ଲକ୍‌ ଅପ୍‌

୨୦୦୬ ମସିହାରେ ଏମ୍‌. ଚନ୍ଦ୍ରକୁମାର ନାମକ ଜଣେ ଅଟୋ ରିକ୍‌ସା ଚାଳକ ତାଙ୍କ ସ୍ମୃତି ସମ୍ବଳିତ ଏକ ପୁସ୍ତକ ପ୍ରକାଶ କଲେ, ଯାହାର ନାମ ଥିଲା ‘ଲକ୍‌ ଅପ୍‌’। ତାମିଲନାଡୁର ଏହି ଯୁବକ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଠାରେ ଏକ ହୋଟେଲରେ କାମ କରୁଥିବା ସମୟରେ ୧୯୮୩ ମସିହା ମାର୍ଚ୍ଚ ମାସରେ ହଠାତ୍‌ ଦିନେ ପୁଲିସ ଦ୍ବାରା ଟେକି ନିଆଗଲେ। ତା’ ପରେ କୌଣସି ଏକ ରହସ୍ୟମୟ ଚୋରି ମାମଲାରେ ଆପଣା ଦୋଷ ସ୍ବୀକାର କରିବା ଲାଗି ଚନ୍ଦ୍ରକୁମାର ଏବ˚ ଆଉ ଚାରି ଜଣ ଅପରିଚିତ ପ୍ରବାସୀ ଶ୍ରମିକଙ୍କ ଉପରେ ପୁଲିସ ଦ୍ବାରା ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ଦୀର୍ଘ ୧୫ ଦିନର ଓ ପ୍ରତ୍ୟହ ୫ରୁ ୬ ଘଣ୍ଟାର ଅମାନୁଷିକ ଯାତନା ପରେ ବାଧୢ ହୋଇ ସେମାନେ ଏକ ଅଜ୍ଞାତ ଅପରାଧ ଲାଗି ଦୋଷ ସ୍ବୀକାର କରିଥିଲେ। ସ୍ବଳ୍ପ ଶିକ୍ଷିତ ଚନ୍ଦ୍ରକୁମାରଙ୍କ ଦ୍ବାରା ଏହି ଅତ୍ୟନ୍ତ କରୁଣ ଓ ମର୍ମଭେଦୀ ଅନୁଭୂତି ‘ଲକ୍‌-ଅପ୍‌’ ପୁସ୍ତକରେ ଲିପିବଦ୍ଧ ହୋଇଛି। ଏହି ପୁସ୍ତକକୁ ଆଧାର କରି ଏକ ଅତ୍ୟନ୍ତ ବଳିଷ୍ଠ ତାମିଲ ବୃତ୍ତଚିତ୍ରର ନିର୍ମାଣ କରାଯାଇଛି, ଯାହାର ନାମ ‘ବିଶରାନାଇ’ ଅର୍ଥାତ୍‌ ‘ପଚରାଉଚୁରା’ (୨୦୧୭ରେ ଓସ୍କାର ପୁରସ୍କାର ଲାଗି ଭାରତର ଏଣ୍ଟ୍ରି ଭାବେ ମନୋନୀତ ହୋଇଥିଲା)। ତାଙ୍କର ସେହି ଅନୁଭୂତିକୁ ସ୍ମରଣ କରି ଚନ୍ଦ୍ରକୁମାର ଠାଏ କହିଥିଲେ ଯେ ଦୀର୍ଘ ଦୁଇ ସପ୍ତାହର ଅକଥନୀୟ ଅତ୍ୟାଚାର ଯାହା ସେମାନଙ୍କୁ ଶାରୀରିକ ଭାବେ ଛାଡ଼ି ଦେଇଥିଲା ସିନା, ହେଲେ ସେମାନଙ୍କ ଆତ୍ମିକ ମୃତ୍ୟୁ ଘଟାଇ ମିଛରେ ଦୋଷ ସ୍ବୀକାର କରିବାକୁ ବାଧୢ କରିଥିଲା। ଏବ˚ ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା ଏହା ପରେ ଆଶ୍ବସ୍ତ ପୁଲିସ ପକ୍ଷରୁ ସେମାନଙ୍କୁ ଘିଅ ମଖା ପରଟା ପରଶା ଯାଇ ଅାପ୍ୟାୟିତ କରାଯାଇଥିଲା। ଏଠାରେ ‘ଲକ୍‌ ଅପ୍‌’ ପୁସ୍ତକ ପ୍ରସଙ୍ଗ ସ୍ମରଣକୁ ଆସିବାର କାରଣ ହେଉଛି ଗଲା ଗୁରୁବାର ଦିନ ଆମ ରାଜ୍ୟରେ ସ˚ଘଟିତ ହୋଇଥିବା ଦୁଇଟି (ପୁରୀ ଓ ବୀରମିତ୍ରପୁର) ହାଜତ ମୃତ୍ୟୁ ଘଟଣା ଯହିଁରେ ପୁଲିସ ଅଭିଯୁକ୍ତମାନଙ୍କୁ ନିର୍ମମ ଯାତନା ଦେଇ ମାରି ଦେଇଥିବା କଥା ସେମାନଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। କହିବା ବାହୁଲ୍ୟ ଯେ ଏଭଳି ଏକ ସମ୍ବେଦନଶୀଳ ବିଷୟ ଏକ ସ˚କ୍ଷିପ୍ତ ଆଲୋଚନାର ଅବକାଶ ରଖିଥାଏ।

‘ନେସନାଲ କ୍ୟା˚ପେନ୍‌ ଏଗେନ୍‌ଷ୍ଟ ଟର୍ଚର’ ବା ‘ଏନ୍‌ସିଏଟି’ ଦ୍ବାରା ୨୦୧୯ରେ ପ୍ରକାଶିତ ‘ଆନୁଆଲ୍‌ ରିପୋର୍ଟ ଅନ୍‌ ଟର୍ଚର’(ନିର୍ଯାତନାର ବାର୍ଷିକ ବିବରଣୀ)ରୁ ପ୍ରାପ୍ତ ତଥ୍ୟ ଅନୁସାରେ ଗଲା ବର୍ଷ ଅର୍ଥାତ୍‌ ୨୦୧୯ରେ ଆମ ଦେଶରେ ହାଜତ ମୃତ୍ୟୁ ସ˚ଖ୍ୟା (ବିଚାର ବିଭାଗୀୟ ଓ ପୁଲିସ ଥାନା ହାଜତ) ଥିଲା ୧୭୩୧ ଅର୍ଥାତ୍‌ ଦୈନିକ ପ୍ରାୟ ପାଞ୍ଚ ଜଣ; ଯାହା ମଧୢରୁ ପୁଲିସ ହାଜତରେ ମୃତ୍ୟୁବରଣ କରିଥିଲେ ୧୨୫ ଜଣ ଅଭିଯୁକ୍ତ। ଏହି ରିପୋର୍ଟ ଅନୁସାରେ ୭ଟି ଥାନା ହାଜତ ମୃତ୍ୟୁ ଘଟଣା ସହିତ ଓଡ଼ିଶା ଥିଲା ରାଜ୍ୟ ତାଲିକାର ସପ୍ତମ ସ୍ଥାନରେ। ଏହି ୧୨୫ଟି ଭିତରୁ ଅନ୍ତତଃ ୯୩ଟି ମୃତ୍ୟୁ ପୁଲିସ ନିର୍ଯାତନା ଦ୍ବାରା ହୋଇଥିବା ସ୍ପଷ୍ଟ ଏବ˚ ୧୬ଟି ଘଟିଥିଲା ସନ୍ଦେହାସ୍ପଦ ଅବସ୍ଥାରେ। କହିବା ଅନାବଶ୍ୟକ ଯେ ‘ସତ ବାନ୍ତି କରାଇବା’ ଲାଗି ତଦନ୍ତକାଳୀନ ପଚରାଉଚୁରା ନାମରେ ଅନୁସୃତ ପଦ୍ଧତିରେ ଯେଉଁ ସବୁ ଅକଳ୍ପନୀୟ ଭାବେ କ୍ରୂର ଉପାୟର ଆଶ୍ରୟ ନିଆଯାଇଥିଲା, ତା’ ମଧୢରେ ଥିଲା ଶରୀର ଭିତରକୁ ହାତୁଡ଼ି ଦ୍ବାରା କଣ୍ଟା ପିଟାଯିବା (ବିହାରର ଗୁଲାମ ଆଲାମ ଓ ତସଲିମ ଆନସାରି), ଗୋଡ଼କୁ ନିଆଁରେ ପୋଡ଼ିବା (ଜାମ୍ମୁ କାଶ୍ମୀରର ରିଜଵାନ ଆସାଦ ପଣ୍ତିତ), ତଳିପାକୁ ପିଟି ପିଟି ଫଟାଇ ଦେବା (କେରଳର ରାଜକୁମାର) ଇତ୍ୟାଦି ଭଳି କିଛି। ‘ଏନ୍‌ସିଏଟି’ର ଏହି ରିପୋର୍ଟରୁ ଆହୁରି ମଧୢ ଜଣାପଡ଼ିଥାଏ ଯେ ଏହି ୧୨୫ ଜଣଙ୍କ ମଧୢରୁ ୭୫% ହେଉଛନ୍ତି ସମାଜର ନିମ୍ନ ଓ ସୀମାନ୍ତରିତ ବର୍ଗର। ସୁତରା˚, ଭାରତ ଭଳି ରାଷ୍ଟ୍ର ଯହିଁରେ ଏହି ବର୍ଗ ସ˚ଖ୍ୟାବହୁଳ, ପୁଲିସ ଲାଗି ଶିକାର ଖୋଜିବା ଯେ ବିଶେଷ କଷ୍ଟସାଧୢ ହୋଇ ନ ଥାଏ, ତାହା କହିବା ବାହୁଲ୍ୟ ମାତ୍ର।

ଏଥିରେ ଦ୍ବିରୁକ୍ତି ନାହିଁ ଯେ ସ˚ପ୍ରତି ପୁଲିସ ଓ ସାଧାରଣ ନାଗରିକଙ୍କ ମଧୢରେ ଅତ୍ୟନ୍ତ ଗୁରୁତର ବିଶ୍ବାସହାନି ପରିଲକ୍ଷିତ ହେଉଛି। ପୁଲିସ ଦ୍ବାରା ଏଫ୍‌ଆଇଆର ଗ୍ରହଣ କରା ନ ଯିବା, ତଦନ୍ତ ପ୍ରକ୍ରିୟାରେ ଅକାରଣ ବିଳମ୍ବ ଘଟାଇବା, ବିନା କୌଣସି କାରଣରେ ସାଧାରଣ ଲୋକଙ୍କୁ ଭୟ ପ୍ରଦର୍ଶନ କରିବା ବା ତଦନ୍ତ କାଳରେ ଯାତନା ପ୍ରଦାନ କରିବା, ଦୁର୍ନୀତିର ଆଶ୍ରୟ ନେବା ଇତ୍ୟାଦି ଭଳି କାରଣରୁ ଏହି ବିଶ୍ବାସ-ହାନିର ସୃଷ୍ଟି। ତେଣୁ ଏକ ବିଡ଼ମ୍ବନା ସ୍ବରୂପ ପୁଲିସର ଉପସ୍ଥିତି ସାଧାରଣ ନାଗରିକମାନଙ୍କ ମନରେ ଏକ ସୁରକ୍ଷା-ପ୍ରଦାନକାରୀ ଠାରୁ ଆଶା କରାଯାଉଥିବା ଭଳି ଆଶ୍ବସ୍ତି ସୃଷ୍ଟି କରିବା ପରିବର୍ତ୍ତେ ଭୟ ଓ ଆଶଙ୍କା ଜାତ କରୁଛି। ଏହି ପରିପ୍ରେକ୍ଷୀରେ ପୁରୀ ଏବ˚ ବୀରମିତ୍ରପୁରରେ ଘଟିଥିବା ଘଟଣାରେ ପୁଲିସର ଆଚରଣ ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କରାଯାଇପାରେ। ଏହି ଦୁଇ ଭିନ୍ନ ଭିନ୍ନ ଘଟଣାରେ ଅଭିଯୁକ୍ତ ଦ୍ବୟଙ୍କୁ ଉଠାଇ ନିଆଯିବା ବେଳେ ସେମାନଙ୍କ ପରିବାରର ଲୋକଙ୍କୁ ଏ ନେଇ କୌଣସି କାରଣ ପ୍ରଦାନ କରାଯାଇ ନ ଥିଲା। ପୁରୀ ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ଶରୀରକୁ ପରିବାରକୁ ହସ୍ତାନ୍ତର ନ କରି ଦାହ କରି ଦିଆଯାଇଥିଲା ବୋଲି ମଧୢ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ତାଙ୍କ ଫଟୋରେ ଶରୀର ଉପରେ ରହିଥିବା ମାଡ଼ର ଚିହ୍ନ ସ୍ପଷ୍ଟ, ଯାହାକୁ ପୁଲିସ ସହିତ ଧସ୍ତାଧସ୍ତି ହେବାର