ଯଥେଷ୍ଟ ନୁହେଁ

ଦେଶର ଅର୍ଥନୀତି ଏକ ଘୋର ମାନ୍ଦା ଅବସ୍ଥା କବଳରେ ପଡ଼ିଥିବା ବେଳେ ସରକାର ନିଜର ବ୍ୟୟରେ ବୃଦ୍ଧି ଘଟାଇ ଅର୍ଥନୀତିକୁ ଚଳଚଞ୍ଚଳ କରିବା ଉଚିତ- ଏହି ତତ୍ତ୍ବର ଜନକ ହେଉଛନ୍ତି ମହାନ୍‌ ବ୍ରିଟିସ୍‌ ଅର୍ଥନୀତିଜ୍ଞ ଜନ୍‌ ମେନାର୍ଡ କିନ୍‌ସ ବୋଲି ଊଣା ଅଧିକେ ଅର୍ଥନୀତିରେ ଆଗ୍ରହ ରଖୁଥିବା ସମସ୍ତଙ୍କୁ ଜଣା। ଅଧିକା˚ଶଙ୍କର ଧାରଣା ଯେ ୧୯୩୬ରେ କିନ୍‌ସଙ୍କର ସର୍ବପ୍ରସିଦ୍ଧ କୃତି ‘ଦି ଜେନେରାଲ୍‌ ଥିଓରି’ରେ ସେ ଏହି ତତ୍ତ୍ବ ବୟାନ କଲାପରେ ମହା ଅବପାତ ମଧୢ ଦେଇ ଗତି କରୁଥିବା ଆମେରିକା ଓ ସମଗ୍ର ପାଶ୍ଚାତ୍ୟ ଅର୍ଥନୀତିର ଉଦ୍ଧାର ପାଇଁ ଏହି କୌଶଳର ସଫଳ ପ୍ରୟୋଗ କରାଯାଇଥିଲା। ସତକଥା କିନ୍ତୁ ତାହା ନୁହେଁ। ‘ଜେନେରାଲ ଥିଓରି’ ପ୍ରକାଶର ବହୁପୂର୍ବରୁ ହୁଭର‌୍‌ ପ୍ରଶାସନ ଆରମ୍ଭ କରିଥିବା ରିଲିଫ୍‌ କାର୍ଯ୍ୟକ୍ରମ ଯଥେଷ୍ଟ ନ ହେବାରୁ ପରବର୍ତ୍ତୀ ରୁଜ୍‌ଭେଲ୍‌ଟ ପ୍ରଶାସନ ୧୯୩୩ ଠାରୁ କାର୍ଯ୍ୟକାରୀ କରିଥିବା ପ୍ରସିଦ୍ଧ ‘ନିଉଡିଲ୍‌’ କାର୍ଯ୍ୟକ୍ରମ ହଠାତ୍‌ ଆମେରିକା ସରକାରଙ୍କୁ ସେ ଦେଶର ଅର୍ଥନୀତିରେ ପ୍ରଧାନ ନିବେଶକରେ ପରିଣତ କରିଦେଲା। ସଡ଼କ ନିର୍ମାଣରୁ ଆରମ୍‌ କରି ଡ୍ୟାମ୍‌, ଅଡିଟରିଅମ୍‌, ବିମାନବନ୍ଦର, ପୋତାଶ୍ରୟ, ଗୃହ ନିର୍ମାଣ ଆଦି ପର୍ଯ୍ୟନ୍ତରେ ସରକାରୀ ବ୍ୟୟ ଦ୍ବାରା ପରିପୁଷ୍ଟ ନିଯୁକ୍ତି ଓ ଆୟ ସୃଷ୍ଟିକାରୀ ପ୍ରକଳ୍ପମାନ ଦେଶ ସାରା ମୁଣ୍ତ ଟେକିବାକୁ ଆରମ୍ଭ କଲା।

ଏହି ସମୟରେ ୧୯୩୪ରେ କିନ୍‌ସ ଆମେରିକା ଗସ୍ତରେ ଆସି ଫ୍ରାଙ୍କ୍‌ଲିନ୍‌ ରୁଜ୍‌ଭେଲ୍‌ଟଙ୍କ ‘ନିଉଡିଲ୍‌’ କାର୍ଯ୍ୟକ୍ରମର ରୂପାୟନ ସ୍ବଚକ୍ଷୁରେ ଅବଲୋକନ କଲେ। ଏହା ଏକ ଅର୍ଥନୀତିକୁ ମାନ୍ଦା ଅବସ୍ଥାରୁ ମୁକୁଳାଇବାର ଉପାୟ ସମ୍ବନ୍ଧରେ ତାଙ୍କର ନିଜର