ପ୍ରକୃତି ଛଡ଼ା

ପ୍ରାଣୀ ଜଗତ୍‌ରେ ସମସ୍ତ ପ୍ରାଣୀ ସୃଷ୍ଟିର ପ୍ରାରମ୍ଭରୁ ପ୍ରକୃତିର ଏକ ଅ˚ଶ ହୋଇ ବଞ୍ଚି ରହିଥିବା ବେଳେ ମନୁଷ୍ୟ ଏକମାତ୍ର ବ୍ୟତିକ୍ରମ ଭାବେ ନିଜକୁ ପ୍ରକୃତି ଠାରୁ ବିଚ୍ଛିନ୍ନ କରି ବଞ୍ଚିବାର ପ୍ରୟାସ କରି ଚାଲିଛି। ଖ୍ରୀଷ୍ଟପୂର୍ବ ଷଷ୍ଠ ବା ସପ୍ତମ ଶତାବ୍ଦୀରେ ଚୀନରେ ସମ୍ଭବ ହୋଇଥିବା ଦାର୍ଶନିକ ତଥା ‘ତାଓ ବାଦ’ର ପ୍ରବର୍ତ୍ତକ ଲାଓତ୍‌ ସେଙ୍କ ବିଚାରକୁ ଅନୁସରଣ କରି ମନୁଷ୍ୟ ଯଦି ପ୍ରକୃତିର ଏକ ଅ˚ଶ ଭାବେ ବଞ୍ଚି ରହିଥାଆନ୍ତା, ତେବେ ଆମ ପୃଥିବୀ ଆଦୌ ଏଭଳି କ୍ଷତବିକ୍ଷତ ହୋଇ ନ ଥାଆନ୍ତା, ଯେମିତି ବର୍ତ୍ତମାନ ହୋଇଛି। ଏଠାରେ ଏହା ମଧୢ ଉଲ୍ଲେଖନୀୟ ଯେ ଲାଓତ୍‌ ସେଙ୍କ ବହୁ ପୂର୍ବରୁ ସୃଷ୍ଟ ବେଦ ଓ ଉପନିଷଦ୍‌ମାନଙ୍କରେ ପ୍ରକୃତିକୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରାଯାଇ ତାକୁ ହିଁ ଜୀବନର ସ୍ରୋତ ଭାବେ ଅଭିହିତ କରାଯାଇଛି। କିନ୍ତୁ ବିଡ଼ମ୍ବନାର ବିଷୟ, ଲାଓତ୍‌ ସେଙ୍କ ପ୍ରାୟ ସମସାମୟିକ ଆଉ ଜଣେ ପ୍ରସିଦ୍ଧ ଚୀନା ଦାର୍ଶନିକ କନ୍‌ଫୁସିଅସ୍‌ଙ୍କ ଚିନ୍ତନର ଧାରାକୁ ଅନୁସରଣ କରି ବିକାଶ ଲାଭ କରିଥିବା ବିଚାର ମନୁଷ୍ୟକୁ ସୃଷ୍ଟିର କେନ୍ଦ୍ର ରୂପେ ସ୍ଥାପିତ କରି କ୍ରମେ ପ୍ରକୃତି ଠାରୁ ମନୁଷ୍ୟକୁ ଦୂରେଇ ଦେଇଛି। ସ˚ପ୍ରତି ସମଗ୍ର ବିଶ୍ବକୁ ପ୍ରଭାବିତ କରିଥିବା ପାଶ୍ଚାତ୍ୟ ଚିନ୍ତନ ଯାହା ପ୍ରକୃତିକୁ ମନୁଷ୍ୟର ପ୍ରତିପକ୍ଷ ରୂପେ ଛିଡ଼ା କରାଇଥାଏ; ତହିଁରେ କନ୍‌ଫୁସିଅସ୍‌ ଦର୍ଶନର ବୀଜ ଦିଶିପାରେ। ଏହି ପରିପ୍ରେକ୍ଷୀରେ ଅତ୍ୟନ୍ତ ଭୟାବହ ବିଶ୍ବମାରୀ ଠାରୁ ଆରମ୍ଭ କରି ପରିବେଶ ପ୍ରଦୂଷଣ, ବିଶ୍ବ ଉତ୍ତପ୍ତୀକରଣ, ଜଳବାୟୁ ପରିବର୍ତ୍ତନ ଇତ୍ୟାଦି ଭଳି ବିଭିନ୍ନ ଅଭିଶାପ ଦ୍ବାରା ଯଦି ଆଜି ପୃଥିବୀ ଜର୍ଜରିତ, ତେବେ ତାର କାରଣ ଯେ ମାନବର ଏହି ‘ପ୍ରକୃତି ଛଡ଼ା’ ଆଭିମୁଖ୍ୟ ତହିଁରେ ସନ୍ଦେହ ନାହିଁ। ଏହି ସ˚ଦର୍ଭରେ କେତେକ ରାଜ୍ୟ ଦ୍ବାରା ଦୀପାବଳି କାଳୀନ ବାଣ ଫୁଟାକୁ ନିଷେଧ କରାଯିବା ଦ୍ବାରା ସ୍ବାଭାବିକ ଭାବେ ଆଶ୍ବସ୍ତି ପ୍ରକାଶ ପାଇଛି। ଏହା ଦ୍ବାରା ବିଭିନ୍ନ ଭାରତୀୟ ସହରରେ ବାୟୁ ପ୍ରଦୂଷଣର ସ୍ତର ହ୍ରାସ ପାଇବ ବୋଲି ଆଶା ଉଜ୍ଜ୍ବଳ ହୋଇଛି। ଭାରତର ରାଜଧାନୀ ସହର ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ତର ଏଭଳି ଉଦ୍‌ବେଗଜନକ ଯେ ଏହା ଦ୍ବାରା ପ୍ରତି ଦିଲ୍ଲୀବାସୀଙ୍କ ଆୟୁଷର ହାରାହାରି ସାତ ବର୍ଷ ହ୍ରାସ ପାଇବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ପୂର୍ବରୁ ମତ ପ୍ରକାଶ କରିଛନ୍ତି। ‌ସେମିତି ପୃଥିବୀର ଯେଉଁ ସହରଗୁଡ଼ିକ ସର୍ବାଧିକ ବାୟୁ ପ୍ରଦୂଷଣ ଦ୍ବାରା ଆକ୍ରାନ୍ତ, ତା’ ମଧୢରେ ବର୍ଷର ଯେ କୌଣସି ସମୟରେ ଭାରତର ଅନ୍ତତଃ ପନ୍ଦରଟି ସହର ସ୍ଥାନ ପାଇବା ପ୍ରାୟ ଅନିବାର୍ଯ୍ୟ ହୋଇପଡ଼ିଛି। ସେହି ପରିପ୍ରେକ୍ଷୀରେ ଭାରତୀୟ ସହରଗୁଡ଼ିକର ବାୟୁ ପ୍ରଦୂଷଣର ଚରିତ୍ରକୁ ବୁଝିବା ଗୁରୁତ୍ବପୂର୍ଣ୍ଣ ବୋଲି ମନେ ହୋଇଥାଏ।

ଏହି କ୍ରମରେ ବାୟୁ ପ୍ରଦୂଷଣ ଦ୍ବାରା ସର୍ବାଧିକ ଜର୍ଜରିତ ସହର ଭାରତର ରାଜଧାନୀ ଦିଲ୍ଲୀ ବିଷୟ ବିଚାର କରାଯାଉ। ୨୦୧୬ ମସିହାରେ ଏହି ସହରର ବାୟୁ ପ୍ରଦୂଷଣ ଉପରେ କାନପୁର ଆଇଆଇଟି ଦ୍ବାରା ଏକ ବିଶେଷ ଗବେଷଣାମୂଳକ ଅନୁଧୢାନ କରାଯାଇଥିଲା। ଏହି ଅତ୍ୟନ୍ତ ବିସ୍ତୃତ ଅନୁଧୢାନରେ ଯାହା ଦେଖିବାକୁ ମିଳିଥିଲା, ତାହା ହେଲା ଦିଲ୍ଲୀ-ଏନ୍‌.ସି.ଆର‌୍‌.(ନ୍ୟାସନାଲ କ୍ୟାପିଟାଲ ରିଜିଅନ) ଅଞ୍ଚଳରେ ବାୟୁ ପ୍ରଦୂଷଣ ବିଭିନ୍ନ ସମୟରେ ଓ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଚରିତ୍ର ପରିଗ୍ରହଣ କରିଥାଏ। ନିକଟରେ ପ୍ରକାଶିତ ହୋଇଥିବା ଦିଲ୍ଲୀର ‘ଏୟାର କ୍ବାଲିଟି ଇନ୍‌ଡେକ୍‌ସ’ ବା ‘ଏ.କ୍ୟୁ.ଆଇ.’(ବାୟୁର ଗୁଣମାନ ସୂଚକାଙ୍କ) କହିଥାଏ ଯେ ତାହା ହେଉଛି ୬୦୦: ଅର୍ଥାତ୍‌ ଏହା ସୁସ୍ଥ ଜୀବନଯାପନ ଲାଗି ଆବଶ୍ୟକ ସର୍ବୋଚ୍ଚ ସୀମା ୧୦୦ର ଛଅ ଗୁଣ। କାନପୁର ଆଇଆଇଟି ଦ୍ବାରା ପ୍ରାପ୍ତ ସୂଚନାରୁ ଜଣାପଡ଼ିଥିଲା ଯେ ଦିଲ୍ଲୀରେ ଏହି ସୂଚକାଙ୍କ ଅନେକ ସମୟରେ ୧୮୦୦ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ ଏବ˚ ଏହାର ବାର୍ଷିକ ହାରାହାରି ହେଉଛି ୫୦୦; ଯହିଁରୁ ଦିଲ୍ଲୀ ବାୟୁମଣ୍ତଳର ଘାତକ ଚେହେରା ସ୍ପଷ୍ଟ ହୋଇଥାଏ। ସେହି ରିପୋର୍ଟରେ କୁହାଯାଇଛି ଯେ ଗ୍ରୀଷ୍ମ କାଳରେ ଅପେକ୍ଷାକୃତ ଅଧିକ ଦ୍ରୁତ ବେଗରେ ପବନ ସ˚ଚାଳିତ ହେଉଥିବାରୁ ବାୟୁ ପ୍ରଦୂଷକ କଣିକା ଭିତରେ ମୁଖ୍ୟତଃ ଧୂଳିକଣା ଓ ଫ୍ଲାଇ ଆସ୍‌ (ତାପଜ ବିଜୁଳି କେନ୍ଦ୍ରର ଚିମନି ଦ୍ବାରା ନିଷ୍କାସିତ ହେଉଥିବା ପାଉଁଶ) ଇତ୍ୟାଦି ବିଦ୍ୟମାନ ଥାଆନ୍ତି। ଦିଲ୍ଲୀର ଗ୍ରୀଷ୍ମକାଳୀନ ବାୟୁମଣ୍ତଳରେ ଭାସି ବୁଲୁଥିବା କଣିକାରେ ଥାଆନ୍ତି ସିଲିକନ୍‌, ଆଲୁମିନା ଓ ଲୁହାଗୁଣ୍ତ ଭଳି କ୍ଷତିକାରୀ ଧାତବ ଉପାଦାନ। ଏହି ସମୟରେ ବାୟୁମଣ୍ତଳରେ ଭରି ରହିଥିବା କଣିକାର ଆକାର ବଡ଼ ଏବ˚ ତାହା ଏସ୍‌ପିଏମ୍‌ (ସସ୍ପେନ୍‌ଡେଡ୍‌ ପାର୍ଟିକୁଲେଟ୍‌ ମ୍ୟାଟର୍‌ ବା ଭାସମାନ କଣିକା) ୧୦ ବୋଲି କୁହାଯାଇଛି। କିନ୍ତୁ ଶୀତ ଋତୁରେ ପ୍ରଦୂଷଣର ଚରିତ୍ରରେ ପରିବର୍ତ୍ତନ ଘଟିଥାଏ ଏବ˚ ଏହି ସମୟରେ ଏହାର କାରଣ ହୋଇଥାଏ ବିଭିନ୍ନ ପ୍ରକାର ଦହନରୁ ଜାତ ହେଉଥିବା କ୍ଷୁଦ୍ର କଣିକା। ସେହି ରିପୋର୍ଟରେ ଦେଖିବାକୁ ମିଳିଥାଏ ଯେ ଦିଲ୍ଲୀ ବାୟୁମଣ୍ଡଳରେ ପୌର ନିଗମ ଦ୍ବାରା କଠିନ ବର୍ଜ୍ୟ ବସ୍ତୁର ଦହନରୁ ଜାତ କଣିକାର ଅ˚ଶ ଶୀତ ଦିନରେ ହୋଇଥାଏ ପ୍ରାୟ ୭୬ ପ୍ରତିଶତ। ଶୀତ ଋତୁରେ ବାୟୁ ସ˚ଚାଳନର ବେଗ ଗ୍ରୀଷ୍ମ ଋତୁ ତୁଳନାରେ ଅପେକ୍ଷାକୃତ ମନ୍ଥର ଥିବାରୁ ଏହା ଅଧିକ ସାନ୍ଦ୍ର ହୋଇ ଏକ ଧୂମାଭ ପଟଳ ଦ୍ବାରା ସମଗ୍ର ସହରକୁ ଆଚ୍ଛନ୍ନ କରି ରଖିଥାଏ।

ଯଦିଓ ଏହା ସତ ଯେ ଚଳିତ ଦୀପାବଳିରେ ବାଣ ଫୁଟାକୁ ଅନୁମତି ମିଳିଥିଲେ, ପ୍ରଦୂଷଣର ମାତ୍ରା କିଛି ଦିନ ଲାଗି ଅଧିକ ତୀବ୍ର ହୁଅନ୍ତା; ବାୟୁମଣ୍ତଳରେ ପୋଟାସିଅମ ଓ ବାରିଅମ ଭଳି ବିଷାକ୍ତ ରାସାୟନିକର ସ୍ତର ଉଚ୍ଚ ହୁଅନ୍ତା; କିନ୍ତୁ ଏହି ପ୍ରସଙ୍ଗରେ ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା ବାଣ ଫୁଟା ନ ଗଲେ ମଧୢ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ଅତ୍ୟନ୍ତ ବିସ୍ଫୋରକ। ଦିଲ୍ଲୀ ନିକଟସ୍ଥ ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକ ହେଉ ଅଥବା ସେଠାରେ ଥିବା ପ୍ରାୟ ଦୁଇ ହଜାର ସରିକି ରେ‌େସ୍ତାରାଁର ‘ତନ୍ଦୁର’ ଚୁଲି ହେଉ; ତହିଁରେ ଇନ୍ଧନ ରୂପେ ବ୍ୟବହୃତ ହେଉଥିବା କୋଇଲା ଅଥବା ସହରତଳି ଗ୍ରାମାଞ୍ଚଳରେ ଅସ˚ଖ୍ୟ ମହିଳାଙ୍କ ଦ୍ବାରା ସେମାନଙ୍କ ରୋଷେଇ ଘରେ ଜାଳେଣି ରୂପେ ବ୍ୟବହୃତ ହେଉଥିବା ଗୋବର ଘଷି; ଦିଲ୍ଲୀ ବାୟୁ ପ୍ରଦୂଷଣର ଗୋଟିଏ ଗୋଟିଏ ବଡ଼ କାରଣ। ସେହି ଅନୁସାରେ ବିଚାର କଲେ ଯାହା ଦେଖିବାକୁ ମିଳେ ତାହା ହେଲା ଦୀପାବଳିର ବାଣ ଫୁଟା ବା ଉତ୍ତର ଭାରତରେ ପ୍ରଚଳିିତ ଥିବା ଭଳି କଟା ଯାଇଥିବା ଫସଲର ଥୁଣ୍ଟା ଅବଶିଷ୍ଟା˚ଶକୁ ନିଆଁରେ ପୋଡ଼ିବା ଭଳି ପ୍ରଥା ଯଦିଓ ବାୟୁ ପ୍ରଦୂଷଣ ଲାଗି ବିଶେଷ ଅପବାଦ ମୁଣ୍ତାଇ ଥାଆନ୍ତି; ଆମ ଦୈନନ୍ଦିନ ଜୀବନରେ ଅତି ମାମୁଲି ଭଳି ମନେ ହେଉଥିବା ଏବ˚ ଆଦୌ ଭ୍ରୂକୁ˚ଚନ ସୃଷ୍ଟି କରୁ ନ ଥିବା ଭଳି କିଛି ଅଭ୍ୟାସ ଏଥି ଲାଗି ଅନେକ ପରିମାଣରେ ଦାୟୀ। ସୁତରା˚, ଦିଲ୍ଲୀ ହେଉ ବା ଅନ୍ୟ ଯେ କୌଣସି ପ୍ରଦୂଷିତ ସହର; ସେଠାରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଲାଗି ଯାହା ସର୍ବାଧିକ ଆବଶ୍ୟକ ତାହା ହେଲା ସେଠାକାର ବାୟୁ ପ୍ରଦୂଷଣର ଚରିତ୍ର ଓ ତାର କାରଣକୁ ଠିକ ଭାବେ ଆକଳନ କରିବା ଏବ˚ ତା’ ପରେ ଏହାର ପ୍ରଶମନ ଲାଗି ଦୀର୍ଘମିଆଦୀ ଓ ସମନ୍ବିତ ପ୍ରତିକାର ବ୍ୟବସ୍ଥା କରିବା। ବାଣ ଫୁଟା ବା ଫସଲର ଥୁଣ୍ଟା ପୋଡ଼ା ଭଳି କିଛି ସାମୟିକ ଅଥଚ ଆଖିଦୃଶିଆ କାରଣର ନିରାକରଣ ଦ୍ବାରା ଯେ ଏ ସମସ୍ୟାର ସମାଧାନ ସମ୍ଭବ, ତାହା ବିଚାର କରିବା ଭୁଲ। ଅଭ୍ୟାସଗତ ଭାବେ ନିରନ୍ତର ପ୍ରକୃତିକୁ ଏକ ଅଳିଆ ଗଦାରେ ପରିଣତ କରି ଚାଲିଥିବା ମଣିଷ ବର˚ ନିଜକୁ ଭଲ ରୂପେ ନିରୀକ୍ଷଣ କରି ନିଜ ପ୍ରକୃତି ଛଡ଼ା ଅଭ୍ୟାସକୁ ପରିତ୍ୟାଗ କଲେ ସମାଧାନର ବାଟ ଧୀର ଅଥଚ ନିଶ୍ଚିତ ରୂପେ ଫିଟିବ।

ସମ୍ବନ୍ଧିତ ଖବର