ଣ୍ଣ ରୂପେ ଦୂର ହୋଇଗଲା ପରେ ମଧୢ ତାର କ୍ଷତିକାରକ ପ୍ରଭାବରୁ ଶରୀର ପ୍ରତି ଯେଉଁ ଦ୍ବିତୀୟ ପର୍ଯ୍ୟାୟର ବିପଦ ଦେଖା ଦେଇଥାଏ, ସେଥି ଲାଗି ସେହି ସମୟରେ ‘ରାମଡେଜିଭିର’ର ପ୍ରୟୋଗ ନିରର୍ଥକ (ଭାଇରସ୍‌ର ଅନୁପସ୍ଥିତି କାରଣରୁ) ହୋଇପଡ଼େ। ସେହି ସମୟରେ ଅନ୍ୟାନ୍ୟ ଚିକିତ୍ସା ପଦ୍ଧତିର ଅନୁସରଣ କରିବାକୁ ହୋଇଥାଏ। ତେଣୁ ଦ୍ବିତୀୟ ପର୍ଯ୍ୟାୟରେ ପ୍ରବେଶ କରୁଥିବା କୋଭିଡ୍‌ ସ˚କ୍ରମିତମାନେ ଅତ୍ୟନ୍ତ ବିପଜ୍ଜନକ ସ୍ଥିତି ମଧୢ ଦେଇ ଗତି କରୁଥିବା ବେଳେ ‘ରାମଡେଜିଭିର’ର ପ୍ରୟୋଗ ସ୍ବାଭାବିକ ଭାବେ ବିଫଳ ‌ହେଉଥିବାରୁ ଏହା ପ୍ରଭାବହୀଦ ବୋଲି ଏକ ଧାରଣା ସମ୍ଭବତଃ ସୃଷ୍ଟି ହେଉଛି। ତେଣୁ ମୃତ୍ୟୁ ହାର କମାଇବାରେ ଏହି ଆଣ୍ଟି ଭାଇରାଲ ବିଫଳ ବୋଲି ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ପକ୍ଷରୁ କୁହାଯାଇଛି। କିନ୍ତୁ ଗହୀରେଇ ଦେଖିଲେ ବୁଝାପଡ଼ିଥାଏ ଯେ ‘ରାମଡେଜାଭିର’ର ପ୍ରୟୋଗର ସମୟ ହିଁ ଗୁରୁତ୍ବପୂର୍ଣ୍ଣ ଏବ˚ ଏହା ଏକ ଅଚଳ ଉପଚାର ନୁହେଁ। ସଂକ୍ରମଣର ପ୍ରାରମ୍ଭରେ ଏହାର ବ୍ୟବହାର ଆରୋଗ୍ୟର ହାରକୁ ବୃଦ୍ଧି କରିଥାଏ।

ସେହିଭଳି ‘ଇଣ୍ତିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ’ ବା ଆଇସିଏମ୍ଆର୍‌ ପକ୍ଷରୁ ଯାହା କୁହାଯାଇଛି ତାହା ହେଲା ଆରୋଗ୍ୟ କରିବାରେ ‘ପ୍ଲାଜମା ଥେରାପି’ ବିଫଳ ସାବ୍ୟସ୍ତ ହେଉଛି। ସୁତରା˚, ଏହି ଚିକିତ୍ସାକୁ ବନ୍ଦ କରିଦେବା ଲାଗି ପଦକ୍ଷେପ ନିଆଯାଉଛି। ଏହି ସ୍ତମ୍ଭର ପାଠକପାଠିକାମାନେ ଅବଗତ ଥିବେ ଯେ ‘ପ୍ଲାଜମା ଥେରାପି’ ପଦ୍ଧତିରେ ସ˚କ୍ରମିତଙ୍କ ଶରୀରରେ କରୋନା ପ୍ରତିରୋଧକ ‘ଆଣ୍ଟିବଡି’ ଥିବା ରକ୍ତ-ପ୍ଲାଜମା ପ୍ରବେଶ କରାଯାଇଥାଏ, ଯାହା ସଂକ୍ରମିତଙ୍କ ଶରୀରରେ ଭାଇରସ୍‌ର