ଚିନ୍ତାଧାରା ସହିତ ବେଶ୍‌ ଖାପ ଖାଇ ଯାଉଥିଲା। ସେ ରୁଜ୍‌ଭେଲ୍‌ଟଙ୍କ କାର୍ଯ୍ୟର ସମ୍ପୂର୍ଣ୍ଣ ସମର୍ଥନ କରିବା ସହିତ ଏହା ଯଥେଷ୍ଟ ନୁହେଁ ଏବ˚ ଏହାର ବହୁ ଅଧିକ ସମ୍ପ୍ରସାରଣ କରିବା ପାଇଁ ଆହ୍ବାନ ଦେଇଥିଲେ। ସରକାରୀ ଖର୍ଚ୍ଚ ଶେଷରେ ଦେଶର ସାଧାରଣ କ୍ରୟଶକ୍ତିରେ ଆବଶ୍ୟକ ବୃଦ୍ଧି ଘଟାଇ ଘରୋଇ କ୍ଷେତ୍ରରେ ପୁଣି ନିବେଶ, ଉତ୍ପାଦନ, ନିଯୁକ୍ତି ଓ ଆୟ ସୃଷ୍ଟି ପାଇଁ ପ୍ରୋତ୍ସାହନ (ଷ୍ଟିମୁଲସ୍‌) ସ୍ବରୂପ କାର୍ଯ୍ୟ କରିବ। ଏହାର ଦୁଇ ବର୍ଷ ପରେ ତାଙ୍କ ପୁସ୍ତକରେ କିନ୍‌ସ ଯାହା ଉପସ୍ଥାପନ କରିଥିଲେ ତାକୁ କୌଣସି ଏକ ନୂତନ ତତ୍ତ୍ବ କହିବା ପରିବର୍ତ୍ତେ ଆମେରିକାରେ କାର୍ଯ୍ୟକାରୀ ହେଉଥିବା ଏହି କାର୍ଯ୍ୟକ୍ରମର ଏକ ତାତ୍ତ୍ବିକ ସମର୍ଥନ ବୋଲି କହିବା ଅଧିକ ଯୁକ୍ତିଯୁକ୍ତ ହେବ।

୧୯୩୪ରେ କିନ୍‌ସ ଆମେରିକା ଆସି ସେଠାରେ ଯେଉଁ ଅର୍ଥନୈତିକ ଚିତ୍ର ଦେଖିଥିଲେ, ବର୍ତ୍ତମାନ ଚୀନା କରୋନା ଦ୍ବାରା କବଳିତ ପୃଥିବୀର ପ୍ରାୟ ସମସ୍ତ ଦେଶରେ ସେଇଭଳି ଚିତ୍ର ଦେଖିବାକୁ ମିଳୁଛି ଏବ˚ ପ୍ରାୟ ପ୍ରତ୍ୟେକ ଦେଶ ଏଥିରୁ ଉଦ୍ଧାର ପାଇବା ପାଇଁ କିନ୍‌ସ ବତାଇଥିବା ଉପାୟ ଅବଲମ୍ବନ କରିଚାଲିଛନ୍ତି: ଘରୋଇ କ୍ଷେତ୍ରରେ ଚାକିରିରୁ ଛଟେଇ ପ୍ରତିହତ କରିବା ପାଇଁ ‘ଫର୍ଲୋ’ ସ୍କିମ୍‌ କାର୍ଯ୍ୟକାରୀ କରିବା ଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟରେ ଗ୍ରାହକମାନଙ୍କର ବିଲ୍‌ର ଆ˚ଶିକ ବୋଝ ସରକାର ବହନ କରିବା ପର୍ଯ୍ୟନ୍ତ। ଅନ୍ୟ ଭାଷାରେ କହିଲେ ସମସ୍ତ ଦେଶମାନଙ୍କରେ ସରକାର ଅର୍ଥନୀତିକୁ ବୁଡ଼ିଯିବାରୁ ରକ୍ଷା କରିବା ପାଇଁ ଷ୍ଟିମୁଲସ୍‌ ପ୍ରୟୋଗ କରିବାରେ ଲାଗିଛନ୍ତି।

