କ୍ୟାଚ୍‌ ୨୨

ଏକ କ୍ଷୁଦ୍ର ଅଥଚ କୌତୂହଳପ୍ରଦ ଗପରୁ ସ˚ପାଦକୀୟ ପ୍ରସଙ୍ଗର ଆଲୋଚନା ପ୍ରାରମ୍ଭ କରାଯାଉ। ‘ଥରେ ସକାଳେ ଭିକାରିଟିଏ ଭିକ ମାଗୁଥିବା ଶୁଣି ଘର ଭିତରୁ ବୋହୂ ବାହାରି ଆସି କହିଲେ- ତୁମେ ଯାଅ; ଆଜି ଘରେ ଚାଉଳ ନାହିଁ। ଏ କଥା ଘର ଭିତରୁ ଶୁଣି ପାରି ଶାଶୂ ବାହାରକୁ ଆସି ଖଣ୍ତେ ଦୂର ଚାଲିଯାଇଥିବା ଭିକାରିକୁ ଵାପସ୍‌ ଡାକି କହିଲେ- ଘରେ ଚାଉଳ ନାହିଁ ବୋଲି କହିବାକୁ ସେ କିଏ? ମୁଁ କହୁଛି ଘରେ ଚାଉଳ ନାହିଁ, ତୁମେ ଯାଅ।’ ଏହି ଗଳ୍ପ ଆଧାରରେ ଯଦି ପ୍ରଶ୍ନ କରାଯାଏ ଯେ ଭାରତର କେଉଁ ଏକ ରାଜନୈତିକ ଦଳର ସାଦୃଶ୍ୟ ଏଭଳି ଏକ ପରିବାର ସହିତ ଦିଶିଯାଏ, ତେବେ ଅନେକ ତା’ର ଉତ୍ତରରେ ‘ଭାରତୀୟ ଜାତୀୟ କ˚ଗ୍ରେସ’ ବୋଲି କହିପାରନ୍ତି; ଯାହା ଠିକ୍‌। ତେବେ ଏହା ପରେ ଆଉ ଏକ ପ୍ରଶ୍ନ ମଧୢ ଉଠିପାରେ ଯେ ବର୍ତ୍ତମାନ ଯେତେବେଳେ ଅନେକ ରାଜନୈତିକ ଦଳ ଜଣେ ଜଣେ ନେତା ବା ତାଙ୍କ ପରିବାରରର ଏକକ କର୍ତ୍ତୃୃତ୍ବାଧୀନ, ସେତିକି ବେଳେ ଉପରୋକ୍ତ ଗଳ୍ପ ଛଳରେ କରାଯାଇଥିବା ପ୍ରଶ୍ନର ଉତ୍ତର ‘କ˚ଗ୍ରେସ’ ବୋଲି ଆସିଲା କାହିଁକି? କେଉଁ କାରଣରୁ କ˚ଗ୍ରେସ ଦଳ ବ˚ଶବାଦ ରାଜନୀତିର ଏକ ମେଟାଫରରେ ପରିଣତ ହୋଇଛି? ଏହାର ଉତ୍ତର ସହଜ; କାରଣ ଏହି ସର୍ବପୁରାତନ ଜାତୀୟ ଦଳକୁ ଏକ ପରିବାରର କର୍ତ୍ତୃତ୍ବାଧୀନ କରି ରଖିବା ସକାଶେ ଦୀର୍ଘ କାଳ ଧରି ଯେଉଁଭଳି ଅଭିସନ୍ଧି ଓ ବିଧିବଦ୍ଧ ଉଦ୍ୟମ ପରିଲକ୍ଷିତ ହୋଇଛି, ତାହାର ସମକକ୍ଷ ଉଦାହରଣ ଅନ୍ୟାନ୍ୟ ଦଳରେ ଦେଖିବାକୁ ମିଳି ନ ଥାଏ।

ସେହି ପରିପ୍ରେକ୍ଷୀରେ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସଦ୍ୟ ପ୍ରକାଶିତ ଆତ୍ମଚରିତ ‘ଏ ପ୍ରମିଜ୍‌ଡ ଲ୍ୟାଣ୍ତ୍‌’(ଏକ ପ୍ରତିଶ୍ରୁତ ରାଜ୍ୟ)ରେ ଏ ନେଇ ରହିଥିବା ଇଙ୍ଗିତ ଏକ ବ୍ୟାପକ ଚର୍ଚ୍ଚାକୁ ଜନ୍ମ ଦେଇଛି। କେବଳ ସେତିକି ନୁହେଁ, ନିକଟରେ ସମାପ୍ତ ବିହାର ନିର୍ବାଚନରେ କ˚ଗ୍ରେସର ଅତ୍ୟନ୍ତ ହତାଶାଜନକ ପ୍ରଦର୍ଶନ ପରେ ଏକଦା ସର୍ବାଧିକ ସଫଳ ଦଳ ଭାବେ ପରିଚିତ କ˚ଗ୍ରେସର ‘ଅସ୍ତିତ୍ବ ସ˚କଟ’ ନେଇ ମଧୢ ଯେଉଁ ଆଶଙ୍କା ପ୍ରକାଶ ପାଉଛି, ତହିଁରେ ଏହି ବ˚ଶବାଦ ରାଜନୀତିକୁ ତାର କାରଣ ବୋଲି ଚିହ୍ନଟ କରାଯାଉଛି। ୨୦୧୪ ମସିହା ଠାରୁ ବର୍ତ୍ତମାନ ମଧୢରେ ହୋଇଥିବା ଦୁଇଟି ଜାତୀୟ ନିର୍ବାଚନରେ ରାଷ୍ଟ୍ର କେବଳ ବିଜେପିର ଉତ୍‌ଥାନ ଦେଖିନାହିଁ, ଏହା କ˚ଗ୍ରେସର ‘ଫ୍ରି ଫଲ୍‌’ ବା ‘ଅବାଧ ପତନ’ର ସାକ୍ଷୀ ମଧୢ ହୋଇଛି। ଯଦିଓ ଏହି ସମୟ ଖଣ୍ତ ଭିତରେ ମଧୢପ୍ରଦେଶ ଓ ରାଜସ୍ଥାନ ରାଜ୍ୟ ନିର୍ବାଚନରେ କ˚ଗ୍ରେସ ବିଜୟୀ ହୋଇଛି ଏବ˚ ଗୁଜରାଟରେ ପରାଜିତ ହେବା ସତ୍ତ୍ବେ ବିଜେପିକୁ ଅତ୍ୟନ୍ତ ତୀବ୍ର ସ˚ଘର୍ଷରେ ଉପନୀତ କରାଇଛି, ତଥାପି ଦଳର ସାମଗ୍ରିକ ବିଫଳତା ସମ୍ମୁଖରେ ଏ ସବୁ ନିଷ୍ପ୍ରଭ ହୋଇଯାଇଛି। ସୁତରା˚, ଏକ ହୀନବଳ ଓ ନିସ୍ପୃହ କ˚ଗ୍ରେସରେ ଶକ୍ତି ସ˚ଚାର କରିବା ଲାଗି ଏକ ଦୃଢ଼ ନେତୃତ୍ବର ଆବଶ୍ୟକତା ବୋଲି ଦଳ ଭିତରେ ଏବ˚ ବାହାରେ ଯେଉଁ ସ୍ବର ଉଠୁଛି ତାହା ଏହି ସୂଚନା ମଧ୍ୟ ପ୍ରଦାନ କରିଥାଏ ଯେ ଏହି ନେତୃତ୍ବ ପ୍ରଦାନ କରିବାର ସାମର୍ଥ୍ୟ ହୁଏ’ତ ଗାନ୍ଧୀ ପରିବାର ଠାରେ ନାହିଁ; କାରଣ ଗାନ୍ଧୀ ପରିବାର ଭାରତୀୟ ଭୋଟରମାନଙ୍କ ଦ୍ବାରା ଗ୍ରହଣୀୟତା ଦ୍ରୁତ ଗତିରେ ହରାଇବାରେ ଲାଗିଛି। ନିକଟରେ ୨୩ ଜଣ ବରିଷ୍ଠ କ˚ଗ୍ରେସ ନେତାଙ୍କ ଦ୍ବାରା କ˚ଗ୍ରେସ କାର୍ଯ୍ୟକାରିଣୀକୁ ଲିଖିତ ପତ୍ରରେ ହେଉ ବା ବରିଷ୍ଠ କ˚ଗ୍ରେସ ନେତା ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କପିଳ ଶିବଲ ବା ପି ଚିଦମ୍ବରମଙ୍କ ଗଣମାଧୢମ ସାକ୍ଷାତକାରରେ ହେଉ; ଏଭଳି ମତର ପ୍ରାଧାନ୍ୟ ପ୍ରତିଫଳିତ ହୋଇଛି। ସେମାନଙ୍କ ମତରେ ଦଳର ଜାତୀୟ କାର୍ଯ୍ୟକାରିଣୀରୁ ଆରମ୍ଭ କରି ଜିଲ୍ଲା ଓ ବ୍ଲକ୍‌ ସ୍ତର ପର୍ଯ୍ୟନ୍ତ ଏକ ଗଣତାନ୍ତ୍ରିକ ପଦ୍ଧତିରେ ନେତା ନିର୍ବାଚନ କରାଗଲେ, ତାହା ଦଳକୁ ଦୃଢ଼ ନେତୃତ୍ବ ଦେବା ସହିତ ତୃଣମୂଳ ସ୍ତରରେ ଦଳୀୟ କର୍ମୀଙ୍କ ମଧୢରେ ଏକ ଜାଗରଣ ସମ୍ଭବ କରିପାରିବ। ସେମାନଙ୍କ ମତରେ କ˚ଗ୍ରେସ ଭଳି ଏକ ବିଶାଳ ଦଳ ଏକ ଅନାଗ୍ରହୀ ନେତୃତ୍ବ ଅଧୀନରେ କାର୍ଯ୍ୟ କରିବା (ରାହୁଳ ଗାନ୍ଧୀ ନେତୃତ୍ବ ନେବା ଲାଗି ଅନିଚ୍ଛା ପ୍ରକଟ କରିବା ସତ୍ତ୍ବେ ନେତୃତ୍ବରେ ରହିବା) ଦଳ ଲାଗି ହିତକର ନୁହେଁ।

ସ୍ବାଧୀନତା ପରବର୍ତ୍ତୀ କାଳରେ ନେହରୁ-ଗାନ୍ଧୀ ପରିବାରର ପାଞ୍ଚ ଜଣ ସଦସ୍ୟ କ˚ଗ୍ରେସ ଦଳର ନେତୃତ୍ବ ନେଇଥିଲେ ସୁଦ୍ଧା ସୋନିଅା ଗାନ୍ଧୀ ଓ ରାହୁଳ ଗାନ୍ଧୀଙ୍କ କର୍ତ୍ତୃତ୍ବରେ ଏହା ୨୨ ବର୍ଷ ରହି ଏକ ରେକର୍ଡ ସୃଷ୍ଟି କରିଛି। ଅନେକ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଦଳକୁ ଏକ ପାରିବାରିକ କ˚ପାନି ରୂପେ ଗଢ଼ି ତୋଳିବାର ପ୍ରୟାସରେ ନୂତନ ନେତୃତ୍ବକୁ ମୁଣ୍ତ ଟେକିବାର ସୁଯୋଗ ଦିଆଯାଇନାହିଁ। ସେମାନେ ଏହା ମଧୢ ଅଭିଯୋଗ କରନ୍ତି ଯେ କ˚ଗ୍ରେସର ଏକ ମାତ୍ର ସଂପଦ ରୂପେ ପ୍ରଦର୍ଶିତ ହେଉଥିବା ରାହୁଳ ଗାନ୍ଧୀ ଜଣେ ପରିପକ୍ବ ନେତା ହେବା ପରିବର୍ତ୍ତେ ଜଣେ ରାଜନୈତିକ ଶିକ୍ଷାନବୀଶ ଭଳି ଆଚରଣ କରିବାରେ ଲାଗିଛନ୍ତି ଏବ˚ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପରିପ୍ରେକ୍ଷୀରେ ଦୀର୍ଘକାଳୀନ ନେତୃତ୍ବ ଦେବା ବଦଳରେ କେବଳ ଥରେ ଅଧେ ଦେଖା ଦେଇ ଅନ୍ତର୍ଧାନ ହୋଇଯାଇଛନ୍ତି; ଯାହା ଦଳର ଅଭିଯାନକୁ ଅନେକ ସମୟରେ ବଳହୀନ କରିଛି। ଇତିହାସକାର ତଥା ସ୍ତମ୍ଭକାର ରାମଚନ୍ଦ୍ର ଗୁହାଙ୍କ ମତାନୁସାରେ ରାହୁଳ ଗାନ୍ଧୀ ଉତ୍ତରାଧିକାର ସୂତ୍ରରେ ଦଳର ନେତୃତ୍ବ ଲାଭ କରିଥିବା ଚତୁର୍ଥ ପିଢ଼ିର ସଦସ୍ୟ; ଯାହାଙ୍କ ଠାରେ ସେହି ବ˚ଶର ପ୍ରଥମ ଓ ଦ୍ବିତୀୟ ପିଢ଼ି (ଜଵହରଲାଲ ନେହରୁ ଓ ଇନ୍ଦିରା ଗାନ୍ଧୀ)ଙ୍କ ଠାରେ ବିଦ୍ୟମାନ ଥିବା ରାଜନୈତିକ ନେତୃତ୍ବର ଚମକ ଆଦୗ ନାହିଁ, ଅଥଚ ଜଣେ ବ˚ଶଗତ ଉତ୍ତରାଧିକାରୀ ଭାବେ ଦଳର ମାଲିକାନା ଉପରେ ତାଙ୍କର ସ୍ବତ୍ବାଧିକାରକୁ ସେ ପ୍ରଶ୍ନାତୀତ ବୋଲି ବିବେଚନା କରନ୍ତି।

କହିବା ବାହୁଲ୍ୟ ଯେ ସ˚ପ୍ରତି ପ୍ରାୟ ସମସ୍ତ ରାଜନୈତିକ ବିଶେଷଜ୍ଞଙ୍କ ଦୃଷ୍ଟିରେ କ˚ଗ୍ରେସର ବିପର୍ଯ୍ୟୟର ପ୍ରମୁଖ କାରଣ ଗାନ୍ଧୀ ପରିବାର ଦ୍ବାରା ପ୍ରବର୍ତ୍ତିତ ବ˚ଶବାଦ ରାଜନୀତି, ଯହିଁରେ ସତ୍ୟତା ଅବଶ୍ୟ ରହିଛି। କିନ୍ତୁ ଏହାର ଅନ୍ତରାଳରେ ଆଉ ଏକ ସତ୍ୟ ଅନ୍ତଃସଲିଳା ତୁଲ୍ୟ ପ୍ରବାହିତ ଯାହା ଆଖିରେ ପଡ଼ି ନ ଥାଏ। ୧୯୯୨ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସି˚ହ ରାଓ ଦଳ ଉପରୁ ଗାନ୍ଧୀ ପରିବାରର ପ୍ରଭାବକୁ ଦୂର କରିବା ଲାଗି ଏକ ଉଦ୍ୟମ କରି ଦୈବାତ୍‌ ଏହି ସତ୍ୟର ସମ୍ମୁଖୀନ ହୋଇଥିଲେ। ସେହି ବର୍ଷ ତାଙ୍କ ଉଦ୍ୟମରେ ଅନୁଷ୍ଠିତ ହୋଇଥିବା ଦତାଙ୍କ ଦ୍ବାରା ସମର୍ଥିତ ପ୍ରାର୍ଥୀମାନଙ୍କ ବିରୋଧରେ ଗାନ୍ଧୀ ପରିବାରର ଅତ୍ୟନ୍ତ ଅନୁରକ୍ତ ପ୍ରାର୍ଥୀମାନେ (ଅର୍ଜୁନ ସି˚ହ, ଏ.କେ. ଆଣ୍ଟୋନି, ଏନ୍‌.ଡି. ତିଵାରୀ ପ୍ରମୁଖ) ବିପୁଳ ବିଜୟ ହାସଲ କରିଥିଲେ। ଏହି ସଂଦର୍ଭରେ ଅନୁମାନ କରାଯାଇପାରେ ଯେ ବର୍ତ୍ତମାନ କ˚ଗ୍ରେସର ନେତୃତ୍ବ ପରିବର୍ତ୍ତନ ଲାଗି ଯଦି ଏଭଳି ଏକ ଦଳୀୟ ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ ଏହାର ପୁନରାବୃତ୍ତି ଘଟିବାର ସମ୍ଭାବନା ସର୍ବାଧିକ। କାରଣ, ଯାହା ଏକ କଠୋର ବାସ୍ତବତା, ତାହା ହେଲା ନେତୃତ୍ବ ପରିବର୍ତ୍ତନ କରିବାକୁ ଆଗ୍ରହୀ କୌଣସି ବରିଷ୍ଠ କ˚ଗ୍ରେସ ନେତାଙ୍କ ବ୍ୟକ୍ତିତ୍ବ ଓ ଭାବମୂର୍ତ୍ତିରେ ସେଭଳି ରାଷ୍ଟ୍ରୀୟ ଆବେଦନ ନାହିଁ, ଯାହା ସମଗ୍ର ଦେଶର ହଜାର ହଜାର ଦଳୀୟ କର୍ମୀମାନଙ୍କୁ ପ୍ରଭାବିତ କରିପାରିବ; ଯାହା ସମସ୍ତ ଦୁର୍ବଳତା ସତ୍ତ୍ବେ ଗାନ୍ଧୀ ପରିବାର ଠାରେ ନିହିତ ଅଛି। ଏହାର କାରଣ ଖୋଜି ପାଇବା ମଧୢ ବିଶେଷ କଷ୍ଟସାଧୢ ନୁହେଁ।

ସ୍ବାଧୀନତା ପରବର୍ତ୍ତୀ କାଳୀନ ଭାରତରେ ଅଧିକା˚ଶ ସମୟ କ୍ଷମତାରେ ରହି ଆସିଥିବା ଏହି ଦଳର ତଥାକଥିତ ନେତୃବର୍ଗ ସେମାନଙ୍କ ସୁବର୍ଣ୍ଣ କାଳରେ ଦଳରେ ଘଟିଥିବା ଆଭ୍ୟନ୍ତରୀଣ ଗଣତନ୍ତ୍ରର ବିଲୁପ୍ତି ନେଇ ବିବ୍ରତବୋଧ ପ୍ରକାଶ କରି ନ ଥିଲେ; ନୂତନ ନେତୃତ୍ବ ପ୍ରସଙ୍ଗ ଉତ୍‌ଥାପନ କରି ନ ଥିଲେ; ସ୍ଥିତାବସ୍ଥାରେ ସେମାନଙ୍କ ସ୍ବାର୍ଥ ସୁରକ୍ଷିତ ଥିବାରୁ ତହିଁରେ ପରିବର୍ତ୍ତନ ଲୋଡ଼ି ନ ଥିଲେ। ଯାହା ଫଳରେ ସେମାନେ ଅତ୍ୟନ୍ତ ସ୍ଥାଣୁ ହୋଇପଡ଼ିଥିବା ସହିତ ସେମାନଙ୍କ ଦୀର୍ଘ ରାଜନୈତିକ କ୍ୟାରିଅରରେ ନିଜ ଲାଗି ଏକ ସମର୍ପିତ ଜନାଧାର ସୃଷ୍ଟି କରି ପାରି ନାହାନ୍ତି। ଏହି ପରିପ୍ରେକ୍ଷୀରେ ମାତ୍ର ଛଅ ବର୍ଷ କ୍ଷମତାରୁ ବାହାରେ ରହିବା ପରେ ଦଳକୁ ବିପର୍ଯ୍ୟୟ-ମୁକ୍ତ କରିବା ଲାଗି ନେତୃତ୍ବ ପରିବର୍ତ୍ତନ ସକାଶେ ଏହି ନେତୃ-ବର୍ଗ ଉଠାଉଥିବା ସ୍ବରରେ ବିଶ୍ବାସର ଦୃଢ଼ତା ପରିଲକ୍ଷିତ ହୋଇ ନ ଥାଏ। ଯଦିଓ ଏହା ସତ ଯେ ଗାନ୍ଧୀ ପରିବାରର ନେତୃତ୍ବରେ ଦଳର ଭବିଷ୍ୟତ୍‌ ସୁରକ୍ଷିତ ନୁହେଁ, ତା’ ଠାରୁ ଅଧିକ ବାସ୍ତବ ସତ୍ୟ ହେଉଛି ଯେ ଅନ୍ତତଃ ବର୍ତ୍ତମାନ ଲାଗି ଗାନ୍ଧୀ ପରିବାର ହାତରୁ ନେତୃତ୍ବର ଡୋରି ନିଜ ହାତକୁ ନେଇ ଏକ ରାଷ୍ଟ୍ରୀୟ ଉପସ୍ଥିତି ଜାହିର କଲା ଭଳି ନେତା ମଧୢ ଦଳରେ ଦୃଶ୍ୟମାନ ନାହାନ୍ତି। ଏହା ଏକ କ୍ୟାଚ୍‌ ୨୨ ତୁଲ୍ୟ ସ୍ଥିତି ସ˚ରଚନା କରିଥାଏ; ଯହିଁରୁ ଦଳ କିଭଳି ମୁକ୍ତି ପାଇବ ତାହା କେବଳ ସମୟ କହିବ।

ସମ୍ବନ୍ଧିତ ଖବର