ପ୍ରକୃତିତନ୍ତ୍ର

ଅଷ୍ଟାଦଶ ଶତାବ୍ଦୀରେ ଫ୍ରାନ୍‌ସର ସମ୍ରାଟ୍‌ ପଞ୍ଚଦଶ ଲୁଇଙ୍କର ଦରବାରରେ ଚିକିତ୍ସକ ଥିବା ଫ୍ରାସ୍ବାଁ କ୍ବିନେ ଏବେ ଯଦି ଜୀବିତ ଥାନ୍ତେ ଏବ˚ ଭାରତର କରୋନା ଗ୍ରସ୍ତ ଅର୍ଥନୀତିର ନୂତନ ପ୍ରାଣ ସଞ୍ଚାର ଉଦ୍ୟମ ଉପରେ ଦୃଷ୍ଟିପାତ କରନ୍ତେ, ତେବେ ସେ ନିଶ୍ଚୟ ସ୍ବଗତୋକ୍ତି କରନ୍ତେ: ‘‘ମୁଁ କ’ଣ କହୁଥିଲି?’’ କାରଣ ୧୭୭୬ରେ ସ୍କଟିସ୍‌ ଦାର୍ଶନିକ ଆଡାମ୍‌ ସ୍ମିଥ୍‌ଙ୍କ ରଚିତ ଅର୍ଥଶାସ୍ତ୍ରର ପ୍ରଥମ ପୁସ୍ତକ ରୂପେ ପରିଚିତ ‘ଦି େଵଲ୍‌ଥ ଅଫ୍‌ ନେସନ୍‌ସ’ ପ୍ରକାଶିତ ହେବା ଠିକ୍‌ ପୂର୍ବରୁ ‘ଫିଜିଓକ୍ରାସି’ ବା ‘ପ୍ରକୃତିତନ୍ତ୍ର’ ନାମକ ଯେଉଁ ଅର୍ଥନୈତିକ ଚିନ୍ତାଧାରା ପ୍ରସାର ଲାଭ କରିଥିଲା, ତାହାର ପ୍ରତିଷ୍ଠାତା ଥିଲେ ଏହି ଫରାସୀ ଡାକ୍ତର ଜଣକ। ମନୁଷ୍ୟ ଶରୀରରେ ରକ୍ତ ସଞ୍ଚାଳନର ଆବିଷ୍କର୍ତ୍ତା ଵିଲିଅମ୍‌ ହାର୍ଭିଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଡାକ୍ତର କ୍ବିନେ ସମାଜକୁ ଏକ ଶରୀର ରୂପେ କଳ୍ପନା କରି ସେଥିରେ ସମ୍ପଦ ନାମକ ରକ୍ତ ଅହରହ ସଞ୍ଚାଳିତ ହୋଇ ଚାଲିଥାଏ ବୋଲି ବିଚାର କରି ‘ଟାବ୍ଲୁ ଇକନମିକ୍‌’ ନାମରେ ତାହାର ଏକ ସାରଣୀ ପ୍ରସ୍ତୁତ କରିଥିଲେ ଯାହାକୁ ସେ ସମୟରେ ଲିଖନ ଓ ମୁଦ୍ରାର ଆବିଷ୍କାର ଭଳି ମନୁଷ୍ୟର ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମୌଳିକ ଆବିଷ୍କାର ରୂପେ ବିବେଚନା କରାଯାଇଥିଲା।