ଭାରତ ସରକାର ମଧୢ ସେଥିରେ ବ୍ୟତିକ୍ରମ ନୁହନ୍ତି। ସରକାର ଗୋଟିକ ପରେ ଗୋଟିଏ ଇତି ମଧୢରେ ତିନି କିସ୍ତି ଷ୍ଟିମୁଲସ୍‌ ଘୋଷଣା କରିସାରିଲେଣି। ଆବଶ୍ୟକତା ଠାରୁ ବହୁତ କମ୍‌ ତଥା ତିନି ସେଣାରେ ପାଣି ଉଠିବା ଭଳି ହୋଇଥିବାରୁ ପ୍ରଥମ ଦୁଇ କିସ୍ତି ବ୍ୟାପକ ସମାଲୋଚନାର ଶରବ୍ୟ ହୋଇଥିଲା। ଏହି ତଥାକଥିତ ଷ୍ଟିମୁଲସ୍‌ ପ୍ୟାକେଜ୍‌ମାନ ମୁଖ୍ୟତଃ କେତେକ ଋଣ ଯୋଜନା ଉପରେ ପର୍ଯ୍ୟବସିତ ଥିଲା। ପ୍ରକୃତ କିନ୍‌ସୀୟ ରାଜକୋଷୀୟ ସହାୟତାକୁ ଯଦି ବିଚାରକୁ ନିଆଯାଏ, ତାହା ଦେଶର ମୋଟ ବାର୍ଷିକ ଜାତୀୟ ଉତ୍ପାଦ ବା ‘ଜିଡିପି’ର ମାତ୍ର ୨ ଶତା˚ଶରୁ ମଧୢ କମ୍‌ ହେବ। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (‘ଆଇଏମ୍‌ଏଫ୍‌’)ର ଆକଳନ ଅନୁସାରେ ଚଳିତ ବିତ୍ତ ବର୍ଷରେ ଭାରତର ‘ଜିଡିପି’ରେ ୧୦.୩ ଶତା˚ଶ ସ˚କୋଚନ ଘଟିବାକୁ ଯାଉଛି ବୋଲି ଅନୁମାନ କରାଯାଉଛି। ସେଇ ‘ଆଇଏମ୍‌ଏଫ୍‌’ ପ୍ରଦତ୍ତ ସୂଚନା ଅନୁସାରେ ଏହି ସମୟ ମଧୢରେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ମିଳିତ ରାଜକୋଷୀୟ ନିଅଣ୍ଟ ଗତବର୍ଷର ୮.୨ ଶତା˚ଶରୁ ବୃଦ୍ଧି ପାଇ ୧୩.୧ ଶତା˚ଶ ହେବ ବୋଲି ଆଶଙ୍କା କରାଯାଉଛି। ସରକାର ଫିସ୍‌କାଲ୍‌ ଷ୍ଟିମୁଲସ୍‌ ସମ୍ପ୍ରସାରିତ କରି ରାଜକୋଷୀୟ ନିଅଣ୍ଟ ଅନୁପାତରେ ବୃଦ୍ଧି ଘଟାଇବାକୁ ଭୟ କରୁଥିବା ବେଳେ, ଏହା ଦ୍ବାରା ମୁଦ୍ରାସ୍ଫୀତି ଅଧିକ ହେବ ବୋଲି ଆଶଙ୍କା କରୁଛନ୍ତି। କିନ୍ତୁ ଏକ ସୁଚିନ୍ତିତ ଆନ୍ତରିକତାପୂର୍ଣ୍ଣ ଷ୍ଟିମୁଲସ୍‌ ପ୍ୟାକେଜ୍‌ ଯଦି କାର୍ଯ୍ୟକାରୀ କରାଯାଏ, ତାହା ଅର୍ଥନୀତିରେ ନୂତନ ପ୍ରାଣ ସଞ୍ଚାର କରିବା ସଙ୍ଗେ ସଙ୍ଗେ ମୁଦ୍ରାସ୍ଫୀତିରେ କୌଣସି ବୃଦ୍ଧି ଘଟାଇବ ନାହିଁ ବୋଲି କିନ୍‌ସଙ୍କ ଅନୁଗାମୀମାନେ ଦୃଢ଼ ନିଶ୍ଚିତ।

କିନ୍‌ସଙ୍କ ତତ୍ତ୍ବ ଅନୁସାରେ ବର୍ତ୍ତମାନ ସମୟରେ ଅଧିକ ଖର୍ଚ୍ଚ କରିବା ପ୍ରବୃତ୍ତି ସମ୍ପନ୍ନ ଅଭାବଗ୍ରସ୍ତ ଅସ୍ବଚ୍ଛଳ ବର୍ଗଙ୍କ ନିକଟରେ ସିଧାସଳଖ ନଗଦ ରାଶି ପହଞ୍ଚାଇଲେ (ଡାଇରେକ୍ଟ କ୍ୟାସ୍‌ ଟ୍ରାନ୍‌ସଫର‌୍‌) ସେମାନେ କାଳ ବିଳମ୍ବ ନ କରି ତାହା ବଜାରରେ ଖର୍ଚ୍ଚ କରି ସାମଗ୍ରିକ ଚାହିଦାରେ ସ୍ଫୀତି ଘଟାଇବେ। ସେଇଭଳି, ସରକାର ଯଦି ରୁଜ୍‌ଭେଲ୍‌ଟଙ୍କୁ ଅନୁସରଣ କରି ବହୁଳ ନିଯୁକ୍ତି ସୃଷ୍ଟି କରୁଥିବା ଭିତ୍ତିଭୂମି ପ୍ରକଳ୍ପମାନ ଆରମ୍ଭ କରନ୍ତେ, ତା’ହେଲେ ସେଥିରୁ କେବଳ ଆୟ ସୃଷ୍ଟି ହୁଅନ୍ତା, ତାହା ନୁହେଁ, ସେ ସମସ୍ତ ପ୍ରକଳ୍ପମାନଙ୍କରେ ବିନିଯୋଗ ପାଇଁ ଆବଶ୍ୟକ ବିଭିନ୍ନ ଉପାଦାନମାନଙ୍କ ପାଇଁ ମଧୢ ଚାହିଦାରେ ବ୍ୟାପକ ବୃଦ୍ଧି ଘଟନ୍ତା। ସରକାରଙ୍କର ପ୍ରଥମ ଦୁଇ ଦଫା ଷ୍ଟିମୁଲସ୍‌ ପ୍ୟାକେଜ୍‌ ଦ୍ବାରା ସମ୍ପୂର୍ଣ୍ଣ ହତାଶ ହୋଇଥିବା କିନ୍‌ସ-ବିଶ୍ବାସୀମାନେ ତେଣୁ ଅନାଇ ବସିଥିଲେ ଯେ କିନ୍‌ସୀୟ ଅର୍ଥନୀତି ସହିତ ସୁପରିଚିତ ଅର୍ଥଶାସ୍ତ୍ରର ଛାତ୍ରୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିବାକୁ ଯାଉଥିବା ସରକାରଙ୍କ ତୃତୀୟ କିସ୍ତି ଷ୍ଟିମୁଲସ୍‌ ପ୍ୟାକେଜ୍‌ (ଷ୍ଟିମୁଲସ୍‌ ୩.୦) ନିଶ୍ଚିତ ରୂପେ ଏହିପରି ସିଧାସଳଖ ଷ୍ଟିମୁଲସ୍‌ ପ୍ରଦାନର ବ୍ୟବସ୍ଥା କରିବେ। ଗତ ଗୁରୁବାର ଦିନ ଘୋଷଣା କରାଯାଇଥିବା ‘ଷ୍ଟିମୁଲସ୍‌-୩.୦’ରେ ସେମାନେ ତେଣୁ କ’ଣ ପାଇଛନ୍ତି ଦେଖାଯାଉ।

କିନ୍‌ସୀୟ ଷ୍ଟିମୁଲସ୍‌ର ଉଦ୍ଦେଶ୍ୟ ହେଉଛି ତତ୍‌କ୍ଷଣାତ୍‌ ଅର୍ଥନୀତିରେ ନୂତନ କ୍ରୟଶକ୍ତି ପ୍ରବେଶ କରାଇବା। ନିର୍ମଳା ଏଥର ଏ ବାବଦରେ ଯେଉଁ ୨.୬୫ ଲକ୍ଷ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି, ସେଥିମଧୢରୁ ୧.