୨୦୧୫ ସେପ୍ଟେମ୍ବର୍ରେ ତତ୍କାଳୀନ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ରଘୁରାମ ରାଜନ୍ ଯେତେବେଳେ ରେପୋ ରେଟ୍ରେ ଅଭାବିତ ଭାବରେ ଏକ ବୃହତ୍ ୫୦ ବେସିସ୍ ପଏଣ୍ଟ୍ ସ୍ଖଳନ ଘଟାଇ ବିଗତ ପ୍ରାୟ ପାଞ୍ଚ ବର୍ଷ ମଧୢରେ ସର୍ବନିମ୍ନ ସ୍ତରକୁ ଖସାଇ ଆଣି ବ୍ୟବସାୟ ବାଣିଜ୍ୟ ମହଲରେ ଉଲ୍ଲାସ ସୃଷ୍ଟି କଲେ, ତାଙ୍କର ଏହି ଉପହାର ପାଇଁ ଘୋଷଣା-ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କେହି ଜଣେ ପ୍ରଶ୍ନ କଲେ: ଆପଣ କ’ଣ ସାଣ୍ଟାକ୍ଲସ୍ କି? ଉତ୍ତରରେ ରାଜନ୍ କହିଥିଲେ: ‘‘ମାଇ ନେମ୍ ଇଜ୍ ରଘୁରାମ ରାଜନ୍ ଆଣ୍ତ୍ ଆଇ ଡୁ ହ୍ବାଟ୍ ଆଇ ଡୁ’’ (‘‘ମୋର ନାମ ରଘୁରାମ ରାଜନ୍ ଏବ˚ ମୁଁ ଯାହା କରିବା କଥା କରେ’’)। ତାଙ୍କର ଏହି ଉତ୍ତର ପାଇଁ ଗଣମାଧୢମରେ ତତ୍କ୍ଷଣାତ୍ ମନ୍ତବ୍ୟକାରମାନେ ରାଜନ୍ଙ୍କୁ ସାଣ୍ଟାକ୍ଲସ୍ଙ୍କ ସହିତ କରାଯାଇଥିବା ତୁଳନାରେ ପରିବର୍ତ୍ତନ ଘଟାଇ ଅନ୍ୟ ଏକ କାଳ୍ପନିକ ଚରିତ୍ରଙ୍କ ସହିତ ତୁଳନା କରି ପକାଇଲେ: ବ୍ରିଟିସ୍ ସିକ୍ରେଟ୍ ଏଜେଣ୍ଟ୍ ଜେମ୍ସ ବଣ୍ତ୍।
ରାଜନ୍ଙ୍କ ଉପରୋକ୍ତ ମନ୍ତବ୍ୟ ସେମାନଙ୍କୁ ମନେ ପକାଇ ଦେଇଥିଲା ସର୍ବପ୍ରଥମ ଜେମ୍ସ ବଣ୍ତ୍ ଫିଲ୍ମ, ୧୯୬୨ର ‘ଡକ୍ଟର୍ ନୋ’ର ସେଇ ଜୁଆ ଆଡ୍ଡାର ଦୃଶ୍ୟ ଯେଉଁଠି ଜେମ୍ସ ବଣ୍ତ୍ ଭୂମିକାରେ ଅବତୀର୍ଣ୍ଣ ଅଭିନେତା ସନ୍ କନେରି ଏକ ପ୍ରଶ୍ନର ଉତ୍ତର ଦେଇ ମୁହଁରେ ଲଟକିଥିବା ସିଗାରେଟ୍ରେ ଅଗ୍ନି ସ˚ଯୋଗ କରିବା ଅବସ୍ଥାରେ ନିଜର ପରିଚୟ ପ୍ରଦାନ କରିଛନ୍ତି: ‘‘ବଣ୍ତ୍, ଜେମ୍ସ ବଣ୍ତ୍।’’ ଏହି ଘଟଣାରୁ ସହଜରେ ଅନୁମେୟ ପୃଥିବୀ ସାରାର ଜନମାନସରେ ଜେମ୍ସ ବଣ୍ତ୍ ଚରିତ୍ର କିଭଳି ଭାବରେ ଗଭୀର ଅନୁପ୍ରବେଶ କରି ଆସ୍ଥାନ ଜମାଇ ରହିଛି।
‘ଜେମ୍ସ ବଣ୍ତ୍ ୦୦୭’ ଯଦି ମାନବୀୟ କଳ୍ପନାରେ ସର୍ବପ୍ରଥମେ ପ୍ରବେଶ କରିଥିଲା ୧୯୫୩ରେ ପ୍ରକାଶିତ ଇଆନ୍ ଫ୍ଲେମିଙ୍ଗ୍ଙ୍କ ପ୍ରଥମ ବଣ୍ତ୍ ଉପନ୍ୟାସ ‘କାସିନୋ ରୟାଲ’ ମାଧୢମରେ, ତାହା ସର୍ବପ୍ରଥମ ରକ୍ତମା˚ସର ଶରୀର ଧାରଣ କରି ଆବିର୍ଭୂତ ହୋଇଥିଲା ଉପରବର୍ଣ୍ଣିତ କଳାକାର ସନ୍ କନେରିଙ୍କ ରୂପରେ ସେଇ ଫିଲ୍ମ ‘ଡକ୍ଟର୍ ନୋ’ରେ। ତା’ପରଠାରୁ ବିଶ୍ବ ଇତିହାସରେ ଜେମ୍ସ ବଣ୍ତ୍ ଯେ ସର୍ବାଧିକ ପରିଚିତ ସତସତିକା କିମ୍ବା କାଳ୍ପନିକ ଚରିତ୍ରମାନଙ୍କ ମଧୢରୁ ଅନ୍ୟତମରେ ପରିଣତ ହୋଇସାରିଛି, ଏହା ଅନସ୍ବୀକାର୍ଯ୍ୟ। ଏକ ସର୍ବେକ୍ଷଣରୁ ଜଣାଯାଏ ଯେ ପୃଥିବୀରେ ପ୍ରତି ଚାରି ଜଣରେ ଜଣେ ଲୋକ କୌଣସି ନା କୌଣସି ଜେମ୍ସ ବଣ୍ତ୍ ଫିଲ୍ମଟିଏ ଦେଖିଥିବା ନିଶ୍ଚିତ ଏବ˚ ଏବେ ବି ପ୍ରତି ମାସରେ ହଜାର ହଜାର ନୂତନ ପାଠକ ମୂଳ ଜେମ୍ସ ବଣ୍ତ୍ ଉପନ୍ୟାସମାନ କିଣି ପଢ଼ିବାରେ ଲାଗିଛନ୍ତି।
ଆଉ ଏବେ ବି ବିଭିନ୍ନ ଅଭିନେତାମାନଙ୍କୁ ନେଇ ୨୫ଟି ଜେମ୍ସ ବଣ୍ତ୍ ଫିଲ୍ମ ନିର୍ମିତ ହୋଇସାରିଥିଲେ ହେଁ ଉଭୟ ସମୀକ୍ଷକମାନଙ୍କ ମଧୢରେ ତଥା ଜନମାନସରେ ଜେମ୍ସ ବଣ୍ତ୍ ୦୦୭ କହିଲେ ଯାହାଙ୍କ ଚେହେରା ଭାସି ଉଠେ, ଏବ˚ ଯିଏ ସାତଟି ବଣ୍ତ୍ ଫିଲ୍ମରେ ଆବିର୍ଭୂତ ହେବା ପରେ ପରବର୍ତ୍ତୀ ଅଭିନେତାମାନଙ୍କ ପାଇଁ ଏକ ଅନୁକରଣୀୟ ଆଦର୍ଶରେ ପରିଣତ ହୋଇଛନ୍ତି, ସେ ହେଉଛନ୍ତି ୯୦ ବର୍ଷ ବୟସରେ ଗତ ଶନିବାର ଦିନ ବାହାମାର ନାସାଉଠାରେ ପରଲୋକ ଗମନ କରିଥିବା ସ୍କଟିସ୍ ଅଭିନେତା ସନ୍ କନେରି। ବାସ୍ତବରେ ଜେମ୍ସ ବଣ୍ତ୍ କହିଲେ ସନ୍ କନେରିଙ୍କୁ ବୁଝାଏ- ଏହା ଏଭଳି ଏକ ଅବଧାରିତ ସତ୍ୟରେ କିପରି ପରିଣତ ହୋଇ ଯାଇଛି ତାହା ସହଜରେ ବୁଝାପଡ଼ିଥାଏ, ଯେତେବେଳେ ପ୍ରଥମେ ସେ ଭୂମିକା ପାଇଁ ଅନ୍ୟ ଯେଉଁ ପ୍ରସିଦ୍ଧ ଅଭିନେତାମାନଙ୍କୁ ବିଚାରକୁ ନିଆଯାଇଥିଲା, ସେମାନଙ୍କୁ ଏବେ ପଶ୍ଚାତ୍ ଦୃଷ୍ଟିରେ ଜେମ୍ସ ବଣ୍ତ୍ ଭୂମିକାରେ କଳ୍ପନା କରାଯାଏ- କ୍ୟାରି ଗ୍ରାଣ୍ଟ୍, ଡେଭିଡ୍ ନିଭେନ୍, ପ୍ୟାଟ୍ରିକ୍ ମ୍ୟାକ୍ଗୁହାନ୍ ଓ ଏପରିକି ପରବର୍ତ୍ତୀ ସମୟରେ ସେ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ରଜର୍ ମୁର୍ଙ୍କ ପର୍ଯ୍ୟନ୍ତ। ୧୯୬୨ରେ ପ୍ରଥମ ମାର୍ଜିତ, ହତ୍ୟା କରିବାକୁ ଲାଇସେନ୍ସ ପ୍ରାପ୍ତ ବ୍ରିଟିସ୍ ସିକ୍ରେଟ୍ ଏଜେଣ୍ଟ୍ ୦୦୭ ଭୂମିକାରେ ସନ୍ କନେରିଙ୍କ ବ୍ୟତୀତ ଏମାନଙ୍କ ମଧୢରୁ କାହାରିକୁ ହେଲେ ମଧୢ କଳ୍ପନା କରି ହୁଏ ନାହିଁ।
ପ୍ରଥମ ବଣ୍ତ୍ ଫିଲ୍ମ ପାଇଁ ବଣ୍ତ୍ ଭୂମିକା ସକାଶେ ନିର୍ମାତା ଓ ନିର୍ଦ୍ଦେଶକ ଯେତେବେଳେ କଳାକାର ଖୋଜିବା ଆରମ୍ଭ କଲେ, ସେତେବେଳେ ସେମାନେ କୌଣସି ଜଣାଶୁଣା ପ୍ରତିଷ୍ଠିତ ଅଭିନେତାଙ୍କୁ ଏଥିପାଇଁ ନେବାକୁ ବିଶେଷ ଚାହୁଁନଥିଲେ। ଇଆନ୍ ଫ୍ଲେମିଙ୍ଗ୍ଙ୍କ ମାନସ ସନ୍ତାନ ୦୦୭ ଯେତେବେଳେ ପ୍ରଥମ ଥର ପାଇଁ ଉପନ୍ୟାସର ପୃଷ୍ଠା ତ୍ୟାଗ କରି ସିନେମାର ରଙ୍ଗିନ୍ ପର୍ଦ୍ଦାରେ ଆବିର୍ଭୂତ ହେବାକୁ ଉଦ୍ୟତ ହେଲେ, ସେତେବେଳେ ସେ ଭୂମିକା ପାଇଁ ନିର୍ମାତା ଓ ନିର୍ଦ୍ଦେଶକ ଏମିତି ଏକ ତାଜା ଅଭିନେତାଙ୍କୁ ମନେ ମନେ ଖୋଜୁଥିଲେ ଯାହାଙ୍କର ବ୍ୟକ୍ତିତ୍ବରେ ଫ୍ଲେମିଙ୍ଗ୍ଙ୍କ ନାୟକର ଏ ସମସ୍ତ ଚରିତ୍ର ପ୍ରତିଫଳିତ ହେଉଥିବ: ଅନାୟାସ ଧୀରସ୍ଥିର ଭାବ, ବିପଦ ସହିତ ସୁପରିଚିତ ଭାବ, ପ୍ରସିଦ୍ଧ ବ୍ରିଟିସ୍ ଦୃଢ଼ ପ୍ରତିଜ୍ଞ ମାନସିକତା, ଆଖିପିଛୁଳାକେ ଏକ ଆକର୍ଷଣୀୟ ବ୍ୟକ୍ତିତ୍ବରୁ ପରିବର୍ତ୍ତିତ ହୋଇ ଏକ ମାରାତ୍ମକ ଘାତକରେ ପରିଣତ ହୋଇଯିବା...। ଜଣେ କଳାକାର ଠାରେ ଏ ସମସ୍ତ ଚାରିତ୍ରିକ ବିଭାବ କେବଳ ସ୍ବାଭାବିକ ଭାବରେ ଠୁଳ ହୋଇଥାଏ କିମ୍ବା ଆଦୌ ଉପସ୍ଥିତ ନଥାଏ; ସୁଚିନ୍ତିତ ଉଦ୍ୟମ ବା ଅଭ୍ୟାସ ଦ୍ବାରା ତାହା ହାସଲ କରାଯାଇ ପାରିନଥାଏ।
ସନ୍ କନେରିଙ୍କଠାରେ ଏ ସମସ୍ତ ଲକ୍ଷଣ ସ୍ବାଭାବିକ ଭାବରେ ଉପସ୍ଥିତ ଥିଲା। ଏହି କାରଣରୁ ରଜର୍ ମୁର୍ଙ୍କଠାରୁ ଆରମ୍ଭ କରି ଡାନିଏଲ୍ କ୍ରେଗ୍ଙ୍କ ପର୍ଯ୍ୟନ୍ତ ପରବର୍ତ୍ତୀ ସମସ୍ତ ବଣ୍ତ୍ ଭୂମିକାରେ ଅବତୀର୍ଣ୍ଣ ଅଭିନେତାମାନଙ୍କର ଅଭିନୟର ମୂଲ୍ୟାୟନ କରାଯିବା ବେଳେ ସେମାନଙ୍କୁ ସନ୍ କନେରିଙ୍କ ସହିତ ତୁଳନା କରାହୋଇ ଆସିଛି। ଏହା ସତ ଯେ ପରବର୍ତ୍ତୀ ସମୟରେ କନେରି ଅନ୍ୟାନ୍ୟ କେତେକ ଭିନ୍ନ ସ୍ବାଦର ଫିଲ୍ମରେ ନିଜର ଅଭିନୟ ପରାକାଷ୍ଠା ଦେଖାଇ ସେଥିରୁ ଗୋଟିକରେ ଓସ୍କାର ପୁରସ୍କାର ପାଇଥିଲେ ମଧୢ, ତାଙ୍କର ଦୀର୍ଘ ଜୀବନ ଓ କ୍ୟାରିଅର୍ରେ ତାଙ୍କର ଯେଉଁ ଏକମାତ୍ର ଅବିଚ୍ଛେଦ୍ୟ ପରିଚୟ ସୃଷ୍ଟି ହୋଇଥିଲା, ତାହା ହେଉଛି ହର୍ ମାଜେଷ୍ଟିଜ୍ ସିକ୍ରେଟ୍ ସର୍ଭିସ୍ର ଏଜେଣ୍ଟ୍ ୦୦୭ (ଏହା ଡବ୍ଲ ‘ଓ’ ସେଭେନ୍ କିମ୍ବା ଡବ୍ଲ ‘ଜିରୋ’ ସେଭେନ୍ ତାହା ନିଶ୍ଚିତ ରୂପେ ନିର୍ଦ୍ଧାରଣ କରିବା ପାଇଁ ଗବେଷଣା ଏବେ ବି ଚାଲିଛି) ଜେମ୍ସ ବଣ୍ତ୍ ରୂପରେ।
ଜେମ୍ସ ବଣ୍ତ୍ ଭୂମିକାରେ ସନ୍ କନେରି ଅବିଚଳିତ ଓ ଚମକପ୍ରଦ ଭାବରେ ଦୁର୍ଦ୍ଧର୍ଷ ଶତ୍ରୁର ମୁକାବିଲା କରିବା କିମ୍ବା ଜୁଆ ଖେଳରେ ସର୍ବଦା ଅସମ୍ଭବ ମନେ ହେଉଥିବା ବିଜୟ ଲାଭ କରିବା କିମ୍ବା ସୁନ୍ଦରୀ ନାୟିକାଙ୍କୁ ନିମିଷକରେ ବଶୀଭୂତ କରିବା ପିଢ଼ି ପରେ ପିଢ଼ି ତାଙ୍କର ଅଗଣିତ ଅନୁରକ୍ତମାନଙ୍କୁ ବିମଳ ମନୋରଞ୍ଜନ ଯୋଗାଇ ଆସିଥିଲେ ହେଁ, କନେରି ଭକ୍ତମାନେ ତାଙ୍କ ଅଭିନୀତ ଜେମ୍ସ ବଣ୍ତ୍ ଭୂମିକା ସବୁରୁ କେତେକ ଅତ୍ୟନ୍ତ ଉପଯୋଗୀ ଜୀବନ ଦର୍ଶନ ଶିକ୍ଷା ମଧୢ ଲାଭ କରିଥାନ୍ତି ବୋଲି ଦାବି କରିଥାନ୍ତି। ଉଦାହରଣ ସ୍ବରୂପ: ନିଜର ଲକ୍ଷ୍ୟ ଉପରେ ଅନବରତ ଧୢାନ ରଖ, କେବେହେଲେ ବିରକ୍ତ ହୁଅ ନାହିଁ କିମ୍ବା ଅନ୍ୟମନସ୍କ ହୁଅ ନାହିଁ- ଯାହା ବୌଦ୍ଧ ଧୢାନ ପଦ୍ଧତି ‘ମନଯୋଗ ଧୢାନ’ ବୋଲି କୁହାଯାଇପାରେ। ଦୈନନ୍ଦିନ ଜୀବନରେ ଏହାର ପ୍ରୟୋଗ କେବଳ ଲକ୍ଷ୍ୟ ହାସଲରେ ସହାୟକ ହୋଇଥାଏ, ତାହା ନୁହେଁ, ଶାରୀରିକ ସ୍ବାସ୍ଥ୍ୟରକ୍ଷା ଓ ମାନସିକ ସନ୍ତୁଳନ ରକ୍ଷା ମଧୢ କରିଥାଏ। ଦୁଇରେ, କେବଳ ଯୋଜନା ଉପରେ ସର୍ବଦା ନିର୍ଭର ନକରି, ତତ୍କ୍ଷଣାତ୍ ପରିସ୍ଥିତିର ମୁକାବିଲା କରିବା ପାଇଁ କୌଣସି କୌଶଳ ପ୍ରୟୋଗ କରିବାକୁ ସତର୍କ ରୁହ। ତିନିରେ, ନିଜ ଉପରେ ବିଶ୍ବାସ ସର୍ବଦା ଅତୁଟ ରଖ; ଆତ୍ମବିଶ୍ବାସଠାରୁ ବଳି ଆଉ ବଡ଼ ଶକ୍ତି କିଛି ନାହିଁ। ଚାରି, ସର୍ବଦା ଏକ ଗୁପ୍ତ ଅସ୍ତ୍ର ପାଖରେ ରଖିଥାଅ- ତାହା କରାଟି କୌଶଳ ହୋଇପାରେ କିମ୍ବା ଶାରୀରିକ ଶକ୍ତି ହୋଇପାରେ କିମ୍ବା କୌଣସି ନିର୍ଭରଯୋଗ୍ୟ ବନ୍ଧୁ ମଧୢ ହୋଇପାରେ। ପାଞ୍ଚ, ନିଜକୁ ସର୍ବଦା ସରଳ କିନ୍ତୁ ସୁନ୍ଦର ପୋଷାକ ପରିଧାନ ଅବସ୍ଥାରେ ରଖ, ଯାହା ବ୍ୟକ୍ତିତ୍ବ ବର୍ଦ୍ଧକ ହୋଇଥାଏ। ଶେଷରେ, ତୁମର ଉଚିତ କର୍ମର ସୁଫଳ ନିଶ୍ଚୟ ତୁମକୁ ମିଳିବ। ସନ୍ କନେରିଙ୍କୁ ଚିର ବିଦାୟ ଜଣାଇବା ସମୟରେ ଯେଉଁ ଶେଷ ଶିକ୍ଷାଟିକୁ ଆମେ କେବେ ଭୁଲିବା ନାହିଁ, ତାହା ହେଲା- ଜାତୀୟ ସ୍ବାର୍ଥକୁ ସର୍ବଦା ସର୍ବୋଚ୍ଚ ପ୍ରାଧାନ୍ୟ ଦିଅ।