କୂଅ ଓ ତୃଷାର୍ତ୍ତ

ନିୟମାନୁସାରେ ତୃଷାର୍ତ୍ତ କୂଅ ନିକଟକୁ ଯିବା କଥା; ଏହାର ଓଲଟାଟି ନୁହେଁ। କାରଣ ଯଦି ଓଲଟାଟି ହୁଏ, ତେବେ ହୁଏ’ତ ତୃଷାର୍ତ୍ତ ତା’ ହାତ ପାହାନ୍ତାରେ ଥିବା ଜଳର ପ୍ରାଚୁର୍ଯ୍ୟ ହେତୁ ତାର ଗୁରୁତ୍ବ ଉପଲବ୍‌ଧି କରି ନ ପାରି ଅପବ୍ୟବହାର କରି ବସିବ। ନିକଟରେ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ତିଆର ‘ଇଣ୍ଟରନାଲ ଵର୍କି˚ ଗ୍ରୁପ୍‌’ ବା ‘ଆଇ.ଡବ୍ଲ୍ୟୁ.ଜି.’ ଦ୍ବାରା ଦିଆଯାଇଥିବା ଏକ ପ୍ରସ୍ତାବ ଯହିଁରେ ‘କର୍ପୋରେଟ୍‌ ହାଉସ୍‌’ ବା ଉଦ୍ୟୋଗଗୁଡ଼ିକ ନିଜ ନିଜ ବ୍ୟାଙ୍କ୍‌ ଖୋଲି କାରବାର କରିପାରିବେ ବୋଲି କୁହାଯାଇଛି; ଏଭଳି ଏକ ଓଲଟ ସ୍ଥିତି ସୃଷ୍ଟି କରିବାକୁ ଯାଉଛି ବୋଲି ମତ ପ୍ରକାଶ ପାଇଥାଏ। ଅବଶ୍ୟ, ଏହା ସତ ଯେ କୋଟି କୋଟି ଭାରତୀୟଙ୍କ ଜମା ରାଶି ସ˚ପୃକ୍ତ ହେବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିତ୍ତୀୟ ପଦକ୍ଷେପ ନିଆଯିବା ପୂର୍ବରୁ ବ୍ୟାଙ୍କିଙ୍ଗ ନିୟନ୍ତ୍ରଣ ଆଇନ (୧୯୪୯)ରେ ଉପଯୁକ୍ତ ସ˚ଶୋଧନ ଅଣାଯିବ ବୋଲି ‘ଆଇ.ଡବ୍ଲ୍ୟୁ.ଜି.’ ପକ୍ଷରୁ କୁହାଯାଇଛି, ତଥାପି ଏହାର କାର୍ଯ୍ୟକାରିତା ନେଇ ଘୋର ସନ୍ଦେହ ପ୍ରକାଶ ପାଉଛି। ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ରିଜର୍ଭ ବ୍ୟାଙ୍କ୍‌ର ପୂର୍ବତନ ଗଭର୍ନର ରଘୁରାମ ରାଜନ ଏଭଳି ପ୍ରସ୍ତାବର ବିରୋଧ କରି ଏହାକୁ ଏକ ‘ବୋମା’ ବୋଲି ଅଭିହିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିବାଦୀୟ ପ୍ରସ୍ତାବଟି ସ˚ଦର୍ଭରେ ଏକ ସ˚କ୍ଷିପ୍ତ ଆଲୋଚନା କରାଯାଇପାରେ।

ରଘୁରାମ ରାଜନଙ୍କ ଦ୍ବାରା ପ୍ରକଟ କରାଯାଇଥିବା ଭୟ ପଛରେ ରହିଥିବା କାରଣ ଭାରତୀୟ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପରିଦୃଷ୍ଟ ପରିଚାଳନାଗତ ଓ ବ୍ୟବସ୍ଥାଗତ ତ୍ରୁଟି, ବିଫଳତା ଓ ଦୁର୍ନୀତି ତଥା ତହିଁରୁ ସୃଷ୍ଟ ଏକ ରୁଗ୍‌ଣ ଅବସ୍ଥା। ଏହି ସଂଦର୍ଭରେ ରଘୁରାମ ରାଜନ ପ୍ରଶ୍ନ କରିଥାଆନ୍ତି ଯେ ସ˚ପ୍ରତି ଅନେକ ବ୍ୟାଙ୍କ୍‌ ବିଫଳ ହେଉଥିବା ବେଳେ ଏଭଳି ଏକ ପ୍ରସ୍ତାବ କେତେ ଯୁକ୍ତିଯୁକ୍ତ? ତାଙ୍କ ମତରେ ବ୍ୟାଙ୍କିଙ୍ଗ କ୍ଷେତ୍ରର କାରବାରକୁ ନିୟନ୍ତ୍ରଣ କରିବା ଲାଗି ଯେତେ କଠୋର ବ୍ୟବସ୍ଥା ଥିଲେ ସୁଦ୍ଧା ତାକୁ ଫାଙ୍କି ଦେଇ ନିୟମ ବହିର୍ଭୂତ କାର୍ଯ୍ୟ କରାଯିବା ସମ୍ଭବ। ତାଙ୍କ ମତରେ ଭାରତର ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ଗୁଡ଼ିକରୁ ଋଣ ପାଇବା ଲାଗି ଯେଉଁ ସବୁ ନିୟମାବଳୀ ଓ ସର୍ତ୍ତ ବିଦ୍ୟମାନ, ତାହାର ଯଥାର୍ଥ ଅନୁପାଳନ କରାଯାଉଥିଲେ ଋଣ ଖିଲାପର ପରିମାଣ ଅତ୍ୟନ୍ତ ସ୍ବଳ୍ପ ହୁଅନ୍ତା। କିନ୍ତୁ ଭାରତର ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ଗୁଡ଼ିକ ସମ୍ମୁଖୀନ ହେଉଥିବା ଅନାଦାୟ ଋଣର ପରିମାଣ ପ୍ରାୟ ୭ ଲକ୍ଷ କୋଟି ଟଙ୍କା, ଯାହା ଏକ ହିମାଳୟତୁଲ୍ୟ ‘ଏନ୍‌.ପି.ଏ.’(ନନ୍‌ ପର୍ଫମିଙ୍ଗ ଆସେଟ୍‌)ର ବୋଝ ସୃଷ୍ଟି କରିଛି। ପୁନଶ୍ଚ ବିଡ଼ମ୍ବନାର ବିଷୟ ହେଲା, ଏଭଳି ଋଣ ଖିଲାପକାରୀଙ୍କ ମଧୢରେ ଏକଦା ଅତ୍ୟନ୍ତ ସଫଳ ଉଦ୍ୟୋଗପତି ଭାବେ ପରିଗଣିତ ବ୍ୟକ୍ତିବିଶେଷ ଅଛନ୍ତି।

ଏହାର ଏକମାତ୍ର କାରଣ ଦୁର୍ନୀତି ଓ ଅଦକ୍ଷତା; ଯାହା ଆମ ଦେଶରେ ପ୍ରାୟ ସର୍ବତ୍ର ପରିବ୍ୟାପ୍ତ ହୋଇ ରହିଥିବାରୁ ବିଜୟ ମାଲ୍ୟା ବା ନିରବ ମୋଦୀଙ୍କ ଭଳି ଅତି ବିଖ୍ୟାତ ଋଣ ଖିଲାପକାରୀ ଉଦ୍ୟୋଗପତିମାନେ ବିଦେଶକୁ ଚାଲିଯାଇ ଭାରତୀୟ ଆଇନ ଓ ଦଣ୍ତ ବ୍ୟବସ୍ଥାାର ପରିସରରୁ ବାହାରେ ରହିବାକୁ ସକ୍ଷମ ହୋଇଛନ୍ତି। ‘କର୍ପୋରେଟ୍‌ ହାଉସ୍‌’ଗୁଡ଼ିକ ବ୍ୟାଙ୍କ୍‌ ଖୋଲିଲେ ତହିଁରେ ଗ୍ରାହକମାନଙ୍କ ଦ୍ବାରା ଜମା ଭାବେ ଉପଲବ୍‌ଧ ଅତ୍ୟନ୍ତ ବିପୁଳ ପରିମାଣର ଅର୍ଥକୁ ସେମାନେ ନିଜ ନିଜ ଉଦ୍ୟୋଗରେ ବିନିଯୋଗ କରିବାର ଚମତ୍କାର ସୁଯୋଗ ଲାଭ କରିବେ। ଏଭଳି କାରବାର ଯଦି ଅବାଧରେ ଚାଲେ ତେବେ ଜମାକାରୀମାନଙ୍କ ସ˚ଚିତ ଅର୍ଥ ଅସୁରକ୍ଷିତ ହୋଇପଡ଼ିବ। ଏହି ପରିପ୍ରେକ୍ଷୀରେ ଏଭଳି ମତ ମଧୢ ପ୍ରକାଶ ପାଇଥାଏ ଯେ ‘ଆଇ.