ପ୍ରାଚୀନ ଗ୍ରୀସ୍‌ରେ ପାର୍ଥେନନ ପର୍ବତ ଉପରେ ଗଢ଼ି ଉଠିଥିବା ଡେଲ୍‌ଫି ନଗରୀସ୍ଥିତ ଆପୋଲୋ ମନ୍ଦିରର ପ୍ରବେଶ ଦ୍ବାର‌େର ଯେଉଁ ଧାଡ଼ିଏ ଲିଖିତ ଥିଲା, ତାହା ହେଉଛି- ‘ଗ୍ନୋଥି ସିଉଟନ୍‌’, ଯାହାର ଓଡ଼ିଆ ମର୍ମାର୍ଥ ହେବ ‘ନିଜକୁ ଜାଣ’। ସେଠାରେ ଏଭଳି ଏକ ପ୍ରାଜ୍ଞ ପରାମର୍ଶ ସ୍ଥାନିତ ହୋଇଥିବା ମୂଳରେ ନିହିତ କାରଣଟି ବୋଧହୁଏ ଏହା ଯେ ବିଭିନ୍ନ ଘଟଣା ସ˚ପର୍କରେ ଆପୋଲୋ ମନ୍ଦିରର ପୂଜାରିଣୀ ‘ପିଥିଆ’ଙ୍କ ଦ୍ବାରା ପ୍ରଦତ୍ତ ଭବିଷ୍ୟବାଣୀ ବା ‘ଓରାକଲ’ ଏଭଳି ପ୍ରହେଳିକାମୟ ହେଉଥିଲା ଯେ ତହିଁରୁ ପ୍ରହେଳିକାର ଆସ୍ତରଣକୁ ହଟାଇ ତାର ଯଥାର୍ଥ ଅର୍ଥାନ୍ତର କରିବା କେବଳ ଆତ୍ମ-ଜ୍ଞାନ ଅଧିକାରୀ ବିଚାରବନ୍ତଙ୍କ ଦ୍ବାରା ସମ୍ଭବ ହେଉଥିଲା। ଏହା କିଭଳି ଥିଲା, ତାର ଏକ ଦୃଷ୍ଟାନ୍ତ ମିଳିଥାଏ

Advertisment

ହେରୋଡୋଟସ୍‌ଙ୍କ ‘ହିଷ୍ଟରିଜ୍‌’(ପୃଥିବୀର ପ୍ରାଚୀନତମ ଇତିହାସ)ରେ, ଯହିଁରେ ବର୍ଣ୍ଣିତ ଅଛି କିଭଳି ଅମିତ ବିତ୍ତଶାଳୀ ଓ ପରାକ୍ରମଶାଳୀ ଲିଡିଆର ସମ୍ରାଟ କ୍ରୋସସ ଡେଲ୍‌ଫି-‘ଓରାକଲ’ର ମର୍ମ ଭେଦ କରି ନ ପାରି ନିଜ ସାମ୍ରାଜ୍ୟର ବିନାଶକୁ ଡାକି ଆଣିଥିଲେ। ସେହି ସମୟରେ ସାଇରସଙ୍କ ନେତୃତ୍ବରେ ପାରସ୍ୟ ସେନାବାହିନୀ ଲିଡିଆ ଅଭିମୁଖେ ଅଗ୍ରସର ହେଉଥିବା ଜାଣି କ୍ରୋସସ ଯୁଦ୍ଧର ପରିଣାମ ସମ୍ବନ୍ଧରେ ଜାଣିବା ଲାଗି ‘ଓରାକଲ’ର ଆଶ୍ରୟ ନେଇଥିଲେ, ଯାହା ଭବିଷ୍ୟବାଣୀ କରିଥିଲା ଯେ ଯୁଦ୍ଧରେ ଗୋଟିଏ ମହାନ ସାମ୍ରାଜ୍ୟ ବିଧ୍ବସ୍ତ ହୋଇଯିବ। ଅହମିକା ଦ୍ବାରା ଆଚ୍ଛନ୍ନ କ୍ରୋସସ ଏଥିରୁ ଯାହା ବୁଝିଲେ, ତାହା ଥିଲା ଯୁଦ୍ଧଟି ପାରସ୍ୟ ସାମ୍ରାଜ୍ୟର ପତନର କାରଣ ହେବ। କିନ୍ତୁ ଘଟଣାକ୍ରମ ଏହାର ବିପରୀତରେ ଯାଇ ଲିଡିଆକୁ ଧ୍ବ˚ସସ୍ତୂପରେ ପରିଣତ କଲା। ଏଭଳି ସ୍ଥିତିରେ ଅନୁମାନ କରାଯାଇପାରେ କି ଯୁଦ୍ଧ ଶେଷରେ ପରାହତ କ୍ରୋସସଙ୍କୁ ଅଗ୍ନିରେ ଜୀବନ୍ତ ନିକ୍ଷେପ କରିବା ଲାଗି ସାଇରସଙ୍କ ଆଦେଶ ପରେ ସମ୍ଭବତଃ କ୍ରୋସସଙ୍କ ଚୈତନ୍ୟ ଉଦୟ ହୋଇଥିବ ଯେ ‘ଓରାକଲ’ରେ ଯେଉଁ ମହାନ ସାମ୍ରାଜ୍ୟ ବିଧ୍ବସ୍ତ ହେବାର ଆଶଙ୍କା ପ୍ରକଟ କରାଯାଇଥିଲା, ତାହା ହିଁ ଥିଲା ତାଙ୍କ ରାଜ୍ୟ ଲିଡିଆ; ଏବ˚ ହୁଏ’ତ ଏକ ଅହ˚କାରମୁକ୍ତ ଆତ୍ମ ଜ୍ଞାନର ଆଲୋକ ପ୍ରକୃତ ମର୍ମକୁ ସେ ଦିନ ଉଦ୍‌ଭାସିତ କରିପାରିଥାଆନ୍ତା।

ତେବେ ସେ ଯାହା ହେଉ, ଏକ ପ୍ରକୃତ ବିଡ଼ମ୍ବନା ହେଲା ଅଗଣିତ କ୍ରେସସଙ୍କ ଦାୟାଦମାନେ ସର୍ବଦା ପୃଥିବୀ ପୃଷ୍ଠରେ ବିଚରଣ କରି ଆପଣା ଧ୍ବ˚ସ ସାଧନ କରି ଚାଲିଥିବା ସତ୍ତ୍ବେ ମନୁଷ୍ୟ ଠାରେ ଆତ୍ମ-ଜ୍ଞାନର ଉଦୟ ହେଉନାହିଁ। ଏହି ସ˚ଦର୍ଭରେ ଯଦି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲଡ୍‌ ଟ୍ର˚ପ୍‌ଙ୍କୁ କ୍ରୋସସଙ୍କ ମାନସିକତାର ସଦ୍ୟତମ ଓ ସର୍ବ ପ୍ରସିଦ୍ଧ ଉତ୍ତରାଧିକାରୀ ବୋଲି ଅଭିହିତ କରାଯିବ, ତେବେ ବୋଧହୁଏ ଭୁଲ ହେବନାହିଁ। ଏହାର କାରଣ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍‌ ଦଳର ପ୍ରାର୍ଥୀ ଜୋ ବାଇଡେନଙ୍କ ଦ୍ବାରା ସେ ଅତ୍ୟନ୍ତ ପ୍ରାଞ୍ଜଳ ଭାବେ ପରାଜିତ ହୋଇଥିବା ସତ୍ତ୍ବେ ଏ ଯାବତ୍‌ ନିଜ ପରାଜୟକୁ ସ୍ବୀକାର କରି ନାହାନ୍ତି; କେବଳ ସେତିକି ନୁହେଁ, ଏହି ନିର୍ବାଚନରେ ତାଙ୍କର ସମ୍ଭାବ୍ୟ ପରାଜୟ ନେଇ ଅନେକ ଇଙ୍ଗିତ ପୂର୍ବରୁ ମିଳି ସାରିଥିଲେ ସୁଦ୍ଧା ତାକୁ ବୁଝିବାରେ ସେ କ୍ରୋସସ ତୁଲ୍ୟ ଅସାମର୍ଥ୍ୟ ପ୍ରଦର୍ଶନ କରିଛନ୍ତି ଓ ନିଜ ବିଫଳତା ଲାଗି ମାର୍ଗ ପ୍ରଶସ୍ତ କରିଛନ୍ତି।