ମୁକାବିଲା କରି ତାକୁ ଅଚଳ କରିଦେଇଥାଏ। ଯଦି ‘ଆଇସିଏମଆର’ର ନିଷ୍କର୍ଷକୁ ଗ୍ରହଣ କରାଯାଏ, ତେବେ ହୁଏ’ତ ଏଭଳି ଏକ ଧାରଣା ଜନ୍ମ ନେଇପାରେ ଯେ କରୋନା ଭାଇରସ୍‌କୁ ପ୍ରତିହତ କରିବାରେ ‘ଆଣ୍ଟିବଡି’ ମଧୢ ସମର୍ଥ ନୁହେଁ। ସୁତରା˚, ସେହି ଆଧାରରେ ଏହା ମଧୢ କୁହାଯାଇପାରେ ଯେ କରୋନା ପ୍ରତିିଷେଧକ ମଧୢ ଅଚିରେ ବିଫଳ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି ବା ଏହି ରୋଗ ନିରାକରଣରେ ‘ଆଣ୍ଟିବଡି’ର ପ୍ରଭାବ ଉପରେ ନିର୍ଭରଶୀଳ ‘ହର୍ଡ‌୍‌ ଇମ୍ୟୁନିଟି’ ଥିଓରି ମଧୢ ଏକ ନିରର୍ଥକ କଳ୍ପନାଶୀଳତା ମାତ୍ର! କିନ୍ତୁ, ‘ପ୍ଲାଜମା ଥେରାପି’ର ସମର୍ଥକ ଅନେକ ବିଜ୍ଞ ଗବେଷକ ଯାହା କହିଥାଆନ୍ତି ତାହା ହେଲା, ରୋଗୀ ଶରୀରକୁ ପ୍ରବେଶ କରିଥିବା ପ୍ଲାଜମାରେ ଯଦି କେବଳ ସାଧାରଣ ‘ଆଣ୍ଟିବଡି’ର ଉପସ୍ଥିତି ଥାଏ ଏବ˚ ତହିଁରେ ‘ନ୍ୟୁଟ୍ରାଲାଇଜି˚ ଆଣ୍ଟିବଡି’ ବା ‘ନିଷ୍ପ୍ରଭକାରୀ ଆଣ୍ଟିବଡି’ ନ ଥାଏ, ତେବେ ସେହି କ୍ଷେତ୍ରରେ ହୁଏ’ତ ପ୍ଲାଜମା ଚିକିତ୍ସା କାର୍ଯ୍ୟ କରି ନ ପାରେ। ତେଣୁ ଏହା ପ୍ଲାଜମା ଚିକିତ୍ସାର ବିଫଳତା ନୁହେଁ, ଏହା ହେଉଛି ସ୍ଥଳ ବିଶେଷରେ ଏକ ନିର୍ଦ୍ଦିଷ୍ଟ ପ୍ରକାର ‘ଆଣ୍ଟିବଡି’ର ଅଭାବଜନିତ ସମସ୍ୟା, ଯାହାର ସମାଧାନ ସମ୍ଭବ। ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ବା ‘ଆଇସିଏମଆର’ର ସଦ୍ୟତମ ନିଷ୍କର୍ଷ କେବଳ ଦୁଇଟି ଉଦାହରଣ ମାତ୍ର; ହାଇଡ୍ରୋକ୍‌ସି କ୍ଲୋରୋକୁଇନ୍‌ର ସଫଳତା ବା ବିଫଳତାକୁ ନେଇ ତର୍କରୁ ଆରମ୍ଭ କରି ‘ପ୍ଲାଜମା ଥେରାପି’ର ଫଳପ୍ରଦତା ନେଇ ମତାମତ ପର୍ଯ୍ୟନ୍ତରେ ହଜାର ହଜାର ପରସ୍ପର ବିରୋଧୀ ସିଦ୍ଧାନ୍ତ ଓ ଉପସ˚ହାର ଏହି କ୍ଷେତ୍ରକୁ ଅଧିକରୁ ଅଧିକ କୋଳାହଳମୟ ଏବ˚ ସ˚ଶୟାଚ୍ଛନ୍ନ କରି ରଖିଛି।

