ଆମେରିକାର ବୋଷ୍ଟନ୍ ନଗରୀର ଅନ୍ୟତମ ପର୍ଯ୍ୟଟକ ଆକର୍ଷଣ ହେଉଛି ‘ଫ୍ରିଡମ୍ ଟ୍ରେଲ୍’ ବା ‘ମୁକ୍ତି ପଥ’। ଆମେରିକା ଇତିହାସ ସହିତ ଘନିଷ୍ଠ ସମ୍ପର୍କ ଥିବା ୧୬ଟି ସ୍ଥଳୀକୁ ଛୁଇଁ ଛୁଇଁ ବୋଷ୍ଟନ୍ ସହର ମଧୢ ଦେଇ ଲମ୍ବି ଯାଇଥିବା ଏହି ଚାରି କିମି ଦୀର୍ଘ ପଥର ଶେଷରେ ଥିବା ସ୍ମାରକୀ ହେଉଛି ଚାର୍ଲ୍ସ ଟାଉନ୍ର ‘ବଙ୍କର୍ ହିଲ୍’। ସେଠାରେ ଏକ ଫଳକ ପର୍ଯ୍ୟଟକମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ, ଯେଉଁଥିରେ ଲେଖା ହୋଇଛି: ‘‘ବଙ୍କର୍ ହିଲ୍ ଯୁଦ୍ଧସ୍ଥଳୀ’’। ଆମେରିକା ବ୍ରିଟିସ୍ ଦଖଲରୁ ସ୍ବାଧୀନତା ହାସଲ କରିବାର ଠିକ୍ ପୂର୍ବବର୍ଷ, ୧୭୭୫ରେ ‘ବ୍ରିଡ୍ସ ହିଲ୍’ ନାମରେ ପରିଚିତ ଏହି ପାହାଡ଼ିଆ ଉଚ୍ଚ ସ୍ଥାନରୁ ଦଖଲରେ ଥିବା ଆମେରିକୀୟ ସ୍ବାଧୀନତା ସ˚ଗ୍ରାମୀମାନଙ୍କୁ ହଟାଇବା ପାଇଁ ବ୍ରିଟିସ୍ ସୈନ୍ୟମାନେ କରିଥିବା ଆକ୍ରମଣ ‘ବଙ୍କର୍ ହିଲ୍ ଯୁଦ୍ଧ’ ନାମରେ ଯେଉଁ ଐତିହାସିକ ପ୍ରସିଦ୍ଧି ଲାଭ କରିଛି, ତାହା ଆମେରିକୀୟ ଯୋଦ୍ଧାମାନଙ୍କର ବିଜୟ ଯୋଗୁଁ ନୁହେଁ- ସେମାନେ ପରାଜିତ ହୋଇ ପାହାଡ଼ରୁ ତଡ଼ା ଖାଇଥିଲେ। ଏ ଯୁଦ୍ଧ ପ୍ରସିଦ୍ଧି ଲାଭ କରିଥିବାର କାରଣ ହେଉଛି- ବ୍ରିଟିସ୍ ସେନାର ଏହି ବିଜୟକୁ ବହୁଳ ବ୍ୟବହୃତ ‘ପିରିକ୍ ଭିକ୍ଟ୍ରି’ ବା ‘ପିରିକ୍ ବିଜୟ’ ନାମକ ଏକ କିସମର ବିଜୟର ଏକ ପ୍ରକୃଷ୍ଟ ଉଦାହରଣ ରୂପେ ଅନେକ ସମୟରେ ପ୍ରଦର୍ଶିତ କରାଯାଇଥାଏ।
ଗ୍ରୀକ୍ ବୀର ଆଲେକ୍ଜାଣ୍ତର୍ଙ୍କର ସର୍ବଶ୍ରେଷ୍ଠ ଉତ୍ତରାଧିକାରୀ ରୂପେ ପରିଚିତ ଏପିରସ୍ର ରାଜା ପିରସ୍ ଅସ୍କଲମ୍ ଠାରେ ରୋମାନ୍ମାନଙ୍କ ଉପରେ ଏକ ଆୟାସସାଧୢ ବିଜୟଲାଭ କଲା ପରେ ତାଙ୍କୁ ତାଙ୍କର ସାଥୀମାନେ ଅଭିନନ୍ଦନ ଜଣାଇବାର ଉତ୍ତରରେ ପିରସ୍ ସେମାନଙ୍କୁ କହିଥିଲେ: ‘‘ଏଇ ଭଳି ଆଉ ଗୋଟିଏ ବିଜୟ ଘଟିଲେ ଆମେ ସମ୍ପୂର୍ଣ୍ଣ ତଳିତଳାନ୍ତ ହୋଇଯିବା ନିଶ୍ଚିତ।’’ ପିରସ୍ ଏପରି କ୍ଷୋଭ ପ୍ରକାଶ କରିବାର କାରଣ ଥିଲା, ତାଙ୍କ ସହିତ ଯୁଦ୍ଧ ଅଭିଯାନରେ ବାହାରି ଆସିଥିବା ତାଙ୍କର ବହୁ ସ˚ଖ୍ୟକ ସୈନ୍ୟ ଓ ସେନାପତିଙ୍କୁ ସେ ଏହି ଯୁଦ୍ଧରେ ହରାଇ ବସିଥିଲେ। ୧୭୭୫ ଜୁନ୍ରେ ବଙ୍କର୍ ହିଲ୍ ଯୁଦ୍ଧରେ ବ୍ରିଟିସ୍ ସେନା ବାହିନୀର ଠିକ୍ ପିରସ୍ଙ୍କ ଭଳି ଦଶା ହୋଇଥିଲା। ଆମେରିକୀୟ ସ୍ବାଧୀନତା ସ˚ଗ୍ରାମର ପ୍ରଥମ ପ୍ରକୃତ ଯୁଦ୍ଧ ରୂପେ ବିବେଚିତ ଏହି ଯୁଦ୍ଧରେ ସେନାପତି ଜେନେରାଲ୍ ଵିଲିଅମ୍ ହାଓ ତାଙ୍କର ସହକର୍ମୀ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ଏହି ଦୁଇ ଘଣ୍ଟାର ଯୁଦ୍ଧରେ ହରାଇଥିଲେ ଏବ˚ ବ୍ରିଟିସ୍ ପକ୍ଷର ମୃତାହତଙ୍କ ସ˚ଖ୍ୟା ଆମେରିକୀୟ ମୃତାହତ ସ˚ଖ୍ୟାର ପ୍ରାୟ ତିନି ଗୁଣ ହୋଇଥିଲା। ‘‘ଏ ବିଜୟ ବହୁ ମହଙ୍ଗା ସାବ୍ୟସ୍ତ ହୋଇଛି’’- ଏହା ଥିଲା ଜେନେରାଲ୍ ହାଓ ନିଜେ ଲିପିବଦ୍ଧ କରିଥିବା ଯୁଦ୍ଧର ବିବରଣୀର ଅ˚ଶ।
ବର୍ତ୍ତମାନ ‘ବଙ୍କର୍ ହିଲ୍’ ତ୍ୟାଗ କରି ସମୟର ସଡ଼କରେ ୨୪୫ ବର୍ଷ ଅତିକ୍ରମ କରି ଆମେରିକାର ‘କ୍ୟାପିଟଲ୍ ହିଲ୍’ରେ ପହଞ୍ଚିଲେ ସେ ଦେଶର ରାଜନୀତି ଓ ଇତିହାସରେ ଆଗ୍ରହ ଥିବା କୌଣସି ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟିରେ ଯାହା ପଡ଼େ, ତାହା ହେଲା ସଦ୍ୟ ସମାପ୍ତ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କରିଥିବା ଡେମୋକ୍ରାଟିିକ୍ ଦଳର ପ୍ରାର୍ଥୀ ଜୋ ବାଇଡେନ୍ଙ୍କର ଏହି ବିଜୟର ବଙ୍କର୍ ହିଲ୍ ଯୁଦ୍ଧରେ ବ୍ରିଟିସ୍ ପକ୍ଷ ହାସଲ କରିଥିବା ସେଇ ବିଜୟ ସହିତ ରହିଥିବା ସାଦୃଶ୍ୟ, ଯାହା ବାଇଡେନ୍ଙ୍କ ବିଜୟକୁ ଏକ ପିରିକ୍ ବିଜୟର ରଙ୍ଗ ଦେଇଥାଏ। ଏହାର କାରଣ ନୁହେଁ ରାଷ୍ଟ୍ରପତି ନିର୍ବାଚନରେ ସମସ୍ତ ପୂର୍ବାନୁମାନଙ୍କୁ ମିଥ୍ୟା ସାବ୍ୟସ୍ତ କରି ପରାଜୟ ବରଣ କରିଥିବା ସତ୍ତ୍ବେ ବାଇଡେନ୍ଙ୍କ ପ୍ରତିଦ୍ବନ୍ଦ୍ବୀ ଡୋନାଲ୍ଡ ଟ୍ରମ୍ପ୍ ହାସଲ କରିଥିବା ବିପୁଳ ମତଦାତା ସମର୍ଥନ (ଯାହା ଗତକାଲି ଏହି ସ୍ତମ୍ଭରେ ବିସ୍ତୃତ ଭାବରେ ଆଲୋଚିତ ହୋଇଥିଲା)। ଏହାର କାରଣ ହେଉଛି ‘କ୍ୟାପିଟଲ୍ ହିଲ୍’ ଦଖଲ ପାଇଁ ହୋଇଥିବା ବୃହତ୍ତର ଯୁଦ୍ଧରେ ଡେମୋକ୍ରାଟିକ୍ ବାଇଡେନ୍ ବାହିନୀକୁ ଦେବାକୁ ପଡ଼ିଥିବା ମୂଲ୍ୟ। ‘କ୍ୟାପିଟଲ୍ ହିଲ୍’ରେ ଅବସ୍ଥିତ ଆମେରିକୀୟ ସ˚ସଦ ବା କ˚ଗ୍ରେସର ଦୁଇ ଗୃହ- କ୍ଷମତାଶାଳୀ ଉପର ଗୃହ ‘ସିନେଟ୍’ ଏବ˚ ତଳ ଗୃହ ପ୍ରତିନିଧି ସଭା ବା ‘ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ’ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ହେଉଛି ଏହାର ପ୍ରମାଣ।
ନିର୍ବାଚନ ପୂର୍ବରୁ ହୋଇଥିବା ଜନମତ ସର୍ବେକ୍ଷଣମାନ ଯେ କେବଳ ବାଇଡେନ୍ଙ୍କ ପ୍ରତି ଜାତୀୟ ସ୍ତରରେ ଥିବା ଜନ ସମର୍ଥନକୁ ଅତିରଞ୍ଜିତ କରି ପ୍ରଦର୍ଶନ କରିଥିଲେ, ତାହା ନୁହେଁ, କ˚ଗ୍ରେସ ପାଇଁ ହୋଇଥିବା ନିର୍ବାଚନରେ ଡେମୋକ୍ରାଟିକ୍ ପ୍ରାର୍ଥୀମାନଙ୍କୁ ମିଳିବାକୁ ଯାଉଥିବା ସମର୍ଥନକୁ ମଧୢ ବ୍ୟାପକ ଭାବରେ ଅତିରଞ୍ଜିତ କରି ପ୍ରଦର୍ଶିତ କରିଥିଲେ। ଡେମୋକ୍ରାଟିକ୍ ସମର୍ଥକମାନେ ଏହାକୁ ଭିତ୍ତି କରି ଉଭୟ ଗୃହକୁ ସମ୍ପୂର୍ଣ୍ଣ ରୂପେ ନିଜ ନିୟନ୍ତ୍ରଣକୁ ଆଣିବା ପାଇଁ ଆଣ୍ଟ ବାନ୍ଧି ବସିଥିଲେ। ସେମାନଙ୍କ ମଧୢରେ ଥିବା ଅଧିକ ଉତ୍ସାହୀମାନେ ତ ଘୋଷଣା କରି ସାରିଥିଲେ ଯେ ଏଥର ସେମାନେ ଦୁଇ ଗୃହରେ ଥିବା ସମ୍ପୂର୍ଣ୍ଣ ସ˚ଖ୍ୟାଗରିଷ୍ଠତାକୁ ବ୍ୟବହାର କରି ରିପବ୍ଲିକାନ୍ମାନଙ୍କ ସ୍ବାର୍ଥହାନି ଘଟିବା ଭଳି କେତେକ ଚରମ ସ˚ସ୍କାର କାର୍ଯ୍ୟ କରିବେ। ଉଦାହରଣ ସ୍ବରୂପ, ସେମାନେ ସମ୍ବିଧାନର ସ˚ଶୋଧନ କରି ସୁପ୍ରିମ୍କୋର୍ଟର ବିଚାରପତି ସ˚ଖ୍ୟା ବର୍ତ୍ତମାନର ୯ ଜଣରୁ ବୃଦ୍ଧି କରି ସେ ସମସ୍ତ ବର୍ଦ୍ଧିତ ଆସନରେ ଡେମୋକ୍ରାଟିକ୍ ପାର୍ଟି ସମର୍ଥିତ ବିଚାରପତିମାନଙ୍କୁ ନିଯୁକ୍ତ କରି ବର୍ତ୍ତମାନ ଟ୍ରମ୍ପ୍ ଘଟାଇଥିବା କୋର୍ଟର ଗଠନ (୬ ଜଣ ରକ୍ଷଣଶୀଳ, ୩ ଜଣ ଉଦାରପନ୍ଥୀ)କୁ ବଦଳାଇ ଦେବେ; ସେ ଦେଶର ରାଷ୍ଟ୍ରପତି ନିର୍ବାଚନ ପ୍ରତିଷ୍ଠିତ ଥିବା ଇଲେକ୍ଟୋରାଲ୍ କଲେଜ୍ ବ୍ୟବସ୍ଥାରେ ଉଚ୍ଛେଦ ଘଟାଇବେ, ଇତ୍ୟାଦି।
କିନ୍ତୁ ଏବେ ଯାହା ଦେଖାଯାଇଛି, ପ୍ରତିନିଧି ସଭାରେ ଡେମୋକ୍ରାଟିକ୍ ପାର୍ଟିର ସ˚ଖ୍ୟାଗରିଷ୍ଠତା ବଜାୟ ରହିଥିଲେ ହେଁ ତାହା ପୂର୍ବାପେକ୍ଷା ଦୁର୍ବଳ ହୋଇଛି। ୨୦୧୮ର ପ୍ରତିନିଧି ସଭା ନିର୍ବାଚନରେ ସେମାନେ ୫୪ ଶତା˚ଶ ମତଦାତା ସମର୍ଥନ ଲାଭ କରିଥିବା ବେଳେ ୨୦୨୦ ନିର୍ବାଚନରେ ସେଥିରେ ୪ ଶତା˚ଶ ହ୍ରାସ ଘଟି ଉଭୟ ପକ୍ଷ ସମାନ ସ୍ଥିତିକୁ ଆସିଛନ୍ତି। ଏହାର ଅର୍ଥ ପ୍ରତିନିଧି ସଭା ପାଇଁ ରିପବ୍ଲିକାନ୍ ପ୍ରାର୍ଥୀମାନେ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲଡ୍ ଟ୍ରମ୍ପ୍ଙ୍କ ଅପେକ୍ଷା ଅଧିକ ଉତ୍ତମ ମତଦାତା ସମର୍ଥନ ହାସଲ କରିଛନ୍ତି। ଦୁଇବର୍ଷ ତଳେ ଯେଉଁ କେତେକ ଅପେକ୍ଷାକୃତ ଉଦାରପନ୍ଥୀ ନିର୍ବାଚନ ମଣ୍ତଳୀ (ଯେମିତି ଓକ୍ଲାହୋମା ସିଟି, ଚାର୍ଲଷ୍ଟନ୍, ସେଡାର୍ରାପିଡ଼୍ ଇତ୍ୟାଦି)ରେ ଡେମୋକ୍ରାଟିକ୍ ପ୍ରାର୍ଥୀମାନେ ବିଜୟ ଲାଭ କରିଥିଲେ, ସେ ସମସ୍ତ ପୁଣି ରିପବ୍ଲିକାନ୍ ନିୟନ୍ତ୍ରଣକୁ ଆସିଯାଇଛନ୍ତି।
