ବେତାଳିଆ ନାଚ

ଭାରତର ନିର୍ବାଚନ ପ୍ରକ୍ରିୟାକୁ ଇ˚ରେଜୀ ଭାଷାରେ ଗୋଟିଏ ନୂତନ ଅଭିବ୍ୟକ୍ତି ମିଳିଛି, ଯାହା ହେଲା ‘ଡ୍ୟାନ୍‌ସ ଅଫ୍‌ ଡେମୋକ୍ରାସି’ ଅର୍ଥାତ୍‌ ଗଣତନ୍ତ୍ରର ନୃତ୍ୟ। ଯଦିଓ ପୃଥିବୀର ଏହି ବୃହତ୍ତମ ଗଣତନ୍ତ୍ରରେ ପରିଲକ୍ଷିତ ହେଉଥିବା ବିଭିନ୍ନ ନିରାଶାଜନକ ଉପସର୍ଗ ଲାଗି ଅନେକ ଏହାକୁ ସମାଲୋଚନାମୂଳକ ଦୃଷ୍ଟିରେ ଦେଖିଥାଆନ୍ତି, କିନ୍ତୁ ଏହା ସତ୍ତ୍ବେ ପ୍ରାୟ ସମସ୍ତେ ଏକମତ ହେ‌େବ ଯେ ଯେଉଁ ଭଳି ତାଳମେଳ ସହିତ ପ୍ରାୟ ୯୧ କୋଟି ଭୋଟରଙ୍କୁ ଧାରଣ କରିଥିବା ଏହି ଗଣତନ୍ତ୍ରରେ ନିର୍ବାଚନ ସମାହିତ ହୋଇଥାଏ, ତାହା କେବଳ ଏକ ନୃତ୍ୟ ସହିତ ହିଁ ତୁଳନୀୟ। ତେବେ, ଏହି ପରିପ୍ରେକ୍ଷୀରେ ବିଚାର କଲେ ନିଜକୁ ଗଣତନ୍ତ୍ରର ଏକ ‘ମେଟାଫର’ ଭାବେ ପ୍ରଦର୍ଶିତ କରୁଥିବା ଦେଶ ଯୁକ୍ତରାଷ୍ଟ୍ର ଆମେରିକାର ନିର୍ବାଚନ ପ୍ରକ୍ରିୟା ଯେ ଏକ ବେତାଳିଆ ଗୋଡ଼ ପିଟା ତାହା କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ସଂଦର୍ଭରେ ସଦ୍ୟ ସମାପ୍ତ ଆମେରିକା ନିର୍ବାଚନରେ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନ୍‌ ରାଷ୍ଟ୍ରପତି ହେବା ଦିଗରେ କଚ୍ଛପ ଗତିରେ ଅଗ୍ରସର ହେଉଥିବା ବେଳେ ହ୍ବାଇଟ୍‌ ହାଉସ୍‌କୁ କୌଣସିମତେ ଦ୍ବିତୀୟ ଥର ଲାଗି ଦଖଲରେ ରଖିବା ଲାଗି ଲାଳାୟିତ ଡୋନାଲ୍‌ଡ ଟ୍ର˚ପ୍‌ଙ୍କ ଦ୍ବାରା ସୃଷ୍ଟ ବିବାଦ ଏହି ବେତାଳିଆ ନାଚକୁ ସାରା ପୃଥିବୀ ସମକ୍ଷରେ ଉଜାଗର କରିଛି।

ଏହି ନିର୍ବାଚନର ପରିଣାମକୁ ନେଇ ରାଷ୍ଟ୍ରପତି ଟ୍ର˚ପ୍‌ ବିବାଦ ସୃଷ୍ଟି କରିବା ମୂଳରେ ଯାହା ରହିଛି ତାହା ହେଲା ସେଠାରେ ପ୍ରଚଳିତ ଚିଠି ଦ୍ବାରା ମତ ଦାନ କରିବାର ବ୍ୟବସ୍ଥା; ଯେଉଁ ସୂତ୍ରରୁ ମିଳୁଥିବା ଭୋଟକୁ ‘ଆବସେଣ୍ଟି ଭୋଟ୍‌’ ବା ‘ଅନୁପସ୍ଥିତଙ୍କ ଭୋଟ୍‌’ ବୋଲି ଅଭିହିତ କରାଯାଇଥାଏ। ଉଲ୍ଲେଖନୀୟ ଯେ ସଦ୍ୟ ସମାପ୍ତ ଆମେରିକୀୟ ନିର୍ବାଚନରେ ପୂର୍ବରୁ କେବେ ଦେଖା ଯାଇ ନ ଥିବା ଭଳି ଅତ୍ୟନ୍ତ ବିପୁଳ ସ˚ଖ୍ୟକ ନାଗରିକ ଚିଠି ଜରିଆରେ ଆପଣା ମତ ଦାନ କରିଛନ୍ତି। ଅବଶ୍ୟ ପୂର୍ବରୁ ଏହାର ସୂଚନା ମିଳି ସାରିଥିଲା, ଯେତେବେଳେ ନିର୍ବାଚନ ପୂର୍ବରୁ ‘ଏନ୍‌ବିସି ଟେଲିଭିଜନ’ ଏବ˚ ‘ଵାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ’ ଦ୍ବାରା ମିଳିତ ଭାବେ କରାଯାଇଥିବା ଏକ ସର୍ବେକ୍ଷଣ କହିଥିଲା ଯେ ସେଠାକାର ପ˚ଜିକୃତ ଭୋଟରଙ୍କ ମଧୢରୁ ଏକ ତୃତୀୟା˚ଶ ଅର୍ଥାତ୍‌ ୩୦%ରୁ ଅଧିକ ନାଗରିକ ଚିଠି ଜରିଆରେ ଭୋଟ ଦେବାକୁ ଇଚ୍ଛୁକ। ସେହି ସର୍ବେକ୍ଷଣରୁ ଏହା ମଧୢ ଜଣାପଡ଼ିଥିଲା ଯେ ଚିଠି ଦ୍ବାରା ମତ ଦାନ କରିବାକୁ ଆଗ୍ରହୀ ଏବ˚ ବୁଥ୍‌ରେ ଅନୁପସ୍ଥିତ ଏହି ଭୋଟରମାନଙ୍କ ମଧୢରୁ ୪୭% ଜୋ ବାଇଡେନ୍‌ଙ୍କ ସପକ୍ଷରେ ଯିବେ ଏବ˚ ମାତ୍ର ୧୧% ଡୋନାଲ୍‌ଡ ଟ୍ର˚ପ୍‌ଙ୍କୁ ସମର୍ଥନ କରିବେ। ସମ୍ଭବତଃ ଏହାର କାରଣ କୋଭିଡ୍‌ ସତର୍କତାକୁ ସମ୍ମାନ ପ୍ରଦାନ କରୁଥିବା ଡେମୋକ୍ରାଟିକ ଦଳର ସମର୍ଥକମାନେ ସଶରୀରେ ବୁଥ୍‌ରେ ଦୃଶ୍ୟମାନ ହେବାକୁ ପସନ୍ଦ କରି ନାହାନ୍ତି ଏବ˚ ଅପର ପକ୍ଷରେ ‘କରୋନା ପାନ୍‌ଡେମିକ୍‌’କୁ ଏକ ସାଧାରଣ ଫ୍ଲୁ ବେମାରି ବ୍ୟତୀତ ଆଉ କିଛି ନୁହେଁ ବୋଲି ବିଚାର କରୁଥିବା ଟ୍ର˚ପ୍‌ଙ୍କ ରିପବ୍ଲିକାନ୍‌ ଦଳର ସମର୍ଥକମାନେ ଅଧିକ ସ˚ଖ୍ୟାରେ ବୁଥ୍‌ରେ ଉପସ୍ଥିତ ରହି ଭୋଟ ପ୍ରଦାନ କରିବା ସହିତ କରୋନା ସ˚କ୍ରମଣ ପ୍ରତି ସେମାନଙ୍କ ହେୟ ଭାବ ପ୍ରଦର୍ଶନ କରିଛନ୍ତି। ଏହା ମଧୢ ଉଲ୍ଲେଖ କରାଯାଇପାରେ କି ନିର୍ବାଚନ ପ୍ରଚାର କାଳରେ ଟ୍ର˚ପ୍‌ଙ୍କ ଦ୍ବାରା ଆମେରିକାର ଡାକ ବିଭାଗର କାର୍ଯ୍ୟ ଦକ୍ଷତାର ସମାଲୋଚନା ମଧ୍ୟ ଏକ ବିବାଦର ସୂତ୍ରପାତ କରିଛି। ତେବେ ସେ ଯାହା ହେଉ, ବୁଥ୍‌ରେ ଉପସ୍ଥିତ ରହି ଭୋଟ ଦେଇଥିବା ନାଗରିକଙ୍କ ମଧୢରେ ସ˚ଖ୍ୟାଧିକ ଭାଗ ରିପବ୍ଲିକାନ୍‌ ଦଳର ସମର୍ଥକ ହୋଇଥିବାରୁ ସ୍ବାଭାବିକ ଭାବେ ନିର୍ବାଚନ ପରବର୍ତ୍ତୀ ପ୍ରାରମ୍ଭିକ ଭୋଟ ଗଣତିରେ ପ୍ରାୟ ସବୁ ପ୍ରଦେଶରେ ଡୋନାଲ୍‌ଡ ଟ୍ର˚ପ୍‌ ବାଇଡେନ୍‌ଙ୍କ ଠାରୁ ଆଗରେ ଥିଲେ; କିନ୍ତୁ ଭୋଟ ଗଣତି ଟେବୁଲ ଉପରେ ଅବଲୀଳା କ୍ରମେ ଚିଠି ଜରିଆରେ ‘ଆବସେଣ୍ଟି ଭୋଟ୍‌’ ବା ‘ଅନୁପସ୍ଥିତଙ୍କ ଭୋଟ’ର ଉପସ୍ଥିତି ଅଧିକରୁ ଅଧିକ ହୋଇ କ୍ରମେ ବାଇଡେନ୍‌ଙ୍କୁ ଟ୍ର˚ପ୍‌ଙ୍କ ଠାରୁ ଆଗୁଆରେ ପରିଣତ କଲା। ଏହା ଟ୍ର˚ପ୍‌ଙ୍କୁ ଏଭଳି ମୁହ୍ୟମାନ କରିଛି ଯେ ସେ କୌଣସିମତେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି ଏବ˚ ସେ ଏହା ବିରୋଧରେ ଅଦାଲତକୁ ଯିବେ ବୋଲି କହି ସାରିଲେଣି।

ତେବେ ଏ ପରିପ୍ରେକ୍ଷୀରେ ଯାହା ବିଶେଷ ଭାବେ ପ୍ରଣିଧାନଯୋଗ୍ୟ ତାହା ହେଲା ଆମେରିକାର ନିର୍ବାଚନ ପ୍ରକ୍ରିୟାରେ ରହିଥିବା ଏଭଳି ଅନେକ ବିଭାବ, ଯାହା ଏ ସ˚ପୂର୍ଣ୍ଣ ପ୍ରକରଣକୁ ଜଟିଳ ଏବ˚ ତାଳମେଳ-ଶୂନ୍ୟ ବୋଲି ପ୍ରମାଣିତ କରିଥାଏ। ଉଦାହରଣ ସ୍ବରୂପ ଆମେରିକାରେ ମତଦାନ ପ୍ରକ୍ରିୟାଟି କୌଣସି ଗୋଟିଏ ବା ନିର୍ଦ୍ଦିଷ୍ଟ ନିୟମର ଅନୁସରଣ କରି ନ ଥାଏ; ବିଭିନ୍ନ ପ୍ରଦେଶରେ (ଏପରିକି ବିଭିନ୍ନ କାଉଣ୍ଟିିରେ ମଧୢ) ଏହା ଭିନ୍ନ ଭିନ୍ନ। ସେଠାରେ ଜଣେ ଭୋଟର୍‌ ଇଚ୍ଛା କଲେ ନିର୍ବାଚନ ଦିବସର ଯଥେଷ୍ଟ ପୂର୍ବରୁ ଭୋଟ ଦେଇ ପାରନ୍ତି। ଭାରତରେ ବିଦ୍ୟମାନ ଥିବା ଭଳି ଆମେରିକାରେ ମୁଖ୍ୟ ନିର୍ବାଚନ କମିସନରଙ୍କ ତୁଲ୍ୟ କୌଣସି