କ୍ବିନେ ଏବ˚ ଟୁର୍ଗୋ, ମିରାବୁଙ୍କ ଭଳି ତାଙ୍କର ଅନୁଗାମୀ ଚିନ୍ତକମାନେ ଦୃଢ଼ ମତ ପୋଷଣ କରୁଥିଲେ ଯେ ସମାଜର ଶରୀରରେ ସଞ୍ଚରୁଥିବା ଏହି ସମ୍ପଦ ନାମକ ରକ୍ତର ଏକମାତ୍ର ଉତ୍ସ ହେଉଛି କୃଷି ଏବ˚ ଏହାର ଉତ୍ପାଦନକାରୀମାନେ ହେଉଛନ୍ତି କୃଷକ। ଯେହେତୁ କୃଷି ହେଉଛି ଏକ ପ୍ରାକୃତିକ କାର୍ଯ୍ୟ, ସେମାନଙ୍କର ଏହି ମତବାଦର ନାମକରଣ କରାଯାଇଥିଲା- ‘ପ୍ରକୃତିତନ୍ତ୍ର’। ସେମାନଙ୍କ ମତରେ କେବଳ କୃଷି ହିଁ ହେଉଛି ଏକମାତ୍ର ବୃତ୍ତି ଯେଉଁଠି ଏକ ନୂତନ ବଳକା ପରିମାଣର ସମ୍ପଦ ଉତ୍ପାଦିତ ହୋଇଥାଏ (ଗୋଟିଏ ଗହମ ମଞ୍ଜିରୁ ଶହେଟି ଗହମ ଉତ୍ପନ୍ନ ହୋଇପାରେ), ଶିଳ୍ପ, ବାଣିଜ୍ୟ ଭଳି ଅନ୍ୟ ସମସ୍ତ ବୃତ୍ତିରେ କୌଣସି ଅତିରିକ୍ତ ସମ୍ପଦ ଉତ୍ପାଦିତ ହୋଇ ନଥାଏ, ଉପଲବ୍‌ଧ ସମ୍ପଦର କେବଳ ରୂପାନ୍ତର ଘଟିଥାଏ ଯାହା (ଏକ ନିର୍ଦ୍ଦିଷ୍ଟ ପରିମାଣର ଲୁହା, ରବର‌୍‌, ପ୍ଲାଷ୍ଟିକ୍‌ ଇତ୍ୟାଦି ପରିବର୍ତ୍ତିତ ହୋଇ ଏକ ମଟର‌୍‌ କାର‌୍‌ରେ ପରିଣତ ହୋଇଥାନ୍ତି, ତାହା ଦ୍ବାରା ବିନିଯୁକ୍ତ ଲୁହା ଆଦି ପଦାର୍ଥର ପରିମାଣରେ କୌଣସି ବୃଦ୍ଧି ଘଟି ନଥାଏ)। ଏଣୁ ସେମାନଙ୍କ ମତରେ ଏକ ଦେଶର ଅର୍ଥନୀତିର ଅଭିବୃଦ୍ଧିର ମେରୁଦଣ୍ତ ହେଉଛି କୃଷି, ଅନ୍ୟ ସମସ୍ତ କ୍ଷେତ୍ର ଓ ବୃତ୍ତି ଶେଷରେ କୃଷି ଉପରେ ହିଁ ନିର୍ଭର କରିଥାନ୍ତି।

ଭାରତୀୟ ଅର୍ଥନୀତିର ବର୍ତ୍ତମାନର ଚିତ୍ର କ୍ବିନେ ଓ ତାଙ୍କର ସାଥୀମାନଙ୍କୁ ପରମ ସନ୍ତୋଷ ପ୍ରଦାନ କରନ୍ତା, ଯେତେବେଳେ ସେମାନେ ଦେଖନ୍ତେ ବର୍ତ୍ତମାନ କରୋନା କବଳରୁ ମୁକୁଳିବାକୁ ଚେଷ୍ଟା କରୁଥିବା ଭାରତୀୟ ଅର୍ଥନୀତି ସେଇ ପ୍ରାକୃତିକ କ୍ଷେତ୍ର କୃଷି ଓ କୃଷକର କାନ୍ଧ ଉପରେ ବସି ହିଁ ଉଦ୍ଧାର ପାଇବାକୁ ଯାଉଛି। ଏହାର ମୁଖ୍ୟ କାରଣ ହେଲା କ୍ବିନେ ଓ ତାଙ୍କର ସାଥୀମାନେ ଯେଉଁ କୃଷିକୁ ଏକମାତ୍ର ବଳକା ସମ୍ପଦ ଉତ୍ପନ୍ନକାରୀ ବୃତ୍ତି ରୂପେ ଅଭିହିତ କରିଥିଲେ, ସେଇ କୃଷି ସେମାନଙ୍କୁ ସତ୍ୟ ପ୍ରମାଣିତ କଲା ଭଳି ମୌସୁମୀର ପୁଷ୍ଟିକର ସ୍ପର୍ଶ ଲାଭ କରି ଏକ ରେକର୍ଡ ପ୍ରାୟ ୧୪୫ ନିୟୁତ ଟନ୍‌ ଖାଦ୍ୟ ଶସ୍ୟ ଅମଳ ଉପହାର ଦେବାକୁ ଯାଉଛି ବୋଲି ଆକଳନ କରାଯାଉଛି। ଏହି ରେକର୍ଡ ଖରିଫ୍‌ ଖାଦ୍ୟଶସ୍ୟ ଅମଳ ଭାରତୀୟମାନଙ୍କ ଭୋକ ମେଣ୍ଟାଇ ଶରୀରର ପୁଷ୍ଟିସାଧନ କରିବା ଭଳି ଭାରତୀୟ ଅର୍ଥନୀତିର ସ୍ବାସ୍ଥ୍ୟରେ ମଧୢ ଉନ୍ନତି ଘଟାଇବାକୁ ଯାଉଛି ବୋଲି ଏବେ ସମସ୍ତେ ବିଶ୍ବାସ କରୁଛନ୍ତି।

ଚୀନା କରୋନାକୁ ପ୍ରତିହତ କରିବା ପାଇଁ ଯଦି କେଉଁ ଦେଶ ଆରମ୍ଭରୁ କଠୋର ପଦକ୍ଷେପମାନ ନେବା ଦେଖାଯାଇଥିଲା, ସେ ହେଉଛି ଭାରତ-ପର୍ଯ୍ୟବେକ୍ଷକମାନଙ୍କ ମତରେ ଏ ଦିଗରେ ଭାରତ ନେଇଥିବା ପଦକ୍ଷେପ ଥିଲା କଠୋରତମ। ଏଠାକାର ସୁଦୀର୍ଘ ଲକ୍‌ଡାଉନ୍‌ ସହର-କୈନ୍ଦ୍ରିକ ଶିଳ୍ପ ବାଣିଜ୍ୟ କ୍ଷେତ୍ରର ଉଭୟ ଚାହିଦା ପାର୍ଶ୍ବ ତଥା ଯୋଗାଣ ପାର୍ଶ୍ବକୁ ଗୁରୁତର ଭାବରେ ପ୍ରଭାବିତ କରି ବସ୍ତୁତଃ ଏକ ସ୍ଥାଣୁ ଅବସ୍ଥା ସୃଷ୍ଟି କରି ଦେଇଥିଲା, ଯେଉଁଥି ଯୋଗୁଁ ଅର୍ଥନୀତିରେ ଚଳିତ ବର୍ଷ ଏକ ବିଶାଳ ସ˚କୋଚନ ଘଟିବାକୁ ଯାଉଛି। ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଗ୍ରାହକଙ୍କର ଅନୁପସ୍ଥିତି ଯେଉଁଭଳି ଗୁରୁତର ସମସ୍ୟା ସୃଷ୍ଟି କରିଛି, ଶ୍ରମିକଙ୍କ ଅନୁପସ୍ଥିତି ମଧୢ ସେଇଭଳି ଉତ୍କଟ ସମସ୍ୟା ରୂପେ ଆବିର୍ଭୂତ ହୋଇଛି।

