ଭାଗ୍ୟାଶ୍ରୟ

ମୁଲ୍ଲା ନସିରୁଦ୍ଦିନଙ୍କୁ ନେଇ ଥିବା ଗଳ୍ପମାନଙ୍କ ମଧୢରୁ ଗୋଟିଏ ଚଟୁଳ ଗପରେ ନ୍ୟାୟ ବିଚାର ସ˚ଦର୍ଭରେ ଏକ କୌତୂହଳପ୍ରଦ ଧାରଣା ମିଳିଥାଏ। ଜଣେ ନିରପେକ୍ଷ ମନୁଷ୍ୟର ବିଚାର ଏବ˚ ଈଶ୍ବର (ଯିଏ ସର୍ବଦା ନିରପେକ୍ଷ)ଙ୍କ ବିଚାର ମଧୢରେ କ’ଣ ପାର୍ଥକ୍ୟ ରହିଛି, ତାହା ବୁଝାଇବାକୁ ଯାଇ ମୁଲ୍ଲା ଯାହା କହିଥିଲେ, ତାହା ହେଲା ଜଣେ ନିରପେକ୍ଷ ଓ ବିଚାରବନ୍ତ ମନୁଷ୍ୟକୁ ଯଦି ଦଶଟି ଖଜୁରି କୋଳି ଦେଇ ଦୁଇ ଜଣଙ୍କ ମଧୢରେ ବାଣ୍ଟି ଦେବାକୁ କୁହାଯାଏ, ତେବେ ସେ ପାତରଅନ୍ତର ନ କରି ଜଣକୁ ପାଞ୍ଚଟା ଲେଖାଁଏ କୋଳି ପ୍ରଦାନ କରିବ। କିନ୍ତୁ ଏହି କାମଟି ଯଦି ଈଶ୍ବରଙ୍କୁ ଦିଆଯାଏ, ତେବେ ସେ ମଧୢ ପାତରଅନ୍ତର ନ କରି ଖଜୁରି କୋଳି ମୁଠାକୁ ଦୂରକୁ ଫୋପାଡ଼ି ଦେଇ କହିବେ ‘ନେଇ ଯାଅ’ ଏବ˚ ଦୁଇ ଜଣ ପରସ୍ପର ସହିତ ପ୍ରତିଯୋଗିତା କରି ସେମାନଙ୍କ ପାରଙ୍ଗମତା ଅନୁସାରେ କୋଳି ପାଇବେ। ଏହି କ୍ଷୁଦ୍ର ଗଳ୍ପରେ ଦେଖିବାକୁ ମିଳିଥାଏ ଯେ ମନୁଷ୍ୟ ବିଚାର ଦ୍ବାରା ସମ୍ଭୂତ ନ୍ୟାୟର ପରିକଳ୍ପନାରେ ସବଳ ବା ଦୁର୍ବଳଙ୍କ ମଧୢରେ ପ୍ରଭେଦ କରା ନ ଯାଇ ଉଭୟଙ୍କ ଲାଗି ସମାନ ନ୍ୟାୟ ପ୍ରଦାନର ପ୍ରୟାସ କରାଯାଇଥାଏ; ଅର୍ଥାତ୍‌ ମନୁଷ୍ୟକୃତ ନ୍ୟାୟ ବ୍ୟବସ୍ଥାରେ ଦୁର୍ବଳମାନଙ୍କ ଲାଗି ନ୍ୟାୟର ସ୍ରୋତ ଅବାଧ ରହିବାର ଦର୍ଶନ ନିହିତ ଥାଏ। କିନ୍ତୁ ଈଶ୍ବରଙ୍କ ନ୍ୟାୟ ବ୍ୟବସ୍ଥା- ଯାହାକୁ ପ୍ରାକୃତିକ ନ୍ୟାୟ ବୋଲି ମଧୢ କୁହାଯାଏ- ଦୁର୍ବଳମାନଙ୍କ ପ୍ରତି ଅଧିକ ଦରଦୀ ହୋଇ ନ ଥାଏ ଏବ˚ ତାହା ଉଭୟ ସବଳ ଓ ଦୁର୍ବଳଙ୍କୁ ସମାନ କ୍ରୀଡ଼ାଙ୍ଗନ ବା ରଣାଙ୍ଗନରେ ଅବତୀର୍ଣ୍ଣ କରାଇ ପରିଶେଷରେ ସବଳକୁ ହିଁ ଜୟଯୁକ୍ତ କରାଇଥାଏ; ଯେଉଁଥି ଲାଗି ପ୍ରାକୃତିକ ନ୍ୟାୟ ବ୍ୟବସ୍ଥାରେ ଯିଏ ସର୍ବାଧିକ ସବଳ ବା ଦକ୍ଷ ସେ ହିଁ ତିଷ୍ଠି ରହେ। ଏହି ପରିପ୍ରେକ୍ଷୀରେ ଆମ ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ଦୃଷ୍ଟି ନିକ୍ଷେପ କଲେ ଦେଖାଯାଇଥାଏ ଯେ ତହିଁରେ ସମାଜର ଦୁର୍ବଳ ବର୍ଗଙ୍କ ଲାଗି ନ୍ୟାୟ ଉପଲବ୍‌ଧ କରିବା ସକାଶେ ବିଭିନ୍ନ ଉପାୟମାନ ସନ୍ନିବେଶିତ ହୋଇଥିଲେ ହେଁ ବାସ୍ତବ କ୍ଷେତ୍ରରେ ଯଥାର୍ଥ ନ୍ୟାୟ ପାଇବାରୁ ସେମାନେ ହିଁ ବଞ୍ଚିତ ହେଉଛନ୍ତି। ଅପର ପକ୍ଷେ ପାରଙ୍ଗମମାନେ ନ୍ୟାୟ ଲାଭ କରିବାରେ ଅଧିକ ସଫଳ ହେଉଛନ୍ତି। ଏଥିରୁ ଏଭଳି ଏକ ଧାରଣା ମଧୢ ଜାତ ହେଲାଣି ଯେ ଆମ ଦେଶରେ ଦୁର୍ବଳମାନେ ନ୍ୟାୟ ପାଇବା ଈଶ୍ବରଙ୍କ ଖଜୁରି କୋଳି ବଣ୍ଟନରେ କୋଳି ପାଇବା ଭଳି ଭାଗ୍ୟର ବିଷୟ ହୋଇ ପଡ଼ିଛି; ଯାହା ପ୍ରାକୃତିକ ନ୍ୟାୟର ଅଧିକ ନିକଟବର୍ତ୍ତୀ ଭଳି ବୋଧ ହୋଇଥାଏ।

ଉପରେ ବର୍ଣ୍ଣିତ ପ୍ରସଙ୍ଗ ପ୍ରମାଣିତ ହୋଇଥାଏ ‘ନେସନାଲ କ୍ରାଇମ୍‌ ରେକର୍ଡସ ବ୍ୟୁରୋ’ ବା ‘ଏନ୍‌ସିଆରବି’ (୨୦୧୯) ପକ୍ଷରୁ ପ୍ରଦତ୍ତ ତଥ୍ୟରୁ ଯାହା କହିଥାଏ ଯେ ଆମ ଦେଶର ବିଭିନ୍ନ ଜେଲ୍‌ରେ କାଳ କାଟୁଥିବା ବିଚାରାଧୀନ କଏଦୀଙ୍କ ମଧୢରୁ ଅର୍ଧେକ ବା ୫୦ ପ୍ରତିଶତ ହେଉଛନ୍ତି ସ˚ଖ୍ୟାଲଘୁ ମୁସଲମାନ ସ˚ପ୍ରଦାୟ, ଦଳିତ ଏବ˚ ଆଦିବାସୀ ବର୍ଗର; ଯେଉଁମାନେ ଆର୍ଥିକ ଓ ସାମାଜିକ ଭାବେ ନିମ୍ନତମ ସୋପାନରେ ବିଦ୍ୟମାନ। ପୁଣି ୨୦୧୧ ଜନଗଣନା ଅନୁଯାୟୀ ଏହି ତିନିଟି ବର୍ଗରେ ରହିଥିବା ଲୋକସ˚ଖ୍ୟା ଭାରତର ଜନସ˚ଖ୍ୟାର ୩୯.୯ ପ୍ରତିଶତ ହୋଇଥିବା ସ୍ଥଳେ ଜେଲ୍‌ ଭିତରେ ଏହି ବର୍ଗର ପ୍ରତିନିଧିତ୍ବ ଆଦୌ ସମାନୁପାତିକ ନୁହେଁ। ‘ଏନ୍‌ସିଆରବି’ର ତଥ୍ୟ ଆହୁରି କହିଥାଏ ଯେ ଆମ ଦେଶର ଜେଲ୍‌ଗୁଡ଼ିକରେ ବର୍ଷ ବର୍ଷ ଧରି ଅଟକ ଥିବା ବିଚାରାଧୀନ ବନ୍ଦୀମାନଙ୍କ ସ˚ଖ୍ୟା ୩.