ଗଲା ନଭେମ୍ବର ୧୯ ତାରିଖରେ ଜାମ୍ମୁ-ଶ୍ରୀନଗରର ଜାତୀୟ ରାଜପଥ ଉପରେ ନାଗ୍ରୋତା ଠାରେ ଏକ ସ˚ଘର୍ଷ ପରେ ଜାମ୍ମୁ ଓ କାଶ୍ମୀର ପୁଲିସ ହାତରେ ଚାରି ଜଣ ସନ୍ଦିଗ୍ଧ ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ନିହତ ହେବା ଏବ˚ ଯେଉଁ ଚାଉଳ ବୋଝେଇ ଟ୍ରକ୍ରେ ସେମାନଙ୍କୁ ସୁରକ୍ଷିତ ଭାବେ ଶ୍ରୀନଗରକୁ ନିଆଯାଉଥିଲା, ତହିଁରୁ ବିପୁଳ ପରିମାଣର ଗୁଳିଗୋଳା ଓ ମାରଣାସ୍ତ୍ର ଜବତ ହେବା ଘୋର ଚାଞ୍ଚଲ୍ୟର କାରଣ ହୋଇଛି। ଏହା ଦ୍ବାରା କାଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହେବା ପୂର୍ବରୁ ତାକୁ ପଣ୍ଡ କରି ଦିଆଯାଇପାରିଛି। କେବଳ ସେତିକି ନୁହେଁ, ତା’ ପରେ ପରେ ଜାମ୍ମୁର ସାମ୍ବା ଅଞ୍ଚଳରେ ଆବିଷ୍କୃତ ହୋଇଥିବା ଗୋଟିଏ ଦେଢ଼ ଶହ ମିଟର ଦୀର୍ଘ ଗୁପ୍ତ ଟନେଲ୍ ବା ସୁଡ଼ଙ୍ଗ ଅଧିକ ଚାଞ୍ଚଲ୍ୟ ସୃଷ୍ଟି କରିଛି, ଯାହା ସମ୍ଭବତଃ ଏହି ଆତଙ୍କବାଦୀମାନଙ୍କ ଅନୁପ୍ରବେଶର ମାର୍ଗ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଏକ ବିବାଦ ମଧ୍ୟ ଜନ୍ମ ନେଇଛି, ଯାହୋର କାରଣ ଏ ସ˚ପର୍କରେ ଅନେକ ଅବସରପ୍ରାପ୍ତ ଉଚ୍ଚ ସାମରିକ ପଦାଧିକାରୀଙ୍କ ଦ୍ବାରା ପ୍ରଦତ୍ତ ଟ୍ବିଟର ମନ୍ତବ୍ୟ; ଯହିଁରେ ସୀମାନ୍ତ ସୁରକ୍ଷା ଦାୟିତ୍ବରେ ଥିବା ‘ବର୍ଡର ସିକ୍ୟୁରିଟି ଫୋର୍ସ୍’ ବା ‘ବି.ଏସ୍.ଏଫ୍.’ର ନିଷ୍ଠା ପ୍ରତି ପ୍ରଶ୍ନ କରାଯାଇ ଏହି ଦାୟିତ୍ବ ବା ଅଧିକାରକୁ ‘ଆର୍ମି’ ହାତରେ ନ୍ୟସ୍ତ କରାଯିବା ସପକ୍ଷରେ ଯୁକ୍ତି ପ୍ରଦାନ କରାଯାଇଛି। ଆତଙ୍କବାଦୀଙ୍କ ଅନୁପ୍ରବେଶ ଓ ସଂହାର ପରେ ଯାଇ ଏଭଳି ଏକ ଗୁପ୍ତ ସୁଡ଼ଙ୍ଗ ଆବିଷ୍କୃତ ହେବା ଯେ ସୀମାନ୍ତ ପ୍ରହରୀଙ୍କ ଅବହେଳାର ନିଦର୍ଶନ, ତାହା ସେମାନଙ୍କ ମତାମତର ବିଷୟବସ୍ତୁ। ତେବେ, ଏହି ପରିପ୍ରେକ୍ଷୀରେ ଏକ ସ˚କ୍ଷିପ୍ତ ବସ୍ତୁନିଷ୍ଠ ଆଲୋଚନା କରା ନ ଗଲେ ସ୍ଥିତି ସ୍ପଷ୍ଟ ହେବନାହିଁ। ଏଠାରେ ସ୍ମରଣଯୋଗ୍ୟ ଯେ ଗଲା ମେ’ ମାସରେ ଲଦାଖ ଅଞ୍ଚଳର ଗୋଲଵାନ ଉପତ୍ୟକା ଠାରେ ଆମ ସୀମା ସୁରକ୍ଷା ବାହିନୀର ଅଲକ୍ଷ୍ୟରେ ଚୀନା ସୈନ୍ୟମାନଙ୍କ ଅନୁପ୍ରବେଶ ପରେ ମଧୢ ସମତୁଲ ମତ ପ୍ରକାଶ ପାଇବା ସହିତ ଏ ସମ୍ବନ୍ଧରେ ଏକ ବିତର୍କ ସୃଷ୍ଟି ହୋଇଥିଲା।
ଉଲ୍ଲେଖଯୋଗ୍ୟ ଯେ ୧୯୯୯ ମସିହା କାରଗିଲ ଯୁଦ୍ଧ ପରେ ପାକିସ୍ତାନ ପଟୁ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ସମ୍ଭବ କରିଥିବା ବିଭିନ୍ନ ଛିଦ୍ର ସମ୍ବନ୍ଧରେ ତର୍ଜମା କରି ଏହାର ସମାଧାନର ସୂତ୍ର ପ୍ରଦାନ କରିବା ଲାଗି ନିଯୁକ୍ତ ‘ଗ୍ରୁପ୍ ଅଫ୍ ମିନିଷ୍ଟର୍ସ’(ଜିଓଏମ୍) ଯେଉଁ ପ୍ରସ୍ତାବ ଦେଇଥିଲେ, ତାହା ଥିଲା ‘ଵାନ୍ ବର୍ଡର, ଵାନ୍ ଫୋର୍ସ୍’ (ଗୋଟିଏ ସୀମାନ୍ତ, ଗୋଟିଏ ସୁରକ୍ଷା ବଳ) ଏବ˚ ‘ଵାନ୍ ଟାସ୍କ, ଵାନ୍ ଫୋର୍ସ’ (ଗୋଟିଏ ଦାୟିତ୍ବ, ଗୋଟିଏ ସୁରକ୍ଷା ବଳ) ଭଳି ଫର୍ମୁଲାର ପ୍ରବର୍ତ୍ତନ। ଏହା ପରେ ‘ବି.ଏସ୍.ଏଫ୍.’କୁ କେବଳ ସୀମାନ୍ତ ସୁରକ୍ଷା ବଳ ଭାବେ ନିୟୋଜିତ କରାଯିବ ବୋଲି ସ୍ଥିର କରାଯାଇଥିଲା। ଏହି ନିଷ୍ପତ୍ତି ଅନୁସାରେ ‘ବି.ଏସ୍.ଏଫ୍.’କୁ ରାଷ୍ଟ୍ରର ଆଭ୍ୟନ୍ତରୀଣ ସୁରକ୍ଷା କାର୍ଯ୍ୟରୁ ଅବ୍ୟାହତି ଦିଆଯିବା ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା, ଯାହା ଫଳରେ ଜାମ୍ମୁ ଓ କାଶ୍ମୀରରେ ନିୟୋଜିତ ଥିବା ‘ବି.ଏସ୍.ଏଫ୍.’ ଜଵାନଙ୍କ ସ୍ଥାନରେ ‘ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ’ (‘ସିଆରପିଏଫ୍’)କୁ ମୁତୟନ କରାଯାଇଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ, କାଳକ୍ରମେ ଏହି ଏହାର ଅନୁପାଳନରେ ସ୍ଖଳନ ଘଟି ପୁଣି ‘ବି.ଏସ୍.ଏଫ୍.’କୁ ଆଭ୍ୟନ୍ତରୀଣ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଉଛି। ଉଦାହରଣ ସ୍ବରୂପ, ‘ତ୍ରିପୁରା ଟ୍ରାଇବାଲ କାଉନ୍ସିଲ’ ଭଳି ଅତ୍ୟନ୍ତ ସାଧାରଣ ନିର୍ବାଚନରେ ‘ବି.ଏସ୍.ଏଫ୍.’କୁ ନିୟୋଜିତ କରାଯାଇଥିଲା। ୨୦୧୮ ମସିହାରେ କାଶ୍ମୀରରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ନିର୍ବାଚନ ସମୟରେ ମଧୢ ‘ବି.ଏସ୍.ଏଫ୍.’ ଜଵାନମାନେ ସୀମାନ୍ତ ଛାଡ଼ି ଆଭ୍ୟନ୍ତରୀଣ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହେବା ସହିତ ଦୀର୍ଘ କାଳ ଧରି ସେଠାରେ ମୁତୟନ ହୋଇ ରହିଥିଲେ। ସ˚ପ୍ରତି କାଶ୍ମୀରରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ଡିିଷ୍ଟ୍ରିକ୍ଟ ଡେଭଲପ୍ମେଣ୍ଟ କାଉନ୍ସିଲ’ ବା ‘ଡିଡିସି’ ନିର୍ବାଚନରେ ମଧୢ ‘ବି.ଏସ୍.ଏଫ୍.’କୁ ମୁତୟନ କରାଯିବାର ଯୋଜନା ରହିଛି। କହିବା ବାହୁଲ୍ୟ ଯେ ସ˚ପ୍ରତି ‘ବି.ଏସ୍.ଏଫ୍.’ ବାହିନୀରେ ଜଵାନଙ୍କ ସ˚ଖ୍ୟା ଆବଶ୍ୟକତା ଠାରୁ କମ୍ ରହିଛି; ଯାହା ପ୍ରତି ୟୁନିଟ୍ ପିଛା ଅନ୍ତତଃ ପକ୍ଷେ ଶହେ ବୋଲି ଆକଳନ କରାଯାଇଛି। କେବଳ ସେତିକି ନୁହେଁ ନକ୍ସଲ ବିରୋଧୀ କାର୍ଯ୍ୟକଳାପ ଲାଗି ମଧୢ-ଭାରତର ଜଙ୍ଗଲରେ ପ୍ରାୟ ୧୫,୦୦୦ ସରିକି ‘ବି.ଏସ୍.ଏଫ୍.’ ଜଵାନ ମୁତୟନ ଅଛନ୍ତି। ସୁତରା˚, ଏହା ଦ୍ବାରା ‘ବି.ଏସ୍.ଏଫ୍.’ର ସୀମାନ୍ତ ଉପସ୍ଥିତି ଯେଭଳି ସଶକ୍ତ ହେବା କଥା, ତାହା ଯେ ହୋଇପାରୁନାହିଁ ଏହା କହିବା ନିଷ୍ପ୍ରୟୋଜନ ମାତ୍ର।
ଉଲ୍ଲେଖଯୋଗ୍ୟ ଯେ ଜାମ୍ମୁ ଅଞ୍ଚଳରେ ଭାରତ ଓ ପାକିସ୍ତାନ ମଧୢରେ ଥିବା ‘ଆନ୍ତର୍ଜାତିକ ସୀମାରେଖା’ (ଇଣ୍ଟରନ୍ୟାସନାଲ ବର୍ଡର) ଠାରେ ସୀମା ସୁରକ୍ଷା ଦାୟିତ୍ବ ଦ୍ବି-ସ୍ତରୀୟ; ଯହିଁରେ ପ୍ରଥମ ସ୍ତରରେ ‘ବି.ଏସ୍.ଏଫ୍.’ ବାହିନୀ ରହିଥିବା ବେଳେ ଦ୍ବିତୀୟ ସ୍ତରରେ ‘ଆର୍ମି’ ବା ସେନା ବାହିନୀର ସୁରକ୍ଷା ବଳୟ ବିଦ୍ୟମାନ ଥାଏ। ସୁତରା˚, ଏହି ଅଞ୍ଚଳରେ ସମସ୍ତଙ୍କ ଅଲକ୍ଷ୍ୟରେ ଏକ ସୁଡ଼ଙ୍ଗର ଉପସ୍ଥିତି ବା ତା’ ମଧୢ ଦେଇ ଆତଙ୍କବାଦୀଙ୍କ ଅନୁପ୍ରବେଶ ସ˚ଦର୍ଭରେ କେବଳ ‘ବି.