ବ୍ରହ୍ମାସ୍ତ୍ର!

ଗଲା ବୁଧବାର ଦିନ ରିପବ୍ଲିକ୍‌ ଟେଲିଭିଜନର ପ୍ରତିଷ୍ଠାତା ଏବ˚ ମୁଖ୍ୟ ସ˚ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫଦାରି ଯେଉଁ ସବୁ ପ୍ରଶ୍ନ ଉପସ୍ଥାପନ କରିଛି ତାହାର ପରିସର ଦର୍ଶନ ଠାରୁ ଆରମ୍ଭ କରି ରାଜନୀତି, ପ୍ରଶାସନ ଓ ସମାଜ ଭଳି ବିଭିନ୍ନ କ୍ଷେତ୍ରକୁ ସ୍ପର୍ଶ କରିଛି। କହିବା ବାହୁଲ୍ୟ ଯେ ଅର୍ଣ୍ଣବ ଗୋସ୍ବାମୀ ଭାରତୀୟ ଟେଲିଭିଜନ ଦର୍ଶକମାନଙ୍କୁ ଯେଉଁଭଳି ସ୍ପଷ୍ଟ ଦୁଇ ଭାଗରେ ବିଭକ୍ତ କରିପାରିଛନ୍ତି, ତାହା ପୂର୍ବରୁ କୌଣସି ସାମ୍ବାଦିକ କରି ପାରି ନ ଥିଲେ; ସ˚ପ୍ରତି ଜଣେ ଦର୍ଶକ ଅର୍ଣ୍ଣବଙ୍କୁ କେବଳ ଅତି ପସନ୍ଦ କରିପାରେ ବା ନାପସନ୍ଦ କରିପାରେ: ଏହି କଳା-ଧଳା ମଧୢରେ ଧୂସର ଇଲାକାଟିଏ ପ୍ରାୟତଃ ଅନୁପସ୍ଥିତ। ଏହା ମଧୢ ସତ ଯେ ଅର୍ଣ୍ଣବ ଗୋସ୍ବାମୀ ତାଙ୍କ ଶୈଳୀର ‘ଚରମ ସାମ୍ବାଦିକତା’ କାରଣରୁ ରିପବ୍ଲିକ୍‌ ଟିଭିକୁ ଏକ ଜନ-ଉପଭୋଗ୍ୟ ଚ୍ୟାନେଲରେ ପରିଣତ କରିବାରେ ସଫଳ ହେବା ସହିତ ଅକଳନ ସମର୍ଥକ ଓ ସ୍ତାବକ ଜୁଟାଇ ପାରିଛନ୍ତି। ସୁତରା˚, ତାଙ୍କ ଗିରଫଦାରି ତାଙ୍କର ଅସ˚ଖ୍ୟ ସ୍ତାବକଙ୍କୁ ଅତ୍ୟନ୍ତ ମୁହ୍ୟମାନ କରି ପକାଇଛି। ଯେହେତୁ ଅର୍ଣ୍ଣବଙ୍କ ଚ୍ୟାନେଲ ଦକ୍ଷିଣ ପନ୍ଥାରେ ବିଶ୍ବାସ ରଖେ ଏବ˚ ସେହି କାରଣରୁ ଏକଦା ବିଜେପିର କନିଷ୍ଠ ଭ୍ରାତା ତୁଲ୍ୟ ରହିଥିବା ଶିବସେନା ବଡ଼ ଭାଇର ହାତ ଛାଡ଼ି ବିରୋଧୀଙ୍କ ଶିବିରରେ ଯୋଗ ଦେବା ପରେ ତାହା ଅର୍ଣ୍ଣବଙ୍କ ଚ୍ୟାନେଲ ଦ୍ବାରା ନିୟମିତ ଆକ୍ରମଣର ଶରବ୍ୟ ହୋଇଛି। ଏହି ଆକ୍ରମଣ ତାର ତୀବ୍ରତମ ଉଚ୍ଚତାରେ ପହଞ୍ଚିଥିଲା, ଯେତେବେଳେ ସୁଶାନ୍ତ ସି˚ହ ରାଜପୁତଙ୍କ ଅପମୃତ୍ୟୁ ମାମଲାର ଅନୁସନ୍ଧାନ କ୍ରମରେ ଅର୍ଣ୍ଣବଙ୍କ ଚ୍ୟାନେଲ ଅନେକ ଦୂର ପର୍ଯ୍ୟନ୍ତ ଖେଦି ଯାଇ ଶିବସେନା ମୁଖ୍ୟଙ୍କ ପୁତ୍ର ତଥା ମହାରାଷ୍ଟ୍ରର ଜଣେ କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ବିଭିନ୍ନ ଅପକର୍ମ ସହିତ ସ˚ପୃକ୍ତି ନେଇ ଅଭିଯୋଗର ତୁହାକୁ ତୁହା ପ୍ରଚାର କରିବାରେ ଲାଗିଥିଲା। ସ୍ବାଭାବିକ ଭାବେ ଏହା ଫଳରେ ମହାରାଷ୍ଟ୍ର ସରକାର ଏବ˚ ରିପବ୍ଲିକ୍‌ ଚ୍ୟାନେଲ ମଧୢରେ ଏକ ତୀବ୍ର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ଏବ˚ ‘ଟିଆରପି’ ଦୁର୍ନୀତି ହେଉ ବା ଅର୍ଣ୍ଣବଙ୍କ ଦ୍ବାରା ସୋନିଆ ଗାନ୍ଧୀଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ ଭଳି ସ˚ଦର୍ଭ ହେଉ; ମହାରାଷ୍ଟ୍ର ସରକାର କୌଣସିମତେ ଅର୍ଣ୍ଣବଙ୍କୁ ଘେରିବାକୁ ଉଦ୍ୟମରତ ଥିଲେ। ସୁତରା˚, ଏଭଳି ପରିସ୍ଥିତିରେ ଏକ ଧାରଣା ସୃଷ୍ଟି ହୋଇଛି ଯେ ଅର୍ଣ୍ଣବଙ୍କ ଗିରଫଦାରି ପଛରେ ରାଜନୈତିକ ପ୍ରତିଶୋଧପରାୟଣତା ନିହିତ ଅଛି। କିନ୍ତୁ ଅର୍ଣ୍ଣବଙ୍କ ଗିରଫଦାରି ପଛରେ ଏଭଳି କୌଣସି କାରଣ ନାହିଁ(ଉପର ବର୍ଣ୍ଣିତ ହୋଇଥିବା ଭଳି), ଯାହା ତାଙ୍କ ବ୍ରାଣ୍ତ୍‌ର ସାମ୍ବାଦିକତା ସହିତ ଜଡ଼ିତ; ବର˚ ଏହା ପଛରେ ରହିଛି ଏକ ଆପରାଧିକ ଅଭିଯୋଗ। ସୁତରା˚, ଏଭଳି ଗିରଫଦାରିର ପ୍ରତିବାଦ କରାଯିବା ମଧୢ ସମ୍ଭବ ନୁହେଁ। ତେଣୁ ଏହା ହୋଇପାରେ ଯେ ଅର୍ଣ୍ଣବଙ୍କ ଉପରେ ପ୍ରତିଶୋଧ ନେବା ଲାଗି ଏଭଳି ବ୍ରହ୍ମାସ୍ତ୍ରର ପ୍ରୟୋଗ କରାଯାଇଛି, ଯାହାର ଉତ୍ତର ଦେବା ଲାଗି ଅର୍ଣ୍ଣବଙ୍କ ତୂଣୀରରେ ସମର୍ଥ ତୀର ନାହିଁ।

ଏ ସ୍ତମ୍ଭର ଅଧିକା˚ଶ ପାଠକପାଠିକା ହୁଏ’ତ ବିସ୍ମରି ଯାଇଥିବେ ଯେ ୨୦୧୮ରେ ଅନ୍ବୟ ନାଏକ ନାମକ ମୁମ୍ବାଇର ଜନୈକ ସ୍ଥପତି ଏବ˚ ତାଙ୍କ ମା’ ଆତ୍ମହତ୍ୟା କରିଥିଲେ ଏବ˚ ଏହାର କାରଣ ଭାବେ ଅନ୍ବୟ ତାଙ୍କ ସୁଇସାଇଡ୍‌ ନୋଟ୍‌ରେ ଯାହା ବର୍ଣ୍ଣନା କରିଥିଲେ ତାହା ହେଲା ରିପବ୍ଲିକ୍‌ ଟିଭିର ଷ୍ଟୁଡିଓ ଓ ଦପ୍ତର