ଡୋନାଲ୍‌ଡ ଟ୍ର˚ପ୍‌ଙ୍କ ପରାଜୟର ବିଶ୍ଳେଷଣକାରୀମାନଙ୍କ ମଧୢରୁ ଅଧିକା˚ଶ ଏକମତ ହୁଅନ୍ତି ଯେ ତାଙ୍କର ଅନେକ କାର୍ଯ୍ୟ ଏହି ନିର୍ବାଚନରେ ତାଙ୍କ ଲାଗି ଆତ୍ମଘାତୀ ସାବ୍ୟସ୍ତ ହୋଇଛି; ଯେମିତି କି ରାଷ୍ଟ୍ରପତି ନିର୍ବାଚନ ପ୍ରଚାର କାଳୀନ ବିତର୍କକୁ ଅତ୍ୟନ୍ତ ଅରୁଚିକର ସ୍ତରକୁ ନେଇଯିବା। ଏହା ଦ୍ବାରା ସେ ଅନେକ ଭୋଟରଙ୍କ ସମର୍ଥନ ହରାଇଛନ୍ତି। ଉଦାହରଣ ସ୍ବରୂପ ନିର୍ବାଚନ ପ୍ରଚାରର ଅନ୍ତିମ ଚରଣରେ ମିନେସୋଟା ସମାବେଶରେ ସେ ପ୍ରତିଦ୍ବନ୍ଦ୍ବୀ ଉପରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କ ହସକୁ ନେଇ ଯେଉଁ ଅଶାଳୀନ ଟିପ୍ପଣୀ ପ୍ରଦାନ କରିଥିଲେ ତହିଁରେ ତାଙ୍କର ଲିଙ୍ଗଗତ ବିଦ୍ବେଷ ପରିସ୍ଫୁଟ ହୋଇଥିଲା। ଏହାର ପରବର୍ତ୍ତୀ କାଳରେ ହୋଇଥିବା ଏକ ସର୍ବେକ୍ଷଣରେ ଦେଖିବାକୁ ମିଳିଥିଲା ଯେ ଏହି କାରଣରୁ ତାଙ୍କ ପ୍ରତି ଅନେକ ଶ୍ବେତାଙ୍ଗୀ ମହିଳାଙ୍କ ସମର୍ଥନରେ ହ୍ରାସ ଘଟିଛି। କେବଳ ସେତିକି ନୁହେଁ, କରୋନା ପାନ୍‌ଡେମିକ୍‌ର ସୁନାମିରେ ସମଗ୍ର ଆମେରିକା ମଗ୍ନ ହୋଇଯାଇଥିବା ବେଳେ ନିର୍ବାଚନ ପ୍ରଚାର ବେଳେ ପ୍ରତିଦ୍ବନ୍ଦ୍ବୀ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ ପରିଧାନ କରିଥିବା ମାସ୍କକୁ ତାଙ୍କର ତୀବ୍ର ପରିହାସ ମଧୢ ଅଜସ୍ର ଜନ ବିରକ୍ତିର କାରଣ ହୋଇଥିଲା, ଯାହାର ପରିଣାମ ମତଦାନ ବେଳେ ଦେଖିବାକୁ ମିଳିଥିବା ଅସ୍ବାଭାବିକ ନୁହେଁ। କହିବା ବାହୁଲ୍ୟ ଯେ କରୋନା ସ˚କ୍ରମଣର ପ୍ରାରମ୍ଭ କାଳରେ ସେ ଏକ ଅବୋଧୢ ଅହମିକାର ବଶବର୍ତ୍ତୀ ହୋଇ କୋଭିଡ୍‌-୧୯ର ସ˚କ୍ରମଣ ଓ ମାରକ କ୍ଷମତାକୁ ହେୟ ମଣିଥିଲେ ଯାହା ରାଷ୍ଟ୍ରପତି ନିର୍ବାଚନ କାଳ ଯାଏ ବଳବତ୍ତର ଥିଲା। ସେଥି ଲାଗି ସେ ମାସ୍କ ପରିଧାନ ବା ସାମାଜିକ ଦୂରତା ରକ୍ଷା ଭଳି ସତର୍କତାମୂଳକ ପଦକ୍ଷେପକୁ ଅଗ୍ରାହ୍ୟ କରିବା ସହିତ ଯୁକ୍ତରାଷ୍ଟ୍ର ଆମେରିକାର ବିଶ୍ବ ପ୍ରସିଦ୍ଧ ଚିକିତ୍ସକ ଓ ବୈଜ୍ଞାନିକମାନଙ୍କ ପରାମର୍ଶକୁ ପଦାନତ କରି ଦେଇଥିଲେ।