ସାମ୍ବିଧାନିକ କ୍ଷମତାପ୍ରାପ୍ତ ପଦଧାରୀ ନ ଥାଆନ୍ତି, ଯାହାଙ୍କ ଦ୍ବାରା ନିର୍ବାଚନ ପରିଚାଳିତ ହୁଏ। ସେଠାକାର ନିର୍ବାଚନ ପରିଚାଳନା କରୁଥିବା ଅଧିକାରୀମାନେ ନିର୍ବାଚିତ ହେଉଥିବାରୁ ପ୍ରାୟତଃ ସେମାନେ ଦଳୀୟ ଭିତ୍ତିରେ ପକ୍ଷପାତୀ ହୁଅନ୍ତି। କେବଳ ସେତିକି ନୁହେଁ, ଭୋଟ ଦାନ କରିବାର ଯୋଗ୍ୟତା ମଧୢ ସାରା ରାଷ୍ଟ୍ର ଲାଗି ସମାନ ନୁହେଁ; ଏହା ବିଭିନ୍ନ ପ୍ରଦେଶରେ ଭିନ୍ନ ଭିନ୍ନ। ଗଲା ୨୦୦୦ ମସିହା ନିର୍ବାଚନ ସମୟରେ ଫ୍ଲୋରିଡାରେ ପ୍ରଚଳିତ ଏଭଳି ଏକ ‘ଯୋଗ୍ୟତା’ ନିୟମ ବିବାଦ ସୃଷ୍ଟି କରିଥିଲା, ଯାହା ଅନୁସାରେ ଯେ କୌଣସି ଅତି ନଗଣ୍ୟ ଅପରାଧରେ ସ˚ପୃକ୍ତ ନାଗରିକ ମଧୢ ଭୋଟ ଦେବାରୁ ବ˚ଚିତ ହୋଇଥିଲେ। ଯେହେତୁ ଆମେରିକାରେ ବିଭିନ୍ନ କାରଣରୁ କୃଷ୍ଣକାୟମାନେ ମିିଛରେ ହେଉ ବା ସତରେ ଅଧିକ ସ˚ଖ୍ୟାରେ ବିଭିନ୍ନ ଅଭିଯୋଗରେ ଛନ୍ଦି ହୋଇ ପଡ଼ନ୍ତି; ସେମାନେ ଭୋଟ ଦେଇ ନ ପାରି ସେ ସମୟରେ ଡେମୋକ୍ରାଟିକ୍‌ ଦଳର ପ୍ରାର୍ଥୀ ଅଲ ଗୋରେଙ୍କ ସଫଳତାକୁ ନିଷ୍ପ୍ରଭ କରିଥିଲେ। (କୃଷ୍ଣକାୟମାନେ ସାଧାରଣତଃ ଡେମୋକ୍ରାଟିକ୍‌ ଦଳର ସମର୍ଥକ) ସେହିଭଳି ଚିଠି ଦ୍ବାରା ଭୋଟ ଦାନ ପ୍ରକ୍ରିୟାର ଆରମ୍ଭ ବା ତା’ ଦ୍ବାରା ପଡୁଥିବା ଭୋଟର ଗଣତି ସ˚ଦର୍ଭରେ ମଧୢ ବିଭିନ୍ନ ପ୍ରଦେଶରେ ଭିନ୍ନ ଭିନ୍ନ ନିୟମ ପ୍ରଚଳିତ। ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଚଳିତ ନିୟମାନୁସାରେ ନିର୍ବାଚନ ତାରିଖର ମୋହର ବହନ କରିଥିବା ଅନୁପସ୍ଥିତଙ୍କ ଭୋଟ ସମ୍ବଳିତ ଚିଠିକୁ ନିର୍ବାଚନ ପରବର୍ତ୍ତୀ ତିନି ଦିନ ପର୍ଯ୍ୟନ୍ତ ସମୟ କାଳ ମଧୢରେ ଗ୍ରହଣ କରାଯିବା କଥା। କିନ୍ତୁ ସେ ନିୟମ ମଧୢ ସେଠାରେ ସର୍ବତ୍ର ସମାନ ରୂପେ ଅନୁସୃତ ହୋଇ ନ ଥାଏ। ଯଦି ଚିଠି ଉପରେ ନିର୍ବାଚନ ତାରିଖର ମୋହର ଥାଏ, କେତେକ ପ୍ରଦେଶରେ ସପ୍ତାହକ ପର୍ଯ୍ୟନ୍ତ ଚିଠିଗୁଡ଼ିକୁ ଗ୍ରହଣ କରାଯାଏ, କେତେକ ପ୍ରଦେଶରେ ନିର୍ବାଚନ ତାରିଖର ମୋହର ଲାଗି ନ ଥିଲେ ସୁଦ୍ଧା ଭୋଟ ବହନକାରୀ ଚିଠିକୁ ତିନି ଦିନ ଭିତରେ ଗ୍ରହଣ କରାଯାଏ। ଉତ୍ତର କ୍ୟାରୋଲିନା ପ୍ରଦେଶରେ ଭୋଟ ସମ୍ବଳିତ ଚିଠିକୁ ନିର୍ବାଚନର ତିନି ଦିନ ପୂର୍ବରୁ ଗ୍ରହଣ କରାଯିବା ଆରମ୍ଭ ହୋଇ ସେହି ପ୍ରକ୍ରିୟା ନିର୍ବାଚନ ପରବର୍ତ୍ତୀ ନଅ ଦିନ ପର୍ଯ୍ୟନ୍ତ ଚାଲୁରହେ। ଏଭଳି ତାଳମେ-ଶୂନ୍ୟତାର ଉଦାହରଣର ତାଲିକା ଆହୁରି ଦୀର୍ଘ, ଯାହା ଏ ସ୍ତମ୍ଭର ସୀମିତ କଳେବରରେ ସନ୍ନିବେଶିତ ହେବା ଅସମ୍ଭବ ବ୍ୟାପାର।

କହିବା ନିଷ୍ପ୍ରୟୋଜନ ଯେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସର୍ବଦା ବିଶ୍ବ ବ୍ୟାପୀ ଉତ୍କଣ୍ଠା ସୃଷ୍ଟି କରିଥାଏ। କିନ୍ତୁ ଚଳିତ ବର୍ଷ ଏହି ଉତ୍କଣ୍ଠାର ଉଚ୍ଚାଟ ସର୍ବାଧିକ ହେବାର କାରଣ କରୋନା ପାନ୍‌ଡେମିକ୍‌ ପୃଷ୍ଠଭୂମିରେ ଯୁକ୍ତରାଷ୍ଟ୍ର ଆମେରିକାର ଦୟନୀୟ ସ୍ଥିତି ଏବ˚ ସେହି ସ˚ଦର୍ଭରେ ଡୋନାଲଡ ଟ୍ର˚ପ୍‌ଙ୍କ ଦ୍ବାରା ପ୍ରଦର୍ଶିତ ଅନେକ ଆଡ଼ବାୟାସୁଲଭ ଆଭିମୁଖ୍ୟ ଓ ଆଚରଣ। ଏହା ମଧୢ ଏକ ଦାରୁଣ ସ˚ଯୋଗ ଯେ ଏହି ମହାମାରୀ କାଳରେ ହିଁ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରାଙ୍ଗଣରେ ଅବତୀର୍ଣ୍ଣ ହେବାର ଥିଲା। ଏହି ପରିପ୍ରେକ୍ଷୀରେ ସୃଷ୍ଟ ବିଭିନ୍ନ ବାଦ-ବିବାଦର ଘନଘଟା ମଧୢରେ ଯେତେବେଳେ ଯୁକ୍ତରାଷ୍ଟ୍ରର ନିର୍ବାଚନ ପ୍ରକ୍ରିୟାର ଜଟିଳତା ଓ ବକ୍ରତା ପରିଦୃଶ୍ୟ ହେଉଛି, ସେତେବେଳେ ଏହା ଆମ ଭଳି ଭାରତୀୟଙ୍କ ଲାଗି ଗଣତନ୍ତ୍ରର ଏକ ବେତାଳିଆ ନାଚ ଭଳି ମନେ ହେବା ସ୍ବାଭାବିକ।

ସମ୍ବନ୍ଧିତ ଖବର