୩ ଲକ୍ଷ (ସମୁଦାୟ ବନ୍ଦୀ ସ˚ଖ୍ୟାର ୬୯%), ଯେଉଁମାନଙ୍କ ମଧୢରୁ ଅଧିକା˚ଶ ଜାମିନ ପାଇବାକୁ ଯୋଗ୍ୟ। ଏହି ସର୍ବନିମ୍ନ ନ୍ୟାୟ ପାଇବାର ଅସାମର୍ଥ୍ୟ ହେତୁ ଆମ ଜେଲ୍‌ଗୁଡ଼ିକ ରୁନ୍ଧି ପକାଉଥିବା ଭଳି କଏଦୀ ଭିଡ଼ ଦ୍ବାରା ଜର୍ଜରିତ; ଯାହାକୁ ପରିସ˚ଖ୍ୟାନରେ ପ୍ରକାଶ କଲେ ହେବ ୧୧୮%, ଅର୍ଥାତ୍‌ ଶହେ ସ୍ଥାନରେ ୧୧୮ ଜଣ କଏଦୀ ଆମ ଜେଲରେ ଅଛନ୍ତିି। ଏଠାରେ ପ୍ରଣିଧାନଯୋଗ୍ୟ ଯେ ‘ଜାମିନ ପ୍ରଦାନ ନିୟମକୁ ଅଧିକ ସରଳ ଓ କୋହଳ କରି ଅଧିକରୁ ଅଧିକ ବିଚାରାଧୀନ କଏଦୀଙ୍କୁ ମୁକ୍ତ କରିବା ଲାଗି ନେସନାଲ ଲ’ କମିସନ’ ପକ୍ଷରୁ ସୁପାରିସ କରାଯାଇଥିବା ସତ୍ତ୍ବେ ବସ୍ତୁତଃ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ।

ଏହି ସ˚ଦର୍ଭରେ ‘ଦ ପ୍ରିଣ୍ଟ’ରେ ପ୍ରକାଶିତ ଏକ ଚମତ୍କାର ଆଲେଖ୍ୟରେ ନିବନ୍ଧକାର ଲେ ଭର୍ଗିଜ୍‌ ପ୍ରଦାନ କରିଥିବା ମତ ହେଲା ‘ରିପବ୍ଲିକ୍‌’ ଟେଲିଭିଜନର ପ୍ରତିଷ୍ଠାତା-ସ˚ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ କ୍ଷେତ୍ରରେ ଯେଉଁ ଭଳି କ୍ଷିପ୍ରତାର ସହିତ ଓ ଅତ୍ୟନ୍ତ କୋହଳ ସର୍ତ୍ତରେ ଜାମିନ ପ୍ରଦାନ କରାଯାଇଛି, ତାହା ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛି। ଏଭଳି ତତ୍ପରତା ଓ କୋହଳତା ଯଦି ସର୍ବଦା ଏବ˚ ସବୁ ବର୍ଗର ନାଗରିକମାନଙ୍କ ପ୍ରତି ପ୍ରଦର୍ଶିତ ହୁଅନ୍ତା, ତେବେ ଆମ ନ୍ୟାୟ ବ୍ୟବସ୍ଥାରେ ସନ୍ନିହିତ ଆଦର୍ଶଗୁଡ଼ିକର ଅର୍ଥ ଆକ୍ଷରିକ ଭାବେ ପ୍ରତିପାଦିତ ହୋଇପାରନ୍ତା। ତାଙ୍କ ଆଲେଖ୍ୟରେ ସେ ପ୍ରଦାନ କରିଥିବା ଏକ ଉଦାହରଣ ଅର୍ଣ୍ଣବଙ୍କ ବିପରୀତରେ ଯାଇ ଦର୍ଶାଇଥାଏ କିଭଳି ବେଙ୍ଗାଲୁରୁରେ କାର୍ଯ୍ୟ କରୁଥିବା ଜଣେ ପ୍ରବାସୀ ଶ୍ରମିକ ଏକ ଅପରାଧରେ ଅଭିଯୁକ୍ତ ହୋଇ ୨୦୧୪ ମସିହାରେ ଜାମିନ ପାଇଥିବା ସତ୍ତ୍ବେ ଖଲାସ ଲାଗି ଥିବା ସର୍ତ୍ତଗୁଡ଼ିକ ପୂରଣ କରି ନ ପାରି ୨୦୧୮ ମସିହା ଯାଏଁ ଜେଲ୍‌ରୁ ମୁକୁଳି ପାରି ନ ଥିଲେ। ଜଣେ ପ୍ରବାସୀ ଶ୍ରମିକ ହୋଇଥିବାରୁ ସେ କାର୍ଯ୍ୟ କରୁଥିବା ରାଜ୍ୟରେ ତାଙ୍କର ଆର୍ଥିକ ଓ ସମାଜିକ ପୁଞ୍ଜି ନ ଥିଲା; ଯେଉଁ କାରଣରୁ ଅଦାଲତ ଚାହିଁଥିବା ଭଳି ସ୍ଥାନୀୟ ଜାମିନଦାର ଯୋଗାଡ଼ କରିବା ବା ଆବଶ୍ୟକ ଅର୍ଥର ବ୍ୟବସ୍ଥା କରିବା ଭଳି ସର୍ତ୍ତ ପୂରଣ କରିବାରେ ସେ ବିଫଳ ହୋଇଥିଲେ। ଏଭଳି ଅସ˚ଖ୍ୟ ଉଦାହରଣମାନ ଭାରତର ବିଭିନ୍ନ ଜେଲ୍‌ରେ ରହିଛନ୍ତି, ଯେଉଁମାନେ ଏକ ଅର୍ଣ୍ଣବସୁଲଭ ବ୍ୟବହାର ଆଶା କରନ୍ତି।

ସମାଜର ଦୁର୍ବଳ ବର୍ଗ କିଭଳି ନ୍ୟାୟ ପାଇବାରୁ ବ˚ଚିତ ହୁଅନ୍ତି ତାର ଆଲୋଚନା ବେଳେ ୨୦୦୩, ଜାନୁଆରି ୨୨ରେ ଫୁଲବାଣୀ ଜେଲ୍‌ରୁ ଖଲାସ ହୋଇଥିବା ପ୍ରତାପ ନାଏକଙ୍କ ବିଷୟ ସ୍ମରଣକୁ ଆସିଥାଏ, ଯିଏ ୧୯୯୦ ମସିହାରେ ଫୁଲବାଣୀ ସେସନ୍‌ସ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହେବା ପରେ ୧୯୯୪ ମସିହାରେ ହାଇକୋର୍ଟଙ୍କ ଦ୍ବାରା ନିର୍ଦୋଷ ବୋଲି ପ୍ରମାଣିତ ହୋଇଥିଲେ। ତେବେ, ବିଡ଼ମ୍ବନା ହେଲା, ଉଚ୍ଚ ଅଦାଲତଙ୍କ ଏହି ଆଦେଶ ସେସନ୍‌ସ କୋର୍ଟରେ ପହଞ୍ଚି ତାଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇ ପ୍ରତାପଙ୍କୁ ଫୁଲବାଣୀ ଜେଲ୍‌ରୁ ମୁକ୍ତ କରିବାରେ ବିତିଯାଇଥିଲା ଆହୁରି ଦୀର୍ଘ ଆଠ ବର୍ଷ। ସୁତରା˚, ଏହା