ଚଳିତବର୍ଷ ବିଭିନ୍ନ ସମୟରେ ଆଠଟି ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ପୂରୁଛି। ସେଥିମଧ୍ୟରୁ ଆସନ୍ତା ମାର୍ଚ୍ଚରେ କାର୍ଯ୍ୟକାଳ ଶେଷ ହେଉଥିବା ତିନିଟି ଉତ୍ତର-ପୂର୍ବ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷିତ ହୋଇଛି। ତିନି ରାଜ୍ୟ ମଧ୍ୟରେ ସବୁଠୁ ଅଧିକ ଭୋଟର ବହୁଳ ତ୍ରିପୁରାରେ ଫେବ୍ରୁଆରି ୧୮ରେ ମତଦାନ ହେବ। ଏହାର ନଅ ଦିନ ପରେ ଫେବ୍ରୁଆରି ୨୭ରେ ମେଘାଳୟ ଓ ନାଗାଲାଣ୍ଡରେ ଭୋଟ ଗ୍ରହଣ ଲାଗି ସୂଚୀ ଧାର୍ଯ୍ୟ ହୋଇଛି। ପ୍ରତ୍ୟେକଟି ବିଧାନସଭାର ସଦସ୍ୟ ସଂଖ୍ୟା ୬୦ ଏବଂ ମାର୍ଚ୍ଚ ୩ରେ ଫଳାଫଳ ଘୋଷିତ ହେବ। ଏହା ସହ ୨୦୧୮ର ପ୍ରଥମ ରାଜନୈତିକ ବଳକଷାକଷି ପାଇଁ ପୂର୍ବୋତ୍ତର କ୍ଷେତ୍ରରେ ମଞ୍ଚ ପ୍ରସ୍ତୁତ ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭୌଗୋଳିକ ଅଞ୍ଚଳ, ଭୋଟର ସଂଖ୍ୟା କିମ୍ବା ତିନିଟି ଯାକ ବିଧାନସଭାର ମିଳିତ ସଦସ୍ୟ ସଂଖ୍ୟା ଦୃଷ୍ଟିରୁ ପୂର୍ବୋତ୍ତରର ଏହି ନିର୍ବାଚନ ଜାତୀୟ ରାଜନୀତିର ପ୍ରେକ୍ଷାପଟରେ ବିଶେଷ ଗୁରୁତ୍ୱର ଅପେକ୍ଷା ରଖିବା କଥା ନୁହେଁ। ତିନିଟିଯାକ ବିଧାନସଭାରେ ମୋଟ ଆସନ ସଂଖ୍ୟା ୧୮୦ ଓ ମିଳିତ ମତଦାତାଙ୍କ ସଂଖ୍ୟା ୫୬ ଲକ୍ଷ (୫୫,୮୮,୫୮୧)ରୁ ବି କମ୍। ତଥାପି ଏହି ତିନିଟି ରାଜ୍ୟର ନିର୍ବାଚନ ରଣାଙ୍ଗନନରେ ବଳ କଷାକଷି ଯେମିିତି ଗୁରୁତ୍ୱର ସହ ଧ୍ୟାନ ଆକର୍ଷଣ କରୁଛି, ପୂର୍ବରୁ ସେମିତି ଧ୍ୟାନ ଆକର୍ଷଣ କରିନଥିଲା। କାରଣ, ପୂର୍ବୋତ୍ତରରେ ଏହି ବଳ କଷାକଷି ଜାତୀୟ ସ୍ତରରେ ରାଜନୈତିକ ସମୀକରଣକୁ ପ୍ରଭାବିତ କରିବାର କୌଣସି ସାମର୍ଥ୍ୟ ନରଖିଲେ ସୁଦ୍ଧା ସାଂପ୍ରତିକ ପରିସ୍ଥିତିରେ ଜାତୀୟ ସ୍ତରର ତିନି ପ୍ରମୁଖ ଖେଳାଳିଙ୍କ ପାଇଁ ପ୍ରତୀକାତ୍ମକ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତିନିଟି କ୍ଷୁଦ୍ର ଉତ୍ତର-ପୂର୍ବ ରାଜ୍ୟରେ ଭୋଟ ମୁକାବିଲା ଗୁରୁତ୍ୱପୂର୍ଣ୍ଣ ଏଥିପାଇଁ ଯେ ଏଥିରେ ପ୍ରଦର୍ଶନ ସମ୍ପୃକ୍ତ ତିନି ପ୍ରମୁଖ ଦଳର ଭାଗ୍ୟ ଓ ଭବିଷ୍ୟତ ଉପରେ ନିର୍ଣ୍ଣାୟକ ପ୍ରଭାବ ପକାଇବାର ସମ୍ଭାବନା ରଖୁଛି। ତେବେ, ବିଭିନ୍ନ ଦଳ ପାଇଁ ଏହା ବିଭିନ୍ନ କାରଣରୁ ଗୁରୁତ୍ୱପୂର୍ଣ୍ଣ ଓ ସେଥିପାଇଁ ପ୍ରତ୍ୟେକ ଦଳ ସକାଶେ ଆହ୍ଵାନ ମଧ୍ୟ ଅନ୍ୟଠାରୁ ଭିନ୍ନ।
