ଘାଟମୁହାଁ ଡଙ୍ଗା

ଝଡ଼ ବିକ୍ଷୁବ୍‌ଧ ଗଭୀର ସମୁଦ୍ରରେ ନ ବୁଡ଼ି ନୌକାଟି କୌଣସି ମତେ ଲହଡ଼ି ସହିତ ଲଢ଼େଇ କରି କରି ଅପେକ୍ଷାକୃତ ନିରାପଦ ଅଗଭୀର ସମୁଦ୍ରରେ ପହଞ୍ଚିଯିବା ପରେ ଅସାବଧାନତା ଯୋଗୁଁ ବୁଡ଼ିଯିବା ଯେଉଁଭଳି ଘୋର ଦୁର୍ଭାଗ୍ୟଜନକ ହୋଇଥାଏ, ପାଖାପାଖି ବର୍ଷେ କାଳ ଲକ୍‌ଡାଉନ୍‌, କ୍ବାରାଣ୍ଟିନ୍‌, ବିଶୋଧନ ଆଦି ଜର୍ଜରିତ ଦୁରୂହ ପଥ ଅତିକ୍ରମ କରିବା ପରେ ଦିଗ୍‌ବଳୟ ଧାରରେ ଟିକା ଆବିର୍ଭାବର ସମ୍ଭାବନା ଦେଖି ଆମେ ଯଦି ସମସ୍ତ ସତର୍କତା ପରିତ୍ୟାଗ କରି ବସିବା, ତେବେ କରୋନା ସାଗରରେ ଯେ ଆମର ନୌକାଟି ବୁଡ଼ିଯିବା ନିଶ୍ଚିତ- ଏହା ହିଁ ଥିଲା ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଠଟି ସର୍ବାଧିକ ଚୀନା କରୋନାଗ୍ରସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କରିଥିବା ଆଲୋଚନା ଅବସରରେ ଶୁଣାଇଥିବା ମୁଖ୍ୟ ସତର୍କବାଣୀ। କାରଣ ଟିକାର ଆବିର୍ଭାବ ସମ୍ବନ୍ଧରେ ଯେଉଁଭଳି ସୂଚନା ଓ କଳ୍ପନାଜଳ୍ପନାମାନ ପ୍ରକାଶ ପାଇବାରେ ଲାଗିଛି ଏବ˚ ଟିକାକୁ ଯେଉଁଭଳି ଏକ ବ୍ରହ୍ମାସ୍ତ୍ର ରୂପେ ସମସ୍ତେ ଚାତକ ପରି ଚାହିଁ ବସିଛନ୍ତି, ଏହାର ସତର୍କତା ଶିଥିଳକାରୀ ପ୍ରଭାବ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିବା ଆଶଙ୍କା ଆଦୌ ଅମୂଳକ ନୁହେଁ।

ଭାରତୀୟମାନଙ୍କ ପାଇଁ ପୁଣି ଟିକା ସମ୍ବନ୍ଧରେ ଯାହା ଏକ ବିଶେଷ ସୁସମ୍ବାଦ ରୂପେ ଆବିର୍ଭୂତ ହୋଇଛି, ତାହା ହେଲା ଅକ୍‌ସଫୋର୍ଡ ବିଶ୍ବବିଦ୍ୟାଳୟ- ଆଷ୍ଟ୍ରାଜେନେକା ମିଳିତ ଉଦ୍ୟମରେ ପ୍ରସ୍ତୁତ ଟିକାର ଫଳପ୍ରଦତା ସମ୍ବନ୍ଧରେ ସଦ୍ୟ ପ୍ରକାଶ ପାଇଥିବା ସୁଖବର। ଏହା ପୂର୍ବରୁ ପ୍ରକାଶ ପାଇଥିବା ମଡର୍ଣ୍ଣା ଏବ˚ ଫାଇଜର‌୍‌ ଟିକାର ଉପଯୋଗିତା ତୁଳନାରେ ବିଶେଷଜ୍ଞମାନେ ଅକ୍‌ସଫୋର୍ଡ ଟିକାର ଉପଯୋଗିତା ଅଧିକ ହେବ ବୋଲି ମତ ପ୍ରକାଶ କରୁଥିବା ବେଳେ ଏହାର ମୁଖ୍ୟ ଉତ୍ପାଦନକାରୀ ସ˚ସ୍ଥା ଭାରତର ‘ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ତିଆ’ ହୋଇଥିବାରୁ ଭାରତ ଏହାକୁ ଅପେକ୍ଷାକୃତ ସହଜରେ ପାଇବାର ସମ୍ଭାବନା ଅଧିକ ବୋଲି ଏକ ଧାରଣା ସୃଷ୍ଟି ହୋଇଛି।

