ନୋଷ୍ଟ୍ରାଡାମସ୍
ଗତ ବର୍ଷ ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍ ସେ ଦେଶର ସର୍ବଶ୍ରେଷ୍ଠ ଜୀବିତ ସାହିତ୍ୟିକଙ୍କୁ ସେ ଦେଶର ସର୍ବଶ୍ରେଷ୍ଠ ନାଗରିକ ସମ୍ମାନ ‘ଲିଜନ ଡି’ ଅନର୍’ (ଆମ ଦେଶର ‘ଭାରତ ରତ୍ନ’ ସହିତ ତୁଳନୀୟ)ରେ ଭୂଷିତ କରିଥିଲେ। ଏହି ୬୪ ବର୍ଷୀୟ ସାହିତ୍ୟିକ ହେଉଛନ୍ତି ମିସେଲ୍ ୱେଲ୍ବେକ୍। ଏଥିପୂର୍ବରୁ ୨୦୧୦ରେ ୱେଲ୍ବେକ୍ଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସାହିତ୍ୟିକ ସମ୍ମାନ ‘ପ୍ରି ଗନ୍କୋର୍’ (ଆମର ‘ଜ୍ଞାନପୀଠ’ ସହିତ ତୁଳନୀୟ)ରେ ମଧୢ ଭୂଷିତ କରାଯାଇଥିଲା। ମିସେଲ୍ ୱେଲ୍ବେକ୍ ଜଣେ ଗତାନୁଗତିକ ସାହିତ୍ୟ ସାଧକ ନୁହଁନ୍ତି। ତାଙ୍କର ରଚନାମାନ ବିଭିନ୍ନ ପ୍ରସଙ୍ଗରେ ଫରାସୀ ଚେତନାକୁ ଦୋହଲାଇ ଦେବା ସହିତ ତାଙ୍କ ପାଇଁ ଏକ ବିଶ୍ବବ୍ୟାପୀ ବିଶାଳ ଅନୁରକ୍ତ ଗୋଷ୍ଠୀ ସୃଷ୍ଟି କରିଛି। ତାଙ୍କର ସର୍ବାଧିକ ଚର୍ଚ୍ଚିତ ପୁସ୍ତକ କିନ୍ତୁ ହେଉଛି ୨୦୧୫ରେ ପ୍ରକାଶିତ ଉପନ୍ୟାସ ‘ସବ୍ମିସନ୍’ (‘ଆତ୍ମସମର୍ପଣ’)। ଏ ପୁସ୍ତକ ତା’ର ଚୈତନ୍ୟ ଉଦ୍ରେକକାରୀ ବୈପ୍ଳବିକ ବିଷୟବସ୍ତୁ ପାଇଁ ଯେତିକି ବିଖ୍ୟାତ, ତା’ର ପ୍ରକାଶନ ସହିତ ସ˚ଯୁକ୍ତ ତା’ର ବିଷୟବସ୍ତୁର ପ୍ରତିଧ୍ବନି ଭଳି ଏକ ହୃଦୟ ବିଦାରକ ବିଶ୍ବବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟିକାରୀ ଘଟଣା ପାଇଁ ମଧ୍ୟ ସେତିକି ପ୍ରସିଦ୍ଧ।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୫ ଜାନୁଆରି ୭ ଦିନ ୱେଲ୍ବେକ୍ଙ୍କର ଉପରୋକ୍ତ ଉପନ୍ୟାସ ପ୍ରକାଶ ପାଇଲା। ସେଇଦିନ ସକାଳ ବେଳା ଦୁଇଜଣ ଫରାସୀ ନାଗରିକତ୍ବ ଲାଭ କରିଥିବା ଇସଲାମୀୟ ଚରମପନ୍ଥୀ ଭ୍ରାତା ‘ସାର୍ଲି ଏବ୍ଦୋ’ ନାମକ ବ୍ୟଙ୍ଗ ସାପ୍ତାହିକୀର କାର୍ଯ୍ୟାଳୟରେ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇ ୧୨ ଜଣଙ୍କୁ ହତ୍ୟା କଲେ। ଅନ୍ୟ ଏକ ସ˚ଯୋଗ ସ୍ବରୂପ ସେଦିନ ସକାଳେ ପ୍ରକାଶ ପାଇଥିବା ‘ସାର୍ଲି ଏବ୍ଦୋ’ ପତ୍ରିକାର ମଲାଟ ଉପରେ ଯାହାଙ୍କର ଛବି ଛାପା ହୋଇ ଶୋଭା ପାଉଥିଲା, ତାହା ଥିଲା ଖୋଦ୍ ୱେଲ୍ବେକ୍ଙ୍କର ଏକ ବ୍ୟଙ୍ଗଚିତ୍ର- ଯେଉଁଥିରେ ତାଙ୍କୁ ପ୍ରଦର୍ଶିତ କରାଯାଇଥିଲା ପ୍ରସିଦ୍ଧ ଫରାସୀ ଭବିଷ୍ୟଦ୍ରଷ୍ଟା ନୋଷ୍ଟ୍ରାଡାମସ୍ଙ୍କ ରୂପରେ ଏବ˚ ସେ ଏହି ରୂପରେ ମୁସଲମାନ୍ ପର୍ବ ରମଜାନ୍ ପାଳନ କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ଅବସ୍ଥାରେ। ‘ସାର୍ଲି ଏବ୍ଦୋ’ ତା’ର ସେ ସପ୍ତାହର ପ୍ରଚ୍ଛଦରେ େଵଲ୍ବେକ୍ଙ୍କର ଏଭଳି ଏକ ବ୍ୟଙ୍ଗଚିତ୍ର ଆଙ୍କିବା ଥିଲା ସମ୍ପୂର୍ଣ୍ଣ ପ୍ରାସଙ୍ଗିକ, କାରଣ ସେଦିନ ପ୍ରକାଶ ପାଇବାକୁ ଯାଉଥିବା ତାଙ୍କ ପୁସ୍ତକ ‘ସବ୍ମିସନ୍’ରେ େଵଲ୍ବେକ୍ ବସ୍ତୁତଃ ଜଣେ ଆଧୁନିକ ନୋଷ୍ଟ୍ରାଡାମସ୍ଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇ ନିଜ ଦେଶବାସୀଙ୍କୁ ଭବିଷ୍ୟତରେ ସେମାନେ ସମ୍ମୁଖୀନ ହେବାକୁ ଯାଉଥିବା ଅବସ୍ଥା ସମ୍ବନ୍ଧରେ ସତର୍କ କରାଇ ଦେଇଥିଲେ।
ଫ୍ରାନ୍ସର ଏହି ଆଧୁନିକ ନୋଷ୍ଟ୍ରାଡାମସ୍ ସେଇ ପୁସ୍ତକର କ’ଣ ଭବିଷ୍ୟବାଣୀ କରିଥିଲେ, ତା’ଉପରେ ଏକ କ୍ଷିପ୍ର ଦୃଷ୍ଟିପାତ କରାଯାଉ। ସେ ଭବିଷ୍ୟବାଣୀ ପୁଣି କେଉଁ ଦୂର ଭବିଷ୍ୟତ ସମ୍ବନ୍ଧରେ ନୁହେଁ- ତା’ର ସମୟ କାଳ ହେଉଛି ୨୦୨୨, ଯାହା ସନ୍ନିକଟ। ଏକ ସାଧାରଣ ନିର୍ବାଚନରେ ଦକ୍ଷିଣପନ୍ଥୀ ଜାତୀୟତାବାଦୀ ନେତ୍ରୀ ମେରିନ୍ ଲେ ପେନ୍ (ଜଣାଶୁଣା ସତସତିକା ଚରିତ୍ର)ଙ୍କୁ ବିଜୟ ଲାଭ କରିବାକୁ ନଦେବା