ଯେଉଁ ଦୁଇଟି କଥା ଦର୍ଶାଇଥାଏ, ତାହା ହେଲା ଜଣେ ନିର୍ଦୋଷ ତାଙ୍କ ଜୀବନର ୧୩ ବର୍ଷ ଅକାରଣେ ବନ୍ଦୀର ଜୀବନ କାଟିଲେ ଏବ˚ ଦ୍ବିତୀୟ କଥା ହେଲା ବିଚାର ବିଭାଗୀୟ ପ୍ରଶାସନର ଅବହେଳା କାରଣରୁ ଅଦାଲତୀ ରାୟ ବଳରେ ଖଲାସ ହୋଇଥିବା ଜଣେ ବ୍ୟକ୍ତି ଆହୁରି ଆଠ ବର୍ଷ ପରେ ଯାଇ ମୁକ୍ତିର ଆଲୋକ ଦେଖିଲେ। ଦୁର୍ବଳ ବର୍ଗର ଜଣେ ବ୍ୟକ୍ତି କିଭଳି ନ୍ୟାୟ ପାଇବାରୁ ବଞ୍ଚିତ ହୋଇପାରନ୍ତି ଏହା ତାର ଏକ ଶାସ୍ତ୍ରୀୟ ଉଦାହରଣ ନୁହେଁ କି? କେବଳ ନ୍ୟାୟପାଳିକା ନୁହେଁ, ନ୍ୟାୟ ପ୍ରଦାନକୁ ସମ୍ଭବ କରିବା ଲାଗି ନିୟୋଜିତ ପୁଲିସ ପ୍ରଶାସନ ମଧୢ ଅଧିକା˚ଶ ସ୍ଥଳେ ଏହି ଦୁର୍ବଳ ବର୍ଗଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିଥାଏ, ଯାହା ତଦନ୍ତରେ ଅଯଥା ବିଳମ୍ବ ବା ପ୍ରଭାବଶୂନ୍ୟ ଚାର୍ଜସିଟ୍‌ ପ୍ରସ୍ତୁତି ଆଦିରେ ପରିଦୃଶ୍ୟ ହୋଇ ସେମାନଙ୍କ ଲାଗି ନ୍ୟାୟ ପ୍ରାପ୍ତିକୁ ଆକାଶ କଇଆଁ ସଦୃଶ ଦୂରବର୍ତ୍ତୀ କରିପକାଏ। ଗତ କାଲି ଏହି ସମ୍ବାଦପତ୍ରରେ ପ୍ରକାଶିତ ଏକ ସମ୍ବାଦରେ ଏକ ଗଣ-ଦୁଷ୍କର୍ମ ମାମଲାରେ ପୁଲିସ ତଦନ୍ତର ଶିଥିଳତାକୁ ନେଇ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଭର୍ତ୍ସନାର କାରଣ ହେଉଛି ଉପରେ ବର୍ଣ୍ଣିତ ହୋଇଥିବା ଭଳି ପୁଲିସର ଅବହେଳାପୂର୍ଣ୍ଣ ଆଭିମୁଖ୍ୟ।

ଏହି ସ˚ଦର୍ଭରେ ପରିଶେଷରେ କୁହାଯାଇପାରେ ଯେ ଯଦି ଅର୍ଣ୍ଣବ ଲାଭ କରିଥିବା ନ୍ୟାୟର କ୍ଷିପ୍ରତା ଏକ ବ୍ୟତିକ୍ରମ ମାତ୍ର ନ ହୋଇ ନିୟମରେ ପରିଣତ ହୁଅନ୍ତା, ତେବେ ତାହା ଦୁର୍ବଳ ବର୍ଗର ଅସ˚ଖ୍ୟ ବ୍ୟକ୍ତିିଙ୍କୁ ନ୍ୟାୟ ଲାଭ ମାମଲାରେ ଭାଗ୍ୟାଶ୍ରୟୀ ହେବାରୁ ନିବୃତ୍ତ କରନ୍ତା।

ସମ୍ବନ୍ଧିତ ଖବର