ଯଦିବା ଏଥିପୂର୍ବରୁ ପ୍ରକାଶ ପାଇଥିବା ଫାଇଜର‌୍‌ ଓ ମଡର୍ଣ୍ଣାର ଟିକା ଦ୍ବୟ ଅଧିକ ପ୍ରଭାବଶାଳୀ ମନେ ହୋଇଥାନ୍ତି (୯୫% ଫଳପ୍ରଦତା), ଅକ୍‌ସଫୋର୍ଡର ଟିକାର ଏକ ବିଶେଷ ଚରିତ୍ର ଏହାକୁ ଅନ୍ୟ ଦୁଇ ପ୍ରତିଦ୍ବନ୍ଦ୍ବୀ ଟିକା ଠାରୁ ଅଧିକ ଉପଯୋଗୀ କରି ତୋଳିଥାଏ। ଏକ ମାସ ଅନ୍ତରରେ ଦୁଇଟି ସମ୍ପୂର୍ଣ୍ଣ ପାନ ଅକ୍‌ସଫୋର୍ଡ ଟିକା ନେଇଥିବା ବ୍ୟକ୍ତିମାନଙ୍କ ମଧୢରୁ ୬୨%ଙ୍କ ଠାରେ ପ୍ରତିରୋଧିନୀ ଶକ୍ତି ସୃଷ୍ଟି ହେବା ଦେଖାଯାଇଛି; କିନ୍ତୁ ଯେଉଁମାନଙ୍କୁ ପ୍ରଥମ ଟିକା ଅଧା ପାନ ମାତ୍ରାରେ ଦିଆଯାଇଥିଲା ଏବ˚ ଦ୍ବିତୀୟ ପାନ ପୂରା ମାତ୍ରାରେ ଦିଆଯାଇଥିଲା, ସେମାନଙ୍କ ମଧୢରୁ ୯୦%ଙ୍କ ଠାରେ କରୋନା ପ୍ରତିରୋଧକ ଶକ୍ତି ସୃଷ୍ଟି ହେବା ଦେଖାଯାଇଛି। ଏହାର ତାତ୍ପର୍ଯ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, କାରଣ ପ୍ରଥମ ଥର ଅଧା ପାନ ଟିକା ଦିଆଯାଉଥିବାରୁ ଉତ୍ପାଦିତ ଟିକା ସାହାଯ୍ୟରେ ଅନ୍ୟ ପ୍ରତିଦ୍ବନ୍ଦ୍ବୀମାନଙ୍କ ତୁଳନାରେ ଦୁଇଗୁଣ ସ˚ଖ୍ୟକ ଲୋକଙ୍କୁ ଟିକାଦାନ କରାଯାଇପାରିବ।

