୧୮୪୦ ଦଶକରେ ଫ୍ରାନ୍‌ସର ‘ଚାମ୍ବର‌୍‌ ଅଫ୍‌ ଡେପୁଟିଜ୍‌’ (ଆମ ଲୋକ ସଭା ଭଳି) ସେ ଦେଶର ଶିଳ୍ପ କ୍ଷେତ୍ରକୁ ସୁରକ୍ଷା ଦେବା ପାଇଁ ବିଦେଶରୁ ଆମଦାନି ହେଉଥିବା ସମସ୍ତ ପ୍ରକାର ଦ୍ରବ୍ୟ ଉପରେ ଲାଗୁ ହେଉଥିବା ଶୁଳ୍‌କରେ ବୃଦ୍ଧି ଘଟାଇ ବେଶ୍‌ ଉଚ୍ଚା କରିଦେଲେ। ଏହା ଥିଲା ଅବାଧ ବାଣିଜ୍ୟ ମତବାଦର ସମ୍ପୂର୍ଣ୍ଣ ବିପରୀତ। ସେ ସମୟରେ ଅବାଧ ବାଣିଜ୍ୟ ମତବାଦର ଅନ୍ୟତମ ମୁଖ୍ୟ ପ୍ରବକ୍ତା ରୂପେ ପ୍ରସିଦ୍ଧି ଲାଭ କରିଥିବା ଅର୍ଥନୀତିଜ୍ଞ ଫ୍ରେଡେରିକ୍‌ ବାଷ୍ଟିଆ ମଧୢ ତାଙ୍କ ରଚନାମାନ ବହନ କରୁଥିବା ତୀବ୍ର ଶାଣିତ ବ୍ୟଙ୍ଗ ପାଇଁ ଅନୁରୂପ ଭାବେ ପ୍ରସିଦ୍ଧ ଥିଲେ। ଆମଦାନି ଶୁଳ୍‌କରେ ଘଟାଯାଇଥିବା ଏଭଳି ବୃଦ୍ଧିର ପ୍ରତିକ୍ରିୟାରେ ବାଷ୍ଟିଆ ‘ଚାମ୍ବର‌୍‌ ଅଫ୍‌ ଡେପୁଟିଜ୍‌’ର ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ଯେଉଁ ଏକ କାଳ୍ପନିକ ନିବେଦନ ପତ୍ର ରଚନା କରି ପ୍ରକାଶ କରିଥିଲେ ତାହା ବୋଧହୁଏ ହେଉଛି ବିଷାଦ ବିଜ୍ଞାନ ରୂପେ ପରିଚିତ ଅର୍ଥଶାସ୍ତ୍ରର ସମଗ୍ର ଇତିହାସରେ ଦେଖାଯାଇଥିବା ସର୍ବଶ୍ରେଷ୍ଠ ହାସ୍ୟ ଉଦ୍ରେକକାରୀ ବ୍ୟଙ୍ଗ।

Advertisment

ଏହି ନିବେଦନ ପତ୍ରର କାଳ୍ପନିକ ନିବେଦନକାରୀମାନେ ଥିଲେ ମହମବତି, ଦୀପ, ତୈଳ ଆଦି ଭଳି ଆଲୋକ ପ୍ରଦାନ ସହିତ ସମ୍ପୃକ୍ତ ସମସ୍ତ ପ୍ରକାର ପଦାର୍ଥମାନଙ୍କର ନିର୍ମାତାମାନେ। ସେମାନେ ଆକୁଳ ଆବେଦନ କରି କହିଥିଲେ ଯେ ସେମାନେ ଆଲୋକ ପ୍ରଦାନ କ୍ଷେତ୍ରରେ ଏକ ପ୍ରଚଣ୍ତ କ୍ଷମତାଶାଳୀ ବୈଦେଶିକ ପ୍ରତିଦ୍ବନ୍ଦ୍ବୀଠାରୁ ଅସହନୀୟ ପ୍ରତିଯୋଗିତାର ଶିକାର ହୋଇଛନ୍ତି, ଯିଏ ସମ୍ପୂର୍ଣ୍ଣ ରୂପେ ମାଗଣାରେ ଆଲୋକ ଯୋଗାଇ ସେମାନଙ୍କର ବ୍ୟବସାୟ ବୁଡ଼ାଇ ଦେବାରେ ଲାଗିଛି। ଏହି ବୈଦେଶିକ ପ୍ରତିଦ୍ବନ୍ଦ୍ବୀ ହେଉଛନ୍ତି- ଆଉ କେହି ନୁହେଁ, ଖୋଦ୍‌ ସୂର୍ଯ୍ୟ। ସେମାନେ ତେଣୁ ଡେପୁଟିମାନଙ୍କୁ ନିବେଦନ କରିଥିଲେ ଯେ ସେମାନେ ଏକ ଆଇନ ପ୍ରଣୟନ କରନ୍ତୁ ଯେ ଫ୍ରାନ୍‌ସରେ କୌଣସି ଗୃହରେ କେତେବେଳେ ହେଲେ ଦିନ ବେଳା କବାଟ, ଝରକା, ସ୍କାଇଲାଇଟ ଆଦି ଖୋଲା ଯାଇ ପାରିବ ନାହିଁ, କୌଣସି କାନ୍ଥରେ ଥିବା ଛୋଟ କଣାକୁ ମଧୢ ବୁଜିଦିଆଯିବ, ଘର ଭିତରେ ଦିବାଲୋକର ସାମାନ୍ୟତମ ପ୍ରବେଶକୁ ମଧୢ ନିଷିଦ୍ଧ କରାଯିବ।

ଅବାଧ ବାଣିଜ୍ୟ ସପକ୍ଷରେ ବାଷ୍ଟିଆଙ୍କ ଏହି ବ୍ୟଙ୍ଗ ଠାରୁ ଆଉ ଅଧିକ ଶକ୍ତିଶାଳୀ ଯୁକ୍ତି କେବେହେଲେ ଦେଖିବାକୁ ମିଳି ନାହିଁ। ଅବଶ୍ୟ ଇତିହାସ ସାରା ଅବାଧ ବାଣିଜ୍ୟ ସପକ୍ଷରେ ଅନେକ ପ୍ରସିଦ୍ଧ ଅର୍ଥନୀତିଜ୍ଞମାନେ ଅନେକ ବିଧିବଦ୍ଧ ତାତ୍ତ୍ବିକ ଯୁକ୍ତିମାନ ମଧୢ ଉପସ୍ଥାପନ କରି ଆସିଛନ୍ତି ଓ କରିବାରେ ମଧୢ ଲାଗିଛନ୍ତି। ତତ୍ତ୍ବ ଦୃଷ୍ଟିରୁ ଏଗୁଡ଼ିକ ମଧୢ ବେଶ୍‌ ବଳିଷ୍ଠ। ମହାତ୍ମା ଗାନ୍ଧୀ ଥିଲେ ଜଣେ ଅତ୍ୟନ୍ତ ସରଳ ବ୍ୟକ୍ତି। କୌଣସି ନୀତିଗତ ଦ୍ବନ୍ଦ୍ବର ସମ୍ମୁଖୀନ ହେଲେ ସେ ତା’ର ସମାଧାନ ଖୋଜିବା ପାଇଁ କୌଣସି ଉଚ୍ଚାଙ୍ଗ ତତ୍ତ୍ବର ଆଶ୍ରୟ ନନେଇ ତାହାର ଏକ ଅତୀବ ସରଳ ସମାଧାନର ବାଟ ଖୋଜୁଥିଲେ। ତାଙ୍କର ଏଭଳି ଏକ ସରଳ ସମାଧାନ ସୂତ୍ରକୁ ‘ଗାନ୍ଧୀଙ୍କ କଷଟି’ ନାମରେ ଆଖ୍ୟାୟିତ କରାଯାଇଛି। ଗାନ୍ଧୀ କହୁଥିଲେ: ଯେତେବେଳେ ତୁମେ ନେବାକୁ ଯାଉଥିବା କୌଣସି ନୀତିଗତ ପଦକ୍ଷେପ ନେଇ ସନ୍ଦେହର ସମ୍ମୁଖୀନ ହୁଅ, ସେତେବେଳେ ତୁମେ ଦେଖିଥିବା ଦୁର୍ବଳତମ ଓ ଦରିଦ୍ରତମ ବ୍ୟକ୍ତିଙ୍କର ଚେହେରା ମନେ ପକାଇ ଚିନ୍ତା କର ଯେ ତୁମେ ନେବାକୁ ଯାଉଥିବା ପଦକ୍ଷେପ ଏଭଳି ବ୍ୟକ୍ତିଙ୍କର କିଛି ଉପକାର କରିବ କି?