କେନ୍ଦ୍ରରେ କ୍ଷମତାସୀନ ବିଜେପି ପାଇଁ ଆହ୍ଵାନ ହେଲା ଆସାମ, ମଣିପୁର ଓ ଅରୁଣାଚଳ ଦଖଲ ପରେ ଉତ୍ତର-ପୂର୍ବରେ ଅଧିକ ଅଞ୍ଚଳ ଦଖଲ। ହିନ୍ଦୁତ୍ୱ ଶକ୍ତିର କାୟାବିସ୍ତାର। ହିନ୍ଦୁତ୍ୱଦଳର ଲକ୍ଷ୍ୟ- ଉତ୍ତର ପୂର୍ବର ଆଠରୁ ଆଠଟି ଯାକ ରାଜ୍ୟରେ ପଦ୍ମ ଫୁଟାଇବା। ଅନ୍ୟପକ୍ଷରେ ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ପାଇଁ ଆହ୍ଵାନ- ଉତ୍ତର-ପୂର୍ବରେ ନିଜର ଅସ୍ତିତ୍ୱ ରକ୍ଷା। ଏକଦା କଂଗ୍ରେସର ଏକଚାଟିଆ ଥିବା ଉତ୍ତର-ପୂର୍ବାଞ୍ଚଳର ଆଠଟି ରାଜ୍ୟ ମଧ୍ୟରୁ ଏବେ ଦଳ କେବଳ ଏକା ମେଘାଳୟରେ କ୍ଷମତାରେ ଅଛି। ଆସାମ ସମେତ ତିନିଟି ରାଜ୍ୟ ଲାଗ ଲାଗ ହାତରୁ ଖସି ଗଲା ପରେ ଉତ୍ତର ପୂର୍ବରେ ଅସ୍ତିତ୍ୱ ରକ୍ଷା ପାଇଁ ମେଘାଳୟରେ କଂଗ୍ରେସ ପାଇଁ ହାଟ୍ରିକ୍ ବିଜୟ ଏକାନ୍ତ ଜରୁରୀ। ଅନ୍ୟଥା କଂଗ୍ରେସ ଉତ୍ତର ପୂର୍ବରୁ ନିଶ୍ଚିହ୍ନ ହୋଇଯିବ ଓ ମୋଦୀଙ୍କ ‘କଂଗ୍ରେସ ମୁକ୍ତ’ ଭାରତ ସ୍ଲୋଗାନ୍ ଅନ୍ତତଃ ଦେଶର ଉତ୍ତର-ପୂର୍ବାଞ୍ଚଳରେ ସାକାର ହେବା ଦେଖାଯିବ। ଅନ୍ୟତମ ପ୍ରତିଦ୍ୱନ୍ଦ୍ୱୀ ବାମପନ୍ଥୀ ସିପିଏମ୍ ପାଇଁ ମଧ୍ୟ ଏହା ଏକ ସମ୍ମାନର ବାଜି। ଦଳ ପାଇଁ ଏଠାରେ ଆହ୍ଵାନ- ସବୁଠାରୁ ପୁରୁଣା ବାମପନ୍ଥୀ ଦୁର୍ଗ ତ୍ରିପୁରାରେ ଗଡ଼ ରକ୍ଷା। ଗତ ୧୯୯୨ରୁ ୨୫ ବର୍ଷ ହେଲା ତ୍ରିପୁରାରେ ମୁଖ୍ୟମନ୍ତ୍ରୀ ମାନିକ ସରକାରଙ୍କ ନେତୃତ୍ୱରେ ବାମପନ୍ଥୀ ସାମ୍ମୁଖ୍ୟ ସରକାର କ୍ଷମତାରେ ରହିଆସିଛି।
ତେବେ ଏଥର ବାମପନ୍ଥୀଙ୍କ ପାଇଁ ନିଜର ପୁରୁଣା ଗଡ଼ରେ ଆହ୍ଵାନ ଅଧିକ କଡ଼ା। ନିର୍ବାଚନ ହେଉଥିବା ତିନିଟି ରାଜ୍ୟ ମଧ୍ୟରେ ତ୍ରିପୁରାରେ କେବଳ ଭୋଟର ସଂଖ୍ୟା ସର୍ବାଧିକ ନୁହେଁ, ଏଠାରେ ମୁକାବିଲା ମଧ୍ୟ ସବୁଠାରୁ ଅଧିକ ତୀବ୍ର। ସିପିଏମ୍ ନେତୃତ୍ୱାଧୀନ ବାମପନ୍ଥୀ ମେଣ୍ଟ ଏଥର ଯେମିତି ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇଛି, ପୂର୍ବରୁ ସେମିତି ମୁକାବିଲାର ସାମ୍ନା କରିନଥିଲା। ବିଗତ ପାଞ୍ଚବର୍ଷରେ ଏହି ଉତ୍ତର-ପୂର୍ବ ରାଜ୍ୟର ରାଜନୈତିକ ସମୀକରଣ ବଦଳି ଯାଇଛି। ପାରମ୍ପରିକ କଂଗ୍ରେସ ବଦଳରେ ଏଥର ହିନ୍ଦୁତ୍ୱ ଦଳ ବିଜେପି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛି। ନିକଟରେ ତୃଣମୂଳ କଂଗ୍ରେସର ଛଅ ବିଧାୟକ ଓ କଂଗ୍ରେସର ଜଣେ ବିଧାୟକମାନଙ୍କ ଯୋଗଦାନ ବିଜେପିକୁ ନୂଆ ଶକ୍ତି ପ୍ରଦାନ କରିଛି। ବାମପନ୍ଥୀ ବିରୋଧୀ ଭୋଟର ବିଭାଜନକୁ ଏଡ଼ାଇବା ଲାଗି କେତେକ ଆଞ୍ଚଳିକ ଦଳଙ୍କ ସହ ମଧ୍ୟ ବିଜେପି ବୁଝାମଣା କରୁଛି। ତେବେ ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଭୋଟର ଧ୍ରୁବୀକରଣ ପ୍ରକ୍ରିୟା ଅପେକ୍ଷା ତୀବ୍ର ଆଦର୍ଶଗତ ବିଭେଦ ମୁକାବିଲାକୁ ଅଧିକ କଡ଼ା ଓ ସୁଦୂରପ୍ରସାରୀ କରି ଦେଉଛି। ବିଜେପି ପାଇଁ କଂଗ୍ରେସ ସବୁଠାରୁ ବଡ଼ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ। କିନ୍ତୁ ଆଦର୍ଶଗତ ଦୃଷ୍ଟିରୁ ବାମପନ୍ଥୀମାନେ ହିନ୍ଦୁତ୍ୱ ଦଳର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ। ତେଣୁ ତ୍ରିପୁରାରେ ଲଢ଼େଇ କେବଳ ଦୁଇଟି ଦଳ ମଧ୍ୟରେ ନୁହେଁ, ଦୁଇଟି ରାଜନୈତିକ ଆଦର୍ଶ- ଦକ୍ଷିଣପନ୍ଥୀ ବନାମ ବାମପନ୍ଥୀ ମୁକାବିଲା ହେଉଛି। ଏହି ଆଦର୍ଶଗତ ଲଢ଼େଇର ଜାତୀୟ ସ୍ତରରେ ପ୍ରଭାବକୁ ଏଡ଼ାଯାଇ ନପାରେ।
ତ୍ରିପୁରାରେ ଯେମିତି ସିପିଏମ୍ ନେତୃତ୍ୱାଧୀନ ବାମପନ୍ଥୀ ସାମ୍ମୁଖ୍ୟ ପାଇଁ ସମ୍ମାନର ପ୍ରଶ୍ନ- ଗଡ଼ର ସୁରକ୍ଷା, ସେମିତି ମେଘାଳୟରେ କଂଗ୍ରେସ ପାଇଁ ଉତ୍ତରପୂର୍ବରେ ଅସ୍ତିତ୍ୱର ରକ୍ଷା ସମ୍ମାନର ପ୍ରଶ୍ନ। ଆସାମରେ ଗାଦିଚ୍ୟୁତ ହେବାପରେ ମଣିପୁରରେ ସ୍ଥିତି ରକ୍ଷା ପାଇଁ କଂଗ୍ରେସ ସୁଯୋଗ ପାଇଥିଲା। ବିଧାନସଭାରେ ସର୍ବବୃହତ୍ ଦଳ ଭାବେ କଂଗ୍ରେସ ପକ୍ଷରେ ସରକାର ଗଠନର ସୁଯୋଗ ଥିଲା। କିନ୍ତୁ ରାଜ୍ୟ ଶାଖାରେ କନ୍ଦଳ ଓ କେନ୍ଦ୍ରୀୟ ନେତୃତ୍ୱର ନିଷ୍ପତ୍ତି ନେବାରେ ଅକ୍ଷମତା ଯୋଗୁ ସୁଯୋଗ ହାତଛଡ଼ା ହେଲା। କଂଗ୍ରେସଠାରୁ କମ୍ ସଂଖ୍ୟା ଥାଇ ସୁଦ୍ଧା ବିଜେପି ଅନ୍ୟ ଦଳଙ୍କ ସହ ସେଠାରେ ସରକାର କଲା। ନାଗାଲାଣ୍ଡ ଓ ତ୍ରିପୁରାରେ ଏକଦା ଦ୍ୱିତୀୟ ରାଜନୈତିକ ଶକ୍ତି ଭାବେ କଂଗ୍ରେସ ପ୍ରମୁଖ ବିକଳ୍ପ ଥିଲା। କିନ୍ତୁ ଉଭୟ ରାଜ୍ୟରେ ବିଜେପିର ଉତ୍ତରଣ ଓ ପ୍ରଭାବ ବୃଦ୍ଧି ସହ କଂଗ୍ରେସ ମୁଖ୍ୟ ବିକଳ୍ପର ମାନ୍ୟତା ହରାଇ ବସିଛି। ତେଣୁ ପୂର୍ବୋତ୍ତରରେ ନିଜର ସମ୍ମାନଜନକ ଉପସ୍ଥିତି ବଜାୟ ରଖିବା ଲାଗି ଗତ ୧୦ ବର୍ଷ ହେଲା ଶାସନରେ ଥିବା କଂଗ୍ରେସ ପାଇଁ ଲଗାତାର ତୃତୀୟ ବିଜୟ ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ। କିନ୍ତୁ ଏହା ଆଦୌ ସହଜ ନୁହେଁ, ଉଭୟ ବିଜେପି ଓ ସ୍ୱର୍ଗତ୍ ପି.ଏ ସାଙ୍ଗ୍ମାଙ୍କ ପ୍ରତିଷ୍ଠିତ ଏନ୍ସିପି ବିରୋଧରେ ଏଥିପାଇଁ ମୁକାବିଲା କରିବାକୁ ପଡ଼ିବ।
ତିନି ରାଜ୍ୟ ମଧ୍ୟରେ ବିଚ୍ଛିନ୍ନତାବାଦୀଙ୍କ ବିଦ୍ରୋହୀ କାର୍ଯ୍ୟକଳାପ ଦ୍ୱାରା ଆକ୍ରାନ୍ତ ନାଗାଲାଣ୍ଡର ନିର୍ବାଚନ ଦୃଶ୍ୟପଟ ସବୁଠାରୁ ଅଧିକ ଜଟିଳ। ଏଠାରେ ଶାସକ ଆଞ୍ଚଳିକ ଦଳ ନ୍ୟାସ୍ନାଲ୍ ପିପୁଲ୍ସ ଫ୍ରଣ୍ଟ (ଏନ୍ପିଏଫ୍) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ କ୍ଷମତାରେ ଅଛି। ଶାସକ ମେଣ୍ଟକୁ ବିଜେପି ସମର୍ଥନ କରୁଛି। କିନ୍ତୁ ଶାସକ ଦଳ ଏନ୍ପିଏଫ୍ର ଗୋଷ୍ଠୀ କନ୍ଦଳ ଓ ଶାସକ ଦଳର ଜଣେ ସାଂସଦଙ୍କ ଦ୍ୱାରା ଏକ ନୂତନ ଦଳ ଗଠନ ସମୀକରଣକୁ ଗୋଳମାଳିଆ କରି ଦେଇଛି। ଶାସକ ଦଳର ବିଭାଜିତ ଗୋଷ୍ଠୀ ଏବଂ ନୂଆ ଦଳ ସହ ବିଜେପି ଆଉ ଏକ ମେଣ୍ଟ ଗଠନ କରି ଶାସକ ସାମ୍ମୁଖ୍ୟର ମୁକାବିଲା କରିବ।
ତେଣୁ ତିନିଟି ରାଜ୍ୟରେ ନିର୍ବାଚନୀ ଦୃଶ୍ୟପଟ ପରସ୍ପରଠାରୁ ଭିନ୍ନ। ବିଭିନ୍ନ ପ୍ରତିଦ୍ୱନ୍ଦ୍ୱୀଙ୍କ ପାଇଁ ମଧ୍ୟ ଆହ୍ଵାନ ମଧ୍ୟ ଭିନ୍ନ। ଆହ୍ଵାନର ମୁକାବିଲାରେ କେଉଁ ପକ୍ଷ କେତେ ମାତ୍ରାରେ ସଫଳ ବା ବିଫଳ ହେବେ, ତାହା ମାର୍ଚ୍ଚ ୩ରେ ଯାଇ ସ୍ପଷ୍ଟ ହେବ।