ପୁଣି ଅକ୍‌ସଫୋର୍ଡ ଟିକାର ଦାମ୍‌ ମଧୢ କମ୍‌ ହୋଇଥିବାରୁ ଏହା ଉଭୟ ସରକାର କିମ୍ବା ସାଧାରଣ ଜନତାଙ୍କ ପାଇଁ କମ୍‌ ବ୍ୟୟ ସାପେକ୍ଷ ହେବ। ଏହା ବ୍ୟତୀତ ଅନ୍ୟ ଦୁଇ ପ୍ରତିଦ୍ବନ୍ଦ୍ବୀ ଟିକା ଅପେକ୍ଷା ଏହି ଅକ୍‌ସଫୋର୍ଡ ଟିକାକୁ ସାଇତି ରଖିବା ବେଶ୍‌ ସହଜ ହୋଇଥାଏ- ସାଧାରଣ ରେଫ୍ରିଜରେଟରରେ ଏହାକୁ ଛ’ମାସ ପର୍ଯ୍ୟନ୍ତ ସାଇତା ଯାଇପାରିବ। ଏଣୁ ଭାରତ ଭଳି ବିଶାଳ ଉଷ୍ଣମଣ୍ତଳୀୟ ଦେଶରେ ଏହି ଟିକାର ଗୁଣବତ୍ତା ଅତୁଟ ରଖି ଏହାର ଆବଶ୍ୟକ ବଣ୍ଟନ କରାଯାଇପାରିବ।

ଚୀନା କରୋନା ଜନିତ ପାଣ୍ତେମିକ୍‌ କୋଭିଡ୍‌-୧୯ ହେଉଛି ଅତି ବରିଷ୍ଠ ନାଗରିକମାନେ ମଧୢ ସେମାନଙ୍କ ଜୀବଦ୍ଦଶାରେ ଦେଖିଥିବା ସର୍ବାଧିକ ଭୟଙ୍କର ସର୍ବବ୍ୟାପୀ ପ୍ରାକୃତିକ ବିପର୍ଯ୍ୟୟ। ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେତେବେଳେ ପ୍ରଭାବିତମାନଙ୍କ ନିକଟରେ ସାହାଯ୍ୟ ପହଞ୍ଚାଇବାକୁ ଉଦ୍ୟମ କରାଯାଏ, ସେତେବେଳେ କିଭଳି ଅବ୍ୟବସ୍ଥା, ଅରାଜକତା ଓ ବିଶୃଙ୍ଖଳା ଦେଖାଯାଇଥାଏ, ତାହା ସହିତ ଆମେ ସମସ୍ତେ ସୁପରିଚିତ। ଦେଶର ୧୩୦ କୋଟି ଲୋକ ଯେତେବେଳେ ଚାତକ ପରି ଟିକାର ଆଗମନକୁ ଚାହିଁ ବସିଛନ୍ତି, ସେତେବେଳେ ଏହାର ସୁଚାରୁ ବଣ୍ଟନ ନିମିତ୍ତ ଯଦି ସୁଚିନ୍ତିତ ବ୍ୟବସ୍ଥା ପୂର୍ବରୁ ପ୍ରସ୍ତୁତ କରାଯାଇନଥାଏ, ତେବେ ଦେଶବ୍ୟାପୀ ଯେଉଁଭଳି ବିଭ୍ରାଟ ଓ ଚରମ ହତାଶା ସୃଷ୍ଟି ହେବ, ତାହାର ବର୍ଣ୍ଣନା ଅନାବଶ୍ୟକ।

