ନିଃସଙ୍ଗ ଯନ୍ତ୍ରଣା

୧୭୦୦ ସାଲରେ ୧୨ ବର୍ଷ ବୟସର ଇଂରେଜ ବାଳକ ଆଲେକ୍‌ଜାଣ୍ଡର୍‌ ପୋପ୍‌ ନିଃସଙ୍ଗତାକୁ ମନୁଷ୍ୟର ସୁଖର ଚାବିକାଠି ବୋଲି ମନେ କରି ‘ଓଡ଼୍‍ ଅନ୍‌ ସଲିଚ୍ୟୁଡ୍‌’ ନାମକ ଯେଉଁ କବିତାଟିଏ ରଚନା କରିଥିଲେ, ପରବର୍ତ୍ତୀ ସମୟରେ ତାହା ନିଃସଙ୍ଗତାର ବୋଧହୁଏ ଶ୍ରେଷ୍ଠତମ ବନ୍ଦନା ରୂପେ ଚିରନ୍ତନ ସାହିତ୍ୟିକ ପ୍ରସିଦ୍ଧି ଲାଭ କରିଛି। ବାଳକ ପୋପ୍‌ ଏହି କବିତାରେ ତାଙ୍କ କଳ୍ପନାରେ ମାତ୍ର କେତେ ଏକର ପୈତୃକ ଜମିରେ ଚାଷବାସ କରି, ଗୋପାଳନ କରି ଶାନ୍ତିରେ ଘଣ୍ଟା ପରେ ଘଣ୍ଟା, ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ବିତାଇବା ପରେ ଅଜଣା ଅଶୁଣା ଭାବରେ ଦୁନିଆରୁ ବିଦାୟ ନେବାକୁ ଏକ ସୁଖୀ ଜୀବନର ଚରମ ଉଦାହରଣ ରୂପେ ବର୍ଣ୍ଣନା କରିଥିଲେ। ନିଜ ଜମିର ଫସଲ, ନିଜ ଗାଈର ଦୁଧ, ନିଜ ଗଛର କାଠ, ନିର୍ଜନ ମୁହୂର୍ତ୍ତ, ଧ୍ୟାନ, ସୁଖ ନିଦ୍ରା; ଏକ ସୁଖୀ ଜୀବନ ବିତାଇବା ପାଇଁ ମନୁଷ୍ୟର ଆଉ ଅଧିକ କ’ଣ ଲୋଡ଼ା ବୋଲି ପୋପ୍‌ ସେତେବେଳେ ତାଙ୍କର କିଶୋର ସୁଲଭ ଚିନ୍ତାଧାରାରେ ଅନୁମାନ କରିପାରି ନଥିଲେ।

୧୭୦୪ରେ ଏକ ଇଂରେଜ ଜଳଦସ୍ୟୁ ଜାହାଜର ନାବିକ ଆଲେକ୍‌ଜାଣ୍ଡର୍‌ ସେଲ୍‌କାର୍କଙ୍କର ଜାହାଜର କାପ୍ତାନଙ୍କ ସହିତ ମତାନ୍ତର ହେବାରୁ କାପ୍ତାନ ତାଙ୍କୁ ଦକ୍ଷିଣ ଆମେରିକାର ଦକ୍ଷିଣ ମୁଣ୍ଡରେ ଥିବା ଦେଶ ଚିଲି ଉପକୂଳଠାରୁ ପ୍ରାୟ ୭୦୦ କିମି ଦୂରରେ ଅବସ୍ଥିତ ‘ହୁଆନ ଫର୍ଣ୍ଣାଣ୍ଡେଜ୍‌’ ଦ୍ୱୀପପୁଞ୍ଜ ଅନ୍ତର୍ଗତ ‘ମାସ୍‌ ଏ ଟିଏରା’ ନାମକ ଏକ କ୍ଷୁଦ୍ର ନିର୍ଜନ ଦ୍ୱୀପରେ ଏକଲା ଛାଡ଼ି ଦେଇ ଜାହାଜ ନେଇ ପଳାଇଲେ। ସେଲ୍‌କାର୍କଙ୍କର ଚାହିବା ଅନୁସାରେ କାପ୍ତାନ୍‌ ତାଙ୍କୁ ସେହି ନିର୍ଜନ ଦ୍ୱୀପରେ ଓହ୍ଲାଇ ଦେବା ସମୟରେ ତାଙ୍କ ପାଇଁ ଏକ ବନ୍ଧୁକ, ଏକ ଟାଙ୍ଗିଆ, ଏକ ଛୁରୀ, ଏକ ରନ୍ଧନ ପାତ୍ର, କିଛି ଲୁଗା ପଟା, ଶେଜ ଏବଂ ଏକ ବାଇବ୍‌ଲ ମଧ୍ୟ ସେଠାରେ ଛାଡ଼ି ଦେଇଥିଲେ। ସେଲ୍‌କାର୍କ ସେହି କ୍ଷୁଦ୍ର ଦ୍ୱୀପର ଏକମାତ୍ର ମାନବ ଅଧିବାସୀ ତଥା ମାଲିକ ଭାବରେ ସେଠାରେ ଚାରିବର୍ଷ କାଳ ବିତାଇବା ପରେ ଅନ୍ୟ ଏକ ଜାହାଜ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲା। (ସେଲ୍‌କାର୍କଙ୍କର ଏହି ଅନୁଭୂତିକୁ ହିଁ ଆଧାର କରି ପରବର୍ତ୍ତୀ ସମୟରେ ଔପନ୍ୟାସିକ ଡାନିଏଲ୍‌ ଡିଫୋ ୧୭୧୯ରେ ତାଙ୍କର ବିଶ୍ୱପ୍ରସିଦ୍ଧ ଆଡ୍‌ଭେଞ୍ଚର୍‌ କାହାଣୀ ‘ରବିନ୍‌ସନ୍‌ କ୍ରୁସୋ’ ରଚନା କରିଥିଲେ।)

୧୭୮୨ ସାଲରେ ଅନ୍ୟତମ ଇଂରେଜ କବି ଓ୍ଵିଲିଅମ୍‌ କାଓପର୍‌ କିନ୍ତୁ ଆଲେକ୍‌ଜାଣ୍ଡର୍‌ ସେଲ୍‌କାର୍କଙ୍କର ସେଇ ନିର୍ଜନ ଦ୍ୱୀପରେ ନିର୍ବାସନ ଅନୁଭୂତିକୁ ଖୋଦ୍‌ ସେଲ୍‌କାର୍କଙ୍କ ଦ୍ୱାରା ରଚିତ ଏକ କାଳ୍ପନିକ କବିତା ରୂପେ ପ୍ରକାଶ କରି ମନୁଷ୍ୟ ପାଇଁ ନିଃସଙ୍ଗତାର ଯନ୍ତ୍ରଣାକୁ ଏଭଳି କାଳଜୟୀ ଢଙ୍ଗରେ ଉପସ୍ଥାପିତ କରିଥିଲେ ଯାହା ଆଲେକ୍‌ଜାଣ୍ଡର ପୋପ୍‌ ଆଙ୍କିଥିବା ନିଃସଙ୍ଗତାର ଉପରୋକ୍ତ ଚିତ୍ତାକର୍ଷକ ଚିତ୍ରର ଠିକ୍‌ ବିପରୀତ। ‘ନିର୍ବାସିତର ବିଳାପ’ ନାମରେ ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ୱାରା ଅନୁଦିତ ସେହି କବିତାର ଏହି ଧାଡ଼ିଟି ସହିତ ଊଣା ଅଧିକେ ପ୍ରାୟ ସମସ୍ତେ ପରିଚିତ। ‘ଦେଖଇ ନେତ୍ର ଯାହା ଚଉଦିଗର/ ସେ ସର୍ବର ଅଟଇ ମୁଁ ଅଧୀଶ୍ୱର’। ଗଛଲତା, ଜୀବଜନ୍ତୁ, ଫଳମୂୂଳରେ ପରିପୂର୍ଣ୍ଣ ସାରା ଦ୍ୱୀପ ତଥା ତାର ତଟବର୍ତ୍ତୀ ସମୁଦ୍ରର