କହିବା ବାହୁଲ୍ୟ ଯେ ଏହି କାରଣରୁ ଯୁକ୍ତରାଷ୍ଟ୍ର ଆମେରିକା ଅତ୍ୟନ୍ତ ଅପମାନଜନକ ଭାବେ ଆଜି ପୃଥିବୀର ସର୍ବାଧିକ କରୋନା କ୍ଷତିଗ୍ରସ୍ତ ରାଷ୍ଟ୍ରରେ ପରିଣତ ହୋଇଛି। ତେବେ ରାଜନୈତିକ ବିଶେଷଜ୍ଞମାନେ ମତ ଦିଅନ୍ତି ଯେ ଡୋନାଲ୍‌ଡ ଟ୍ର˚ପ୍‌ଙ୍କ ଏଭଳି ଆଚରଣ ପଛରେ ଥିବା କାରଣଟି ହେଉଛି ନିଜ ଲାଗି ଏକ ‘ଆଣ୍ଟି-ଏଲିଟ୍‌’ ବା ସ˚ଭ୍ରାନ୍ତ ବର୍ଗ-ବିରୋଧୀ ଭାବମୂର୍ତ୍ତି ନିର୍ମାଣ କରିବା, ଯାହା ତାଙ୍କୁ ସାଧାରଣ ନାଗରିକଙ୍କ ଠାରେ ନିକଟତର କରି ତାଙ୍କ ଲାଗି ଅଧିକ ଜନ ସମର୍ଥନ ସୃଷ୍ଟି କରିବ ବୋଲି ସେ ଏକ ଧାରଣା ପୋଷଣ କରିଥିଲେ। କାରଣ, ଏହା ଦ୍ବାରା ସେ ଯାହା ଇଙ୍ଗିତ କରିବାକୁ ଉଦ୍ୟମ କରିଥିଲେ ତାହା ହେଲା ସ୍ବାର୍ଥପର ସମ୍ଭ୍ରାନ୍ତ ବର୍ଗ ନିଜ ଜୀବନକୁ ବଞ୍ଚାଇବା ଲାଗି ସର୍ବଦା ତତ୍ପର ଥିବାରୁ କରୋନାକାଳୀନ ସତର୍କତା ରକ୍ଷା ଉପରେ ଅତ୍ୟନ୍ତ ଗୁରୁତ୍ବ ପ୍ରଦାନ କରାଯାଉଛି, ଯାହା ଅନାବଶ୍ୟକ। କିନ୍ତୁ ତାଙ୍କର ଏଭଳି ଅପରିପକ୍ବ ଓ ଅପରିଣାମଦର୍ଶୀ ଚିନ୍ତାଧାରା ଯେ ଆମେରିକାକୁ କରୋନାର ସୁନାମିରେ ଲୀନ କରିବାକୁ ବସିଲାଣି, ଏ କଥା କହିବା ନିଷ୍ପ୍ରୟୋଜନ। କେବଳ ସେତିକି ନୁହେଁ ବର୍ଣ୍ଣ ବୈଷମ୍ୟବାଦୀ ହି˚ସାକୁ ସମର୍ଥନ କରୁଥିବା ଚରମ ଦକ୍ଷିଣପନ୍ଥୀ ଦଳ ‘ପ୍ରାଉଡ୍‌ ବଏଜ୍‌’କୁ ତାଙ୍କର ସମର୍ଥନ ବା ‘ବ୍ଲାକ୍‌ ଲାଇଭ୍‌ିସ ମ୍ୟାଟର’ ପ୍ରତିବାଦ ସମାବେଶରେ ଗୁଳି ଚାଳନା କରି ଦୁଇ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ଶ୍ବେତାଙ୍ଗ ପ୍ରାଧାନ୍ୟବାଦୀ ଯୁବକ କାଇଲ ରିଟେନହାଉସକୁ ତାଙ୍କର ପ୍ରଚ୍ଛନ୍ନ ସମର୍ଥନ ଭଳି କିଛି କାର୍ଯ୍ୟ ଦ୍ବାରା ଟ୍ର˚ପ୍‌ ଯେଉଁ ଜନାଧାର ହରାଇଥିଲେ, ତାହା ନିର୍ବାଚନ ଫଳାଫଳରେ ପରିଲକ୍ଷିତ ହୋଇଛି।

କେବଳ ରାଷ୍ଟ୍ରପତି ରୂପେ ନୁହେଁ, ରାଷ୍ଟ୍ରପତି ହେବା ପୂର୍ବରୁ ତାଙ୍କ ବ୍ୟାବସାୟିକ ଓ ବ୍ୟକ୍ତିଗତ ଜୀବନରେ ସେ ସମ୍ମୁଖୀନ ହୋଇଥିବା ଅନେକ ବିଫଳତାକୁ ଆଦୌ ସ୍ବୀକାର ନ କରି, ଓଲଟି ତାହାର କାରଣ ଭାବେ ଅନ୍ୟମାନଙ୍କୁ ଦୋଷ ଦେବାରେ ଅଭ୍ୟସ୍ତ ଥିବା ଟ୍ର˚ପ୍‌ ବର୍ତ୍ତମାନ ସୁଦ୍ଧା ବିଧିବଦ୍ଧ ଭାବେ ନିର୍ବାଚନରେ ନିଜ ପରାଜୟକୁ ସ୍ବୀକାର କରି ନାହାନ୍ତି। ଏଭଳି ସ୍ଥଳେ ଆଶଙ୍କା ସୃଷ୍ଟି ହେଲାଣି ଯେ ଆଗାମୀ ଜାନୁଆରିରେ ହେବାକୁ ଥିବା କ୍ଷମତା ହସ୍ତାନ୍ତରଣ ହୁଏ’ତ ସାବଲୀଳ ହୋଇ ନ ପାରେ। ତାଙ୍କର ଚାରି ବର୍ଷର ରାଷ୍ଟ୍ରପତିତ୍ବ କାଳରେ ସେ ଆମେରିକାର ଜନ ସମାଜରେ ବର୍ଣ୍ଣ ବିଦ୍ବେଷର ବିଷ ମଞ୍ଜିକୁ ସଫଳତାର ସହିତ ପୋତି ସାରିଛନ୍ତି। ଏହି ସ୍ତମ୍ଭ ଲେଖା ହେଲା ବେଳକୁ ସମ୍ବାଦ ପହଞ୍ଚିବାରେ ଲାଗିଛି ଯେ ଟ୍ର˚ପ୍‌ଙ୍କ ଦ୍ବାରା କରାଯାଇଥିବା ନିର୍ବାଚନ ଜାଲିଆତି ଅଭିଯୋଗକୁ ସମର୍ଥନ ଜଣାଇ ଆମେରିକାର ରାଜଧାନୀ ଵାସି˚ଟନ ଠାରେ ପ୍ରାୟ ଦଶ ହଜାର ସରିକି ସମର୍ଥକ ଠୁଳ ହୋଇଥିଲେ। ଏଭଳି ଘଟଣାକ୍ରମରୁ ଏକ ଆଶଙ୍କା ଜନ୍ମିଥାଏ ଯେ ପୃଥିବୀର ସଫଳତମ ଗଣତନ୍ତ୍ର ଭାବେ ଖ୍ୟାତ ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ବ ସମକ୍ଷରେ ଅଧିକ ଅପମାନିତ ହେବାର କ୍ରମ ଆଗକୁ ଜାରି ରହିପାରେ। ନିଜ ପରାକ୍ରମ ଓ ଅମାପ ସଂପଦ ଜନିତ ଅହମିକା ଦ୍ବାରା ବଶବର୍ତ୍ତୀ କ୍ରୋସସ ଆପଣା ଆଚରଣ ଦ୍ବାରା (ଯୁଦ୍ଧ ଲାଗି ପ୍ରସ୍ତୁତ ନ ହେବା) ନିଜର ଅତ୍ୟନ୍ତ ବିଭବଶାଳୀ ସାମ୍ରାଜ୍ୟର ପତନ ଘଟାଇଥିଲେ। ଏବେ ଟ୍ର˚ପ୍‌ଙ୍କ ଅପରିଣାମଦର୍ଶୀ ଆଚରଣ ପରିପ୍ରେକ୍ଷୀରେ ସେଭଳି କିଛି ଘଟିବାର ଆଶଙ୍କା କରିବା ଅମୂଳକ ହେବ କି?