ଡବ୍ଲ୍ୟୁ.ଜି.’ ଦ୍ବାରା ପ୍ରସ୍ତାବିତ ବ୍ୟାଙ୍କ୍‌ମାନ ସମୟ କ୍ରମେ ଗୋଟିଏ ଗୋଟିଏ ଚିଟ୍‌ ଫଣ୍ତ୍‌ରେ ପରିଣତ ହେବାର ଆଶଙ୍କା ମଧୢ ରହିଛି। କେବଳ ସେତିକି ନୁହେଁ ବୃହତ୍‌ ଉଦ୍ୟୋଗ ପ୍ରତି କେନ୍ଦ୍ର ସରକାରଙ୍କ ଅନୁରକ୍ତି ଏଭଳି ପଦକ୍ଷେପ ଜରିଆରେ ସେମାନଙ୍କ ଲାଗି ଆର୍ଥିକ ଲାଭ ପହଞ୍ଚାଇବା‌େର ପ୍ରତିଫଳିତ ହେବାକୁ ଯାଉଛି ବୋଲି କୁହାଯାଉଛି। ସେମାନେ ଏହା ମଧୢ କହନ୍ତି ଯେ ବ୍ୟାଙ୍କିଙ୍ଗ କ୍ଷେତ୍ରର ସ˚ପୂର୍ଣ୍ଣ ଘରୋଇକରଣ ଲାଗି ହୁଏ’ତ ଏହା ଏକ ପ୍ରାକ୍‌ ପ୍ରସ୍ତୁତି; କାରଣ ‘କର୍ପୋରେଟ୍‌ ହାଉସ୍‌’ ଦ୍ବାରା ପରିଚାଳିତ ବ୍ୟାଙ୍କ୍‌ଗୁଡ଼ିକ ଦ୍ବାରା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ନିଷ୍ପ୍ରଭାବୀ କରାଯାଇ କାଳକ୍ରମେ ସେଗୁଡ଼ିକୁ କବ୍‌ଜା କରାଯିବା ସକାଶେ ମାର୍ଗ ପ୍ରଶସ୍ତ କରାଯାଉଛି।

ତେବେ, ଯଦିଓ ଗୋଟିଏ ଦୃଷ୍ଟିକୋଣରୁ ଉପରେ ପ୍ରକଟ କରାଯାଉଥିବା ସନ୍ଦେହ ଓ ଆଶଙ୍କା ଯୁକ୍ତିଯୁକ୍ତ ମନେ ହୋଇଥାଏ, ଅନ୍ୟ ଏକ ଦୃଷ୍ଟିକୋଣରୁ ଏହାର ଲାଭ ଓ ଉପଯୋଗିତା ମଧୢ ଦୃଶ୍ୟମାନ ହୋଇପାରେ। କାରଣ କରୋନା ପାନ୍‌ଡେମିକ୍‌ ପ୍ରାଦୁର୍ଭାବରୁ ସମ୍ବଳ ଶୂନ୍ୟ ହେବା ଅବସ୍ଥାକୁ ଚାଲିଆସିଥିବା ଏକ ରାଷ୍ଟ୍ର ଲାଗି ବିପୁଳ ସମ୍ବଳ ଉପଲବ୍‌ଧ କରାଇବାରେ ଏହା ସମର୍ଥ ହୋଇପାରେ, ଯାହା ଦେଶର ଆର୍ଥିକ ଗତିବିଧିକୁ ଚଳଚଞ୍ଚଳ କରିପାରିବ। ଉଲ୍ଲେଖଯୋଗ୍ୟ ଯେ ଦେଶର ବିଭିନ୍ନ ବୃହତ୍‌ ଔଦ୍ୟୋଗିକ ସ˚ସ୍ଥା ନିକଟରେ ବିପୁଳ ପରିମାଣର ଅର୍ଥ ରାଶି ନିୟୋଜିତ ହୋଇ ନ ପାରି ପଡ଼ି ରହିଛି। ବିଭିନ୍ନ ନିୟମ ଓ କଟକଣା କାରଣରୁ ଅନେକ ଉଦ୍ୟୋଗ ସେମାନଙ୍କ ଲାଭା˚ଶକୁ ଅ˚ଶପତ୍ରଧାରୀମାନଙ୍କ ମଧୢରେ ବଣ୍ଟନ କରିବାରେ ସାମନା କରୁଥିବା ପ୍ରତିବନ୍ଧ ସେମାନଙ୍କ ନିକଟରେ ପଡ଼ି ରହିଥିବା ଅର୍ଥକୁ କାଳକ୍ରମେ ଏକ ପର୍ବତତୁଲ୍ୟ ଆକାର ପ୍ରଦାନ କଲାଣି। ସୁତରା˚ ‘ଆଇ.