ଅଧୀଶ୍ୱର ଥିଲେ ନିର୍ବାସିତ ସେଲ୍‌କାର୍କ। କିନ୍ତୁ ନିଃସଙ୍ଗତା ତାଙ୍କ ପାଇଁ ଏପରି ଭୟଙ୍କର ଓ ଯନ୍ତ୍ରଣାଦାୟକ ଥିଲା ଯେ ଏ ସାମ୍ରାଜ୍ୟ ଥିଲା ତାଙ୍କ ପାଇଁ ସମ୍ପୂର୍ଣ୍ଣ ଅର୍ଥହୀନ। ଭକ୍ତକବିଙ୍କ ଭାଷାରେ ଆଲେକ୍‌ଜାଣ୍ଡର୍‌ ସେଲ୍‌କାର୍କ ସେ କବିତାରେ ପ୍ରଶ୍ନ ପଚାରିଛନ୍ତି: ‘ନିର୍ଜନତା କାହିଁ ତୋ ବେଶ ମୋହନ/ ଯେ ରୂପେ ହରିଲୁ ତୁ ନର ପରାଣ?’ ମନୁଷ୍ୟ ନାମକ ଜୀବ ମନୁଷ୍ୟର ସାହଚର୍ଯ୍ୟ ଏପରି ଆବଶ୍ୟକ କରିଥାଏ ଯେ ନିଃସଙ୍ଗତା ଦୂର ପାଇଁ ସେ ଯେ କୌଣସି ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ। ଏହି ମର୍ମରେ କାଓପର୍‌ଙ୍କର କେତୋଟି ଧାଡ଼ିକୁ ଭକ୍ତକବି ଏହିଭଳି ଅନୁବାଦ କରିଛନ୍ତି: ‘ବରଂ ନିବାସ ଭଳ ରଣକ୍ଷେତ୍ରରେ/ ଭୟରେ ସଦା ଯହିଁ ହୃଦୟ ଥରେ।’

ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ କାଓପର୍‌ ନିଃସଙ୍ଗତାର ଏ ଯେଉଁ କରାଳ ଛବି ଆଙ୍କିଥିଲେ, ଏକବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ସେ ଛବିରେ ଯଦି କିଛି ପରିବର୍ତ୍ତନ ଘଟିଥାଏ, ତାହାହେଲା ଛବିଟି ଆହୁରି ଭୟଙ୍କର ହୋଇପଡ଼ିଛି ଯାହା। ଏହା ଆମକୁ ଅଷ୍ଟାଦଶ -ଊନବିଂଶ ଶତାବ୍ଦୀର ପ୍ରସିଦ୍ଧ ସ୍ପେନୀୟ ଚିତ୍ରକର ଫ୍ରାନ୍‌ସିସ୍‌କୋ ଗୟାଙ୍କ ନିଃସଙ୍ଗ ଯନ୍ତ୍ରଣାର ଭୟଙ୍କର ପରିସ୍ଫୁଟନ କଥା ମନେ ପକାଇ ଦେଇଥାଏ। ଗୟାଙ୍କର ନିଃସଙ୍ଗତାର କାରଣ ଥିଲା ତାଙ୍କର ବଧିରତା। ଜୀବନର ମଧ୍ୟ ଭାଗରେ ଛୟାଳିଶ ବର୍ଷ ବୟସରୁ ସେ ବଧିର ହୋଇ ଯିବା ପରେ ଗୟାଙ୍କୁ ସାରା ନିଃଶବ୍ଦ ଦୁନିଆରୁ ବିଚ୍ଛିନ୍ନ ହୋଇଯିବା ପରି ମନେ ହେବା ପରି ଲାଗିଲା। ଏହି ଦୀର୍ଘ ନିଃସଙ୍ଗତାବୋଧ ସମୟରେ ତାଙ୍କ ମନରେ ଯେଉଁ ସବୁ ଅଧିକରୁ ଅଧିକ ବୀଭତ୍ସ ଓ ଭୟାନକ କଳ୍ପନାମାନ ଉଦ୍ରେକ ହେବାକୁ ଆରମ୍ଭ କଲା ତାହା ସବୁ ତାଙ୍କର ଚିତ୍ର ମାନଙ୍କରେ ପ୍ରତିଫଳିତ ହୋଇଛି- ଯେମିତି ‘ନିଜ ସନ୍ତାନକୁ ଭକ୍ଷଣ କରୁଥିବା ଶନି’ ଶୀର୍ଷକ ଭୟାବହ ଚିତ୍ରଟି ଯାହାକୁ ସେ ପୁଣି ତାଙ୍କର ଭୋଜନ ଗୃହର କାନ୍ଥରେ ଟାଙ୍ଗିଥିଲେ।

ଏକବିଂଶ ଶତାବ୍ଦୀରେ ମଣିଷଟିଏ ନିଃସଙ୍ଗ ହେବାକୁ ହେଲେ ତାକୁ କିନ୍ତୁ ଆଲେକ୍‌ଜାଣ୍ଡର ସେଲ୍‌କାର୍କଙ୍କ ପରି କେଉଁ ଏକ ନିର୍ଜନ ଦ୍ୱୀପରେ ନିର୍ବାସିତ ହେବା ଆବଶ୍ୟକ ନାହିଁ କି ଫ୍ରାନ୍‌ସିସ୍‌କୋ ଗୟାଙ୍କ ପରି ଶ୍ରବଣଶକ୍ତି ହରାଇବା ଦରକାର ନାହିଁ। ମଣିଷର ଭିଡ଼ ଭିତରେ ଥାଇ ହିଁ ମଣିଷ ଆଜି ନିଃସଙ୍ଗ। ଏଣେ ଟେକ୍ନୋଲୋଜି ଯେତେ ଯେତେ ଆଗେଇବାରେ ଲାଗିଛି, ତାହାର ଏକ ଅଭାବିତ ପରିଣାମ ସ୍ୱରୂପ ମନୁଷ୍ୟର ନିଃସଙ୍ଗତା ବୋଧ ମଧ୍ୟ ସେତେ ବୃଦ୍ଧି ପାଇବାରେ ଲାଗିଛି। କମ୍ପ୍ୟୁଟର୍‌, ଇଣ୍ଟରନେଟ୍‌, କୃତ୍ରିମ ବୁଦ୍ଧି(ଏଆଇ), ସ୍ମାର୍ଟଫୋନ୍‌, ହୋମ୍‌ ଡେଲିଭେରି…; ଏ ସମସ୍ତ କ୍ରମେ ମନୁଷ୍ୟ ମନୁଷ୍ୟ ମଧ୍ୟରେ ଥିବା ସମ୍ପର୍କ ଡୋରି ସବୁକୁ ଗୋଟି ଗୋଟି କରି କାଟିବାରେ ଲାଗିଛନ୍ତି। ପାରଂପରିକ ପରିବାରର ଅବକ୍ଷୟ ମଧ୍ୟ ମନୁଷ୍ୟକୁ ଏକ ଡୋର କଟିଯାଇଥିବା ଗୁଡ଼ିରେ ପରିଣତ କରିଛି। କେତେକ ସମାଜରେ ଏହି ନିଃସଙ୍ଗତା ସମସ୍ୟା ଏପରି ଉଗ୍ରରୂପ ଧାରଣ କଲାଣି ଯେ ତାହା ହଇଜା, ବସନ୍ତ ବା ପ୍ଲେଗ୍‌ ଭଳି ଏକ ମହାମାରୀ ରୂପେ ଉଭା ହେଲାଣି। ଏକ ଗଣତାନ୍ତ୍ରିକ ଦେଶରେ ଏ ସବୁ ମହାମାରୀର ପ୍ରତିକାର ଯେପରି ରାଷ୍ଟ୍ର/ସରକାରଙ୍କ ଦାୟିତ୍ୱ ରୂପେ ବିବେଚିତ ହୋଇଥାଏ, ନିଃସଙ୍ଗତାର ପ୍ରତିକାର ମଧ୍ୟ ସେହିପରି ରାଷ୍ଟ୍ର/ସରକାରଙ୍କ ଦାୟିତ୍ୱରେ ପରିଣତ ହେବାକୁ ଆରମ୍ଭ କଲାଣି।

