ନିର୍ବାଚନ ଓ ଭ୍ୟାକସିନ

ଯଦି ରାଷ୍ଟ୍ରକୁ ଏକ ଯାନ ରୂପେ ବିଚାର କରାଯାଏ, ତେବେ ତାର ଚାଳକ କିଏ ବୋଲି ପ୍ରଶ୍ନ କରାଗଲେ ଠିକ ଉତ୍ତରଟି ହେବ ‘ରାଜନୀତି’। ଯେଉଁମାନେ ‘ଅର୍ଥନୀତି’କୁ ଚାଳକ ଆସନରେ ବସାଇବାକୁ ଚାହାନ୍ତି, ସେମାନେ ରାଷ୍ଟ୍ରର ଅଗ୍ରଗତି ପ୍ରସଙ୍ଗରେ କିଞ୍ଚିତ ମାନସମନ୍ଥନ କଲେ ହୃଦୟଙ୍ଗମ କରିପାରିବେ ଯେ ଯାନଟିକୁ ଚଳନକ୍ଷମ କରିବା ଲାଗି ଅର୍ଥନୀତି ହେଉଛି ଇନ୍ଧନ, ଚାଳକ ନୁହେଁ। ସେହି ପରିପ୍ରେକ୍ଷୀରେ ସ୍ବୀକାର କରିବାକୁ ହେବ ଯେ ଏକ ଗଣତନ୍ତ୍ରରେ ଯେ କୌଣସି ପ୍ରସଙ୍ଗର ‘ରାଜନୀତୀକରଣ’ରେ ଏକ ସକାରାତ୍ମକ ଦିଗ ରହିଛି, ଯଦିଓ ଅଧିକା˚ଶ ଏଭଳି ‘ରାଜନୀତୀକରଣ’କୁ ଅଯଥା ବା ତୁଚ୍ଛା ଏପରିକି ବିରକ୍ତିକର ବୋଲି ଅଭିହିତ କରିଥାଆନ୍ତି। ଏହା ମଧ୍ୟ ଅନସ୍ବୀକାର୍ଯ୍ୟ ଯେ ‘ରାଜନୀତୀକରଣ’ ହେତୁ ଅନେକ ସମୟରେ ସ˚ସ୍କାର ସକାଶେ ବା ରଚନାତ୍ମକ ପରିବର୍ତ୍ତନ ଲାଗି ମାର୍ଗ ପ୍ରଶସ୍ତ ହେବା ସହିତ ସାଧାରଣ ନାଗରିକର ହିତ ସାଧିତ ହୋଇଥାଏ।

ଏକ ଉଦାହରଣ ସ୍ବରୂପ ଧରି ନିଆଯାଉ କୌଣସି ଏକ ଅଞ୍ଚଳରେ ଅପପୁଷ୍ଟିଜନିତ ଶିଶୁ ଅପମୃତ୍ୟୁ ଘଟିଲା। ଗଣମାଧ୍ୟମରେ ତାହା ପ୍ରକାଶିତ ହେବା ପରେ ଯଦି ରାଜନୈତିକ ଉଦ୍‌ବେଳନ ସୃଷ୍ଟି ହୁଅନ୍ତା ନାହିଁ, ତେବେ ତାହା ହୁଏ’ତ ସାମୟିକ ଉଷ୍ମତା ସୃଷ୍ଟି କରି ପୁନର୍ବାର ଶୀତଳ ପଡ଼ି ଯାଆନ୍ତା। ଏଭଳି ସ୍ଥଳେ ଏହି ଘଟଣାର ରାଜନୀତୀକରଣ ପ୍ରସଙ୍ଗକୁ ଅନେକ କାଳ ଯାଏ ଉତ୍ତପ୍ତ ରଖିପାରେ; ଜନମତ ସୃଷ୍ଟି କରିବାରେ ସହାୟକ ହୋଇପାରେ ଏବ˚ ସମସ୍ୟାର ସମାଧାନ ଲାଗି ତ୍ବରିତ୍‌ କାର୍ଯ୍ୟାନୁଷ୍ଠାନ ସମ୍ଭବ କରାଇପାରେ। ଯଦିଓ, ଏହା ମଧୢ ସତ ଯେ ଅଧିକା˚ଶ କ୍ଷେତ୍ରରେ ରାଜନୀତୀକରଣ ଦିଗହରା ହୋଇ ସ˚କୀର୍ଣ୍ଣ ଦଳୀୟ ରାଜନୈତିକ ସ୍ବାର୍ଥ ସାଧନ ବା ଅନେକ ସମୟରେ ବ୍ୟକ୍ତିଗତ କୁତ୍ସାରଟନା ସ୍ତରକୁ ଓହ୍ଲାଇ ଆସିଥାଏ, ତଥାପି ଏହା ଦ୍ବାରା ପ୍ରାପ୍ତ ହେଉଥିବା ସର୍ବଶେଷ ଫଳାଫଳ ଏକ ବୃହତ୍ତର ଜନସମାଜର ହିତ ସାଧନ କରିବାରେ ସମର୍ଥ ହୋଇଥାଏ। ଏହି ପରିପ୍ରେକ୍ଷୀରେ ବିହାର ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ନିର୍ବାଚନ ଇସ୍ତାହାରରେ ସ୍ଥାନ ପାଇଥିବା ପ୍ରତିଶ୍ରୁତି ଯାହା ବିହାରର ସବୁ ନାଗରିକଙ୍କ ଲାଗି ମାଗଣା ଭ୍ୟାକ୍‌ସିନ ଉପଲବ୍‌ଧ କରିବା ବିଷୟ କହିଥାଏ; ସ୍ବାଭାବିକ ଭାବେ ଏକ ରାଜନୈତିକ ବିବାଦ ସୃଷ୍ଟି କରିବା ସହିତ ଏ ସ˚ପର୍କରେ ଏକ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଛି। ରାଜନୈତିକ ଫାଇଦା ହାସଲ କରିବା ଲାଗି କରୋନା ପାନ୍‌ଡେମିକ୍‌ ଭଳି ଏକ ଅତ୍ୟନ୍ତ ସା˚ଘାତିକ ତଥା ବିମର୍ଷକର ମାନବିକ ଟ୍ରାଜେଡିର ରାଜନୀତୀକରଣ କରାଯିବା ଉଚିତ ନା ନୁହେଁ; ତାକୁ ନେଇ ପ୍ରଶ୍ନ ପଚରାଯିବାରେ ଲାଗିଛି।

ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ଇସ୍ତାହାରରେ ଏଭଳି ଏକ ପ୍ରତିଶ୍ରୁତି ଦେଇ ବିଜେପି ନିର୍ବାଚନ ଆଦର୍ଶ ଆଚରଣ ସ˚ହିତାର ଉଲ୍ଲ˚ଘନ କରିଛି ବୋଲି ଦର୍ଶାଇ ସାକେତ ଗୋଖଲେ ନାମକ ଜନୈକ ସୂଚନା ଅଧିକାର କର୍ମୀ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ତାର ଉତ୍ତରରେ ଗଲା ଶନିବାର ଦିନ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜେପିକୁ ଦୋଷମୁକ୍ତ କରାଯାଇଛି। ନିର୍ବାଚନ ଆୟୋଗ କହିଛନ୍ତି ଯେ ଆଦର୍ଶ ଆଚରଣ ସ˚ହିତାର ଅଷ୍ଟମ ଅଧୢାୟରେ ସନ୍ନିବେଶିତ ତିନିଟି ଯାକ ନିୟମର କଷଟିରେ ବିଜେପି ଉତ୍ତୀର୍ଣ୍ଣ ହୋଇଛି। ତହିଁରୁ ପ୍ରଥମଟି କହିଥାଏ ଯେ କୌଣସି ପ୍ରତିଶ୍ରୁତି ଯେପରି ଭାରତୀୟ ସ˚ବିଧାନର ଆଦର୍ଶ ଓ ମୂଲ୍ୟବୋଧକୁ ଆଘାତ ନ ପହଞ୍ଚାଏ। ଦ୍ବିତୀୟ ନିୟମଟି ସ୍ପଷ୍ଟ କରିଥାଏ ଯେ ‘ଡିରେକ୍ଟିଭ୍‌ ପ୍ରିନସ୍‌ପଲ ଅଫ୍‌ ଷ୍ଟେଟ୍‌ ପଲିସି’ ଆଧାରରେ ନାଗରିକମାନଙ୍କ ହିତାର୍ଥେ ଉଦ୍ଭଟ ବୋଲି ପ୍ରତୀତ ହେଉ ନ ଥିବା ଯେ କୌଣସି ଜନ କଲ୍ୟାଣମୂଳକ ପଦକ୍ଷେପର ପ୍ରତିଶ୍ରୁତି ଦିଆଯାଇପାରେ। ତୃତୀୟ ନିୟମ ଅନୁସାରେ କୌଣସି ପ୍ରତିଶ୍ରୁତି ଯେମିତି ନିର୍ବାଚନ ପ୍ରକ୍ରିୟାର ସ୍ବଚ୍ଛତା ବା ନିର୍ବାଚନ ରଣାଙ୍ଗନର ସମତଳତାକୁ ପ୍ରଭାବିତ ନ କରେ। ଯଦିଓ ନିର୍ବାଚନ ଆୟୋଗ ଦ୍ବାରା ବିଜେପି ଆରୋପମୁକ୍ତ ହୋଇଛି, ଏହି ବିବାଦରେ ଭଟ୍ଟା ପଡ଼ିବାର ଆଶା କମ୍‌। ତେବେ ଏହି ସ˚ଦର୍ଭରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ହେଲା ଏଭଳି ଏକ ପ୍ରତିଶ୍ରୁତି ଦ୍ବାରା କେବଳ ବିଜେପି ଲାଭବାନ ହେବାର ସମ୍ଭାବନା ରହିଛି ନା ସମଗ୍ର ରାଷ୍ଟ୍ର ଏଥିରୁ ଲାଭର ଫସଲ ଅମଳ କରିପାରେ?

ଏହି ପୃଷ୍ଠଭୂମିରେ ନୀତୀନ ପାଇଙ୍କ ଦ୍ବାରା ଲିଖିତ ଏବ˚ ‘ଦ ପ୍ରିଣ୍ଟ୍‌’ରେ ପ୍ରକାଶିତ ଏକ ଆଲେଖ୍ୟ ଆଲୋଚନା ସାପେକ୍ଷ। ଏଥିରେ ଲେଖକଙ୍କ ମତ ଯେ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଦ୍ବାରା ପ୍ରଦାନ କରାଯାଉଥିବା ପ୍ରତିଶ୍ରୁତିରେ ଟେଲିଭିଜନ ସେଟ୍‌, କେବଲ୍‌ ସ˚ଯୋଗ ଠାରୁ ଆରମ୍ଭ କରି ଘରକରଣା ପଦାର୍ଥ, ସାଇକେଲ କି ଶାଢ଼ି ଓ ଗହଣା ପର୍ଯ୍ୟନ୍ତରେ ଅନେକ ସାମଗ୍ରୀର ମାଗଣା ବଣ୍ଟନ ବିଷୟ ସ୍ଥାନ ପାଇଥାଏ। ସେହି ଦୃଷ୍ଟିରୁ କରୋନା ଭଳି ଏକ ଶ୍ବାସରୁଦ୍ଧକାରୀ ପାନ୍‌ଡେମିକ୍‌ରୁ ସାଧାରଣ ଲୋକଙ୍କୁ ତ୍ରାହି ଦେବା ଲାଗି ଯଦି ମାଗଣା ଭ୍ୟାକ୍‌ସିନର ପ୍ରତିଶ୍ରୁତି ଦିଆଯାଏ, ତେବେ ତହିଁରେ ଆପତ୍ତିର କୌଣସି କାରଣ ନାହିଁ। ଏହି ଯୁକ୍ତିକୁ ଟିକିଏ ପରିବର୍ଦ୍ଧନ କରି ଧରି ନିଆଯାଉ ବିଜେପି ବିହାରରେ ନିର୍ବାଚନ ଜିଣି କ୍ଷମତାକୁ ଆସିଲା; ତେବେ ଏହା ସତ ଯେ ଦଳ ପକ୍ଷରୁ ‘ମାଗଣା ଭ୍ୟାକସିନ’ ପ୍ରତିଶ୍ରୁତିକୁ ପୂରଣ କରିବା ଲାଗି ସମସ୍ତ ଉଦ୍ୟମ ଅଗ୍ରାଧିକାର ଭିତ୍ତିରେ ପ୍ରାରମ୍ଭ କରାଯିବ। କହିବା ବାହୁଲ୍ୟ ଯେ ଏହା ପରେ ରାଷ୍ଟ୍ରର ସମସ୍ତ ବିଜେପି ଶାସିତ ରାଜ୍ୟ ଏହି ଦୃଷ୍ଟାନ୍ତକୁ ନିଜ ନିଜ ରାଜ୍ୟରେ ସ୍ଥାପନ କରି ଆପଣା ରାଜନୈତିକ ମୂଳଧନକୁ ସ୍ଫୀତ କରିବେ ଏବ˚ ଅଣ-ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମଧୢ କ୍ଷମତାସୀନ ଦଳ ନିଜ ରାଜନୈତିକ ଲାଭ ଦୃଷ୍ଟିରୁ ସମସ୍ତ ନାଗରିକଙ୍କୁ ମାଗଣା ଭ୍ୟାକ୍‌ସିନ ଦେବାର ବ୍ୟବସ୍ଥା କରିବେ। କରୋନା ପାନ୍‌ଡେମିକ୍‌ ସମୟରେ ସାଧାରଣ ନାଗରିକମାନଙ୍କ ଲାଗି ଏହା ଠାରୁ ଅଧିକ ସୁସମ୍ବାଦ ଆଉ କ’ଣ ହୋଇପାରେ?

କହିବା ନିଷ୍ପ୍ରୟୋଜନ ଯେ କରୋନା ‘ପାନ୍‌ଡେମିକ୍‌’ ଦ୍ବାରା ସୃଷ୍ଟ ଅକଳ୍ପନୀୟ ଦୁଃସ୍ଥିତି ପୃଥିବୀର ସମସ୍ତ ରାଷ୍ଟ୍ରର ରାଜନୀତିକୁ ପ୍ରଭାବିତ କରିଛି। କାରଣ ପ୍ରଥମ କଥା ହେଲା, ଜନ ସ୍ବାସ୍ଥ୍ୟ କ୍ଷେତ୍ରଟି ସିଧାସଳଖ ସରକାରଙ୍କ ସହିତ ଜଡ଼ିତ। ସୁତରଂ, ଏହି ମହାସ˚କ୍ରମଣର ମୁକାବିଲା କରିବାରେ ଅଥବା ଏହାକୁ ଆୟତ୍ତ କରିବାରେ ସରକାରଗୁଡ଼ିକ ଦ୍ବାରା ପ୍ରଦର୍ଶିତ ହେଉଥିବା ଆଭିମୁଖ୍ୟ ସେହି ସରକାରଗୁଡ଼ିକ ପ୍ରତି ସେଠାକାର ନାଗରିକମାନଙ୍କ ସମର୍ଥନକୁ ନିର୍ଣ୍ଣୟ କରିବାରେ ଲାଗିଛି। ଉଦାହରଣ ସ୍ବରୂପ କରୋନା ‘ପାନ୍‌ଡେମିକ୍‌’କୁ ନେଇ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନଲ୍‌ଡ ଟ୍ରମ୍ପ୍‌ଙ୍କ ମନୋଭାବ ତାଙ୍କ ସମର୍ଥନର ଭୂମିକୁ ଯଥେଷ୍ଟ ସ˚କୁଚିତ କରିଥିବା ଭଳି ବୋଧ ହେଉଛି। (ଚଳିତ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନର ପରିଣାମ ଏହାକୁ ପ୍ରମାଣିତ କରିପାରେ)। ଅଥଚ ଅପର ପକ୍ଷରେ କରୋନା ପରବର୍ତ୍ତୀ କାଳରେ ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଜନ ସମର୍ଥନ ବୃଦ୍ଧି ପାଇଛି। ସୁତରା˚, ଏହି ବାସ୍ତବିକତାକୁ ହୃଦୟଙ୍ଗମ କରି ଯଦି କୌଣସି ରାଜନୈତିକ ନେତୃତ୍ବ ବୁଦ୍ଧିମତ୍ତାର ପରିଚୟ ଦେଇ କରୋନା ପ୍ରାଦୁର୍ଭାବକୁ ନିଜ ଉପକାରରେ ଉପଯୋଗ କରିପାରେ ଓ ତଦ୍ଦ୍ବାରା ଆପଣା ରାଜନୈତିକ ଆୟୁଷ ବୃଦ୍ଧି କରିବାରେ ସକ୍ଷମ ହୁଏ; ତେବେ ବିସ୍ମିତ ହେବାର କାରଣ ନାହିଁ।

କରୋନା ଭୂତାଣୁ ଦ୍ବାରା ସମଗ୍ର ପୃଥିବୀ ଯେଉଁଭଳି ଆର୍ଥିକ କ୍ଷତିର ଅତଳ ଗହ୍ବରରେ ନିକ୍ଷେପିିତ, ସେହି ପରିପ୍ରେକ୍ଷୀରେ ଏକ ଫଳପ୍ରଦ ଭ୍ୟାକ୍‌ସିନର ଆବିର୍ଭାବକୁ ସମସ୍ତେ ରୁଦ୍ଧ ଶ୍ବାସରେ ପ୍ରତୀକ୍ଷା କରି ରହିଛନ୍ତି। କାରଣ ପୃଥିବୀ ସୁସ୍ଥତା ଲାଭ କରି ପୁଣି ଚଳଚଞ୍ଚଳ ହୋଇ ଉଠିଲେ ଯାଇ ବିଶ୍ବ ଅର୍ଥନୀତି ପୁଣି ଅଗ୍ରଗତିର ରାସ୍ତାକୁ ପ୍ରତ୍ୟାବର୍ତ୍ତନ କରିବ। ସ˚ପ୍ରତି ଏହି ପାତାଳଗାମୀ ଅର୍ଥ ବ୍ୟବସ୍ଥାର ବୋଝ ଯେତିକି ବିଶାଳ, ତା’ ତୁଳନାରେ ମାଗଣା ଭ୍ୟାକ୍‌ସିନ ଉପଲବ୍‌ଧ କରାଇବା ଲାଗି ଆବଶ୍ୟକ ବିପୁଳ ଅର୍ଥର ବୋଝ ଅତ୍ୟନ୍ତ ମାମୁଲି। ତେଣୁ ଏହା ନିଶ୍ଚିତ ଯେ ପୃଥିବୀର ପ୍ରାୟ ସମସ୍ତ ରାଷ୍ଟ୍ର ସେମାନଙ୍କ ନାଗରିକମାନଙ୍କ ଲାଗି (ଅନ୍ତତଃ ପକ୍ଷେ ଦରିଦ୍ର ଜନସାଧାରଣଙ୍କ ସକାଶେ) ମାଗଣା କୋଭିଡ୍‌ ଟିକାର ବ୍ୟବସ୍ଥା କରିବେ। ଭାରତରେ ମଧ୍ୟ ସେଭଳି ହେବାର ସମସ୍ତ ସମ୍ଭାବନା ରହିଛି। ସୁତରାଂ, ଭ୍ୟାକସିନର ରାଜନୀତୀକରଣରେ କ୍ଷତି କାହିଁ?

ସମ୍ବନ୍ଧିତ ଖବର