ଜାନୁଆରିରେ ଜର୍ଜିଆରେ ସିନେଟ୍ ପୁନଃ ନିର୍ବାଚନ ସମାପ୍ତ ହେବା ପରେ ସବିଶେଷ ଗଠନ ସମ୍ବନ୍ଧରେ ଜଣାପଡ଼ିବ, କିନ୍ତୁ ଯାହା ଜଣାପଡୁଛି ୧୦୦ ସଦସ୍ୟ ବିଶିଷ୍ଟ ସିନେଟ୍ରେ ରିପବ୍ଲିକାନ୍ମାନେ ୫୩ଟି ସ୍ଥାନ ଦଖଲରେ ରଖି ସେଇ ଗୁରୁତ୍ବପୂର୍ଣ୍ଣ ଗୃହରେ ନିଜର ବର୍ତ୍ତମାନ ବଳବତ୍ତର ଥିବା ନିୟନ୍ତ୍ରଣ ଜାରି ରଖିବାକୁ ଯାଉଛନ୍ତି। ସେତିକି ନୁହେଁ ସିନେଟ୍ ସ˚ଖ୍ୟାଗରିଷ୍ଠ ନେତା ମିଚ୍ ମ୍ୟାକ୍କନେଲ୍ ଏବ˚ ଶକ୍ତିଶାଳୀ ନେତା ଲିଣ୍ତ୍ସେ ଗ୍ରାହାମ୍ଙ୍କୁ ପରାଜିତ କରିବାକୁ ଡେମୋକ୍ରାଟିକ୍ ପାର୍ଟି ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ହେଁ ସେମାନେ ଉଭୟ ବିପୁଳ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି।
ଆଧୁନିକ କାଳରେ ଅଧିକା˚ଶ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ପରେ ଉଭୟ ଗୃହ ନିଜ ଦଳର ନିୟନ୍ତ୍ରଣରେ ଥିବା ଦେଖି ଆସିଛନ୍ତି। ଜୋ ବାଇଡେନ୍ଙ୍କର କିନ୍ତୁ ସେ ଭାଗ୍ୟ ହେବ ନାହିଁ। ଏହାର ଅର୍ଥ ସେ ନିର୍ବାଚନ ସମୟରେ ଘୋଷଣା କରିଥିବା କୌଣସି ନୀତିଗତ ସ˚ସ୍କାର କାର୍ଯ୍ୟକାରୀ କରିବାକୁ କ˚ଗ୍ରେସରେ ଆବଶ୍ୟକ ସମର୍ଥନ ଲାଭ କରିପାରିବେ ନାହିଁ କିମ୍ବା କୌଣସି ଉଚ୍ଚ ପଦ ପଦବିରେ ନିଯୁକ୍ତି ବା ଆନ୍ତର୍ଜାତିକ ଚୁକ୍ତି ବଳବତ୍ତର ହେବା ପାଇଁ ଅତ୍ୟାବଶ୍ୟକ ସିନେଟ୍ ଅନୁମୋଦନ ଲାଭ କରିପାରିବେ ନାହିଁ। ଜୋ ବାଇଡେନ୍ ତାଙ୍କର ପରିଣତ ବୟସ ଯୋଗୁଁ ଦ୍ବିତୀୟ ପାଳିର ସମ୍ଭାବନା ନ ଥିବାରୁ ଯେ କେବଳ ତାଙ୍କୁ ଏକ ‘ଛୋଟା ବତକ’ (ଲେମ୍୍ ଡକ୍) ରାଷ୍ଟ୍ରପତି କୁହାଯିବ, ତାହା ନୁହେଁ। କ˚ଗ୍ରେସରେ ତାଙ୍କର ଅସହାୟତା ତାଙ୍କୁ ବାସ୍ତବରେ ମୂଳରୁ ହିଁ ଏକ ‘ଛୋଟା ବତକ’ରେ ପରିଣତ କରିବାକୁ ଯାଉଛି।