ପରିଣାମ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଏଭଳି ଘଟଣାରେ ପୁଲିସ ଦ୍ବାରା ପ୍ରଦାନ କରାଯାଉଥିବା ବକ୍ତବ୍ୟ ପ୍ରାୟତଃ ଚର୍ବିତଚର୍ବଣ। ଏବ˚ ହତାଶାର ବିଷୟ ଯେ ଅନ୍ତତଃ ବିଶ୍ବାସଯୋଗ୍ୟ ହେବା ଭଳି କିଛି ନୂତନ କାହାଣୀ ଉଦ୍ଭାବନ କରିବାରେ ମଧୢ ପୁଲିସ ସା˚ଘାତିକ ଭାବେ ବିଫଳ ହେବାରେ ଲାଗିଛି। କହିବାରେ ଦ୍ବିଧା ନାହିଁ ଯେ ଏ ଘଟଣାର ବିଭାଗୀୟ ତଦନ୍ତ ହେବା ସହିତ ସ˚ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ ସାମୟିକ କାର୍ଯ୍ୟାନୁଷ୍ଠାନ କରାଯିବ। ଏହାର ବିଚାର ପ୍ରକ୍ରିୟା ଅଦାଲତରେ ମଧୢ ଚାଲିବ। କିନ୍ତୁ ଏ ସ˚ଦର୍ଭରେ ଯାହା ଅନୁମାନସାପେକ୍ଷ ତାହା ହେଲା ଏହା ଅଚିରେ ଜନସ୍ମୃତିରୁ ଅପସରି ଯିବ; ଅଧିକା˚ଶ କ୍ଷେତ୍ରରେ ଅଭିଯୁକ୍ତ ଅଧିକାରୀମାନେ ନିର୍ଦୋଷ ବୋଲି ପ୍ରମାଣିତ ହେବେ; ଅଥବା ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ରାୟ ଲାଗି ହୁଏତ ଆହୁରି ବତିଶ ବର୍ଷ (!) ପ୍ରତୀକ୍ଷା କରିବାକୁ ପଡ଼ିପାରେ, ଯେମିତି ୩୨ ବର୍ଷ ପୂର୍ବେ ଘଟିଥିବା ଏକ ହାଜତ ମୃତ୍ୟୁ ମାମଲାରେ ଦୁଇ ଜଣ ପୁଲିସ ଅଧିକାରୀଙ୍କ କାରାଦଣ୍ତାଦେଶ ମାତ୍ର ସପ୍ତାହକ ତଳେ ଆସିଛି, ଯେତିକି ବେଳେ ଉଭୟ ଦୋଷୀ ଅଧିକାରୀ ଯଥାକ୍ରମେ ୭୫ ଓ ୭୬ ବର୍ଷ ବୟସର ଉତ୍ତୀର୍ଣ୍ଣ ବାର୍ଦ୍ଧକ୍ୟରେ ବିଦ୍ୟମାନ।

ନିକଟରେ ପୁଲିସ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନିଜର ବକ୍ତବ୍ୟ ପ୍ରଦାନ କରି ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ମଦନ ଲକୁର ଯେଉଁ କାରଣରୁ ଦୁଃଖ ପ୍ରକାଶ କରିଥିଲେ ତାହା ହେଲା ୨୦୦୬ ମସିହାରେ ‘ପୁଲିସ ସ˚ସ୍କାର’ ଲାଗି ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଆଦେଶ ସତ୍ତ୍ବେ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନ ପାରିବା। ଏହି ଭାଷଣ ପ୍ରଦାନ କାଳରେ ଜଷ୍ଟିସ ଲକୁର କେବଳ ରାଜଧାନୀ ଦିଲ୍ଲୀର ଦୃଷ୍ଟାନ୍ତ ଦେଇ କହିଥିଲେ ଯେ ସେଠାରେ ଏବେ ପ୍ରତ୍ୟେକ ଥାନା ପିଛା ରହିଛି ୧୫୦୦ରୁ ଅଧିକ ମାମଲା ଏବ˚ ପ୍ରତି ଦିନ ତହିଁରେ ନୂଆ ମାମଲାମାନ ଯୋଡ଼ି ହେବାରେ ଲାଗିଛନ୍ତି। ନିଜ ନିଜ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଲାଗି ପୁଲିସ ଉପରେ ପଡୁଥିବା ମାତ୍ରାଧିକ ଚାପ ହିଁ ଏଫଆଇଆର ଗ୍ରହଣ ନ କରିବା ବା କୌଣସି କେସ୍‌ (ମୁଖ୍ୟତଃ ହାଇ-ପ୍ରୋଫାଇଲ୍‌ ମାମଲା)ର ତୁରନ୍ତ ସମାଧାନ ଲାଗି ସହଜ ଶିକାର ଭାବେ ସମାଜର ନିମ୍ନ ତଥା ସୀମାନ୍ତରିତ ବର୍ଗର ଲୋକଙ୍କୁ ଉଠାଇ ନେଇ ଅକଥନୀୟ ଯାତନା ଦ୍ବାରା ସେମାନଙ୍କ ଠାରୁ ଦୋଷ ସ୍ବୀକାର କରାଇନେବା ଭଳି ଘଟଣାମାନ ଘଟିବାରେ ଲାଗିଛି। କେବଳ ସେତିକି ନୁହେଁ ଅନେକ ସମୟରେ ଶାସକ ଦଳର ନେତାମାନଙ୍କ ଦ୍ବାରା ପୁଲିସ କ୍ଷମତାର ବ୍ୟାପକ ଦୁରୁପଯୋଗ କରାଯାଇ ରାଜନୈତିକ ପ୍ରତିଶୋଧ ନେବା ବା ଦାଉ ସାଧିବା ଭଳି କାର୍ଯ୍ୟମାନ ମଧୢ କରାଯାଉଛି। ଏ ସବୁ କାରଣରୁ ପୁଲିସର ଭାବମୂର୍ତ୍ତି କ୍ଷୁଣ୍ଣ ହେବା ସହିତ ସାଧାରଣ ନାଗରିକମାନଙ୍କ ଠାରୁ ପୁଲିସ ଦୂରେଇ ଯିବାରେ ଲାଗିଛି।

‘ଲକ-ଅପ୍‌’ ପୁସ୍ତକରେ ବର୍ଣ୍ଣିତ ଥିବା ଭଳି ନିର୍ଯାତନା ବଳରେ ମିଛକୁ ସତ୍ୟ ବୋଲି ସାବ୍ୟସ୍ତ କରି ସାରିବା ପରେ ଆଶ୍ବସ୍ତ ଗୁଣ୍ଟୁର ପୁଲିସ ପୀଡ଼ିତମାନଙ୍କୁ ଘିଅ ମଖା ପରଟା ଖୁଆଇଥିବା ଘଟଣାରୁ ଆଭାସ ମିଳିଥାଏ ଯେ ମାମଲା ସମାଧାନ କରିବା ଲାଗି ପୁଲିସ କେଉଁଭଳି ଚାପ ଦ୍ବାରା ଜର୍ଜରିତ। ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ଯଦି ଆମ ପାଖରେ ଏକ ଚାପମୁକ୍ତ, ବନ୍ଧୁଭାବାପନ୍ନ ଓ ସାହାଯ୍ୟକାରୀ ପୁଲିସର ଆବିର୍ଭାବ କେବେ ସମ୍ଭବ ହୁଏ, ତେବେ ତାହା କେବଳ ଏକ ବୃହତ୍‌ ପୁଲିସ ସ˚ସ୍କାର ବଳରେ ହିଁ ସ˚ପନ୍ନ ହେବ; କୌଣସି ପ୍ରସାଧନିକ ପରିବର୍ତ୍ତନ ତାହା କରିପାରିବ ନାହିଁ।

ସମ୍ବନ୍ଧିତ ଖବର