ଉଦ୍ଦେଶ୍ୟରେ ଅନ୍ୟ ସମସ୍ତ ଉଦାରପନ୍ଥୀ ରାଜନୈତିକ ଦଳମାନେ ମିଳିତ ହୋଇ ତାଙ୍କୁ ବିରୋଧ କରିଛନ୍ତି। ସେମାନଙ୍କ ସମର୍ଥନ ଲାଭ କରି ମହମ୍ମଦ ବେନ୍ ଆବ୍ବେସ୍ ନାମକ ଜଣେ ଉଚ୍ଚାକା˚କ୍ଷୀ ବ୍ୟକ୍ତିଙ୍କ ନେତୃତ୍ବରେ ‘ମୁସ୍ଲିମ୍ ଫ୍ରାଟର୍ନିଟି’ ନାମକ ଏକ ନୂତନ ଇସ୍ଲାମୀୟ ରାଜନୈତିକ ଦଳ ନିର୍ବାଚନରେ ବିଜୟ ଲାଭ କରି ଫ୍ରାନ୍ସରେ କ୍ଷମତା ହାସଲ କରିଛି।
ଏହା ପରେ ବେନ୍ ଆବ୍ବେସ୍ଙ୍କ ସରକାର କଠୋର ପଦକ୍ଷେପମାନ ନେଇ ସେଠାରେ ଦେଖା ଦେଇଥିବା ଅରାଜକତାରେ ଅନ୍ତ ଘଟାଇ ଶାନ୍ତିଶୃଙ୍ଖଳା ଫେରାଇ ଆଣିବାରେ ସଫଳ ହୋଇଛନ୍ତି। ଏଥିପାଇଁ ସେ ଫ୍ରାନ୍ସରେ ଇସ୍ଲାମୀୟ ଆଇନ ପ୍ରବର୍ତ୍ତନ କରି ଦେଲେ। ଏହି ସାରିଆ ଆଇନ ସମ୍ବନ୍ଧରେ ଆଜିକାଲି ଊଣା ଅଧିକେ ସମସ୍ତେ ଜାଣନ୍ତି। ଏଣିକି ଫରାସୀ ପୁରୁଷମାନେ ବହୁପତ୍ନୀ ଗ୍ରହଣ କରିପାରିଲେ; ମହିଳାମାନେ ବୁର୍ଖା, ହିଜବ୍ ଆଦି ପରିଧାନ କରିବାକୁ ବାଧୢ ହେଲେ; ସେମାନେ ପୁରୁଷମାନଙ୍କ ସହିତ ଉପଭୋଗ କରି ଆସୁଥିବା ସମାନ ଅଧିକାର ହରାଇ ଦ୍ବିତୀୟ ଶ୍ରେଣୀ ନାଗରିକରେ ପରିଣତ ହେଲେ…।
ବେନ୍ ଆବ୍ବେସ୍ କେବଳ ଶାନ୍ତିଶୃଙ୍ଖଳା ଫେରାଇ ଆଣିବାରେ ସଫଳ ହେଲେ, ତାହା ନୁହେଁ, ସେ ମଧୢ ଫ୍ରାନ୍ସରେ ଦେଖା ଦେଇଥିବା ତୀବ୍ର ବେକାରି ସମସ୍ୟାର ତୁରନ୍ତ ସମାଧାନ କରି ଦେଇପାରିଲେ। ତାହା ଏକ ସରଳ ଉପାୟ ଅବଲମ୍ବନ କରିବା ଦ୍ବାରା: ବିଭିନ୍ନ କର୍ମସ୍ଥଳୀମାନଙ୍କରେ ନିଯୁକ୍ତ ସମସ୍ତ ମହିଳା କର୍ମଚାରୀମାନଙ୍କୁ ଛଟେଇ କରି ଘରକୁ ପଠାଇ ଦିଆଗଲା; ଘରର ଚାରିକାନ୍ଥ ବାହାରେ କେବଳ ପୁରୁଷମାନେ ହିଁ କାର୍ଯ୍ୟ କରି ପାରିଲେ। ଏ ସମସ୍ତ ବର୍ଣ୍ଣନା କରିଛନ୍ତି ଯେଉଁ ଚରିତ୍ର ସେ ହେଉଛନ୍ତି ଫ୍ରାସ୍ବାଁ ନାମକ ଜଣେ ଧର୍ମ ନିରପେକ୍ଷ ଅଧୢାପକ। ଫ୍ରାନ୍ସରେ ପରିବର୍ତ୍ତିତ ପରିସ୍ଥିତି ଦେଖି ସେ ଚିନ୍ତା କରିଛନ୍ତି ଯେ ଜୀବନରେ ଉନ୍ନତି କରିବାକୁ ହେଲେ ତାଙ୍କୁ ଆତ୍ମସମର୍ପଣ କରି ଇସଲାମ ଧର୍ମ ଗ୍ରହଣ କରିବାକୁ ହେବ। ତାଙ୍କ ପାଇଁ ଓ ଫ୍ରାନ୍ସ ପାଇଁ ଏକ ମାତ୍ର ଭବିଷ୍ୟତ ହେଉଛି ଏକ ଇସ୍ଲାମୀୟ ଭବିଷ୍ୟତ।
‘ସାର୍ଲି ଏବ୍ଦୋ’ କାର୍ଯ୍ୟାଳୟ ଉପରେ ଆକ୍ରମଣ ହୋଇଥିଲା ସେ ପତ୍ରିକାରେ ୱେଲ୍ବେକ୍ଙ୍କ ଛବି ଛାପା ହୋଇଥିବା ଯୋଗୁଁ ନୁହେଁ, ସେଥିରେ ଏଥିପୂର୍ବରୁ ଇସଲାମ୍ର ପ୍ରତିଷ୍ଠାତା ମହମ୍ମଦଙ୍କର ଏକ ବ୍ୟଙ୍ଗ ଚିତ୍ର ଛାପା ହୋଇଥିବା କାରଣରୁ। ଏବେ ସେଇ ବ୍ୟଙ୍ଗ ଚିତ୍ରଟିକୁ ଶିକ୍ଷାଦାନ ସମୟରେ ଏକ ସାଧନ ରୂପେ ପ୍ରଦର୍ଶିତ କରିବାରୁ ସେଇ ପ୍ୟାରିସ୍ରେ ଏକ ଧର୍ମାନ୍ଧ ୧୮ ବର୍ଷୀୟ ଛାତ୍ର ରାସ୍ତାରେ ତା’ର ୪୭ ବର୍ଷୀୟ ଶିକ୍ଷକ ସାମୁଏଲ୍ ପାଟିଙ୍କର ମୁଣ୍ତ କାଟି ଗଡ଼ାଇ ଦେଇ ପୃଥିବୀ ବ୍ୟାପୀ ହୈ ଚୈ ସୃଷ୍ଟି କରିବା ପରେ ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରନ୍ ପାଟିଙ୍କୁ ମରଣୋତ୍ତର ଲିଜନ୍ ଡି’ଅନର୍ ସମ୍ମାନରେ ଭୂଷିତ କରିଛନ୍ତି। ସେଇ ଅବସରରେ ମାକ୍ରନ୍ ଦେଇଥିବା ବିବୃତି େଵଲ୍ବେକ୍ଙ୍କ ନୋଷ୍ଟ୍ରାଡାମସ୍ସୁଲଭ ଆଶଙ୍କାର ପ୍ରତିଧ୍ବନି ଭଳି ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ମାକ୍ରନ୍ କହିଥିଲେ: ‘‘ତାଙ୍କୁ (ପାଟିଙ୍କୁ) କେବଳ ହତ୍ୟା କରାଯାଇଛି, କାରଣ ଇସଲାମ୍ବାଦୀମାନେ ଆମର ଭବିଷ୍ୟତ ଆମ ଠାରୁ ଛଡ଼ାଇ ନେବାକୁ ଚାହାଁନ୍ତି। ସେମାନେ ଜାଣନ୍ତି ଯେ ତାଙ୍କ (ପାଟିଙ୍କ) ପରି ଧୀରସ୍ଥିର ହିରୋମାନେ ଥିବା ପର୍ଯ୍ୟନ୍ତ, ସେମାନେ କେବେହେଲେ ତାହା ପାଇପାରିବେ ନାହିଁ।’’