କିନ୍ତୁ ଗ୍ରାମାଞ୍ଚଳରେ ଅବସ୍ଥିତ କ୍ବିନେଙ୍କ କୃଷି କ୍ଷେତ୍ରକୁ ପ୍ରକୃତି ନିଜର ଛତ୍ରଛାୟା ତଳେ ରଖିବା ଭଳି ଗତବର୍ଷର ଅନୁକୂଳ ମୌସୁମୀ ପରେ ପରେ ଚଳିତ ବର୍ଷ ମଧୢ ଆଉ ଏକ ଅନୁକୂଳ ମୌସୁମୀ ପଠାଇ ଏକ ବିପୁଳ ଶସ୍ୟ ଅମଳ ଉପହାର ଦେଇଛି। ଲକ୍‌ଡାଉନ୍‌ ଏଥିରେ କୌଣସି ପ୍ରତିବନ୍ଧ ସୃଷ୍ଟି କରିପାରି ନାହିଁ। ପ୍ରକୃତିର ଏହି ବଦାନ୍ୟତା ଦ୍ବାରା ପୁଷ୍ଟ କୃଷି ଅର୍ଥନୀତି ଯେଉଁ ବିଶାଳ ‘ପ୍ରକୃତିତାନ୍ତ୍ରିକ’ ବଳକା ଆୟ ସୃଷ୍ଟି କରିଛି, କ୍ବିନେଙ୍କ ‘ଟାବ୍ଲୁ ଇକନମିକ୍‌’କୁ ଅନୁସରଣ କଲା ଭଳି ତାହା ଏବେ ସମଗ୍ର ଅର୍ଥନୀତିରେ ସଞ୍ଚରି ଶିଳ୍ପ ବାଣିଜ୍ୟକୁ ଉଦ୍ଧାର କରିବାକୁ ଆଗେଇ ଆସିଛି।

ସହରୀ ଆୟ ଶୁଷ୍କ ହୋଇ ପଡ଼ିଥିବା ବେଳେ, କୃଷିଲବ୍‌ଧ ଗ୍ରାମୀଣ ଆୟ ତା’ର ସ୍ଥାନ ନେଇ କିପରି ଶିଳ୍ପ ଉତ୍ପାଦନକୁ ସମ୍ଭାଳି ନେବାକୁ ଆରମ୍ଭ କରିଛି, ତାହାର ଏକ ପ୍ରକୃଷ୍ଟ ଉଦାହରଣ ଦେଖିବାକୁ ମିଳିଛି ମଟର‌୍‌-ଗାଡ଼ି ଶିଳ୍ପ କ୍ଷେତ୍ରରେ। ଭାରତର ଦୁଇ ପ୍ରମୁଖ ମଟର ଗାଡ଼ି ନିର୍ମାତା- ମାରୁତି ସୁଜୁକି ଓ ଦକ୍ଷିଣ କୋରିଆର ହ୍ୟୁଣ୍ତାଇ ମଟର କମ୍ପାନିର ଭାରତୀୟ ଶାଖା- ଏବେ ପ୍ରକାଶ କରିଛନ୍ତି ଯେ ଗତ ଅକ୍ଟୋବର ମାସରେ ଉଭୟ କମ୍ପାନି ପ୍ରତ୍ୟେକ ଯେତେ ସ˚ଖ୍ୟକ ମଟରଗାଡ଼ି ବିକ୍ରୟ କରିଛନ୍ତି, ତାହା କୌଣସି ଗୋଟିଏ ମାସରେ ସେମାନେ ବିକ୍ରୟ କରିଥିବା ସର୍ବାଧିକ ସ˚ଖ୍ୟକ ଗାଡ଼ି- ଅର୍ଥାତ୍‌ ସର୍ବକାଳୀନ ରେକର୍ଡ। ସେଇଭଳି ଦୁଇଚକିଆ ଯାନ କ୍ଷେତ୍ରରେ ମଧୢ ପୃଥିବୀର ବୃହତ୍ତମ ନିର୍ମାତା ‘ହିରୋ ମୋଟୋକର‌୍‌ପ’ ଏବ˚ ଅପେକ୍ଷାକୃତ କ୍ଷୁଦ୍ର ‘ବଜାଜ୍‌ ଅଟୋ ଲିମିଟେଡ୍‌’ ମଧୢ ଗ୍ରାମୀଣ ବଜାର ଯୋଗୁଁ ରେକର୍ଡ ସ˚ଖ୍ୟକ ଗାଡ଼ି ବିକ୍ରି କରି ପାରିଛନ୍ତି ବୋଲି ପ୍ରକାଶ କରିଛନ୍ତି (ଯଦିବା ବଜାଜ କମ୍ପାନିର ମାଲିକ ରାଜୀବ ବଜାଜ ତାଙ୍କର ତୀବ୍ର ମୋଦୀ ସରକାର ବିରୋଧୀ ଆଭିମୁଖ୍ୟ ପାଇଁ ଜଣାଶୁଣା)।