ଯଦି ବି ଆମେ ମୁଖ୍ୟତଃ ଅକ୍‌ସଫୋର୍ଡ ଟିକା ଉପରେ ନିର୍ଭର କରୁ, ଏହି ଟିକା ସାଇତା ହେବା ପାଇଁ ସାଧାରଣ ରେଫ୍ରିଜରେଟର‌୍‌ ଆବଶ୍ୟକ କରୁଥିଲେ ହେଁ, ଦେଶସାରା ଯେଉଁ ଟିକା ବଣ୍ଟନ କେନ୍ଦ୍ରମାନ ପ୍ରତିଷ୍ଠା କରିବାକୁ ହେବ, ସେ ସମସ୍ତ କେନ୍ଦ୍ରମାନଙ୍କରେ ଆବଶ୍ୟକ ପରିମାଣର ଟିକା ମହଜୁଦ ରଖିବା ପାଇଁ ଯଥେଷ୍ଟ ରେଫ୍ରିଜରେଟର ଭଳି ଶୀଳତ ଭଣ୍ତାରମାନ ପ୍ରତିଷ୍ଠା କରିବାକୁ ହେବ। ଅନୁରୂପ ଭାବରେ ଗୁରୁତ୍ବପୂର୍ଣ୍ଣ ହେଉଛି ଟିକାଦାନ ପୂର୍ବରୁ ଏକ ଯୁକ୍ତିଯୁକ୍ତ ବଣ୍ଟନ ତାଲିକା ପ୍ରସ୍ତୁତ କରି ରଖିବା। ଯେତେବେଳେ ପ୍ରଥମ ଛେକ ଟିକା ଉପଲବ୍‌ଧ ହେବ, ତାହା ଯେ କୌଣସି ଦେଶର ମୋଟ ଆବଶ୍ୟକତା ଠାରୁ ବହୁତ କମ୍‌ ହେବା ନିଶ୍ଚିତ। ଯଦି ପୂର୍ବରୁ ଏକ ବଣ୍ଟନର ପ୍ରାଥମିକତା ତାଲିକା ପ୍ରସ୍ତୁତ କରାଯାଇଥାଏ, ତେବେ ଟିକା ହସ୍ତଗତ ହେବା ପରେ ଟିକାଦାନ ଆରମ୍ଭ କରିବା ସହଜ ହେବ। କେବଳ ତାହା ନୁହେଁ, ଏହା ନିର୍ବିଘ୍ନ ମଧୢ ହେବ, କାରଣ ଏହି ପ୍ରାଥମିକତା ତାଲିକା ପୂର୍ବରୁ ଗଣମାଧୢମ ସାହାଯ୍ୟରେ ପ୍ରସାରିତ ହୋଇଥିଲେ, ସର୍ବସାଧାରଣ ସେଇ ଅନୁସାରେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ଯାଇଥିବେ ଏବ˚ ନିଜର ପାଳି ପଡ଼ିବା ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଅପେକ୍ଷା କରିବେ।

ଯେହେତୁ ଟିକା ସ˚ଗ୍ରହ କରିବା ଦାୟିତ୍ବ କେନ୍ଦ୍ର ସରକାର ବହନ କରିବେ, ରାଜ୍ୟମାନେ କେନ୍ଦ୍ରରୁ ଟିକା ପାଇବାକୁ ଅପେକ୍ଷା କରିବେ। ଛେକ ପରେ ଛେକ ରାଜ୍ୟମାନଙ୍କ ମଧୢରେ କେଉଁ ଆଧାରରେ ଟିକା ବଣ୍ଟନ କରାଯିବ, କେନ୍ଦ୍ର ସରକାର ପୂର୍ବରୁ ତାହା ନିର୍ଦ୍ଧାରଣ କରି ବିଜ୍ଞପିତ କରିବା ଆବଶ୍ୟକ: ରାଜ୍ୟର ଜନସ˚ଖ୍ୟା ଭିତ୍ତିରେ କି ସ˚କ୍ରମଣ ହାର ଭିତ୍ତିରେ? ଜନସ˚ଖ୍ୟା ଭିତ୍ତିକ ବଣ୍ଟନ ନ୍ୟାୟ ସମ୍ମତ ମନେ ହେଉଥିଲେ ମଧୢ ଯଦି ଦେଶରେ ସ˚କ୍ରମଣକୁ ଯେତେ ଶୀଘ୍ର ସମ୍ଭବ କାବୁ କରିବା ଲକ୍ଷ୍ୟ ହୋଇଥାଏ, ତେବେ ଦ୍ବିତୀୟ ଭିତ୍ତି ଆଧାରରେ ରାଜ୍ୟମାନଙ୍କ ମଧୢରେ ଟିକା ବଣ୍ଟନ ଅଧିକ ଫଳପ୍ରଦ ହେବ। କିନ୍ତୁ ଏହାକୁ ପୂର୍ବରୁ ସ୍ପଷ୍ଟ ନ କଲେ ତାହା କେନ୍ଦ୍ର-ରାଜ୍ୟ ମଧୢରେ ଅନାବଶ୍ୟକ ଭୁଲ୍‌ ବୁଝାମଣା ଓ ବିବାଦ ସୃଷ୍ଟି କରିବ।