ଗାନ୍ଧୀଙ୍କର ଏହି କଷଟିରେ ଯଦି ବାଷ୍ଟିଆଙ୍କ ଉପରୋକ୍ତ ବ୍ୟଙ୍ଗକୁ ପରଖ କରାଯାଏ, ତେବେ ଯାହା ନିଶ୍ଚିତ ରୂପେ ସାବ୍ୟସ୍ତ ହୁଅନ୍ତା, ତାହା ହେଲା ସମସ୍ତ ଚଟୁଳ ତୀକ୍ଷ୍‌ଣତା ସତ୍ତ୍ବେ ସେ ବ୍ୟଙ୍ଗ ହେଉଛି ତାହା ହିଁ ମାତ୍ର- କେବଳ ଏକ ଅବାସ୍ତବ ବ୍ୟଙ୍ଗ! ମନେ କରାଯାଉ ସେଇ ମହମବତି ନିର୍ମାତା ବା ଦୀପ ନିର୍ମାତାମାନେ ହେଉଛନ୍ତି ମହାତ୍ମା ଗାନ୍ଧୀ ବର୍ଣ୍ଣିତ ଦୁର୍ବଳ, ଦରିଦ୍ର ଶ୍ରେଣୀର ସଦସ୍ୟ। ଫ୍ରାନ୍‌ସ ସରକାର ବିଦେଶରୁ ଆମଦାନି ହେଉଥିବା ମହମବତି ବା ଦୀପ ଆଦି ଉପରେ ଆମଦାନି ଶୁଳ୍‌କ ବୃଦ୍ଧି କରି ନିଜ ଦେଶର ଏହି ଦୁର୍ବଳ ଶ୍ରେଣୀର ଦୀପ ଓ ମହମବତି ନିର୍ମାତାମାନଙ୍କ ଜୀବନ ଓ ଜୀବିକାକୁ ସୁରକ୍ଷା ପ୍ରଦାନ କରିଥିଲେ। ତାହା ହେଲେ ସାବ୍ୟସ୍ତ ହେବ ଯେ ଗାନ୍ଧୀଙ୍କ କଷଟି ଅନୁସାରେ ଫ୍ରାନ୍‌ସ ସରକାର ଆମଦାନି ଶୁଳ୍‌କ ବୃଦ୍ଧି କରିବା ଏକ ଠିକ୍‌ ପଦକ୍ଷେପ ଥିଲା; ଅନ୍ୟ ଭାଷାରେ କହିଲେ ଅବାଧ ବାଣିଜ୍ୟ ପ୍ରତ୍ୟାଖ୍ୟାନ କରିବା ଠିକ୍‌ ଥିଲା।

ଠିକ୍‌ ବର୍ଷକ ତଳେ ୨୦୧୯ ନଭେମ୍ବରରେ ଭାରତ ଯେତେବେଳେ ଚୀନା ନେତୃତ୍ବାଧୀନ ଆଞ୍ଚଳିକ ଅବାଧ ବାଣିଜ୍ୟ ଗୋଷ୍ଠୀ ‘ଆର‌୍‌ସିଇପି’ରେ ଯୋଗ ନଦେବାକୁ ନିଷ୍ପତ୍ତି ଗ୍ରହଣ କରି କଥାବାର୍ତ୍ତାରୁ ଓହରି ଆସିଲା, ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀଙ୍କର ଏହି କଷଟିକୁ ତାଙ୍କର ଏହି ନିଷ୍ପତ୍ତିର ଅନ୍ୟତମ କାରଣ ରୂପେ ଉପସ୍ଥାପନ କରିଥିଲେ। ଏବେ ନଭେମ୍ବର ୧୫ ତାରିଖ ଦିନ ୧୫ଟି ସଦସ୍ୟ ରାଷ୍ଟ୍ରଙ୍କ ଦ୍ବାରା ‘ଆର‌୍‌ସିଇପି’ ବିଧିବଦ୍ଧ ଭାବରେ ସ୍ବାକ୍ଷରିତ ହେବା ଅବସରରେ ଉଭୟ ଚୀନ୍‌ ଓ କେତେକ ଚୀନ୍‌ପ୍ରେମୀ ମନ୍ତବ୍ୟକାରମାନେ ପୁଣି ସେମାନଙ୍କର ପୁରୁଣା ମତ ଦୋହରାଇବା ଦେଖା ଯାଇଛି ଯେ ଭାରତ ‘ଆର‌୍‌ସିଇପି’ରେ ଯୋଗ ନ ଦେଇ ନିଜର କ୍ଷତି କରୁଛି ଓ ନିଷ୍ପତ୍ତିର ପୁନର୍ବିଚାର କରି ତୁରନ୍ତ ଏହି ଗୋଷ୍ଠୀରେ ଯୋଗ ଦେଉ।