ଟାୟାର‌୍‌ ନିର୍ମାତାମାନଙ୍କ ଠାରୁ ଆରମ୍ଭ କରି ଇସ୍ପାତ, ସିମେଣ୍ଟ, ଘରୋଇ ବ୍ୟବହାର୍ଯ୍ୟ ଦ୍ରବ୍ୟ ଓ ଏମିତିକି ଗହଣା ନିର୍ମାତାମାନେ ମଧୢ ଗ୍ରାମୀଣ ଚାହିଦା ଯୋଗୁଁ ସେମାନଙ୍କ ବ୍ୟବସାୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିବା ଦେଖାଯାଇଛି ବୋଲି ପ୍ରକାଶ କରିଛନ୍ତି। ଉଦାହରଣ ସ୍ବରୂପ, ଏସିଆର ବୃହତ୍ତମ ଘରୋଇ ବ୍ୟବହାର୍ଯ୍ୟ ଦ୍ରବ୍ୟମାନଙ୍କର ନିର୍ମାତା ‘ହିନ୍ଦୁସ୍ତାନ୍‌ ୟୁନିଲିଭର‌୍‌ ଲିମିଟେଡ୍‌’ କମ୍ପାନି ସୂଚନା ଦେଇଛି ଯେ ୨୦୧୧ ପରଠାରୁ ବର୍ତ୍ତମାନ ସେମାନଙ୍କ ବିକ୍ରୟରେ ସର୍ବାଧିକ ବୃଦ୍ଧି ଘଟିବା ଦେଖାଯାଇଛି। ସାରା ଦେଶରେ ପ୍ରାୟ ୮ ନିୟୁତ ଖାଉଟି ବିକ୍ରୟ କେନ୍ଦ୍ରମାନ ମାଧୢମରେ ଲୁଗାସଫା ପାଉଡ଼ର‌୍‌ରୁ ସାମ୍ପୁ ଓ ଖାଇବା ତେଲ ପର୍ଯ୍ୟନ୍ତ ବିକ୍ରୟ କରୁଥିବା ଏହି କମ୍ପାନି ବିଶେଷ କରି ଗ୍ରାମୀଣ ଓ ଅର୍ଦ୍ଧଗ୍ରାମୀଣ ବିକ୍ରୟ କେନ୍ଦ୍ରମାନଙ୍କରେ ଏହି ଚମକପ୍ରଦ ବୃଦ୍ଧି ପରିଲକ୍ଷିତ ହୋଇଥିବା ପ୍ରକାଶ କରିଛି। ଟ୍ରାକ୍ଟର‌୍‌, ଯାତ୍ରୀବାହୀ କାର‌୍‌ ଓ ହାଲୁକା ମାଲବାହୀ ଯାନମାନ ବିକ୍ରି ପାଇଁ ନିର୍ମାତାମାନେ ଏବେ ଗାଁମୁହାଁ ହେବା ପଛରେ ରହିଥିବା କାରଣ ହେଉଛି କୃଷି କ୍ଷେତ୍ରରେ ଉପୁଜିଥିବା କ୍ବିନେଙ୍କ ପ୍ରକୃତିଦତ୍ତ କରୋନା-ପ୍ରୁଫ୍‌ ଆୟ। ସୁଖର କଥା କ୍ବିନେଙ୍କୁ ଅନୁସରଣ କଲା ଭଳି ଭାରତ ସରକାର ଏହି କ୍ଷେତ୍ରକୁ ବନ୍ଧନମୁକ୍ତ କରିବା ଉଦ୍ଦେଶ୍ୟରେ ନିକଟରେ ଆଇନଗତ ସ˚ସ୍କାରମାନ ପ୍ରବର୍ତ୍ତନ କରିଛନ୍ତି।

ସମ୍ବନ୍ଧିତ ଖବର