୪୬ ଲକ୍ଷ କୋଟି ଟଙ୍କା ହେଉଛି ‘ଉତ୍ପାଦନ ସହ ସ˚ଯୁକ୍ତ ପ୍ରୋତ୍ସାହନ (‘ପିଏଲ୍‌ଆଇ’) ସ୍କିମ୍‌ର ଅନ୍ତର୍ଭୁକ୍ତ, ଯାହା ନଳରୁ ଟୋପାଏ ଟୋପାଏ ପାଣି ବାହାରି ଧୀରେ ଧୀରେ କୁଣ୍ତ ଭର୍ତ୍ତି ହେବା ପରି ଅର୍ଥନୀତିରେ ପ୍ରବେଶ କରିବା ପାଇଁ ଅନେକ ବର୍ଷ ଲାଗିଯିବ। ସୂଚାଇବା ଅନାବଶ୍ୟକ ବର୍ତ୍ତମାନର ଶୁଖି ଯାଇଥିବା ଅର୍ଥନୀତି ପାଇଁ ଏହାର କୌଣସି ପ୍ରୋତ୍ସାହନ ପ୍ରଦାନକାରୀ ତାତ୍କାଳିକ ମୂଲ୍ୟ ନାହିଁ।

ସେଇଭଳି ୬୫,୦୦୦ କୋଟି ଟଙ୍କାର ସାର ସବ୍‌ସିଡିକୁ ମଧୢ କିନ୍‌ସୀୟ ଷ୍ଟିମୁଲସ୍‌ ଶ୍ରେଣୀଭୁକ୍ତ କରାଯାଇ ପାରିବ ନାହିଁ। ଏହା କୃଷକମାନଙ୍କ ଅଣ୍ଟିରେ ସିଧାସଳଖ ପଇସା ଭର୍ତ୍ତି କରିବ ନାହିଁ, କେବଳ ସୀତାରମଣଙ୍କ ପରିସ˚ଖ୍ୟାନକୁ ପରିପୁଷ୍ଟ କରିବ ଯାହା। ମଧୢମ ଓ କ୍ଷୁଦ୍ର ଶିଳ୍ପ (ଏମ୍‌ଏସ୍‌ଏମ୍‌ଇ) ପାଇଁ ପୂର୍ବ ଘୋଷିତ ଋଣ ଗ୍ୟାରେଣ୍ଟି ସ୍କିମ୍‌ର ସମ୍ପ୍ରସାରଣ ସ୍ବାଗତଯୋଗ୍ୟ କିନ୍ତୁ ଏଥିରେ ଥିବା ପଥରୋଧକାରୀ ସର୍ତ୍ତାବଳୀର ଉପସ୍ଥିତି ଅନେକ ଶିଳ୍ପ ସ˚ସ୍ଥାମାନଙ୍କୁ ପୂର୍ବ ଭଳି ଏଥିରୁ ବହିର୍ଭୁକ୍ତ କରି ଚାଲିବ। କେବଳ ଗ୍ରାମ୍ୟ ନିଯୁକ୍ତି ପାଇଁ ଘୋଷଣା କରାଯାଇଥିବା ଅତିରିକ୍ତ ବ୍ୟୟ ସିଧାସଳଖ ଗ୍ରାମୀଣ ଚାହିଦାରେ ବୃଦ୍ଧି କରିବାରେ ସହାୟକ ହେବ ଏବ˚ ଗୃହ ନିର୍ମାଣ, ପ୍ରତିରକ୍ଷା ଓ ଶିଳ୍ପ ଭିତ୍ତିଭୂମି ନିର୍ମାଣ ପାଇଁ ଘୋଷିତ ବ୍ୟୟ ତାତ୍କାଳିକ ଭିତ୍ତିରେ ଅର୍ଥନୀତିରେ ନୂତନ କ୍ରୟ ଶକ୍ତି ପ୍ରବେଶ କରାଇବାର ସମ୍ଭାବନା ବହନ କରୁଛି। ପ୍ୟାକେଜ୍‌ର ମୁଖ୍ୟ ଅ˚ଶ କେବଳ ବିଭିନ୍ନ ସବ୍‌ସିଡିରେ ଏପଟ ସେପଟ କରିବାରେ ସୀମିତ। ଏଣୁ ଏକ ପତନମୁଖୀ ଅର୍ଥନୀତିକୁ ଉଠାଇବାକୁ ଏହା ଆଦୌ ଯଥେଷ୍ଟ ନୁହେଁ। କିନ୍‌ସ ୧୯୩୪ରେ ରୁଜ୍‌ଭେଲ୍‌ଟଙ୍କୁ କହିଥିବା ଭଳି, ତାଙ୍କ ଅନୁଗାମୀମାନେ ଏବେ ସୀତାରମଣଙ୍କୁ କହିବେ- ଯଥେଷ୍ଟ ନୁହେଁ।

ସମ୍ବନ୍ଧିତ ଖବର