ସମାଜର କେଉଁ ସଦସ୍ୟମାନଙ୍କୁ ପ୍ରଥମେ ଟିକା ଦିଆଯିବ? ସ୍ବାଭାବିକ ଭାବରେ ଯେଉଁ କୋଭିଡ୍‌ ଯୋଦ୍ଧାମାନେ ସମ୍ମୁଖ ସମରରେ ବ୍ୟାପୃତ ଅଛନ୍ତି- ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ପୁଲିସ ଆଦି ପର୍ଯ୍ୟନ୍ତ- ସେମାନଙ୍କୁ ପ୍ରଥମେ ଟିକା ମିଳିବା ଉଚିତ। କିନ୍ତୁ ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କରେ କାର୍ଯ୍ୟ କରୁଥିବା ଅଣ ସ୍ବାସ୍ଥ୍ୟ କର୍ମଚାରୀମାନେ ଏ ସୁଯୋଗରୁ ବଞ୍ଚିତ ହେବେ କି? ନିଃସନ୍ଦେହରେ ସେମାନେ ବଞ୍ଚିତ ହେବା ଉଚିତ ନୁହେଁ, କିନ୍ତୁ ଟିକା ପହଞ୍ଚିବା ପୂର୍ବରୁ ଏ ପ୍ରଶ୍ନର ନିଶ୍ଚିତ ଉତ୍ତର ଦିଆ ସରିଥିବା ଉଚିତ। ସେଇଭଳି କେଉଁ ବୟସ ସୀମାର ନାଗରିକମାନଙ୍କୁ ଟିକା ମିଳିବାରେ କିଭଳି ପ୍ରାଥମିକତା ଦିଆଯିବ, କେଉଁ କେଉଁ ସହ-ବ୍ୟାଧିଗ୍ରସ୍ତ ନାଗରିକମାନଙ୍କୁ କିଭଳି ପ୍ରାଥମିକତା ପ୍ରଦାନ କରାଯିବ, ଏଭଳି ଅନେକ ପ୍ରଶ୍ନର ସମାଧାନ ଟିକା ବଣ୍ଟନ ଆରମ୍ଭ ପୂର୍ବରୁ କରାଯାଇଥିବା ନିତାନ୍ତ ଆବଶ୍ୟକ। ଦେଶରେ ଟିକା ଆଗମନର ସମ୍ଭାବନା ଯେତେ ନିକଟତର ହୋଇଆସୁଛି, ଏହାର ବଣ୍ଟନକୁ ସୁରୁଖୁରୁ କରିବା ଦାୟିତ୍ବ ଉଭୟ ସରକାର ତଥା ଜନସାଧାରଣଙ୍କ ଉପରେ ସେତେ ବୃଦ୍ଧି ପାଇ ଚାଲୁଛି। ଏବ˚ ଏଥିସହିତ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁସୃତ ସମସ୍ତ ସତର୍କତା ଆଦୌ ଶିଥିଳ ହେବା ଉଚିତ ନୁହେଁ। ତା’ହେଲେ ନୌକା ନ ବୁଡ଼ି କୂଳରେ ଲାଗିପାରିବ।

ସମ୍ବନ୍ଧିତ ଖବର