ଗୋଟିଏ ଲାଉର ମଞ୍ଜି

‘ଲାଭଜନକ ପଦ’ ପ୍ରସଙ୍ଗରେ ଦିଲ୍ଲୀର କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର କୋଡ଼ିଏ ଜଣ ବିଧାୟକଙ୍କୁ ବିଧାନସଭା ସଦସ୍ୟ ଭାବେ ଅଯୋଗ୍ୟ ଘୋଷଣା ଲାଗି ନିର୍ବାଚନ କମିସନ୍‌ ସୁପାରିସ କରିଛନ୍ତି। ଦୀର୍ଘ ଦୁଇବର୍ଷରୁ ଅଧିକ ସମୟ ଧରି ଝୁଲାଇ ରଖିବା ପରେ ଏହି ବିବାଦୀୟ ମାମଲାରେ କମିସନ୍‌ଙ୍କ ନିଷ୍ପତ୍ତି ଆଦୌ ଅପ୍ରତ୍ୟାଶିତ କିମ୍ବା ବିସ୍ମୟକର ନୁହେଁ। ସଂସଦୀୟ ସଚିବ ପଦକୁ ଲାଭଜନକ ପଦର ତାଲିକାରୁ ବାଦ୍‌ ଦେଇ ଦିଲ୍ଲୀ ବିଧାନସଭାରେ ଗୃହୀତ ବିଲ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ନମିଳିବା ଦିନଠାରୁ ଏ ପ୍ରକାର ନିଷ୍ପତ୍ତି ଅପେକ୍ଷା କରାଯାଇଥିଲା। ୨୦୧୫ ଜୁନ୍‌ରେ ଦିଲ୍ଲୀ ସରକାର ବିଭିନ୍ନ ବିଭାଗର କାର୍ଯ୍ୟରେ ସମନ୍ଵୟ ରକ୍ଷା ପାଇଁ କୋଡ଼ିଏ ଜଣ ବିଧାୟକଙ୍କୁ ସଂସଦୀୟ ସଚିବ ଭାବେ ନିଯୁକ୍ତି ଦେଇଥିଲେ। ସଂସଦୀୟ ସଚିବଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବେତନ କିମ୍ବା ଅନ୍ୟ ଆର୍ଥିକ ପାରିତୋଷିକର ବ୍ୟବସ୍ଥା ନଥିଲା। ତେବେ ଏହା ସତ୍ତ୍ୱେ ସଂସଦୀୟ ସଚିବ ନିଯୁକ୍ତିର ସାମ୍ବିଧାନିକ ବୈଧତା ନେଇ ପ୍ରଶ୍ନ ଉଠିବା ପରେ ‘ଲେଜିସ୍‌ଲେଟିଭ୍‌ ଆସେମ୍ଲି’ (ରିମୋଭାଲ୍‌ ଆଣ୍ଡ୍‌ ଡିସ୍‌କ୍ୱାଲିଫିକେସନ୍‌) ଆଇନ-୧୯୯୭ରେ ସଂଶୋଧନ ଆଣି ବିଧାନସଭାରେ ବିଲ୍‌ ଗୃହୀତ ହେଲା।

ଏହି ସଂଶୋଧନ ଅନୁଯାୟୀ ସଂସଦୀୟ ସଚିବ ପଦ ଲାଭଜନକ ନୁହେଁ ବୋଲି ଘୋଷଣା ଲାଗି ପ୍ରସ୍ତାବ ଥିଲା। ତେବେ, ଏହାକୁ ଅନୁମୋଦନ ନକରି ରାଷ୍ଟ୍ରପତି ଫେରାଇ ଦେଲେ। ଫଳରେ ଏହା ଆଇନରେ ପରିଣତ ହୋଇ ପାରିଲା ନାହିଁ ଓ ସଂସଦୀୟ ସଚିବ ପଦ ସମ୍ବିଧାନର ୧୯୧ (୧) ଧାରା ଅନୁଯାୟୀ ପୂର୍ବବତ୍‌ ଲାଭଜନକ ପଦ ହୋଇ ରହିଲା। ପରବର୍ତ୍ତୀ ଘଟଣାକ୍ରମରେ ଦିଲ୍ଲୀ ହାଇକୋର୍ଟ ସଂସଦୀୟ ସଚିବ ପଦରେ ବିଧାୟକଙ୍କ ନିଯୁକ୍ତିକୁ ଅସିଦ୍ଧ ଘୋଷଣା କଲେ। ବିଭିନ୍ନ ରାୟରେ ମାନ୍ୟବର ସୁପ୍ରିମ୍‌କୋର୍ଟ ‘ଲାଭଜନକ ପଦ’ ନେଇ ଯେଉଁ ସଂଜ୍ଞା ଓ ମାପକାଠି ନିର୍ଧାରଣ କରିଛନ୍ତି, ସେଇ ଆଧାରରେ ନିର୍ବାଚନ କମିସନ୍‌ ୨୦ ଜଣ ‘ଆପ୍‌’ବିଧାୟକଙ୍କ ବିଧାନସଭା ସଭ୍ୟପଦ ରଦ୍ଦ ଲାଗି ରାଷ୍ଟ୍ରପତିିଙ୍କୁ ସୁପାରିସ କରିଛନ୍ତି। ଯଦି ‘ଆପ୍‌’ ବିଧାୟକମାନେ ନିର୍ବାଚନ କମିସନ୍‌ଙ୍କ ସୁପାରିସର କାର୍ଯ୍ୟକାରିତା ଉପରେ ନ୍ୟାୟପାଳିକାରୁ କୌଣସି ରିହାତି ନ ପାଆନ୍ତି, ତେବେ ସେମାନଙ୍କ ସଭ୍ୟପଦ ରଦ୍ଦ ହେବା ଏବେ ଏକ ଔପଚାରିକତା ମାତ୍ର।

କୋଡ଼ିଏ ଆପ୍‌ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ସଂକ୍ରାନ୍ତ ପୂରା ପ୍ରକରଣ ଅପେକ୍ଷିତ ଥିଲେ ସୁଦ୍ଧା ବିବାଦର ଊର୍ଦ୍ଧ୍ୱରେ ବୋଲି କୁହାଯାଇ ପାରିବ ନାହିଁ। ଏଥିରୁ ଉଦ୍ଦେଶ୍ୟ ପ୍ରଣୋଦିତ, ପାତରଅନ୍ତର ମୂଳକ ରାଜନୀତିର ଗନ୍ଧକୁ ମଧ୍ୟ ଏଡ଼ା ଯାଇ ପାରୁ ପାରୁନାହିଁ। ଏ ପରିପ୍ରେକ୍ଷୀରେ ପ୍ରଥମ ପ୍ରଶ୍ନ ହେଲା- ‘ଲାଭଜନକ ପଦ’ ପ୍ରସଙ୍ଗରେ ଦିଲ୍ଲୀ ବିଧାନସଭାରେ ଗୃହୀତ ବିଲ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଲା ନାହିଁ କାହିଁକି? ସାଧାରଣତଃ ଏ ପ୍ରକାର ବିଲ୍‌ ଉପରେ ରାଷ୍ଟ୍ରପତିଙ୍କ ଆପତ୍ତି ଆଶା କରାଯାଏ ନାହିଁ। ସମାନ ପ୍ରସଙ୍ଗରେ ପୂର୍ବରୁ ବିଭିନ୍ନ ରାଜ୍ୟର ବିଧାନସଭା ଓ ୨୦୦୬ରେ ସଂସଦରେ ଗୃହୀତ ଆଇନ ସଂଶୋଧନ ବିଲ୍‌ ଉପରେ ରାଷ୍ଟ୍ରପତି ମୋହର ଲଗାଇଛନ୍ତି। ଅବଶ୍ୟ, ପ୍ରଥମେ ତତ୍କାଳୀନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଏହା ଉପରେ କିଛି ସ୍ପଷ୍ଟୀକରଣ ଲୋଡ଼ିଥିଲେ। ପରେ କିନ୍ତୁ ସଂଶୋଧନ ଉପରେ ସେ ମୋହର ଲଗାଇଥିଲେ। ଏପରିକି ବିଭିନ୍ନ ରାଜ୍ୟରେ ପିଛିଲା ତାରିଖରୁ ଲାଗୁ କରାଯାଇଥିବା ଏ ସଂକ୍ରାନ୍ତ ଆଇନର ବୈଧତା ନେଇ ଆପତ୍ତିକୁ ସୁପ୍ରିମ୍‌ କୋର୍ଟ ଏକାଧିକ ମାମଲାରେ ଖାରଜ କରି ଦେଇଛନ୍ତି।

ଏହି ପୃଷ୍ଠଭୂମିରେ ସନ୍ଦେହ ହେବା ସ୍ୱାଭାବିକ ଯେ ଦିଲ୍ଲୀରେ କ୍ଷମତାସୀନ ‘ଆପ୍‌’ ଓ କେନ୍ଦ୍ରରେ କ୍ଷମତାସୀନ ବିଜେପି ମଧ୍ୟରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ରାଷ୍ଟ୍ରପତିଙ୍କ ସାମ୍ବିଧାନିକ ନିଷ୍ପତ୍ତିକୁ ପ୍ରଭାବିତ କରି ନାହିଁ ତ? ପୁଣି ପଶ୍ଚିମବଙ୍ଗ ସମେତ ଆଉ କେତେକ ରାଜ୍ୟରେ ସଂସଦୀୟ ସଚିବ ନିଯୁକ୍ତିକୁ ହାଇକୋର୍ଟଙ୍କ ରଦ୍ଦ କିମ୍ବା ସ୍ଥଗିତାଦେଶ ସତ୍ତ୍ୱେ ସମ୍ପୃକ୍ତ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ନାହିଁ। ସେତିକି ବେଳେ ‘ଆପ୍‌’ ବିଧାୟକଙ୍କ କ୍ଷେତ୍ରରେ ପାତରଅନ୍ତର କରାଗଲା କାହିଁକି? ପଶ୍ଚିମବଙ୍ଗରେ ୨୪ ଜଣ ବିଧାୟକଙ୍କୁ ସଂସଦୀୟ ସଚିବ ଭାବେ ନିଯୁକ୍ତିକୁ କୋଲ୍‌କାତା ହାଇକୋର୍ଟ ‘ଅସାମ୍ବିଧାନିକ’ ଘୋଷଣା କରିି ରଦ୍ଦ କଲେ। ମାମଲା ଏବେ ସୁପ୍ରିମ୍‌କୋର୍ଟରେ ବିଚାରାଧୀନ। କର୍ଣ୍ଣାଟକର ୧୧ ଜଣ ଏମ୍‌ଏଲ୍‌ଏ ଓ ରାଜସ୍ଥାନର ୧୦ ଜଣ ବିଧାୟକଙ୍କୁ ସଂସଦୀୟ ସଚିବ ଭାବେ ନିଯୁକ୍ତି ବିରୋଧରେ ମାମଲା ସମ୍ପୃକ୍ତ ଦୁଇ ହାଇକୋର୍ଟରେ ବିଚାରାଧୀନ ରହିଛି।

‘ଲାଭଜନକ’ ଦର୍ଶାଇ ପଞ୍ଜାବ ଓ ହରିଆନା ହାଇକୋର୍ଟ ୨୦୧୭ରେ ୧୮ ଜଣ ପଞ୍ଜାବ ବିଧାୟକଙ୍କ ନିଯୁକ୍ତିକୁ ରଦ୍ଦ କରି ଦେଇଥିଲେ। ଏହି ମାମଲାରେ ସୁପ୍ରିମ୍‌କୋର୍ଟ ମଧ୍ୟ ହସ୍ତକ୍ଷେପ କରିବାକୁ ମନା କରି ଦେଇଥିଲେ। ଏହାସତ୍ତ୍ୱେ ସମ୍ପୃକ୍ତ ବିଧାୟକମାନଙ୍କ ସଭ୍ୟ ପଦ ରଦ୍ଦ ପାଇଁ ପ୍ରକ୍ରିୟାକୁ ଏଡ଼ାଇ ଦିଆଯାଇ ଥିଲା। ଉଲ୍ଲେଖନୀୟ ହେଲା, ତେଲେଙ୍ଗାନାର ଛଅ ଜଣ ବିଧାୟକଙ୍କୁ ସଂସଦୀୟ ସଚିବ ଭାବେ ନିଯୁକ୍ତିକୁ ହାଇକୋର୍ଟ ରଦ୍ଦ କରି ଦେଇଥିଲେ ସୁଦ୍ଧା ସମ୍ପୃକ୍ତ ବିଧାୟକଙ୍କ ସଭ୍ୟପଦ ନେଇ ସ୍ଥିତାବସ୍ଥା ଜାରି ରହିଛି। ବିଡ଼ମ୍ବନା ପୂର୍ଣ୍ଣ ବାସ୍ତବତା ହେଲା, ଲାଭଜନକ ପଦ ନେଇ ସୁପ୍ରିମ୍‌କୋର୍ଟଙ୍କ ସ୍ପଷ୍ଟ ମାର୍ଗଦର୍ଶିକା ଓ ମାପକାଠି ତଥା ୨୦୦୬ରେ ସଂସଦରେ ଗୃହୀତ ସଂଶୋଧିତ ଆଇନରେ ଏ ପ୍ରସଙ୍ଗରେ ସ୍ପଷ୍ଟତା ଅପେକ୍ଷା, ବିଭ୍ରାନ୍ତି ଅଧିକ। ଏହାର ସୁଯୋଗ ନେଇ ଅନେକ ରାଜ୍ୟର ସରକାରମାନେ ଗଳାବାଟ ସହ ଆଇନ ତିଆରି କରି ସଂସଦୀୟ ସଚିବ କିମ୍ବା ଅନ୍ୟ ବାଟରେ ସମାନ ପ୍ରକାର ପ୍ରଭାବଶାଳୀ ପଦରେ ନିଯୁକ୍ତିକୁ ରାଜନୈତିକ ଅନୁଗ୍ରହ ପ୍ରଦର୍ଶନର ମାଧ୍ୟମ ଭାବେ ବ୍ୟବହାର କରି ଆସୁଛନ୍ତି। ଓଡ଼ିଶାରେ ୨୦୧୬ରେ ୨୦ ଜଣ ବିଧାୟକଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଏକ ଉଦାହରଣ। ତେଣୁ ଖାଲି ବିବାଦୀୟ ଦିଲ୍ଲୀ ଆପ୍‌ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନୁହେଁ, ପୂରା ‘ଲାଭଜନକ ପଦ’ ପ୍ରସଙ୍ଗ ବ୍ୟାପକ ବିତର୍କର ଅପେକ୍ଷା ରଖୁଛି।

ତେବେ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ସତ୍ତ୍ୱେ ଏ ପ୍ରକରଣରେ ଆମ୍‌ ଆଦମି ପାର୍ଟିର ନୈତିକ ଦେବାଳିଆପଣ ଲୁଚି ରହି ପାରୁ ନାହିଁ। କୋଡ଼ିଏ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପ୍ରସଙ୍ଗରେ ରାଜନୈତିକ ଓ ଆଇନଗତ ଦୃଷ୍ଟିରୁ ଆପ୍‌ ଓ ଏହାର ମୁଖ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ସ୍ଥିତି ବିଶେଷ ଦୁର୍ବଳ ମନେ ହେଉ ନ ଥାଇପାରେ, କିନ୍ତୁ ନୈତିକତା ଦୃଷ୍ଟିରୁ ଏହା ଅତ୍ୟନ୍ତ ଦୁର୍ବଳ। ଭାରତୀୟ ରାଜନୀତିରେ ପାରମ୍ପରିକ ଓ ଗତାନୁଗତିକତାର ଧାରାକୁ ଭାଙ୍ଗି ଏକ ନୂଆ ସୁସ୍ଥ ଧାରା ପ୍ରତିଷ୍ଠା ଲାଗି ଆପ୍‌ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ପ୍ରତାରଣାରେ ପରିଣତ ହୋଇଛି। ଅନ୍ୟ ଦଳମାନେ କ୍ଷମତାକୁ ଆସିଲେ ଯେଉଁ ବାଟ ଧରୁଥିଲେ ଆପ୍‌ ମଧ୍ୟ ସେହି ବାଟ ଧରୁଛି। ସ୍ୱଚ୍ଛତା, ସାଧୁତାର ରାଣ ଖାଇ ରାଜନୀତିକୁ ଆସିଥିବା ଦଳର ବିଧାୟକମାନେ କ୍ଷମତା ଓ ପ୍ରଭାବ ପାଇଁ ଏତେ ବିକଳ କାହିଁକି? ସଂସଦୀୟ ସଚିବ ପଦ ଲାଗି ଦିଲ୍ଲୀ ବିଧାୟକଙ୍କ ପାଇଁ କୌଣସି ସ୍ୱତନ୍ତ୍ର ଆର୍ଥିକ ପାରିତୋଷିକର ବ୍ୟବସ୍ଥା ନଥିଲା। କିନ୍ତୁ ପଦ ସହ ଯୋଡ଼ି ହୋଇଥିବା ପ୍ରଶାସନିକ କ୍ଷମତା ଓ ପ୍ରଭାବକୁ କ’ଣ ଅସ୍ୱୀକାର କରାଯାଇ ପାରିବ?

ଏହି ସ୍ୱତନ୍ତ୍ର କ୍ଷମତା ଓ ପ୍ରଭାବ ସ୍ୱତଃ ଗୋଟିଏ ପଦକୁ ଲାଭଜନକ କରିଦିଏ। ସେଥିପାଇଁ ସୁପ୍ରିମ୍‌କୋର୍ଟଙ୍କ ମାପକାଠି ଅନୁଯାୟୀ ସ୍ୱତନ୍ତ୍ର ଆର୍ଥିକ ପାରିତୋଷିକର ବ୍ୟବସ୍ଥା ନଥିଲେ ସୁଦ୍ଧା ଏ ପ୍ରକାର ପଦ ଲାଭଜନକ ଶ୍ରେଣୀଭୁକ୍ତ। ଆପ୍‌ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପ୍ରସଙ୍ଗ ଏବେ ନ୍ୟାୟପାଳିକା ହାତରେ। ଆଇନଗତ ପ୍ରଶ୍ନ ଉପରେ ନ୍ୟାୟପାଳିକା ଯାହାବି ଫଇସଲା କରନ୍ତୁ, ନୈତିକତାର ପ୍ରଶ୍ନ ଉପରେ କିନ୍ତୁ ଫଇସଲା ହୋଇସାରିଛି। ଫଇସଲା ହେଲା ‘ଆପ୍‌’ ଅନ୍ୟ ଦଳଠାରୁ କୌଣସି ପ୍ରକାର ଭିନ୍ନ ନୁହେଁ। ରାଜନୀତିରେ ସବୁ ଦଳ କ୍ଷମତା କାଙ୍ଗାଳ, ନୀତି, ନୈତିକତା ଗୌଣ, ରାଜନୈତିକ ସ୍ୱାର୍ଥ ମୁଖ୍ୟ। ଆପ୍‌ ଏଥିରେ ବ୍ୟତିକ୍ରମ ନୁହେଁ। ନିର୍ମଳ, ସ୍ୱଚ୍ଛ ରାଜନୀତି କେବଳ ଭେଳିକି। ଲଙ୍କାରେ ସମସ୍ତେ ରାବଣ। ସେହି ସମାନ ଲାଉର ମଞ୍ଜି। ଭିନ୍ନ ହେବାର ନାଟକ କେବଳ ନୀଳବର୍ଣ୍ଣ ଶୃଗାଳର ଅଭିନୟ ମାତ୍ର।

ସମ୍ବନ୍ଧିତ ଖବର