ଡବ୍ଲ୍ୟୁ.ଜି.’ ଦ୍ବାରା ପ୍ରସ୍ତାବିତ ବ୍ୟାଙ୍କ୍‌ଗୁଡ଼ିକର ଆବିର୍ଭାବ ଘଟିଲେ ସେମାନଙ୍କ ଜରିଆରେ ଏଭଳି ଅବ୍ୟବହୃତ ଅର୍ଥ ରାଶି ଏକ ବିଶାଳ ପୁ˚ଜି ସୃଷ୍ଟି କରିବା ସହିତ ବିନିଯୋଗର ଦ୍ବାର ଉନ୍ମୁକ୍ତ କରିବ, ଯାହା ବର୍ତ୍ତମାନର ଦୟନୀୟ ଆର୍ଥିକ ସ୍ଥିତିରେ ଏକ ଆଶୀର୍ବାଦ ରୂପେ ସାବ୍ୟସ୍ତ ହେବ। ତେବେ, ଏହି ପ୍ରସ୍ତାବିତ ବ୍ୟବସ୍ଥାରେ ଯେମିତି ନିୟମ ବହିର୍ଭୂତ କାର୍ଯ୍ୟ ଲେଶ ମାତ୍ର ସୁଯୋଗ ନ ପାଏ, ସେଥି ଲାଗି ନିୟନ୍ତ୍ରଣ ବ୍ୟବସ୍ଥାକୁ ଅତ୍ୟନ୍ତ କଠୋର କରାଯିବା ଅପରିହାର୍ଯ୍ୟ।

ଭାରତର ବସ୍ତୁସ୍ଥିତିକୁ ଲକ୍ଷ୍ୟ କରି ଏଭଳି ନିୟନ୍ତ୍ରଣ ବ୍ୟବସ୍ଥାର ଫଳପ୍ରଦତା ସମ୍ବନ୍ଧରେ ରଘୁରାମ ରାଜନ ଅନାସ୍ଥା ପ୍ରକଟ କରିଛନ୍ତି। ସୁତରା˚, ଏହି ନୂତନ ବ୍ୟବସ୍ଥାରେ ଏକ ଅତ୍ୟନ୍ତ ଶକ୍ତ ଓ ନିରପେକ୍ଷ ନିୟନ୍ତ୍ରକ ଅନୁଷ୍ଠାନର ଆବଶ୍ୟକତା ରହିଛି, ଯାହାକୁ ରୂପ ଦେବା ରିଜର୍ଭ ବ୍ୟାଙ୍କ୍‌ର ସବୁଠାରୁ ବଡ଼ ଦାୟିତ୍ବ। ବ୍ୟାଙ୍କ୍‌ ଖୋଲିବା ଲାଗି ଲାଇସେନ୍‌ସ ପ୍ରଦାନ କରିବା ଠାରୁ ଆରମ୍ଭ କରି ସେଗୁଡ଼ିକର ଟିକିନିଖି କାରବାର ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖାଯିବା ସର୍ବାଧିକ ଜରୁରୀ। ଏଥିରେ ଦ୍ବିରୁକ୍ତି ନାହିଁ ପ୍ରାଚୁର୍ଯ୍ୟ ନିରଙ୍କୁଶ ହେଲେ ବିବେକାନୁମୋଦିତ ବ୍ୟୟ ବା ବିନିଯୋଗ ସମ୍ଭବ ହୋଇ ନ ଥାଏ। ସୁତରା˚, ଏହି ସ୍ତମ୍ଭର ପ୍ରାରମ୍ଭରେ ବ୍ୟବହୃତ ଉପମାଗୁଡ଼ିକୁ ବ୍ୟବହାର କରି କୁହାଯାଇପାରେ ଯେ ଜଳ ଭରା କୂଅ ପାଖରେ କଡ଼ା ପହରାର ବ୍ୟବସ୍ଥା କରି ଜଳ ଅପବ୍ୟବହାରକୁ ପ୍ରଶ୍ରୟ ନ ଦେବା ସହିତ ଜଳ ଓ ତୃଷାର୍ତ୍ତ ମଧୢରେ ଥିବା ସମୀକରଣ ରକ୍ଷା କରିବାର ଦାୟିତ୍ବ କୂଅ ମାଲିକଙ୍କର ଯିଏ ଏହି କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ତିଆ।

ସମ୍ବନ୍ଧିତ ଖବର