ସକାଶେ ସେ କରିଥିବା କାର୍ଯ୍ୟ ଲାଗି ପ୍ରାପ୍ୟ ବାବଦକୁ ପ୍ରାୟ ସାଢ଼େ ପାଞ୍ଚ କୋଟି ଟଙ୍କା ତାଙ୍କୁ ଦିଆ ନ ଯିବାରୁ ଚାପଗ୍ରସ୍ତ ହୋଇ ସେ ଓ ତାଙ୍କ ମା’ ଆତ୍ମହତ୍ୟା କରିବାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେହି ନୋଟ୍‌ରେ ଅନ୍ୟ ଦୁଇ ଜଣଙ୍କ ସହିତ ଅର୍ଣ୍ଣବଙ୍କ ନାମ ସବା ପ୍ରଥମେ ଓ ପରିଷ୍କାର ଭାବେ ଲିପିବଦ୍ଧ ଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ କରା ନ ଯାଇ ବର୍ଷକ ପରେ ଏହି ମାମଲାକୁ ବନ୍ଦ କରି ଦିଆଯାଇଥିଲା। ସମ୍ଭବତଃ ସେହି ସମୟରେ ମହାରାଷ୍ଟ୍ରରେ ବିଜେପି ଶାସିତ ସରକାର ଥିବାରୁ ଅର୍ଣ୍ଣବଙ୍କୁ ସୁରକ୍ଷା ପ୍ରଦାନ କରିବା ଲାଗି ଏଭଳି କରାଯାଇଥିଲା; ଯାହା ବର୍ତ୍ତମାନ ଏକ ସାମ୍ବାଦିକ ସମ୍ମିଳନୀରେ ଅନ୍ବୟଙ୍କ ବିଧବା ପତ୍ନୀ ଓ କନ୍ୟାଙ୍କ ଦ୍ବାରା ପ୍ରଦତ୍ତ ବୟାନ ପରେ ପ୍ରାୟ ପ୍ରମାଣିତ ହେବାକୁ ବସିଲାଣି। କାରଣ ସେମାନେ କହିଛନ୍ତି ଯେ ମାମଲାଟିକୁ ପ୍ରତ୍ୟାହାର କରି ନେବାକୁ ସେତେବେଳେ ସେମାନଙ୍କ ଉପରେ ରାୟଗଡ଼ ପୁଲିସ ଦ୍ବାରା ଭୀଷଣ ଚାପ ପ୍ରୟୋଗ କରାଯାଇଥିଲା। କିନ୍ତୁ ସ˚ପ୍ରତି ମହାରାଷ୍ଟ୍ରର ରାଜନୈତିକ ପରିସ୍ଥିତି ସ˚ପୂର୍ଣ୍ଣ ବିପରୀତ ହୋଇ ଯାଇଥିବାରୁ ପୁନର୍ବାର ମାମଲାଟି ଖୋଲା ଯାଇ ଅଭିଯୋଗ ଆଧାରରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଛି। ତେବେ ଏହି ସ˚ପୂର୍ଣ୍ଣ ଘଟଣାକ୍ରମ ଯାହା ଦର୍ଶାଇଛି, ତାହା ହେଲା ଶାସକ ଦଳ ଦ୍ବାରା ପୁଲିସ ଏକ କ୍ରୀଡ଼ନକରେ ପରିଣତ ହୋଇଯିବାର କରୁଣ ଚିତ୍ର। କାରଣ ମାତ୍ର ଦୁଇ ବର୍ଷର କ୍ଷୁଦ୍ର କାଳଖଣ୍ତ ମଧୢରେ ଦୁଇ ପରସ୍ପର ବିରୋଧୀ ସରକାରଙ୍କ ବଚସ୍କର ଭୂମିକାରେ ଅବତୀର୍ଣ୍ଣ ହୋଇ ସେହି ସମାନ ପୁଲିସ ପ୍ରଶାସନ ଦୁଇ ବିପରୀତଧର୍ମୀ କାର୍ଯ୍ୟ କରିଛି। ଏହା ଅବଶ୍ୟ ସତ୍ୟ ଯେ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଏକ ଆପରାଧିକ ମାମଲାରେ ଗିରଫ କରାଯାଇଛି। କିନ୍ତୁ ପ୍ରଶ୍ନ ଉଠେ ଯେ ଏହା ପଛରେ ନିହିତ ଥିବା ଉଦ୍ଦେଶ୍ୟ କ’ଣ ପୀଡ଼ିତମାନଙ୍କୁ ନ୍ୟାୟ ପ୍ରଦାନ କରିବା? କିନ୍ତୁ ଯଦି ଅର୍ଣ୍ଣବଙ୍କ ଉପରେ ପ୍ରତିଶୋଧ ନେବା ସକାଶେ ଏହା କରାଯାଇଥାଏ, (ଏହାର ଆଶଙ୍କା ମହାରାଷ୍ଟ୍ରର ସରକାରଙ୍କ ହାବଭାବରୁ ସ୍ପଷ୍ଟ) ତେବେ ତାହା ଅତ୍ୟନ୍ତ ଉଦ୍‌ବେଗଜନକ। କାରଣ କ୍ଷମତାସୀନ ସରକାର ଦ୍ବାରା ପୁଲିସ ନିବୀର୍ଯ୍ୟ ସାବ୍ୟସ୍ତ ହେବାର ଏହା ଆଉ ଏକ ହୀନ ଦୃଷ୍ଟାନ୍ତ ହେବ, ଯାହା ଗଣତନ୍ତ୍ରର ସ୍ବାସ୍ଥ୍ୟ ପ୍ରତି ଏକ ବଡ଼ ବିପଦ। ଏହି ସ˚ଦର୍ଭରେ ପୁଲିସ ସ˚ସ୍କାର ବିଷୟ ସବାର୍ଧିକ ଗୁରୁତ୍ବପୂର୍ଣ୍ଣ ବୋଲି ମନେ ହୋଇଥାଏ।

ଅର୍ଣ୍ଣବଙ୍କ ଗିରଫଦାରିକୁ ନିନ୍ଦା କରି କେନ୍ଦ୍ର ଗୃହମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ବରିଷ୍ଠ ମନ୍ତ୍ରୀ ଓ ବିଜେପି ନେତାଙ୍କ ପର୍ଯ୍ୟନ୍ତରେ ମହାରାଷ୍ଟ୍ର ସରକାରକୁ ‘ଫାସିଷ୍ଟ’ ବୋଲି ଅଭିହିତ କରିଛନ୍ତି। କିନ୍ତୁ ବିଜେପି ଶାସିତ ଉତ୍ତରପ୍ରଦେଶରେ ଅନେକ ସାମ୍ବାଦିକ କେବଳ ମାତ୍ର ସରକାର ବିରୋଧୀ ମନ୍ତବ୍ୟ ପ୍ରଦାନ କରି ଦେଶଦ୍ରୋହ ଅଭିଯୋଗରେ ଗିରଫ ହୋଇ ଜେଲ ଭିତରେ କାଳ କାଟୁଥିବା ସତ୍ତ୍ବେ ଏହା ବିରୋଧରେ ଏହି ନେତାମାନଙ୍କ ସ୍ବର ଶୁଣା ଯାଇନାହିଁ। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ଏହା ଏକ କପଟାଚାର ନୁହେଁ କି? ସେହି ଦୃଷ୍ଟିରୁ ଅର୍ଣ୍ଣବଙ୍କ ଗିରଫଦାରିକୁ ସମାଲୋଚନା କରିବା ସହିତ ଏହା ‘ମୁକ୍ତ ଅଭିବ୍ୟକ୍ତି ହନନ’ର ଉଦ୍ୟମ ବୋଲି ଅଭିହିତ କରି ଉଦାରପନ୍ଥୀମାନେ ଯେଉଁ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି, ତାହା ଅନ୍ତତଃ ପକ୍ଷେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସେମାନଙ୍କ ନିଷ୍ଠାର ପରିଚୟ ଦେଇଛି, ଯାହା ଦକ୍ଷିଣ ପନ୍ଥୀମାନଙ୍କ ଠାରେ ପରିଦୃଷ୍ଟ ହେଉନାହିଁ।