ଏହି ପରିପ୍ରେକ୍ଷୀରେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଥେରେସା ମେ ଗତ ସପ୍ତାହରେ ତାଙ୍କ ସରକାରରେ ଏକ ନୂତନ ମନ୍ତ୍ରଣାଳୟ ସୃଷ୍ଟି କରିବା ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ଏହାର ନାମ ହେଉଛି – ନିଃସଙ୍ଗତା ମନ୍ତ୍ରଣାଳୟ। ରେଡକ୍ରସ୍‌ ପ୍ରଦତ୍ତ ସୂଚନା ଅନୁସାରେ ବ୍ରିଟେନ୍‌ର ୬୫ ନିୟୁତ ଜନସଂଖ୍ୟା ମଧ୍ୟରୁ ୯ ନିୟୁତ ନିଜକୁ ଅତ୍ୟନ୍ତ ନିଃସଙ୍ଗ ବୋଧ କରିଥାନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଏକ ସର୍ବେକ୍ଷଣ ଅନୁସାରେ ବ୍ରିଟିସ୍‌ ଡାକ୍ତରମାନଙ୍କ ପାଖକୁ ପ୍ରତିଦିନ ଆସୁଥିବା ରୋଗୀମାନଙ୍କ ମଧ୍ୟରୁ ହାରାହାରି ପ୍ରାୟ ଏକରୁ ପାଞ୍ଚଜଣ ଆସିଥାନ୍ତି କେବଳ ଡାକ୍ତରଙ୍କ ସହିତ ପଦେ କଥା ହେବାର ସୁଯୋଗ ବ୍ୟବହାର କରିବା ପାଇଁ। ଏକ ଗବେଷଣାରୁ ଜଣାପଡ଼ିଛି ନିଃସଙ୍ଗତାର କ୍ଷତିକାରକ ପ୍ରଭାବ ଦିନକୁ ୧୫ଟି ସିଗାରେଟ୍‌ ଟାଣିବା ସହିତ ସମାନ। ଯଦିବା ବରିଷ୍ଠ ନାଗରିକମାନେ ଅଧିକତର ନିଃସଙ୍ଗତା ଭୋଗ କରନ୍ତି, ଆଜିର ଯୁବପିଢ଼ି ମଧ୍ୟ ଏହାଦ୍ୱାରା ବେଶ୍‌ ଆକ୍ରାନ୍ତ। ଅନ୍ୟାନ୍ୟ ବିଭିନ୍ନ ସାମାଜିକ ସେବା ଯୋଗାଇବା ଭଳି ନବ ପ୍ରତିଷ୍ଠିତ ବ୍ରିଟିସ୍‌ ସରକାରଙ୍କର ଏହି ନିଃସଙ୍ଗତା ବିଭାଗ ସମାଜର ନିଃସଙ୍ଗତା ପ୍ରବଣ ସଦସ୍ୟମାନଙ୍କୁ ସେମାନଙ୍କର ଆବଶ୍ୟକ ସେବା, ସାହଚର୍ଯ୍ୟ ଓ ପରାମର୍ଶ ଯୋଗାଇବାର ଦାୟିତ୍ୱ ନେବ। ପୃଥିବୀର ଅନ୍ୟ ଦେଶମାନେ ଯେ ଅଚିରେ ଏଥିରେ ବ୍ରିଟେନ୍‌କୁ ଅନୁସରଣ କରିବା ନିଶ୍ଚିତ, ଏଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର