ପ୍ରସିଦ୍ଧ ଲୋକକଥା ସଞ୍ଚୟିତା ଆଣ୍ତର୍ସନ୍ଙ୍କ ପ୍ରସିଦ୍ଧ ଗଳ୍ପଗୁଡ଼ିକ ମଧୢରୁ ଗୋଟିଏ ହେଉଛି, ‘ରାଜାଙ୍କ ନୂଆବସ୍ତ୍ର’, ଯାହାର କାହାଣୀ ସହ ପ୍ରାୟ ଅଧିକାଂଶ ପରିଚିତ। ଏହି ପାଠକବର୍ଗଙ୍କ ମଧୢରୁ ଅନେକେ ଏ କଥା ମଧୢ ଜାଣିଥିବେ ଯେ ଯେଉଁ ପ୍ରସିଦ୍ଧ କାହାଣୀଟି ପାଇଁ ଡେନମାର୍କର ଏହି ରଚୟିତା ହାନ୍ସ କ୍ରିଷ୍ଟିଆନ୍ ଆଣ୍ତରସନ୍ଙ୍କୁ ଶ୍ରେୟ ଦିଆଯାଇଥାଏ ଠିକ୍ ସେଇ ମର୍ମରେ ଏକ କାହାଣୀ ବହୁ ପୂର୍ବରୁ ଭାରତବର୍ଷରେ ମଧୢ ରଚିତ ହୋଇଥିଲା। ଆଣ୍ତରସନ୍ଙ୍କ କାହାଣୀର ସମୟ ଊନବି˚ଶ ଶତାବ୍ଦୀ ହୋଇଥିବା ବେଳେ ଜୀନରତ୍ନଙ୍କ ରଚିତ ‘ଲୀଳାବତୀସାର’ର ରଚନାକାଳ ତ୍ରୟୋଦଶ ଶତାବ୍ଦୀ। ଏହି ‘ଲୀଳାବତୀସାର’ ହେଉଛି ରଚୟିତା ଜୀନରତ୍ନଙ୍କ ଅଧୁନା ବିସ୍ମୃତ ‘ନିର୍ବାଣ ଲୀଳାବତୀ’ର ସ˚ପାଦିତ ସ˚କଳନ। ଆଣ୍ତର୍ସନ୍ଙ୍କ ‘ରାଜାଙ୍କ ନୂଆବସ୍ତ୍ର’ ଗଳ୍ପର କାହାଣୀ ହେଲା ଏକଦା ଦୁଇ ଧୂର୍ତ୍ତ ବସ୍ତ୍ର ବ୍ୟବସାୟୀ ନିଜକୁ ସୁଦକ୍ଷ ବୁଣାକାରର ପରିଚୟ ଦେଇ ଜଣେ ରାଜାଙ୍କ ପାଖରେ ପହଞ୍ଚନ୍ତି। ରାଜା ଅତ୍ୟନ୍ତ ସୌଖୀନ ଏବ˚ ପ୍ରତ୍ୟହ ନୂଆ ନୂଆ ଦାମୀ ବସ୍ତ୍ର ପରିଧାନରେ ଆଗ୍ରହୀ। ଧୂର୍ତ୍ତ ବୁଣାକାରଦ୍ବୟ ରାଜାଙ୍କୁ ପ୍ରତିଶ୍ରୁତି ଦିଅନ୍ତି ଯେ ସେମାନେ ଏଭଳି ସୂକ୍ଷ୍ମ ପୋଷାକ ବୁଣିଦେବେ ଯାହା ଅନନ୍ୟ; ମାତ୍ର ତାହା ନିର୍ବୋଧ ଓ ଅଯୋଗ୍ୟମାନଙ୍କ ଆଖିକୁ ଦିଶିବ ନାହିଁ। ଏହା ପରେ ପ୍ରଚୁର ଧନରତ୍ନ ନେଇ ଦୁଇ ଧୂର୍ତ୍ତ ଅୟସରେ ମଜ୍ଜି ରହନ୍ତି। ରାଜାଙ୍କର ନିଷ୍ଠାପର କର୍ମଚାରୀ ଯାଇ ଦେଖନ୍ତି, ତନ୍ତରେ କିଛି ବୁଣାଯାଉନାହିଁ। ଦୁହେଁ ଖାଲି ଲୁଗା ବୁଣିବାର ଅଭିନୟ କରୁଛନ୍ତି। ମାତ୍ର ସେ ଏକଥା ରାଜାଙ୍କୁ କହନ୍ତି ନାହିଁ, କାଳେ ରାଜା ତାଙ୍କୁ ନିର୍ବୋଧ କିମ୍ବା ଅଯୋଗ୍ୟ ଅଥବା ଦିଇଟାଯାକ ବୋଲି ଭାବିବସିବେ। ଶେଷକୁ ଧୂର୍ତ୍ତ ବୁଣାକାର ଦୁହେଁ ରାଜାଙ୍କୁ ଦିନେ ତାଙ୍କର ସେଇ ଭବ୍ୟ ପୋଷାକ ଆଣି ପିନ୍ଧାଇ ଦିଅନ୍ତି। ରାଜା ସେ ପୋଷାକ ପିନ୍ଧି ନଗର ପରିକ୍ରମାରେ ବାହାରନ୍ତି। ରାସ୍ତାର ଦୁଇପାର୍ଶ୍ବରେ ଠିଆ ହୋଇଥିବା ଲୋକମାନେ ରାଜା ଲଙ୍ଗଳା ବୋଲି ଦେଖୁଥିଲେ ମଧୢ କାଳେ ନିର୍ବୋଧ ଓ ଅଯୋଗ୍ୟ ବୋଲି ପ୍ରତିଭାତ ହେବେ ସେଥିପାଇଁ କିଛି କହନ୍ତିନାହିଁ। ଏହି ସମୟରେ ଦର୍ଶନାର୍ଥୀଙ୍କ ମଧୢରେ ଥିବା ସାନ ପିଲାଟିଏ ଚିତ୍କାର କରି ଉଠେ, ‘ହେ ରାଜା! ତୁମେ ଲଙ୍ଗଳା।’ ଅବଶେଷରେ ସତ୍ୟ ଉଦ୍ଘାଟିତ ହୁଏ। ମାତ୍ର ସେତେବେଳକୁ ଧୂର୍ତ୍ତ ବସ୍ତ୍ର ବ୍ୟବସାୟୀ ସେ ରାଜ୍ୟରୁ ନିରାପଦରେ ଚାଲିଯାଇଥାଆନ୍ତି। ଆଣ୍ତର୍ସନ୍ ଏବ˚ ଜୀନରତ୍ନଙ୍କ ଗଳ୍ପ ଏକପ୍ରକାର ହେଲେ ମଧୢ ପରିଣତିରେ ସାମାନ୍ୟ ପାର୍ଥକ୍ୟ ରହିଛି। ଆଣ୍ତର୍ସନ୍ଙ୍କ ଗଳ୍ପର ରାଜା ସତ୍ୟ ଜାଣିବା ପରେ ସୁଦ୍ଧା ନଗର ପରିକ୍ରମା ଅବ୍ୟାହତ ରଖିଥିବାବେଳେ ଭାରତୀୟ କାହାଣୀର ରାଜା, ଶ୍ରାବସ୍ତୀର ମହାରାଜ ହସ୍ତିନାପୁରର ପ୍ରତାରକଙ୍କ ଧୂର୍ତ୍ତତା ଜାଣିବା ପରେ ନିଜର ନିର୍ବୋଧତା ଉପଲବ୍ଧି କରନ୍ତି।
ବହୁ ପରିଚିତ ଏଇ ଲୋକ କାହାଣୀଟି ଏଠାରେ ଉପସ୍ଥାପିତ କରିବାର କାରଣ ହେଲା, ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ତାଙ୍କ ମନ୍ତବ୍ୟରେ ଭାରତକୁ ଚୀନ ଓ ରୁଷିଆ ପରି ଏକ ଅତ୍ୟନ୍ତ ମଳିଛିଆ ଦେଶ ବୋଲି କହିବା ପରେ ସେ ନେଇ ସୃଷ୍ଟି ହୋଇଥିବା ଅବା˚ଛିତ ତଥା ଆତ୍ମପ୍ରବଞ୍ଚନା ମୂଳକ କ୍ଷୋଭପ୍ରକାଶ। ଭାରତୀୟ ବୌଦ୍ଧିକ ମହଲରେ ସୃଷ୍ଟ ଏହି କ୍ଷୋଭ ଦେଖି ମନେ ହେଉଛି ସତେ କି ଆମେ ଭାରତୀୟମାନେ ଆଜି ପର୍ଯ୍ୟନ୍ତ ଆମର ମଳିଛିଆ ଚେହେରା କଥା ଜାଣିପାରିନଥିଲୁ, ଡୋନାଲଡ୍ ଟ୍ରମ୍ପ ଲୋକକଥାର ସେହି ବାଳକଟି ପରି ତାହା ଆମ ଆଗରେ ଉଦ୍ଘାଟିତ କରି ଦେଲେ। ଏକଥା ସତ ଯେ, କ୍ଷୋଭ ପ୍ରକାଶକାରୀଙ୍କ ମଧୢରୁ ଗୋଟିଏ ବଡ଼ ଗୋଷ୍ଠୀର ଯୁକ୍ତି ହେଉଛି, ଭାରତ ସହ ଆମେରିକାର ଉତ୍ତମ ଦି-ପାକ୍ଷିକ ସ˚ପର୍କ ସତ୍ତ୍ବେ ସେ ଏଭଳି କଟୂ ମନ୍ତବ୍ୟ ଦେଲେ କିଭଳି? ସିଏ କ’ଣ ଅହମଦାବାଦରେ ତାଙ୍କୁ ଦିଆଯାଇଥିବା ଐତିହାସିକ ଭବ୍ୟ ସମ୍ବର୍ଦ୍ଧନାକୁ ଭୁଲିଗଲେ?
ଆମେରିକାର ରାଷ୍ଟ୍ରପତି କେଉଁ ପ୍ରସଙ୍ଗରେ ଏକଥା କହିଥିଲେ ତାହା ସମସ୍ତେ ଜାଣନ୍ତି। ପ୍ୟାରିସ ଚୁକ୍ତିନାମାରୁ ଓହରି ଆସିବା ପଦକ୍ଷେପର ଔଚିତ୍ୟ ନେଇ ଏହା ଥିଲା ତାଙ୍କର ଯୁକ୍ତି। ପୃଥିବୀର ପରିବେଶକୁ ପ୍ରଦୂଷିତ କରିବା ପଛରେ ଖୋଦ୍ ଯୁକ୍ତରାଷ୍ଟ୍ର ଆମେରିକାର କେଉଁ ପ୍ରକାର ଅବଦାନ ଅଛି ତାହା ମଧୢ କାହାକୁ ଅଜଣା ନୁହେଁ। ଏହା ସତ୍ତ୍ବେ ଭାରତ ତାର ମଳିନ, ଦୁର୍ଗନ୍ଧପୂର୍ଣ୍ଣ ଅପରିଷ୍କାର ଚେହେରାକୁ ଘୋଡ଼େଇ ରଖିବା ପାଇଁ ଆବଶ୍ୟକ ଯୁକ୍ତି ଖୋଜି ପାଏ ନାହିଁ। ଭାରତର ନଦୀ, ନାଳ, ପୋଖରୀ, ପରିବେଶ, ଫୁଟ୍ପାଥ୍, ଜନପଥ, ରାଜପଥ ଏପରିକି ଏ ଦେଶର ପଞ୍ଚଭୂତ ଆଜି ସତେ କି ଅଳିଆ ଆବର୍ଜନା ପ୍ରଦୂଷିତ ବାୟୁ ଏବ˚ ବିଷାକ୍ତ ରୋଗଜୀବାଣୁରେ ଭର୍ତ୍ତି। ଏହା ଆଦୌ ନୂଆ କଥା ନୁହେଁ ଯେ ଭାରତର ରାଜଧାନୀ ଦିଲ୍ଲୀ ଯାହାକୁ ଏକଦା କବିମାନେ ପ୍ରଶ˚ସା କରି ‘ପୁଷ୍ପେଷୁ ମଲ୍ଲୀ/ ନଗରେଷୁ ଦିଲ୍ଲୀ’ ବୋଲି କହୁଥିଲେ ତାହା ଏବେ ପୃଥିବୀର ଅସ୍ବାସ୍ଥ୍ୟକର ସହର ମଧୢରୁ ଅନ୍ୟତମ। ପ୍ରତିବର୍ଷ ଦିଲ୍ଲୀର ପ୍ରଦୂଷଣ ହାର ବଢ଼ି ବଢ଼ି ଚାଲିଛି ଏବ˚ ଏକଥା କୁହାଯାଉଛି ଯେ ଦିଲ୍ଲୀରେ ରହିଲେ ଜଣେ ଲୋକର ଆୟୁଷ ସର୍ବନିମ୍ନ ଦଶବର୍ଷ କମିଯିବା ନିଧାର୍ଯ୍ୟ। ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ଯେଉଁ ବାୟୁସ୍ତରକୁ ଆପତ୍ତିଜନକ ବା ଜୀବନର ପ୍ରତିକୂଳ ବୋଲି କହିଥାଆନ୍ତି ତାହାଠାରୁ ବାରଗୁଣା ଖରାପ ବାୟୁସେବନ ପାଇଁ ଦିଲ୍ଲୀବାସୀ ବାଧୢ ହୋଇଥାଆନ୍ତି। ପୃଥିବୀର ମଳିଛିଆ ସହରମାନଙ୍କ ତାଲିକାରେ ଭାରତର ଅନ୍ୟୂନ ୧୫ଟି ସହରର ନାମ ସବୁବେଳେ ରହିଆସିଛି। ତେଣୁ ଭାରତ ସ˚ପର୍କରେ ଟ୍ରମ୍ପଙ୍କର ମନ୍ତବ୍ୟ ଅପମାନଜନକ ମନେ ହୋଇପାରେ ମାତ୍ର ଏହା ଅପଳାପ ନୁହେଁ।
ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ‘ସ୍ବଚ୍ଛଭାରତ’ର ସ୍ଳୋଗାନ୍ ଦେଇ ଖୁବ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ଭାରତର ସାଂସ୍କୃତିକ ପରିଚୟ ଏବ˚ ଅନ୍ୟତମ ଜୀବନରେଖା ଭାବରେ ପ୍ରତିଭାତ ଗଙ୍ଗାନଦୀକୁ ପ୍ରଦୂଷଣମୁକ୍ତ କରିବା ନେଇ ତାଙ୍କର ‘ନମାମି ଗଙ୍ଗେ’ ଯୋଜନା ମଧୢ ଉତ୍ତର ଭାରତ ତଥା ଅବଶିଷ୍ଟ ଭାରତରେ ବେଶ୍ ପ୍ରଶ˚ସା ସ˚ଗ୍ରହରେ ସମର୍ଥ ହୋଇଥିଲା। ଜନସାଧାରଣଙ୍କ ମନରେ ଆସ୍ଥା ସୃଷ୍ଟି ହୋଇଥିଲା ଯେ ନରେନ୍ଦ୍ର ମୋଦୀ ଦେଶର ଗୁରୁତ୍ବପୂର୍ଣ୍ଣ ସମସ୍ୟାଗୁଡ଼ିକୁ ଠିକ୍ ଚିହ୍ନଟ କରି ତାର ପ୍ରତିକାର ବ୍ୟବସ୍ଥା କରିବାକୁ ଅଣ୍ଟା ଭିଡ଼ିଛନ୍ତି। ମାତ୍ର ଆଜି ଛଅ ବର୍ଷ ତଳେ, ବାସ୍ତବ ସ୍ଥିତିକୁ ଅନୁଧୢାନ କଲେ ମନେ ହେଉଛି, ଅତୀତର ଅସ˚ଖ୍ୟ ସ୍ଳୋଗାନ ପରି ଏଇ ସ୍ଳୋଗାନ ଯୋଡ଼ିକ ମଧୢ ବ୍ୟର୍ଥ ହେବାକୁ ଯାଉଛି। ଆଜି ମଧୢ ଭାରତର ପ୍ରାୟ ସବୁ ହ୍ରଦ ଏବ˚ ନଦୀ ପୂର୍ବପରି ବିଷଭର୍ତ୍ତି, କଳକାରଖାନା ଏବ˚ ସହରାଞ୍ଚଳ ବର୍ଜ୍ୟବସ୍ତୁର ଜ୍ବାଳାରେ ଜଳାଧାରଗୁଡ଼ିକ ଉଚ୍ଛନ୍ନ। କୋଟି କୋଟି ଟଙ୍କାର ପ୍ରଚାର ଏବ˚ ଆଡ଼ମ୍ବର ସତ୍ତ୍ବେ ଆମର ସ୍ମାର୍ଟସିଟି ଗୁଡ଼ିକର ଫୁଟ୍ପାଥ ଅବସ୍ଥା ପୂର୍ବପରି, ଯାହାର ସକାଳର ଓଦା ଚେହେରା କାକର କି ବର୍ଷାବୁନ୍ଦା ଜନିତ ନୁହେଁ ବର˚ ଦାୟିତ୍ବହୀନ ନାଗରିକମାନଙ୍କର ଅବିଚାରିତ ମୂତ୍ରବିସର୍ଜନ ଜନିତ। କେନ୍ଦ୍ର ସରକାର ଘୋଷଣା କରିଥିଲେ ୨୦୧୯ ଭିତରେ ଅଧିକ ୧୨ ନିୟୁତ ଘରେ ଶୌଚାଳୟ ସୁବିଧା ରହିବ, ସହରରେ ୨୫ ନିୟୁତ ସର୍ବସାଧାରଣ ଶୌଚାଳୟ ଏବ˚ ମଫସଲରେ ୩୦ ନିୟୁତ ଶୌଚାଳୟ ନିର୍ମିତ ହେବ। ୬୨ ହଜାର କୋଟି ଟଙ୍କା ବ୍ୟୟରେ ଏସବୁ ନିର୍ମାଣ କରିବାର ଯେଉଁ ବୃହତ୍ ଯୋଜନା ସ୍ଥିର କରାଯାଇଥିଲା ତାହାର ସ୍ଥିତାବସ୍ଥା ଆଜି କଅଣ, ସେ ସମ୍ପର୍କରେ ଚର୍ଚ୍ଚା ହେବା ଦରକାର। ଅନୁରୂପ ଭାବରେ ଘୋଷଣା ହୋଇଥିଲା, ଭାରତର ଶହେଟି ସହରକୁ ସ୍ମାର୍ଟ ସିଟି ମାନ୍ୟତା ଦିଆଯିବ, ଯେଉଁଠି ଦିନରେ ୨୪ ଘଣ୍ଟା ବିଶୁଦ୍ଧ ପିଇବା ପାଣି ଯୋଗାଇ ଦିଆଯିବା ସହ ସେଗୁଡ଼ିକ ଅଳିଆ ଆବର୍ଜନା ମୁକ୍ତ କରାଯିବ। ଓଡ଼ିଶାର ରାଜଧାନୀ ଭୁବନେଶ୍ବର ମଧୢ ଏକ ସ୍ମାର୍ଟ ସିଟି। ବିମାନବନ୍ଦର ଓ ରାଜଭବନ ସନ୍ନିକଟସ୍ଥ କିଛି ଅଞ୍ଚଳ ଛାଡ଼ି ଏହାର ଅବଶିଷ୍ଟ ଅଞ୍ଚଳର ରୁଗ୍ଣ, ମଳିନ, ବିଷଣ୍ଣ ଚେହେରା ଓ ପୂତିଗନ୍ଧପୂର୍ଣ୍ଣ ପରିବେଶ ଦେଖିଲେ ଅନୁଭବ ହେବ, ସ୍ମାର୍ଟ ସିଟି ନେଇ ଏହି ସ୍ବପ୍ନ ମଧୢ ଅତୀତର ବହୁ ସ୍ବପ୍ନ ପରି ବିକଳ-ବିଫଳ ହୋଇଛି।
ଭାରତ ଏଭଳି ଏକ ମଇଳାଗଦା ପରି ଦିଶିବାର କାରଣ କ’ଣ? ବହୁବର୍ଷ ତଳେ ମହାତ୍ମା ଗାନ୍ଧୀ ବନାରସର ପ୍ରସିଦ୍ଧ ମନ୍ଦିର ଭିତରର ଆବର୍ଜନାପୂର୍ଣ୍ଣ ପରିବେଶ ଦେଖି ଖୁବ୍ ମନଦୁଃଖ କରିଥିଲେ। ସିଏ ହିଁ କହିଥିଲେ, ‘ପରିଚ୍ଛନ୍ନତା ହେଉଛି ଦେବତ୍ବ’। ହିନ୍ଦୁ ସ˚ସ୍କାରରେ ଯେ କୌଣସି ପୂଜା ପାଠ ଆରମ୍ଭରେ ‘ଆସନ ଶୁଦ୍ଧି’ ପରି କେତେକ ମନ୍ତ୍ରପାଠ କରାଯାଇଥାଏ। ଏସବୁ ସତ୍ତ୍ବେ ଭାରତର ଚେହେରାରେ ପରିବର୍ତ୍ତନ ଆସିପାରିନାହିଁ। ଏଥିପାଇଁ କିଛି କାରଣ ଅଭ୍ୟାସଗତ ହୋଇଥିବା ବେଳେ ଆଉ କିଛି କାରଣ ପ୍ରଶାସନିକ ଅବହେଳାଜନିତ। ଅଭ୍ୟାସଗତ କାରଣ ଭିତରେ ପଞ୍ଜାବର ଚାଷୀମାନେ ଶୀତଦିନେ ସେମାନଙ୍କ ଗହମ କ୍ଷେତର ମୂଳ ପୋଡ଼ିବା ଅଭ୍ୟାସ ଗୋଟିଏ। ଏହି କାରଣ ଯୋଗୁଁ ଶୀତଦିନେ ନୂଆଦିଲ୍ଲୀ ସମେତ ପାର୍ଶ୍ବବର୍ତ୍ତୀ ଅଞ୍ଚଳର ପରିବେଶ ବିଷାକ୍ତ ହୋଇ ଉଠିଥାଏ। ଦ୍ବିତୀୟ କାରଣ ହେଉଛି କୋଇଲା ଏବ˚ ପେଟ୍ରୋଲଜାତ ଜାଳେଣି ଉପରେ ଆମର ଅତ୍ୟଧିକ ନିର୍ଭରଶୀଳତା। ଡୋନାଲ୍ଡ ଟ୍ରମ୍ପଙ୍କ ବକ୍ତବ୍ୟ ନେଇ ଆକ୍ଷେପ ପ୍ରକାଶ କରୁଥିବା ଯେ କୌଣସି ବ୍ୟକ୍ତି ମୁହୂର୍ତ୍ତକ ପାଇଁ ଚିନ୍ତା କରନ୍ତୁ- ଭାରତର ରାଜଧାନୀ ଦିଲ୍ଲୀର ଆଖପାଖ ପରିବେଶ କିପରି ଏବ˚ ଆମେରିକାର ରାଜଧାନୀ ଯୁକ୍ତରାଷ୍ଟ୍ର ଆମେରିକାର ଆଖପାଖ ପରିବେଶ କିପରି। କଲିକତାରୁ ଦିଲ୍ଲୀ ଯାଉଥିବା ଯେ କୌଣସି ଟ୍ରେନ୍ ଯାତ୍ରୀଙ୍କର ଘାଜିଆବାଦରେ ଆଲକାତରା ରଙ୍ଗ ଧୂଆଁ ବଳୟ ଦେଖି ଟ୍ରେନ୍ ଝରକା ବନ୍ଦ କରି ଦେଇଥିବାର ଅଭିଜ୍ଞତା ମନେ ଥିବ। ଅଥଚ ଵାଶି˚ଟନ ଡିସିର ୫୦ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ କଳାଧୂଆଁ ଛାଡୁଥିବା କୌଣସି ଗୋଟିଏ କାରଖାନା ଦେଖିବାକୁ ମିଳେ ନାହିଁ। ସୁତରା˚ ଟ୍ରମ୍ପଙ୍କ ବକ୍ତବ୍ୟକୁ ଅତିର˚ଜନ ବା ଅପଳାପ କହିବାରେ କୌଣସି ଯୁକ୍ତି ନାହିଁ।
ଟ୍ରମ୍ପ ହୁଏତ ଭାରତ କଥା ସ୍ବତନ୍ତ୍ର ଭାବରେ ଉଲ୍ଲେଖ କରି ପାରିଥାଆନ୍ତେ, କାରଣ ଚୀନ୍ ଓ ରୁଷିଆ ପରି ଦୁଇ କମ୍ୟୁନିଷ୍ଟ ଦେଶ ଯାହା ଲୌହହସ୍ତ ଶାସକମାନଙ୍କ ଦ୍ବାରା ଶାସିତ, ତାହା ସହ ଭାରତକୁ ମିଶାଇ ଏପରି ମନ୍ତବ୍ୟ ଦେବା ଟିକିଏ ଅସ୍ବସ୍ତିକର। ତେବେ ଟ୍ରମ୍ପଙ୍କ ବିବୃତି କ୍ଷୋଭ ବା କ୍ରୋଧ ପରିବର୍ତ୍ତେ ଭାରତୀୟଙ୍କ ମଧୢରେ ଆତ୍ମସମୀକ୍ଷାର ଅବକାଶ ସୃଷ୍ଟି କଲେ ତାହା ବର˚ ଏହି ଦେଶ ଲାଗି ମଙ୍ଗଳକାରୀ ସାବ୍ୟସ୍ତ ହୁଅନ୍ତା। କାରଣ ଆମେମାନେ ଜାଣିଛୁ ଯେ ଦୂଷିତ ପରିବେଶ ଯୋଗୁଁ ଦେଶରେ ସର୍ବାଧିକ ଶିଶୁ ଅକାଳରେ ମରୁଛନ୍ତି, ଦୂଷିତ ପାଣି ପିଇବା ଯୋଗୁଁ ପ୍ରତିବର୍ଷ ୨ ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି। ଏସବୁ ଦୃଷ୍ଟିରୁ କେନ୍ଦ୍ର ସରକାର, ରାଜ୍ୟ ସରକାର, ପୌରପାଳିକା ଏବ˚ ପଞ୍ଚାୟତଗୁଡ଼ିକ ଏହି ଦିଗଟିକୁ ସର୍ବାଧିକ ଗୁରୁତ୍ବ ଏବ˚ ପ୍ରାଥମିକତା ଦେବା ଆବଶ୍ୟକ। ତାହା ନହେଲେ ଆମ ଦେଶ ଚିରକାଳ ସରୋଜିନୀ ନାଇଡୁ କହିଥିବା ମତେ ‘ଏକ ବୃହତ୍ ମୁକ୍ତ ଶୌଚାଳୟ’ର ଅପଖ୍ୟାତି ମୁଣ୍ତାଇ ଚାଲିଥିବ, ଯାହା ଆମ କାହାରି ପାଇଁ ଆଦୌ ଗୌରବାବହ ନୁହେଁ।