ସୁଶାନ୍ତ ସି˚ହ ରାଜପୁତଙ୍କ ଅପମୃତ୍ୟୁ ମାମଲାକୁ ନେଇ ଅର୍ଣ୍ଣବଙ୍କ ଦ୍ବାରା ସୃଷ୍ଟ ସତ୍ୟ ଓ ଅସତ୍ୟର ଘୂର୍ଣ୍ଣିଝଡ଼ ଓ ସେହି କାରଣରୁ ରିୟା ଚକ୍ରବର୍ତ୍ତୀଙ୍କ ଗିରଫଦାରିକୁ ପସନ୍ଦ କରି ପାରି ନ ଥିବା ଅନେକ ଲୋକ ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫ ହେବା ଘଟଣାରେ ଏକ ଅଭୂତପୂର୍ବ ସାଦୃଶ୍ୟ ଦେଖି ଏହାକୁ ହିନ୍ଦୁ ଦର୍ଶନରେ ଥିବା ‘କର୍ମ ଫଳ’ ବୋଲି ଅଭିହିତ କରୁଛନ୍ତି। ସେତିକି ବେଳେ ଅନେକ ଏହା କହୁଥିବା ମଧୢ ଶୁଣିବାକୁ ମିଳୁଛି ଯେ ଅନ୍ବୟ ନାଏକଙ୍କ ମାମଲାରେ ଅର୍ଣ୍ଣବଙ୍କ ବଦଳରେ ଯଦି ଅନ୍ୟ କାହାର ନାମ ରହିଥାଆନ୍ତା, ସମ୍ଭବତଃ ଘଟଣାଟି ଦୁଇ ବର୍ଷ ମଧୢରେ ବିସ୍ମୃତ ହୋଇଯିବାର ଦୁର୍ଭାଗ୍ୟ ଭୋଗି ନ ଥାଆନ୍ତା; କାରଣ ଅର୍ଣ୍ଣବ ତାହା କରାଇ ଦିଅନ୍ତେ ନାହିଁ। ତେବେ ସେ ଯାହା ହେଉ, ଅର୍ଣ୍ଣବଙ୍କ ଭଳି ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ସାମ୍ବାଦିକ ଓ ସ˚ପାଦକ ଗିରଫ ହୋଇଥିବା ସତ୍ତ୍ବେ ଏବ˚ ତାଙ୍କ ବ୍ରାଣ୍ତ‌୍ର ସାମ୍ବାଦିକତା ବିରୋଧରେ ଅନେକ ଅଭିଯୋଗ ରହିଥିଲେ ସୁଦ୍ଧା ତାଙ୍କ ଗିରଫଦାରି ଦ୍ବାରା ସୃଷ୍ଟ ତର୍କବିତର୍କରେ ଯେଉଁ ଚିନ୍ତା ପ୍ରକଟ କରାଯାଉଛି, ତାହା ସାମ୍ବାଦିକତାକୁ ନେଇ ଯେତେ ନୁହେଁ, ଅଧିକ ପୁଲିସ ସ˚ସ୍କାରକୁ ନେଇ; ଯାହା ସ˚ପ୍ରତି ଏକ ଅତ୍ୟନ୍ତ ଜରୁରୀ ଆବଶ୍ୟକତା ବୋଲି ସମସ୍ତଙ୍କର ମତ। ତା’ ନ ହେଲେ ପୁଲିସ ସର୍ବଦା ନିଜ ଶକ୍ତିକୁ କ୍ଷମତାଧାରୀ ରାଜନୈତିକ ଦଳ ଠାରେ ସମର୍ପଣ କରି ସେମାନଙ୍କ ତୂଣୀରରେ ବ୍ରହ୍ମାସ୍ତ୍ର ହୋଇ ରହିଥିବ।

ସମ୍ବନ୍ଧିତ ଖବର