କହିବା ବାହୁଲ୍ୟ ଯେ ରହସ୍ୟମୟ କୋଭିଡ୍‌ ଭାଇରସ୍‌ ଏ ଯାବତ୍‌ ମନୁଷ୍ୟ ବୋଧଗମ୍ୟତାର ଊର୍ଦ୍ଧ୍ବରେ ରହିଛି। ଯଦିଓ ଏହା ସ୍ବୀକାର୍ଯ୍ୟ ଯେ ବିଶ୍ବ ବ୍ୟାପୀ ବୈଜ୍ଞାନିକମାନେ ଏହାର ଚରିତ୍ରର ଅନେକ ଅ˚ଶକୁ ଆଲୋକିତ କରି ସାରିଲେଣି, ତଥାପି ଏହାର ଅନେକା˚ଶ ଅଦ୍ୟାପି ତମସାଚ୍ଛନ୍ନ ହୋଇ ରହିଛି। ସ୍ମରଣଯୋଗ୍ୟ ଯେ ଏହି ପାନ୍‌ଡେମିକ୍‌ର ପ୍ରାରମ୍ଭ କାଳରେ ଏହି ଭାଇରସ୍‌ର ଉଦ୍ଭବ ପ୍ରାକୃତିକ ନା କୃତ୍ରିମ, ସେ ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ଏବେ ସୁଦ୍ଧା ପ୍ରଶମିତ ହୋଇନାହିଁ। ଏବ˚ ଏହି ପରସ୍ପର ବିରୋଧୀ ଦୁଇ ପକ୍ଷରେ ଅନ୍ତର୍ଭୁକ୍ତ ନୋବେଲ ପୁରସ୍କାର ବିଜେତା ବିଶ୍ବ ପ୍ରସିଦ୍ଧ ଗବେଷକଗଣ। ସେହିଭଳି ଏହା ବାୟୁ ଦ୍ବାରା ବ୍ୟାପିଥାଏ କି ନାହିଁ ଅଥବା କୌଣସି ବସ୍ତୁ ଉପରେ ଏହି ଭାଇରସ୍‌ କେତେ ସମୟ ପର୍ଯ୍ୟନ୍ତ ସ˚କ୍ରମଣକ୍ଷମ ହୋଇ ରହିପାରେ; ସେ ନେଇ ପରସ୍ପର ବିରୋଧୀ ମତ ବିଶ୍ବ ପ୍ରସିଦ୍ଧ ବୈଜ୍ଞାନିକମାନଙ୍କ ଠାରୁ ଶୁଣିବାକୁ ମିଳୁଛି। ସୁତରା˚, ଏହି ପରିପ୍ରେକ୍ଷୀରେ ଏହା ଅନୁମାନସାପେକ୍ଷ ଯେ ଏହି ଅଦୃଶ୍ୟ ପରାଙ୍ଗପୁଷ୍ଟ ଅଣୁ-ସତ୍ତାଟି ଅନେକ ଅତୁଲ୍ୟ ଜ୍ଞନୀମାନଙ୍କୁ ସକ୍ରେଟିସସୁଲଭ କ୍ଷୁଦ୍ରତା-ବୋଧ ସହିତ ପରିଚିତ କରାଇଥିବ। ମନୁଷ୍ୟର ଜ୍ଞାନର ସୀମିତତା ନେଇ ଯେଉଁ ଜ୍ଞାନୋଦୟ ସକ୍ରେଟିସଙ୍କ ଠାରେ ଏକ ମହତ୍ତର ଚେତନା ଦ୍ବାରା ସମ୍ଭବ ହୋଇଥିଲା, ସେଭଳି ଏକ ଅବବୋଧ ଆଜି ଅନେକ ଉଚ୍ଚାଭିଳାଷୀ ଓ ଦୃପ୍ତ ବିଦ୍ବାନଙ୍କ ଠାରେ ଏହି ଭାଇରସ୍‌ ସୃଷ୍ଟି କରିଥିବା ସମ୍ଭବ। କାରଣ ସେମାନଙ୍କ ସମସ୍ତ ଜ୍ଞାନ ଗରିମା ସତ୍ତ୍ବେ ଏ ଯାବତ୍‌ ସେମାନେ ଭୂତାଣୁଟିକୁ ଠିକଣା ଭାବେ ବୁଝି ପାରିଲେନାହିଁ।

ସମ୍ବନ୍ଧିତ ଖବର