୨୦୧୫ ପରେ ଫ୍ରାନ୍ସରେ ଦେଖାଯାଇଥିବା ବାରମ୍ବାର ଜିହାଦୀ ଆକ୍ରମଣମାନଙ୍କରେ (ବାଟାକ୍ଲାନ୍ ଥିଏଟର୍ ପରି ଗଣହତ୍ୟା, ନିସ୍ଠାରେ ବାଷ୍ଟିଲ୍ ଡେ ଉତ୍ସବରେ ଟ୍ରକ୍ ଚଢ଼ାଇ ଗଣ ହତ୍ୟାକାଣ୍ତ ଇତ୍ୟାଦି) ଏହା ଶେଷ ବର୍ବର କାଣ୍ତ ନ ଥିଲା, ଏହା ପରେ ପରେ ସେଇ ନିସ୍ ସହରର ଏକ ଚର୍ଚ୍ଚରେ ପ୍ରବେଶ କରି ଜଣେ ଟ୍ୟୁନିସୀୟ ଜିହାଦୀ ଜଣେ ୬୦ ବର୍ଷୀୟା ପ୍ରାର୍ଥନାରତ ବୃଦ୍ଧାଙ୍କ ମୁଣ୍ତକାଟି ଦେବା ସହିତ ତିନିଜଣଙ୍କର ବର୍ବର ହତ୍ୟା କରିଥିଲା। ବାକ୍ ସ୍ବାଧୀନତାର ଜନ୍ମଭୂମି ରୂପେ ସ୍ବୀକୃତ ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରନ୍ ସାମୁଏଲ୍ ପାଟିଙ୍କର ଏବ˚ ଏ ସମସ୍ତ ହତ୍ୟାକାଣ୍ତର ନିନ୍ଦା କରି ଫ୍ରାନ୍ସ ସର୍ବଦା ବାକ୍ ସ୍ବାଧୀନତା ରକ୍ଷା କରିଚାଲିବ ବୋଲି ଘୋଷଣା କରିବାରୁ ତୁର୍କୀ, ପାକିସ୍ତାନ, ବା˚ଲାଦେଶ, ମାଲେସିଆ, ଇଣ୍ତୋନେସିଆ ଆଦି ଇସ୍ଲାମୀୟ ଦେଶମାନେ ଏମାନୁଏଲ୍ ମାକ୍ରନ୍ ଏବ˚ ଫ୍ରାନ୍ସ ବିରୋଧରେ ବିଷୋଦ୍ଗାର କରିବା ସଙ୍ଗେ ସଙ୍ଗେ ଫ୍ରାନ୍ସ ପ୍ରତି ଅର୍ଥନୈତିକ ବାସନ୍ଦ ଲାଗୁ କରିବା ପାଇଁ ଧମକ ଦେବାରେ ଲାଗିଛନ୍ତି। ଗୋଠ ମାତିଲେ ଖଣ୍ତିଆ ମାତିବା ଭଳି ଧର୍ମ ନିରପେକ୍ଷ ଭାରତରେ ଉପଲବ୍ଧ ବାକ୍ ସ୍ବାଧୀନତାର ଦୁରୁପଯୋଗ କରି ଏଠାରେ ମଧୢ ବିଭିନ୍ନ ସ୍ଥାନରେ ଇସ୍ଲାମୀୟ ମୌଳବାଦୀମାନେ ମାକ୍ରନ୍ ଓ ଫ୍ରାନ୍ସ ବିରୋଧରେ ପ୍ରଦର୍ଶନ କରିବା ଦେଖାଯାଇଛି। (କେତେକ ତ ରାଫାଲ୍ ଚୁକ୍ତି ବାତିଲ କରି ଭାରତର ନିରାପତ୍ତା ଦୁର୍ବଳ କରିବାକୁ ଆହ୍ବାନ ଦେଇଛନ୍ତି)। ସୁଖର ଓ ଆଶ୍ବାସନାର କଥା ଯେ ଭାରତ ସରକାର କିନ୍ତୁ ଦୃଢ଼ ଭାବରେ ମାକ୍ରନ୍ ଓ ଫ୍ରାନ୍ସକୁ ଏଥିରେ ସମର୍ଥନ ପ୍ରଦାନ କରିଛି। ଆଧୁନିକ ନୋଷ୍ଟ୍ରାଡାମସ୍ ୱେଲ୍ବେକ୍ଙ୍କୁ ମିଥ୍ୟା ପ୍ରମାଣିତ କରିବାକୁ ଏହାହିଁ ଏକମାତ୍ର ବାଟ।