ଏସ୍.ଏଫ୍.’କୁ ଦୋଷାରୋପ କରିବା ଅଯୌକ୍ତିକ। ଯେଉଁମାନେ ସୀମାନ୍ତ ସୁରକ୍ଷା ଅଧିକାରକୁ ‘ବି.ଏସ୍.ଏଫ୍.’ ହାତରୁ ନେଇ ‘ଆର୍ମି’ ହାତରେ ନ୍ୟସ୍ତ କରାଯିବା ସପକ୍ଷରେ, ସେମାନେ ଏହି ଘଟଣାରେ ‘ଆର୍ମି’ର ବିଫଳତାକୁ ମଧୢ ନଜରଅନ୍ଦାଜ କରିପାରିବେ ନାହିଁ। ଏହି ଘଟଣାକୁ ଅନୁଶୀଳନ କରିଥିବା ସାମରିକ ବିଶେଷଜ୍ଞମାନଙ୍କ ମତରେ ଜାମ୍ମୁ-କାଶ୍ମୀର ପୁଲିସ ପାଖକୁ ଆତଙ୍କବାଦୀମାନଙ୍କ ଗତିବିଧିର ସୁରାକ ପ୍ରତି କ୍ଷଣ ମିଳିବାରେ ଲାଗିଥିଲା। ସୁତରା˚, ପୁଲିସ ପକ୍ଷରୁ ଯଦି ଏହି ସୂଚନାକୁ ‘ବି.ଏସ୍.ଏଫ୍.’କୁ ଆଗତୁରା ପ୍ରଦାନ କରାଯାଇଥାଆନ୍ତା, ତେବେ ଆତଙ୍କବାଦୀମାନେ ରାଜପଥ ଧରି ସେମାନଙ୍କ ଶ୍ରୀନଗର ଯାତ୍ରା ଆରମ୍ଭ କରିବାର ସୁଯୋଗ ହିଁ ପାଇ ନ ଥାଆନ୍ତେ। ସାମରିକ ବିଶେଷଜ୍ଞମାନେ ଏହି ମତ ମଧୢ ପୋଷଣ କରିଥାଆନ୍ତି ଯେ ସ˚ପ୍ରତି ଭାରତର ସୀମାନ୍ତରେ ପଇଁତରା ଅତ୍ୟନ୍ତ ସଘନ ହୋଇ ଯାଇଥିବାରୁ ପାକିସ୍ତାନ ଭୂମିରୁ ଆତଙ୍କବାଦୀମାନେ ଭୂପୃଷ୍ଠରେ ଅନୁପ୍ରବେଶ କରିବା ଅସମ୍ଭବ ବ୍ୟାପାର ହୋଇଗଲାଣି। ସୁତରା˚, ସୁଡ଼ଙ୍ଗ ଅଥବା ଡ୍ରୋନ୍ ସାହାଯ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିବାର ଅଧିକ ଉଦ୍ୟମ କରାଯାଉଛି। ସେଥି ଲାଗି ଗଲା କିଛି ବର୍ଷ ମଧ୍ୟରେ ତିନିରୁ ଚାରିଟି ଗୁପ୍ତ ସୁଡ଼ଙ୍ଗ ଆବିଷ୍କୃତ ହେଲେଣି। ତେବେ, ସେମାନେ ଏହା ମଧୢ କହନ୍ତି ଯେ ‘ବି.ଏସ୍.ଏଫ୍.’ର ଗୁଇନ୍ଦା କାର୍ଯ୍ୟକଳାପକୁ ଉଚ୍ଚତର ସ୍ତରକୁ ନିଆଯିବା ଆବଶ୍ୟକ, ଯାହା ସ˚ପ୍ରତି ମୁଖ୍ୟତଃ ଅନ୍ୟାନ୍ୟ ସୂତ୍ରରୁ ପ୍ରାପ୍ତ ଗୁପ୍ତ ତଥ୍ୟ ଓ ସୂଚନାକୁ ବ୍ୟାଖ୍ୟା କରିବାରେ ସୀମିତ ରହିଛି। କେବଳ ସେତିକି ନୁହେଁ ‘ବି.ଏସ୍.ଏଫ୍.’ ବାହିନୀକୁ ଅତ୍ୟାଧୁନିକ ପ୍ରଯୁକ୍ତିର ସହାୟତା ପ୍ରଦାନ କରାଯିବା ଉପରେ ମଧୢ ଏହି ବିଶେଷଜ୍ଞମାନେ ଗୁରୁତ୍ବ ଦିଅନ୍ତି। ସୁଡ଼ଙ୍ଗ ଖୋଳା ଯିବା ସମୟରେ ସୃଷ୍ଟି ହେଉଥିବା ଭୂମିର କ˚ପନକୁ ଠଉରାଇବା ଲାଗି ଉଚ୍ଚ କ୍ଷମତା ସ˚ପନ୍ନ ସିସମୋଗ୍ରାଫ୍ ‘ବି.ଏସ୍.ଏଫ୍.’ ନିକଟରେ ଉପଲବ୍ଧ, ଯାହାର ବହୁଳ ବ୍ୟବହାର ଅତ୍ୟନ୍ତ ଜରୁରୀ। ଏହି ସୁଡ଼ଙ୍ଗଟି ଅତ୍ୟନ୍ତ ନିଘଞ୍ଚ ପତ୍ର ଓ ଶାଖା ଆଚ୍ଛାଦିତ ଜଙ୍ଗଲ ଅଞ୍ଚଳରେ ଖୋଳା ଯାଇଥିଲା। ସୁତରା˚, ସୀମାରେଖା ନିକଟବର୍ତ୍ତୀ ଅଞ୍ଚଳକୁ ଜଙ୍ଗଲମୁକ୍ତ କରାଯିବା ମଧୢ ଜରୁରୀ ବୋଲି ସାମରିକ ବିଶାରଦମାନେ ମତ ଦେଇଥାଆନ୍ତି।
କେହି ଭୁୁଲିଯିବା ଉଚିତ ନୁହେଁ ଯେ ସି˚ହ ଯୂଥ ପଛରେ ଘୂରି ବୁଲୁଥିବା ଅତ୍ୟନ୍ତ ସୁବିଧାବାଦୀ ଓ ସ୍ବାର୍ଥପର ହାଏନା ଦଳଙ୍କ ଏକମାତ୍ର ଉଦ୍ଦେଶ୍ୟ ଥାଏ ସିଂହ ଦଳ କରିଥିବା ଶିକାରରୁ ସୁଯୋଗ ଦେଖି କିଛି ଝା˚ପି ନେବା ଏବ˚ ସେଥି ପାଇଁ ସେମାନେ ସି˚ହ ଦଳର ଆଳସ୍ୟ ବା ଦଳ ଭିତରେ କନ୍ଦଳରୁ ସୃଷ୍ଟ ଅସତର୍କତାର କ୍ଷଣକୁ ଅପେକ୍ଷା କରି ରହନ୍ତି। ପାକିସ୍ତାନ ଓ ଚୀନ ମଧୢ ଯେ ହାଏନା ତୁଲ୍ୟ ଆମ ଉପରେ ନଜର ରଖିଛନ୍ତି ଏହା ପାଶୋରି ଯିବା ଉଚିତ ନୁହେଁ। ସେହି କାରଣରୁ ସାମାଜିକ ଗଣମାଧୢମରେ ହେଉ ବା ଅନ୍ୟାନ୍ୟ ମଞ୍ଚରେ ହେଉ; ରାଷ୍ଟ୍ରର ଦୁଇ ଗୁରୁତ୍ବପୂର୍ଣ୍ଣ ସୁରକ୍ଷା ଏଜେନ୍ସି ‘ବି.ଏସ୍.ଏଫ୍.’ ଓ ‘ଆର୍ମି’ ମଧୢରେ ଗୋଟିକୁ ଅପର ଠାରୁ ଉଚ୍ଚରେ ବା ନିମ୍ନରେ ପ୍ରଦର୍ଶନ କରିବାର ଉଦ୍ୟମ କରା ନ ଯାଉ। ପ୍ରକୃତରେ ସୀମାନ୍ତ ସୁରକ୍ଷା ହେଉଛି ଏକ ସମର୍ପିତ ଓ ସମନ୍ବିତ କାର୍ଯ୍ୟ। ତେଣୁ ଏଭଳି ଅଯଥା ବିବାଦରେ ଲିପ୍ତ ରହିବା ବେଳେ ଭୁଲିଯିବା ଉଚିତ ନୁହେଁ ଯେ ଅଦୂରରେ ହାଏନା ଅଛନ୍ତି; ଯେଉଁମାନେ ଏଭଳି ବିବାଦରୁ ସୃଷ୍ଟ ଅସତର୍କ କ୍ଷଣର ଫାଇଦା ଉଠାଇବାକୁ ସର୍ବଦା ତତ୍ପର ଅଛନ୍ତି।