ସତକଥା କିନ୍ତୁ ହେଲା, ଯେଉଁ କାରଣରୁ ବର୍ଷକ ତଳେ ଭାରତ ‘ଆର‌୍‌ସିଇପି’ଠାରୁ ଦୂରେଇ ରହିବାକୁ ସ୍ଥିର କରିଥିଲା, ସେ ସମସ୍ତ କାରଣ ବର୍ତ୍ତମାନ ମଧୢ ବଳବତ୍ତର ରହିଛି; ସେତିକି ନୁହେଁ, ଇତି ମଧୢରେ ଚୀନ୍‌ ସମ୍ପୃକ୍ତ ଥିବା ଦୁଇଟି ଏଭଳି ଗୁରୁତର କାଣ୍ତ ଘଟିଛି, ଯାହା ଯୋଗୁଁ ଚୀନା କବଳିତ ଏହି ଗୋଷ୍ଠୀରେ ସାମିଲ ହେବା ଭାରତ ପାଇଁ ଅଚିନ୍ତନୀୟ ହୋଇ ପଡ଼ିଛି। ଗୋଟିଏ ହେଉଛି ଚୀନା କରୋନା ସ˚କ୍ରମଣ, ଅନ୍ୟଟି ହେଉଛି ସୀମାନ୍ତରେ ଚୀନା ଆକ୍ରମଣ। ଭାରତ ଯଦି ‘ଆର‌୍‌ସିଇପି’ରେ ଯୋଗ ଦିଅନ୍ତା, ଦେଶର କୃଷି, ଗୋପାଳନ, ବୟନଶିଳ୍ପ ଆଦି କ୍ଷେତ୍ରରେ ନିଯୁକ୍ତ ଥିବା ତଥା ଜୀବିକା ଅର୍ଜନ କରୁଥିବା କୋଟି କୋଟି ଲୋକ ଘୋର କ୍ଷତିଗ୍ରସ୍ତ ହୁଅନ୍ତେ, କାରଣ ସେମାନେ ଚୀନ୍‌ ଓ ‘ଆର‌୍‌ସିଇପି’ ସଦସ୍ୟ ଦେଶମାନଙ୍କରୁ ଯେଉଁ ଶସ୍ତା ଆମଦାନି ଦ୍ରବ୍ୟସବୁର ସୁଅ ଛୁଟିବ, ତା’ ସହିତ ପ୍ରତିଦ୍ବନ୍ଦ୍ବିତା କରି ପାରନ୍ତେ ନାହିଁ। ଚୁକ୍ତିର ସର୍ତ୍ତ ଅନୁସାରେ ଭାରତକୁ ବର୍ତ୍ତମାନ ବଳବତ୍ତର ଥିବା ଆମଦାନି ଶୁଳ୍‌କ ହ୍ରାସ କରିବାକୁ ପଡ଼ନ୍ତା କିମ୍ବା ଉଚ୍ଛେଦ କରିବାକୁ ପଡ଼ନ୍ତା (ବାଷ୍ଟିଆ ଖୁସି ହୁଅନ୍ତେ)।

ଏମିତିରେ ଆମଦାନି-ରପ୍ତାନି କ୍ଷେତ୍ରରେ ଚୀନ୍‌ ସହିତ ଭାରତର ସମ୍ପର୍କ ଅତ୍ୟନ୍ତ ଅସମତୁଲ ଅବସ୍ଥାରେ ରହିଥିବା ବେଳେ (୨୦୧୯-୨୦ରେ ଚୀନ୍‌ ଭାରତ ଠାରୁ ୪୮.୬ ବିଲିୟନ୍‌ ଡଲାର ଅଧିକ ରପ୍ତାନି କରିଥିଲା) ଆମଦାନି ଶୁଳ୍‌କ କୋହଳ କରାଗଲେ ଭାରତୀୟ ବଜାରକୁ ଚୀନା ଡ୍ରାଗନ ସମ୍ପୂର୍ଣ୍ଣ ରୂପେ ମାଡ଼ି ବସନ୍ତା। ଏହାଦ୍ବାରା କେବଳ ଗାନ୍ଧୀଙ୍କ କଷଟି ରୂପକ ଦରିଦ୍ର ଓ ଦୁର୍ବଳମାନେ କ୍ଷତିଗ୍ରସ୍ତ ହୁଅନ୍ତେ, ତାହା ନୁହେଁ, ଦେଶର ନିୟୁତ ନିୟୁତ କାରଖାନା, ବ୍ୟବସାୟ, କର୍ମଚାରୀ, ଶ୍ରମିକ ଘୋର ବିପଦର ସମ୍ମୁଖୀନ ହୁଅନ୍ତେ। ଭାରତ ଯଦି ଏକ ରପ୍ତାନି ନିର୍ଭରଶୀଳ ଦେଶ ହୋଇଥାନ୍ତା, ତେବେ ହୁଏତ ‘ଆର‌୍‌ସିଇପି’ରେ ଯୋଗଦାନ ତା’ ପାଇଁ ଉପଯୋଗୀ ହୁଅନ୍ତା; ଆତ୍ମ ନିର୍ଭର ହେବାର ଲକ୍ଷ୍ୟ ରଖିଥିବା ଭାରତ ପାଇଁ ଏହାର ଉପଯୋଗିତା ନଗଣ୍ୟ ମାତ୍ର ହୋଇଥିବା ବେଳେ ଏହାର କ୍ଷତିକାରକ ପ୍ରଭାବ ଅମାପ।

ଚୀନ୍‌ କେବଳ ପୃଥିବୀକୁ କରୋନା ପାଣ୍ତେମିକ୍‌ କବଳରେ ପକାଇଛି, ତାହା ନୁହେଁ, ତାର ସୀମାନ୍ତରେ ଥିବା ପ୍ରାୟ ସମସ୍ତ ଦେଶରେ ଅନୁପ୍ରବେଶ କରିବା ସହିତ ସମଗ୍ର ଦକ୍ଷିଣ ଚୀନ୍‌ ସାଗରକୁ ନିଜର ବାଡ଼ି ଗଡ଼ିଆରେ ପରିଣତ କରିବାକୁ ଉଦ୍ୟମ ଅବ୍ୟାହତ ରଖିଛି। ଆଶ୍ଚର୍ଯ୍ୟ କଥା ଦକ୍ଷିଣ-ପୂର୍ବ ଏସିଆର ତା’ର ଗୋଡ଼ାଣିଆ ଦେଶମାନେ କେବଳ ଯେ ‘ଆର‌୍‌ସିଇପି’ରେ ସାମିଲ ହୋଇଛନ୍ତି, ତାହା ନୁହେଁ, ଅଷ୍ଟ୍ରେଲିଆ ଓ ଜାପାନ ଭଳି ଚୀନ୍‌ର ସମାଲୋଚନାକାରୀ ଦେଶମାନେ ମଧୢ ଏଥିରେ ଯୋଗ ଦେଇଛନ୍ତି। ଏହା ବ୍ରଜନାଥ ବଡ଼ଜେନାଙ୍କ ରଚିତ ‘ଚତୁର ବିନୋଦ’ର ଦୁଷ୍ଟ ପ୍ରୀତି କାହାଣୀର ଅବିକଳ ଅନୁସରଣ ଭଳି ମନେ ହୋଇଥାଏ। ସେ କାହାଣୀର ମୁଖ୍ୟ ଚରିତ୍ର ଅତ୍ୟନ୍ତ ଦିହବଳିଆ କ୍ଷେତ୍ରପାଳ ଭୂମିଜ ଭଳି ଚୀନ୍‌ ସାରା ପୃଥିବୀରେ ଓ ବିଶେଷ କରି ପୂର୍ବ ଓ ଦକ୍ଷିଣ ପୂର୍ବ ଏସିଆରେ ପ୍ରଦର୍ଶନ କରୁଥିବା ବାହୁବଳର ମୁକାବିଲା କରି ନପାରି ମହାଜନମାନେ ଶେଷରେ ନାଚାର ହୋଇ କ୍ଷେତ୍ରପାଳ ଭୂମିଜ ସହିତ ପ୍ରୀତି କଲା ଭଳି ଏ ଅଞ୍ଚଳର ଚଉଦଟି ଦେଶ ଚୀନ୍‌ ସହିତ ପ୍ରୀତି କରି ‘ଆର‌୍‌ସିଇପି’ରେ ମିଶିଛନ୍ତି। ବଡ଼ଜେନାଙ୍କ ଭାଷାରେ- ‘ଏ ଦୁଷ୍ଟପ୍ରୀତି ଅଟଇ’। ଭାରତ ଏଭଳି ପ୍ରୀତି ଠାରୁ ଦୂରରେ ରହି ଉଚିତ କାର୍ଯ୍ୟ କରିଛି ଓ ଏଥିପାଇଁ ଆବଶ୍ୟକ ସାମର୍ଥ୍ୟ ପ୍ରତିପାଦିତ କରିଛି।